Unknown

 

 

 

 

 

 

 

 

 

ସଂସ୍କୃତି ଓ ଓଡ଼ିଶା

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ସଂସ୍କୃତି ଓ ଓଡ଼ିଶା ପୁସ୍ତକଟି ଅନେକ ଦିନ ଧରି ମିଳୁ ନଥିବାରୁ ଏହାର ଦ୍ୱିତୀୟ ସଂସ୍କରଣ ପାଇଁ ପଥିକ ପ୍ରକାଶନୀର ଶ୍ରୀ ଭାଗ୍ୟଧର ସାହୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନିମିତ୍ତ ଆମେ ତାଙ୍କୁ ଅନୁମତି ପ୍ରଦାନ କରୁଅଛୁ ।

 

ପ୍ରଫେସର (ଡା) ଉଷା ଦାସ

ମାନବେନ୍ଦ୍ର ଦାସ

Image

 

ସୂଚୀପତ୍ର

 

୧.

ଅନୁଶାସନ : ଆତ୍ମଶାସନ

୨.

ଆନ୍ତର୍ଜାତିକ ନାରୀବର୍ଷ

୩.

ଆହୁରି ବଡ଼ ଆହୁରି ବଡ଼

୪.

କିମାଶ୍ଚର୍ଯ୍ୟମ୍

୫.

ଏକୋଇଶି ବର୍ଷରୁ ଅଧିକ

୬.

ଓଡ଼ିଶାର ସଂସ୍କୃତି : ଏକ ଦୃଷ୍ଟିପାତ

୭.

କବୀରା ଖଡ଼ା ବାଜାରମେଁ

୮.

ପୁରୀରୁ ଯୋରନ୍ଦା

୯.

ସାମ୍ବଦିକତା ଓ ସିଦ୍ଧି

୧୦.

ନିୟମ ସମ୍ବନ୍ଧରେ

୧୧.

କର୍କଶପଥ କୋରାପୁଟ

୧୨.

ଅତୀତ ଓଡ଼ିଶାର ସାଂସ୍କୃତିକ ବିକାଶ

୧୩.

ଓଡ଼ିଶା ଧର୍ମସଂସ୍କୃତିର ଧାରା

Image

 

ଅନୁଶାସନ : ଆତ୍ମଶାସନ

 

ପ୍ରଥମେ କେବଳ ଶାସନ ଥିଲା, ତା’ ପରେ ଅନୁଶାସନର ପର୍ଯ୍ୟାୟ ଆସିଲା । ଅନୁଶାସନ ପରେ ଆତ୍ମଶାସନ । ଆତ୍ମଶାସନ, ଅର୍ଥାତ୍‍ ବ୍ୟକ୍ତି ତଥା ସମାଜ ଉଭୟ ଜୀବନର ଚେତନାରେ ଅନ୍ୟ ଏକ ସ୍ତର । ବ୍ୟକ୍ତି ଏବଂ ସମାଜ ବର୍ତ୍ତମାନ ସାଧାରଣତଃ ଯେଉଁ ସ୍ତରରେ ରହିଛନ୍ତି, ତା’ ଠାରୁ ଏକ ଭିନ୍ନ ସ୍ତର । ଏଇଟି ଆମର ପରବର୍ତ୍ତୀ ସ୍ତର । ତେଣୁ ଆତ୍ମଶାସନ ଆଡ଼କୁ ପରିଚାଳିତ କରିନେଇଯିବା ହେଉଛି ଅନୁଶାସନର ଧର୍ମ । ବ୍ୟକ୍ତି ତଥା ସମାଜ ଉଭୟେ ଆତ୍ମଶାସନକୁ ଆବିଷ୍କାର କରିବେ । ଆତ୍ମଶାସନର ମାର୍ଗଟି ଉପରେ ଆସ୍ଥା ସ୍ଥାପନ କରିବେ ଅର୍ଥାତ୍ ସେଇଟିକୁ ହିଁ ମାର୍ଗରୂପେ ଗ୍ରହଣ କରିବେ ଏବଂ ସେହି ମାର୍ଗଟିକୁ ଆପଣା ଜୀବନର ମାର୍ଗରେ ପରିଣତ କରିବେ, ତାହାକୁ କେବଳ ଏକ ପ୍ରେରଣାଦାୟକ ଆଦର୍ଶରୂପେ ନୁହେଁ, ସେମାନେ ତାହାକୁ ଏକ ବାସ୍ତବ ଆବଶ୍ୟକତା ରୂପେ ହିଁ ଗ୍ରହଣ କରିନେବେ ଯାବତୀୟ ଅନୁଶାସନ ଆମ ସମସ୍ତଙ୍କୁ ସେଇ ଆଡ଼କୁ ବାଟ କଢ଼ାଇନେଇଯାଇପାରିବା ଉଚିତ ।

 

ଆଗେ କେବଳ ଶାସନ ହିଁ ଚାଲୁଥିଲା । ରାଜ୍ୟରେ ରାଜାର ଶାସନ ଚାଲୁଥିଲା । ଗାଁରେ ଗାଆଁ ମୁଖିଆର ଶାସନ ଚାଲୁଥିଲା ଓ ଘରେ ଅର୍ଥାତ୍‍ ପରିବାରରେ ଗୃହମୁଖ୍ୟ ଅର୍ଥାତ୍‍ ପିତାର ଶାସନ ଚାଲୁଥିଲା । କେବଳ ଆମର ଏହି ଗୋଟାଏ ଭାରତବର୍ଷରେ ନୁହେଁ, ପୃଥିବୀରେ ପ୍ରାୟ ସର୍ବତ୍ର ଚାଲୁଥିଲା । ରାଜା ଇଚ୍ଛା କଲେ କାଟିଦେଇପାରୁଥିଲା ବା ଇଚ୍ଛା କଲେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା କୌଣସି ବ୍ୟକ୍ତିକୁ କ୍ଷମା ଦେଇ ଆପଣାର ମନ୍ତ୍ରୀପଦରେ ବସାଇପାରୁଥିଲା ଅଥବା ତା ସହିତ ନିଜ କନ୍ୟାର ବିବାହ ଦେଇ ତାକୁ ଆପଣା ରାଜ୍ୟର ଅର୍ଦ୍ଧାଂଶର ମାଲିକ ବି କରାଇପାରୁଥିଲା । ରାଜା ହିଁ ସ୍ୱୟଂ ନିୟମ ଥିଲେ । ପ୍ରାଚୀନ ମିଶର ଦେଶରେ ସିଏ ସ୍ୱୟଂ ସୂର୍ଯ୍ୟଙ୍କର ପୁତ୍ର ଥିଲେ । ସୈନ୍ୟବାହିନୀର ସର୍ବାଧୀଶ ଥଲେ, ଦେଶରେ ସବୁଯାକ ଜମିର ଅଧିକାରୀ ଥିଲେ, ସେଇ ଧର୍ମଗୁରୁ ଥିଲେ ଏବଂ ଖୋଦ ଠାକୁରଙ୍କର ହୋଇପ୍ରଜାଙ୍କର ବଳିଭୋଜ୍ୟମାନ ମଧ୍ୟ ଗ୍ରହଣ କରୁଥିଲେ । ଆଦେଶ ଦେଇ ମଣିଷଙ୍କର ଜିଭ କାଟିପାରୁଥିଲେ, ରାଜ୍ୟ ଜଳାଇପାରୁଥିଲେ, ରାଜ୍ୟଯାକର ରମଣୀମାନଙ୍କୁ ମନକଲା ମାତ୍ରକେ ସେ ଭୋଗ କରିପାରୁଥିଲେ । ରାଜା ଓ ରାଜାପୁଅମାନଙ୍କ ସମ୍ବନ୍ଧରେ ରହିଥିବା ଅତି ପ୍ରାଚୀନ ଲୋକକଥାଗୁଡ଼ିକ ଆମକୁ ଅନେକ ସମୟରେ ଏହିପରି ଏକ ଦେଶର ସ୍ୱୈରାଚାରିତାର ଆଭାସ ଦେଇଯାଇଥାଏ । ରୋମ୍ ସାମ୍ରାଜ୍ୟର ରାଜାମାନଙ୍କର ଇତିହାସଗୁଡ଼ାକ ଆମକୁ ଏହିପରି ଏକ ତଥାକଥିତ ଶାସନର ପରିଚୟ ପ୍ରଦାନ କରିଥାଏ ।

 

ରାଜ୍ୟରେ ରାଜା ଏବଂ ପରିବାରରେ ବାପା । ବାପା ହେଉଛନ୍ତି ରାଜ୍ୟରେ ଜଣେ ପ୍ରଜା, ମାତ୍ର ଆପଣାର ଗୃହରୂପୀ ରାଜ୍ୟରେ ସିଏ ହେଉଛନ୍ତି ଜଣେ ରାଜା, ଅନ୍ୟ ନିମ୍ନତର ପଶୁମାନଙ୍କ ଉପରେ ସିଏ ହେଉଛନ୍ତି ପଶୁରାଜ। ରୋମାନ ଆଇନଗୁଡ଼ାକରେ ଜଣେ ବାପା ହାତରେ ଯେଉଁ ସବୁ ଏକାଧିକାର ଅମାପ ମାତ୍ରାରେ ନ୍ୟସ୍ତ ହୋଇରହିଥିଲା, ବର୍ତ୍ତମାନ ସେଗୁଡ଼ାକ ପଡ଼ିଲେ ଅନେକ ସମୟରେ ବିଶ୍ୱାସ କରିବାକୁ ଇଚ୍ଛା ହୁଏନାହିଁ । ଘରର ପୁଅ ଉପରେ ବାପର ସବୁ ପ୍ରକାରର ଅଧିକାର ରହିଥିଲା । ବାପ ଯେପରି ଚାହିଁବ, ପୁଅକୁ କେବଳ ତାହାହିଁ ହେବାକୁ ପଡ଼ୁଥିଲା । ବାପର ପୂର୍ଣ୍ଣାନୁଗତ ହେବାକୁ ପଡ଼ୁଥିଲା । ବାପ ବିଗିଡ଼ିଗଲେ ପୁଅକୁ ଯେକୌଣସି ଦଣ୍ଡ ଦେଇପାରୁଥିଲା । ପୁଅକୁ ଆପଣାର ଯାବତୀୟ ସମ୍ପତିରୁ ବଞ୍ଚିତ କରିପାରୁଥିଲା, ପୁଅକୁ ଘରୁ ତଡ଼ିଦେଇପାରୁଥିଲା, ଏପରିକି କେତେକ ପରିସ୍ଥିତିରେ ପୁଅକୁ ପ୍ରାଣଦଣ୍ଡ ଦେଇପାରୁଥିଲା । ଯୋଉଠି ପୁଅର ସ୍ଥିତି ଏପରି ହୋଇରହିଥିଲା, ସେଠାରେ ସ୍ତ୍ରୀମାନଙ୍କର କଥା ଆଉ କ’ଣ କହିବା ?

 

ଯୋଉ ଯୁଗର ଘର ଯେମିତି, ରାଜ୍ୟ ଯେମିତି, ସେହି ଯୁଗର ଭଗବାନ ମଧ୍ୟ ସେମିତି । ଭଗବାନ ଜଣେ ଶାସକ ସଂସାରର ସବୁଯାକ ଅଧିକରଣ ଉପରେ ସିଏ ହେଉଛନ୍ତି ସର୍ବାଧିକରଣ । ସଂସାରର ସବୁବିଧି ସବୁବିଧାନ ସିଧା ତାଙ୍କରିଦ୍ୱାରା ବରାଦ ହୋଇଆସୁଥିଲା । ସେହି ଭଗବାନଙ୍କୁ ଅର୍ଥାତ୍ ଶାସକଙ୍କୁ ମାନିବାକୁ ପଡ଼ୁଥିଲା । ଭୟ କରିବାକୁ ପଡ଼ୁଥିଲା । ଭଗବାନଙ୍କର ଆଜ୍ଞାଗୁଡ଼ାକୁ ତାଙ୍କର ପୌରମ୍ବରମାନେ ସଂସାରକୁ ବହନ କରିଆଣୁଥିଲେ । ଧର୍ମର ଶାସନ କହିଲେ ସେତେବେଳେ ପ୍ରାୟ ଏକ ପୋଲିସ ଶାସନକୁ ବୁଝାଉଥିଲା, ତୁଚ୍ଛା ବୋଲ ମାନିବାକୁହିଁ ବୁଝାଉଥିଲା-। ବୋଲ ମାନିଲେ ମୃତ୍ୟୁଅନ୍ତେ ସ୍ଵର୍ଗର ଅନୁଗ୍ରହ ଭୋଗ ରହିଥିଲା ଏବଂ ବୋଲ ନମାନିଲେ ନରକ ଓ ମହା ନରକମାନ ନିରୂପିତ ହୋଇରହିଥିଲା । ସେହି ନରକରେ ଭଗବାନଙ୍କ ଦ୍ଵାରା ନିଯୁକ୍ତ ଭୃତ୍ୟମାନେ ସାଧାରଣ ମଣିଷଠାରୁ ମଧ୍ୟ ଅଧିକ କ୍ରୂର ଥିଲେ, ଅଧିକ ନିର୍ମମ ଥିଲେ । ସେମାନେ ଅତ୍ୟନ୍ତ ନିରାସକ୍ତ ଭାବରେ ଜୀଅନ୍ତା ଦେହଗୁଡ଼ାକୁ କରତରେ କାଟିପାରୁଥିଲେ । ଖଣ୍ଡାରେ ହାଣିପାରୁଥିଲେ, ନିଆଁରେ ନେଇପକାଇ ବି ପାରୁଥିଲେ । ଶାସକମାନେ ଦଣ୍ଡର ଭୟ ଦେଖାଇ ଦୁର୍ବୃତ୍ତମାନଙ୍କୁ ଯେପରି ସୁବୃତ୍ତିର ମାର୍ଗକୁ ଆଣିପାରିବେ ବୋଲି ସରଳ ଭାବରେ ଭାବିଥାନ୍ତି; ସେ ଯୁଗରେ ଧର୍ମାଧୀଶମାନେ ସେହିପରି ଅନୁରୂପ ଲୋମହର୍ଷଣକାରୀ ଭୟଗୁଡ଼ାକୁ ଦେଖାଇ ମଣିଷକୁ ପାପ ଭିତରୁ ପୁଣ୍ୟକୁ ଆଣିବେ ବୋଲି ସରଳ ଭାବରେ ବେଶ୍‍ ଭାବିପାରୁଥିଲେ-। ଶାସକମାନେ ସଚରାଚର ଏହିପରି ଭାବନ୍ତି । ବର୍ବର ହେଲେ ମଧ୍ୟ ଠିକ୍ ଏହିପରି ସବୁକିଛିକୁ ସରଳ କରିଭାବିନିଅନ୍ତି ।

 

ଶାସନର ନୃଶଂସତା ସମ୍ଭବତଃ ମନୁଷ୍ୟ ସମାଜକୁ ଅନୁଶାସନ ଆଡ଼କୁ ଚିନ୍ତା କରିବାକୁ ଶିଖାଇଥିଲା । ଶାସନ ଦ୍ୱାରା ଅତ୍ୟାଚାର ଲାଗି ପୂର୍ଣ୍ଣ ପ୍ରଶ୍ରୟ ମିଳିଲା ପଛକେ, ମାତ୍ର ତଥାପି ତଥାକଥିତ ଦୁଷ୍ଟକୁ ସାଧ୍ୟକରିହେଲାନାହିଁ କିମ୍ବା ଅବାଧ୍ୟକୁ ବାଧ୍ୟ ବି କରିହେଲାନାହିଁ । ସେଠୁ ମଣିଷ ଅନ୍ୟ ପ୍ରକାରେ ଚିନ୍ତା କଲା, ଅନ୍ୟ ସମ୍ଭାବନା ଗୁଡ଼ିକର ସନ୍ଧାନ କଲା । ଅତ୍ୟାଚାରୀକୁ ଯଥେଚ୍ଛା ଅତ୍ୟାଚାରର ପ୍ରଶ୍ରୟ ଦେବା ଲାଗି ଯେ ଆଦୌ କୌଣସି ପ୍ରୟୋଜନନାହିଁ, ସେକଥା କ୍ରମେ ଅଧିକରୁ ଅଧିକ ମଣିଷ ବୁଝିଲେ, ହୃଦୟଙ୍ଗମ କଲେ ଜଣେ ଯାହା କହୁଛି ବା ଜାରି କରିବାକୁ ଚାହୁଚି, ସେଇଟା ହୁଏତ ସମସ୍ତଙ୍କ ଲାଗି ଉପାଦେୟ ବା ପ୍ରଶସ୍ତ ହୋଇନଥିବ ବୋଲି ଲୋକାୟତନ ମଧ୍ୟରେ ଏକ ସଂଶୟ ବି କୁହୁଳିବାକୁ ଲାଗିଲା । ସମସ୍ତେ ମିଶି ଏକ ସାଧାରଣ ନିୟମ କରିବେ, ତାକୁ ସମସ୍ତେ ମାନିବେ-କ୍ରମେ ଏଇଟା ହିଁ ଯୁଗରୀତି ହୋଇଆବିର୍ଭୂତ ହୋଇଆସିଲା । ଗଣମାନେ ଖସିଲେ, ଗଣଧର୍ମର ବେଳ ଆସିଲା । ରାଜାମାନେ ଗଲେ, ହଣାଖାଇଲେ, ତଡ଼ା ଖାଇଲେ, କୃଷକମାନେ ବିଦ୍ରୋହ କଲେ ଶ୍ରମିକମାନେ ବିଦ୍ରୋହ କଲେ । ଗଣତନ୍ତ୍ରର ଯୁଗ ଆସିଲା, ଅନୁଶାସନର ଯୁଗ ଆସିଲା ।

 

ଅନୁଶାସନ ଅର୍ଥାତ୍ ସାମୂହିକ ଶାସନର ଏକ ସର୍ବସ୍ୱୀକୃତ ବେଷ୍ଟନୀ । ସମାଜ ଭିତରେ ଆମେ ଯେତେ ଯିଏ ରହିଛେ, ଆମେ ସମସ୍ତେ ଏହି ବେଷ୍ଟନୀଟିକୁ ମାନିନେବା । ଆମେ ଏଇଟିକୁ ନିଜର ବେଷ୍ଟନୀ ରୂପେ ମାନିନେବା, ଆପଣାର ସାମୂହିକ ବା ପାରସ୍ପରିକ ଜୀବନାଚରଣର ଜଳବାୟୁ ବା ଏକ ଆକାଶ ପରି ମାନିନେବା । ପାରସ୍ପରିକତା ଦ୍ୱାରା ହିଁ ଯେ ପ୍ରତ୍ୟେକ ବ୍ୟକ୍ତି ଉପକୃତ ହୋଇପାରିବ, ଅର୍ଥାତ୍ ଆପଣାର ପୂର୍ଣ୍ଣତମ ଜୀବନ ବିକାଶ ଲାଗି ଉପଯୁକ୍ତତମ କ୍ଷେତ୍ରଟିଏ ପାଇପାରିବ, ଆମେ ସମସ୍ତେ ଏହି କଥାଟି ଉପରେ ବିଶ୍ଵାସ ରଖିପାରିଲେ ଯାଇ ଅନୁଶାସନ ଯଥାର୍ଥ ପ୍ରକାରେ ତା’ର କାର୍ଯ୍ୟ କରିପାରିବ ।

 

ଆଗେ ଦେଶ ରାଜାଙ୍କର ଥିଲା, ଅନୁଶାସନର ପର୍ଯ୍ୟାୟକୁ ଆସି ଦେଶ ସମସ୍ତଙ୍କର ହେଲା । ଦେଶରେ ସମସ୍ତଙ୍କର ଅଧିକାର ରହିଛି, ସମସ୍ତଙ୍କର କର୍ତ୍ତବ୍ୟ ରହିଛି । କର୍ତ୍ତବ୍ୟ କାହା ପାଖରେ ? ତୁମ ପାଖରେ ବା ମୋ’ ପାଖରେ ନୁହଁ, କର୍ତ୍ତବ୍ୟ ଦେଶ ପାଖରେ, ଭବିଷ୍ୟତରେ ଏହି ଦେଶ ଓ ଏହି ଜଗତ ଆହୁରି ଅଧିକ ସୁନ୍ଦର ଓ ମହିମାମୟ ହୋଇପାରିବ ବୋଲି ଆମ ଆଗରେ ଯେଉଁ ସଙ୍କଳ୍ପ ଛବିଟି ରହିଛି, ତାହାରି ପାଖରେ ଯେକୌଣସି ଦେଶକୁ ଆମେ ଯେତିକି ଉପଯୁକ୍ତ କରିଗଢ଼ିପାରିବା, ସେହି ଦେଶରେ ଆମେ ସେତିକି ଉପଯୁକ୍ତ ହେବାଲାଗି ଅନୁକୂଳ ବାତାବରଣ ମଧ୍ୟ ସମ୍ଭବ କରିପାରିବା । କେବଳ ମୋ’ ଲାଗି ବା ତୁମଲାଗି ନୁହେଁ, ଦେଶରେ ବାସ କରୁଥିବା ସମସ୍ତଙ୍କ ଲାଗି ସେହି ଅନୁକୂଳ ବାତାବରଣକୁ ସମ୍ଭବ କରିପାରିବା । ସମସ୍ତେ ଯେପରି ନିଜର ଦେଶ ଲାଗି ଆପଣାର ଯୋଗ୍ୟତମ ଅବଦାନଟିକୁ ଦେଇପାରିବେ । ସେଥିଲାଗି ଦେଶରେ ଆମେ ସମସ୍ତଙ୍କୁ ଯୋଗ୍ୟ ହେବାଲାଗି ଏକ ଅନୁକୂଳ ଭୂମି ବା ଅବସର ମଧ୍ୟ ଯୋଗାଇଦେବା । ଯେକୌଣସି ଦେଶରେ ମଣିଷ ପାଇଁ ଅନ୍ନ ଫଳିବ । ମଣିଷ ଲାଗିହିଁ ଅନ୍ନର ପ୍ରକୃଷ୍ଟତମ ବିନିଯୋଗ ହେବ । ପ୍ରତ୍ୟେକ ବାସ ପାଇବେ । ସୁସ୍ଥ ରହି ଉଦ୍ୟମ କରିବାର ଶିକ୍ଷା ପାଇବେ, ସମସ୍ତଙ୍କ ଭିତରେ ଜଣେ ହୋଇରହିପାରିବାର ଶିକ୍ଷା ପାଇବେ । ସମସ୍ତଙ୍କୁ ଗିଳି ପକାଇବାର କୌଣସି ପ୍ରଶ୍ରୟ ପାଇବେନାହିଁ ।

ଦେଶ ଗୋଟାଏ ଧର୍ମଶାଳା ନୁହେଁ ଯେ ଆମେ ଏଠି ଖାଲି ରହିବାକୁ ଆସିବା, ମାତ୍ର ଏହାର ଦାୟିତ୍ୱ ନେବାନାହିଁ; ଦେଶ ଏକ ଅନ୍ନଛତ୍ର ନୁହେଁ ଯେ ଏଠି ଆମେ ଯାହା ଚାହିଁବା ତାହା ମାଗଣାରେ ମାରିନେଇପାରିବା, ଏକ ଅମାର ନୁହେଁ ଯେ ଆମେ ଏହାକୁ ଠେଙ୍ଗାର ପ୍ରତାପରେ ଲୁଟିନେଇପାରିବା । ଦେଶ ଏକ କ୍ଷମତା ନୁହେଁ, ଯାହାକୁ ଆତ୍ମସାତ୍ କରାଯାଏ । ଦେଶ ଏକ ଫୁଲମାଳ ନୁହେଁ, ଯାହାକୁ ବେକରେ ଲମ୍ବାଇ କପିବର ହୋଇବସିହୁଏ । ଦେଶ ହେଉଛି ଘର । ଏଠି ମୁଁ କେତେ ବେଶି ପାଇବି, ସେକଥା ପଚରାଯାଏନାହିଁ । ଏ ଦେଶ ମୋତେ କଣ ଦେବ ଅଥବା ଏ ଦେଶ ‘ମୋ’ ପାଇଁ କ’ଣ ସବୁ କରିବ ବା କରିଦେବ, କୌଣସି ଦେଶ ବିଷୟରେ ରହିଥିବା ଯଥାର୍ଥ ଦୃଷ୍ଟିକୋଣଟି କେବେହେଲେ ସେ କଥା ପଚାରିବାକୁ ଇଚ୍ଛାକରେନାହିଁ । ମୁଁ ‘ମୋ’ ଦେଶ ପାଇଁ କ’ଣ କରିପାରିବି, କେତେ ବେଶୀ କରିପାରିବି ଓ କେତେ ଅଧିକ ସୁନ୍ଦର ଭାବରେ ତାହା କରିପାରିବି, ଦେଶ ପାଖରେ କେବଳ ଏତିକି ପଚରାଯାଏ ।

ଅନୁଶାସନର ପର୍ଯ୍ୟାୟଟି ପରେ ଆତ୍ମଶାସନର ପର୍ଯ୍ୟାୟ । ଆତ୍ମୀୟତାର ଉପଲବ୍ଧି ହେଲେ ଆତ୍ମଶାସନର ଯୋଗ୍ୟତା ଆସେ । ଏ ସମାଜ କେବଳ ମୋର ଘର ନୁହେଁ, ଏହା ହେଉଛି ମୋ’ ଠାରୁ ଅଭିନ୍ନ । ଏଇ ମଣିଷମାନେ ମୋର ପରିପନ୍ଥୀ ନୁହନ୍ତି । ପ୍ରତିସ୍ପର୍ଦ୍ଧୀ ବା ପ୍ରତିଦ୍ୱନ୍ଦୀ ମଧ୍ୟ ନୁହନ୍ତି । ସେମାନେ ମୋ’ର ପରିପୂରକ । ମୋର ଅଭିବୃଦ୍ଧି ଲାଗି ସେମାନେ ମଧ୍ୟ ଲୋଡ଼ା ମୁଁ ଏ ସଂସାରଟିକୁ ଭଲପାଇବି, ଏହି ସଂସାରଟିରେ ହିଁ ମୁଁ ଆପଣାର ଯାହା କିଛି ଯୋଗ୍ୟତା ଯାହା କିଛି ସମର୍ପଣ-ସାମର୍ଥ୍ୟର ପ୍ରମାଣ ଦେବି । ଦେଶ, ଜାତି ବା ସମାଜ,- ଯେଉଁ ଆୟତନଟି ଭିତରେ ମୁଁ ଫୁଲଫଳ ହୋଇବିକଶିତ ହେବାର ସ୍ୱାଧୀନତା ପାଇଛି, ସେହି ଆୟତନଟା ଭିତରକୁ ମଧ୍ୟ ମୁଁ ନିଜେ ସଂପ୍ରସାରିତ ହୋଇରହିଛି ଏବଂ ସେହି ଆୟତନଟି ମଧ୍ୟ ନାନା ଦୃଶ୍ୟ ଓ ଅଦୃଶ୍ୟ ପରିପୂରକତାର ସମ୍ବନ୍ଧ ମଧ୍ୟ ମୋ ଭିତରକୁ ସମ୍ପ୍ରସାରିତ ହୋଇଆସିଛି । ଏହି ଆତ୍ମୀୟତାକୁ ଆମେ ଭାତୃତ୍ୱ ବୋଲି କହିପାରିବା । ଭାତୃତ୍ୱ ଆଗାମୀ ସଂସାରର ଧର୍ମରୂପେ ପ୍ରତିଷ୍ଠିତ ହେବାକୁ ଯାଉଛି । ସମଗ୍ର ମନୁଷ୍ୟଜାତି ଆପଣାକୁ ଗୋଟିଏ ଆୟତନରୂପେ ସିଦ୍ଧକରିବାକୁ ଯାଉଛି । ସାମ୍ପ୍ରତିକ ପୃଥିବୀର ରାଜନୀତି ଏବଂ ରାଷ୍ଟ୍ରନୀତିଗୁଡ଼ିକରେ ଆମେ ଯେଉଁ ସବୁ ଅସଙ୍ଗତି ଏବଂ ଅସଂହତି ଦେଖିବାକୁ ପାଉଛୁ, ସେଗୁଡ଼ିକୁ ଆମେ ଆଗାମୀ ସେହି ଭାତୃତ୍ୱ-ଯୁଗର ଆବିର୍ଭାବପୂର୍ବ ଯନ୍ତ୍ରଣା ବୋଲି ଗଣିବା-। ଆତ୍ମଶାସନ ମଧ୍ୟରେ ହିଁ ଅନୁଶାସନ ଅନ୍ତର୍ଗତ ହୋଇରହିଥାଏ । ଯାବତୀୟ ଅନୁଶାସନ ଯେତେବେଳେ ଏକ ସ୍ଵତଃସ୍ଫୂର୍ତ୍ତ ଜୀବନ ପରିଚାଳନାରେ ପରିଣତ ହୁଏ, ଯେତେବେଳେ ପରସ୍ପରକୁ ଗିଳି ପକାଇବା ନୁହେଁ, ମାତ୍ର ପରସ୍ପରକୁ ସାଥୀ ବାଟୋଇ ରୂପେ ଗ୍ରହଣ କରିବାଟ ଚାଲିବାହିଁ ଆଚରଣ ହୋଇଯାଏ, ସେତିକିବେଳେ ଆତ୍ମ-ଶାସନର ପରବର୍ତ୍ତୀ ପର୍ଯ୍ୟାୟଟି ଆପଣାକୁ ରୂପାୟିତ କରିଆଣେ, ଏବଂ କହିବା ବାହୁଲ୍ୟ ଯାବତୀୟ ଅନୁଶାସନ ଆପଣାକୁ ଆମ ଶାସନ ଲାଗି ଏକ ନିମିତ୍ତ କରିହିଁ ଆପଣାର ସାର୍ଥକତା ଲାଭ କରନ୍ତି । ଯେପରି ରାଜନୀତି ଓ ରାଷ୍ଟ୍ରନୀତି ଆପଣାକୁ ଲୋକନୀତି ଓ ଲୋକ ଧର୍ମର ଏକ ନିମିତ୍ତରୂପେ କାର୍ଯ୍ୟରେ ଲଗାଇ ହିଁ ଆପଣାର ସର୍ବୋତ୍ତମ ସାର୍ଥକତା ଲାଭ କରନ୍ତି ଠିକ୍ ସେହିପରି ।

ଆଜି ପୃଥିବୀରେ ଆତ୍ମଶାସନ ହିଁ ଆମର ପରବର୍ତ୍ତୀ ଆକାଂକ୍ଷାଟି ହୋଇରହିଥିଲେ ମଧ୍ୟ, ପୃଥିବୀର ଜନମାନସ ଏବଂ ଶୁଭତମ ବାସନାଗୁଡ଼ିକୁ ଆତ୍ମଶାସନ ଆଡ଼କୁହିଁ ଆମକୁ ଇଙ୍ଗିତ ଦେବାରେ ଲାଗିଥିଲେ ମଧ୍ୟ ଏକଥା ତଥାପି ସତ୍ୟ ଯେ ଏହି ତଥାପି ଶାସନ ଓ ଅନୁଶାସନର ନାନାବିଧ ସ୍ୱେଚ୍ଛାଚାରୀ କାମନାଗୁଡ଼ାକ ମନୁଷ୍ୟ-ବିବର୍ତ୍ତନର ଚକଗୁଡ଼ାକୁ ନାନା ପ୍ରକାରେ ଅଟକାଇ ରଖିବାକୁ ଇଚ୍ଛା କରୁଛନ୍ତି । ଏବେ ମଧ୍ୟ ଆମ ସଂସାରରେ ମଣିଷ ରହିଛନ୍ତି ଯେଉଁମାନେ ରାବଣ, କଂସ ଚେଙ୍ଗିଜ୍ ଖାଁ ପରି ଭାବୁଛନ୍ତି । ଏମାନେ ତରବାରୀ ପଜାଉଛନ୍ତି । ଗୌରବ କହିଲେ ସଂସାରଟାକୁ ଗିଳି ବସିବାକୁହିଁ ବୁଝୁଛନ୍ତି ଏବଂ ବିତ୍ତ ଅପହରଣ କରିବାକୁହିଁ ବୀରତୀ ବୋଲି ଭ୍ରମ କରୁଛନ୍ତି । ବନ୍ଧୁକ ଦେଖାଉଛନ୍ତି, ବନ୍ଦୀଶାଳା ଗଢ଼ୁଛନ୍ତି, ସଂସାରଟାକୁ ବାନ୍ଧି ରଖିବେ ବୋଲି ଦଉଡ଼ି ସଜ କରୁଛନ୍ତି । ଏମାନେ ବେଳେବେଳେ ମେଣ୍ଟ ବି ବାନ୍ଧୁଛନ୍ତି, ଅଫିମକୁ ବାଟି ଆଦର୍ଶ ବୋଲି ପ୍ରଚାର କରୁଛନ୍ତି, ଏମାନେ ଏଠି ବଡ଼ ହୋଇରହିବେ ବୋଲି ଆଧୁନିକ ସକଳ ଜ୍ଞାନ ସକଳ ବିଜ୍ଞାନ ଏବଂ ସକଳ କୌଶଳକୁ ଆପଣା ସେବାରେ ଲଗାଇବେ ବୋଲି ଭାବିଛନ୍ତି । ତଥାପି ଏହି ପୁରୁଣାଗୁଡ଼ାକୁ କେବଳ ପୁରୁଣା ବୋଲି କହିବାକୁ ହିଁ ଯେପରି ସମଗ୍ର ପୃଥିବୀ ସଜ ହୋଇବାହାରିଲାଣି । ସଂସାରର ସକଳ ଅଭୟ ଭାଙ୍ଗି ଯେଉଁ ନୂତନ ମନୁଷ୍ୟ ଓ ନୂତନ ଭାତୃତ୍ଵର ମୁହୂର୍ତ୍ତଟି ଆସି ପହଞ୍ଚିଗଲାଣି, ତାହାରି ଆଗରେ ଆଉ ସବୁକିଛି କୁହୁଡ଼ି ପରି ଫାଟିଯିବାକୁ ଯାଉଛି ।

ସଂସାରରେ ଯେଉଁମାନେ କାଳେ କାଳେ ଶାସନରେ ବିଶ୍ୱାସରେ ବିଶ୍ୱାସ କରିଆସିଲେ, ଶାସନଗୁଡ଼ାକୁ ହିଁ ହୁଏତ ଅନୁଶାସନ ବୋଲି କହି କାଳ ଉପରେ ଆଣି ମଡ଼ାଇ ଦେବାର ହୁନ୍ଦର କଲେ, ସେମାନେ ଏବେ ଆତ୍ମଶାସନ ଲାଗି ମନ କରନ୍ତୁ । ତେବେ ସେମାନେ ମଧ୍ୟ ରହିଯିବେ । ଯେଉଁମାନେ ଅନ୍ୟ ମଣିଷଗୁଡ଼ାକୁ କେବଳ ଅଧସ୍ତନ ବୋଲି ଦେଖି ଆସିଲେ ଏବଂ ତେଣୁ ସେମାନଙ୍କ ସହିତ ସେହିଭଳି ଆଚରଣ କରିଆସିଲେ । ଏଣିକି ସେମାନେ ଆପଣାକୁ ସମସ୍ତଙ୍କ ସହିତ ସହଚାରୀ ବାଟୋଇ ବୋଲି ଅନୁଭବ କରନ୍ତୁ; ତେବେ ସେମାନେ ମଧ୍ୟ ରହିଯିବେ । ସେମାନେ ମଣିଷ ହୁଅନ୍ତୁ; ଅର୍ଥାତ୍‍ ଆପଣାର ବାଟଟିକୁ ଚାଲନ୍ତୁ, ଆପଣାର ସମ୍ମୁଖୀନ ହୁଅନ୍ତୁ, ଆପଣାକୁ ଆପଣାର ବନ୍ଧୁ କରିନିଅନ୍ତୁ । ଯେଉଁ ପରମ ବନ୍ଧୁ ଆମ ସବୁରି ଭିତରେ ରହି ଆମକୁ, ବାଟ ଦେଖାଇ ବାଟ ଚଲାଇ ନେଉଛି, ସେମାନେ ଆପଣା ଭିତରେ ମଧ୍ୟ ତାହାକୁ ଅନୁଭବ କରିପାରନ୍ତୁ, ତାହାରି ପରିଚାଳନାଟିକୁ ସ୍ଵୀକାର କରିନିଅନ୍ତୁ । ତେବେ ସେମାନେ ବି ନିର୍ଭୟ ହୋଇପାରିବେ ।

ଅସଲ ସୂତ୍ର, ଅର୍ଥାତ୍‍ ସମଗ୍ର ବିଶ୍ଵସଂସାରକୁ ଏକାଠିକରିଧରିରଖିଥିବା ସୂତ୍ରଟି ସହିତ ଖିଅ ଛାଡ଼ିଗଲେ ହିଁ ମଣିଷ ଭୟ କରିବାକୁ ଆରମ୍ଭ କରେ ବୋଲି ଉପନିଷଦରେ କୁହାଯାଇଛି । ଶାସନ ହେଉଛି ଭୀତ ମଣିଷର ଅସାମର୍ଥ୍ୟ, ଖିଅଛିଣ୍ଡା ମଣିଷର ଏକ ଅକୁଶଳତା । ଏଥର ସେମାନେ ବି ଆମ ସାଙ୍ଗକୁ ଆସନ୍ତୁ । ଆମ ସହିତ ବାଟ ଚାଲନ୍ତୁ । ଆମର ବାଟ ଚାଲିବା ହିଁ ଆମକୁ ଭାତୃତ୍ଵରେ ବାନ୍ଧିରଖୁ ଆତ୍ମଶାସନରେ ପରସ୍ପରର ଆତ୍ମୀୟ କରିରଖୁ ।

 

(ଧରିତ୍ରୀ, ୨୪.୧୧.୧୯୭୫)

Image

 

ଆନ୍ତର୍ଜାତିକ ନାରୀବର୍ଷ

 

୧୯୭୫ ମସିହାଟି ଆମ ପୃଥିବୀରେ ଆନ୍ତର୍ଜାତିକ ନାରୀବର୍ଷ ରୂପେ ପାଳିତ ହେଇଥିଲା । ବର୍ଷଟି ଗଡ଼ିଯିବା ସଙ୍ଗେ ସଙ୍ଗେ ସେହି ପାଳନଟିର ମଧ୍ୟ ଉଦ୍‍ଯାପନ ହେଲା ବୋଲି ବେଶ କୁହାଯାଇପାରିବ ଏବଂ ବର୍ତ୍ତମାନହିଁ ସେଇଟି ବିଷୟରେ ବିଚାର କରିବାର ଯଥାର୍ଥ ସମୟଟି ଆସି ପହଞ୍ଚିଲା ବୋଲି କୁହାଯାଇପାରିବ । କୋଳାହଳ ସରିଗଲେ ଯାଇ ବିଚାରର ବେଳ ଆସି ପହଞ୍ଚେ । ଉତ୍ତେଜନାଗୁଡ଼ାକ ଶୀତଳ ହୋଇସାରିଲେ ଯାଇ ଅସଲ ଅନୁରାଗୀ ଓ ଅନୁରକ୍ତି ଗୁଡ଼ାକର ହିସାବ ନେବା ସମ୍ଭବ ହୁଏ ।

 

ଜାତିସଂଘର ଆନୁକଲ୍ୟରେ ବିଶ୍ୱସ୍ତରରେ ଗୋଟାଏ ଗୋଟାଏ ବର୍ଷକୁ ଏକ ବିଶେଷ ବର୍ଷରୂପେ ପାଳନ କରାଯିବାର ପରମ୍ପରାଟି ଗତ ବେଶ୍ କେତେବର୍ଷ ହେଲା ଚଳିଆସିଲାଣି । ଅତୀତରେ ଗୋଟାଏ ବର୍ଷକୁ ଆମେ ଆନ୍ତର୍ଜାତିକ ସହଯୋଗର ବର୍ଷ ବୋଲି ପାଳନ କରିଥିଲୁ, ଆଉ କୋଉଟାକୁ ବିଜ୍ଞାନବର୍ଷ ବୋଲି ପାଳନ କରୁ ତ ପୁଣି ଆଉ ଗୋଟାକୁ ଆନ୍ତର୍ଜାତିକ ସାକ୍ଷରତା-ବର୍ଷ ବୋଲି ମଧ୍ୟ ପାଳନ କରୁ । ଯେତେଦୂର ମନେପଡ଼ୁଛି, ଏହା ମଧ୍ୟରେ ଗୋଟାଏ କୋଉ ବର୍ଷ ଆନ୍ତଜାର୍ତିକ ସମବାୟ ବା ସହକାରିତାର ବର୍ଷ ବୋଲି ପାଳିତ ବି ହୋଇଥିଲା । ସେହି ଗତିଟି ଭିତରେ ୧୯୭୫ ମସିହାକୁ ଆନ୍ତର୍ଜାତିକ ନାରୀବର୍ଷ ବୋଲି ଠାବ କରାଗଲା ଏବଂ ପୃଥିବୀର ଅନେକ ଦେଶରେ ଅନେକ ପ୍ରକାରେ ତାହାର ପାଳନ ମଧ୍ୟ କରାଗଲା । ଜାତୀୟ ସ୍ତରରେ ପାଳନ କରାଗଲା ତଥା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପାଳନ କରାଗଲା । ଠିକ୍ ବର୍ଷ ମଝିରେ ମେକ୍‍ସିକୋ ଦେଶର ରାଜଧାନୀଠାରେ ଆନ୍ତର୍ଜାତିକ ସ୍ତରରେ ଗୋଟାଏ ମହିଳା ସମାବେଶ ବି ଡକାଯାଇଥିଲା । ଜାତିସଂଘର ସଦସ୍ୟ ଥିବା ବିଭିନ୍ନ ଦେଶର ସରକାରୀମାନେ ଏହି ସମ୍ମିଳନୀକୁ ନିଜ ନିଜର ସାନବଡ଼ ପ୍ରତିନିଧି-ମଣ୍ଡଳମାନ ପଠାଇଥିଲେ । କହିବା ବାହୁଲ୍ୟ ଯେ ଏହିସବୁ ମଣ୍ଡଳରେ କେବଳ ନାରୀମାନେହିଁ ମନୋନୀତ ହୋଇପଠାଯାଇଥିଲେ । ଜାତିସଂଘରେ ରାଷ୍ଟ୍ରମାନେହିଁ ସଦସ୍ୟ ଅଛନ୍ତି । ତେଣୁ ରାଷ୍ଟ୍ରଗୁଡ଼ିକ ଦ୍ଵାରାହିଁ ମନୋନୀତ ବ୍ୟକ୍ତିମାନେ ଜାତିସଂଘର ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଯାବତୀୟ ସମାବେଶରେ ଯାଇ ଯୋଗ ଦେବା ବ୍ୟତୀତ ଏହି କ୍ଷେତ୍ରରେ ଆଦୌ ଅନ୍ୟ ସମ୍ଭାବନାନାହିଁ ଏବଂ ରାଜନୀତି ତଥା ଲୋକନୀତିର ହିସାବ ରଖୁଥିବା ଯେକୌଣସି ବ୍ୟକ୍ତି ଏହି କଥାଟିକୁ ନିଶ୍ଚୟ ସ୍ୱୀକାର କରିବ ଯେ ପୃଥିବୀରେ ପ୍ରାୟ ଅର୍ଦ୍ଧସଂଖ୍ୟକ ଦେଶରେ ଲୋକମାନଙ୍କର ପ୍ରକୃତ ପ୍ରତିନିଧିମାନେ ରାଷ୍ଟ୍ରର ଆସ୍ଥାନରେ ଆଦୌ ଆସୀନ ହୋଇରହିନାହାନ୍ତି । କେଉଁ ଦେଶରେ ଲୋକ ପ୍ରତିନିଧି ଶାସନ କେତେଦୂର ସ୍ଥାପିତ ହୋଇପାରିଛି ବା ନପାରିଛି, ଆନ୍ତର୍ଜାତିକ ରାଜନୀତି ଓ ରାଷ୍ଟ୍ରନୀତିର ଚଳଣିଟି ଅନୁସାରେ ତାହା ପ୍ରତ୍ୟେକ ଦେଶର ଅର୍ଥାତ୍ ପ୍ରତ୍ୟେକ ରାଷ୍ଟ୍ରର ଆଭ୍ୟନ୍ତରୀଣ ଓ ତେଣୁ ସଂପୂର୍ଣ୍ଣ ଭାବରେ ଏକ ନିଜସ୍ୱ ମାମଲା ହୋଇରହିଛି ।

 

୧୯୭୫ ମସିହା ସଂପୂର୍ଣ୍ଣ ବର୍ଷଟି ଆନ୍ତର୍ଜାତିକ ନାରୀବର୍ଷ ରୂପେ ପାଳିତ ହେଲା । ଏଥିଲାଗି ଦେଶରେ ଓ ବିଦେଶରେ କେତେ କେତେ ଆନୁଷ୍ଠାନିକ ଅବସରରଯୋଜନା କରାଗଲା, ଯୋଗାଡ଼ ବି କରାଗଲା । କେତେ କେତେ ସଭା ହେଲା, କେତେ ଶୋଭାଯାତ୍ରା ହେଲା, କେତେ ଆଲୋଚନା-ଚକ୍ର ବସିଲା । ଏହି ଶୁଭ ଅବସରଟିରେ କେତେ କେତେ ଦେଶରେ ମହିଳା ବନ୍ଦୀମାନଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଦିଆଗଲା । ଏହି ବର୍ଷଟିର ପାଳନଟିକୁ ଗୋଟିଏ ଉପଲକ୍ଷ ରୂପେ ବ୍ୟବହାର କରିକେତେ ଦେଶରେ ସ୍ୱତନ୍ତ୍ର ଡାକଟିକଟ ବି ବାହାରିଲା ଯେଉଁମାନେ ବର୍ଷ-ପାଳନର ଆନୁଷ୍ଠାନିକ ସର୍ବସଂପୂର୍ଣ୍ଣତାରେହିଁ ପୂର୍ଣ୍ଣ ସନ୍ତୋଷ ଲାଭ କରିବାରେ ଅଭ୍ୟସ୍ତ ହୋଇରହିଥାନ୍ତି, ଏହି ବର୍ଷଟିରେ ସେମାନେ ପ୍ରକୃତରେ କେଡ଼େ ପ୍ରସନ୍ନତା ଲାଭ କରିଥିବେ, ଏକାବେଳେକେ କେତେ ମୁଣ୍ଡିଆ ବା ଘାଟିକୁ ଅତିକ୍ରମ କରିଯିବା ପରି ଅନୁଭବ କରିଥିବେ । ଆନ୍ତର୍ଜାତିକ ସହଯୋଗ-ବର୍ଷରେ ଯେପରି ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା ଲାଗି ରାଷ୍ଟ୍ରଗୁଡ଼ିକର ଉଦ୍ୟମ କଦାପି ସରିଗଲାନାହିଁ ଅଥବା ସେହି ପଥରେ ରହିଥିବା ସବୁଯାକ ବାଧା ଆଦୌ ଅତିକ୍ରାନ୍ତ ହୋଇଗଲାନାହିଁ, ସେହିପରି ଆନ୍ତର୍ଜାତିକ ଗୋଟିଏ ନାରୀବର୍ଷରେ ଯେ ଏହି ବର୍ଷର ସବୁଯାକ ଆକାଂକ୍ଷା କଦାପି ପରିପୂର୍ଣ୍ଣ ହୋଇଯାଇନଥିବ, ସେହି କଥାଟିକୁ କାହାକୁ ବୁଝାଇ କହିବା ଲାଗି ହୁଏତ ଆଦୌ କୌଣସି ଆବଶ୍ୟକତା ରହିବନାହିଁ ।

 

ଜାତିସଂଘରେ ଅଧିକାଂଶ ସଭ୍ୟ ହେଉଛନ୍ତି ପୁରୁଷ ସଭ୍ୟ । ତେଣୁ ହୁଏତ ଏପରି ମଧ୍ୟ କୁହାଯାଇପାରିବ ଯେ ପୁରୁଷମାନେହିଁ ସେଠି ଏକାଠି ବସି ୧୯୭୫ ମସିହାକୁ ନାରୀବର୍ଷ ରୂପେ ପାଳନ କରିବା ଲାଗି ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ବର୍ଷଟିସାରା ଏହି ପୁରଷମାନେହିଁ ନାରୀବର୍ଷ ଉପଲକ୍ଷରେ କେତେ କେତେ ସଭାର ଆୟୋଜନ କରିଥିବେ । ସେଠି ଠିଆ ହୋଇକେଡ଼େ ଉତ୍ସାହରେ କେତେ ବକ୍ତୃତା ଦେଇଥିବେ । ଆମ ଦେଶରେ ଦେଇଥିବେ, ଅନ୍ୟ ଆହୁରି କେତେ ଦେଶରେ ମଧ୍ୟ ଦେଇଥିବେ । ଯେଉଁସବୁ ଦେଶରେ ନାରୀକୁ କେବଳ ଏକ ଆବଶ୍ୟକ ସମ୍ଭୋଗ-ସାମଗ୍ରୀ ଅଥବା ଅପରିହାର୍ଯ୍ୟ ଜଣେ ପରିଚାରିକା ବ୍ୟତୀତ ଆଉ କୌଣସି ରୂପରେ ବିଚାର କରାଯାଏନାହିଁ , ସେସବୁ ଦେଶରେ ମଧ୍ୟ କେଡ଼େ ସଉକରେ ଆନ୍ତର୍ଜାତିକ ନାରୀବର୍ଷର ପାଳନ କରାଯାଇଥିବ ଓ କେଡ଼େ ଗାରିମାର ସହିତ ବକ୍ତୃତାମାନ ଦିଆଯାଇଥିବା, ଅତୀତରେ ଆମର ଏଠି ନାରୀମାନେ କେତେ କେତେ ସମ୍ମାନର ଅଧିକାରିଣୀ ହୋଇରହିଥିଲେ, ଆମ ଦେଶରେ କେତେ କେତେ ବୀର ତାହାରି ଗୌରବଗାଥା ଗାନ କରିଥିବେ । ସେମାନେ ସୀତା ଓ ସାବିତ୍ରୀଙ୍କର କଥାକହିଥିବେ, ଗାର୍ଗୀ ଓ ମୈତ୍ରେୟୀଙ୍କର କଥା ବି କହିଥିବେ । ଓଡ଼ିଆ ବା ଅମୁକ ସାହିତ୍ୟକୁ ଖାସ୍ ନାରୀମାନଙ୍କର ଦାନ ବୋଲି ବିଷୟ ରଖି ଆମର ମଣ୍ଡପମାନଙ୍କରେ କେତେ ବୈଭବମୟ ଆଲୋଚନା କରାଯାଇଥିବ ଏବଂ ବେଳ ଜାଣି କେତେ କେତେ ପତ୍ରିକା ନାରୀ ବିଶେଷଜ୍ଞମାନ ବି ବାହାର କରିବେ । ଅର୍ଥାତ୍, ସମସ୍ତେ ଯଥାଶକ୍ତି ଏହି ମହାନ୍ ଅବସରଟିରେ ଆପଣା ଆପଣାର କରାମତିର ପରିଚୟ ଦେବାକୁ କଦାପି କୌଣସି ତ୍ରୁଟି କରିନଥିବେ ଏବଂ ଅଧିକାଂଶ ସ୍ଥଳରେ ତଥା ଅଧିକତର ସଂଖ୍ୟାରେ ପୁରୁଷମାନେହିଁ ଏସବୁ କଥାକରିଥିବେ ।

 

ଅନେକ ବର୍ଷ ତଳେ, ପ୍ରାୟ କୋଡ଼ିଏ ବର୍ଷ ହୋଇଯିବ, ଓଡ଼ିଶାରେ ଜଣେ ନାରୀ-କବିଙ୍କର ଏକ କବିତା-ସଞ୍ଚୟନ ପ୍ରକାଶ ପାଇଥିଲା । ସେଥିରେ ଓଡ଼ିଶାର ଦୁଇଜଣ ପ୍ରତିଷ୍ଠିତ କବିଙ୍କର ମୁଖବନ୍ଧ ମଧ୍ୟ ସ୍ଥାନ ପାଇଥିଲା । ଘର ଭିତରକୁ ପଶିଗଲା ବେଳକୁ ଦୁଇଟିଯାକ ମୁଖବନ୍ଧ ଆମକୁ ପ୍ରାୟ ସେହିପରି ଏକ ସ୍ଵାଦର ଅନୁଭୂତି ଆଣି ଦେଇଯାଉଥିଲେ । କହିବା ବାହୁଲ୍ୟ ଯେ ଦୁଇଟିଯାକ ମୁଖବନ୍ଧ ପୁରୁଷଙ୍କ ଦ୍ଵାରା ହିଁ ଲେଖା ହୋଇଗଲା । ସେମାନେ ଭାରି ଉଦାର ଭାବରେ ସଞ୍ଚୟନଟିର କବିଙ୍କର ପ୍ରଶଂସା ଗାଇଥିଲେ । ନାରୀ ହେଲେ ମଧ୍ୟ ସିଏ ଯେ ଏଇ ଅଳ୍ପ କେତେ ବର୍ଷ ମଧ୍ୟରେ ଏତେଗୁଡ଼ିକ କବିତା ଲେଖାଗୁଡ଼ିକ କବିତା ଲେଖିପାରିଛନ୍ତି ଓ ଆପଣାର ଏକ ସୁଦୃଶ୍ୟ ସଞ୍ଚୟନ ବାହାର କରିପାରିଛନ୍ତି, ସେଥିଲାଗି ଦୁଇ ମୁଖବନ୍ଧର ଲେଖକ ତାଙ୍କୁ ସାବାସ ବୋଲି କହି ପ୍ରଶଂସା କରିଥିଲେ । ଏବଂ ସିଏ ନାରୀ ହେଲେ ମଧ୍ୟ ଜଣେ ସୁକବି ବୋଲି ଘୋଷଣା କରିଥିଲେ । ନାରୀ ହେଲେ ମଧ୍ୟ ସୁକବି । ଅର୍ଥାତ୍, ଯେଉଁ ଦେଶରେ ଓ ଯେଉଁ ଅସମାଜରେ କେବଳ ପୁରୁଷଗୁଡ଼ାକ ହିଁ ସୁକବି, ସୁଲେଖକ ଓ ସୁରସିକ ଏବଂ ସୁପ୍ରତିଷ୍ଠିତ ହୋଇ ପାରିବେ ବୋଲି ଗୋଟାଏ ବଦ୍ଧ ମୂଳ ବିଶ୍ୱାସ ଆମ ଜୀବନର ନାଡ଼ିଟା ଭିତରେ ଭର୍ତ୍ତି ହୋଇ ରହି ଆସିଛି, ସେହି କ୍ଷେତ୍ରରେ ଜଣେ ନାରୀକୁ ସୁକବି ବୋଲି କହିବା ଦ୍ୱାରା ହିଁ ତାହାହିଁ ନିଶ୍ଚୟ ଯଥେଷ୍ଟରୁ ଅଧିକ ପ୍ରଶଂସା ହେଲା ବୋଲି ମୁଖବନ୍ଧକାରମାନେ ହୁଏତ ଅନୁଭବ କରିଛନ୍ତି । ସାଆନ୍ତମାନେ ଯାହାକିଛି କରନ୍ତି, ସର୍ବଦା କେବଳ ଅନୁଗ୍ରହ ପ୍ରଦର୍ଶନ କରିତାହା କରନ୍ତି । କେହି ସେମାନଙ୍କର ସମକକ୍ଷ ଅଥବା ଠିକ୍‌ସେହିମାନଙ୍କ ପରି ଜଣେ ବୋଲି ଜଣେ ବୋଲି ଯେ ସେମାନେ ତାହାକୁ ପାଖରେ ଆଣି ବସାନ୍ତି, ସେକଥା ଆଦୌ ନୁହେଁ ସେମାନଙ୍କର ପାଖରେ ଆସି ବସିବାର ଅନୁଗ୍ରହ ଲାଭ କରିବା ଦ୍ୱାରା ହିଁ ଜଣେ ଅବଶ୍ୟଧନ୍ୟ ଲବଂ ଅନୁଗୃହୀତ ହୋଇଯାଉଥିବ ବୋଲି ସେମାନେ ଅନୁମାନ କରିନେଇଥାନ୍ତି । ଯେତେବେଳେ ବର୍ଷଟା ସାରା ବାଣ ଫୁଟାଇ ଡିଣ୍ଡିମ ବଜାଇ ନାରୀ-ବର୍ଷ ଉପଲକ୍ଷରେ ନାନାବିଧ ସମ୍ମାନ ତଥା ଆପ୍ୟାୟନ ଭିତରେ ମଜ୍ଜି ରହିଥାଏ,ଯେତେବେଳେ ସେ କାହାରିକୁ ନାରୀ ହେଲେ ମଧ୍ୟ ସୁକବି ବୋଲି କହେ ସେତେବେଳେ ସେ ଠିକ୍‍ ଏହିପରି ଏକ ସାମନ୍ତ-ସୁଲଭ ଉତ୍ସାହ ଦ୍ୱାରା ପ୍ରେରିତ ହୋଇ, ଏକ ଆଭିଜାତ୍ୟପୂର୍ଣ୍ଣ ମହାନୁଭବକତା ଦେଖାଇ ପ୍ରକୃତରେ ସେ ସବୁ କରିଥାଏ ବୋଲି ଅନୁମାନ କରାଯାଇପାରିବ କି ? ସାରା ପୃଥିବୀରେ ପୁରୁଷ ଯେ ସମାନ ଗୋଟାଏ ବର୍ଷ ଧରି ନାରୀ-ବର୍ଷର ପାଳନ କଲା, ଆପଣାର କାର୍ପଣ୍ୟଗୁଡ଼ାକର ଗଣ୍ଠିକୁ ଫିଟାଇ ଦେଇ ସିଏ ଯେ ନାରୀ-କୁଳକୁ କିଞ୍ଚିତ ଅନୁଗୃହୀତ ଅଥବା ଆମୋଦିତ କରିପାରିଲା, ଆମେ ତାହାକୁ ସେହିପରି ଏକ ଅର୍ଥ ଦେଇ ଗ୍ରହଣ କରିପାରିବା କି ?

 

ଆମର ଏହି ପୁରୁଷ ପ୍ରପୀଡ଼ିତ ସମାଜରେ ପୁରୁଷ ସଚରାଚର ଆଗ ଆପଣାକୁ ଜଣେ ପୁରୁଷ ବୋଲି ଭାବେ, ହୁଏତ ତା’ପରେ ଯାଇ ଆପଣାକୁ ଜଣେ ମଣିଷ ବୋଲି ଭାବିବାକୁ ସତ ବା ପ୍ରସ୍ତୁତ ହୋଇଥାଏ । ଆପଣକୁ ଜଣେ ମଣିଷ ବୋଲି ଭାବିବା ସକାଶେ ସିଏ ହୁଏତ କୌଣସି ପ୍ରୟୋଜନ ରହିଛି ବୋଲି ବି କେବେହେଲେ ଭାବେନାହିଁ । ରାଜ୍ୟର ରାଜା ଆପଣାକୁ ଆଗ ଜଣେ ରାଜା ବୋଲି ହିଁ ଭାବନ୍ତି, ହୁଏତ ତା’ପରେ ଯାଇ ଆପଣାକୁ ମଣିଷ ବୋଲି ଭାବନ୍ତି ବା ହୁଏତ ଆପଣାକୁ ଜଣେ ମଣିଷ ବୋଲି ଭାବିବାର କିମ୍ବା ଅନୁଭବ କରିବାର ଆଦୌ କୌଣସି ପ୍ରୟୋଜନ ରହିଛି ବୋଲି ବି ଭାବିପାରନ୍ତିନାହିଁ ସେହିପରି ହାକିମ ମଧ୍ୟ ଆପଣାକୁ ଆଗ ହାକିମ ବୋଲି ଅବଶ୍ୟ ଭାବୁଥିବେ, ତା'ପରେ ଯାଇ ମଣିଷ ବୋଲି ଭାବୁଥିବେ, ମନ୍ତ୍ରୀ ବି ଆପଣାକୁ ଆଗ ମନ୍ତ୍ରୀ ବୋଲି ହିଁ ଭାବୁଥିବେ, ତା’ପରେ ହୁଏତ ଦରକାର ପଡ଼ିଲେ ଯାଇ ନିଜକୁ କେବେ କେବେ ମଣିଷ ବୋଲି ଭାବୁଥିବେ । ପୋଲିସ ବିଭାଗର ସର୍ବୋଚ୍ଚ ଅଧିକାରୀ ଯେଉଁ ଗହଣରେ ଆତଯାତ ହୁଅନ୍ତି ବା ଯେଉଁ ଗହଳ ଲଗାଇ ବିଚରଣ କରୁଥାନ୍ତି, ସେଥିରେ ସେ ଆପଣାକୁ ଆଗ ବା ଏପରିକି ସବୁଯାକ କ୍ଷେତ୍ରରେ ମଧ୍ୟ ଜଣେ ଅଫିସର ବା ଅଧିକାରୀ ବୋଲି ଭାବିବାରେ ହିଁ ସୁଖପାଉଥିବେ, ଆପଣାକୁ ଜଣେ ମଣିଷ ବୋଲି ଭାବିବାରୁ ସିଏ ହୁଏତ କୌଣସି ମଜା ପାଉନଥିବେ । ମହାଦେବଙ୍କର ବାହାନ ଆପଣାକୁ ଆଗ ବା ଦରକାର ହେଲେ ସକଳ କ୍ଷେତ୍ରରେ ହିଁ ମହାଦେବଙ୍କର ବାହାନ ବୋଲି ଭାବୁଥିବେ, ଆପଣାକୁ ଗୋଟାଏ ବୃଷଭ ବୋଲି ହୁଏତ କେବେହେଲେ ଭାବୁନଥିବ । ଏ ସମାଜଟା ହେଉଛି ପୁରୁଷର ଆମର ଏହି ଐତିହ୍ୟ ଓ ଏହି ପରମ୍ପରାଟା ମଧ୍ୟ ପୂରାପୂରି ପୁରୁଷର । ତେଣୁ ପୁରୁଷ କାହିଁକି ନିର୍ବୋଧଙ୍କ ପରି ଆପଣାକୁ ଆଗ ପୁରୁଷ ବୋଲି ନ ଭାବି ମଣିଷ ବୋଲି ଭାବିବ ? ଯଥା ସମ୍ଭବ ସବୁ କ୍ଷେତ୍ରରେ ପୁରୁଷ ପରି, ଅର୍ଥାତ୍‍ ଜଣେ ମରଦ ପରି ଆଚରଣ ନ କରିସିଏ କାହିଁକି ମଣିଷ ପରି ଆଚରଣ କରିବାକୁ ଯିବ ? ଖାସ୍ ରାବଣ ପାଇଁ ହିଁ ଲଙ୍କାଗଡ଼ ରହିଥିଲା ପରି ଓ ଲଙ୍କା ଗଡ଼ କହିଲା ମାତ୍ରେ ହିଁ ଅତ୍ୟନ୍ତ ଅଭ୍ୟସ୍ତ ଓ ତେଣୁ ସ୍ୱାଭାବିକ ଭାବରେ ଲଙ୍କପତିକୁ ବୁଝାଉଥିଲା ପରି ଆମର ଏହି ସମାଜଟା କହିଲେ କାଳକ୍ରମେ ସବୁଠାରେ ପୁରୁଷକୁ ହିଁ ଅଧିକ ଓ ଆଗ ବୁଝାଇବାକୁ ଆରମ୍ଭ କରିଛି, ମଣିଷର ସମାଜ ବୋଲି ହୁଏତ କ୍ଵଚିତ୍ ଓ କମ୍ ବୁଝାଉଛି ।

 

ପୃଥିବୀର ପ୍ରାୟ ପ୍ରତ୍ୟେକ ସଭ୍ୟତାରେ ଏକଦା ଏକ ମାତୃସତ୍ତା ପ୍ରଧାନ ବ୍ୟବସ୍ଥା କାଏମ୍ ହୋଇରହିଥିଲା । ସେଇଟି ଉପରେ ବିଜୟ ଘୋଷଣା କରିବର୍ତ୍ତମାନ ସର୍ବତ୍ର-ପିତୃସତ୍ତା-ପ୍ରଧାନ ପରିବାର ଓ ସମାଜର ହିଁ ପ୍ରତିଷ୍ଠା ହୋଇଛି । ଅନ୍ତତଃ ପୃଥିବୀ ଯାକର ଯାବତୀୟ ସଭ୍ୟ ସମାଜରେ ଆମେ କେବଳ ଏକ ପିତୃସତ୍ତା-ପ୍ରଧାନ ବ୍ୟବସ୍ଥା ହିଁ ଦେଖିବାକୁ ପାଇବା । ଏବେ ମାତୃସତ୍ତା-ପ୍ରଧାନ ସମାଜ ବା ସଂହତି ତଥା ଚଳଣି ଗୁଡ଼ିକର ଅଧ୍ୟୟନ କରିବା ଲାଗି ପିତୃସତ୍ତା-ପ୍ରଧାନ ସଭ୍ୟତା ଦ୍ଵାରା ଶାସିତ ହେଉଥିବା ସମାଜର ବୈଜ୍ଞାନିକ ଅଧ୍ୟୟନକାରୀମାନେ ପ୍ରାୟ ସାଧାରଣତଃ କୌଣସି ନା କୌଣସି ଆଦିମ ସମାଜକୁହିଁ ଯାଇଥାନ୍ତି । ମାଟି ତଳୁ ଖୋଳାହୋଇବାହାରି ଥିବା ଅଥବା ମାଟି ଭିତରେ ପୋତି ହୋଇପଡ଼ିବାକୁ ଯାଉଥିବା କୌଣସି ପ୍ରାଗୈତିହାସିକ ଭଗ୍ନାବଶେଷ ଅଥବା ବର୍ବରାବଶେଷ ପରି ସେମାନେ ମାତୃସତ୍ତା-ପ୍ରଧାନ ସମାଜ ବା ପରିବାର ସେ ସାମାଜିକ ଜୀବନର ଏକ ବିକଳ୍ପ ସମାଧାନ ଦେବାର ପ୍ରୟାସ କରିଥିଲା ବା ଯୋଗ୍ୟତା ରଖିଥିଲା, ଆମ ଗବେଷକ ଏ ପଣ୍ଡିତମାନେ ଅତି କ୍ୱଚିତ୍‌ ସିଆଡ଼କୁ ମୁଣ୍ଡ ପୁରାଇଥାନ୍ତି । ଏପରି ଗୋଟାଏ ବ୍ୟବସ୍ଥା ପୂର୍ବରୁ ଥିଲା, କାଁ ଭାଁ କେଉଁଠି ରହିଥିଲା ବା ରହିଛି, ମାତ୍ର ସେଗୁଡ଼ିକ ସବୁଠାରେ ବିଲୁପ୍ତ ହୋଇଯିବ, ପ୍ରାଧାନତଃ ଏହିଭଳି ଏକ ମିଉଜିଅମ୍‌ ଆଗ୍ରହ ନେଇ ଆମେ ପିତୃସତ୍ତା-ପ୍ରଧାନ ସମାଜର ପୁଙ୍ଗବମାନେ ମାତୃସତ୍ତା-ପ୍ରଧାନ ଅବଶେଷ ଗୁଡ଼ିକର ଅଧ୍ୟୟନ କରିବା ଲାଗି ପ୍ରବୃତ୍ତ ହୋଇଥାଉ । ପୃଥିବୀରେ ଯେଉଁଠି ଯେତେ ସ୍ଥାନରେ ମାତୃସତ୍ତା-ପ୍ରଧାନ ସମାଜ ବ୍ୟବସ୍ଥା ରହିଥିଲା, ତାହା କାଳକ୍ରମେ ଏକ ନାରୀ-ଧର୍ଷିତ ଅଥବା ନାରୀ-ପ୍ରପୀଡ଼ିତ ସମାଜର ବୈକଲ୍ୟ ମଧ୍ୟକୁ ଆଦୌ ଅଧୋଗତ ହୋଇଆସିନଥିଲା; ମାତ୍ର ଯହୁଁ ଯହୁଁ ଯେତେ ଯେତେ ସ୍ଥାନରେ ଏକ ପରବର୍ତ୍ତୀ-କାଳୀନ ପିତୃସତ୍ତା ପ୍ରଧାନ ସାମାଜିକ ବ୍ୟବସ୍ଥା କ୍ରମବିବର୍ତ୍ତିତ ହୋଇଆସିଲା, ସେଠାରେ ସେହି ବିବର୍ତ୍ତନଟିର ନାମରେ ପୁରୁଷର ପ୍ରପୀଡ଼ନଟା ହିଁ ଯେ କ୍ରମଶଃ ସାମାଜିକ ଜୀବନର ପ୍ରାୟ ଏକ ସାଧାରଣ ନିୟମ ବା ଲକ୍ଷଣ ହୋଇପ୍ରତିଷ୍ଠିତ ହେବାକୁ ଆରମ୍ଭ କଲା, ମନୁଷ୍ୟ-ସମାଜର ଇତିହାସରୁ ଆମକୁ ତୁହାକୁ ତୁହା ପ୍ରାୟ ଏହି ପ୍ରମାଣଟି ହିଁ ମିଳିବ । ମାତ୍ର ଏହି ଦୃଷ୍ଟିରୁ ଆମର ଗବେଷଣା ମଧ୍ୟରେ ଏକ ଅବଲୋକନ ବା ଅନୁସମୀକ୍ଷଣ କରିବାକୁ ଚେଷ୍ଟା କରାଗଲେ ପୁରୁଷକାରର ବାନା ବୋହିଥିବା ଏକ ସମାଜ-ଭିତରେ ଆତଯାତର ହେଉଥିବା ଆମ ବିଜ୍ଞାନୀମାନଙ୍କୁ ଯେ ତାହା ମୋଟେ ପୋଷାଇବନାହିଁ, ସମ୍ଭବତଃ ସେହି କଥାଟିକୁ ଭାରି ଭଲ ଭାବରେ ହୃଦୟଙ୍ଗମ କରିବାରୁ ହିଁ ଆମେ ସେସବୁ ଚଳଣି-ବହିର୍ଭୁତ ଗବେଷଣା ଆଡ଼କୁ କଦାପି ଆଗ୍ରହ ପ୍ରକାଶ କରୁନାହିଁ ।

 

ଆମର କାବ୍ୟ, ଆମର ଉପନ୍ୟାସ,-ଏଗୁଡ଼ାକ ସବୁଯାକ ହେଉଛି ଅତ୍ୟନ୍ତ ପ୍ରବଳ ଭାବରେ ପୁରୁଷର ହିଁ କୃତି ଓ କରାମତି । ଆମ ଉପନ୍ୟାସ ଗୁଡ଼ାକ ପ୍ରଧାନତଃ ନାୟକର ହିଁ ଉପନ୍ୟାସ, କାବ୍ୟଗୁଡ଼ାକ ଅଧିକତର ଭାବରେ ସେହି ନାୟକର ହିଁ କାବ୍ୟ । ଆମ ପ୍ରେମଟା ହେଉଛି ବଡ଼ ଏକତରଫା ଭାବରେ ଏକା ପୁରୁଷର ହିଁ ପ୍ରେମ । ଆମ ମନ୍ଦିରଗୁଡ଼ାକ ଯଦି ପୁରୁଷ-କାରିଗର ମାନେ ନଗଢ଼ି ନାରୀ-କାରିଗରମାନେ ଗଢ଼ିଥାଆନ୍ତେ ତେବେ ଏବେ ମନ୍ଦିରଗାତ୍ରମାନଙ୍କରେ ଅତିପ୍ରଦର୍ଶିତ ହୋଇରହିଥିବା ଯେଉଁ ସବୁ ରମଣ-ଦୃଶ୍ୟ ଓ ଗୋପନ-ଦୃଶ୍ୟ ଗୁଡ଼ିକୁ ଆମେ ଏପରି ନିଃଶଙ୍କ ଓ ନିର୍ବିକାର ଭାବରେ ଦେଖି ପାରୁଛୁ, ଉପଭୋଗ କରିପାରୁଛି ଏବଂ ତା’ ପଛରେ ରହିଥିବା ଉଚ୍ଚ ଦାର୍ଶନିକ ତତ୍ତ୍ୱକାରଣ ଗୁଡ଼ାକୁ ଖୋଳିତାଡ଼ି ବାହାର କରିବାକୁ ଚେଷ୍ଟାକରୁଛି, ସେସବୁ ହୁଏତ ଆଦୌ ସମ୍ଭବ ହୋଇନଥାନ୍ତା । ଆମ ମନ୍ଦିର ଗୁଡ଼ାକ ପ୍ରକୃତରେ ଆଉଭଳି ଦେଖାଯାଉଥାନ୍ତେ, ଅନ୍ୟ ବ୍ୟଞ୍ଜନା ଏବଂ ଅନ୍ୟ ଭାବଗ୍ରାହିତାର ଅବତାରଣା କରାଉଥାଆନ୍ତେ । ଆମର ଅଧିକାଂଶ ପ୍ରେମ-କାହାଣୀ ହେଉଛି ଏହି ପୁରୁଷର ହିଁ ଅତ୍ୟାସକ୍ତି ଗୁଡ଼ାକର କାହାଣୀ, ଅପହରଣ ଓ ଦୁରାତ୍ମତାର କାହାଣୀ; ଆଧୁନିକ କାଳର ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ତାହା ହେଉଛି ପୁରୁଷ ଦ୍ଵାରା ଆଚରିତ ହେଉଥିବା କୌଣସି ଏକ ହାଇଜାକିଙ୍ଗ୍‌ର କାହାଣୀ, ଏକ ଦୁଃସାହସିକତା ଓ ଲମ୍ପଟତାର କାହାଣୀ, ଲୋଲୁପତାର କାହାଣୀ । ଜଣକର ଧର୍ଷଣ କରିବାର କାହାଣୀ ଏବଂ ଆଉ ଜଣକର ଧର୍ଷିତ ଏବଂ ଅପହୃତ ହେବାର କାହାଣୀ । ପ୍ରେମ କହିଲେ କୁଆଡ଼େ ଦୁଇଟି ହୃଦୟର ପରସ୍ପର ପରିଚୟକୁ ବୁଝାଏ, ପରସ୍ପର-ସ୍ୱୀକାରକୁ ବୁଝାଏ ପରସ୍ପରର ସମୀପବର୍ତ୍ତୀ ହୋଇଆସିବାକୁ ବୁଝାଏ । ଆମର ପ୍ରେମ-କାହାଣୀ ଗୁଡ଼ାକରେ ଜଣେ ଅନୁଧାବନ କରେ ଓ ଆଉଜଣେ ଅନୁଧାବିତ ହୁଏ; ଜଣେ ପ୍ରାୟ ଜବରଦସ୍ତି କଲାପରି ଏବଂ ପରମ୍ପରାଗତ ଭାବରେ ମନ ଇଚ୍ଛା ସ୍ୱାଧିକାର ପ୍ରମତ୍ତ ହୋଇଆଉ ଜଣକର ଜୀବନ ଭିତରେ ଯାଇ ପ୍ରବେଶ କରେ ଓ ତାହାକୁ ହିଁ ସମୀପବର୍ତ୍ତୀ ହେବା ବୋଲି ପ୍ରତିପାଦିତ କରୁଥାଏ । ହଁ, ଏସବୁ କ୍ଷେତ୍ରରେ କେତେ ନା କେତେ ସ୍ତୁତି ହୁଏ, ପ୍ରଶସ୍ତିଗାନ କରାହୁଏ, ବଗିଚା ଗୋଟାକରୁ କେତେ ନା କେତେ ଅଳଙ୍କାର ତୋଳି ଆଣି ନାରୀର ଅଙ୍ଗ ବର୍ଣ୍ଣନା ହୁଏ, ରୂପଭରଣା ହୁଏ; ତା’ର ଚରଣଠାରୁ ଆରମ୍ଭ କରିବଦନ, ଦର୍ଶନ ଏବଂ କଟାକ୍ଷ ପର୍ଯ୍ୟନ୍ତ କେତେ ଚାତୁର୍ଯ୍ୟକରଣର ନଈ ବୁହାଇ ଦିଆହୁଏ-। କେତେ ପ୍ରକାର ଚାତୁରୀ ମଣ୍ଡିତ ବନ୍ଧବସାଇ ରାମାବର ବା ନାରୀରତନକୁ ଏକ ମରକତମୟ ଡିସ୍‌ନିଲାଣ୍ଡରେ ନେଇ ବୈଦୁର୍ଯ୍ୟମୟ କେତେ ଖୁଣ୍ଟରେ ବାନ୍ଧିଦିଆଯାଏ । ମାତ୍ର ଏହି ସବୁଯାକ ସରାଗ ଭିତରେ ହୁଏତ କେବଳ ଆପଣାର କଣ୍ଢେଇଟିକୁ ସଜାଇରଖିବାର ସରାଗଟି ଅପେକ୍ଷା ଆଉ ଅଧିକ କିଛି ହେଲେ ନଥାଏ । ନାରୀକୁ ସ୍ୱୀକୃତି ଦେବାକୁ ନୁହେଁ, ମାତ୍ର ପୁରୁଷକୁ ଆମୋଦିତ କରିରଖିବାକୁହିଁ ଏହିସବୁ କଣ୍ଢେଇସଜା କରା ହୋଇଥାଏ ଏବଂ କଣ୍ଢେଇ କାବ୍ୟର ପ୍ରଣୟନ ହୋଇଥାଏ । ଆମର ସବୁଯାକ ମଣିଷ ଦ୍ଵାରା ଆମ କଣ୍ଢେଇଟି ସହସ୍ର ସ୍ଫୀତି ଏବଂ ସହସ୍ର ପ୍ରଶସ୍ତି ସତ୍ତ୍ୱେ ସେଇ କଣ୍ଢେଇଟିଏହିଁ ହୋଇରହିଥାଏ । ଆମରି ହୋଇରହିଥାଏ, ଆମ ଶଯ୍ୟାର ଏକ ଭୂମଣ୍ଡନା ହୋଇରହିଥାଏ । ଆମେ ବାଘ ହୋଇତା’ର ସମୀପବର୍ତ୍ତୀ ହୋଇପାରିବୁ ବୋଲି ସିଏ ନିରୀହ ଛେଳିଟିଏ ପରି ସହକାର ତଳେ ବନ୍ଧାହୋଇରହିଥାଏ; ଏବଂ ତେଣେ ଆମର ଅନ୍ୟ-ପୁରୁଷଟି ମଞ୍ଚାଉପରେ ରହି ସେହି ଦୃଶ୍ୟଟିକୁ ଉପଭୋଗ କରିବାରେ ଲାଗିଥାଏ, କାବ୍ୟ କରୁଥାଏ, ଚିତ୍ରକଳ୍ପର ନାସଦାନି ଧରି ଚିତ୍ରର ଆଘ୍ରାଣ କରୁଥାଏ । ହୃଦୟଗୁଡ଼ାକ ପୂରାପୂରି ଶୋଇରହିଥାନ୍ତି ।

 

ଇହୁଦୀ ଘୃଣା ଓ ଇହୁଦୀ ବିଦ୍ୱେଷର କାରଣ ଅନ୍ୱେଷଣ କରିବାର ଯାଇଁ ଜାଁ ପଲ ସାର୍ତ୍ର ଆପଣାର ସେହି ବିଷୟରେ ଲିଖିତ ଗୋଟିଏ ନିବନ୍ଧ-ପୁସ୍ତକରେ ଲେଖିଛନ୍ତି ଯେ ଇହୁଦୀ ଅତ୍ୟନ୍ତ ସଚେତନ ଭାବରେ ପ୍ରାୟ ସର୍ବଦା ନିଜକୁ ଜଣେ ଇହୁଦୀ ବୋଲିହିଁ ଭାବୁଥାଏ, କେବଳ ଇହୁଦୀ ରୂପରେହିଁ ଦେଖୁଥାଏ; ସେ ମଣିଷଙ୍କ ମେଳରେ ଆପଣାକୁ ଜଣେ ମଣିଷ ହିସାବରେ ଯେତେ ନ ଭାବେ ଓ ଜଣେ ମଣିଷ ହିସାବରେ ଯେତେ ପ୍ରେରିତ ନକରେ, ନିଜକୁ ଜଣେ ଇହୁଦୀ ହିସାବରେହିଁ, ତା'ଠାରୁ ଅନେକ ଅଧିକ ପରିମାଣରେ ଭାବୁଥାଏ, ଆପଣାର ଇହୁଦୀ-ଜନ୍ମ ଓ ଇହୁଦୀତ୍ୱଟା ବିଷୟରେ ଅତିବେଶୀ ସତର୍କ ଓ ସଚେତନ ହୋଇରହିଥାଏ । ସଂସାରଟାକୁ ସେ ସତେଅବା ଏକ ଅଣଇହୁଦୀ ଦୁରାତ୍ମ ଗହନ ବୋଲି ଭାବି ସବୁବେଳେ ସଶଙ୍କ ହୋଇରହିଥାଏ । ସେଇଥିଲାଗି ସିଏ ମଣିଷକୁ ମଣିଷ ବୋଲି ଗ୍ରହଣ କରିପାରେନାହିଁ ସଂସାରକୁ ସଂସାର ବୋଲି ଗ୍ରହଣ ନକରିସତେଅବା ଗୋଟାଏ ଶତ୍ରୁଦୁର୍ଗ ବୋଲି ଗ୍ରହଣ କରୁଥାଏ । ସମ୍ଭବତଃ ସେଇଥିଲାଗି ସିଏ ଆପଣା ତରଫରୁହିଁ ଅନ୍ୟ ସମସ୍ତଙ୍କ ଠାରୁ ଅଲଗା ହୋଇରହିଯାଏ; ଅନ୍ୟ ସକଳ ପ୍ରକାର ସଭାରେ ଆପଣାକୁ କେବଳ ଅଲଗା ବୋଲି ବାରିହେବାରେ ଲାଗିଥାଏ, ଆପଣା ଅସ୍ତିତ୍ୱଟିର ଖାଇଗୁଡ଼ିକ ଦ୍ୱାରା ବେଷ୍ଟିତ ହୋଇ ଝିଙ୍କପକ୍ଷୀ ପରି ଆପଣାର କାଠିଗୁଡ଼ିକୁ ସତେଅବା ଠିଆ କରିରଖିଥାଏ । ତେଣୁ କେହି ଇହୁଦୀକୁ ଧରାଇ ଦେବାକୁ ଇଚ୍ଛା ନ କରୁଥିଲେ ମଧ୍ୟ ଇହୁଦୀ ଆପେ ଆପେ ଇହୁଦୀ ବୋଲି ଅର୍ଥାତ୍‍ ଅଲଗା ବୋଲି ଧରା ପଡ଼ିଯାଏ-ତାହାରି ଭିତରେ ବସା କରିରହିଥିବା ଏକ ଅନମନୀୟ ଅତିସତର୍କତା ଏବଂ ଆତ୍ମସଚେତନତା ଫଳରେ ସିଏ କେବେହେଲେ କାହାରି ସହିତ ସହଜ ହୋଇ ମିଶିପାରେନାହିଁ, ଅଥବା ସଳଖ ହୋଇବାଟ ଚାଲିପାରେନାହିଁ । ସେ ଆପଣା ଆଡ଼କୁ କାହାରିକୁ ଟାଣି ଆଣିପାରେନାହିଁ, ଜଣେ ମଣିଷ ହିସାବରେ ଆପେ ମଧ୍ୟ କାହାରି ଆଡ଼କୁ ଟାଣି ହୋଇଯାଇପାରେନାହିଁ । ଏହା ଫଳରେ ଅନ୍ୟମାନଙ୍କ ମଧ୍ୟରେ ବି ସେ ତଦନୁରୂପ ଏକ ଅସ୍ୱାସ୍ଥ୍ୟକର ପ୍ରତିକ୍ରିୟା ସୃଷ୍ଟି କରିଥାଏ, ମଣିଷ ପରି ନୁହେଁ, ମାତ୍ର ଅଣଇହୁଦୀ ପରି ଆଚରଣ କରିବା ଲାଗି ସେ ଅଧିକାଂଶ ସମୟରେ ଅନ୍ୟମାନଙ୍କୁ ପ୍ରରୋଚନା ଦେବାରେ ଲାଗିଥାଏ ।

 

ପୁରୁଷ ପରି ସ୍ତ୍ରୀ ମଧ୍ୟ ଯୁଗଯୁଗର ସଂସ୍କାରର ବଶବର୍ତ୍ତୀ ହୋଇଆପଣାକୁ ଆଗ ଜଣେ ସ୍ତ୍ରୀ ବୋଲି ବିଚାର କରିଥାଏ କି ? ଆପଣାକୁ ଜଣେ ମଣିଷ ବୋଲି ଭାବିବା ପୂର୍ବରୁ ସିଏ ଅତିସଚେତ ହୋଇଆପଣାକୁ ଆଗ ସ୍ତ୍ରୀ ବୋଲି ଭାବିଥାଏ କି, ଅର୍ଥାତ୍‍ ତା’ର ଗଭୀରସ୍ଥ ଅବଚେତନଟି ତାକୁ ସର୍ବଦା ଆପଣାକୁ କେବଳ ଜଣେ ସ୍ତ୍ରୀ ବୋଲି ଭାବିବାଲାଗିହିଁ ପ୍ରରୋଚନା ଦେଉଥାଏ କି ? ନାରୀକୁ ଜଣେ ମଣିଷ ବୋଲି ଅନୁଭବ କରିବା ଆଗରୁ ଆମ ସମାଜର ବଦ୍ଧ ସଂସ୍କାରବଶ ପୁରୁଷ ଯେ ତାକୁ ଆଗ ନାରୀ ବୋଲି ଅନୁଭବ କରେ, ତାକୁ ଅବଳା ବୋଲି କହେ କୋମଳାଙ୍ଗୀ ବୋଲି କହେ, ସେଥିରେ ଆମ ସମାଜର ନାରୀ ମଧ୍ୟ କ’ଣ ପ୍ରକୃତରେ ଗୋଟାଏ ପ୍ରକାରର ସୁଖ ପାଉଥାଏ କି ? ପୁରୁଷ ତାକୁ ଦୁର୍ବଳା ବୋଲି ଭାବିଲେ ନାରୀ ସେଥିରେ ପ୍ରକୃତରେ ପୁଲକିତ ଅନୁଭବ କରେ କି ? ଗେହ୍ଲା ହେବାରେ ମଧ୍ୟ ଗୋଟାଏ ପ୍ରକାର ସୁଖ ଅଛି, ଅନ୍ୟମାନଙ୍କର ସୁଦୃଷ୍ଟି ଓ ଶୁଶ୍ରୁଷାରେ ଲାଳିତ ପାଳିତ ହେଉଥିବା ଏକ ରୋଗୀ ହୋଇମାସ ମାସ ଧରି ଆଉ ଜଣକର ହେପାଜତରେ ଅର୍ଥାତ୍‍ ହାତରେ ପୁତ୍ତଳିଟିଏ ହୋଇରହିବାରେ ମଧ୍ୟ ହୁଏତ ଗୋଟାଏ ପ୍ରକାରର ସୁଖ ରହିଛି । ଏହି ସୁଖକୁ ସୁଖ ପାଇବାର ଲୋକ ମଧ୍ୟ ଆମ ସଂସାରରେ ଅନେକ ସଂଖ୍ୟାରେ ଅଛନ୍ତି । କଣ୍ଢେଇଟିଏ ହୋଇରହିବାରେ ଯେଉଁ ସୁଖ, ମଣିଷ ହେବାରେ, ମେରୁଦଣ୍ଡକୁ ସିଧା କରିଠିଆହେବାରେ ଶ୍ରଦ୍ଧା ଦେଇ ଶ୍ରଦ୍ଧା ପାଇବାରେ ସେହି ସୁଖ ଯେ କଦାପିନାହିଁ , ତାହାର ଦୃଢ଼ ସାକ୍ଷୀପ୍ରମାଣ ଦେବାଲାଗି ଆମ ସଂସାରରେ ଅନୁଭବୀମାନଙ୍କର କଦାପି ଅଭାବ ହେବନାହିଁ । ଇବସନ୍‍ଙ୍କର ଡୋରା କଣ୍ଢେଇ ବାକ୍‌ସରୁ ବାହାରି, କଣ୍ଢେଇଟିଏ ହୋଇରହିବାର ପଉଟି ପଉଟି ସୁଖଭୋଗକୁ ଛାଡ଼ିଦେଇ ଜଣେ ମଣିଷ ହୋଇ ବାହାରିଯିବାକୁ ବିଦ୍ରୋହ କରିଥିଲା, କଣ୍ଢେଇ ଘରଟିକୁ ଉଜୁଡ଼ାଇ ଦେଇ ଆପଣାକୁ ଆଉ କେଉଁ ପରିଚୟରେ ଆବିଷ୍କାର କରିବା ସକାଶେ ବାହାରିଯାଉଥିଲା । ମାତ୍ର ସିଏ ହୁଏତ କେବଳ ଏକ ନାଟକର ଡୋରା, ଜଣେ ପୁରୁଷ ପ୍ରସ୍ତୁତ କରିରଖିଥିବା ଏକ ରଙ୍ଗମଞ୍ଚସ୍ଥ ଅଭିନୟର ଡୋରା । ବାସ୍ତବ ସଂସାରର ଡୋରାମାନେ ହୁଏତ ଆଦୌ ସେପରି ନୁହଁନ୍ତି ସେମାନେ ହୁଏତ ପ୍ରକୃତରେ କଣ୍ଢେଇ ହୋଇରହିବାକୁ ଚାହାନ୍ତି, ପୁରୁଷର ହାତରେ ରହିଥିବା ନଟେଇଟିରୁ ସୂତାରେ ବନ୍ଧା ହୋଇସେମାନେ କେତେ କେତେ ରଙ୍ଗର ଗୁଡ଼ି ହୋଇକେବଳ ଉଡ଼ିବାକୁହିଁ ଚାହାନ୍ତି, ଦୋକାନଯାକର ସବୁଯାକ ପାଟ ଗୁରାଇ ହୋଇପ୍ରତିମାଟି ହୋଇରହିବାକୁ ଚାହାନ୍ତି ଏବଂ ଏତିକି ସମ୍ମାନଲାଭ ବା ସୀକୃତିଲାଭ ସକାଶେ ସେମାନେ ହୁଏତ ପୁରୁଷର ସବୁଯାକ ଖୁଣ୍ଟ ଓ ସବୁଯାକ ରଜ୍ଜୁରେ ବାନ୍ଧିହୋଇ ରହିବାକୁ ମଧ୍ୟ ଇଚ୍ଛା କରୁଥାନ୍ତି । ଆଗେ ରାକ୍ଷୀ ପୂର୍ଣ୍ଣିମାରେ କୁଆଡ଼େ ସ୍ତ୍ରୀମାନେହିଁ ପୁରୁଷମାନଙ୍କର ହାତରେ ନେଇ ରାକ୍ଷୀ ବାନ୍ଧିଦେଉଥିଲେ । ପୁରୁଷହିଁ ସ୍ତ୍ରୀର ରକ୍ଷାକର୍ତ୍ତା ହୋଇ ରହୁ ବୋଲି ରାକ୍ଷୀର ପ୍ରତୀକଟି ଜରିଆରେ ସେମାନେ ପୁରୁଷଠାରୁ ନିର୍ଭର ପାଇବାକୁଯାଉଥିଲେ ।

 

ବେଶ୍ କେତେବର୍ଷ ତଳେ ମହାତ୍ମା ଗାନ୍ଧୀ ଆଧୁନିକ ନାରୀମାନଙ୍କୁ ଉଦ୍ଦେଶ୍ୟ କରିପଦେ ଦି’ ପଦ ଏହିପରି କଥା କହିଥିଲେ । କଲେଜରେ ପାଠପଢ଼ୁଥିବା ଜଣେ ବାଳିକା କଲେଜର ପୁଅପିଲାମାନଙ୍କର ତା’ପ୍ରତି ଦୁର୍ବ୍ୟବହାରର ବର୍ଣ୍ଣନା କରିଅତି ଅସହାୟ ହେଲା ପରି ଗାନ୍ଧିଜୀଙ୍କ ପାଖକୁ ଯେଉଁ ପତ୍ରଟି ଲେଖିଥିଲା, ତାହାରି ଉତ୍ତର ଦେଇ ସେ ଏହିପରି ଏକ ମତ ଦେଇଥିଲେ । ସିଏ ଅନେକ ସମୟରେ ଜଣେ ଆଧୁନିକା ବାଳିକା ପ୍ରାୟ ଅଧଡ଼ଜନ ରୋମିଓଙ୍କ ଆଖିରେ ସତେଅବା ଗୋଟିଏ ଜୁଲିଏଟ୍ ହୋଇରହିବାକୁ ଇଚ୍ଛା କରୁଥାଏ । ଶରୀରକୁ ରକ୍ଷା କରିବା ଲାଗି ସେ ଲୁଗା ପିନ୍ଧେନାହିଁ, ମାତ୍ର ପୁରୁଷମାନଙ୍କୁ ଆକର୍ଷିତ କରିବା ଭଳି ଆପଣାକୁ ସୁପ୍ରଦର୍ଶିତ କରିରଖିବାକୁ ହିଁ ସେ ପରିଧାନ ପ୍ରସାଧାନ ଗୁଡ଼ିକର ଆଶ୍ରୟ ନେଇଥାଏ । ନାରୀ ଯେପର୍ଯ୍ୟନ୍ତ ଆପଣାକୁ ଗୋଟିଏ କଣ୍ଢେଇ ପରି ସଜାଇବାରେ ଲାଗିଥିବ, ଆପଣାକୁ ଜଣେ ମନୁଷ୍ୟ ବୋଲି ନଭାବି ଜଣେ ଅବଳା ବା ଆଉ କାହାର ଅଙ୍କଶାୟିନୀ ବୋଲି ଭାବିବାରେ ଲାଗିଥିବ, ସେପର୍ଯ୍ୟନ୍ତ ସିଏ ହୁଏତ ତା’ ପ୍ରତି ପୁରୁଷର ଯଥାର୍ଥ ମନୋଦୃଷ୍ଟି ଏବଂ ଯଥାର୍ଥ ସମ୍ମାନଟିକୁ କଦାପି ପ୍ରେରିତ କରିଆଣିପାରିବନାହିଁ । ଏଗୁଡ଼ାକ ବଡ଼ ଅପ୍ରୀତିକର କଥା, ତଥାପି ହୁଏତ ସତ କଥା । ଏଥିରେ କଣ୍ଢେଇ ନଚାଇବାବାଲା କଣ୍ଢେଇର କୌଣସି ସ୍ତୁତି କରିନାହିଁ ଅଥବା କୋଟି-ବ୍ରହ୍ମାଣ୍ଡ ସୁନ୍ଦରୀର ଲାବଣ୍ୟକୁ ବର୍ଣ୍ଣନା କରିବା ଲାଗି କୌଣସି ଲବଣୀ ବୋଳି ଦେଇ କାବ୍ୟ-ରଚନା ହୋଇନାହିଁ ସତ, ମାତ୍ର ଆମର ଯୁଗାନୂଗତ ଦୃଷ୍ଟିଟି ସମ୍ବନ୍ଧରେ ଏହା ଆମକୁ ଅନେକ ଅନ୍ତଃଦୃଷ୍ଟି ଯୋଗାଇଦେଇଯାଉଛି, ଅନେକ ଅନ୍ତରବଲୋକନ ଲାଗି ବାଧ୍ୟ କରୁଛି ।

 

ପୃଥିବୀରେ ନାରୀ-ମୁକ୍ତିର ଆନ୍ଦୋଳନ ପ୍ରାୟ ଦୀର୍ଘ ଗୋଟିଏ ଶହ ବର୍ଷର ଏକ ଆନ୍ଦୋଳନ । ଏହି ଆନ୍ଦୋଳନ ଆଜି ମଧ୍ୟ ଅବ୍ୟାହତ ରହିଛି । ଆମେରିକା ଏବଂ ଇଉରୋପ ବାଟେ ବୁଲି ଏହା କାଳକ୍ରମେ ଏସିଆ ଓ ଆଫ୍ରିକା ମଧ୍ୟରେ ପ୍ରବେଶ ବି କରିଛି । ଏସିଆ ଓ ଆଫ୍ରିକା ମହାଦେଶରେ ସାଧାରଣ ଶିକ୍ଷାର ସ୍ତର ସମଗ୍ରତଃ ଅନେକ ପଛରେ ରହିଛି, ଏବଂ ନାରୀ-ଶିକ୍ଷାର ସ୍ତର ତ ଆହୁରି ପଛରେ ପଡ଼ିଛି । ଭାରତ ବର୍ଷର ଯେକୌଣସି ଗାଆଁରେ ପୁଅମାନଙ୍କ ତୁଳନାରେ କେତେ କମ୍ ସଂଖ୍ୟକ ଝିଅ ସ୍କୁଲମାନଙ୍କରେ ପାଠପଢ଼ିବାକୁ ଯାଉଛନ୍ତି, ତାହାର ଏକ ମୋଟା ହିସାବ ନେଲେ ମଧ୍ୟ ଆମେ ଭାରି ସହଜରେ ସେହି ସତ୍ୟଟିର ପ୍ରମାଣ ପାଇପାରିବା । ପୃଥିବୀରେ ନାରୀମାନେ ଯେଉଁ ସଂଖ୍ୟାରେ ପାଠ ପଢ଼ିଛନ୍ତି ଓ ଆଧୁନିକ ଜଗତର ପରିଚୟ ଲାଭ କରିଛନ୍ତି, ତାହା ତୁଳନାରେ ହୁଏତ ଅଧିକ ସଂଖ୍ୟକ ନାରୀ ପାଠ ପଢ଼ିନାହାନ୍ତି, ଆଧୁନିକ ଜଗତର କୌଣସି ସଂସ୍ପର୍ଶରେ ଆସିନାହାନ୍ତି । ସେମାନେ ପରମ୍ପରା ଭିତରେ ହିଁ ବାନ୍ଧିହୋଇରହିଛନ୍ତି, ଭାଗ୍ୟର ଭାତହାଣ୍ଡିଟି ସହିତ ଛନ୍ଦାହୋଇରହିଛନ୍ତି । ଆମ ନିଜ ଦେଶରେ ବା ଅନ୍ୟ ଯେକୌଣସି ଦେଶରେ ଯେଉଁ ନାରୀ ସଂଗଠନ ରହିଛି ବା ଯେଉଁ ନାରୀ-ସମ୍ମିଳନୀମାନ ଅନୁଷ୍ଠିତ ହେଉଛି, ସେଠାରେ ଉକ୍ତ ଅନେକସଂଖ୍ୟକ ଉପେକ୍ଷିତା ନାରୀମାନଙ୍କ ବିଷୟରେ ଆଦୌ କୌଣସି ଚର୍ଚ୍ଚା ହୁଏନାହିଁ, ସେମାନଙ୍କର ଅନ୍ଧାରଗତ ସମସ୍ୟା ଗୁଡ଼ାକ ସମ୍ମିଳନୀର ଦୁଆରଯାଏ ଆସି ଆଦୌ ପହଞ୍ଚିପାରେନାହିଁ । ସମ୍ମିଳନୀରେ ଅନ୍ୟ ବିଷୟ ଗୁଡ଼ିକର ହିଁ ଆଲୋଚନା ହୁଏ । ସେଠାରେ ନାରୀମାନଙ୍କ ବିଷୟରେ ଆଲୋଚନା ହୁଏନାହିଁ, ମାତ୍ର ନାରୀମୁକ୍ତି-ଆନ୍ଦୋଳନ ବିଷୟରେ ଆଲୋଚନା ହୁଏ । ନାରୀମାନେ କିପରି ପୁରୁଷମାନଙ୍କର ଏକାଧିକାର ମଧ୍ୟରୁ ନିଷ୍କୃତି ପାଇବେ, ସେହିସବୁ ବିଷୟରେ ଆଲୋଚନା ହୁଏ । ନାରୀମାନେ ପୁରୁଷମାନଙ୍କର ସମକକ୍ଷ ହେବେ, ପୁରୁଷମାନେ ଯେଉଁସବୁ କର୍ମ ଓ ସଂସ୍ଥାନର ସୁଯୋଗ ପାଉଛନ୍ତି, ସେଗୁଡ଼ାକ ଏଣିକି କେବଳ ସେହିମାନଙ୍କର ଏକଚାଟିଆ ନହୋଇନାରୀମାନଙ୍କ ଲାଗି ମଧ୍ୟ ମୁକ୍ତ ହୋଇରହିବ, ପୁରୁଷମାନେ ଯାହା ସବୁ ହୋଇପାରୁଛନ୍ତି; ନାରୀମାନେ ବି ସେହି କଥା ହୋଇପାରିବେ,-ନାରୀ-ସମ୍ମିଳନୀ ମାନଙ୍କରେ ସଚରାଚର ସେହି ସବୁ ବିଷୟର ଆଲୋଚନା ହୋଇଥାଏ । ନାରୀ ପୁରୁଷ ପରି ହେବାକୁ ଚାହେଁ,-ତାର ପରମ ପରିତ୍ରାଣର ପନ୍ଥାଟି ସତେ ଯେପରି ଏହିଠାରେ ହିଁ ନିହିତ ହୋଇରହିଛି, ସଭାସମ୍ମିଳନୀର କୁହାଟ ଗୁଡ଼ାକରୁ ଅନେକ ସମୟରେ ପ୍ରାୟ ଏତିକି ପ୍ରତିପାଦିତ ହୋଇଥାଏ । ଯିଏ ଆପଣାକୁ ଆଉ କାହାଠାରୁ ନ୍ୟୁନ ମନେ କରୁଥାଏ, ଅନେକ ସମୟରେ ଆପଣାର ଅବଚେତନାରେ ସିଏ ହୁଏତ ତାହାରି ପରି ହେବାକୁ ଇଚ୍ଛା କରୁଥାଏ ଓ ତାହାରି ଦ୍ୱାରା ହିଁ ବ୍ୟବଧାନ ବା ଅନ୍ୟାୟଟିକୁ ଅତିକ୍ରମ କରିଯିବ ବୋଲି ଆଶା କରୁଥାଏ । ଅନେକ ସମୟରେ ଅବଚେତନର ସେହି ଇଚ୍ଛାଟି ଏକ ଅତ୍ୟୁଗ୍ର ଇଚ୍ଛାରେ ମଧ୍ୟ ପରିଣତ ହେବାକୁ ବସେ ।

 

ବିଦେଶରେ ନାରୀ-ମୁକ୍ତିର ଆନ୍ଦୋଳନ ପ୍ରଧାନତଃ ଏହିପରି ଏକ ମାର୍ଗରେ ହିଁ ଗତି କରିଆସିଛି । ସେଠି ନାରୀ ପୁରୁଷ ପରି ହେବାକୁ ଚେଷ୍ଟା କରିଛି, ସେ ପୁରୁଷ ପରି ସାଜିଛି, ପୁରୁଷ ପରି ଗରଜିଛି, ପୁରୁଷ ପରି ଦିଗ୍‌ବିଜୟୀ ହେବା ପାଇଁ ମନ କରିଛି, ଠିକ୍‍ ପୁରୁଷ ପରି କ୍ଳବ ଘରକୁ ଘର ବୋଲି ଗ୍ରହଣ କରିଛି । ତାହା ଦ୍ୱାରା କ’ଣ ହୋଇଛି ବା ନ ହୋଇଛି, ସେଗୁଡ଼ାକ ବିଷୟରେ ଅବଶ୍ୟ ମତପାର୍ଥକ୍ୟ ରହିପାରେ, ମାତ୍ର ଏ କଥାରେ ଆଦୌ କୌଣସି ସନ୍ଦେହନାହିଁ ଯେ ମୁକ୍ତି ଲାଭର ଆନ୍ଦୋଳନରେ ନାରୀ ଯାହାର ଅନ୍ୱେଷଣରେ ବାହାରିଥିଲା, ତାହା ସେ ତଥାପି ପାଇନାହିଁ-। ତେଣୁ କେବଳ ପୁରୁଷ ପରି ହେବାକୁ ହିଁ ଚେଷ୍ଟା କରିହତଶ୍ରୀ ପୁରୁଷ ପରି ସିଏ ମଧ୍ୟ ହତଶ୍ରୀ ହୋଇବସିଛି; ଉପରେ ଗୁଡ଼ାଏ ଖୋଳ ପିନ୍ଧି ମୋଟା ହୋଇବସିଛି ଓ ହାତରେ ଧରିଥିବା ଧ୍ୱଜାରେ କେତେ ଆଡ଼ର କେତେ କୁଲା ଓ ବାଉଁଶିଆକୁ ଆଣି ବାନ୍ଧିକରି ରଖିଛି ସତ, ମାତ୍ର ସିଏ ମଧ୍ୟ ପୁରୁଷ ପରି ଭିତରଟା ଯାକ ବଡ଼ ଦୟନୀୟ ଭାବରେ ଫମ୍ପା ହୋଇରହିଛି ଏବଂ ଏହି ପୃଥିବୀକୁ ହତଶ୍ରୀ କରିରଖିବାରେ ଆଧୁନିକ ପୁରୁଷ ସହିତ ଆଧୁନିକ ନାରୀମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଆସିଛି ।

 

ଭାରତବର୍ଷରେ ଗତ ଶହେଟି ବର୍ଷ ହେଲା ପ୍ରଚଳିତ ହୋଇଆସିଥିବା ତଥାକଥିତ ଶିକ୍ଷା ସେହି ଶିକ୍ଷାକୁ ଲାଭ କରିଥିବା ପୁରୁଷକୁ ଯେପରି ନାନା ଅପାରଗତାରେ ଆକ୍ରାନ୍ତ କରିରଖିଛି, ସେହି ଶିକ୍ଷା ଲାଭ କରିଥିବା ନାରୀକୁ ମଧ୍ୟ ତାହା ସେହିଗୁଡ଼ିକରେ ହିଁ ଆକ୍ରାନ୍ତ କରିରଖିଛି । ଶିକ୍ଷିତ ପୁରୁଷ ପରି ଶିକ୍ଷିତା ନାରୀ ମଧ୍ୟ ଭୂଇଁଛଡ଼ା ଓ ଚେରଛିଁଣ୍ଡା ହୋଇପଡ଼ିଛି । ପୁରୁଷ ପରି ସେ ଅଧିକ ପ୍ରଦର୍ଶନ-ପଟୁ ହୋଇପାରିଛି ସତ, ମାତ୍ର ଅଧିକ ଭୀରୁ ମଧ୍ୟ ହୋଇଛି । କେଡ଼େ ଆଡ଼ମ୍ବର ଓ ଆୟୋଜନ ସହକାରେ ସିଏ ପୁରୁଷ ପରି ଉଚ୍ଚ ମଞ୍ଚରେ ଯାଇ ବସିଛି ସତ, ମାତ୍ର ତଥାପି ଗୋଡ଼ ଗୁଡ଼ାକ ସତେ ଅବା ଆଦୌ ତଳେ ଲାଗୁନଥିବା ପରି ସିଏ କେତେଗୁଡ଼ାଏ ନିଷ୍ଫଳତା ଓ ନିରର୍ଥକତାକୁ ହିଁ ଜୀବନ-ସମ୍ବଳ କରିଧରିଛି । ଭିତରଟାକୁ ଲୁଚାଇ ଉପରେ ମୁଖାପିନ୍ଧି ଶୋଭା ପାଇବାର ଗୁଡ଼ାକୁ ସିଏ ପୁରୁଷର ପ୍ରାୟ ସମକକ୍ଷ ଭାବରେ ଓ ସମାନ ଦକ୍ଷତା ସହିତ ଆୟତ୍ତ କରିନେଇପାରିଛି । ଆମ ଦେଶର ବହୁସଂଖ୍ୟକ ନାରୀ ଶହେ ବର୍ଷ ତଳେ ଯେଉଁଠାରେ ଥିଲେ, ବର୍ତ୍ତମାନ ପ୍ରାୟ ସେହିଠାରେ ହିଁ ରହିଛନ୍ତି: ସୀତା ସାବିତ୍ରୀ ଆଉ ଗାନ୍ଧାରୀଙ୍କର ଉପାଖ୍ୟାନ ଶୁଣି ଗମ୍ଭୀରି ଘରର ଦାସୀ ହୋଇରହିଛନ୍ତି, ପୁରୁଷ ଗୋଠର ବେକରେ ସତେ ଅବା ଘାଗୁଡ଼ିମାଳ ପରି ବନ୍ଧା ହୋଇଛନ୍ତି, ପୁରୁଷ ରସିକର ପାନଖିଲ ହୋଇ ରହିଛନ୍ତି ଏବଂ ତେଣେ ସମ୍ମିଳନୀର ସାମିଆନାଗୁଡ଼ାକ ତାକୁ ଉପଲକ୍ଷ କରିତାହାରି ଯୁଦ୍ଧ ଲଢ଼ୁଛନ୍ତି ବୋଲି ଗର୍ଜନ ତର୍ଜନ କରିକେତେମନ୍ତେ ଫୁଲିଉଠିବାରେ ଲାଗିଛନ୍ତି । ନାରୀ ଓ ପୁରୁଷ ଉଭୟଙ୍କୁ ଆତଯାତ କରୁଥିବା କାଳ କୋଉ କୋଉ ଅନ୍ତରାଳରୁ ଥାଇ ହୁଏତ ସୁକୁଟ ଦେଖିବାରେ ଲାଗିଛି ।

 

ଭଗବାନ ନାରୀ ନୁହନ୍ତି କି ପୁରୁଷ ନୁହନ୍ତି । ବେଦରେ ଯେଉଁ ପୁରୁଷର ସ୍ତୁତି କରାଯାଇଛି, ତାହା ଆମ ଅପକଳ୍ପନାର ପୁରୁଷ ଆଦୌ ନୁହେଁ,–ତାହା ମନୁଷ୍ୟ, ତାହା ପୁରୁଷ ଓ ସ୍ତ୍ରୀ ଉଭୟ, ତାହା ଶକ୍ତିମନ୍ତ, ତାହା ଜୀବନବନ୍ତ । ସେହି ପୁରୁଷ ଆମର ତଥାକଥିତ ପୁରୁଷ ମଧ୍ୟରେ ରହିଛି, ନାରୀ ମଧ୍ୟରେ ବି ରହିଛି । ଯଥାର୍ଥ ଆତ୍ମ-ପରିଚୟ ଲୋଡ଼ୁଥିବା ଜଣେ ପୁରୁଷ ଯେପରି ତାହାର ଉଦ୍‌ବୋଧନ କରିପାରିବ, ଜଣେ ନାରୀ ମଧ୍ୟ ଠିକ୍‌ ସେହିପରି ଉଦ୍‌ବୋଧନ କରିପାରିବ । ଆପଣାର ଜୀବନରେହିଁ ସେମାନେ ତାହାର ଉଦ୍‌ବୋଧନ କରିପାରିବେ, ଏହି ଜଗତର ସମ୍ବନ୍ଧାକାଂକ୍ଷାଗୁଡ଼ିକର କ୍ଷେତ୍ରରେ ସେମାନେ ତାହାର ଉଦ୍‌ବୋଧନ କରିତାହାର ଅବତରଣ ମଧ୍ୟ କରାଇ ପାରିବେ । ତ୍ୱଂ ସ୍ତ୍ରୀ ତ୍ୱଂ ପୁମାନସି,-ଆମ ଆଧ୍ୟାତ୍ମ-ଶାସ୍ତ୍ରରେ ଭଗବାନଙ୍କୁ ଏହିପରି ଏକ ଉଜ୍ଜ୍ୱଳ ସଂଜ୍ଞାରେ ହିଁ ଆବାହନ କରାଯାଇଛି । ସେଇ ସ୍ତ୍ରୀ, ପୁଣି ସେଇ ପୁରୁଷ । ପୁରୁଷ ଭିତରେ ରହିଥିବା ଭଗବାନ ସହିତ ପ୍ରତିଦ୍ୱନ୍ଦିତା କରୁଥାନ୍ତେ ଓ ଯଦି ଆଉଜଣକର ସମକକ୍ଷ ହେବାର ପ୍ରତିସ୍ପର୍ଦ୍ଧା ରଖିଥାନ୍ତେ, ତେବେ ଆମର ସଂସାରରେ ନାରୀ ପୁରୁଷର ସମକକ୍ଷ ହେବାଲାଗି ପ୍ରତିସ୍ପର୍ଦ୍ଧା ରଖିଲେ ବା ପ୍ରତିଦ୍ୱନ୍ଦିତା କଲେ ହୁଏତ ତାହା ଶୁଭକାରକ ହୋଇପାରନ୍ତା, ଶ୍ରେୟଃଦାୟକ ବି ହୋଇପାରନ୍ତା । ମାତ୍ର ସତକଥା ହେଉଛି ଯେ ଭଗବାନ ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ରହିଛନ୍ତି, ପରମ ସତ୍ୟ ଉଭୟଙ୍କ ମଧ୍ୟରେ ରହିଛି, ଆପଣାକୁ ଉଭୟଙ୍କ ମଧ୍ୟରେ ଖୋଜୁଛି, ଆପଣାକୁ ପରିପୂର୍ଣ୍ଣ କରିବା ଲାଗି ଉଭୟଙ୍କ ମଧ୍ୟକୁ ଅବତରଣ କରିଆସିଛି । ଆମେ ସମସ୍ତେ ଉଭୟ ସ୍ତ୍ରୀ ଉଭୟେ ପୁରୁଷ । କାରଣ ଆମ ଭିତରେ ପରିପୂର୍ଣ୍ଣତାର ସେହି ଗୋଟାଏ ସ୍ଵପ୍ନ ହିଁ ଆପଣାକୁ କାର୍ଯ୍ୟକାରୀ କରିବାରେ ଲାଗିଛି ।

 

ଏକ ପରବର୍ତ୍ତୀ ଯୁଗରେ ଏକ ବ୍ୟାଧିତ ସମାଜଦୃଷ୍ଟିର ବଶବର୍ତ୍ତୀ ହୋଇପୁରୁଷକୁ ସ୍ତ୍ରୀଠାରୁ ଭିନ୍ନ କରିବିଚାର କରାଗଲା, ସ୍ତ୍ରୀକୁ ଅବଳା ବୋଲି କୁହାଗଲା, ତାହାକୁ ଆଶ୍ରୟ ଦେବା ଏବଂ ତେଣୁ ତାହାର ଅଧିକାରୀ ହୋଇରହିବା ହିଁ ପୁରୁଷର କର୍ତ୍ତବ୍ୟ ବୋଲି ଶାସ୍ତ୍ରବାକ୍ୟରେ ପ୍ରଚାର ହେଲା । ସ୍ତ୍ରୀଜନ୍ମକୁ ଅଧମତର ଜନ୍ମ ବୋଲି କୁହାଗଲା, ସ୍ତ୍ରୀସଂସର୍ଗକୁ କେବଳ ଏକ ସମ୍ଭୋଗସର୍ବସ୍ୱ ସ୍ତରକୁ ଅବନମିତ କରିଅଣାଗଲା, ସ୍ତ୍ରୀର ଯେ ପୁରୁଷ ପରି ଏକ ଆତ୍ମା ମଧ୍ୟ ରହିଛି, ପୁରୁଷମାନେ କାଳକ୍ରମେ ସେକଥା ଆଉ ବିଶ୍ୱାସ କରିବାକୁ ବି ରାଜି ହେଲେନାହିଁ । ଜଣେ ମଣିଷ ହିସାବରେ ସ୍ତ୍ରୀର ଅଧିକାରଗୁଡ଼ିକ ଗୋଟି ଗୋଟି କରିକାଢ଼ି ନିଆଗଲା । ସ୍ତ୍ରୀ ଏକ ପଣ୍ୟରେ ପରିଣତ ହେଲା । ପଶାଖେଳର ଏକ ପଣରେ ପରିଣତ ହେଲା । ତା’ପରେ ପୁରୁଷମାନେ ସେହି ଅନୁସାରେ ଧର୍ମଶାସ୍ତ୍ରମାନ ଲେଖିଲେ, ଅର୍ଥଶାସ୍ତ୍ର ଲେଖିଲେ ଓ କାମଶାସ୍ତ୍ର ଲେଖିଲେ । ଏହିସବୁ ଗ୍ରନ୍ଥ ଓ ଶାସ୍ତ୍ର ଅନୁସାରେ ସ୍ତ୍ରୀ ପୁରୁଷର ଏକ ସମ୍ପତ୍ତି ହୋଇରହିଲା, ବୋଲକାରିଣୀ ହୋଇରହିଲା; ଆତ୍ମଉପଲବ୍ଧିରେ ନୁହେଁ, ମାତ୍ର ପୁରୁଷର ପରିଚାରିକା ହୋଇରହିବାରେ ଯେ ସ୍ତ୍ରୀ’ର ଏକମାତ୍ର ପରିତ୍ରାଣପଥ ନିହତ ହୋଇରହିଛି, ଏକ ଅତିଧୃଷ୍ଟ ଦାମ୍ଭିକତା ସହିତ ସେଇଟାକୁ ହିଁ ସମାଜର ବିଧାନ ବୋଲି ଘୋଷଣା କରାଗଲା । ସମାଜର ଅର୍ଥୋପାର୍ଜନର କ୍ଷେତ୍ରରେ ସ୍ତ୍ରୀର ଆଉ କୌଣସି ଭାଗ ରହିଲାନାହିଁ, ସିଏ ସ୍ଵୟଂ ଏକ ଉପାର୍ଜନରେ ପରିଣତ ହୋଇରହିଲା, ବୀରର ବିତ୍ତ ହୋଇରହିଲା । ସେ ପୁରୁଷର ପ୍ରାଣସହୀ ହୋଇରହିଲା, ଲାବଣ୍ୟବତୀ ହୋଇରହିଲା, ଭୋଗମଣ୍ଡପ ହୋଇରହିଲା ।

 

ଆନ୍ତର୍ଜାତିକ ନାରୀବର୍ଷରେ ମେକ୍ସିକୋ ଦେଶର ରାଜଧାନୀରେ ଯେଉଁ ନାରୀ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେଠାକୁ ପୃଥିବୀର ବିଭିନ୍ନ ଦେଶରୁ ନାରୀ ପ୍ରତିନିଧିମାନେ ଯୋଗ ଦେବାକୁ ଆସିଥିଲେ । ଆମେରିକା ଏବଂ ଇଉରୋପ ସମେତ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାରୁ ମଧ୍ୟ ପ୍ରତିନିଧି ଆସିଥିଲେ । ସେମାନଙ୍କର ଉପସ୍ଥିତି ଓ ଚହଲ ପହଲରେ ଖାଲି ସମ୍ମିଳନୀର ମଣ୍ଡପଟି ନୁହେଁ, ସମଗ୍ର ସହରଟି ମଧ୍ୟ ସତେ ଅବା ଅନୁସ୍ଫନ୍ଦିତ ହୋଇଉଠୁଥିଲା-। ସେମାନେ କେତେ ପରିପାଟୀରେ ପରିଧାନ ପିନ୍ଧିଥିଲେ, କେତେ ଛଟାରେ ଗଭା ସଜାଇଥିଲେ ଏବଂ ଭ୍ୟାନିଟି ବ୍ୟାଗ୍ ଧରି କେତେ ଛଟାରେ ରଙ୍ଗ ବିରଙ୍ଗ ହୋଇ ବଜାର କରିଯାଉଥିଲେ । ସମ୍ମିଳନୀରେ ପ୍ରସ୍ତାବମାନ ପାସ୍ ହେଉଥିଲା । ଜଣେ ସାମ୍ବାଦିକଙ୍କର ପ୍ରତ୍ୟକ୍ଷ ବିବରଣୀ ଅନୁସାରେ ଆଫ୍ରିକାରୁ ଆସିଥିବା ନାରୀ ପ୍ରତିନିଧି ମାନେ ଆପଣାର ସାଜ, ଆଚ୍ଛାଦନ ଏବଂ ପ୍ରସାଧନ ଦ୍ୱାରା ସେଠାରେ ସବୁଠାରୁ ଅଧିକ ଚହଳ ପକାଇ ଦେଇଥିଲେ ଓ ସମସ୍ତଙ୍କର ଆଖିକୁ ଝଲସାଇଦେଉଥିଲେ । ଏବଂ ସେହି ସମ୍ମିଳନୀକୁ ମଦର୍‌ ଟେରେସା ମଧ୍ୟ ଆସିଥିଲେ । କୌଣସି ଦେଶ ବା ସରକାରଙ୍କର ପ୍ରତିନିଧି ହିସାବରେ ନୁହେଁ, ମାତ୍ର ପୋପ୍‌ଙ୍କର ଆଦେଶକ୍ରମେ ସେ ସେହି ସମ୍ମିଳନୀକୁ ଆସିଥିଲେ । ଧଡ଼ି ନଥିବା ଧଳା ଶାଢ଼ୀଟିଏ ପିନ୍ଧିଥିଲେ । ଏତେ ରଙ୍ଗ, ଚହଳ ଓ ସରଗରମ ଭିତରେ ମଧ୍ୟ ସିଏ ଅତ୍ୟନ୍ତ ସହଜରେ ସମସ୍ତଙ୍କ ଭିତରୁ ବାରି ହୋଇପଡ଼ୁଥିଲେ । ସମ୍ମିଳନୀର ବକ୍ତୃତା-ତାଲିକାରେ ତାଙ୍କର ନାଆଁ ନଥିଲା । କାରଣ କେବଳ ବିଭିନ୍ନ ଦେଶରୁ ସରକାରଙ୍କ ଦ୍ଵାରା ପ୍ରେରିତ ହୋଇଆସିଥିବା ପ୍ରତିନିଧିମାନେହିଁ ନ୍ୟାୟତଃ ସମ୍ମିଳନୀର ଆଲୋଚନାରେ ଭାଗ ନେଇପାରିବେ ବୋଲି ପୂର୍ବନିର୍ଦ୍ଧାରିତ ହୋଇରହିଥିଲା । ମଦର୍‌ ଟେରେସା ଜଣେ ନାରୀ, ଜଣେ ଶକ୍ତିମୟୀ ନାରୀ; କୌଣସି ପୁରୁଷ ସହିତ ପ୍ରତିଦ୍ୱନ୍ଦିତା କରିବା ଲାଗି ବା ପୁରୁଷର ସମକକ୍ଷ ହେବା ଲାଗି ସିଏ କେବେ ହେଲେ କୌଣସି ନାରୀ-ମୁକ୍ତି ଆନ୍ଦୋଳନରେ ଭାଗ ନେଇନଥିବେ । ସିଏ ତେଣିକି କେବେ ମନ ବଳାଇନଥିବେ । ଜଣେ ସମର୍ପିତ ମଣିଷ ଏସବୁ ଆଡ଼କୁ କଦାପି ମନ ବଳାଏନାହିଁ । ଆହ୍ୱାନ ପାଇବା ମାତ୍ରକେ ଆସି ପହଞ୍ଚି ଯିବାକୁହିଁ ସେ ଜୀବନଧର୍ମ ବୋଲି ମାନି ନେଇଥାଏ । ସଂସାରର ଅନେକ ପୁରୁଷ ଓ ସ୍ତ୍ରୀଙ୍କୁ ସିଏ ବିସ୍ମିତ କରିଦିଏ, ସେମାନଙ୍କୁ ଅତିକ୍ରମ କରିଯାଏ; ଏବଂ କେବଳ ଜଣେ ସମର୍ପିତ ମନୁଷ୍ୟହିଁ ଶକ୍ତିମାନ ହେବାକୁ ସମର୍ଥ ହୁଏ । ନାନା ଦୁରାତ୍ମତା ଏବଂ ନାନା ଶୁନ୍ୟଗର୍ଭତାର ଏହି ପୃଥିବୀରେ ମଦର୍‍ ଟେରେସା ଶକ୍ତିର ପ୍ରତୀକ ହୋଇରହିଛନ୍ତି–ନାରୀ ଓ ପୁରୁଷ ଉଭୟଙ୍କ ଲାଗି ସେ ଏକ ମାର୍ଗର ପ୍ରତୀକ ହୋଇରହିଛନ୍ତି । ଇତିହାସରେ ନାରୀ ଓ ପୁରୁଷ ଉଭୟଙ୍କର ପତାକାକୁହିଁ ମଦର୍‍ ଟେରେସା ଉତ୍ତୋଳିତ କରିରଖିଥିବେ । ଆଉ ସମସ୍ତେ ମରିଉଡ଼ି ଯିବେ । ଯାବତୀୟ ପ୍ରତିଯୋଗିତା ଏବଂ ପ୍ରଦର୍ଶନପଟୁତା କୁଆଡ଼େ ଫସର ଫାଟିଯିବ ।

 

ଔପଚାରିକ ବର୍ଷଟି ଚାଲିଯିବା ପରେ ମଧ୍ୟ ଆମ ପୃଥିବୀ ଲାଗି ନାରୀବର୍ଷଟି ତଥାପି ଏକ ଆହ୍ୱାନ ରୂପେ ବର୍ତ୍ତମାନ ରହିଥିବ । ଆନ୍ତର୍ଜାତିକ ନାରୀବର୍ଷ କେବଳ ନାରୀମାନଙ୍କ ଲାଗିହିଁ ଗୋଟିଏ ବର୍ଷ ନୁହେଁ, ଏହା ନାରୀ ଓ ପୁରୁଷ ଆମ ଉଭୟଙ୍କ ଲାଗିହିଁ ଗୋଟିଏ ପ୍ରତୀକ-ବର୍ଷ ।

 

୧୦.୧୨.୧୯୭୫

(ନବରବି, ନବବର୍ଷ-ସଂଖ୍ୟା, ୧୯୭୬)

Image

 

ଆହୁରି ବଡ଼ ଆହୁରି ବଡ଼

 

ଯୁକ୍ତରାଜ୍ୟ ଆମେରିକା ସ୍ୱାଧୀନତା ଲାଭ କରିବାର ଏବେ ଦୁଇଶହ ବର୍ଷ ପୂରିଯିବା ଉପଲକ୍ଷେ ଆମେରିକାରେ କେତେ ପ୍ରକାରେ ଉତ୍ସବ ପାଳିତ ହେଲା । ସରକାର କେତେ ପ୍ରକାର ଉତ୍ସବ ମନାସିଲେ, ଗୌରବାନ୍ୱିତ ପ୍ରଜା ମଧ୍ୟ କେତେ ପ୍ରକାର ଉତ୍ସବ ମଣ୍ଡନା କରାଇଲେ । ଆମେରିକା ଏକଦା ଉପନିବେଶ ଥିଲା–ତେଣୁ ସ୍ୱାଧୀନତା ହାସଲ କରିବାର ସଂଗ୍ରାମ ଲଢ଼ିବାକୁ ଯାଇ ତାହାକୁ ସାମ୍ରାଜ୍ୟବାଦ ସହିତ ଲଢ଼ାଇ କରିବାକୁ ହୋଇଥିଲା । ସେଗୁଡ଼ାକ ବର୍ତ୍ତମାନ ଇତିହାସ ହୋଇରହିଲାଣି, କେତେ କେତେ ଜାଗାରେ ସ୍ମାରକ ପଥର ହୋଇରହିଲାଣି । ଦୁଇଶହ ବର୍ଷ ଭିତରେ ଆମେରିକା ଏକ ସ୍ଵାଧୀନଦେଶ ହିସାବରେ ଯେଉଁ ପଥଟିକୁ ଅତିକ୍ରମ କରିଆସିଛି, ସେହି ପଥର ନାନା ଲାଭ ଫଳରେ ତତ୍କାଳୀନ ଜନ୍ମ ଯନ୍ତ୍ରଣାଗୁଡ଼ାକୁ ହୁଏତ କୁଆଡ଼େ ପାଶୋରି ହୋଇଗଲାଣି । ସେ କାଳର ସଂଗ୍ରାମୀମାନେ ବି ହୁଏତ ଭୂତ ହୋଇସାରିଲେଣି । ବଡ଼ ଦେଶ ଆମେରିକାରେ ସେହିସବୁ ପ୍ରେରଣାମୟ ଗାଥା କ୍ରମେ ଏକଦା ଘଟିଥିବା ଗୋଟାଏ ଅତି ସାନ କଥା ପରି ହୋଇରହିଲାଣି ।

 

ସମ୍ବାଦପତ୍ରରୁ ଜଣାପଡ଼ିଲା ଯେ ଆମେରିକାର ସ୍ୱାଧୀନତାକୁ ସ୍ମରଣ କରିତାହାର ଦ୍ୱିଶତବାର୍ଷିକୀ ପାଳନ ସମୟରେ ଆମେରିକାର ଇତିହାସରେ ବୃହତ୍ତମ ପତାକାଟି ଏବେ ତିଆରି କରାଯାଇଥିଲା । ଏହାର ଆକାର ଗୋଟାଏ ଫୁଟ୍‍ବଲ ପଡ଼ିଆର ଆକାର ସହିତ ପ୍ରାୟ ସମାନ ହେବ । ପତାକାଟିର ଲମ୍ବ ୧୧୦ ମିଟର ଏବଂ ଓସାର ୬୦ ମିଟର । ଏହି ପତାକାଟିକୁ ତିଆରି କରିବାରେ ପ୍ରାୟ ଦେଢ଼ଟନ୍ ନାଇଲନ୍ କନା ଖର୍ଚ୍ଚ ହୋଇଥିଲା । ପତାକାଟି ପିଛା ମୋଟ ୭୫ ହଜାର ଡଲାର ଖରଚ କରାଯାଇଥିଲା । ପୁଣି ଏହାକୁ ଉଡ଼ାଇବା ଉଦ୍ଦେଶ୍ୟରେ ହିଁ କେତେକ ଉତ୍ସାହୀ ମଣିଷ ଏହାକୁ ତିଆରି କରିଥିଲେ ଏବଂ ନିଉୟର୍କ ସହରର ଗୋଟିଏ ବଡ଼ ପୋଲ ଉପରେ ଏହାକୁ ଉଡ଼ାଇବାଲାଗି ଆବଶ୍ୟକ ପ୍ରସ୍ତୁତିମାନେ ମଧ୍ୟ କରାଯାଇଥିଲା । ସମ୍ବାଦଟି ଅନୁସାରେ, ପ୍ରଥମ ପରୀକ୍ଷାରେ ହିଁ ଏହି ଯୋଜନା ବିଫଳ ହୋଇଥିଲା । କାରଣ ଟାଣୁଆ ପବନର ଗୋଟାଏ ଧକ୍‌କାରେ ହିଁ ପତାକାଟି ମଝିରୁ ଦୁଇଖଣ୍ଡ ହୋଇ ଫାଟିଯାଇଥିଲା ।

 

ପଶ୍ଚିମ ଜର୍ମାନୀର ବଡ଼ ବଡ଼ ସହରରେ ଏବେ ଦୋକାନମାନଙ୍କରେ ଏକ ଦୈତ୍ୟକାର ଆରାମ-ଚଉକୀର ପ୍ରଦର୍ଶନ କରାଯାଉଛି । ଏହାକୁ ସେଠି ହାତୀ ଆରାମଚଉକୀ କୁହାଯାଉଛି । କୁହାଯାଉଛି ଏକ ନିର୍ଦ୍ଧିଷ୍ଟ ଆକାର ଓ ଉଚ୍ଚତାର ଚେୟାର୍‍, ଟେବୁଲ ଓ ଅନ୍ୟାନ୍ୟ ଆସବାବ ବ୍ୟବହାର କରିକରିଆପଣାର ଗୃହାରଚରଣରେ ଠିକ୍ ଅନ୍ୟମାନଙ୍କ ପରି ଦିଶିଦିଶି ସେଠି କୁଆଡ଼େ କୁଆଡ଼େ ଅଭ୍ୟସ୍ତ ଜିନିଷଗୁଡ଼ାକ ପ୍ରତି କ୍ରମେ ଏକ ବିରକ୍ତି ପ୍ରକାଶ ପାଇଲାଣି । ବିକଳ୍ପରୂପେ ଲୋକେ କିଛି ଅପୂର୍ବ, ଅନନ୍ୟ ଓ ଅନଭ୍ୟସ୍ତ ଖୋଜୁଛନ୍ତି;-କିଛି ବିଚିତ୍ର ଖୋଜୁଛନ୍ତି ଏବଂ ବିକଳ୍ପ ଖୋଜି ଖୋଜି ସେମାନଙ୍କର ଉତ୍ସାହ ଏବଂ ସ୍ଵପ୍ନଗୁଡ଼ାକ ଏହି ହାତୀ ଆରାମଚେୟାର୍‍ ପାଖରେ ଯାଇ ପହଞ୍ଚିଛି । ହାତୀ ଆରାମଚେୟାର୍‍ର ଉଚ୍ଚତା ହେଉଛି ନଅଫୁଟ ଓ ଚଉଡ଼ା ହେଉଛି ସାଢ଼େ ସାତଫୁଟ । କୁଶନଗଦି ଛପର ହୋଇଉପରୁ ତଳଯାଏ ଖାଲି ଖାଲି ପଚପଚ ହେଉଛି । ଡେଙ୍ଗା ମଣିଷଠାରୁ ଅଧିକ ଡେଙ୍ଗା ହୋଇଛି ଏବଂ ଯେକୌଣସି ଚେୟାର୍‍ଟି ଯେକୌଣସି ପେଟୁଆ ମଣିଷଠାରୁ ନିଶ୍ଚୟ ଅଧିକ ପେଟୁଆ ହୋଇଛି । ତା’ ଉପରେ ମଣିଷଟିଏ ବସିଲାବେଳକୁ ସିଏ ସେଠି କୋଉଠି ଗୋଟିଏ କଣରେ ଯାଇ ଖପିଯାଉଛି ଓ ଏଡ଼େ ସାନଟିଏ ହୋଇଦେଖାଯାଉଛି ଯେ ସତେଅବା ଗୋଟିଏ ସାନମୂଷାଟି ପରିଦିଶୁଛି । କୋଉଯୁଗରେ ସିନା ମଣିଷପାଇଁ ତା’ର ଆସବାବପତ୍ର ତିଆରି ହେଉଥିଲା; ମାତ୍ର ଐଶ୍ୱର୍ଯ୍ୟ ବହୁଳତାର ଏହି ଯୁଗରେ ସତେ ଅବା ଆସବାବଗୁଡ଼ାକ ପାଇଁ ହିଁ ମଣିଷ ତିଆରି ହେବାରେ ଲାଗିଛି । ବଡ଼ ଆସବାବ ଭିତରେ ମଣିଷ ଆବଶ୍ୟକମତେ ସାନ ହୋଇପାରିଲେ ଯାଇ ତାହା ସଂପୃକ୍ତ ସମସ୍ତଙ୍କର ଆଖିକୁ ସୁନ୍ଦର ଦିଶିପାରୁଛି-। ଘର ଭିତରେ ମଣିଷଗୁଡ଼ାଙ୍କ ଅପେକ୍ଷା ଆସବାବ ଗୁଡ଼ାକ ବଡ଼ ହୋଇ ଦିଶିପାରିଲେ ଯାଇ ଘର ଘଟଣା ଦିଶିପାରୁଛି ।

 

ମଣିଷର ଆହୁରି ଅନେକ ଜିନିଷ ଦରକାର । ଆହୁରି ବଡ଼ ବଡ଼ ଜିନିଷ ଦରକାର, ଆହୁରି ବଡ଼ ବଡ଼ ସାମଗ୍ରୀ ଦରକାର । ସେ ଯେତେବେଳେ ତାର ଜିନିଷଗୁଡ଼ାକ ଦ୍ଵାରା ଏକାବେଳକେ ବୁଡ଼ିଯାଇପାରିବ, ଯେତେବେଳେ ସେ ତା’ର ସରଞ୍ଜାମଗୁଡ଼ାକ ଭିତରେ ଏପରି କାରିଗରିର ସହିତ ପୋତିହୋଇ ରହିଯାଇପାରିବ ଯେ ତା’ ସହିତ ପରିଚିତ ହୋଇ ତାକୁ ସଙ୍ଖୋଳିବାର ଆଉ କାହାରି ଜୁ’ ବି ନଥିବ, ମଣିଷ ଭାବୁଛି, ଅର୍ଥାତ୍ ଅନେକ ମଣିଷ ଭାବୁଛନ୍ତି ଯେ ସେତିକିବେଳେ ଯାଇ ମଣିଷ ଠିକ୍ ମଣିଷ ଭଳି ଦିଶିବ, ସେତିକିବେଳେ ଯାଇ ସିଏ ଗୋଟାଏ କିଛି ବୋଲି ଗଣା ହେବ । ଏଇଟାକୁ ଏବେ ଅନେକେ ଆଧୁନିକତା ବୋଲି କହୁଛନ୍ତି । ଆଧୁନିକତା ବୋଲି ଆପଣା ପାଖରେ ଆଉ କିଛିହେଲେ ଦେଖିବାକୁ ନପାଉଥିବାରୁ ହିଁ ସମ୍ଭବତଃ ସେମାନେ ଏଇଟାକୁ ହିଁ ଆଧୁନିକତା ବୋଲି କହୁଛନ୍ତି । ଏସବୁ ଆଗେ ନଥିଲା, ଏବେ ହେଲା; ତେଣୁ ଏହା ଆଧୁନିକତା, ଏହିପରି ଏକ ଯୁକ୍ତିଦ୍ୱାରା ପରିଚାଳିତ ହୋଇ ବୋଧହୁଏ ସେମାନେ ଏହାକୁ ଆଧୁନିକତା ବୋଲି କହୁଛନ୍ତି ।

 

ଆଧୁନିକ ମଣିଷର ସବୁକିଛି ବଡ଼ ଦରକାର, ଆହୁରି ବଡ଼ ଦରକାର । ଆହୁରି ଅଧିକ ଦରକାର, ସବୁକିଛି ଆହୁରି ଅଧିକ ଦରକାର । ଆହୁରି ବେଶୀ ଧନ ଦରକାର, ଆହୁରି କ୍ଷମତା ଦରକାର ଏବଂ ଆହୁରି ଅଧିକ ସମ୍ମାନ ବି ଦରକାର । ସଂସାରରେ ଯେଉଁ ମଣିଷମାନଙ୍କ ପାଖକୁ ଧନ ଆସିଛି, ଯେଉଁମାନେ କ୍ଷମତାରେ ଆସି ବସିଛନ୍ତି ଏବଂ ଯେଉଁମାନେ ଦରବାର ଗୋଟାକର ସବୁ ସମ୍ମାନକୁ ଆତ୍ମସାତ କରିପ୍ରୀତି ଅନୁଭବ କରିଛନ୍ତି, ସମ୍ଭବତଃ ସେହିମାନେ ହିଁ ଆମ ସଂସାରରେ ଏହିପରି ଏକ ହାଉଆକୁ ନୀତି ବୋଲି ଚଳାଇ ଦେଇଛନ୍ତି ଏବଂ ଯେଉଁପରି ଏକ ପୃଥିବୀରେ ସେମାନେ କ୍ରମେ ଆଦର୍ଶସ୍ଥାନୀୟ ବୋଲି ପ୍ରତିଷ୍ଠିତ ହୋଇଛନ୍ତି, ସେହି ପୃଥିବୀ ମଧ୍ୟ କ୍ରମେ ସେହି ହାଉଆଟାକୁ ହିଁ ଅସଲ ଜୀବନ ବୋଲି ମାନିବାକୁ ଆରମ୍ଭ କରିଛି । ତାହାହିଁ ରୀତି ହୋଇ ଚଳିଛି ।

 

ଏହି ଯୁଗକୁ ଅନେକ ଜାଣିବା ଶୁଣିବା ମଣିଷ ପ୍ରତିଦ୍ୱନ୍ଦିତାର ଯୁଗ ବୋଲି କହୁଛନ୍ତି । ପ୍ରତିଦ୍ୱନ୍ଦିତା କୁଆଡ଼େ ଏହି ପୁଞ୍ଜିବାଦୀ ସମାଜର ଅସଲ ମନ୍ତ୍ର ବୋଲି ପୁଞ୍ଜବାଦୀ ମଣ୍ଡପର ଅନେକ ବଡ଼ ବଡ଼ ପଣ୍ଡିତ ଶାସ୍ତ୍ରପ୍ରମାଣ ଦେଖାଇ ସାବସ୍ତ କରିଯାଇଛନ୍ତି । ମଣିଷ ଭିତରେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାର କୁଆଡ଼େ ଏକ ଜନ୍ମଜାତ ପ୍ରବୃତ୍ତି ରହିଛି ବୋଲି ଜୀବନକୁ ବୈଜ୍ଞାନିକମାନଙ୍କ ଆଖିରେ ଖେଳେଇ ଉଖାରି ଦେଖୁଥିବା ପ୍ରବୀଣମାନେ ଘୋଷଣା କରିଛନ୍ତି । ଯେଉଁମାନେ ଇତରପ୍ରାଣୀଙ୍କୁ ପ୍ରୟୋଗଶାଳା ଭିତରେ ଦେଖି ସେଇଥିରୁ ମନୁଷ୍ୟର ପ୍ରକୃତିର ନିରୂପଣ କରିବାକୁ ବିଦ୍ୟା ବୋଲି ମଣନ୍ତି, ସେମାନେ ହିଁ ଅଧିକ ଦୃଢ଼ ଭାବରେ ତାହା ଘୋଷଣା କରିଛନ୍ତି । ଏହି ପ୍ରତିଦ୍ୱନ୍ଦିତାର ଉତ୍ସାହଟି କାଳକ୍ରମେ ବ୍ୟକ୍ତି ସ୍ତରରୁ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ସମୂହ-ସ୍ତରରେ ଆସି ପ୍ରକ୍ଷେପିତ ହୋଇଛି । ଏଣୁ, ଆଜି ଜାତି ସହିତ ଜାତି ପ୍ରତିଦ୍ୱନ୍ଦିତା କରୁଛି, ଦେଶ ସହିତ ଦେଶ ପ୍ରତିଦ୍ୱନ୍ଦିତା କରୁଛି । ସାହିତ୍ୟ, ସଂସ୍କୃତି, ଧର୍ମ, ଭାଷା ପ୍ରଭୃତିର ସୁସ୍ୱାଦୁ ପାଚନମାନ ସଂଗ୍ରହକରି ଜାତିବାଦୀମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରାଷ୍ଟ୍ରଗୁଡ଼ିକ ରାଷ୍ଟ୍ର ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଖାଲି ଅସ୍ତ୍ର ଶସ୍ତ୍ରରେ ଓ ରାଜନୀତିକ ବୁଦ୍ଧି ଓ ବିଚକ୍ଷଣତାରେ ନୁହେଁ, ମାତ୍ର ଚାଲାଖରେ ପ୍ରତିଦ୍ୱନ୍ଦିତା କରୁଛନ୍ତି, ଧୂର୍ତ୍ତତାରେ ପ୍ରତିଯୋଗୀତା କରୁଛନ୍ତି । ଭୁତେଇବାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

 

ଆମ ସେ ଯୁଗରେ ମଧ୍ୟ ପ୍ରତିଦ୍ୱନ୍ଦିତା ଥିଲା । ଅଧିକରୁ ଅଧିକ ଯୋଗ୍ୟ ହେବାକୁ ପ୍ରତିଦ୍ୱନ୍ଦିତା କୁହା ଯାଉଥିଲା । ଅଧିକ ଯୋଗ୍ୟହେଲେ ତାହାର ସ୍ୱୀକୃତି ମିଳୁଥିଲା । ବର୍ତ୍ତମାନ ମୁଖାଗୁଡ଼ାକରେ ପ୍ରତିଦ୍ୱନ୍ଦିତା ଚାଲିଛି, କିଏ କେଡ଼େବଡ଼ କୋଳାହଳ କରିପାରିବ, ସେଇଥିରେ ପ୍ରତିଦ୍ୱନ୍ଦିତା ଚାଲିଛି । ଆଗେ ତପଶ୍ଚର୍ଯ୍ୟାରେ ପ୍ରତିଦ୍ୱନ୍ଦିତା ହେଉଥିଲା, ଏବେ ପୋଲା ହେବାରେ ପ୍ରତିଦ୍ୱନ୍ଦିତା ହେଉଛି । ଯିଏ ଯେଡ଼େ ପୋଲା ହୋଇପାରୁଛି, ସିଏ ପ୍ରତିଦ୍ୱନ୍ଦିତାରେ ସେତେବଡ଼ ବିଜୟୀ ହୋଇ ଦିଶିପାରୁଛି । ମଣିଷ ଜାଣି ସାରିଲାଣି ଯେ ଭିତରେ ପୋଲା ହୋଇପାରିଲେ ଉପରର ଫଳଗୁଡ଼ାକ ସେତିକି ବଡ଼ ହୋଇଦେଖାଯିବ ଓ ତେଣୁ ସେତିକି ସ୍ୱୀକୃତି ଲାଭ କରାଯାଇପାରିବ । ଯେତେବେଳେ ସ୍ୱାଧୀନତାର ସଂଗ୍ରାମୀ ଲଢ଼ାଯାଏ, ସେତେବେଳେ ସଂଗ୍ରାମୀମାନଙ୍କର କୌଣସି ରାଷ୍ଟ୍ର ନଥାଏ, କେବଳ ଏକ ସ୍ୱପ୍ନ ରହିଥାଏ । କେତେକ ନୂତନ ମୂଲ୍ୟକୁ ପ୍ରତିଷ୍ଠିତ କରାଇ ମଣିଷକୁ ସିଧା କରିଠିଆ କରାଇବା ସକାଶେ ହିଁ ସେତେବେଳେ ସଂଗ୍ରାମଟି ଲଢ଼ା ହେଉଥାଏ । ସଂଗ୍ରାମ ସଫଳ ହୁଏ, ବିଜୟୀମାନେ ସିଂହାସନ ଲାଭ କରନ୍ତି, ଦରବାରୀ ହୁଅନ୍ତି; ଏବଂ ତା’ପରେ ମୂଲ୍ୟଗୁଡ଼ାକ ହାଉଆରେ ଉଡ଼ିଯାଏ, ସ୍ଵପ୍ନଗୁଡ଼ାକ ରାତି ପାହିଲା ମାତ୍ରକେ ସତେ ଅବା ଅନ୍ତର୍ହିତ ହୋଇଯାଆନ୍ତି । ସଂଗ୍ରାମୀମାନେ ବଡ଼ ଦିଶିବାକୁ ପୋଲା ହେବାଲାଗି ଚେଷ୍ଟା କରନ୍ତି । ସେତେବେଳେ ବଡ଼ କୋଠାଗୁଡ଼ାକ ଉପରେ ବଡ଼ ପତାକାମାନ ଉଡ଼ାଯାଏ, ବଡ଼ ବଡ଼ ଯୋଜନାମାନ କରାଯାଏ, କଥାରେ ହିଁ ଲକ୍ଷ୍ମୀ ଫଳନ୍ତି,-କ୍ଷମାତାସୀନମାନେ ଅଧିକ କ୍ଷମତା ଭିତରେ ହିଁ କାମୋତ୍ତାପନ ଲୋଡ଼ୁଥାନ୍ତି । ସେତିକିବେଳେ ପତାକାଗୁଡ଼ାକ ବଡ଼ ହୋଇଦିଶିଲେ ଛାତି କୁଣ୍ଢେମୋଟ ହୋଇଯାଏ । ଯେଉଁ ସଂସାରକୁ ସତେଅବା ଗୋଟାଏ ଫୁଟ୍‍ବଲ୍‍ ପଡ଼ିଆ ମଣି ସେମାନେ କନ୍ଦୂକକ୍ରୀଡ଼ା କରୁଥାନ୍ତି ସେହି ଫୁଟ୍‍ବଲ୍ ପଡ଼ିଆର ମାପରେ ପତାକା ତିଆରି ହୁଏ । ସେତେବେଳେ ହୁଏତ ସ୍ୱାଧୀନତା ଓ ସଂଗ୍ରାମର ଜୟଜୟକାର ନାମରେ ସେମାନେ ଖାସ୍ ସେହିମାନଙ୍କର ହିଁ ଜୟଜୟକାର ଶୁଣିବାକୁ ପାଆନ୍ତି । ଏବଂ ଜଣେ କାମାର୍ତ୍ତ ମଣିଷ ଲାଗି ତାଠାରୁ ବଳି ଉପଲବ୍ଧି ଆଉ କ’ଣ ହୋଇପାରେ ।

 

ପତାକାଗୁଡ଼ିକୁ ବଡ଼ କରିଉଡ଼ାଇବାକୁ ମଣିଷ ସ୍ୱାଧୀନ ହୁଏନାହିଁ, ଚାଟୁକାରିତାଗୁଡ଼ାକୁ ଆହୁରି ଆକର୍ଷକ କରାଇ ପଦାସୀନ ମାନଙ୍କର ମନୋରଞ୍ଜନ ଲାଗି ମଣିଷ ସ୍ଵାଧୀନ ହୁଏନାହିଁ, ମୁଖାଗୁଡ଼ାକୁ ବିଦ୍ୟୁତ୍ ଚାଳିତ ଓ ସ୍ୱୟଂକ୍ରିୟ କରିଦେଖାଇବାକୁ ମଣିଷ ସ୍ଵାଧୀନ ହୁଏନାହିଁ । ଯେକୌଣସି ପତାକାଠାରୁ ଯେ ମଣିଷ ବଡ଼, ନିଜର ଜୀବନରେ ଅର୍ଥାତ୍ ନିଜର ତପଶ୍ଚାରଣା ମଧ୍ୟରେ ତାହାକୁ ଅନୁଭୂତି-ସମ୍ପଦରେ ପରିଣତ କରିବାଲାଗି ହିଁ ମନୁଷ୍ୟ ସ୍ଵାଧୀନ ହୁଏ । ଯେକୌଣସି ରାଷ୍ଟ୍ରଠାରୁ ଯେ ମଣିଷ ଅନେକ ବଡ଼ ଏହି ସତ୍ୟଟିର ଉପଲବ୍ଧି କରିବାକୁ ହିଁ ମଣିଷ ଆପଣାକୁ ଏକ ରାଷ୍ଟ୍ରର ନାଗରିକ ରୂପେ ପରିଚିତ କରାଇଥାଏ । ମୁଖାଗୁଡ଼ାକୁ ଖସାଇ ପକାଇବାକୁ ମଣିଷ ସ୍ଵାଧୀନ ହୁଏ, ସବୁ ମଣିଷଙ୍କୁ ଆପଣାର ସହଚାରୀ ରୂପେ ସ୍ୱୀକାର କରିନେବାକୁ ହିଁ ମଣିଷ ସ୍ଵାଧୀନ ହୁଏ । ଆପଣାର ଦେଶ କହିଲେ ପ୍ରଧାନତଃ ଏହି ସଖ୍ୟସ୍ଥାପନର ସମ୍ବନ୍ଧଟିକୁ ବୁଝି ପାରିବାକୁ ହିଁ ମଣିଷ ସ୍ଵାଧୀନ ହୁଏ । କୌଣସି ରାଷ୍ଟ୍ରର ଦରବାରରେ ଶୂକପକ୍ଷୀମାନେ ଏଗୁଡ଼ିକୁ ଆଦୌ ରଟୁନଥିଲେ ମଧ୍ୟ ଏହିଗୁଡ଼ିକ ହିଁ ପ୍ରକୃତରେ ସତ୍ୟ ।

 

ହେନରି ଡେଭିଡ୍ ଥୁରୋ ଏକଦା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ନାଗରିକ ଥିଲେ । ସେହି ଆମେରିକାରେ ତାଙ୍କର ଜନ୍ମ ହୋଇଥିଲା । ସେଇଠି ସିଏ ପାଠ ପଢ଼ିଥିଲେ, ମଣିଷର ପରିପକ୍ୱ ଦୃଷ୍ଟିରେ ଜଗତକୁ ଓ ମନୁଷ୍ୟର ନିୟତିକୁ ଅବଲୋକନ କରିବାର ସାମର୍ଥ୍ୟ ଲାଭ କରିଥିଲେ । ସେହି ପରିପକ୍ୱ ଦୃଷ୍ଟିରେ ସେ ମଣିଷକୁ ତା’ ରାଷ୍ଟ୍ରଠାରୁ ବଡ଼ ବୋଲି ଆବିଷ୍କାର କରିଥିଲେ । ଏବଂ ସେହି ଆବିଷ୍କାରକୁ ଏକ ସତ୍ୟରୂପେ ବଞ୍ଚିବାର ଜିଦ୍‍ ରେ ସେ ତାଙ୍କ ଦେଶର ଏକ ସ୍ୱାଧୀନତା ଦିବସରେ ସ୍ଵୀକୃତ ଜୀବନର ବସତିକୁ ଛାଡ଼ି ଆପଣାର ଏକ ଏକାନ୍ତ ନିବାସକୁ ଚାଲି ଯାଇଥିଲେ । ସେଠାରେ ସେ ମୁକ୍ତ ହୋଇରହିଲେ । ମୁକ୍ତ ମଣିଷ କଦାପି କାହାକୁ ଘୃଣା କରେନାହିଁ । ମୁକ୍ତ ମଣିଷ ସମଗ୍ର ଜୀବନର ପରିଚୟ ପାଏ । ଏକାନ୍ତବାସରେ ରହିଥିବା ସମୟରେ ଥୁରୋ ମଣିଷ ପ୍ରତି କୌଣସି ଘୃଣା ପ୍ରକଟ କରିନାହାନ୍ତି । ମଣିଷକୁ ଆଡ଼େଇ ଦେଇ ସେ ପ୍ରକୃତିକୁ ଏକ ଆଶ୍ରୟ ଗହ୍ୱର ବୋଲି କଦାପି କହିନାହାନ୍ତି । ଅନେକ ସଂସାର ବୈରାଗୀ ଯତି ଯେପରି ଏକ ଆଧାରଭୂତ ଈର୍ଷାକୁ ସମ୍ବଳ କରିଧରି ସଂସାରରୁ ଆଡ଼େଇ ହୋଇଯାଆନ୍ତି, ଥୁରୋ ସେପରି କରିନାହାନ୍ତି ।

 

ମଣିଷ ଲାଗି ଦେଶ ଦରକାର, ମଣିଷ ଲାଗି ରାଷ୍ଟ୍ର ଦରକାର । ମଣିଷ ଲାଗି ହିଁ ରାଜନୀତି ଦରକାର । ଏବଂ ମଣିଷକୁ ବଡ଼ରୁ ଆହୁରି ବଡ଼ କରିଗଢ଼ିବା ଲାଗି ଏହି ସବୁଯାକ କଥା ଦରକାର । ମଣିଷକୁ ବଡ଼ କରିପ୍ରତିଷ୍ଠିତ କରିବାକୁହିଁ କ୍ଷମତା ଦରକାର, ଶକ୍ତି ଦରକାର, ଜ୍ଞାନଶକ୍ତି ଦରକାର, ରାଷ୍ଟ୍ରଶକ୍ତି ଦରକାର, ନେତୃତ୍ୱ-ଶକ୍ତି ବି ଦରକାର । ଏହିପରି ଏକ ପରିବେଶ ସୃଷ୍ଟି କରିବାର ଏକ ଅନ୍ତର୍ଗତ ନିଷ୍ଠାଠାରୁ ମଣିଷ ବର୍ତ୍ତମାନ ଦୂରରେ ରହିଛି । ନେତାମାନେ ମଣିଷଠାରୁ ବି ଆହୁରି ପଛରେ ରହିଛନ୍ତି । ମଣିଷ ହେବାର ଭରସାକୁ ହରାଇ ବସିଥିବାରୁ ସେମାନେ ଆପଣାର ମୁଖାଗୁଡ଼ାକ ଉପରେ ନିଜ ଭିତରର ପୋଲାଗୁଡ଼ାକ ଉପରେ ଆଉ ଏତେ ଭରସା କରିଛନ୍ତି କି ? ଦେଶ ବା ଜାତି କହିଲେ କେବଳ ଆତ୍ମବୃଦ୍ଧିର ଏକ ଆଚ୍ଛାଦନକୁହିଁ ବୁଝିନଥିବାରୁ ସେମାନେ ପତାକାଗୁଡ଼ାକୁ ନେଇ ଏପରି ଉତ୍ସାହିତ ଓ ଉତ୍ତପ୍ତ ହୋଇରହିଛନ୍ତି କି ?

 

(ପ୍ରଗତିବାଦୀ-ସାହିତ୍ୟ ବିଶେଷାଙ୍କ-୧୯୭୬)

Image

 

କିମାଶ୍ଚର୍ଯ୍ୟମ୍

 

ଆଖି ଫିଟାଇ ଦେବା ମାତ୍ରକେ ସଂସାରରେ ଯୋଉଟା ସତେ ଅବା ଜଳ ଜଳ ହୋଇ ଦିଶିଯାଏ ଅଥଚ ଆଖିଥିବା ଅନେକ ମଣିଷ ‘ଏଇଟା କ’ଣ ଏଇଟା କ’ଣ’ ବୋଲି କୋଳାହଳ କରିବାରେ ଲାଗିଥାନ୍ତି, ବେଳେବେଳେ ସଂସାରର ଅନେକ ଆଶ୍ଚର୍ଯ୍ୟ ମଧ୍ୟରୁ ତାହାକୁ ହିଁ ଏକ ଅନ୍ୟତମ ବୃହତ୍‌ ଆଶ୍ଚର୍ଯ୍ୟ ବୋଲି କହିବାକୁ ପଡ଼ିଥାଏ । ବୀରବଲ୍‍ କୁଆଡ଼େ ଠିକ୍ ଏହି କଥାଟିକୁ ଆକବର ବାଦଶାହଙ୍କୁ ଦୃଷ୍ଟାନ୍ତ ଦେଇ ଦେଖାଇ ଦେଇଥିଲେ ଓ ସଂସାରର ଅନେକ ଲୋକଙ୍କର ନିର୍ବୋଧତା ବିଷୟରେ ତାଙ୍କୁ ସଚେତନ କରାଇ ଦେବାକୁ ଇଚ୍ଛା କରିଥିଲେ । ସାଧୁଭାଷାରେ ଯାହାକୁ ନିର୍ବୋଧତା ବୋଲି କୁହାଯାଏ, କଥିତ ଚଳଣି ଅନୁସାରେ ହୁଏତ ତାହାକୁ ହିଁ ଜାଣିସିଆଣିଆ ହେବା ବୋଲି ବୁଝିବାକୁ ପଡ଼ିଥାଏ ।

 

ଦେଶ କହିଲେ ଅନେକ ମଣିଷ ଅନେକ କଥା ବୁଝନ୍ତି । କିଏ ସୁଦର ଚଉହଦୀଟାକୁ ବୁଝେ, ଅର୍ଥାତ୍ ଉତ୍ତରରେ ଅମୁକ ପୂର୍ବରେ ଅମୁକ, ପଶ୍ଚିମରେ ସମୁକ ଏବଂ ଦକ୍ଷିଣରେ ଆଉ ଗୋଟାଏ କ’ଣ ଅଛି ବୋଲି ସ୍ମରଣକରେ ଓ ସେଇଥିରୁ ଉଲ୍ଲସିତ ଅନୁଭବ କରେ । କିଏ ଦେଶ ବୋଲି କହି ଦେଶର ଆକାଶଟା ଏତେବଡ଼ ଓ ସମୁଦାୟ ବିଶ୍ୱରେ କେଡ଼େ ଅନନ୍ୟ ବୋଲି ଫୁଲାଇ ହେବାରେ ଲାଗିଥାଏ । ଦେଶ କହିଲେ ଆଉ କିଏ ଉଚ୍ଚତମ ପାହାଡ଼ ସାଗରଯାଏ ଲମ୍ବିକରିରହିଥିବା ଭୂମି, ଅରଣ୍ୟ, ହ୍ରଦ; ପ୍ରପାତ ଓ ପ୍ରାନ୍ତର କେତେ କ’ଣର ସୁମାରି କରିଥାଏ । ଆଉ କିଏ ଗୋଟିଏ ନିର୍ଦ୍ଦିଷ୍ଟ ପତାକାକୁ ଝୁରିହୁଏ ଅଥବା ଗୋଟିଏ ନିର୍ଦ୍ଦିଷ୍ଟ ସ୍ୱନିର୍ବାଚିତ ସଙ୍ଗୀତକୁ ଜାତୀୟ ସଙ୍ଗୀତ ବୋଲି କହି ସତେ ଅବା କେଡ଼େ ଗର୍ବରେ ଘୁମୁରି ହେବାରେ ଲାଗିଥାଏ । ଦେଶ ବୋଲି ଗୋଟାଏ ସ୍ୱତନ୍ତ୍ର କଳ୍ପନା କରିଶିଖିବାର ଦିନଠାରୁ ଆମ ପୃଥବୀର ଅଧିକାଂଶ ମଣିଷ ଓ ପ୍ରାୟ ସବୁଯାକ ନାୟକ ଦେଶ କହିଲେ ଯେ କେବଳ ଏତିକିକୁ ବୁଝିଛନ୍ତି, ତାହା ହିଁ ଆମ ଏଯୁଗରେ ପୃଥିବୀର ଏକ ବଡ଼ ଆଶ୍ଚର୍ଯ୍ୟ ନୁହେଁକି ?

 

ଦେଶ କହିଲେ ଆଉ କେତେ ମଣିଷ କେବଳ ରାଷ୍ଟ୍ରକୁହିଁ ବୁଝନ୍ତି । ଦେଶର ଭାବନା ରାଷ୍ଟ୍ରର ଭାବନାଠାରୁ ଯେ ଅଧିକ ପ୍ରଶସ୍ତ ହୋଇପାରେ, ସେମାନେ ସେହି କଥାଟିକୁ ସ୍ୱୀକାର କରିବାକୁ ମୋଟେ ରାଜି ହୁଅନ୍ତିନାହିଁ । ଭାରତୀୟ ପଣ୍ଡିତ କୌଟିଲ୍ୟଙ୍କର ‘ଅର୍ଥଶାସ୍ତ୍ର’ରେ ଶାସନ କହିଲେ ଯେପରି ମୂଳତଃ ରାଜାର ମଙ୍ଗଳ ଓ କଲ୍ୟାଣକୁ ବୁଝାଇ ଆସିଛି, ରାଷ୍ଟ୍ରର ଲାଙ୍ଗୁଳଗୁଡ଼ାକୁ ଆପଣା ହାତରେ ଧରିଥିବା ଅନେକ ବିଚିତ୍ର ବୀର୍ଯ୍ୟ ମଣିଷ ସେହିପରି ଦେଶ କହିବା ମାତ୍ରକେ ହିଁ କେବଳ ରାଷ୍ଟ୍ରକୁ ମନେପକାଇ ଆସିଛନ୍ତି । ନେପୋଲିଅନ ଫ୍ରାନ୍‍ସ କହିଲେ ଅବଶ୍ୟ ସର୍ବାଦୌ ଓ ସର୍ବୋପରି କେବଳ ଆପଣାକୁ ହିଁ ବୁଝିଥିବେ । ଆପଣାର ଥାଟ ଓ ଆପଣାର ଯାବତୀୟ ସାଜଗୁଡ଼ାକୁ ହିଁ ବୁଝିଥିଲେ । ଆମ ପୃଥିବୀର ରାଜନୀତିରେ ଆଜି ମଧ୍ୟ ଅଧିକାଂଶତଃ ଆମର ଚେତନା ପ୍ରାୟ ଏହି ପର୍ଯ୍ୟନ୍ତ ଆସିଛି । ତେଣୁ ଜାତୀୟତା ଓ ରାଷ୍ଟ୍ରୀୟତା ଭିତରେ ଆଜି ମଧ୍ୟ କନ୍ଦଳ ଲାଗିଛି । ରାଷ୍ଟ୍ରୀୟତା ଆପଣାର ସୈନବଳ ଦେଖାଇ ଜାତୀୟତାକୁ କେତେ ପ୍ରକାର ଦବାଇରଖିବାକୁ ଚେଷ୍ଟାକରୁଛି, ତଥାପି ଜାତୀୟତାହିଁ ପୃଥିବୀରେ ସଂଖ୍ୟାଧିକ ମଣିଷଙ୍କର ହୃଦୟ ଭିତରେ ବିକଶିତ ହେବାରେ ଲାଗିଛି । ରାଜନୀତି ଓ ଅରାଜନୀତିର କୌଣସି ଭେଦନ୍ୟାୟ ନ ମାନି ଜାତୀୟତା ନିଜକୁ ବିକଶିତ କରାଇଆଣିଛି । ମୁକ୍ତିମଣ୍ଡପର ଶାସ୍ତ୍ରଧାରୀ ପଣ୍ଡିତମାନଙ୍କର ପରି ରାଷ୍ଟ୍ରୀୟତା କେତେ ଯୁକ୍ତ ଓ ଅଯୁକ୍ତର ଆୟୁଧ ଧରି ଲଢ଼ିବାହାରିଛି,-ତଥାପି ଖୋଳ ପରେ ଖୋଳ ଖସିପଡ଼ିଛି ସତ, ମାତ୍ର ଜାତି ରହିଛି, ଜାତୀୟତା ରହିଛି ଏବଂ ସତ୍ୟ ସ୍ଥିର ହୋଇରହିଛି ।

 

ଦେଶ କହିଲେ ଆମ ଦେଶରେ ବାସ କରୁଥିବା ମଣିଷମାନଙ୍କୁ ବୁଝାଏ । କୌଣସି ରାଷ୍ଟ୍ରରେ ନାଗରିକକୁ ଯଦି ସର୍ବ ପ୍ରଥମ ଏକକ ବୋଲି ଧରାଯାଏ, ତେବେ ଯେକୌଣସି ଦେଶରେ ସେଠାରେ ବାସ କରୁଥିବା ପ୍ରତ୍ୟେକ ମଣିଷକୁ ହିଁ ସର୍ବପ୍ରଥମ ଏକକ ବୋଲି ଧରାଯିବ । ମଣିଷ ବୋଲି କହିଲେ ରାଜନୀତି ଆମ ସଜ୍ଞାଟିକୁ ଅବଶ୍ୟ ସ୍ୱୀକାର କରିବ; ମାତ୍ର ପ୍ରତ୍ୟେକ ମଣିଷ ବୋଲି କହିବା ମାତ୍ରକେ କେତେ ପ୍ରକାରେ କୁଣ୍ଠିତ ହୋଇବସିବ ପୁଣି ଶାସ୍ତ୍ର ଫିଟାଇ ଏଇଟାକୁ ଠିକ୍ ଓ ସେଇଟାକୁ ଅଠିକ୍ ବୋଲି କହିବ । ସମର୍ଥକ ଶାସ୍ତ୍ରଗୁଡ଼ାକୁ ଧର୍ମ ବୋଲି କହିବ; କଲାମ ବୋଲି କହିବ । ଏପରିକି ବିଧାନ ଏବଂ ସଂବିଧାନ ବୋଲି ବି କହିବ । ସଂବିଧାନ କହିଲେ ଯେ ମଣିଷ ତିଆରି ଏକ ବିଧାନକୁ ବୁଝାଏ, ସେ କଥାକୁ ସହଜରେ ସ୍ୱୀକାର କରିବନାହିଁ । ଦେବତା କହିଲେ ମଣିଷ ତିଆରି ଏକ ମୂର୍ତ୍ତିକୁ ବୁଝାଏ ଓ ଧର୍ମ କହିଲେ ମଣିଷ ବା କେତେକ ମଣିଷ ନିର୍ଦ୍ଧାରିତ କରିରଖିଥିବା ଏକ ମାର୍ଗକୁ ବୁଝାଏ ବୋଲି ମୂର୍ତ୍ତିପୂଜକ ଏବଂ ଧର୍ମ ଘରର ଅଧିପତିମାନେ କାଳେ କାଳେ ସ୍ୱୀକାର କରିବାକୁ ଅରାଜୀ ହୋଇଛନ୍ତି । ମୂର୍ତ୍ତି ନାଆଁରେ ଓ ଧର୍ମ ନାଆଁରେ ସେମାନେ କଞ୍ଚା ମଣିଷଗୁଡ଼ାକୁ ନେଇ ବଳିଦେଇଛନ୍ତି ପଛକେ ମାତ୍ର ତେବେ ସୁଦ୍ଧା ରାଜିହୋଇନାହାନ୍ତି । ଯୁଗଟା ଏକା ବେଳକେ ଓଲଟି ପଡ଼ି ପରିଶେଷରେ ସେମାନଙ୍କୁ ଗ୍ରାସ କରିପକାଇବା ପର୍ଯ୍ୟନ୍ତ ସେମାନେ ତଥାପି ଅନମନୀୟ ହୋଇରହିଛନ୍ତି । ରୀତିଗୁଡ଼ାକୁହିଁ ଅସଲ ବୋଲି ମାନିଛନ୍ତି । ଅସଲଗୁଡ଼ାକ ଅଛି ବୋଲି ମାନିବାକୁ ବି ସେମାନଙ୍କର ଆଉ ସାହାସ ପାଇନାହିଁ । ଯେତିକି ସମ୍ଭବ ହୋଇପାରିଲା ସେତିକିକୁ ହିଁ ସମ୍ଭାବ୍ୟ ବୋଲି ମାନିନେଇଛନ୍ତି । ସମ୍ଭାବ୍ୟର ଯାବତୀୟ ସ୍ୱପ୍ନକୁ ସେମାନେ ଅନାବଶ୍ୟକ ବୋଲି ଘୋଷଣା କରିଛନ୍ତି, ଏବଂ ଅନ୍ୟ ସ୍ଵପ୍ନ ଦେଖୁଥିବା ପ୍ରାୟ ସମସ୍ତଙ୍କୁ ଦିଗଭ୍ରଷ୍ଟ ଏବଂ ଦୂରାଚାରୀ ବୋଲି କହିଛନ୍ତି ।

 

ଇତିହାସକୁ ଯୁଗେ ଯୁଗେ ଯେଉଁମାନେ ସଜାଡ଼ିବାକୁ ଅର୍ଥାତ୍ ବିଗାଡ଼ିବାକୁ ଆସିଛନ୍ତି, ଆହୁରି ଅଧିକ ସ୍ପଷ୍ଟ କରିକହିଲେ ଯେଉଁମାନେ ଆପଣା ଗାଦିଟାକୁ ହିଁ ଇତିହାସର ଏକମାତ୍ର ଡିହ ବୋଲି ଘୋଷଣା କରିଛନ୍ତି, ସେମାନେ ସମସ୍ତେ ପ୍ରାୟ ଏକମତ ହେଲା ପରି ଦେଶ କହିଲେ ନ୍ୟାୟ କହିଲେ ଓ ନୀତି କହିଲେ କେବଳ କେତେକ ମଣିଷକୁହିଁ ବୁଝିଛନ୍ତି । ସେମାନେ ସାମ୍ରାଜ୍ୟ ସ୍ଥାପନ କରିଛନ୍ତି ଦୁର୍ଜନ ବିନାଶ କରିବାହାରିଛନ୍ତି, ଲକ୍ଷ୍ମୀ ଅର୍ଜିଛନ୍ତି ସ୍ତୁତି ଓ ପ୍ରଶସ୍ତି ମଧ୍ୟ ଅର୍ଜିଛନ୍ତି, ଚାଟୁକାର ପାଳିଛନ୍ତି–ତଥାପି ସତେ ଅବା କେତେ କ’ଣ ଭୟର ଅଧୀନ ହୋଇରହି ସବୁ ମଣିଷଙ୍କୁ ଦେଶ ବୋଲି ଗଣନା କରିପାରିନାହାଁନ୍ତି ପୃଥିବୀରେ ଆଜି ତଥାକଥିତ ଅଧିକ ଭାଗରେ ସବୁ ମଣିଷ, ମଣିଷ ବୋଲି ଗଣା ହେଉନାହାଁନ୍ତି । ପ୍ଲେଟୋଙ୍କ କାଳରୁ ଆମେ ଆଜି ପର୍ଯ୍ୟନ୍ତ କେବଳ କେତେକ ମଣିଷଙ୍କୁ ନେଇ ଅନୁରକ୍ତ ଆନୁଗତ୍ୟ ଏବଂ ଆଦର୍ଶନିଷ୍ଠା ଗୁଡ଼ାକର ଗଣାପୋଛା ହେବାରେ ଲାଗିଛି-। ଆମ ସଂସାରରେ ବିଦ୍ୟା ବଢ଼ିଛି, ବିଜ୍ଞାନ ବଢ଼ିଛି, କୁଆଡ଼େ ବିଚାର ମଧ୍ୟ ବଢ଼ିଛି, ମାତ୍ର ତଥାପି ଅଧିକାଂଶ ବିଦ୍ୱାନ, ଅଧିକାଂଶ ବିଜ୍ଞାନୀ ଏବଂ ଅଧିକାଂଶ ବିଚାରସ୍ଥ ବ୍ୟକ୍ତି ଆପଣାକୁ ଅନେକ ଦ୍ୱୀପ ଭିତରେ ସତେ ଅବା ଏକ ଅନ୍ୟତମ ଅଥଚ ଏକ ବିଶିଷ୍ଟ ଦୀପ ବୋଲି ଦେଖି ଆସିଛନ୍ତି । ବୈଦ୍ୟମାନେ ପଥ୍ୟ ଅପେକ୍ଷା ନିଷେଧଗୁଡ଼ାକ ବିଷୟରେ ଅଧିକତର ନିଷ୍ଠାବାନ ହୋଇରହିଥିବା ପରି ସେମାନେ ସତେଅବା ବର୍ଜନଗୁଡ଼ାକୁହିଁ ସୂତ୍ର ବୋଲି ଧରି ନେଇଛନ୍ତି, ବୈଚିତ୍ର୍ୟ ଗୁଡ଼ାକୁ ଚିତ୍ରଟିର ବାହାରେ ରଖିବାକୁ ନିରାପଦ ମଣିଛନ୍ତି । ଯୁଗର ପ୍ରଭାବଗୁଡ଼ାକୁ ସତେଅବା ଭାରି ପ୍ରମତ୍ତ କରିପକାଇଛନ୍ତି; ଏବଂ ପ୍ରମତ୍ତତାକୁ ପ୍ରୀତି ବୋଲି ମାନିନେଇଛନ୍ତି । ଜାତିନାମରେ ଓ ଦେଶ ନାମରେ କେତେ ପ୍ରମତ୍ତତାକୁ ପ୍ରଶୟ ଦେଇଛନ୍ତି । ତାହାକୁ ପ୍ରାୟ ଧର୍ମର ହିଁ ଏକ ନିକୃଷ୍ଟ ଅନୁକୃତି କରିରଖିଛନ୍ତି । ସୌହାର୍ଦ୍ଦ୍ୟର ପ୍ରଚାର କରିନିଦା ପଥର ହୋଇରହିବାକୁ ଚେଷ୍ଟା କରିଛନ୍ତି; ନିଷ୍ଠାର କଥାକୁ ହିଁ କୂଟନୀତି ଗୁଡ଼ାକୁହିଁ ଏକମାତ୍ର ନୀତି ବୋଲି ଚଳାଇ ନେଇଛନ୍ତି, ଯାବତୀୟ ମୂଲ୍ୟର ଏକ ଅବମୂଲ୍ୟନ କରାଇ ଆଣି ତାହାକୁହିଁ ଉତ୍କର୍ଷ ବୋଲି କହିବାର ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି ଏବଂ ମଣିଷକୁ ହିଁ ଅତ୍ୟନ୍ତ ନିର୍ମମ ଓ ସୁଯୋଜିତ ଭାବରେ ବଞ୍ଚିତକରି ରଖିଛନ୍ତି । ମୁଖାଗୁଡ଼ାକରୁ ଆପଣାକୁ ମଧ୍ୟ ଚିହ୍ନୁଥିବାରୁ ଏବଂ ବାହାନ ତଥା ଆୟୁଧ ଗୁଡ଼ାକରୁ ହିଁ ଦେବଦେବୀମାନଙ୍କୁ ଚିହ୍ନିବାର ବେଅକଲପଣ ଦେଖାଉଥିବାରୁ ସେମାନେ ଇତିହାସରେ ସତେଅବା ଗୋଟିଏ ଗୋଟିଏ କିମାଶ୍ଚର୍ଯ୍ୟମ୍ ହୋଇରହିଯାଇଛନ୍ତି ।

 

ଦେଶ କହିଲେ ଯଦି ସବୁ ମଣିଷକୁ ବୁଝାଏ, ତେବେ ଆମ ପୃଥିବୀରେ ସମାଜବାଦ ଏବଂ ଗଣତନ୍ତ୍ର ଭିତରେ ଝଗଡ଼ା ଲାଗିଛି ବା କାହିଁକି ? ଦେଶ କହିଲେ ସମସ୍ତଙ୍କୁ ଯେ କଦାପି ବୁଝାଇବା ଉଚିତ୍ ନୁହେଁ ପୃଥିବୀର କ୍ଷମତାସୀନମାନେ ଯୁଗେ ଯୁଗେ ଏହି କଥାଟାକୁ ଏକମାତ୍ର ସତ୍ୟ ରୂପେ ମାନିନେଇ ଥିବାରୁହିଁ ଆମ ସଂସାରଟା ସେହିମାନଙ୍କର କ୍ରୀଡ଼ାସ୍ଥଳୀ ରୂପେ ସତେଅବା ଦୁଇଟା ଶିବିରରେ ଅଥବା ଅନେକ ଶିବିରରେ ବିଭକ୍ତ ହୋଇରହିଛି । ମଣିଷକୁ ମଣିଷ ବିରୁଦ୍ଧରେ ମତାଇ ଅଧିଶ୍ଵରମାନେ ମାନଚିତ୍ରଗୁଡ଼ାକୁ ମନଇଚ୍ଛା ବଦଳାଇବାର ଓ ଯୁଗର ଅସଲ ଆନୁଗତ୍ୟଗୁଡ଼ାକୁ ବଣାକରିଦେବାର ଅଭିଯାନରେ ବାହାରିଛନ୍ତି । ଏବେ ଆମ ପୃଥିବୀରେ ରାଜନୈତିକ ମନ୍ତ୍ରଣା ଗୃହମାନଙ୍କରେ ଯେଉଁମାନେ ଗୋଟାଏ ପାଖରେ ସମାନତା ଓ ଆଉ ଗୋଟାଏ ପାଖରେ ସ୍ୱାଧୀନତା ମଧ୍ୟରେ ବିଭକ୍ତ ହୋଇରହିଛନ୍ତି, ସେମାନେ ମଧ୍ୟ ମୂଳତଃ ସେମାନଙ୍କର ଯେକୌଣସି ମେଦିନୀ କଳନାରେ ସବୁ ମଣିଷଙ୍କୁ ସୁମାରି କରୁନାହାଁନ୍ତି । ସ୍ୱାଧୀନତା ବ୍ୟତୀତ ଯେଉଁ ସମାନତାକୁ ନେଇ ଆଧୁନିକ ପୃଥିବୀରେ ରାଷ୍ଟ୍ରନାୟକମାନେ ଆଇନ ବଳରେ ଯେଉଁ ଯତକିଂଚିତ୍‍ ପ୍ରୟୋଗ ଓ ପରୀକ୍ଷା କରିଛନ୍ତି, ତାହାକୁ କାଳକ୍ରମେ ଏକତା ବୋଲି କୁହାଯାଇଛି ଏବଂ ସେହି ଏକତାର ସୁସଂରକ୍ଷଣ ଓ ସୁନିର୍ବାହ ସକାଶେ କେତେ ପ୍ରକାର ନିର୍ଯ୍ୟାତନ-ଗୃହ ଓ ସନ୍ତ୍ରାସଶାଳାର ବରାଦ କରାଯାଇଛି । ସମାନତା ଏକତା ରୂପେ ଅନ୍ୟ ମୁଖା ପିନ୍ଧି କ୍ରମଶଃ ଏକ ଏକାଚାରୀ ବର୍ବରତାରେ ହିଁ ପରିଣତ ହୋଇଯାଇଛି । ସେହି ବର୍ବରତାକୁ ନେଇ ଲାଲ୍‍, ପୀତ ସବୁଜ ଓ ଶ୍ଵେତ କେତେ ପ୍ରକାର ପୁସ୍ତକ ଅର୍ଥାତ୍ ହସ୍ତ ମଲକ ଲେଖା ଯାଇଛି ଏବଂ ଅନ୍ୟ ପକ୍ଷରେ ଯେଉଁଠାରେ ସମାନତାକୁ ବାଦ ଦେଇ ଆଗ ସ୍ଵାଧୀନତାର ବିଜ୍ଞପ୍ତି ହୋଇଛି, ସେଠାରେ ଡିହ ଉପରୁ ସବୁଯାକ ବାଇଗଣ ଗଛକୁ ଉଜୁଡ଼ାଇ ଦେଇ ଡିହ ମାଲିକମାନେ ସୁରମ୍ୟ ପ୍ରାସାଦମାନ ଗଢ଼ିଛନ୍ତି ତାହାକୁ ହିଁ ରାଷ୍ଟ୍ରୀୟ ମହାନତାର ସନ୍ତକ ବୋଲି ଘୋଷଣା କରିଛନ୍ତି ଏବଂ ସବୁଠାରୁ ବଡ଼ ଲଜ୍ଜାର କଥା ହେଉଛି ଯେ ଉତ୍ସାହ ଭାବରେ ତାହାକୁ ହିଁ ଏକମାତ୍ର ବସ୍ତ୍ର ବୋଲି କୁହାଯାଇଛି । ଗଣତନ୍ତ୍ର ନାମରେ ଆମ ଦୌରାତ୍ମ୍ୟର ଧୂଳିଗୁଡ଼ାକ ଗଗନ ଓ ପବନକୁ ମୁଣ୍ତାଇରଖିବାର ଧୃଷ୍ଟତା କରିଛି । ଆମର ଏହି ବର୍ତ୍ତମାନ ପୃଥିବୀରେ ଅଧେ ଥାନରେ ସମାନତାର ରାଜତ୍ଵ ଚାଲିଛି ଓ ଆଉ ଅଧେକରେ କୁଆଡ଼େ ସ୍ୱାଧୀନତାର ରାଜତ୍ୱ ଚାଲିଛି । ସମାନମାନେ ଆପଣକୁ ଯଥାର୍ଥରେ ସ୍ଵାଧୀନ ବୋଲି କହୁଛନ୍ତି ଓ ସ୍ୱାଧୀନମାନେ ଆପଣାକୁ ଯଥାର୍ଥରେ ସମାନ ବୋଲି କହୁଛନ୍ତି ଏବଂ ପୃଥିବୀର ସବୁଠାରୁ ଅଧିକ ମଣିଷ, ଖାସ୍‌ ରାଜନୀତିକ କୁଣ୍ଡଗୁଡ଼ାକରୁ ବାହାରେ ରହିଥିବା ପ୍ରାୟ ସବୁଯାକ ମଣିଷ ଏହି ବ୍ୟୂହଗୁଡ଼ାକରୁ ମଧ୍ୟ ବାହାରେ ରହିଛନ୍ତି । ବ୍ୟୂହଗୁଡ଼ିକର ଦଉଡ଼ାରେ ବନ୍ଧାହୋଇ ଘୋଷରା ହେବାରେ ଲାଗିଛନ୍ତି ସତ, ମାତ୍ର ଆନୁଗତ୍ୟର କ୍ଷେତ୍ରରେ ବାହାରେ ରହିଛନ୍ତି–ଏହି ନେତୃତ୍ୱଗୁଡ଼ାକ ଦ୍ଵାରା କେବେହେଲେ ଆଉ ଅଧିକ ଭଲ ଆଦୌ ସମ୍ଭବ ହୁଅନ୍ତାନାହିଁ ବୋଲି ଏକପ୍ରକାର ଆତ୍ମକ୍ଷୟକାରୀ ବିଦ୍ରୁପାତ୍ମକ ପ୍ରସନ୍ନତା ଭିତରେ ବେଶ୍ ଥଣ୍ଡା ହୋଇରହିଛନ୍ତି ।

 

ଶ୍ରୀଅରବିନ୍ଦ ତାଙ୍କର ଏକାଧିକ ଗ୍ରନ୍ଥରେ ସମାନତା ଓ ସ୍ୱାଧୀନତା ପ୍ରଭୃତି ଆଧୁନିକ ରାଜନୀତିକ ତଥା ଇତିହାସସ୍ଥ ବୋଲିଗୁଡ଼ିକ ବିଷୟରେ ଚର୍ଚ୍ଚା କରିଛନ୍ତି । ଏଗୁଡ଼ିକ ଯେ ସର୍ବପ୍ରଥମେ ମନୁଷ୍ୟ ସମାଜର କେତେଜଣ ଦ୍ରଷ୍ଟାଙ୍କ ବିଚାରଭିତରେ ଜୀବନର ଗୋଟିଏ ଗୋଟିଏ ଆଧାରଭୂତ ମୂଲ୍ୟ ବୋଧ ରୂପେ ଆବିର୍ଭୂତ ହୋଇଥିଲେ ଏବଂ ତା’ପରେ କ୍ଷମତା ହାସଲ କରିବାକୁ ହିଁ ଆଦର୍ଶ ବୋଲି ମାନୁଥିବା ତଥାକଥିତ ଆଦର୍ଶବାଦମାନଙ୍କ ହାତରେ ପଡ଼ି ସେଗୁଡ଼ିକ କିପରି କ୍ରମଶଃ ଗୋଟିଏ ଗୋଟିଏ ନିଃସାର ବୋଲିରେ ପରିଣତ ହୋଇଗଲେ, ଶ୍ରୀଅରବିନ୍ଦ ତାହାରି ଚର୍ଚ୍ଚା କରିଛନ୍ତି । ସମାନତା ଓ ସ୍ୱାଧୀନତା ଯେପର୍ଯ୍ୟନ୍ତ ଆପଣାକୁ ଏକାନ୍ତ ଭାବରେ ବିଚ୍ଛିନ୍ନ ଗାଟିଏ ଗୋଟିଏ ଅନ୍ଧବ୍ୟୂହ ପରି ଭାବୁଥିବେ, ଅର୍ଥାତ୍ ଯେପର୍ଯ୍ୟନ୍ତ ସମାନତା ସହିତ ସ୍ୱାଧୀନତର ବି ଗଣା ନହେବ ଓ ସ୍ୱାଧୀନତା ଭିତରେ ସମାନତା ଲାଗିବି ସ୍ଥାନ ନରହିବ ସେ ପର୍ଯ୍ୟନ୍ତ ସ୍ୱାଧୀନତା ଅଥବା ସମାନତା କୌଣସିଟି ହିଁ ଯଥାର୍ଥରେ ସମ୍ଭବ ହୋଇପାରିବନାହିଁ ବୋଲି ଆଧୁନିକ ଇତିହାସରୁ ଏକାଧିକ ଘଟଣାର ନଜର ଦେଇ ସେ ଆମକୁ ସ୍ପଷ୍ଟ ଭାବରେ ସୂଚାଇ ଦେଉଛନ୍ତି । ଅର୍ଥାତ୍ ମଣିଷ ହିଁ ସ୍ୱାଧୀନ ହେବ ଏବଂ ଏହି ମଣିଷ ହିଁ ସମାନ ହେବ, ଅର୍ଥାତ୍ ସବୁ ମଣିଷଙ୍କ ଲାଗି ଉକ୍ତ ଦୁଇଟିଯାକକୁ ଉପଲବ୍ଧି କରିଆଣିବାକୁ ହେଲେ ମଣିଷକୁ କେନ୍ଦ୍ର କରି ମଣିଷକୁ ରାଷ୍ଟ୍ରଠାରୁ ତଥା ତା’ର ଯାବତୀୟ ନାଗରିକପଣଠାରୁ ବଡ଼ ବୋଲି ଗ୍ରହଣ କରି ସ୍ୱାଧୀନତା ଏବଂ ସମାନତା ଦୁଇଟିଯାକର ପ୍ରବର୍ତ୍ତନ କରିବାକୁ ହେବ । ଶ୍ରୀଅରବିନ୍ଦ ଏହି ପ୍ରସଙ୍ଗରେ ଭ୍ରାତୃତ୍ୱ ବୋଲି ଆଉ ଗୋଟିଏ କଥାର ଉତ୍‌ଥାପନ କରିଛନ୍ତି ।

 

ଏକଦା ଫରାସୀ ବିପ୍ଳବର ସେହି ଉତ୍ସାହମୟ ଯୁଗରେ ଭବିଷ୍ୟ ବିଚାରକମାନେ ସ୍ଵାଧୀନତା ଓ ସମାନତା ସହିତ ଭାତୃତ୍ଵକୁ ମଧ୍ୟ ଏକତ୍ର କାମ୍ୟରୂପେ ଗ୍ରହଣ କରିଥିଲେ । ତତ୍କାଳିକ ଉତ୍ତେଜନାଟି ମଧ୍ୟରେ ସମାନତା ଏବଂ ସ୍ୱାଧୀନତାକୁ ଅଫିମ ପରି ଗୋଳି ମଣିଷ ସମାଜର ଶାସକମାନେ ଏପରି ଭୋଳ ହୋଇପଡ଼ିଲେ ଯେ ଭାତୃତ୍ୱ ପାଖରୁ କ୍ରମଶଃ ହାରିଯିବାଦ୍ୱାରା ହିଁ ସେମାନେ ନିଜକୁ ସୁରକ୍ଷିତ ବୋଲି ମନେକରିପାରିଲେ । ତିନିସୂତ୍ରରୁ ଗୋଟିଏ ସୂତ୍ର ଛିଡ଼ିଯିବା ପରେ ଆର ଦୁଇଟି ସୂତ୍ର କାଳକ୍ରମେ ପ୍ରାୟ ଏକ ବିଡ଼ମ୍ବନାରେ ହିଁ ପରିଣତ ହେଲା, ରାଜନୀତି ହାତରେ ଲୋକ ପ୍ରବଞ୍ଚନା ଲାଗି ପ୍ରାୟ ଏକ ହତିଆର ହୋଇରହିଲା । ସ୍ଵାଧୀନତା ଗଲା ସମାନତା ବି ଗଲା । ସମାଜଗୁଡ଼ାକ ସତେ ଅବା ଗୋଟାଏ ଗୋଟାଏ ପଶୁଲୋକରେ ପରିଣତ ହୋଇରହିଲା, ଯେଉଁଠାରେ କି କେତେକ ବ୍ୟକ୍ତି ବା କେତେକ ଗୋଷ୍ଠୀ ଅନ୍ୟ ଅନେକଙ୍କର ତୁଳନାରେ ଅଧିକ ସମାନ ହୋଇରହିଲେ, ଅଧିକ ସ୍ୱାଧୀନ ହୋଇରହିଲେ । ସ୍ୱାଧୀନତା ଓ ସମାନତା ଦୁଇଟା ଯାକକୁ ସେମାନେ ସୂତ୍ରାୟତ୍ତ କରିରଖିଲେ, ମଣିଷର ଗୋଡ଼କୁ ବାନ୍ଧି ପକାଇଲେ, ସାମାଜିକ ଜୀବନର ପରିସରଗୁଡ଼ାକୁ କୁକ୍ଷିଗତ କରି ରଖିଲେ । ଶ୍ରୀଅରବିନ୍ଦ ଫରାସୀ ବିପ୍ଳବ ବିଷୟରେ ଯେଉଁ କେତୋଟି ପ୍ରବନ୍ଧ ଲେଖିଛନ୍ତି, ସେଥିରେ ସେ ମୂଳତଃ ଏହି ଅଭାବଟି ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବଂ ଏହି ଅଭାବଟି ଏ ପର୍ଯ୍ୟନ୍ତ ରହିଛି ।

 

ଭ୍ରାତୃତ୍ୱର ଅଭାବ, ଅର୍ଥାତ୍‍ ଦୂରତାର ଅତିମାତ୍ରାରେ ପ୍ରାଦୁର୍ଭାବ । ସାମନ୍ତବାଦୀ ଯୁଗରେ ସାଧାରଣ ମଣିଷଙ୍କ ଠାରୁ ଦୂରତା ରଖିବା ହିଁ ସାମନ୍ତ ଓ ବିଶାରଦମାନଙ୍କର ଅଙ୍ଗଭୂଷଣ ହୋଇରହିଥିଲା । ସାମନ୍ତବାଦକୁ ଅପସାରିତ କରି ପୁଞ୍ଜିବାଦର ସ୍ଥାପନ ହେଲା । ପୁଞ୍ଜିବାଦ ଏକ ମୁଖାପିନ୍ଧି ଆପଣାକୁ ଜାତୀୟତାବାଦ ରୂପେ ଜାହିର କଲା । ମାତ୍ର ଦୂରତାଗୁଡ଼ାକ ତଥାପି ରହିଲା, ତାହାର ପାତ୍ର ଓ ନିମିତ୍ତମାନେ ବଦଳିଲେ ସତ, ମାତ୍ର ଦୂରତା ତଥାପି ରହିଲା । ପୁଞ୍ଜିବାଦୀ ଦେଶମାନେ ବେଳେ ବେଳେ ଆପଣାକୁ ଜନମଙ୍ଗଳ ରାଷ୍ଟ୍ର ବୋଲି କହିଲେ–ସ୍ୱାଧୀନତା ନାମରେ ପତାକା ଉଡ଼ିଲା, ସ୍ୱାଧୀନତାର ବୋଲି ଗୁଡ଼ାକ ବହୁଭୁଜ ହେଲା–ମାତ୍ର ତଥାପି ସାମତବାଦୀ ଦୂରତା ଓ ସାମନ୍ତବାଦୀ ବାହାଦୁରୀଗୁଡ଼ାକ ରହିଗଲା । ଦୂରତାଗୁଡ଼ାକ ହିଁ ଅଧିକ ସମ୍ମାନର ସନ୍ତକ ହୋଇରହିଲା, ସାଧାରଣ ମଣିଷଗୁଡ଼ାକ ଭୃତ୍ୟ ପରି ଦେଖାଗଲେ, ପ୍ରଜାମାନେ ଜନତା ପାଲଟିଗଲେ । ସାମନ୍ତମାନଙ୍କର ବହୁମୁଖୀ ପ୍ରତିଦ୍ୱନ୍ଦିତା କ୍ଷେତ୍ରଗୁଡ଼ିକରେ କ୍ରୀଡ଼ନକ ହୋଇରହିଲେ-

 

ରାଜନୀତି ବଢ଼ିଲା, ରାଜନୀତିରେ ଜଞ୍ଜାଳୀମାନଙ୍କର ସଂଖ୍ୟା ବଢ଼ିଲା ତଥାପି ରାଜନୀତିକ ଚେତନା ବଢ଼ିଲାନାହିଁ । ସଭାଘରୁଶିଖି ମଣିଷ ପ୍ରାୟ ସଂସ୍କାରବଶ ହୋଇରାଜନୀତି ଭିତରେ ଆଉ ଜଣେ ମଣିଷକୁ କମ୍ରେଡ଼ ବୋଲି ଡାକିଲା ସତ, ତଥାପି ମଣିଷ ମଣିଷ ଭିତରେ ଦୂରତା ବଢ଼ିଲା, ମଣିଷ ଲାଗି ମଣିଷ ପ୍ରାୟ ଅପହଞ୍ଚ ହୋଇରହିଲା ଗୋଟା ଗୋଟା ହୋଇପୁରାତନ ନିୟନ୍ତ୍ରଣଗୁଡ଼ାକର ବେଡ଼ୀ ଫିଟିଗଲା ସତ; ମାତ୍ର ଯେଉଁ ବେଡ଼ୀଟି ଫିଟିଲେ ମଣିଷ ସଂସାରରେ ନିର୍ଭୟ ହୁଏ, ପୂର୍ଣ୍ଣ ଆସ୍ଥାର ସହିତ ଅନ୍ୟମାନଙ୍କ ସହିତ ସଂଯୁକ୍ତ ହୋଇରହିବାକୁ ଯୋଗ୍ୟ ହୁଏ, ସେହି ବେଡ଼ୀଟି ନାନା ଦୃଶ୍ୟ ଓ ଅଦୃଶ୍ୟ ଅନ୍ୟ ଫିସାଦ ଫଳରେ ଜବର ହୋଇରହିଲା । ଆଧୁନିକ ମଣିଷ ଇତିହାସର ଅନ୍ୟସବୁ ଯୁଗର ମଣିଷଙ୍କ ତୁଳନାରେ ଅଧିକ ଏକୁଟିଆ ଅନୁଭବ କଲା । ଏହିଗୁଡ଼ାକ ହେଉଛି ଆମ ଏ ଯୁଗର ଗୋଟିଏ ଗୋଟିଏ ଆଶ୍ଚର୍ଯ୍ୟ ଆମ ବେକରେ ବନ୍ଧା ହୋଉଥିବା ଗୋଟିଏ ଗୋଟିଏ ପଥର । ଯିଏ ଏହି ପଥରଟିର ଦାଉରୁ ଆମକୁ ମୁକୁଳାଇ ଆଣିବାର ସନ୍ଦେଶ ଦେଇପାରିବ ଯିଏ ମଣିଷକୁ ନିର୍ଭୟ କରାଇବ, ମଣିଷ ସହିତ ମଣିଷକୁ ଅଧିକ ଯୁକ୍ତ କରାଇଆଣିବ, ଯିଏ ଆମ ଅଭିଳଷିତ ଆଗାମୀ ଯୁଗର ଶ୍ରଦ୍ଧା ଡୋରଗୁଡ଼ିକୁ ଆବିଷ୍କାର କରିପାରିବ, ସେଇ ଆମଯୁଗରେ ବୀର ବୋଲି ସ୍ୱୀକୃତ ହେବ । ମାତ୍ର ସେଥିଲାଗି ତାକୁ ରାଜନୀତିର ଚିହ୍ନାଗାର ଓ ଚିହ୍ନା ଗର୍ବଗୁଡ଼ାକ ଅତିକ୍ରମ କରି ସେପାଖକୁ ଯିବାକୁ ପଡ଼ିବ ।

 

(ଧରିତ୍ରୀ, ୧୫.୦ ୮.୧୯୭୬)

Image

 

ଏକୋଇଶି ବର୍ଷରୁ ଅଧିକ

 

ଯେଉଁମାନଙ୍କର ବୟସ ଏକୋଇଶି ବର୍ଷରୁ ଅଧିକ ସେମାନେ ହେଉଛନ୍ତି ବିବେକୀ । ସେମାନଙ୍କର ହିତାହିତ ଜ୍ଞାନ ରହିଛି, ଉଚିତ ଆଉ ଅନୁଚିତର ଜ୍ଞାନ ରହିଛି, ନିତ୍ୟାନିତ୍ୟ-ବସ୍ତୁ-ବିବେକ ରହିଛି । ତେଣୁ କେବଳ ସେଇମାନେ ମଦ ଦୋକାନକୁ ଯାଇ ପାରିବେ । କେବଳ ସେଇମାନେ ମଦ କିଣିପାରିବେ, କାରଣ କେବଳ ସେହିମାନେ ହିଁ ମଦ ପିଇପାରିବେ । ମଦ ପିଇବା ବିଷୟରେ ସେହିମାନଙ୍କର ହିଁ କୌଣସି ବିବେକ ରହିଛି । ଯଦି ସଂସାରରେ ମଦ ରହିବ, ତେବେ ତାହା କେବଳ ଏକୋଇଶି ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ରହିବ, ଏକୋଇଶି ବର୍ଷରୁ ଅଧିକ ବୟସର ଲୋକମାନଙ୍କ ହାତରେ ହିଁ ରହିବ ! ଯେଉଁମାନେ ଅନେକ ପ୍ରକାର ପରିଚୟ ଦେଇ ଏହିପରି ଗୋଟିଏ ଆଇନ ତିଆରି କରିଛନ୍ତି, ସେମାନଙ୍କର ବୟସ ଯେ ଏକୋଇଶ ବର୍ଷରୁ ଅଧିକ, ଏଥିରେ କୌଣସି ସନ୍ଦେହ ନରହିବା ଉଚିତ ।

 

ଯେଉଁମାନଙ୍କର ବୟସ ଏକୋଇଶି ବର୍ଷରୁ ଅଧିକ, ସେହିମାନେ ହିଁ ଆମର ଏହି ସମାଜକୁ ଯୁଗେ ଯୁଗେ ବାଡ଼ ଦେଇ ବାନ୍ଧି ଆସିଛନ୍ତି । ଆମ ସମାଜକୁ ସେମାନେ ଏକ ଗଠନ ଦେଇଛନ୍ତି, ଏକ ମଣ୍ଡନ ବି ଦେଇଛନ୍ତି । ଖାସ୍ ସେହିମାନଙ୍କର ବୁଦ୍ଧିବଳରେ ଆମର ଏଠାରେ କେତେ ଅସୁନ୍ଦର ଜିନିଷ ସୁନ୍ଦର ଦିଶିପାରୁଛି, କେତେ କେତେ ଅଣଆୟତ୍ତ ଜିନିଷ ଆୟର ଭିତରେ ରହିପାରୁଛି । ଆମ ସମାଜରେ ମଦ ରହିଛି, ମଦର ଦୋକାନମାନ ରହିଛି, ମଦର ଭକ୍ତ ଅର୍ଥାତ୍‍ ସେବନକାରୀମାନେ ରହିଛନ୍ତି;-ଏସବୁ କଥା ଥାଇ ମଧ୍ୟ ତଥାପି ସବୁ ସତେଅବା କେଡ଼େ ଅଖୁଣ ହୋଇଦେଖାଯାଉଛି । ଆମର ଘାଆଗୁଡ଼ାକ ଆମ ନିଜ ଆଖିକୁ ସତେଅବା ପୂରିଗଲା ପରି ଦେଖାଯାଉଛି । ତେଣୁ ଆମକୁ ଆଉ ଆଦୌ କୌଣସି ଦଂଶନ ଅନୁଭବ କରିବାକୁ ପଡ଼ୁନାହିଁ, ଆପଣାର ଛୋଟାଗୋଡ଼ଗୁଡ଼ାକ ଆଉ ମୋଟେ ମନେପଡ଼ୁନାହିଁ । ଆମର ପିଲାମାନେ ଆମର ଛିଦ୍ରଗୁଡ଼ାକୁ ଆଉ ମୋଟେ ପାଇପାରୁନାହାଁନ୍ତି, ଆମର ଦେବତାମାନେ ମଧ୍ୟ ହୁଏତ ଆମର ଚରିତ୍ର ଭିତରେ ଆଦୌ ପ୍ରବେଶ କରିପାରୁନାହାନ୍ତି । ସତେଅବା ମଦ ବୋହିଗଲା ପରି ଉପରକୁ ଭକ୍ତି ବୋହିଯାଉଛି, ଆଦର୍ଶବାଦର ନିନାଦଗୁଡ଼ାକ ବୋହିଯାଉଛି, ଉପଦେଶ ଗୁଡ଼ାକ ବି ବୋହିଯାଉଛି । ଗଛ ପଛକୁ ଗଛ ଲଗା ହୋଇ ଅପନ୍ତରାଗୁଡ଼ାକ ଉଦ୍ୟାନ ପରି ଦେଖାଯାଉଛି, କାହାଳୀ ପରେ କାହାଳୀ ବଜାହୋଇ ଶୂନ୍ୟଘରଗୁଡ଼ାକ ସୁଆରସାହୀ ପରି ମନେହେଉଛି । ନିପଟ ପୁନରାବୃତ୍ତିଗୁଡ଼ାକ ସତେଅବା ନୂତନ ପଥର ମଧୁରତା ଆଣିଦେଇ ଯାଇଛି ଏବଂ ହାସ୍ୟାସ୍ପଦତାଗୁଡ଼ାକ ଆଉ ମୋଟେ ହାସ୍ୟାସ୍ପଦ ପରି ଲାଗୁନାହିଁ । ଏବଂ ଏକୋଇଶି ବର୍ଷରୁ ଅଧିକମାନେ ହିଁ ଆମ ଲାଗି ଏହିସବୁ ଭୋଗକୁ ସମ୍ଭବ କରିରଖିଛନ୍ତି ।

 

ଆମ ପୃଥିବୀରେ ଭିତରେ ଓ ବାହାରେ ସବୁଠାରେ ଯୁଦ୍ଧ ଲାଗିଛି, ତଥାପି ଆମ ଚତୁର୍ଦ୍ଦିଗରେ କେଡ଼େ ଚହଟଚିକଣ ହୋଇଶାନ୍ତି ବିରାଜମାନ କରୁଥିବା ପରି ମନେହେଉଛି । ଚତୁର୍ଦ୍ଦିଗରେ ଖାଲି ବାବୁମାନେ ଗୋଟାଏ ଗୋଟାଏ ମୁଖା ପିନ୍ଧି ଶତାୟୁଧ ଓ ସହସ୍ରାୟୁଧ ହୋଇବସିଛନ୍ତି, ମାତ୍ର ସଂସାରଟା ଯାକ ଖାଲି ଭାବ ଲାଗିଥିଲା ପରି ମନେ ହେଉଛି । ଅଭାବଗୁଡ଼ାକ ଗଛ ଗୋଟାକଯାକକୁ ଗାଡ଼ କରିରଖିଥିଲେ ମଧ୍ୟ ତଥାପି ସବୁଆଡ଼େ ଖାଲି ଭାବ ଲାଗିଥିଲା ପରି ହିଁ ମନେହେଉଛି । କେତେ ନା କେତେ ପ୍ରକାରର ଅନ୍ଧବିଶ୍ୱାସ ଆମର ଜ୍ଞାନଘର ଏବଂ ସମ୍ବନ୍ଧ ଘରଗୁଡ଼ାକୁ ପୂରା ଦମ୍‍ରେ କାମୁଡ଼ିକରି ଧରିଛି, ତଥାପି ଏହି ଯୁଗକୁ ଏକାବେଳକେ ବିଜ୍ଞାନର ଏକ ଯୁଗ ବୋଲି କୁହାଯାଉଛି । କେତେ ନା କେତେ ପ୍ରକାରର ଉଦ୍ଧତତା ଆମ ଭିତରେ ରହିଥିବା ମେଣ୍ଢାଗୁଡ଼ାଙ୍କୁ ବେଶ ପରିପାଟୀ ସହିତ ଭେଣ୍ଡା ପରି କରିରଖିଛି ସତ, ମାତ୍ର ଆମେ ସମସ୍ତେ ଉପରକୁ ଜଣେ ଜଣେ କେଡ଼େ କେଡ଼େ ବୀର ପରି ଦୃଶ୍ୟମାନ ହେବାରେ ଲାଗିଛୁ । ଆମ ଜୀବନରେ କେତେ କେତେ ମିଥ୍ୟା ଲାଗି ଚଉଷଠି ମଣୋହି ଖଞ୍ଜା ହୋଇରହିଛି । ମାତ୍ର ଉପରେ ଆମେ ସମସ୍ତେ ଗୋଟାସୁଦ୍ଧା ବୁଝି ଯାଇଥିବା ପରି ସତ ନାମରେ ହିଁ ଆଲଟ ଚାମର ପଡ଼ୁଛି, ସତ୍ୟର ଜୟଜୟକାର କରାଯାଉଛି, ସତେଅବା ସତ୍ୟଗୁଡ଼ାକ ହିଁ ଆମର ରତି ହୋଇରହିଛି । ଏସବୁ ହେଉଛି ଏକୋଇଶି ବର୍ଷ ବୟସରୁ ଅଧିକମାନଙ୍କର ରୀତି; ଯେଉଁମାନେ ଏହି ସଂସାରକୁ ଆତଯାତ କରୁଛନ୍ତି, ସେହିମାନଙ୍କର ରୀତି ।

 

ହଁ ଯେଉଁମାନଙ୍କର ବୟସ ଏକୋଇଶି ବର୍ଷରୁ ଅଧିକ, ସେହିମାନେ ହିଁ ଆମର ଏହି ସଂସାରକୁ ଆତଯାତ କରୁଛନ୍ତି । ସେହିମାନେ ହିଁ ସଂସାର ଯାକର ସବୁ ଶାସ୍ତ୍ର ଲେଖିଛନ୍ତି, ସେଇମାନେ ଏହି ସଂସାରର ସବୁଯାକ ଗାଦୀ ମାଡ଼ି ବସିଛନ୍ତି । କେହି ସେମାନଙ୍କର ପ୍ରତିଦ୍ୱନ୍ଦିତା କରିବାକୁନାହିଁ ତଥାପି ଗାଦୀଗୁଡ଼ାକୁ ସେମାନେ ସତେ ଅବାମାଡ଼ି ବସିଲା ପରି ଅଧିକାର କରିରହିଛନ୍ତି । ଆଦର୍ଶବାଦଗୁଡ଼ାକ ଏଇମାନଙ୍କର ହାଣ୍ଡିରେ ଜୁଆ ହୋଇଛି ଏଇମାନଙ୍କର ଶାଳ ଭିତରେ ପାଗ ହୋଇଛି ଓ ଦାଢ଼ କରାହୋଇଛି । ନୀତିଶାସ୍ତ୍ରଗୁଡ଼ାକୁ ଏଇମାନେ ହିଁ ଗାଦୀ ଉପରେ ରଖି ପୂଜା କରିବାର ଭିଆଣ କରିଛନ୍ତି । ସାରା ସଂସାରରେ ସବୁ ମଦ, ସବୁ ଗଞ୍ଜେଇ ଓ ସବୁ ଅଫିମର ପରିମିଟ୍ କେବଳ ଏହିମାନଙ୍କର ହିଁ ଏକଚାଟିଆ ହୋଇରହିଛି । ଏକୋଇଶି ବର୍ଷ ବୟସକୁ ରାଜନୀତିରେ ମଧ୍ୟ ଉପଯୁକ୍ତ ହେବାର ବୟସ ବୋଲି ଧରିନିଆଯାଇଛି । ଏକୋଇଶି ବର୍ଷର ବୟଃକ୍ରମକୁ ପାର ହୋଇଯାଇଥିବା ବ୍ୟକ୍ତିମାନେହିଁ ସବୁଠାରେ ଏହି ନିୟମଟିକୁ ତିଆରି କରିଛନ୍ତି । ଭଗବାନଙ୍କ ନାମରେ ଆମର ଏହି ପୃଥିବୀରେ ଯାହାକିଛି ତିଆରି ହୋଇଛି ଓ ଯାହା କିଛି ଚଳୁଛି, ସେହି ସବୁକିଛିକୁ ଏକୋଇଶି ବର୍ଷରୁ ମାନେ ତିଆରି କରିଛନ୍ତି । ଧର୍ମ ନାମରେ ଏଠି ଯାହାକିଛି ଅଧର୍ମ ରହିଛି, ନୀତି ନାମରେ ଯାହାକିଛି ଅନୀତି ରହିଛି, ଜୀବନ ନାମରେ ଯାହା କିଛି ସୁଆଙ୍ଗ ରହିଛି ଓ ନିର୍ଭର ନାମରେ ଏଠି ଯାହାକିଛି ଅସହାୟତା ରହିଛି, ସବୁକିଛି ଖାସ୍ ସେହିମାନଙ୍କର ଦ୍ଵାରା ତିଆରି ହୋଇଛି, ମାତ୍ର ସେଗୁଡ଼ାକ ଏଠି ସମସ୍ତଙ୍କ ପାଇଁ ଚଳୁଛି, ଭଗବାନଙ୍କ ସମେତ ସମସ୍ତଙ୍କ ନାମରେ ଚଳୁଛି ।

 

ଆମର ଏହି ସଂସାରରେ ମଦ ପିଇବାକୁ ମନା କରା ଯାଇଛି । ଶାସ୍ତ୍ରଠାରୁ ଆରମ୍ଭ କରି ଲୋକାଚାର ପର୍ଯ୍ୟନ୍ତ ସବୁଠାରେ ମନା କରାଯାଇଛି ଏବଂ ଏକୋଇଶି ବର୍ଷରୁ ଅଧିକ ବୟସର ଲୋକମାନେ ହିଁ ବହୁ ପୁରାତନ କାଳରୁ ଆମ ସମସ୍ତଙ୍କ ଲାଗି ଏହିପରି ଗୋଟିଏ ନିୟମ କରିଛନ୍ତି । ତଥାପି ଏହି ସଂସାରରେ ମଦ ପିଇବାର ମଣିଷ ରହିଛନ୍ତି ଏବଂ ସେମାନଙ୍କ ଲାଗି ମଦର କୌଣସି ନା କୌଣସି ବ୍ୟବସ୍ଥା କରି ରଖିବା ଆବଶ୍ୟକ ହେଉଛି । ଏକୋଇଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ମଣିଷମାନେ ମତ ଦେଇ ଗଢ଼ିଥିବା ମଣ୍ଡଳୀମାନେହିଁ ମଦପାଇଁ ଠିକା ଦେଉଛନ୍ତି ଓ ମଦ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଆପଣାର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଯେଉଁମାନଙ୍କର ଉଦ୍ଦେଶ୍ୟରେ ମଦ୍ୟର ଏହି ସର୍ବସାଧାରଣ ବ୍ୟବସ୍ଥାଟି କରାଯାଇଛି, ବ୍ୟବସ୍ଥାଟି ଦ୍ୱାରା ଯେପରି ସେମାନେ ପ୍ରକୃତରେ ଉପକୃତ ହୋଇ ପାରିବେ, ସମ୍ଭବତଃ ସେଇଥିଲାଗି ହିଁ ଏକୋଇଶି ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ହିଁ ମଦ ଦୋକାନକୁ ଯାଇ ମଦ କିଣି ପାରିବେ ବୋଲି ପ୍ରଥମ ଆଇନ୍‍ଟି ସାଙ୍ଗକୁ ଆଉ ଗୋଟିଏ ଆଇନ୍ ବି ଯୋଡ଼ି ଦିଆଯାଇଛି । ଯଦି ତୁମକୁ ଏକୋଇଶି ବର୍ଷ ବୟସ ହୋଇ ନଥିବ, ତେବେ ତୁମେ ମଦ ଦୋକାନକୁ ଗଲେ ତୁମକୁ କଦାପି ମଦ କିଣିବାକୁ ମିଳିବ ନାହିଁ; ତୁମ ପାଖରେ ପଇସା ଥିଲେ ମଧ୍ୟ ତୁମକୁ ମଦ ବିକା ହେବନାହିଁ । କଥାଟିକୁ ହଠାତ୍ ଶୁଣିଲା ବେଳକୁ ମନେ ହେଉଛି, ସତେ ଯେପରି ଏକୋଇଶି ବର୍ଷରୁ କମ୍ ବୟସର ପିଲାଙ୍କ ମଙ୍ଗଳ ପାଇଁ ହିଁ ବଡ଼ମାନେ ଜାଣିଶୁଣି ଏହି ନିୟମଟିକୁ କରିଛନ୍ତି । ଏକୋଇଶ ବର୍ଷ ବୟସ ହେବା ପୂର୍ବରୁ ଯେଉଁ କାର୍ଯ୍ୟଟିକୁ କରିବା ଗର୍ହିତ ବୋଲି ମନେ କରାଯାଉଛି, ଏକୋଇଶିଟା ପାର ହୋଇଯିବା ପରେ ସେହି କାର୍ଯ୍ୟଟିକୁ କିପରି ଗର୍ହିତ ବୋଲି କୁହାଯାଇ ପାରୁନାହିଁ, ଆମେ ଏଠାରେ ସେହି ସଂଶୟଟିର ଉତ୍ଥାପନ କଲେ ଆମକୁ ତାହାର ଆଦୌ କୌଣସି ବ୍ୟାଖ୍ୟା ମିଳିବ ନାହିଁ । ସବୁଠାରୁ ମଜାର କଥା ହେଉଛି ଯେ ଆଜି ଯେଉଁମାନେ ଏକୋଇଶି ବର୍ଷ ବୟସର ବନ୍ଧଟାକୁ ଟପି ସାରିଲେଣି ଓ ମଦ କିଣିବାରେ ଏବଂ ମଦ ପିଇବାରେ ଯେଉଁମାନଙ୍କ ସକାଶେ ଆଦୌ କୌଣସି ବାରଣ ନାହିଁ ସେମାନେ ମଧ୍ୟ ଏକଦା ଏକୋଇଶି ବର୍ଷରୁ କମ୍ ବୟସର ହୋଇ ରହିଥିଲେ । ସେମାନଙ୍କ ଲାଗି ମଧ୍ୟ ମଦ୍ୟପାନ ଏକଦା ବାରଣ ହୋଇ ରହିଥିଲା । ତତ୍କାଳୀନ ଗୁରୁଜନମାନେ ସେମାନଙ୍କର ମଙ୍ଗଳ ଲାଗିହିଁ ସେମାନଙ୍କ ପାଇଁ ମଦ୍ୟକୁ ନିଷିଦ୍ଧ କରି ରଖିଥିଲେ । ହୁଏତ ଆପେ ମଦ ପିଉଥିଲେ; ମଦ କିଣୁଥିଲେ ଓ ମଦ ବିକୁଥିଲେ । ଏକୋଇଶ ବର୍ଷରୁ ତତ୍କାଳୀନ ସେହି ସାନମାନେ ଯେତେବେଳେ ଏକୋଇଶିକୁ ଅତିକ୍ରମ କରି ଆସିଲେ, ସେତେବେଳେ ପ୍ରାୟ ଅତ୍ୟନ୍ତ ଚିରାଚରିତ ଭାବରେ ସେମାନେ ସେମାନଙ୍କ ସକାଶେ ରହିଥିବା ନିଷେଧଟିକୁ ମଧ୍ୟ ଅତିକ୍ରମ କରି ଆସିଲେ । ସେମାନେ ଏଣିକି ମଦ ପିଇ ପାରିଲେ । ମଦ କିଣି ପାରିଲେ ଓ ମଦ ବିକି ପାରିଲେ । ଆମର ଯାବତୀୟ ସଂସାର-ବିଷୟର ଇତିହାସକୁ କ’ଣ ଆମେ ଏହିପରି ଏକ ଚକ ବୁଲିବାର କାହାଣୀ ବୋଲି କହି ପାରିବା କି ? ଆମେ ସବୁ ପିଲା ଥିଲାବେଳେ ଯାହାସବୁ ଆମ ଲାଗି ନିଷିଦ୍ଧ ହୋଇ ରହିଥିଲା, ଆମେ ବଡ଼ ହୋଇ ସ୍ୱୟଂ ଠିକ୍ ସେହିଗୁଡ଼ିକୁ ହିଁ ଭୋଗ କରିବାକୁ ଲାଗିଲୁ ଏବଂ ଆମଠାରୁ ସାନ ଅନ୍ୟମାନଙ୍କ ଲାଗି ସେଗୁଡ଼ିକୁ ନିଷିଦ୍ଧ କରି ରଖିଲୁ । ଆମେ ପିଲା ସମୟରେ ଯେତିକି ସ୍ୱାଭାବିକ ଭାବରେ ନିୟମଗୁଡ଼ାକୁ ମାନି ଆସିଥିଲୁ, ବଡ଼ ହୋଇ ଠିକ୍ ସେତିକି ସ୍ୱାଭାବିକ ଭାବରେ ନିୟମଗୁଡ଼ାକୁ ଭାଙ୍ଗିଲୁ ଏବଂ ପ୍ରାୟ ସେତିକି ନିର୍ମଳ ଭାବରେ ଆମ ଉପରେ ପକାହୋଇ ଆସିଥିବା ଜୁଆଳିଗୁଡ଼ାକୁ ଅନ୍ୟମାନଙ୍କ ଉପରେ ଅର୍ଥାତ୍ ନିଜଠାରୁ ବୟସରେ ଅପେକ୍ଷାକୃତ ସାନ ଥିବା ଅନ୍ୟମାନଙ୍କ ଉପରେ ଲଦିଦେଇ ଆସିଲୁ । ଆମର ଧର୍ମ ପ୍ରଧାନତଃ ଏହି ଲଦିଦେଇ ଆସିବାର ଧର୍ମ ହୋଇ ରହିଲା, ଆମର ନୀତିଗୁଡ଼ାକ ପ୍ରଧାନତଃ ଏହି ଲଦି ଦେଇ ଆସିବାର ନୀତି ହୋଇ ରହିଲା ଓ ଆମ ଭଲ ପାଇବାଗୁଡ଼ାକର ଯାବତୀୟ ସରଞ୍ଜାମ ମଧ୍ୟ ପ୍ରଧାନତଃ ଲଦି ଦେଇ ଆସିବାର ସରଞ୍ଜାମ ପରି ହୋଇ ରହିଲା । ବଡ଼ ହୋଇ ଆମେ ସମସ୍ତେ ଅଧିକାରକୁ ଆସିଲୁ ଏବଂ ପ୍ରାୟ ସମସ୍ତେ ଚିତା କାଟିଲୁ । ନୀତିଗୁଡ଼ାକୁ ଲଦିଲୁ, ଧର୍ମଗୁଡ଼ାକୁ ଲଦିଲୁ, ଭଲପାଇବାର କଟୂ ଆକ୍ରୋଶଗୁଡ଼ାକୁ ମଧ୍ୟ ନେଇ ଲଦି ଦେଲୁ । ଯେଉଁମାନେ ଆମଠାରୁ ସାନ, ବୟସରେ ସାନ, ଯେଉଁମାନେ ଆମଠାରୁ କ୍ଷମତାରେ ସାନ, ସାମର୍ଥ୍ୟରେ ସାନ, ଆମଠାରୁ କମ୍ ଚାଲାଖ ଓ ଅଧିକ ବିଶ୍ୱାସପ୍ରବଣ, ଆମେ ଆମର ଧର୍ମ, ନୀତି ଓ ଭଲ ପାଇବାର ସରଞ୍ଜାମଗୁଡ଼ାକୁ ପ୍ରଧାନତଃ ସେଇମାନଙ୍କ ଉପରେ ଯାଇ ଲଦିଦେଇ ଆସିବାକୁ ମନ କଲୁ । ନିଶ୍ଚିନ୍ତ ଓ ନିର୍ଭିକ ହୋଇ ଆମେ ତାହାକୁ ହିଁ ଆମ ବଞ୍ଚିବାର ଏକମାତ୍ର ରାଜପଥ ରୂପେ ଗ୍ରହଣ କରିନେଲୁ ।

 

ଆମ ଇସ୍କୁଲମାନଙ୍କରେ ପ୍ରଧାନତଃ ଏହି ଲଦିବାର ଅଭିନୟଗୁଡ଼ାକ ହିଁ ସତେଅବା ଏକ ଦେବଲୀଳା ପରି ଲାଗି ରହିଥାଏ । ଭାରି ରାଜସିକ ଭାବରେ ଲାଗି ରହିଥାଏ । ଆମ ପିଲାଏ ପାଠ ପଢ଼ିବେ ଓ ମଣିଷ ହେବେ ବୋଲି ଆମେ ଇସ୍କୁଲ ବସାଉ; ଭଳି ଭଳି ସ୍କୁଲ ବସାଉ, ଭଳି ଭଳି ପଦ୍ଧତିର ଭିଆଣ କରୁ ଏବଂ ସେଥିଲାଗି ଭଳି ଭଳି ଯନ୍ତ୍ର ଓ ଯାନ୍ତ୍ରିକତାର ସାହାଯ୍ୟ ନେଉ, ଭଳି ଭଳି ବାହାଦୁରୀ ଦେଖାଉ । ମାତ୍ର ସକଳ ଅବସର ଦେଇ ଆମେ ସେହି ଲଦି ଦେବାର ସୁଆଙ୍ଗଗୁଡ଼ାକୁହିଁ ଲଗାଇ ରଖିଥାଉ । ଆମେ ସମସ୍ତେ ଯେଉଁଗୁଡ଼ାକୁ ପାର ହୋଇ ଆସିଛୁ, ଅତ୍ୟନ୍ତ ନିଷ୍ଠାର ସହିତ ସତେଅବା ସେହିଗୁଡ଼ାକୁ ନେଇ ଲଦି ଦେବା ଭିତରେହିଁ ଆମର ଯାବତୀୟ ବ୍ୟବସ୍ଥା ଏବଂ ବ୍ୟବସ୍ଥାପନା ଅନୁକ୍ଷଣ ଅବରୁଦ୍ଧ ହୋଇ ରହିଥାଏ । ଆମେ ନିଜେ କେବେହେଲେ ମଣିଷ ହେବା ଲାଗି ଚେଷ୍ଟା କରୁ ନଥାଉ, ଅଥବା କେତେଥର ଗେଲବସରିଆ ଚେଷ୍ଟା କରି ହାତଗୋଡ଼ ଭାଙ୍ଗି ଆପଣା ଭିତରେ ଲାଜରା ହୋଇ ବସିଥାଉ, ଚାହାଳୀଚୋର ହୋଇ ରହି ଯାଇଥାଉ । ମାତ୍ର ମଣିଷ ଗଢ଼ିବାର କାମଟି ଆମ ଦ୍ଵାରା ଯେ ଆଦୌ ସମ୍ଭବ ହୋଇ ପାରିବ ନାହିଁ ସେହି କଥାଟିକୁ ଆମେ ନାନା କାରଣରୁ ସ୍ୱୀକାର କରି ନେଇ ପାରୁ ନାହିଁ । ସେହି କାରଣଗୁଡ଼ିକର ସମ୍ମୁଖୀନ ହେବା ଲାଗି ଆମ ଭିତରେ ଆଉ କୌଣସି ବିଶ୍ୱାସ ନଥାଏ, କୌଣସି ବଳ ନଥାଏ, କୌଣସି ଶରଧା ମଧ୍ୟ ନଥାଏ । ଯିଏ ନିଜେ ମଣିଷ ହୋଇ ନ ପାରିଛି, କୌଣସି ନିର୍ଦ୍ଦିଷ୍ଟ ଆକାର ଦେଇ ଗଢ଼ାହେବା ପୂର୍ବରୁ ହିଁ ଯାହା ଉପରେ ଖୋଳପା ବାନ୍ଧି ଯାଇଛି, ଅଥବା ନିଜେ ଜଣେ ମଣିଷ ହେବ ବୋଲି ଯିଏ ଆପଣାର ଦ୍ଵାରଗୁଡ଼ିକୁ ଉନ୍ମୋଚିତ କରି ଦେଇ ବୃହତ୍ତର ସମଗ୍ର ଜୀବନଟିକୁ ଆପଣାର ଆଗ୍ରହ ଗ୍ରାମଟି ଭିତରକୁ ଗ୍ରହଣ କରି ନ ନେଇଛି, ସିଏ ପୁଣି କୋଉ ବୃତ୍ତିରେ ମଣିଷ ଗଢ଼ିବାକୁ ସମର୍ଥ ହେବ ? ତଥାପି ଆମେ ଆମ ଇସ୍କୁଲମାନଙ୍କରେ ମଣିଷ ଗଢ଼ି ବାହାରୁ, ଅଥବା ଆମର ସେହି ଅବକାରୀ ଜମିଦାରୀ ଗୁଡ଼ାକରେ ଦିନ ରାତି ଖାଲି ମଣିଷ ଗଢ଼ା ହେବାରେ ଲାଗିଛନ୍ତି ବୋଲି ଅନ୍ତତଃ ଆଣ୍ଟ କରିବାରେ ଲାଗି ଥାଉ । ସେହି ଆଣ୍ଟରେ ହିଁ ଆମର ହାକିମ ଅର୍ଥାତ୍‍ ବୃହତଯନ୍ତ୍ରମାନେ ସାଧବମାନଙ୍କର ବୀରବେଶ ପିନ୍ଧି ରାଜ୍ୟ ଗୋଟାକକୁ ଉଠାଇବାରେ ଓ ପକାଇବାରେ ଲାଗିଥାନ୍ତି । ଭିତରେ ବଡ଼ ଦୟନୀୟ ଭାବରେ ଫମ୍ପା ଆଉ ବିଷାଦଗ୍ରସ୍ତ ହୋଇ ରହିଥିବା ଅତି ଅକିଞ୍ଚନମାନେ ବାହାରେ କେତେମନ୍ତେ ସଜା ହୋଇଥିବା ଗୋଟାଏ ଗୋଟାଏ ବୃହତ କଣ୍ଢେଇ ହୋଇ ବୁଲୁଥାନ୍ତି । ସେମାନଙ୍କର କୌଣସି ରଜ୍ଜୁ ସେମାନଙ୍କ ହାତରେ ନଥାଏ । ସେମାନଙ୍କର କୌଣସି ଆଖି ମହୁଡ଼ ଡେଇଁ ନଥାଏ । କେତୋଟା ମୋଟା ସୂତ୍ରକୁ ମୁଖସ୍ଥ କରି ସେମାନେ ମଣିଷ ଗଢ଼ି ଥୋଇଦେବେ ବୋଲି ଚିତ୍କାର କରି ବାହାରି ଥାନ୍ତି, ମାତ୍ର ସେମାନେ ନିଜେ ଯାହା, ଠିକ୍ ତାହାହିଁ ଓ ସେତିକି ଗଢ଼ିବାରେ ସଫଳ ହୁଅନ୍ତି । ବିକୃତିଗୁଡ଼ାକୁ ବହୁଗୁଣିତ କରନ୍ତି, ବହୁସ୍ତରୀୟ କରି ରଖନ୍ତି, ବହୁଜନସ୍ୱୀକୃତ କରି ରଖନ୍ତି ଏବଂ ଆଦେଶ ବଳରେ ବହୁ ଜନଙ୍କ ଦ୍ୱାରା ସ୍ୱୀକୃତ ହୋଇ ଗଲା ପରେ ମିଥ୍ୟାଗୁଡ଼ାକ ମଧ୍ୟ ସତେଅବା ଗୋଟାଏ ଗୋଟାଏ ସୁମିଷ୍ଟ ସତ୍ୟ ଫଳ ପରି ପ୍ରତୀତ ହେବାରେ ଲାଗିଥାଏ ।

 

ଆମ ସାହିତ୍ୟ-ଖଳାମାନଙ୍କରେ ମଧ୍ୟ ବରିଷ୍ଠ ଓ କନିଷ୍ଠ ଉଭୟେ ରହିଥାନ୍ତି । ଆମ ପ୍ରୟୋଗରେ ଆମେ ଏମାନଙ୍କୁ ଅନେକ ସମୟରେ ପ୍ରବୀଣ ଓ ନବୀନ ବୋଲି ବି କହିଥାଉ । କହିବା ବାହୁଲ୍ୟ ଏମାନେ ସମସ୍ତେ ଏକୋଇଶି ବର୍ଷ ପାର ହୋଇ ଯାଇଥାନ୍ତି । ଏକୋଇଶି ବର୍ଷରେ ଉପଗ୍ରହ ହେବା ପୂର୍ବରୁ ଯାହାକିଛି ଲେଖାଯାଏ, ଏକ ଶ୍ରଦ୍ଧାନାମ ଦେଇ ଆମେ ସେଗୁଡ଼ାକୁ ହୁଏତ ଶିଶୁଲେଖା ବୋଲି କହୁଥାଉ ସିନା, ମାତ୍ର ସାହିତ୍ୟବୋଲି କହିବାକୁ କଦାପି ମନ କରୁନାହିଁ । ଆଗ କାଳରେ ଯେଉଁମାନେ ସଭାରେ ବସି ପାରୁ ନଥିଲେ, ସେମାନଙ୍କୁ ସାହିତ୍ୟିକ ବୋଲି କହିବା ପାଇଁ କେହି ମନ କରୁ ନଥିଲେ ! ସଭା କହିଲେ ସେତେବେଳେ ରାଜସଭାକୁ ହିଁ ବୁଝାଉଥିଲା । ଏବେ ରାଜାମାନେ ନାହାନ୍ତି, ତେଣୁ ଆଗ ଅର୍ଥରେ ସେହି ରାଜସଭା ଗୁଡ଼ାକ ମଧ୍ୟ ଆଉନାହିଁ । ରାଜାମାନଙ୍କ ସ୍ଥାନରେ ଏବେ ପ୍ରବୀଣମାନେ ଅଛନ୍ତି, ଅବସରପ୍ରାପ୍ତ ଯୋଦ୍ଧାମାନେ ରହିଛନ୍ତି । ଆମ ପରମ୍ପରା ସହିତ ସେମାନେ ଆପଣାକୁ ଗୋଟାସୁଦ୍ଧା ଜଡ଼ାଇ କରି ରଖିଛନ୍ତି । ଆହୁରି ଯଥାର୍ଥ ଭାବରେ କହିଲେ ପରମ୍ପରା କହିଲେ ସେମାନେ ଆପଣାକୁ ହିଁ ବୁଝୁଛନ୍ତି । ତେଣୁ ସେମାନେ ଯାହାକରୁଛନ୍ତି, ତାହାକୁ ହିଁ ପରମ୍ପରା ବୋଲି କୁହାଯାଉଛି । ସାହିତ୍ୟର ଦାଣ୍ଡରେ ଏମାନେ ଏକୋଇଶି ବର୍ଷର ଖୁଣ୍ଟିଗୁଡ଼ାକୁ ପାରହୋଇ ଚାଲି ଆସିଛନ୍ତି । ତେଣୁ ନବୀନମାନଙ୍କୁ ସତେଅବା ଏକୋଇଶି ବର୍ଷରେ ଆସି ପଦାର୍ପଣ କରି ନଥିବା ଅପୋଗଣ୍ଡ ଚପଳ ବାଳକ ପରିହିଁ ଦେଖୁଛନ୍ତି । ସାହିତ୍ୟର ସର୍ବଶ୍ରେଷ୍ଠ ଯୁଗଟା ଯେ ସେହି ମାନଙ୍କର ବୁଦ୍ଧ ହେବା ସଙ୍ଗେ ସଙ୍ଗେ ବଡ଼ ସ୍ଵାଭାବିକ ଭାବରେ ଅତିକ୍ରାନ୍ତ ହୋଇ ଯାଇଛି, ଏମାନେ ଅଭ୍ୟାସକ୍ରମେ ଠିକ୍‍ ଏହାହିଁ ଭାବି ଆସିଛନ୍ତି । ତେଣୁ ଲକ୍ଷ୍ମୀଗୁଡ଼ାକ ଯଦି କେଉଁଠାରେ ଥାଆନ୍ତି ତେବେ ସେହିମାନଙ୍କର ସ୍କନ୍ଧରେ ହିଁ ରହିଛନ୍ତି ବୋଲି ସେମାନେ ଅଚଳ ନିଷ୍ଠାର ସହିତ ବିଶ୍ୱାସ ବି କରୁଛନ୍ତି । ଆପଣାକୁ ହିଁ ସେମାନେ ସର୍ବାଧୁନିକ ବୋଲି ବିଚାର କରୁଛନ୍ତି; ଅର୍ଥାତ୍ ଯାବତୀୟ ଆଧୁନିକତା ଏବଂ ରୁଚି ସେହିମାନଙ୍କର ଯୁଗଟି ସହିତ ହିଁ ନିଶ୍ଚିତ ଭାବରେ ଅତିକ୍ରାନ୍ତ ହୋଇ ଯାଇଛି ବୋଲି ସେମାନେ ପ୍ରାୟ ଏକ ଦୁରାଗ୍ରହ ସହିତ ବିଶ୍ୱାସ କରିବାରେ ଲାଗିଛନ୍ତି । ଆପଣା ପୁଅର ନୂଆ ସାଇକେଲ-ଚଢ଼ା ଦେଖିଲେ ଜୀବନରେ କେତେ କେତେ ସାଇକେଲ ଭୋଗ କରି ଆସିଥିବା କୌଣସି ବାପ ଯେତିକି ପ୍ରସନ୍ନତା ଅନୁଭବ କରେ ନୂଆମାନଙ୍କର ସାହିତ୍ୟ କୃତିର ସମ୍ମୁଖୀନ ହେଲାବେଳେ ପୁରୁଣା ଅର୍ଥାତ୍ ପ୍ରବୀଣମାନେ ସତେଅବା ଠିକ୍‍ ସେତିକି ମାତ୍ର ପ୍ରସନ୍ନତା ହିଁ ଅନୁଭବ କରି ପାରୁଛନ୍ତି । ଯେଉଁ ଅସଲ ଆଖିଟି ଜାଗ୍ରତ ହୋଇ ରହିଥିଲେ ଜଣେ ପ୍ରବୀଣ ଜଣେ ନବୀନକୁ ବି ଚିହ୍ନି ନେଇପାରେ ପ୍ରବୀଣମାନଙ୍କ ଭିତରେ ସେହି ଆଖି କେବେ କେଉଁଦିନ ରହିଥିଲା ବୋଲି ସତେଅବା ଆଦୌ ମନେ ହେଉନାହିଁ । ଆପଣା ଭିତରେ ବାଟ ଚାଲିବାର ପରସ୍ତପରେ ପରସ୍ତ ହୋଇ ଫିଟି ଯାଉଥିବାର ଯେଉଁ ଅନୁଭବଟି ରହିଥିଲେ ଜଣେ ମଣିଷ ସହାନୁଭବୀ ହୋଇ ପାରୁଥାନ୍ତା ଓ ହୃଦୟପ୍ରବେଶ କରି ପାରୁଥାନ୍ତା, କାଳଟାକୁ ଅତିକ୍ରମ କରି ଯାଇଥିଲେ ମଧ୍ୟ ଆପଣାକୁ ତଥାପି କାଳସ୍ଥ ବୋଲି ଅନୁଭବ କରୁଥାନ୍ତା, ସାହିତ୍ୟଧାମରେ ସ୍ଥାୟୀ ଘରବାଡ଼ି କରି ରହିଥିବା ଆମ ପ୍ରବୀଣମାନେ ସେହି ଅନୁଭବଟିକୁ ସତେଅବା କୁଆଡ଼େ ପଛରେ ପକାଇଦେଇ ଆସିଛନ୍ତି । ସେଥିଲାଗି ସେମାନେ କେଉଁଠାରେ ହେଲେ ପ୍ରବେଶ କରି ପାରୁ ନାହାନ୍ତି । ସେମାନେ ନବୀନର ନୂତନ ସ୍ୱପ୍ନଗୁଡ଼ାକୁ ବୁଝି ପାରୁ ନାହାନ୍ତି, ନୂତନ ଅଝଟ ଓ ନୂତନ ଜିଦ୍‍ଗୁଡ଼ାକୁ ବୁଝି ପାରୁ ନାହାନ୍ତି, ଆମ ପୃଥିବୀ ମଧ୍ୟକୁ ବର୍ଷ ପରେ ବର୍ଷ ନିତ୍ୟନୂତନର ସନ୍ଦେଶ ବହନ କରି ଆସୁଥିବା ଏହି ଶରତ ଓ ଏହି ବସନ୍ତଗୁଡ଼ାକୁ ଆଦୌ ବୁଝିପାରୁ ନାହାନ୍ତି । ଆପଣାର ପାନଡିବାରେ ପଡ଼ିଥିବା ଶୁଖିଲା କେତେଖଣ୍ଡ ପାନଖିଲ ଦେଇ ସେମାନେ ଯାବତୀୟ ତାମ୍ବୁଳ-ସେବନର ମୂଲ କରି ବାହାରିଛନ୍ତି । ଜୀବନର ଶେଷ ମହୁଡ଼ରେ ପହଞ୍ଚି ସତେଅବା ଗୋଟାଏ ଅନ୍ତର୍ଗତ ପରାଜୟ-ବୋଧ ସେମାନଙ୍କୁ ଭାରି ଦୟନୀୟ ଭାବରେ କାମୁଡ଼ି ଧରିଛି, ଏବଂ ସେମାନେ ଏଠି ଯେକୌଣସି ପରିସ୍ଥିତିରେ ମଧ୍ୟ କଦାପି ହାର ମାନି ଯିବେନାହିଁ ବୋଲି ପଣ କରି ବସିଛନ୍ତି । ତେଣୁ ନବୀନମାନଙ୍କୁ ସତେଅବା ଜଣେ ଜଣେ ପ୍ରତିଦ୍ୱନ୍ଦୀ ବୋଲି ବିଚାର କରୁଛନ୍ତି । ସେମାନେ ନବୀନମାନଙ୍କୁ ଇର୍ଷା କରୁଛନ୍ତି । ଅପରାହ୍ନ ପୂର୍ବାହ୍ନକୁ ଈର୍ଷା କରୁଛି । ଯାବତୀୟ ଅନୁରାଗ ଓ ସଂବେଦନକୁ ସତେଅବା ଭାରି ଈର୍ଷା କରାଯାଇଛି-। ଏକୋଇଶି ବର୍ଷ ଟପି ଯାଇଥିବା ବଡ଼ମାନେ ଏକୋଇଶି ହୋଇ ନଥିବା ସାନମାନଙ୍କୁ ଯେତିକି ଈର୍ଷା କରନ୍ତି, ସେମାନଙ୍କୁ ଯେତିକି ଦୁଃସହ ବୋଲି ମନେ କରନ୍ତି, ସାହିତ୍ୟରେ ମଧ୍ୟ ଆମ କେଶହୀନ ପ୍ରବୀଣମାନେ ଦୀର୍ଘକେଶ ନବୀନମାନଙ୍କୁ ପ୍ରାୟ ସେତିକି ପରିମାଣରେ ଈର୍ଷା କରିବାରେ ଲାଗିଥାନ୍ତି । ଏକୋଇଶି ବର୍ଷ ଟପି ଯାଇଥିବା ପଂକ୍ତିଅଧିପତିମାନେ ଏକୋଇଶି ବର୍ଷ ଟପି ନଥିବା ଅପାଂକ୍ତେୟମାନଙ୍କୁ ସାଧାରଣ ଯେଉଁ ଦୃଷ୍ଟିରେ ଦେଖନ୍ତି, ସାହିତ୍ୟରେ ପ୍ରତିଷ୍ଠିତମାନେ ଅର୍ଥାତ୍ ପ୍ରତିଷ୍ଠାଗୁଡ଼ାକୁ ପ୍ରତାରିତ ଏବଂ ଆତ୍ମସାତ୍ କରି ରଖୁଥିବା ବଡ଼ମାନେ ନବାଗତ ଓ ନବୀନମାନଙ୍କୁ ପ୍ରାୟ ସେହିପରି ଏକ ଦୃଷ୍ଟିରେ ହିଁ ଦେଖୁଛନ୍ତି । ସେମାନେ ମଦଘଡ଼ା ଗୁଡ଼ାକୁ ଆପଣାର ହାତ ଭିତରେ ଯାବୁଡ଼ି ଧରିଛନ୍ତି । ମଦ୍ୟର ଯାବତୀୟ କ୍ରୟ ଓ ବିକ୍ରୟ ବ୍ୟବସ୍ଥାକୁ ସେମାନେ ସେମାନଙ୍କ ଆଖିକୁ ତୁଚ୍ଛା ଅର୍ବାଚୀନ ହୋଇ ଦେଖା ଯାଉଥିବା ହେୟମାନଙ୍କ ଲାଗି ନିଷିଦ୍ଧ କରି ରଖୁଛନ୍ତି । ଯେଉଁଠି କେବଳ ସିଦ୍ଧମାନଙ୍କ ହାତରେ ମଦ୍ୟପାନ କରିବାର ସବୁଯାକ ଅଧିକାରକୁ ଏକନ୍ୟସ୍ତ କରି ରଖା ଯାଇଥାଏ, ଏହି ନୃଶଂସତାଗୁଡ଼ାକୁ ହିଁ ସେଠି ଉତ୍ତମ ସଂସ୍କାରର ସ୍ଵୀକୃତି ମିଳିଥାଏ।

 

ଇତିହାସରେ ପ୍ରାୟ ସବୁ ରଜା ଆପଣାକୁ ଏକୋଇଶି ବର୍ଷ ବୟସ ଅତିକ୍ରମ କରି ଯାଇଥିବା ପ୍ରବୀଣ ପରି ମନେ କରିଛନ୍ତି ଓ ପ୍ରଜାମାତ୍ରକେ ସମସ୍ତଙ୍କୁ ଏବେ ବି ଏକୋଇଶି ବର୍ଷ ବୟସ ଟପି ନଥିବା ଅର୍ବାଚୀନ, କନିଷ୍ଠ ଓ ଅଧସ୍ତନଙ୍କ ପରି ମନେ କରି ଆସିଛନ୍ତି । ପ୍ରଜାମାନେ ଯେ କିଛି ନୁହନ୍ତି, ପ୍ରଜାମାନେ ସେ ସର୍ବଦା ରାଜାଙ୍କର ଅନୁଗତ ହୋଇ ରହିବାକୁ ବାଧ୍ୟ ହେବେ ରାଜାଙ୍କର ଦୁରାଚାରଗୁଡ଼ାକୁ ସହି ନେବାକୁ ହିଁ ଏକମାତ୍ର ସଦାଚାର ବୋଲି ମାନିବେ, ରାଜା ଯେତେ ବେଶୀ ଧର୍ମଛଡ଼ା ହେଲେ ମଧ୍ୟ ତାହାର ଆଚରଣଗୁଡ଼ାକୁ ହିଁ ରାଜଧର୍ମ ବୋଲି ଜାଣିବେ, ପୃଥିବୀରେ ରାଜାମାନଙ୍କ ବିଷୟରେ ଲେଖା ହୋଇଥିବା ଅନେକ ଶାସ୍ତ୍ର ବଡ଼ ସ୍ପଷ୍ଟ ଭାବରେ ଏହି କଥାଗୁଡ଼ାକର ହିଁ ଘୋଷଣା କରି ଆସିଛନ୍ତି । ଏହି କଥାଗୁଡ଼ାକୁ ହିଁ ସନାତନ ସତ୍ୟରୂପେ ମାନି ନେବାଟାକୁ ସେମାନେ ପ୍ରଜାମାନଙ୍କ ଲାଗି ନୀତିସାର ବୋଲି କହିଛନ୍ତି, ଆମ ଏ ଯୁଗରେ ଏବେ ରାଜାମାନେ ନାହାନ୍ତି ସତ, ମାତ୍ର ରାଜ୍ୟଗୁଡ଼ାକ ରହିଛି ଓ ରାଜନୀତି ବି ରହିଛି । ବର୍ତ୍ତମାନ ଆମ ସମସ୍ତଙ୍କୁ ଗୋଟାଏ ଗଠନର ବେଢ଼ା ଭିତରେ ବାନ୍ଧି ଯେଉଁମାନେ ରାଜନୀତି କରୁଛନ୍ତି ଓ ରାଜ୍ୟଗୁଡ଼ାକୁ ପାଳୁଛନ୍ତି, ସେମାନେ ଆପଣାକୁ ପୂର୍ବକାଳର ସେହି ରାଜାମାନଙ୍କ ତୁଳନାରେ କୌଣସି ଗୁଣରେ ଯେ କମ୍ ପାରିବାର ବୋଲି ମନେ କରୁଛନ୍ତି, ସେ କଥା ଆଦୌ ନୁହେଁ । ସେମାନେ ଆମର ଏହି ଆଧୁନିକ ଯୁଗରେ ମଧ୍ୟ ନରରୂପୀ ନାରାୟଣ ହୋଇ ରହିଛନ୍ତି । ଯେଡ଼େ ଅଦୃଶ୍ୟ ଏବଂ ପରୋକ୍ଷ ଭାବରେ ହେଲେ ମଧ୍ୟ ପୂର୍ବ ଯୁଗର ଯେକୌଣସି ନାରାୟଣଙ୍କ ଅପେକ୍ଷା ଏମାନେ ଅନେକ ଅଧିକ ଗୁଣରେ ଧୁରନ୍ଧର ଓ ପରାକ୍ରମଶାଳୀ ହୋଇ ରହିଛନ୍ତି ଏବଂ ଠିକ୍‌ ପୂର୍ବ ଯୁଗର ରାଜାମାନଙ୍କର ଆଖିରେ ହିଁ ପ୍ରଜାମାନଙ୍କୁ ଦେଖିବାରେ ଲାଗିଛନ୍ତି । ସେକାଳର ରାଜତନ୍ତ୍ର ଯାଇ ଏକାଳରେ କେତେକ ରାଜ୍ୟରେ ଗଣତନ୍ତ୍ରର ପ୍ରତିଷ୍ଠା ହୋଇ ସାରିଲାଣି । କାଗଜପତ୍ର ନିୟମ ଅନୁସାରେ ସେହି ସବୁ କ୍ଷେତ୍ରରେ ପ୍ରଜାମାନେ ଏବେ ନାଗରିକ ବୋଲି ଘୋଷିତ ହୋଇ ସାରିଲେଣି । ଶାସନଗୁଡ଼ାକ ପ୍ରଜାମାନଙ୍କ ପାଇଁ ହେଉଛି ଓ ପ୍ରଜାମାନଙ୍କ ଦ୍ୱାରା ହେଉଛି ବୋଲି ବି ଘୋଷିତ ହେବାରେ ଲାଗିଛି-। ମାତ୍ର ଯେଉଁମାନେ ରାଜନୀତି ଭିତରେ ପଶି କ୍ଷମତାରେ ଆସି ବସୁଛନ୍ତି, ସେମାନେ ନାଗରିକମାନଙ୍କୁ ମଧ୍ୟ ସତେଅବା ପୂର୍ବଯୁଗର ସେହି ପ୍ରଜାଙ୍କ ପରି ହିଁ ଦେଖୁଛନ୍ତି । ସେମାନଙ୍କୁ ସତେଅବା ଏକୋଇଶି ବର୍ଷ ପୂରି ନଥିବା ନିପଟ ନାବାଳକ ପରି ଦେଖୁଛନ୍ତି । ସେମାନଙ୍କୁ ନାବାଳକ କରି ରଖିବା ଲାଗି ତଗଡ଼ାରୁ ଆହୁରି ଅଧିକ ତଗଡ଼ା ପ୍ରଚାରବିଭାଗମାନ ବି ରହିଛି । ସେମାନଙ୍କୁ ଅଧିକରୁ ଅଧିକ ଅସହାୟ କରି ରଖିବା ଲାଗି ନାନାବିଧ ଅଶ୍ରୁତପୂର୍ବ ଆୟୁଧମାନ ବ୍ୟବହାର କରାଯାଉଛି । ସାବାଳକ ମାତ୍ରକେ ଦେଶର ପ୍ରତ୍ୟେକ ବ୍ୟକ୍ତିକୁ ଭୋଟ୍ ଦେବାର ଅର୍ଥାତ୍ ଦେଶର ବିଭିନ୍ନ ନିଷ୍ପତ୍ତିରେ ଅଂଶଗ୍ରହଣ କରିବାର ଅଧିକାର ଦିଆଯାଇଛି ସତ, ମାତ୍ର ଏହି ବ୍ୟବସ୍ଥାଟି ଅନୁସାରେ ଯେଉଁମାନେ ଯେଉଁ ଅବଧିଟି ସକାଶେ ଗାଦିରେ ଯାଇ ବସୁଛନ୍ତି, ସେମାନେ ସେହି ଅବଧିଟି ସକାଶେ ପ୍ରାୟ ନିରାଲମ୍ବ ଓ ନିରଙ୍କୁଶ ଭାବରେ ଆପଣାକୁ ପୃଥିବୀ ଗୋଟାକର ଏକମାତ୍ର ସାବାଳକ ମଣ୍ଡଳୀ ବୋଲି ଗ୍ରହଣ କରି ନେଉଛନ୍ତି । ପୋଥିର ନିୟମ ଅନୁସାରେ ଗଣତନ୍ତ୍ର-ଶାସନରେ ଯାବତୀୟ ନିଷ୍ପତ୍ତି ଅନେକରୁ ଏକ ଆଡ଼କୁ ପ୍ରେରିତ ହୋଇ ଆସିବ ବୋଲି ଧାର୍ଯ୍ୟ କରା ହୋଇଛି ସିନା, ମାତ୍ର କାର୍ଯ୍ୟତଃ ନିଷ୍ପତ୍ତିଗୁଡ଼ାକ ଏକରୁ ଅନେକଙ୍କ ଉଦ୍ଦେଶ୍ୟରେ ପ୍ରାୟ ଗୋଟାଏ ଗୋଟାଏ ରାଜାଦେଶ ପରି ଜାରି ହେବାରେ ଲାଗିଛି । ସମସ୍ତେ ଯେ ନିଷ୍ପତ୍ତି ନେବାକୁ ଆଦୌ ଯୋଗ୍ୟ ହୋଇ ଜନ୍ମ ହୋଇ ନାହାନ୍ତି, ଏହିପରି ଏକ ବଦ୍ଧ ଅନ୍ଧବିଶ୍ୱାସ ଉପରର ଉତ୍ତମର୍ଣ୍ଣମାନଙ୍କୁ ଏପରି ଭାବରେ ପରାକ୍ରାନ୍ତ କରି ରଖିଛି ଯେ ନିଷ୍ପତ୍ତି କହିଲା ମାତ୍ରକେ ସେମାନେ ଆପଣାର ନିଷ୍ପତ୍ତିଗୁଡ଼ାକୁ ହିଁ ବୁଝିବାରେ ଲାଗିଛନ୍ତି ଏବଂ ଆପଣାର ଗଇଁଠାଗୁଡ଼ାକ ସିଝିବା ଲାଗି ଏକ ଅନୁକୂଳ ଅବସର ସୃଷ୍ଟି କରି ରଖିବା ଲାଗି ହିଁ ସେମାନେ ଯାବତୀୟ ନିଷତ୍ତି ଗ୍ରହଣ କରିବାରେ ଲାଗିଛନ୍ତି ।

 

ଯେଉଁଠି ଯଥା ସମ୍ଭବ ଅଧିକ ଅହଙ୍କାରୀ ହୋଇ ରହିବାକୁ ହିଁ ଜ୍ୟେଷ୍ଠ ଆପଣା ଜ୍ୟେଷ୍ଠତ୍ୱର ଏକମାତ୍ର ପ୍ରତିପାଦକ ବୋଲି ଗ୍ରହଣ କରି ନେଇଥାଏ, ସେଠି ସେ ଦୁନିଆଯାକ ସମସ୍ତଙ୍କୁ କେବଳ କନିଷ୍ଠ ବୋଲି ଗ୍ରହଣ କରି ନେଇଥାଏ, ସେଠି ସେ ଦୁନିଆଯାକ ସମସ୍ତଙ୍କୁ କେବଳ କନିଷ୍ଠ ବୋଲି ଦେଖିବାର ଏକ ମାରାତ୍ମକ ଚକ୍ରାନ୍ତ ଭିତରେ ଯାଇ ପଡ଼ିଯାଇଥାଏ । ବର୍ତ୍ତମାନ ପୃଥିବୀର ଯାବତୀୟ ଆଦର୍ଶବାଦୀ ଆମକୁ ପ୍ରାୟ ଏହିଭଳି ଗୋଟିଏ ଚକ୍ରାନ୍ତ ଭିତରେ ଛନ୍ଦିକରି ରଖିଛି । ଆଦର୍ଶବାଦ ଗୁଡ଼ାକ ପ୍ରଧାନତଃ ଜ୍ୟେଷ୍ଠମାନଙ୍କର ସେହି ଅହଙ୍କାର ଓ ଅପକାମନା ଗୁଡ଼ାକର ହିଁ ପୃଷ୍ଠପୋଷକ ହୋଇ ରହିଛି । ଏବଂ ତାହାରି ନ୍ୟାୟ ଅନୁସାରେ କେବଳ କନିଷ୍ଠମାନଙ୍କର ପତରରେ ହିଁ ଆଦର୍ଶ ପରଷା ହେଉଛି । କନିଷ୍ଠମାନେ ଆପଣା ଆପଣାର ଜୀବନରେ ଗୋଟାଏ ଗୋଟାଏ ଆଦର୍ଶ ରଖିବେ, ସେମାନେ ସେହି ଆଦର୍ଶ ସକାଶେ ହିଁ ବଞ୍ଚିବେ, ସେମାନେ ଅଧିକ ଦେବେ ଓ କମ୍ ନେବେ, କମ୍ ପ୍ରତ୍ୟାଶା କରିବେ-ସେମାନେ ବୀର ହେବେ, ଯୋଦ୍ଧା ହେବେ, ଦେଶ ଭକ୍ତ ହେବେ, ଦେଶ ସେବକ ହେବେ, ସତ୍ୟବାଦୀ ହେବେ ଓ ସତ୍ୟପରାୟଣ ହେବେ, ଇସ୍କୁଲ ଠାରୁ ଆରମ୍ଭ କରି ସଭା ଘରର ମଞ୍ଚମାୟା ପର୍ଯ୍ୟନ୍ତ ସେମାନଙ୍କୁ କେବଳ ସେହି କଥାହିଁ କୁହାଯିବାରେ ଲାଗିଛି ଏବଂ ଯେଉଁମାନେ ମଞ୍ଚା ଉପରେ ବସିଛନ୍ତି ସେମାନଙ୍କର ସତେ ଯେପରି କିଛି ହେଲେ ହେବାକୁ ନାହିଁ, କିଛି ହେଲେ କରିବାର ନାହିଁ । ଆଦର୍ଶଗୁଡ଼ାକୁ ପୁଟୁଳା କରି ବାନ୍ଧି ସେମାନେ ସତେଅବା ଗୋଟାଏ ଗୋଟାଏ ବିପଣି ଚଳାଇବାକୁହିଁ ଏହି ପୃଥିବୀକୁ ଆସିଛନ୍ତି । ସେମାନେ ଯାହା ହେବାକୁ ଚାହୁଁଥିଲେ, ସେମାନେ ସତେଅବା ତାହା ହୋଇ ସାରିଛନ୍ତି, ସେମାନେ ଏକୋଇଶି ପାର ହୋଇ ଯାଇଛନ୍ତି । ସବୁଯାକ ବତା ଆଉ ବାଡ଼କୁ ପାର ହୋଇ ସେମାନେ ଏ ଯୁଗର ଖବରକାଗଜ ଗୁଡ଼ାକୁ ଅଧିକାର କରି ନେଇଛନ୍ତି । ସେମାନଙ୍କର ବହିଗୁଡ଼ାକରେ ସତେଅବା କେବଳ ପ୍ରଜାମାନଙ୍କ ପାଇଁ ହିଁ ଯାହା କିଛି ଲେଖା ହୋଇ ରହିଛି ଓ କେବଳ ପଦ ଭଣିତାଗୁଡ଼ାକରେ ସେମାନଙ୍କର ନିଜ ନାମର ଉଲ୍ଲେଖ ରହିଛି । ଆଦର୍ଶଗୁଡ଼ାକୁ ଗୋଟାଏ ଗୋଟାଏ ପ୍ରଦର୍ଶନ ଫଳକରେ ପରିଣତ କରି ସେମାନେ ଅସଲ ସିଦ୍ଧ କରିଯାହା ସବୁ ମଣ୍ଡାଇ ରଖୁଛନ୍ତି, ଆପଣାର ପ୍ରଜାମାନଙ୍କୁ ସେମାନେ କେବଳ ସେହିଗୁଡ଼ାକୁ ବୋହିବା ଲାଗି ସେମାନେ ନିଯୁକ୍ତ କରି ରଖିଛନ୍ତି ଏବଂ ବୋହିବାର ଏହି କାର୍ଯ୍ୟଟିରେ ଯଥାସମ୍ଭବ ସମସ୍ତଙ୍କୁ ଅନୁପ୍ରାଣିତ ଅର୍ଥାତ୍ ଅନୁଗତ କରି ରଖିବା ଲାଗି ସେମାନେ ଅତି କୌଶଳର ସହିତ ଜାତୀୟତା ବୋଲି ଗୋଟାଏ ସୁଦୃଶ୍ୟ ଫଳର ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ନାଗରିକ ଯେ ସର୍ବପ୍ରଥମେ ଜଣେ ଜଣେ ମଣିଷ, ସେହି ସତ୍ୟଟିରୁ ତାକୁ ଅତ୍ୟନ୍ତ ଅସଚେତନ ଭାବରେ ପ୍ରତାରିତ କରି ରଖିବା ଉଦ୍ଦେଶ୍ୟରେ ଅର୍ଥାତ୍, ଯଥା–ସମ୍ଭବ ଅଧିକରୁ ଅଧିକ ସଂଖ୍ୟକ ନାଗରିକଙ୍କୁ ବାଧ୍ୟ ପ୍ରଜାରେ ପରିଣତ କରି ରଖିବା ଉଦ୍ଦେଶ୍ୟରେ ସେମାନେ ଜାତୀୟତାକୁ ଗୋଟାଏ କଞ୍ଚା କାଉଁରୀ ହାଡ଼ ପରି ବ୍ୟବହାର କରି ଆସିଛନ୍ତି ଓ ଏବେ ମଧ୍ୟ କରୁଛନ୍ତି । ସେଥିଲାଗି ଯୁଗେ ଯୁଗେ ଓ ଦେଶେ ଦେଶେ କେତେ ନା କେତେ ସାହିତ୍ୟ ଲେଖା ହୋଇଛି ଓ କେତେ ଅଫିମକୁ ଆଦର୍ଶ ବୋଲି କହି ବିତରଣ କରି ଦିଆଯାଇଛି । କେଉଁଠି ଟିକିଏ କମ୍ ଯୋଗାଇ ଦିଆ ଯାଇଛି ତ କେଉଁଠି ବେଶୀ ଯୋଗାଇ ଦିଆଯାଇଛି । ପୃଥିବୀର ବିଭିନ୍ନ ସାହିତ୍ୟରେ ଜାତୀୟତାବାଦକୁ ବାନା କରି ଧରି ଯେଉଁ ସ୍ୱତନ୍ତ୍ର କଲ୍ଲୋଳିତ ଯୁଗଟିର ଆବିର୍ଭାବ ହୋଇଛି, ସେଥିରେ ମଣିଷଗୁଡ଼ାଙ୍କୁ ସେମାନଙ୍କର ଅସଲ ଅଗ୍ନି ଓ ଅସଲ ଭୋକଟିକୁ ଭୁଲି ଗୋଟାଏ ଗୋଟାଏ ଉତ୍ସାହିତ ସ୍ଵବିବେକହୀନ ଭୃତ୍ୟ ରୂପେ ଜୀବନ ଧାରଣ କରି ରହିବା ଦିଗରେ ହିଁ ଯଥାସମ୍ଭବ ଅଧିକ ଖୋରାକ ଯୋଗାଇ ଦିଆଯାଇଛି । ମଣିଷ ତାର ସାହିତ୍ୟ ଭିତର ଦେଇ ସାହିତ୍ୟ ଲାଗି ଓ ଜୀବନ ଲାଗି ଯେତେ ଅନୁରାଗ ନ ରଖିବ ତା’ର ଜାତି ଓ ତା’ର ଦେଶ ଲାଗି ତା’ଠାରୁ ଅଧିକ ପରିମାଣରେ ଗୋଟାଏ ପ୍ରକାରର ଅନ୍ଧ ଶ୍ରଦ୍ଧା ରଖିବ ବୋଲି ତଥାକଥିତ ଜାତୀୟତାବାଦୀ ସାହିତ୍ୟ ତାକୁ କେଡ଼େ ମନୋହର ଭାବରେ ପ୍ରରୋଚନା ଏବଂ ଅପପ୍ରେରଣାମାନ ଆଣି ଯୋଗାଇ ଦେବାରେ ଲାଗିଛି । ତଥାକଥିତ ଜାତୀୟତାବାଦୀ ସଙ୍ଗୀତ ଅପେକ୍ଷା ଜାତୀୟତା ନାମକ ଏକ ବିସ୍ମରଣ ଆଡ଼କୁ ହିଁ ଅଧିକ ପରିମାଣରେ ଆକର୍ଷିତ କରି ନେଇ ଯାଇଛି ଏବଂ ତଥାକଥିତ ଜାତୀୟତାବାଦୀ ସଂସ୍କୃତି ଅର୍ଥାତ୍‍ ଗୁଣାତ୍ମକ ଉତ୍କର୍ଷ ଏବଂ ଜୀବନାତ୍ମକ ନାନା ରୁଚିର ଅନୁଶୀଳନ କରିବା ଅପେକ୍ଷା ନିଜର ଜାତିକୁ ନେଇ ତାହାରି ପ୍ରତି ଏକ ଅତ୍ୟୁଗ୍ର ଅନୁରକ୍ତି ରଖି ଉତ୍ତପ୍ତ ହୋଇ ରହିବାର ପ୍ରାୟ ଏକ ବର୍ବରତା ଆଡ଼କୁ ହିଁ ଅଧିକରୁ ଅଧିକ ପରିମାଣରେ ଆକୃଷ୍ଟ କରି ନେଇ ଯାଇଛି । ମନୁଷ୍ୟ ତା’ର ଅତ୍ୟନ୍ତ ଅଜାଣତରେ ତା’ ଅନ୍ତରଙ୍ଗ ଜୀବନ ଓ ଅନ୍ତରଙ୍ଗ ସମ୍ବନ୍ଧଗୁଡ଼ିକର ସର୍ବବିଧ ଅସଲ ଆହ୍ୱାନଗୁଡ଼ିକୁ ଭୁଲି ସତେଅବା ଗୋଟାଏ କୋରଡ଼ ଭିତରେ ପଶି ସେହିଠାରେହିଁ ଅଟକି ରହି ଯାଉଛି: ଚାରିବାଡ଼ ଭିତରେ ସେ ଯେତିକି ମାତ୍ର ଅନୁଭବ କରୁଛି, କେବଳ ସେତିକିକୁହିଁ ସମୁଦାୟ ଆକାଶ ବୋଲି ଚିହ୍ନିବା ଲାଗି ସତେ ପ୍ରଲୁବ୍‍ଧ ହେବାରେ ଲାଗିଛି । ଜାତୀୟତାବାଦର ଅପପ୍ରେରଣାରେ ପଡ଼ି ଆମ ବିଜ୍ଞାନ ମଧ୍ୟ ସତେଅବା କେତେଗୁଡ଼ାଏ ନାବାଳକ କ୍ଷମତାଧୀଶମାନଙ୍କର ଏକ ସଉକ ଓ ଖେଳନାରେ ପରିଣତ ହୋଇ ରହୁଛି । ପୃଥିବୀର ପ୍ରାୟ ସବୁ କ୍ଷମାତାଧୀଶ ଆପଣାକୁ ଧର୍ମତଃ ଏକୋଇଶି ବର୍ଷ ପାର ହୋଇ ଯାଇଥିବା ପରି ଅନୁଭବ କରୁଛନ୍ତି, ସେମାନେ ପାରଙ୍ଗମମାନଙ୍କ ପରି ମତ୍ତ ହୋଇ ରହିଛନ୍ତି ଓ କୋଟି କୋଟି ମଣିଷଙ୍କୁ ସତେଅବା ଏବେ ମଧ୍ୟ ଏକୋଇଶି ବର୍ଷ ପୂରି ନଥିବା ଜଣେ ଜଣେ ଅଜ୍ଞାନ ବାଳକ ପରି ମନେ କରିବାରେ ଲାଗିଛନ୍ତି । ବିପଣିଗୁଡ଼ାକ ଭାରି ଚମତ୍କାର ଭାବରେ ଚାଲିଛି ।

 

ବଡ଼ମାନେ ସାନମାନଙ୍କୁ ସହି ପାରନ୍ତି ନାହିଁ, ତେଣୁ ସେମାନେ ଆମମାନଙ୍କ ଉପରେ ସବୁ କିଛି ଆଣି ଲଦି ଦେବାରେ ଏତେ ଆନନ୍ଦ ପାଇବାରେ ଲାଗିଥାନ୍ତି । ଏକୋଇଶି ବର୍ଷରୁ ଉର୍ଦ୍ଧ୍ୱକୁ ଚାଲି ଯାଇଥିବା ବୟସ୍କମାନେ ଏକୋଇଶିରୁ କମ୍ ସାନମାନଙ୍କୁ ଈର୍ଷା କରିବାରେ ଲାଗିଥାନ୍ତି । ତେଣୁ ସେହିମାନଙ୍କ ଉପରେହିଁ ସେମାନେ ସବୁଯାକ ନିଷେଧକୁ ଆଣି ଲଦି ଦେଉଥାନ୍ତି । ସେମାନେ କନିଷ୍ଠମାନଙ୍କୁ ସହି ପାରନ୍ତି ନାହିଁ, ଆପଣା ଭିତରେ ରହିଥିବା ଶିଶୁଟିକୁ ଉପେକ୍ଷା କରିବାରେ ଲାଗିଥାନ୍ତି । ମୁଖାଗୁଡ଼ାଏ ପିନ୍ଧିବାକୁହିଁ ସେମାନେ ବଡ଼ ହେବାର ଏକମାତ୍ର ଗୌରବ ବୋଲି ଧରି ନେଇଥାନ୍ତି । ଯେଉଁମାନେ ବୟସରେ ଏକୋଇଶି ବର୍ଷରୁ ଉର୍ଦ୍ଧ୍ୱ ହୋଇ ରହିଛନ୍ତି, ସେମାନେ ଯେ ଅପେକ୍ଷାକୃତ ଅଧିକ ଦାୟିତ୍ଵଶୀଳ ହୋଇଥିବାରୁ ସେମାନଙ୍କୁ ମଦ ଦୋକାନକୁ ଯାଇ ମଦ କିଣିବାର ଅଧିକାର ଦିଆ ଯାଇଛି, ସେକଥା କଦାପି ନୁହେଁ । ସେଇମାନଙ୍କର ମୁହଁ ଉପରେ ମୁଖାଗୁଡ଼ାକ ଭାରି ଚମତ୍କାର ଭାବରେ ବହିଯାଇ ପାରୁଛି ବୋଲି ହିଁ ସେମାନେ ଆପଣାକୁ ସତେଅବା ଅନେକ ଦାୟିତ୍ୱ-ସମ୍ପନ୍ନ ବୋଲି ବା ଏପରିକି ଏହି ସଂସାର ଭିତରେ ସବୁଠାରୁ ଅଧିକ ଦାୟିତ୍ୱ ସଂପନ୍ନ ବୋଲି ଧରି ନେଇଛନ୍ତି । ଏବଂ ଦାୟିତ୍ୱ ସମ୍ପନ୍ନ ହେବା ପରିବର୍ତ୍ତରେ ସେମାନେ ସ୍ୱଚ୍ଛନ୍ଦରେ ମୁଖାଗୁଡ଼ିକୁ ପିନ୍ଧି ପାରିବାର ବୟସଟାକୁ ବି ଧାର୍ଯ୍ୟ କରି ଦେଇଛନ୍ତି ଓ ଖାସ୍ ସେହି ମୁଖାଗୁଡ଼ାକ ବଳରେ ହିଁ ଆପଣାକୁ ବଡ଼ ଚମତ୍କାର ଭାବରେ ଭଦ୍ର ବୋଲି ଓ ସମର୍ଥ ବୋଲି ଚଳାଇ ନେଇ ପାରୁଛନ୍ତି । ଆମ ସଂସାରରେ ସୁଆଙ୍ଗଟା ଭାରି ଚମତ୍କାର ଭାବରେ ଚାଲୁଛି । ଯେଉଁମାନେ ଆମର ଏହି ସଂସାରରେ କର୍ତ୍ତା ହୋଇ ବସିଛନ୍ତି, ସେମାନଙ୍କ ଲାଗି ବାଡ଼ ନାହିଁ କି ବତା ନାହିଁ । ମାତ୍ର ଯେଉଁମାନେ ଅଧୀନସ୍ଥ ହୋଇ ରହିଛନ୍ତି, ସବୁଯାକ ନୀତିକୁ ଆଣି ସେହିମାନଙ୍କ ଉପରେ ଲଦି ଦିଆଯାଇଛି । କର୍ତ୍ତବ୍ୟଗୁଡ଼ାକ ଏହିପରି ଭାବରେ ପାହାଚ ପାହାଚ ହୋଇ ତଳକୁ ଗଡ଼ି ଆସୁଛି ଏବଂ ପ୍ରତ୍ୟେକ ପାହାଚରେ ସେଗୁଡ଼ାକ ଏହିପରି ବଡ଼ ନିର୍ମମ ଭାବରେ ଉପେକ୍ଷିତ ହେବାରେ ଲାଗିଛି ଏବଂ ସବାତଳଯାଏ ଆସି ତାହା ଏକାବେଳେକେ ମାଟିରେ ମିଶି ଯାଉଛି ।

 

ଆମ ସଂସାରଟା କ’ଣ ପ୍ରକୃତରେ ସବୁଦିନ ଲାଗି ଏହିପରି ଲଜ୍ଜାହୀନ ଏବଂ କପଟପୂର୍ଣ୍ଣ ଭାବରେ ଚାଲିଥିବ ? ଆମ ସାବାଳକମାନେ କ’ଣ ସବୁଦିନ ଲାଗି ଏହିପରି ନାବାଳକ ହୋଇ ରହିଥିବେ ? ଏବଂ ଆମେ ସମସ୍ତେ କ’ଣ ପ୍ରକୃତରେ ଏହିପରି ସବୁଦିନ ସକାଶେ ଏଇଠି ତଥାପି ‘ହସ ହସ ବଦନେ ହରଷଭରେ’ ବିଚରଣ କରିବାରେ ଲାଗିଥିବା ? ଆମ ସଂସାରରେ ଯେଉଁମାନେ ମୁଣ୍ଡବ୍ୟଥାକୁ ଡରନ୍ତି, ସେମାନେ ସାଧାରଣତଃ କଦାପି ଏଭଳି ପ୍ରଶ୍ନମାନ ପଚାରିବାକୁ ଇଚ୍ଛା କରନ୍ତି ନାହିଁ । ଫମ୍ପା ସଂସାରଟା ଭିତରେ ସେମାନେ ନିଜେ ମଧ୍ୟ ଫମ୍ପା ହୋଇ ରହିଯାନ୍ତି । ବଡ଼ ଚମତ୍କାର ଭାବରେ ଖାପ ଖାଇ ରହି ଯାଆନ୍ତି । ଆମେ ଅଧିକାଂଶ ଏଠାରେ ଏହିପରି ଚମତ୍କାର ଭାବରେ ଖାପ ଖାଇ ରହି ଯାଇଛୁ ବୋଲି ସଂସାରଟା ଏତେ ବେଶୀ ଅସୁନ୍ଦରତା ଆମକୁ ମୋଟେ ବାଧୁ ନାହିଁ, ମୋଟେ ଅସହ୍ୟ ଲାଗୁନାହିଁ । ଆମ ଭିତରର ଓ ବାହାରର ଅସୁସ୍ଥତାଗୁଡ଼ାକ ଆମକୁ ମୋଟେ ଅସ୍ୱାଭାବିକ ବୋଲି ଲାଗୁନାହିଁ । ଏହି ସଂସାରଟିକୁ ସୁନ୍ଦର କରିବା ଲାଗି ଆମେ କେତେ ପ୍ରବଚନ ଦେବାରେ ଲାଗିଛୁ, ମାତ୍ର ସୁନ୍ଦର ହେବାର ଅସଲ ଦାୟିତ୍ୱଟିକୁ ଅନ୍ୟମାନଙ୍କ ଉପରେ ଲଦି ଦେବାରେ ଲାଗିଛୁ । ବୋଝଗୁଡ଼ାକୁ ଆପଣା କାନ୍ଧ ଉପରୁ ଓହ୍ଲାଇ ଅନ୍ୟ ଆଉ କାହାରି ଉପରେ ଲଦି ଦେବାକୁ ହିଁ ସତେଅବା ପରମ ମୁକ୍ତି ବୋଲି ମଣୁଛୁ । ଗୋଟାଏ ଗୋଟାଏ ମୁଖା ପରିଧାନ କରି ଆମେ ପରସ୍ପରକୁ ଠକିବାରେ ଲାଗିଛୁ । ଅଥବା-ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ ବଡ଼ମାନେ ସାନମାନଙ୍କୁ ତୁଚ୍ଛା ଠକିବାରେ ଲାଗିଛନ୍ତି; ଜୀବନଟା ଯେ ସତକୁ ସତ ଗୋଟାଏ ଚରମ ଠକାମି, ସେମାନଙ୍କୁ ସେହି କଥାହିଁ ଶିଖାଇବାରେ ଲାଗିଛନ୍ତି । ଏକୋଇଶି ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଏକୋଇଶି ବର୍ଷରୁ କମ୍ ସାନମାନଙ୍କୁ ତୁଚ୍ଛା ଠକିବାରେ ଲାଗିଛନ୍ତି । ଜୀବନର ସମ୍ପର୍କଗୁଡ଼ାକ ସତେଅବା ଦୁଇଫାଳ ହୋଇ ରହିଛି । ଏଫାଳର ଲାଜଗୁଡ଼ାକ ସେପାଖକୁ କାଟୁନାହିଁ-। ସେପାଖର ପ୍ରତିବାଦଗୁଡ଼ାକ ଏପାଖଟାକୁ କେବଳ ରୋଷ ବୋଲି ମନେ ହେଉଛି । ଯାହା ଠିକ୍‌, ତାହା କ’ଣ କେବଳ ଏକ ନିର୍ଦ୍ଦିଷ୍ଟ ବୟସ ଲାଗି ହିଁ ଠିକ୍‌ ? ଯାହା ଉଚିତ, ତାହା କ’ଣ କେବଳ କେତେକ ବ୍ୟକ୍ତିଙ୍କ ଲାଗି ଉଚିତ୍ ? କର୍ତ୍ତୃତ୍ୱସ୍ଥାନମାନଙ୍କରେ ରହିଥିବା ବଡ଼ମାନେ ହୁଏତ ଏପର୍ଯ୍ୟନ୍ତ ମଧ୍ୟ ଆପଣାକୁ ଏହି ପ୍ରଶ୍ନଟିକୁ କେବେହେଲେ ପଚାରି ନାହାନ୍ତି । ଏହି ପ୍ରଶ୍ନଟିକୁ ପଚାରିବା ଲାଗି ଆଦୌ କୌଣସି ଆବଶ୍ୟକତା ରହିଛି ବୋଲି ଆମର ଭାଗ୍ୟ-ଅଧିକାରୀମାନେ ହୁଏତ ଏପର୍ଯ୍ୟନ୍ତ ବି ଭାବି ପାରି ନାହାନ୍ତି । କିନ୍ତୁ ଏହି ପ୍ରଶ୍ନଟି ଦିନେ ନା ଦିନେ ଅବଶ୍ୟ ପଚରା ହେବ, ବୟସର ଆଦୌ କୌଣସି ଗାରଭେଦ ନରଖି ଏହି ପ୍ରଶ୍ନଟି ପଚରାଯିବ; ଏବଂ, ଆମେ ଯେଉଁ ସ୍ତରରେ ସେହି ପ୍ରଶ୍ନଟିର ଉତ୍ତର ଦେବା ଲାଗି ଯୋଗ୍ୟ ହୋଇ ପାରିବା, ଏହି ସଂସାରରେ ଆମର ଯାବତୀୟ ଜୀବନବିଧାନ କେବଳ ତାହାରି ଅନୁସାରେ ହିଁ ନିରୂପିତ ହୋଇ ପାରିବ ।

 

ତେଣୁ ସାନମାନଙ୍କ ଲାଗି ମଦ ଦୋକାନକୁ ନିଷିଦ୍ଧ କରି ରଖିଲେ ମଦଖିଆଗୁଡ଼ାକ କଦାପି ବନ୍ଦ ହେବ ନାହିଁ । ଆମେ ସମସ୍ତେ ମଦଖିଆ ଛାଡ଼ିଲେ ଯାଇ ମଦଖିଆ ବନ୍ଦ । ଖାଲି ମଦ ଦୋକାନରେ ହିଁ ମଦଖିଆ ହୁଏନାହିଁ;-ଆସନରେ ବସିବାବେଳେ ବି ମଦଖିଆ ହୁଏ, ଅହଁଙ୍କାରୀ ଶୂନ୍ୟତାଗୁଡ଼ାକ ବଢ଼ିବାର ପ୍ରଶ୍ରୟ ପାଉଥିବା ପର୍ଯ୍ୟନ୍ତ ମଦଖିଆ ଚାଲିଥାଏ, ନିଜର କୌଣସି ଅନ୍ତର୍ଗତ ଲାଜକୁ ଭୁଲିଯାଇ ପାରିବାକୁ ମଧ୍ୟ ମଦଖିଆ ଦରକାର ପଡ଼େ । ଖାଲି ଅଭେକମାନେ ମଦ ପିଅନ୍ତି ନାହିଁ–ସ୍ୱୀକୃତିର ଯାବତୀୟ ଭେକ ଓ ମଣ୍ଡଣି ଭିତରେ ମଧ୍ୟ ମଦପିଆ ଚାଲିଥାଏ । ସୁନ୍ଦର ଜୀବନକୁ ମନ କଲେ ମଦପିଆର ଆବଶ୍ୟକତାଗୁଡ଼ାକ କ୍ରମେ ଗୌଣ ହୋଇ ଅନ୍ତର୍ହିତ ହୋଇଯାଏ । ଭଲ ପାଇବାର ଯୋଗ୍ୟ ହେଲେ ଅନ୍ଧତାଗୁଡ଼ାକ ଦୂର ହୁଏ, ମିଛକୁ ଆଶ୍ରୟ କରି ରହିଥିବା ଆବଶ୍ୟକତାଗୁଡ଼ାକ ଅନାବଶ୍ୟକ ମନେହୁଏ । ଆମେ ନିଜେ ବାଟ ଚାଲିଲେ ସମସ୍ତ ପୃଥିବୀ ମଧ୍ୟ ବାଟ ଚାଲିବାର ପ୍ରେରଣା ପାଏ । ସେତେବେଳେ ଆଉ ଆକଟ କରିବାକୁ ପଡ଼େ ନାହିଁ, ଆଉ ଈର୍ଷା କରିବାକୁ ପଡ଼େ ନାହିଁ, ନିୟମ ବାନ୍ଧି କାହାକୁ ସାଧ୍ୟ କରିବାକୁ ବି ପଡ଼େ ନାହିଁ । ସେତେବେଳେ ସମସ୍ତେ ସାଥୀ ହୋଇ ବାହାରନ୍ତି, ସ୍ନାନାର୍ଥୀ ହୋଇ ବାହାରନ୍ତି, ସମ୍ମୁଖରେ ପଡ଼ିଥିବା ମାର୍ଗଗୁଡ଼ାକ ଦ୍ଵାରା ମଣିଷ ମଣିଷ ଯୋଡ଼ି ହୋଇ ଯାଆନ୍ତି । ଯୁଗର ରିକ୍ତତାଗୁଡ଼ାକ ମଧ୍ୟ ଯୋଡ଼ି ହୋଇଯାଏ ।

 

୧୪.୧୨.୧୯୭୬

(ନବରବି, ନବବର୍ଷ ସଂଖ୍ୟା, ୧୯୭୭)

Image

 

Unknown

ଓଡ଼ିଶାର ସଂସ୍କୃତି : ଏକ ଦୃଷ୍ଟିପାତ

 

ସଂସ୍କୃତି କହିଲେ ଅନେକ ଲୋକ ଖାଲି ଅତୀତକୁ ବୁଝନ୍ତି, ସତେଅବା ଖାଲି ଗୁଡ଼ାଏ ସମ୍ପତ୍ତିକୁ ବୁଝନ୍ତି । ସେମାନେ ସଂସ୍କୃତି କହିଲେ ଧର୍ମଶାସ୍ତ୍ର ଆଉ ପୁରାଣକୁ ବୁଝନ୍ତି, ଗୁଡ଼ାଏ ବହି ଆଉ ଗୁଡ଼ାଏ ପୋଥିକୁ ବୁଝନ୍ତି । କେବେ ଲେଖା ହୋଇଥିବା ଗୁଡ଼ାଏ ଶାସ୍ତ୍ରକୁ ବୁଝନ୍ତି । ଗୁଡ଼ାଏ ମନ୍ଦିରକୁ ବା ମୂର୍ତ୍ତିକୁ ବୁଝନ୍ତି । ମୁଁ ସେପରି ବୁଝେନାହିଁ । ଅର୍ଥାତ୍‍ ମୁଁ ଅନ୍ୟପ୍ରକାରେ ବୁଝେ ।

 

ଓଡ଼ିଶାରେ ବାସ କରୁଥିବା ଅନେକ ମଣିଷ ଓଡ଼ିଶା କହିଲେ ଅମୁକଠାରୁ ଅମୁକଯାଏ ବିସ୍ତୃତ ହୋଇ ରହିଥିବା ଗୋଟାଏ ଭୂଇଁକୁ ବୁଝନ୍ତି । ସେମାନେ ଏହି ଭୂଇଁକୁ ଭାରି ସୁନ୍ଦର ବୋଲି ବର୍ଣ୍ଣନା କରି କହନ୍ତି, ଗୁଡ଼ାଏ ଅଳଙ୍କାର ଖଞ୍ଜି ତାକୁ ବନାଇ କରି କହିବାକୁ ଇଚ୍ଛା କରୁଥାନ୍ତି, ଅନ୍ୟ କେତେ କେତେ ଭୂମି ସହିତ ତାହାର ତୁଳନା କରି ସେମାନେ ଏହି ଭୂମିଟାକୁ ହିଁ ଅଧିକ ସୁନ୍ଦର ବୋଲି କହିବାକୁ ଭାରି ଇଚ୍ଛା କରନ୍ତି । ଏ ଦେଶର ନଈ ସୁନ୍ଦର, ନାଳ ସୁନ୍ଦର, ଗଡ଼ିଆ ସୁନ୍ଦର ଓ ମହୋଦଧି ସୁନ୍ଦର ବୋଲି କହି ସେମାନେ କେଡ଼େ ଉଲ୍ଲସିତ ହୁଅନ୍ତି । ଜଙ୍ଗଲ ଗହୀର ପଥ ଓ ପାହାଡ଼ କିଛିହେଲେ ଦାବି ରଖନ୍ତିନାହିଁ । ଅନେକ ସମୟରେ ସେମାନେ ଏହି ଭୂଇଁଟାକୁ ମାଆ ବୋଲି କହନ୍ତି । ତାପରେ କେତେ କେତେ ଭାବପ୍ରବଣତା ଦେଇ କେବେ ବିଗଳିତ ଭାବାତ୍ମକତା ଏବଂ ଅଭାବାତ୍ମକତା ଲଗାଇ କେତେ କୁଆଡ଼େ ଲୋସଡ଼ି ଯିବାକୁ ମନ କରୁଥାନ୍ତି । ମୁଁ ଏଗୁଡ଼ାକ କିଛି କରେନାହିଁ । ମୁଁ ଏପରି କିଛିହେଲେ ବୁଝେନାହିଁ । ମୁଁ ଅନ୍ୟପ୍ରକାରେ ବୁଝେ । ଗୋଟାଏ ଭୂମି କହିଲେ ମୁଁ ସେଠାରେ ବାସ କରୁଥିବା ମଣିଷକୁ ଆଗ ବୁଝେ । ଓଡ଼ିଶା କହିଲେ ଏହି ଓଡ଼ିଶାରେ ବାସ କରୁଥିବା ଓ ବାସ କରି ଆସୁଥିବା ମଣିଷମାନଙ୍କୁ ସବାଆଗ ଦୁଝେ । ଏଠି ମଣିଷ ମଣିଷ ଭିତରେ ରହିଥିବା ଓ ରହିଆସିଥିବା ସମ୍ବନ୍ଧଗୁଡ଼ାକୁ ହିଁ ସବାଆଗ ବୁଝେ । ଓଡ଼ିଶାର ମଣିଷମାନଙ୍କ ମଧ୍ୟଦେଇ ମୁଁ ଓଡ଼ିଶାର କୋଣାର୍କ ମନ୍ଦିରକୁ ଦେଖେ, ସେହି ମଣିଷମାନଙ୍କର ଜରିଆରେ ହିଁ ଏଠି ନାନା ଦେଉଳ ଭିତରେ ଥାପନା ହୋଇ ରହିଥିବା ବିଷ୍ଣୁ, ଶିବ ଅଥବା ନାରାୟଣଙ୍କୁ ଦେଖେ, ମଣିଷମାନଙ୍କ ମଧ୍ୟ ଦେଇ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରେ । ମଣିଷକୁ ମାପକାଠି କରି ମୁଁ ଏହିସବୁ ପୋଥିରେ କଳନା କରେ, ଏହିସବୁ ମୂର୍ତ୍ତିମାନଙ୍କର କଳନା କରେ, ଏହିସବୁ ମୁକ୍ତିମଣ୍ଡପର ଅସଲ ପରିମିତିଗୁଡ଼ିକୁ ନିର୍ଣ୍ଣୟ କରିବାକୁ ଚେଷ୍ଟା କରିଥାଏ ।

 

ଓଡ଼ିଶାରେ ମଣିଷ ଅଛନ୍ତି । ମଣିଷ ଅଛନ୍ତି ବୋଲି ଏଠାରେ ଆଉ ସବୁକିଛି ଅଛି । ମଣିଷ ଅଛନ୍ତି ବୋଲି ମଣିଷମାନଙ୍କର ବସତି ରହିଛି; ମଣିଷମାନଙ୍କର ଆବଶ୍ୟକତା ରହିଛି ବୋଲି ବସତି ବସତି ମଧ୍ୟରେ ସଡ଼କ ରହିଛି । ଏଠାରେ ମଣିଷ ଅଛନ୍ତି ବୋଲି ସେମାନଙ୍କର ଏକ ଅତୀତ ଅଛି, ବର୍ତ୍ତମାନ ଅଛି ଓ ଭବିଷ୍ୟତ ମଧ୍ୟ ରହିଛି । ଓଡ଼ିଶାରେ ମଣିଷ ଅଛନ୍ତି ବୋଲି ଏଠି ଧର୍ମ ଅଛି, ଧାରଣା ରହିଛି, ଜୀବନର ଏକ ନିର୍ଦ୍ଦିଷ୍ଟ ଧାରା ମଧ୍ୟ ରହିଛି । ରାଜନୀତି ମଧ୍ୟ ରହିଛି । ମଣିଷର ଦୁଇଟା ଅଥବା ଦୁଇଶହଟା ଆଖି ରହିଛି ବୋଲି ଏଠି ଚାରିପାଖକୁ ଅନାଇଦେବା ମାତ୍ରକେ କେତେ କଥା ସୁନ୍ଦର ଦିଶୁଛି, ଏବଂ କେତେ କଥା ଅସୁନ୍ଦର ବି ଦିଶୁଛି । ମଣିଷ ଭିତରେ ହୃଦୟ ବୋଲି କ’ଣ ଗୋଟାଏ ଅତ୍ୟନ୍ତ ଗ୍ରହଣଶୀଳ ଏବଂ ଅତ୍ୟନ୍ତ ନିବେଦନଶୀଳ ସମ୍ପଦ ବା ସମ୍ଭାର ରହିଛି ବୋଲି ଏଠି କାବ୍ୟ ରହିଛି, କବିତା ରହିଛି କଳା ରହିଛି, କଳାତ୍ମକତା ରହିଛି ଏବଂ ଏହି ମଣିଷ ଭିତରେ ଅତୃପ୍ତ ଏବଂ ଅସନ୍ତୋଷଗୁଡ଼ାକ ରହିଛି ବୋଲି ଏଠି ଯୁଗ ଭାଙ୍ଗୁଛି, ଯୁଗ ବଦଳିଯାଉଛି; ଧର୍ମ ଅଧର୍ମରେ ପରିଣତ ହୋଇ ଯାଉଛି ଏବଂ ନୂତନ ଧର୍ମର ସଂସ୍ଥାପନା ହେବାରେ ଲାଗିଛି । ଦ୍ଵାର ପରେ ଦ୍ଵାର ଫିଟି ଯାଉଛି, ଯୁଗ ପରେ ଯୁଗର ବିକାଶ ହେବାରେ ଲାଗିଛି । ଅଥବା କାନ୍ଥ ପରେ କାନ୍ଥ ଉଠିବାରେ ଲାଗିଛି ଏବଂ ଆମର ଦୁର୍ଗଟି କାଳକ୍ରମେ ସତେଅବା ଏକ ଦ୍ୱୀପରେ ପରିଣତ ହୋଇ ରହୁଛି । ସେହି କାନ୍ଥରେ ଧକ୍‌କା ବାଜି ଯୁଗଗୁଡ଼ାକ ଲେଉଟିଯାଉଛନ୍ତି ।

 

ସଂସ୍କୃତି କହିଲେ କ’ଣ କେବଳ ଆମେ ପଛରେ ଛାଡ଼ି ଆସିଥିବା ଅଥବା ବହିଗୁଡ଼ାକ ଲାଗି କେବଳ ଗୋଟାଏ ମିଉଜିଅମ୍‌ରେ ପରିଣତ କରି ରଖିଥିବା ଏକ ଅତୀତକୁ ହିଁ ବୁଝାଏ ? ହଁ, ମଣିଷ ଯେତେବେଳେ ବର୍ତ୍ତମାନର ସମ୍ମୁଖୀନ ହୋଇ ପାରୁନଥାଏ; ଯେତେବେଳେ ଭବିଷ୍ୟ କହିଲେ ସେ କେବଳ ଡରିବାରେ ଲାଗିଥାଏ, ପ୍ରାୟ ସେତିକିବେଳେ ହିଁ ସିଏ ରତ୍ନକୁଡ଼ାକୁ ସତେଅବା ଅତୀତ ଭିତରେ ଛାଡ଼ିଦେଇ ଆସିଥିବା ପରି ଆଡ଼ମ୍ବର କରେ ଅତୀତର ଗର୍ବ କରି ସିଏ ବର୍ତ୍ତମାନର ଆହ୍ୱାନଗୁଡ଼ାକୁ ଏଡ଼ି ରହିବାର ପ୍ରୟାସ କରୁଥାଏ, ଅତୀତର ସଂକୀର୍ତ୍ତନ କରି ବର୍ତ୍ତମାନ ବିଷୟରେ ରହିଥିବା ତା’ର ଭୀରୁତାଗୁଡ଼ାକୁ ଲୁଚାଇ ରଖିବାର ଚେଷ୍ଟା କରୁଥାଏ । ଓଡ଼ିଶାର ସଂସ୍କୃତି କହିଲେ କ’ଣ କେବଳ ଓଡ଼ିଶାର ଅତୀତଟାକୁ ହିଁ ବୁଝାଏ ? କେବଳ ପାଟଲୁଗାଗୁଡ଼ାକୁ ବୁଝାଏ, ଦଶହରା ପଡ଼ିଆକୁ ବରଷକରେ ଥରେ ବାହାରିବା ସମୟକୁ ଇଚ୍ଛା ହେଉଥିବା ସେହି କଳଙ୍କିଲୁଗା ଖଣ୍ଡାଗୁଡ଼ାକୁ ବୁଝାଏ । ଯଦି ଅତୀତ ସହିତ ଆମ ବର୍ତ୍ତମାନର ଅବଶ୍ୟ ଏକ ସମ୍ପର୍କ ରହିଛି, ତେବେ ଆମ ସଂସ୍କୃତିକୁ ମଧ୍ୟ ଆମେ କେବଳ ଅତୀତର ସେହି ଗହ୍ୱରଟା ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଲମ୍ବିତ ଏବଂ ସଂପ୍ରସାରିତ କରି ଆଣି ପାରିବାନାହିଁ କାହିଁକି ? ପୂର୍ବକାଳରେ ଓଡ଼ିଶାର ଲୋକ କ’ଣ ଖାଇଲେ, କ’ଣ ପିଉଥିଲେ, କେଉଁସବୁ ଯାନରେ ସ୍ଥାନରୁ ସ୍ଥାନାନ୍ତରକୁ ଯାଉଥିଲେ କେବଳ ଏହିଗୁଡ଼ାକୁ ଜାଣିବା କ’ଣ ସଂସ୍କୃତି ? ବର୍ତ୍ତମାନ ଓଡ଼ିଶାର ଲୋକ କ’ଣ ଖାଉଛନ୍ତି, କ’ଣ ପିଉଛନ୍ତି, ଯାନବାହାନ ତ ଦୂରର କଥା, ଓଡ଼ିଶାରେ ଶତକଡ଼ା ଏକାନବେ ଜଣ ମଣିଷ ବାସ କରୁଥିବା ଅଧିକାଂଶ ଆଦୌ କୌଣସି ରାସ୍ତା ଅଛି କି ନାହିଁ, ଏଗୁଡ଼ାକ କ’ଣ ଆମ ସଂସ୍କୃତି ପାଠର କେବେହେଲେ ଅନ୍ତର୍ଗତ ହୋଇ ପାରିବ ନାହିଁ ? ଆମ ଓଡ଼ିଶାର ସାଧବମାନେ ବୋଇତ ଭସାଇ ଜାଭା, ସୁମାତ୍ରା ଓ ବାଲିଦ୍ୱୀପକୁ ବଣିଜକରି ଯାଉଥିଲେ ସେହିସବୁ ମୁଲକରୁ ଘରକୁ ଧନରତ୍ନ ବୋହି ଆଣୁଥିଲେ, ଖାଲି ଏହିଗୁଡ଼ାକୁ ଜାଣିବା କ’ଣ ସଂସ୍କୃତି ? ଏଇଗୁଡ଼ାକୁ ଛବିରେ ଆଙ୍କି, ଗୀତରେ ଗାଇ ଓ ନାଚରେ ନାଚି ଅଧିକରୁ ଅଧିକ ଶୋଭାବନ୍ତ କରି ପ୍ରଦର୍ଶିତ କରାଇବା କ’ଣ ସାଂସ୍କୃତିକ ମଣିଷର ଏକମାତ୍ର କରାମତି ? ଏବଂ ଅପର ପକ୍ଷରେ ମଣିଷ ଓ ମଣିଷ ଭିତରେ ମାନ ଏଠି ଯେଉଁ ସମ୍ବନ୍ଧ-ବଣିଜର ଚଳଣିମାନ ରହିଛି, ମଣିଷ ଓ ମଣିଷ ଭିତରେ ତା’ର ହାଟମାନଙ୍କରେ, ମହକୁମାମାନଙ୍କରେ ଏବଂ ସଭାମାନଙ୍କରେ ଯେଉଁଭଳି ବଣିଜସବୁ ଚାଲିଛି ଓ ଯାହା ବର୍ତ୍ତମାନ ଆମ ଜୀବନର ଗୁଣାତ୍ମକ ଭୂମି ଏବଂ ମୂଲ୍ୟଗୁଡ଼ାକୁ ଏଠାରେ ନିରୂପିତ କରି ରଖିଛି ସେଗୁଡ଼ାକ କ’ଣ ସଂସ୍କୃତି ନୁହେଁ ? ଆମର ସୁଧୀ ଓ ପଣ୍ଡିତମାନେ ଏହି ପ୍ରଶ୍ନଟି ପଚାରିବା ଲାଗି ଏପର୍ଯ୍ୟନ୍ତ ଆମକୁ ପ୍ରାୟ କୌଣସି ଅବକାଶ ଦେଇ ନାହାନ୍ତି । ସେମାନେ ଶାସ୍ତ୍ର ପୁରାଣର ଚର୍ଚ୍ଚା କରିଛନ୍ତି, ଘୋରରୁ ଘୋରତର ଗବେଷଣାମାନ କରିଛନ୍ତି, ଆମର ଯାହାସବୁ ଥିଲା, ସେହିଗୁଡ଼ାକୁ ନେଇ ଛାତି ଫୁଲାଇ ବୁଲିବାଲାଗି ସେମାନେ ଆମକୁ କେତେପ୍ରକାର ଉତ୍ସାହ ଦେଇ ଆସିଛନ୍ତି । ଏଠି ସଂସ୍କୃତି ନାମରେ ପୋଥି ଘଣ୍ଟାହୋଇଛି, ଶାସ୍ତ୍ରଚକଟା ହୋଇଛି, ଧର୍ମମନ୍ଥନ ବି ହୋଇଛି; ଏବେମଧ୍ୟ ହେଉଛି, ସଭାମଣ୍ଡନ ମଧ୍ୟରେ ଆମ ପଣ୍ଡିତମାନଙ୍କ ଠାରୁ ଆମେ ପ୍ରଧାନତଃ ଏହିଗୁଡ଼ାକୁ ହିଁ ଶୁଣିବାରେ ଲାଗିଛୁ ଏବଂ କେତେ ଖୁସି ହେବାରେ ବି ଲାଗିଛୁ । ପଛମୁହାଁ ହୋଇ ଆମକୁ କେତେ ସାନ୍ତ୍ୱନା ମିଳିଛି ଓ ମିଳୁଛି, ଅସଲ କ୍ଷେତ୍ରଗୁଡ଼ାକରୁ ପଳାଇ ଯିବାରେ ଆମକୁ କେତେ ଆଶ୍ୱାସନା ମିଳୁଛି । ମାତ୍ର ଆହ୍ୱାନଗୁଡ଼ାକ ଗୋଟା ସୁଦ୍ଧା ଲାଜରା ହୋଇ ରହିଛନ୍ତି ।

 

୧୯୭୧ ମସିହାରେ ଜନଗଣନା ଅନୁସାରେ ଆମ ଓଡ଼ିଶାରେ ପ୍ରାୟ ଦୁଇକୋଟି କୋଡ଼ିଏ ଲକ୍ଷ ଲୋକ ବାସ କରୁଛନ୍ତି । ଗୋଟାଏ ଅର୍ଥରେ ଏମାନଙ୍କୁ ସମସ୍ତଙ୍କୁ ହିଁ ଓଡ଼ିଆ ବୋଲି କୁହାଯିବ ଏବଂ ଓଡ଼ିଶାର ସଂସ୍କୃତି ବିଷୟରେ ସଂଗତିଯୁକ୍ତ ଯେ କୌଣସି ଆଲୋଚନା ପଡ଼ିଥିବା ବେଳେ ଏମାନଙ୍କ ଜୀବନର ଯାବତୀୟ ବ୍ୟଞ୍ଜନା ଏବଂ ବିରଚନାକୁ ହିଁ ଅବଶ୍ୟ ବିଚାରକୁ ଅଣାଯିବ-। ଯିଏ ଓଡ଼ିଶାରେ ବାସ କରୁଛି, ସିଏ ହେଉଛି ଓଡ଼ିଆ, ଅନେକ ସମୟରେ ଆମେ ସମସ୍ତେ ଏହି କଥାଟିକୁ ମାନି ନେବାଲାଗି ଆଦୌ ସମ୍ମତ ହୋଇ ନଥାଉ । ବିଶେଷ କରି, ଯେଉଁମାନେ ସାଧାରଣତଃ ସଂସ୍କୃତି ବିଷୟରେ ଚର୍ଚ୍ଚାଦି କରିଥାନ୍ତି ଓ ଆପଣାକୁ ହିଁ ସମଗ୍ର ସଂସ୍କୃତିଟିର ଭାରବାହୀ ପ୍ରତିନିଧି ବିଚାର କରିଥାନ୍ତି, ସେମାନେ ଏଥିରେ ସମ୍ପୂର୍ଣ୍ଣ ଭାବରେ ଅସମ୍ମତ ହିଁ ହୁଅନ୍ତି । ଓଡ଼ିଆ କହିଲେ ସେମାନେ ଓଡ଼ିଶାର ସବୁ ମଣିଷଙ୍କୁ ଆଦୌ ଗଣନା କରନ୍ତି ନାହିଁ , ସେମାନେ ଓଡ଼ିଶାର ସଂସ୍କୃତି ଭିତରେ ସମସ୍ତଙ୍କୁ ଅନ୍ତର୍ଗତ କରି ରଖିବାଲାଗି କଦାପି ଇଚ୍ଛା ପ୍ରକାଶ କରନ୍ତି ନାହିଁ-। ଓଡ଼ିଶାର ମୋଟ୍‍ ଲୋକ ସଂଖ୍ୟା ମଧ୍ୟରୁ ମାତ୍ର ଅଧେ ହେଉଛନ୍ତି ପୁରୁଷ, ବାକି ଅଧକ ସ୍ତ୍ରୀ । ଏଠାରେ ଶହେଜଣ ମଣିଷରେ ତେଇଶି ଜଣରୁ ଅଧିକ ହେଉଛନ୍ତି ଆଦିବାସୀ ଏବଂ ପନ୍ଦର ଜଣରୁ ଅଧିକ ହେଉଛନ୍ତି ହରିଜନ । ଓଡ଼ିଶାରେ ସର୍ବାଧିକ ମଣିଷଙ୍କର ଧନ୍ଦା କୃଷି ହୋଇ ରହିଥିଲେ ମଧ୍ୟ ଶତକଡ଼ା ପ୍ରାୟ ଚବିଶି ସରିକି ମଣିଷ କୃଷିକ୍ଷେତ୍ରମାନଙ୍କରେ ମଜୁରିଆ ହୋଇ ରହିଛନ୍ତି, ଅନ୍ୟର ମୂଲ ଲାଗୁଛନ୍ତି । ଚାଷଧନ୍ଦାରେ ଅସଲ ଭାଗଟି ଏହିମାନଙ୍କର ରହିଥିଲେ ମଧ୍ୟ ଏମାନଙ୍କ ହାତରେ ନିଜର ବୋଲି କହିବାକୁ ପ୍ରାୟ କୌଣସି କମି ନାହିଁ । ତେଣୁ ଆମ ଓଡ଼ିଶାରେ ଏଭଳି ଅନେକ ତଥା କଥିତ ଭୂମ୍ୟାଧିକାରୀ ରହିଛନ୍ତି, ଯେଉଁମାନେ କି ସ୍ୱୟଂ କୃଷିକାର୍ଯ୍ୟ କରନ୍ତି ନାହିଁ । ସେମାନେ ମୂଲିଆଙ୍କ ହାତରେ କୃଷିକାର୍ଯ୍ୟ କରାନ୍ତି, ବଡ଼ଚାଷୀ ଏହିମାନଙ୍କୁ ହିଁ କୁହାଯାଏ, ଭଲ ଚାଷୀ ବୋଲି ବି କୁହାଯାଏ, ସେଇ ୧୯୭୧ ମସିହାରେ ହିସାବ ସଂଗ୍ରହ ଅନୁସାରେ, ଭାରତବର୍ଷରେ ବର୍ତ୍ତମାନ ଯେତେ ମଣିଷ ଅଛନ୍ତି, ସେମାନଙ୍କ ଭିତରୁ ଶତକଡ଼ା ମୋଟେ ତିରିଶି ଜଣଙ୍କୁ ସାକ୍ଷର ବୋଲି ଘୋଷଣା କରାଯାଉଛି । ସର୍ବଭାରତୀୟ ସ୍ତରରେ ସାକ୍ଷରମାନଙ୍କର ସଂଖ୍ୟା ତିରିଶି ଥିଲାବେଳେ ଓଡ଼ିଶାରେ ସାକ୍ଷରସଂଖ୍ୟା ହେଉଛି ଶତକଡ଼ା ଛବିଶି । ପୁରୁଷ ଓ ନାରୀସାକ୍ଷର ଅଲଗା ହିସାବ କଲେ ଆମ ଦେଶରେ ମୋଟ ନାରୀସାକ୍ଷର ଶତକଡ଼ା ପ୍ରାୟ ଉଣେଇଶି ଜଣ ରହିଛନ୍ତି । ତା ଭିତରୁ ଗ୍ରାମାଞ୍ଚଳର ନାରୀସାକ୍ଷର ହେଉଛନ୍ତି ଶତକଡ଼ା ପ୍ରାୟ ମୋଟେ ଚଉଦ ଜଣ । ଭାରତବର୍ଷର ୮୩ଟି ଜିଲ୍ଲାରେ ଏହି ସଂଖ୍ୟା ଆହୁରି ତଳକୁ ଯାଇ ମାତ୍ର ୫ ହୋଇ ରହିଛି । ଓଡ଼ିଶାରେ ମଧ୍ୟ ଏହାର ଅନୁରୂପ ପ୍ରତିଫଳନ ବେଶ୍‌ ଦେଖିବାକୁ ମିଳିବ । ଏଠି ହାରାହାରି ଶତକଡ଼ା ଛବିଶି ଜଣ ସାକ୍ଷରଙ୍କ ମଧ୍ୟରୁ ପୁରୁଷ ସାକ୍ଷର ହେଉଛନ୍ତି ଶତକଡ଼ା ପ୍ରାୟ ଅଣଚାଳିଶି ଏବଂ ସ୍ତ୍ରୀ ସାକ୍ଷର ଶତକଡ଼ା ଚଉଦ । ଓଡ଼ିଶାରେ ଯେଉଁ ମୋଟ ଛବିଶିଜଣ ସାକ୍ଷର ବୋଲି ଘୋଷିତ ହୋଇଛନ୍ତି, ହରିଜନମାନଙ୍କ କ୍ଷେତ୍ରରେ ତାହା ଆହୁରି ତଳକୁ ଖସି ଆସି ମାତ୍ର ଶତକଡ଼ା ୧୫-୧୬ରେ ରହିଛି ଏବଂ ଆଦିବାସୀମାନଙ୍କ କ୍ଷେତ୍ରରେ ଶତକଡ଼ା ଦଶଜଣରେ ମଧ୍ୟ ପହଞ୍ଚି ପାରିନାହିଁ । ଏହାର ଅର୍ଥ ହେଉଛି ଯେ ମୋଟାମୋଟି ଭାବରେ ହିସାବ କଲେ ଓଡ଼ିଶାର ଠିକ୍ ତିନି ଚଉଠ ମଣିଷ ଆମ ଲିଖିତ ବିଦ୍ୟାଗୁଡ଼ାକ ସହିତ ଆଦୌ କୌଣସି ସମ୍ପର୍କ ରଖି ପାରନ୍ତିନାହିଁ । ସେମାନେ ଆମ ଇସ୍କୁଲ ବା କଲେଜକୁ ଆସନ୍ତି ନାହିଁ, ସେମାନେ ଆମ ସାହିତ୍ୟ ପଢ଼ନ୍ତି ନାହିଁ, ଆମ ବ୍ୟାଙ୍କରେ ସୁରକ୍ଷିତ ହୋଇ ରହିଥିବା ପୋଥିଗୁଡ଼ାକର କୌଣସି ସମ୍ବାଦ ରଖନ୍ତିନାହିଁ, ଆମ ଶାସ୍ତ୍ରଗୁଡ଼ାକ ପାଖରେ ଅନଧିକାର ହୋଇ ରହିଥାନ୍ତି । ସଂସ୍କୃତି କରିବା ମାତ୍ରକେ ଆମେ ଯେଉଁମାନେ ଆଗ ଇତିହାସ, ସାହିତ୍ୟ ଓ ଧର୍ମଶାସ୍ତ୍ରଗୁଡ଼ାକୁ ହିଁ ବୁଝିବାକୁ ଲୋଭ କରୁ ଓ ସେହିଗୁଡ଼ାକ ମଧ୍ୟରେ ହିଁ ନିଜ ସମେତ ଆମ ସଂସ୍କୃତି-ବିଚରଣଗୁଡ଼ାକୁ ମଧ୍ୟ ଭାରି ସଯତନରେ ଆବଦ୍ଧ କରି ରଖିଥାଉ, ଆମ ସଂସ୍କୃତିବ୍ୟୂହର ବାଡ଼ଗୁଡ଼ାକ ଭିତରୁ ଯେ ଆମେ ଭାରି ପାରମ୍ପରିକ ଭାବରେ ଆମରି ଭୂଇଁରେ ରହିଥିବା ତିନି ଚଉଠ ଲୋକଙ୍କୁ ବଞ୍ଚିତ ଓ ବହିଷ୍କୃତ କରି ରଖିଥାଉ ଆମ ଆଗରେ ଏକଥାଟିକୁ ଯିଏ ଯେଡ଼େ ସ୍ପଷ୍ଟ କରି କହିଲେ ମଧ୍ୟ ଆମେ ସାଧାରଣତଃ ତାହାକୁ ବାଆଁରେଇ ଦେବାଲାଗି ହିଁ ଚେଷ୍ଟା କରିଥାଉ ତିନିଚଉଠ ମଣିଷଙ୍କ ପାଖରେ ଆମେ ମିଛୁଆ ହୋଇ ରହିଥାଉ ।

 

ଏହି ଆଦିବାସୀ ଓ ଏହି ହରିଜନମାନେ ପ୍ରଥମେ ଯେ ଆଉ କୁଆଡ଼େ ଥିଲେ ଓ ଦୁର୍ଭାଗ୍ୟବଶତଃ କୌଣସି ଏକ ପରବର୍ତ୍ତୀ ଯୁଗରେ ଆସି ଆମ ସହିତ ମିଶିଲେ, ସେକଥା ଆଦୌ ନୁହେଁ । ଅନେକ ଇତିହାସକାରଙ୍କ ମତରେ ସେହିମାନେ ହିଁ ଆମ ଦେଶରେ ସର୍ବପ୍ରଥମେ ଥିଲେ । ସେମାନଙ୍କର ଏକ ସ୍ୱକୀୟ ସଭ୍ୟତା ରହିଥିଲା, ସମ୍ବନ୍ଧଗତ ଏକ ଚଳଣି ଥିଲା, ଏକ ସାଂସ୍କୃତିକ ଆଖି ମଧ୍ୟ ରହିଥିଲା । ଓଡ଼ିଶାରେ ମଧ୍ୟ ଠିକ୍ ତାହାହିଁ ଥିଲା । ଓଡ଼ିଶାର ଶବରମାନଙ୍କୁ ଭାରତର ଏକ ଅନ୍ୟତମ ଅତିପ୍ରାଚୀନ ଜାତି ବୋଲି ନିରୂପଣ କରାଯାଇଛି ଏବଂ ସମଗ୍ର ଭାରତୀୟ ସ୍ତରରେ ଶବରମାନଙ୍କର ଗୋଟିଏ ସ୍ୱତନ୍ତ୍ର ସଭ୍ୟତା ରହିଥିଲା ବୋଲି ଆମର ପ୍ରାଚୀନ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ଓଡ଼ିଶାରେ ରାଜାମାନଙ୍କ ଦ୍ଵାରା ପ୍ରଦତ୍ତ ହୋଇଥିବା କେତେଗୁଡ଼ିଏ ତାମ୍ରଶାସନରୁ ଜଣାଯାଏ ଯେ ସେତେବେଳେ ଶୁଦ୍ରମାନଙ୍କୁ ଆଟବିକ ବୋଲି କୁହାଯାଉଥିଲା । ଆଟବିକର ଅର୍ଥ ଯିଏ ଅଟବୀରେ ବାସ କରେ, ଅର୍ଥାତ୍ ବନବାସୀ । ଆମ ତୋଷାଳିର ଜଣେ ରାଜା ଆପଣାକୁ ଅଷ୍ଟାଦଶାଟବୀର ଅଧିପତି ରୂପେ ବର୍ଣ୍ଣନା କରିଛନ୍ତି । ଯେଉଁମାନେ ପଶୁମାଂସ ବିକ୍ରୟ କରୁଥିଲେ, ପକ୍ଷୀ ଶିକାର କରୁଥିଲେ ଏବଂ ଧୀବର ବୃତ୍ତି କରୁଥିଲେ, ସେତେବେଳେ ସେମାନଙ୍କୁ ଶୂଦ୍ର ବୋଲି କୁହାଯାଇଥିଲା । ଏଠାରେ ଲକ୍ଷ୍ୟ କରି ରଖିବାର କଥା ଯେ ଯେଉଁମାନେ ଶୂଦ୍ର ବିକ୍ରେତାମାନଙ୍କଠାରୁ ପଶୁମାଂସ କ୍ରୟ କରୁଥିଲେ ଓ ତାକୁ ଭକ୍ଷଣ କରୁଥିଲେ, ତତ୍କାଳୀନ ସମାଜରେ ସେମାନଙ୍କୁ ଶୂଦ୍ର ବୋଲି କୁହାଯାଉନଥିଲା, ସେମାନେ ଶୂଦ୍ରେତର ବଡ଼ଜାତି ହୋଇ ରହିଥିଲେ । ବର୍ତ୍ତମାନ ମଧ୍ୟ ଆମ ସମାଜରେ ଏହି ଚତୁର ବ୍ୟବସ୍ଥାଟି ବେଶ୍ ଚାଲିଛି । ସେତେବେଳେ ଜାତିଗତ ଭେଦ ନିରୂପଣର ବ୍ୟାଖ୍ୟା ଅନୁସାରେ ଯେଉଁମାନଙ୍କୁ ଚଣ୍ଡାଳ ବୋଲି କୁହାଯାଇଥିଲା, ସେମାନେ ସମାଜରେ ଅସ୍ପୃଶ୍ୟ ହୋଇ ରହିଥିଲେ ଏବଂ ଗ୍ରାମ ଓ ନଗର ଭିତରେ ସ୍ପୃଶ୍ୟ ଓ ସ୍ତ୍ରୀକୃତ ହୋଇ ବାସ କରୁଥିବା ଭଲମାନେ ଚଣ୍ଡାଳମାନଙ୍କର ସେବା ଉପରେ ହୁଏତ ଏକାନ୍ତ ନିର୍ଭରଶୀଳ ହୋଇ ରହିଥିଲେ, ମାତ୍ର ଚଣ୍ଡାଳମାନେ ଅସ୍ପୃଶ୍ୟ ବୋଲି ବିବେଚିତ ହେଉଥିବା ଦୃଷ୍ଟିରୁ ସେମାନଙ୍କ ଲାଗି ବସତି ବାହାରେ ଅଥଚ ସନ୍ନିକଟରେ ହିଁ ସ୍ଵତନ୍ତ୍ର ବାସସ୍ଥାନମାନ ନିର୍ଦ୍ଧାରିତ ହୋଇ ରହିଥିଲା । ସେହିପରି, ଆହୁରି କେତେକ ତାମ୍ରଶାସନରୁ ଜାଣିବାକୁ ମିଳୁଛି ଯେ, ସେତେବେଳେ ଧନୀମାନେ ହିଁ ବହୁ ସଂଖ୍ୟାରେ ନଗର ମାନଙ୍କରେ ବାସ କରୁଥିଲେ ଏବଂ ସେମାନଙ୍କର ଧବଳବର୍ଣ୍ଣ ଅଟ୍ଟାଳିକା ଦ୍ୱାରା ନଗରର ଶୋଭା ବୃଦ୍ଧି ପାଉଥିଲା । ଗଙ୍ଗ ରାଜଧାନୀ କଳିଙ୍ଗ ନଗର ଏହି କାରଣରୁ ସତେଅବା ଏକ ସ୍ଵର୍ଗପୁର (‘ଅମରପୁର’) ବୋଲି ମନେ ହେଉଥିଲା ଓ ତାହା ସବୁଯାକ ଋତୁରେ ଅତ୍ୟନ୍ତ ସୁଖପ୍ରଦ ଓ ରମଣୀୟ ଥିଲା । ଦରିଦ୍ର ଶ୍ରେଣୀର ଲୋକେ ସାଧାରଣତଃ ଗ୍ରାମାଞ୍ଚଳରେ ବାସ କରୁଥିଲେ । ସେମାନେ ନିରାଡ଼ମ୍ବର ଭାବରେ ବାସ କରୁଥିଲେ । ବର୍ତ୍ତମାନ ମଧ୍ୟ ଆମ ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷରେ ପ୍ରଧାନତଃ ସେହି ଅବସ୍ଥାହିଁ ରହିଛି । ଧନୀ ଲୋକମାନେ ବହୁସଂଖ୍ୟାରେ ସହରମାନଙ୍କରେ ବାସ କରୁଛନ୍ତି, ସହରଗୁଡ଼ାକ ସତେଅବା ଅମରପୁର ପରି ଦେଖାଯାଉଛି ଏବଂ ବରଷର ସବୁ ଋତୁରେ ଅତ୍ୟନ୍ତ ସୁଖପ୍ରଦ ଓ ରମଣୀୟ ହୋଇ ରହିଛି ଏବଂ ଦରିଦ୍ର ଶ୍ରେଣୀର ଲୋକେ ସାଧାରଣତଃ ଗ୍ରାମାଞ୍ଚଳରେ ହିଁ ବାସ କରୁଛନ୍ତି ।

 

ଭାରତବର୍ଷରେ ତଥାକଥିତ ଆର୍ଯ୍ୟ ସଂସ୍କୃତିକୁ ତତ୍‌ପୂର୍ବତନ ଆର୍ଯ୍ୟୋତର ସଂସ୍କୃତିର ପ୍ରଭୂତ ଅବଦାନ ରହିଛି । ସମଗ୍ର ପୃଥିବୀରେ ଆମେ ଯେଉଁମାନଙ୍କୁ ଏବେ ଆଦିବାସୀ ବୋଲି କହୁଛୁ, ଆମ ସଂସ୍କୃତିର ଯାବତୀୟ ବେଢ଼ ମଧ୍ୟରୁ ଯେଉଁମାନଙ୍କୁ ଆମେ ପ୍ରାୟ ବାହାରେ ରଖି ଆସିଛୁ, କାଳେ କାଳେ ପୃଥିବୀସାରା ସେମାନେ ମନୁଷ୍ୟ-ସମାଜକୁ କେତେପ୍ରକାର ସମୃଦ୍ଧ କରି ଆସିଛନ୍ତି । ମନୁଷ୍ୟ ସଂସ୍କୃତିର କେତେ କେତେ ଉତ୍ସ ପ୍ରକୃତରେ ସେହି ଆଦିବାସୀ ସମାଜଗୁଡ଼ିକର ମୂଳ ମେଦିନୀଦୃଷ୍ଟି ଭିତରେ ହିଁ ନିହିତ ଓ ସୂଚିତ ହୋଇ ରହିଛି । ସାରା ପୃଥିବୀରେ ଯାହା ହୋଇଛି, ଭାରତ ବର୍ଷରେ ତାହାହିଁ ହୋଇଛି, ଆମ ଓଡ଼ିଶାରେ ମଧ୍ୟ ହୋଇଛି । ଆଦିବାସୀ ସମାଜର ଅଲିଖିତ ବିଧିଗୁଡ଼ିକ ଆମ ଯାବତୀୟ ବିଧିର କ୍ରମ ପରିଣତ ହେବାରେ କେତେ ଦିଗ୍‌ଦର୍ଶନ ଦେଇ ଆସିଛି, ଆଦିବାସୀ ସମାଜର ଅନୁଚ୍ଚାରିତ କେତେକେତେ ଅନ୍ତଃପ୍ରେରଣା ଆମର କେତେକେତେ ଶାସ୍ତ୍ର ଏବଂ କେତେକେତେ ସାହିତ୍ୟର ଜନନୀ ପରି ହୋଇ ରହିଛି । ଆମର ବ୍ରତ, ଓଷା, ପର୍ବ ଓ ପ୍ରାୟ ଯାବତୀୟ ଗାଥା ଓ କଥାମାନଙ୍କରେ ରହିଥିବା ଉପାଦାନଗୁଡ଼ିକରେ କେତେ ପରିମାଣରେ ଆଦିବାସୀ ମାନଙ୍କର ଅବଦାନ ରହିଛି ଓ କେତେ ପରିମାଣର ଖାସ୍‌ ଆମର ଅବଦାନ ରହିଛି, ଭବିଷ୍ୟତରେ କୌଣସି ଆଦିବାସୀ ଗବେଷକ ଆମଠାରୁ ହୁଏତ ଅନେକ ଅଧିକ ନିପୁଣ ଭାବରେ ସେହି କଥାଟିକୁ ନିର୍ଣ୍ଣୟ କରି ଦେଖାଇ ଦେଇ ପାରିବ । ଆମର ମାତୃପୂଜା ଓ ଦେବୀ ଉପାସନା, ଆମର ଯାବତୀୟ ଶକ୍ତି କଳ୍ପନା, ପୃଥିବୀରେ ପ୍ରାୟ ସବୁ ସ୍ଥାନରେ ଏସବୁ ଯେ ସେହି ଆଦିବାସୀ ସଂସ୍କୃତିରୁ ଆମ ପାଇଛୁ, ସେହି ମୂଳ ଉତ୍ସବଟିରୁ ଯେ ଏସବୁର କ୍ରମୋଦ୍‌ଭାବ ହୋଇ ଆସିଛି, ବିଭିନ୍ନ ଦେଶର ଗବେଷକମାନେ ଆମକୁ ସେହି ସତ୍ୟଟିକୁ ଅଧିକରୁ ଅଧିକ ସ୍ପଷ୍ଟ ରୂପେ ଦେଖାଇ ଦେବାରେ ଲାଗିଛନ୍ତି । ଖାସ୍ ଆମ ଓଡ଼ିଶାରେ ଆମେ ଅଣଆଦିବାସୀ ଓଡ଼ିଆମାନେ ଆମର ଅନେକ ଐତିହ୍ୟ ସକାଶେ ଆମ ଆଦିବାସୀମାନଙ୍କ ପାଖରେ ହିଁ ଋଣୀ ରହିବା । ଆମର ବୃକ୍ଷ ପୂଜା, ସର୍ମପୂଜା ଓ ପକ୍ଷୀପୂଜା ମୂଳତଃ ଆଦିବାସୀ ଜୀବନ-ସଂସ୍କୃତିର ମାଟିଭିତରୁ ହିଁ ଜନ୍ମଲାଭ କରିଛି । ଆଦିବାସୀ ଭାଷାଗୁଡ଼ିକରୁ ଆମ ଭାଷାକୁ କେତେକେତେ ଶବ୍ଦବିଭବ ଆମଦାନୀ ହୋଇ ଆସିଛି । ମାତ୍ର ବଡ଼ ବିସ୍ମୟର କଥା ଯେ ଆମେ ଏପର୍ଯ୍ୟନ୍ତ ଆଦିବାସୀ ସଂସ୍କୃତିକୁ ଆମ ସଂସ୍କୃତିର ଜନକ ବୋଲି ଗ୍ରହଣ କରିନାହୁଁ । ଆଦିବାସୀମାନଙ୍କଠାରୁ ଆମର କିଛି ଶିଖିବାର ଅଥବା ଗ୍ରହଣ କରିବାର ରହିଛି ବୋଲି ଆମେ ହୁଏତ ଏବେ ମଧ୍ୟ ସ୍ୱୀକାର ବି କରିନାହୁଁ । ଅର୍ଥନୀତିର କ୍ଷେତ୍ରରେ ସେମାନଙ୍କୁ ଆମେ ସବୁ ଦୃଷ୍ଟିରୁ ସଂସ୍କୃତି ବର୍ଜିତ ଯାବତୀୟ ପ୍ରକାରେ ଶୋଷଣ ହିଁ କରି ଆସିଛୁ, ଅଥବା ସେମାନଙ୍କର ଶାସନ ହିସାବରେ ସେମାନଙ୍କୁ କେବଳ ଦୟା ପ୍ରଦର୍ଶନ କରି ଆସିଛୁ । ସେମାନଙ୍କୁ ଆମଠାରୁ ହୀନତର ବୋଲି ମନେ କରିଆସିଛୁ । ଆମର ସଂସ୍କୃତି ଭୋଗରେ ସେମାନଙ୍କୁ ଯଥାସମ୍ଭବ କମ୍ ଭାଗ ଦେଇ ଆସିଛୁ । ସେମାନଙ୍କୁ ଆପଣାର କରିବା ନାଆଁରେ ସେମାନଙ୍କର ବିଶ୍ୱାସ ଓ ଆତ୍ମପ୍ରତ୍ୟୟ ଗୁଡ଼ିକୁ କେବଳ ଦୂଷିତ ହିଁ କରିଆସିଛୁ । ସେମାନଙ୍କୁ ବାଦ କରୁଥିବା ପରି ଆମ ଜୀବନକୁ ପ୍ରାୟ ଏକାବେଳକେ ଘାରିକରି ରଖିଥିବା ନାନା କୃତ୍ରିମତାର ବିଷଦ୍ୱାରା ସେମାନଙ୍କୁ ଆକ୍ରାନ୍ତ କରି ପକାଇବା ଲାଗି ଆମେ କେତେକେତେ ଯୋଜନା କରିବାରେ ଲାଗିଛୁ । ସେମାନଙ୍କୁ ଗୋଟା ସୁଦ୍ଧା ଅନ୍ଧବିଶ୍ୱାସୀ ବୋଲି ଧରିନେଇ ଆମେ ଆମର ସ୍ୱକୃତ ଅନ୍ଧବିଶ୍ୱାସଗୁଡ଼ାକ ଦ୍ୱାରା ସେମାନଙ୍କୁ ଭଳିଭଳି ବିକୃତି ଏବଂ ବିକାର ଗ୍ରସ୍ତତା ଦ୍ୱାରା ରଙ୍ଗାଇ ଦେଇ ରଖିବାଲାଗି ଭାରି ଆଗ୍ରହ ଦେଖାଉଛୁ । ଆମେ ସମସ୍ତେ ଯେଉଁ ଖାଲଟା ଭିତରେ ପଡ଼ି ସମ୍ପୂର୍ଣ୍ଣ ଭାବରେ ନୀଳବର୍ଣ୍ଣ ହୋଇ ରହିଛୁ, ସେମାନଙ୍କୁ ମଧ୍ୟ ଠିକ୍ ସେହି ଗାତ ଭିତରକୁ ଟାଣି ଆଣିବା ଲାଗି ଆମର ସବୁପ୍ରକାର ମନ୍ତ୍ର ଓ ଯନ୍ତ୍ରକୁ ନେଇ ଖଟାଇବାରେ ଲାଗିଛୁ । ଆମ ନିଜ ସଂସ୍କୃତି ଭିତରେ ଆମେ ପ୍ରକୃତରେ ଯେ କେଡ଼େ ଅଗଭୀର ହୋଇ ରହିଛୁ, ଆମରି ସମଗ୍ର ସାମୂହିକ ଜୀବନର ପ୍ରାୟ ଏକ ଚତୁର୍ଥାଂଶ ଭାଗ ଦଖଲ କରି ଆମରି ପଡ଼ୋଶୀ ହୋଇ ରହିଥିବା ଆଦିବାସୀମାନଙ୍କର ସହିତ ଆମର ସମ୍ପର୍କଗୁଡ଼ାକରୁ ମଧ୍ୟ ତାହାର ବେଶ୍ ଏକ ଚମତ୍କାର ସମୀକ୍ଷା କରାଯାଇପାରେ ।

 

ଓଡ଼ିଶାର ଦେବତା ଜଗନ୍ନାଥ ହେଉଛନ୍ତି ଶବର-ଦେବତା, ସେ ହେଉଛନ୍ତି ଆଦିବାସୀମାନଙ୍କର ଦେବତା,-ଏହି ବିଷୟରେ ଆମ ଗବେଷକମାନେ ଭୁରି ଭୁରି ପ୍ରମାଣ ଆଣି ଗଦାଇ ଦେଇଛନ୍ତି । ଯିଏ ଜଗତର ନାଥ ଯାହାଙ୍କ ସକାଶେ ଆମର ଦାଣ୍ଡଗୁଡ଼ାକୁ ଆମେ ଏଠି ବଡ଼ଦାଣ୍ଡ ବୋଲି କହୁଛୁ ଏବଂ ପାହାଚ ଗୁଡ଼ାକୁ ବଡ଼ ପାହାଚ ବୋଲି ବି କହୁଛୁ, ସେହି ଦେବତା ମୂଳତଃ ଯେ ଆଦିବାସୀଙ୍କର ଦେବତା ଆପଣାର ସାଂସ୍କୃତିକ ଇତିହାସରେ ଆମେ ପ୍ରକୃତରେ କେତେ କମ୍ କୃତଜ୍ଞ ଭାବରେ ସେହି କଥାଟିକୁ ସ୍ଵୀକାର ନ କରିଛୁ । କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗନ୍ନାଥଙ୍କୁ ଆପଣାର ଠାକୁର ବୋଲି ଦାବି କରି ଆମ ଓଡ଼ିଶାର ଆଦିବାସୀମାନେ ଶ୍ରୀକ୍ଷେତ୍ର ଭିତରକୁ ଆପଣାର ଅଧିକାର ମାଗିଛନ୍ତି, ସେମାନଙ୍କୁ ଆମେ ସୈନ୍ୟବଳ ଲଗାଇ ଘଉଡ଼ାଇ ଦେଇଛୁ-। ଆମର ଏହି କୁରୀତିଗୁଡ଼ାକର କବଳରେ ପଡ଼ି ଆମେ ଆଦିବାସୀମାନଙ୍କର ଦେବତାଙ୍କୁ ଜଣେ ପକ୍‌କା ହିନ୍ଦୁ ଦେବତାଙ୍କର ଛାଞ୍ଚରେ ନେଇ ପକାଇ ଦେଉଛୁ । ଆମେ ତାଙ୍କରି ଜାତି ନେଇଛୁ ତାଙ୍କୁ ଆମର କରି ରଖିବାର ମତଲବରେ ଆମେ ତାଙ୍କର ବଡ଼ପଣଗୁଡ଼ାକୁ ଅପହରଣ କରି ନେଇଛୁ । ଆମ ଜଗନ୍ନାଥେ ବର୍ତ୍ତମାନ ଜାତି ମାନୁଛନ୍ତି, ଧନ ମାନୁଛନ୍ତି, କୁଳ ମାନୁଛନ୍ତି ଓ ବଡ଼ସାନ ମାନୁଛନ୍ତି ସିଏ ବର୍ତ୍ତମାନ ଭୋଗର ଆୟତ୍ତ ହୋଇ ରହିଛନ୍ତି । ବ୍ରାହ୍ମଣ ପଣ୍ଡାଙ୍କ ବ୍ୟତୀତ ସିଏ ଆଉ କାହାରି ହାତରେ ବି ପାଣି ଖାଇବାକୁ ରାଜି ହେଉନାହାଁନ୍ତି । ଧନବାନକୁ ପାଖ ଓ ନିର୍ଧନକୁ ଦୂର ହୋଇ ରହିଛନ୍ତି । ଦେଉଳ ଗଣୁଥିବା ଗବେଷକ ପଣ୍ଡିତମାନେ କେଡ଼େ ପ୍ରଶଂସାକରି କହି ଯାଇଛନ୍ତି ଯେ ସାରା ଭାରତବର୍ଷ ଗୋଟାକରେ ଯେତେ ଦେଉଳ ଅଛି; ଆମର ଏହି ଗୋଟାଏ ଉତ୍କଳଖଣ୍ଡରେ ତା’ଠାରୁ ଅଧିକ ସଂଖ୍ୟକ ଦେଉଳ ରହିଛି ଏବଂ ପୁରୀ ବଡ଼ଦେଉଳର ବଡ଼ଠାକୁରଙ୍କ ପାଖରେ ଯେଉଁ ରୀତି ଅର୍ଥାତ୍‍ ଅରୀତିଗୁଡ଼ାକର ଅନୁସରଣ କରାଯାଉଛି, ଅନ୍ୟାନ୍ୟ ସବୁ ଦେଉଳରେ ତାହାକୁ ହୁଏତ ଆହୁରି ଆହୁରି ଶହେ କିମ୍ବା ବିଶାଶହେ ଗୁଣ ଅଧିକ ରକ୍ଷଣଶୀଳ ଭାବରେ ଅନୁସରଣ କରାଯାଉଛି । ଓଡ଼ିଶାର ଧର୍ମସଂସ୍କୃତି ସମନ୍ୱୟର ପ୍ରତୀକ, ସାମ୍ୟର ପ୍ରତୀକ ମୈତ୍ରୀର ପ୍ରତୀକ, ବୋଲି ଯେଉଁ ବହୁପଲ୍ଲବୀ ପଣ୍ଡିତମାନେ ଆମର ଏଠି କେଡ଼େ ପୁଲକିତ ହୋଇ କହିବାରେ ଲାଗିଛନ୍ତି, ସେମାନେ ଅନେକ ସମୟରେ ଆମ ସାମୂହିକ ଜୀବନର ଚତୁର୍ଦ୍ଦିଗକୁ ପ୍ରାୟ ଆଖି ବୁଜିଦେଇ ହିଁ ଏଗୁଡ଼ାକୁ କହିବା ଲାଗି ନିରାପଦ ମନେ କରିଥାନ୍ତି । ଆମ ଠାକୁରେ ତ ଏହି ସବୁଗୁଡ଼ାକର ପ୍ରତୀକ,-କିନ୍ତୁ ଆମେ ସ୍ୱୟଂ ପ୍ରକୃତରେ କ’ଣ ସବୁର ପ୍ରତୀକ-? ଯେତେବେଳେ ପ୍ରତୀକ ସହିତ ସତ୍ୟର କୌଣସି ସମ୍ପର୍କ ରହେନାହିଁ, ସେତେବେଳେ ପ୍ରତୀକଗୁଡ଼ାକ ତୁଚ୍ଛା ପଥରରେ ହିଁ ପରିଣତ ହୋଇ ରହନ୍ତି । ଯେତେବେଳେ ଅଧ୍ୟାସଗୁଡ଼ାକ ଅଧ୍ୟାତ୍ମଠାରୁ ଦୂରଛଡ଼ା ହୋଇଯାଆନ୍ତି, ଆମର ଯାବତୀୟ ଅଧ୍ୟାସୋପାସନା ସେତେବେଳେ ପ୍ରଧାନତଃ ଏକ କାଷ୍ଠୋପାସନାରେ ହିଁ ପରିଣତ ହୋଇ ରହିଯାଏ । ଦାରୁକୁ ବ୍ରହ୍ମରୂପେ ପୂଜା କରିବାର ଭାଣ କରୁ କରୁ ଓ ସେହି ଭାଣଗୁଡ଼ାକୁ ନେଇ ପାଣ୍ଡିତ୍ୟ କରୁ କରୁ ଆମେ ଯେ କେତେବେଳେ କୋଉ ଖଞ୍ଜରେ ବ୍ରହ୍ମଚେତନା ଗୁଡ଼ାକୁ ମଧ୍ୟ ଦାରୁବତ୍ ଏକ ଅଚେତନାରେ ନେଇ ପରିଣତ କରିପକାଉ, ଆମେ ନିଜେ ବି ହୁଏତ ସେହି କଥାଗୁଡ଼ାକର ଆଦୌ କୌଣସି ଅନ୍ତ ପାଇପାରୁ ନାହିଁ । ଯଦି ଆମ ଠାକୁରଙ୍କୁ ଆମେ ସମନ୍ୱୟର, ମୈତ୍ରୀର ଓ ଭ୍ରାତୃଭାବନାର ପ୍ରତୀକ କରି ରଖିଥାନ୍ତୁ, ତେବେ ଆମର ଜୀବନ ଭିତରେ ମଧ୍ୟ ସମନ୍ୱୟ ରହିଥାନ୍ତା, ସମଞ୍ଜସତା ରହିଥାନ୍ତା; ଆମର ଯାବତୀୟ ସମ୍ପର୍କ ମୈତ୍ରୀର ସମ୍ପର୍କ ହୋଇ ରହିବାଲାଗି ପ୍ରୟାସ କରୁଥାନ୍ତା, ଆମ ସାମୂହିକ ଜୀବନ ଭ୍ରାତୃଭାବନା ଦ୍ଵାରା ଅନୁସିକ୍ତ ହୋଇ ରହିଥାନ୍ତା । ଆମର ଯାବତୀୟ ନୀତି ଓ ରାଜନୀତି, ସାହିତ୍ୟ ଏବଂ ସାହିତ୍ୟିକତା ତଥା ଧର୍ମ ଏବଂ ଧର୍ମାଚରଣ ମଧ୍ୟରେ ସେଗୁଡ଼ାକ ପ୍ରାୟ ଦୃଶ୍ୟମାନ ଓ ସ୍ୱାଭାବିକ ହୋଇ ରହିଥାନ୍ତା, ମାତ୍ର ଆଦର୍ଶଗୁଡ଼ାକୁ ସଭାସାର ଶାସ୍ତ୍ରବାଇଗଣ କରି ଯେଉଁଠି ପ୍ରକୃତ ସମ୍ପର୍କଗୁଡ଼ାକର ଜୀବନବେଭାର ଭିତରେ ଯାବତ ପ୍ରକାରର ଦୁରାଚାର ଏବଂ ଦୁଷ୍ଟତାକୁ ନିରାଲମ୍ଭ ଭାବରେ ପ୍ରଶ୍ରୟ ଦିଆଯିବାରେ ଲାଗିଥାଏ, ସେଠି ଆଦୌ କୌଣସି ସଂସ୍କୃତି ରହିଛି ବୋଲି ଆମେ ପ୍ରକୃତରେ କେତେଦୂର କହିପାରିବା ?

 

ଅବଶ୍ୟ ଏକଥା ସତ ଯେ ଓଡ଼ିଶା ମନ କରିଥିଲେ ଓ ତାକୁ ଅନୁରୂପ ନେତୃତ୍ୱ ମିଳି ପାରିଥିଲେ ତାହା ସତକୁ ସତ ଏକ ସମନ୍ୱୟର ଭୂମି ହୋଇ ପାରିଥାନ୍ତା । କେବଳ ଭୂଗୋଳ ଅନୁସାରେ ଦେଖିଲେ ମଧ୍ୟ ଓଡ଼ିଶା ଭାରତବର୍ଷରେ ଦକ୍ଷିଣ ଏବଂ ଉତ୍ତର ମଧ୍ୟରେ ସତେଅବା ଗୋଟିଏ ସେତୁପରି ଅବସ୍ଥିତି ହୋଇ ରହିଛି ଏବଂ ସାଂସ୍କୃତିକ ସମଗ୍ର କ୍ଷେତ୍ରଟିରେ ମଧ୍ୟ ଓଡ଼ିଶା ଆପଣାର ଏହି ବିଶେଷ ଅବସ୍ଥିତିଟିର କାରଣରୁ ଗୋଟିଏ ସମନ୍ୱୟକାରୀ ଭୂମିରୂପେ ଅଧିକ ଫଳପ୍ରଦ ଭାବରେ ନିଶ୍ଚୟକାର୍ଯ୍ୟ କରି ପାରିଥାନ୍ତା । ଓଡ଼ିଶାର ଭାଷା ହେଉଛି ଉତ୍ତର ଭାରତର ଆର୍ଯ୍ୟ ଭାଷା ଓ ଦକ୍ଷିଣ ଭାରତର ଦ୍ରାବିଡ଼ ଭାଷା ମଧ୍ୟରେ ଏକ ସମନ୍ୱୟ । ଓଡ଼ିଆ ଭାଷାରେ ଲିପିଗୁଡ଼ିକ ଉପରେ ଉତ୍ତର ଓ ଦକ୍ଷିଣ ଦୁଇ ବିନ୍ଧାଣୀଙ୍କର ନିହାଣ ବାଜିଛି ଓ ସେଥିରୁ ଏକ ସମନ୍ୱିତ ବର୍ଣ୍ଣମାଳା ସମ୍ଭବ ହୋଇଛି । ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶାର ପାରମ୍ପରିକ ନୃତ୍ୟ ଉପରେ ଉତ୍ତର ଏବଂ ଦକ୍ଷିଣ ଦୁଇଆଡ଼ୁ ଆବେଶ ଆସି ଲାଗିଛି । ପୁରୀଧାମକୁ ପୀଠସ୍ୱରୂପ ବ୍ୟବହାର କରି ଓଡ଼ିଶାରେ ଉତ୍ତର ଆଉ ଦକ୍ଷିଣ ଉଭୟଆଡ଼ୁ ପଣ୍ଡିତ, ପ୍ରଚାରକ ଏବଂ ପରିବ୍ରାଜକମାନେ ଆସି ଏକତ୍ର ସମ୍ମିଳିତ ହୋଇଛନ୍ତି । ଏହି ପୁରୀକ୍ଷେତ୍ରରେ ହିଁ ଭାରତୀୟ ପୁରୁଷୋତ୍ତମ ଅର୍ଥାତ୍ ପରମ ପୁରୁଷଙ୍କର କଳ୍ପନାକୁ କେନ୍ଦ୍ରକରି ରଚିତ ହୋଇଥିବା ଯାବତୀୟ ଦର୍ଶନ ଓ ସତ୍ୟ-ଦୃଷ୍ଟି ନାନା ପର୍ଯ୍ୟାୟରେ ଓ ନାନା ବିଭଙ୍ଗରେ ମୁକୁଳିତ ହୋଇ ଉଠିଛି । ଏହି ଓଡ଼ିଶାକୁ ବୌଦ୍ଧମାନେ ଆସିଛନ୍ତି, ଜୈନମାନେ ଆସିଛନ୍ତି, ତାନ୍ତ୍ରିକ ଆସିଛନ୍ତି, କାୟାସାଧକ ଆସିଛନ୍ତି, ଅଦ୍ୱୈତ ଆସିଛି, ଦ୍ୱୈତ ଆସିଛି, ଶୈବ ଆସିଛନ୍ତି, ବୈଷ୍ଣବ ବି ଆସିଛନ୍ତି । ଉତ୍ତର ଦକ୍ଷିଣ କୌଣସି ବାରଣ ନରଖି ସେମାନେ ଏଠାକୁ ଆସିଛନ୍ତି । ପରସ୍ପରର ସ୍ରୋତଗୁଡ଼ିକୁ ଏକାଠି ମିଳାଇ ଆମର ଏଠି ସତେଅବା ଏକାବେଳକେ ଏକ ନୂତନ ଫସଲ ସକାଶେ ମାଟିକୁ ପାଗ କରିଦେଇ ଯାଇଛନ୍ତି । ମଝିରେ ମଝିରେ ସେହି ନୂଆ ମାଟିର ସନ୍ଦେଶକୁ ମୁଖ୍ୟ ମନ୍ତ୍ରରୂପେ ଗ୍ରହଣ କରି ଓଡ଼ିଶାର ଭୂଇଁରେ ସମନ୍ୱୟର କେତେକେତେ ସନ୍ଦେଶ ପ୍ରଚାରିତ ହୋଇଛି; ସମନ୍ୱୟକୁ ହିଁ ଜୀବନର ମୁଖ୍ୟ ରଙ୍ଗରେ ପରିଣତ କରିଏଠାରେ କେତେକେତେ ସନ୍ଥଙ୍କର ଉଦୟ ହୋଇଛି । ସେମାନେ ଜାତି ମାନି ନାହାନ୍ତି, ବର୍ଣ୍ଣ ମାନି ନାହାନ୍ତି, ଭେକ ମାନି ନାହାନ୍ତି, ଏପରିକି ରାଜାର କଟାଳକୁ ମଧ୍ୟ ମାନି ନାହାନ୍ତି । ଏକ ସର୍ବସ୍ୱୀକାରୀ ଅନ୍ତର୍ନିଷ୍ଠା ଓ ସହଜ ଭାବାନୁଗତତାକୁ ହିଁ ସେମାନେ ଉନ୍ମୋଚନକାରୀ ଅସଲ ଆଲୋକ ବୋଲି ଚିହ୍ନିଛନ୍ତି । ତଥାପି ପାରମ୍ପରିକ ହିନ୍ଦୁଧର୍ମର ପାରମ୍ପରିକ ସଂକୀର୍ଣ୍ଣତା ଓ କର୍ତ୍ତୃତ୍ୱ ଅନୁଷ୍ଠାନଗୁଡ଼ାକ ପୁନର୍ବାର ଆସି ସେମାନଙ୍କର ବେକକୁ କାମୁଡ଼ି ଧରିଛି ଓ ସେମାନଙ୍କୁ ପୁଣି ସେହି ପୁରୁଣା ଛାଞ୍ଚ ଗୁଡ଼ାକରେ ନେଇ ପକାଇ ଦେଇଛି । ଆଧ୍ୟାତ୍ମିକତା ଉପରେ ବହିରଙ୍ଗତାର ବିଜୟ ହୋଇଛି, ପୁରୁଣା ପାଉଁଶର ଏଡ଼େ ଏଡ଼େ ଗଦାଗୁଡ଼ାକ ସାମୟିକ ସ୍ଫୁଲିଙ୍ଗଗୁଡ଼ିକୁ କୁଆଡ଼େ ଗର୍ଭସାତ୍ କରି ପକାଇଛି । ବିଚାରଗୁଡ଼ାକ ପୋଥିରେ ପରିଣତ ହୋଇଯାଇଛି, ଗାଦି ହୋଇ ପୂଜା ପାଇବାକୁ ଆରମ୍ଭ କରିଛି । ସମନ୍ୱୟର ଆହ୍ୱାନଗୁଡ଼ାକ ପ୍ରାୟ ଗୋଟାଏ ଗୋଟାଏ ବୋଲିରେ ପରିଣତ ହୋଇ ରହିଛି । ଯେଉଁମାନଙ୍କୁ ନେଇ ଆମେ କଥାରେ ଗର୍ବ କରୁଛୁ ଆମ ଜୀବନର ଅସଲ ଖଳାଗୁଡ଼ାକରେ ସେମାନଙ୍କୁ ଆମେ ଏକାନ୍ତ ଅବ୍ୟାବହାରିକ ଓ ତେଣୁ ଏକାନ୍ତ ଅବ୍ୟବହାର୍ଯ୍ୟ କରି ରଖି ଦେଇଛୁ । ଆମ ଜୀବନର ନାଳୀଗୁଡ଼ାକ ଯେଉଁସବୁ ପ୍ରୟୋଜନ ଦ୍ଵାରା ପ୍ରେରିତ ହେବାରେ ଲାଗିଛି, ଆମେ ମୁଣ୍ଡରେ ମୁଣ୍ଡାଇ ରଖିଥିବା ଓ ତୁଣ୍ଡରେ ସ୍ତୁତି କରୁଥିବା ଐତିହ୍ୟଗୁଡ଼ାକର ସେଥିରେ ପ୍ରାୟ କୌଣସି ଭାଗ ରହିଥିବା ପରି ଆଦୌ ମନେ ହେଉନାହିଁ ।

 

ଓଡ଼ିଶାରେ ଆମର ଭାଷା ହେଉଛି ଓଡ଼ିଆ ଭାଷା । ଏହି ଭାଷାର ଏକ ପ୍ରାଚୀନ ଇତିହାସ ରହିଛି, ପ୍ରାଚୀନ ଐତିହ୍ୟ ରହିଛି । ପିଲାଙ୍କ ଆଗରେ ଆମେ ଏହି ଓଡ଼ିଆ ଭାଷାକୁ ଆମର ମାତୃଭାଷା ବୋଲି କହିଥାଉ । ଏହି ଭାଷା ସ୍ଵର୍ଗଠାରୁ ମଧ୍ୟ ଅଧିକ ଗରୀୟାନ ବୋଲି ଆମେ କେଡ଼େ ପାଟିରେ କହିଥାଉ । ଓଡ଼ିଶାର ଅଧିକାଂଶ ମଣିଷ ଏହି ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା କରନ୍ତି । ସେମାନେ ଏହି ଭାଷାରେ ଚିନ୍ତା କରନ୍ତି, ଏହି ଭାଷାରେ ହସନ୍ତି, କାନ୍ଦନ୍ତି । ମାତ୍ର ଆମେ ତଥାକଥିତ ଶିକ୍ଷିତମାନେ ଏହି ଭାଷାଟାକୁ ନେଇ ସତେ ଅବା ଭାରି ଲଜ୍ଜିତ ଅନୁଭବ କରୁଥାଉ । ଆମର ସାହେବ ଅର୍ଥାତ୍‍ ହାକିମମାନେ ଓଡ଼ିଆ ଭାଷାକୁ ସତେଅବା ପିଲାଦିନର କୌଣସି ପାଠ ଅଥବା ଝିଅଦିନର କୌଣସି ସାଙ୍ଗ ପରି ଭୁଲିଯିବାକୁ ହିଁ ଅଧିକ ସ୍ୱାଭାବିକ ବୋଲି ମନେ କରନ୍ତି । ସାହେବ ଅଥବା ହାକିମ ହେବାକୁ ହିଁ ତ ଆମ ଶିକ୍ଷିତମାନେ ଶିକ୍ଷିତ ହେବାର କଷଣ ଉଠାଇଥାନ୍ତି, ତେଣୁ ପ୍ରକୃତରେ ହାକିମ ହେବାର ପୂର୍ବରୁ ହିଁ ଏମାନେ ସେହି ଭାଷାଟାକୁ ଆପଣାର ହାତ ଭିତରୁ ଆଗ ନିକାଲି ସାରିଲେ ଯାଇ ନିଶ୍ଚିନ୍ତ ହୁଅନ୍ତି । ଆମର ଏଠି ଓଡ଼ିଆଣୀ ପ୍ରେମିକା ଓଡ଼ିଆ ପ୍ରେମିକ ପାଖକୁ ଇଂରାଜୀରେ ଚିଟାଉ ଲେଖେ, ପତିଦେବତାଙ୍କର ତକିଆ ଉପରେ ପତିପ୍ରାଣୀ ଓଡ଼ିଆ ଭୁଆସୁଣୀ ଇଂରାଜୀରେ ଫୁଲକମ କାଟି ଦେଇ କେଡ଼େ ଆନନ୍ଦ ପାଏ । ଓଡ଼ିଶାରେ ଓଡ଼ିଆ ବାପ ନିଜର ପୁଅ ପାଖକୁ ଇଂରାଜୀରେ ଚିଠି ଲେଖେ ଇଂରାଜୀରେ ଚିଠି ପଢ଼ିଲେ ପୁଅ ତାକୁ ଅପେକ୍ଷାକୃତ ଅଧିକ ଗାମ୍ଭୀର୍ଯ୍ୟ ଓ ଗୁରୁତ୍ୱ ହୋଇ ପଡ଼ିବ ବୋଲି ସିଏ ନିଷ୍ଠାପର ଭାବରେ ବିଶ୍ୱାସ କରୁଥାଏ । ଏଠି ସାଙ୍ଗମାନେ ବି ସାଙ୍ଗମାନଙ୍କ ପାଖକୁ ଇଂରାଜୀରେ ଚିଠି ଲେଖନ୍ତି, ବାହାଦୂରୀ ମାରନ୍ତି । ଆମର ଅନେକ ମଣିଷ ଆପଣାର ଅନ୍ତରତମ ଗଭୀରତର ଇଂରାଜୀ ଭାଷାଟାକୁ ହିଁ ଓଡ଼ିଆ ଭାଷାଠାରୁ ଅନେକ ଅଧିକ ସରସା ବୋଲି ବିଶ୍ୱାସ କରୁଥାନ୍ତି । ଆମ ବିଚାରାଳୟମାନଙ୍କରେ ଓଡ଼ିଆ ଭାଷାରେ କଥା କୁହା ହୁଏନାହିଁ । ଓଡ଼ିଆରେ କହିଲେ ସେଠି ନ୍ୟାୟଗୁଡ଼ାକ ଗୋଟାସୁଦ୍ଧା ଅନ୍ୟାୟ ହୋଇଯିବ ବୋଲି ସେମାନେ ସତେଅବା ଭାରି ସ୍ଥିର ନିଶ୍ଚିତ ଭାବରେ ଜାଣି ରଖିଥାନ୍ତି । ହଁ ଆମ ଓଡ଼ିଆମାନେ ଅର୍ଥାତ୍ ଶିକ୍ଷିତ ଓଡ଼ିଆମାନେ ଓଡ଼ିଆ ବହି ନ କିଣି ଇଂରାଜୀ ବହି କିଣନ୍ତି । ଆପଣାର ଭାଷାଟାକୁ ନେଇ ଭିତରେ ସେମାନଙ୍କୁ କେତେକେତେ ବାଗର କେତେକେତେ ଲାଜ କାମୁଡ଼ି ଧରିଥାଏ କେଜାଣି । ଓଡ଼ିଆ ଅପେକ୍ଷା ଇଂରାଜୀ ପ୍ରତି ହିଁ ସମଧିକ ପ୍ରୀତି ଦେଖାଇ ହେବାକୁ ଏଠି ସେମାନଙ୍କୁ ସତେଅବା ମୋଟେ ଲାଜ ଲାଗେ ନାହିଁ । ଆମେ ଓଡ଼ିଆମାନେ ରାଗିଲେ ଇଂରାଜୀ କହିପକାଉ କର୍ତ୍ତୃତ୍ୱଗୁଡ଼ାକୁ ଅଧିକ ଫଳଦାୟକ ଭାବରେ ଜାରି କରିବାକୁ ବାହାରିବା ସମୟରେ ଆମର ଏଠି ଆଗ ଇଂରାଜୀ ଭାଷାର ପଦଗୁଡ଼ାକ ହିଁ ସ୍ମରଣ ହୋଇଯାଏ । ଅର୍ଥାତ୍‍ ଓଡ଼ିଆଗୁଡ଼ାକ ଏକାବେଳେକେ ଭୁଲି ହୋଇଯାଏ । ଆମ ଘରମାନଙ୍କରେ ବାବୁ ବାବୁଆଣୀ ଚାକର ବିଷୟରେ କିଛି କଥାବାର୍ତ୍ତା ହେବାକୁ ଗଲାବେଳେ ଚାକରମୂର୍ଖ ମୋଟେ କିଛିହେଲେ ବୁଝି ନପାରିବ ବୋଲି ସରଳ ଇଂରାଜୀ ଠାରରେ ଆଶ୍ରୟ ନିଅନ୍ତି । ଇଂରାଜୀର ଲଗୁଡ଼ପ୍ରହାର କରି ଏଠି ବଡ଼ମାନେ ସାନମାନଙ୍କୁ ସାଧ୍ୟ କରନ୍ତି । ପିଅନଗୁଡ଼ାକ ଅନାଇ ରହିଥିବା ସମୟରେ ବାବୁ ନିଜର ସାଙ୍ଗସରିସାଙ୍କ ସହିତ ଇଂରାଜୀ ଭାଷାରେ ଶ୍ଳୀଳ ଅଶ୍ଳୀଳ ଯାହା କଥାବାର୍ତ୍ତା ବା ଖୁସିବାସି ହୁଅନ୍ତୁ ପଛକେ, ବିଚରା ଅଧମମାନେ ସେମାନଙ୍କର ରହସ୍ୟଗୁଡ଼ାକୁ ମୋଟେ ସମଝି ପାରନ୍ତିନାହିଁ ।

 

ଏବଂ ଆମର ସାରସ୍ୱତ ବିହାର ମାନଙ୍କରେ ଓଡ଼ିଆ ଭାଷା ପ୍ରାୟ ଚଳେନାହିଁ । ଅଥବା, ଯାହାକିଛି ଚଳେ ତାହା ପ୍ରାୟ ପୋଇଲିପଣରେ ଚଳେ । ଆମ ସାର୍‌ମାନେ ଆମକୁ ତୁଚ୍ଛା ଇଂରାଜୀରେ ପାଠ ପଢ଼ାନ୍ତି, ଇଂରାଜୀରେ ପାଠ ନପଢ଼ାଇଲେ ଉଚ୍ଚଶିକ୍ଷାର କ୍ଷେତ୍ରରେ ଆଦୌ ମାଟି ଗାଳି ହେବନାହିଁ ବୋଲି ସେମାନେ ସେମାନଙ୍କ ସାର୍‌ମାନଙ୍କ ଠାରୁ ଶିଖିଆସିଥାନ୍ତି । ଓଡ଼ିଆରେ କହିବାକୁ ସେମାନେ ବଡ଼ ଅସହଜ ଓ ଅସମ୍ଭବ ମନେ କରନ୍ତି । ଆମ ଅଧ୍ୟକ୍ଷମାନେ ଇଂରାଜୀରେ ହିଁ ନୋଟିସ୍‌ ଦିଅନ୍ତି, ଆମ କିରାନୀମାନେ ଇଂରାଜୀରେ ହିଁ ରସିଦ କାଟନ୍ତି; ଏଠି ଦୁଷ୍ଟ ଆଉ ଅବାଧ୍ୟ ପିଲାଗୁଡ଼ାଙ୍କୁ ଇଂରାଜୀରେ ଧମକ ଦେଲେ ଯାଇ ସେଗୁଡ଼ାକ କାଟୁ କରେ । ପାଠପଢ଼ା ଗୁଡ଼ାକ ଓଡ଼ିଆରେ ହୁଏନାହିଁ, ଇଂରାଜୀ ଭାଷାରେ ହୁଏ । ଓଡ଼ିଆରେ କେବେହେଲେ ହୋଇ ପାରିବ ବୋଲି ଆମ ଅଧ୍ୟାପକମାନେ ବିଶ୍ୱାସ ବି କରନ୍ତି ନାହିଁ । ଓଡ଼ିଆ ଭାଷାରେ କେବେ ଅଧ୍ୟାପନା ଚାଲୁ ହେଲେ ହୁଏତ ଆପଣାର ଦାନା ମରିଯିବ ବୋଲି ସେମାନେ ଭାରି ଆଶଙ୍କା ବି କରୁଥାନ୍ତି । ଯେଉଁ ଇଂରାଜୀ ଭାଷାରେ ସେମାନେ ପାଠଗୁଡ଼ାକୁ ଘୋଟି ଆୟତ୍ତ କରିଥାନ୍ତି, ତାହାକୁ ସେହି ଭାଷାରେ ଠିକ୍‌ ସେହିପରି ଉଦ୍‌ଗରି ପକାଇବା ଠାରୁ ବଳି ଅଧିକ ସହଜ କୌଣସି ପ୍ରଣାଳୀ ଆଦୌ କୋଉଠି ଯେ ସମ୍ଭବ ହୋଇ ପାରିବ ନାହିଁ, ସେମାନେ ସେକଥାଟିକୁ ଭାରି ଭଲକରି ଜାଣିଥାନ୍ତି । ଆପଣା ଆପଣା ବିଷୟରେ ଜଣେ ଜଣେ ବଡ଼ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଆମର ବଡ଼ ଅଧ୍ୟାପକମାନେ ସ୍ୱ ଉପାର୍ଜିତ ଗହନ ଜ୍ଞାନଗୁଡ଼ାକୁ ନିଜ ଭାଷାରେ ସରଳ ଓ ବୋଧଗମ୍ୟ କରି ଇଂରାଜୀ ନଜାଣିଥିବା ଆଉ ଜଣକୁ ଘଡ଼ିଏ ବୁଝାଇଦେଇ ପାରିବେ ବୋଲି ଆଦୌ ବିଶ୍ୱାସ କରି ପାରନ୍ତିନାହିଁ । ଏବଂ ପ୍ରଧାନତଃ ସେଥିଲାଗି ଆମ ଦେଶରେ ମହରଗରେ ପଢ଼ା ହୋଇଥିବା ଜ୍ଞାନଗୁଡ଼ାକ ଅଧିକାଂଶ ମଣିଷଙ୍କର କୌଣସି କାମରେ ଲାଗି ପାରେନାହିଁ । ସେଗୁଡ଼ାକୁ ନେଇ ହାଟମୂଲା ହୁଏ, ଡିଗ୍ରୀଲାଭ ଓ କୃତିତ୍ୱ-ଅର୍ଜନ ହୁଏ ଭାଡ଼ିବାନ୍ଧି ସାଇତି ରଖିହୁଏ ସତ, ମାତ୍ର ଆମ ସମାଜର ଅଧିକାଂଶ ମଣିଷଙ୍କ ଲାଗି ସେଗୁଡ଼ାକ ଅପହଁଞ୍ଚ ହୋଇ ରହିଥାଏ । ଆମ ଜଳଭଣ୍ଡାରଗୁଡ଼ାକ ଶୋଷୀମାନଙ୍କ ଲାଗି ମନା ହୋଇ ରହିଥାଏ । ଆମ ବିହାର ମାନଙ୍କରେ ଆମେ ଉପାଧ୍ୟାୟମାନେ ପିଲାମାନଙ୍କୁ ଯାହାକିଛି ପଢ଼ାଉଛୁ, ସେଗୁଡ଼ାକୁ ଇଂରାଜୀଭାଷାରେ ପଢ଼ାଉଥିବାରୁ ହିଁ ଆମେ ଆଉ ଆଉ ବହିମାନଙ୍କରୁ ଟିପି ଆଣି ସେଗୁଡ଼ାକୁ ଏଡ଼େ ସହଜରେ ପଢ଼ାଇ ପାରୁଛି ସ୍ଵୟଂ ହଜମ ନକରିଥଲେ ମଧ୍ୟ ସେଗୁଡ଼ାକୁ ଉକାଳି ଦେଇ ଆମେ ବେଶ୍ କାମ ତୁଲାଇନେଇ ପାରୁଛୁ ଓ ଅନୁରୂପ ଭାବରେ ଦକ୍ଷ ହୋଇଥିବା ଆମ ପିଲାମାନେ ମଧ୍ୟ ସେଗୁଡ଼ାକୁ ବୁଝି ନପାରୁଥିଲେ ବି ବେଶ୍ କାମରେ ଲଗାଇ ପାରୁଛନ୍ତି, ଆପଣା ପରିଶ୍ରମର ମୂଲ୍ୟ ସେମାନଙ୍କୁ ବେଶ୍‌ ମିଳିଯାଉଛି । ଆମର ପାଠଗୁଡ଼ାକୁ ଯଦି ଆମକୁ ଓଡ଼ିଆରେ ପଢ଼ାଇବାକୁ ପଡ଼ୁଥାନ୍ତା, ତେବେ ପଢ଼ାଇ ପାରିବା ପୂର୍ବରୁ ପାଠଗୁଡ଼ାକୁ ଆଗ ହଜମ କରିବାକୁ ପଡ଼ୁଥାନ୍ତା, ସେଗୁଡ଼ାକୁ ଏକ ସ୍ଥାନୀୟ ପରିପ୍ରେକ୍ଷୀରେ ସଙ୍ଗତି ଓ ସମ୍ମାର୍ଜନ ଦେଇ କହିବାକୁ ପଡ଼ୁଥାନ୍ତା ଏବଂ ସବୁଠାରୁ ଅଧିକ ବିଷମ କଥା ହେଉଛି ଯେ ଓଡ଼ିଆରେ ପଢ଼ାଇବା ସମୟରେ ଆମେ ଯାହା କିଛି କହୁଥାନ୍ତୁ, ଆମ ପିଲାଏ ସେତେବେଳେ ସେଗୁଡ଼ାକ ବୁଝି ବି ପାରୁଥାନ୍ତେ, ଆମର କହିବା କଥାଗୁଡ଼ାକୁ ସେମାନେ ଅଧିକ ସକ୍ରିୟ ଭାବରେ ଗ୍ରହଣ କରି ପାରୁଥାନ୍ତେ, ଅଧ୍ୟାପନାର ସମଗ୍ର ମଣ୍ଡଳଟି ମଧ୍ୟରେ ଜଣେ ଜଣେ ସକ୍ରିୟ ଓ ସମନୁରାଗୀ ଅଂଶଗ୍ରହଣକାରୀ ରୂପେ ପ୍ରବେଶ କରି ପାରୁଥାନ୍ତେ ସେମାନେ ଆମକୁ ପ୍ରଶ୍ନ ପଚାରୁଥାନ୍ତେ ଏବଂ ତଦ୍ଦ୍ୱାରା ଆମ ବିଦ୍ୟାଗୁଡ଼ାକର ପ୍ରକୃତ ପରୀକ୍ଷା ସକାଶେ ଏକ ଅଧିକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିଦେଇ ପାରୁଥାନ୍ତେ । ଆମେସବୁ ଗୋଟିଗୋଟି ହୋଇ ଧରା ପଡ଼ି ଯାଉଥାନ୍ତୁ-। ବର୍ତ୍ତମାନ ଯେଉଁଠି କେବଳ ବକ୍ତୃତା ଗାଳି କାମ ଚଳିଯାଉଛି ସେଠି ସେତେବେଳେ ଆଗ୍ରହଗୁଡ଼ାକ ଦ୍ୱିପକ୍ଷୀୟ ହୋଇ ରହି ପାରୁଥାନ୍ତା, ଏକ ଯଥାର୍ଥ ଆଦାନପ୍ରଦାନ ଓ ପାରସ୍ପରିକ ସମ୍ବନ୍ଧୀକରଣ ପରିସର ଦାବୀ କରି ପାରୁଥାନ୍ତା । ଆମେ ଏସବୁ ହେଉ ବୋଲି ହୁଏତ ଆଦୌ ଇଚ୍ଛା କରୁନାହିଁ ବୋଲି ଆମ ବିହାରର ଯାବତୀୟ ବାଚନ ଏବଂ ବକ୍ତିମାର ଅନ୍ତଃପୁରଟି ଭିତରୁ ଆମେ ଓଡ଼ିଆ ଭାଷାକୁ, ଆମର ନିଜ ଭାଷାଟାକୁ ପ୍ରାୟ ନିର୍ବାସିତ କରି ରଖି ଦେଇଥାଉ ଏବଂ ସତେଅବା କ୍ରୋଧ କଲାପରି କହିବାରେ ଲାଗିଥାଉ ଯେ ଓଡ଼ିଆରେ ମନ୍ତ୍ର ପଢ଼ା ନହୋଇ, କ’ଣସବୁ ପଢ଼ା ହେଉଛି, ସେଗୁଡ଼ାକ କେହି ହେଲେ ନବୁଝି ଯଦି ଆମ ଘରମାନଙ୍କରେ ବାହାପୁଣିଆ ଚଳିଯାଉଛି, କାନଫୋଡ଼ା ଓ ବ୍ରତଘର ସବୁ ହୋଇପାରୁଛି, ତେବେ ଆମ ବିହାରମାନଙ୍କରେ କେହି ନ ବୁଝିଲେ ଏବଂ କୌଣସି ଭରଣା ହୋଇ ନପାରିଲେ ମଧ୍ୟ ଓଡ଼ିଆକୁ ଛାଡ଼ି କାମ ନଚଳି ପାରିବ କାହିଁକି ? ଏତେଦିନ ଯେଉଁପରି ଚଳି ଆସିଛି, ଆଗକୁ ମଧ୍ୟ ଅଲବତ ଠିକ୍ ସେହିପରି ଚଳିବ ।

 

ଆମ ଭାଷାପ୍ରତି ଆମ ବିଦ୍ୱାନମାନଙ୍କର, ଆମ ବଡ଼ମାନଙ୍କର ଓ ଆମ ହାକିମମାନଙ୍କର ଯେଉଁଭଳି ଏକ ଦୃଷ୍ଟିଭଙ୍ଗୀ ରହିଆସିଛି, ସେଇଥିରୁ ଆମ ଓଡ଼ିଶାର ସଦର ସଂସ୍କୃତିଗୁଡ଼ାକ ବିଷୟରେ ଆମର ନିଶ୍ଚୟ ଅନେକ କିଛି ଧାରଣା ହୋଇଯିବା ଉଚିତ୍‌ ଏବଂ ସେହି ଅଶିଷ୍ଟତା ଆମର ସାହିତ୍ୟ ଭିତରେ ମଧ୍ୟ ଆସି ପଶିବାକୁ ଆରମ୍ଭ କଲାଣି । ଆମର ସାହିତ୍ୟ ଓ ଯାବତୀୟ ସାହିତ୍ୟିକ ଦେଣନେଣ ଯେ ଆମର ମୁଷ୍ଟିମେୟ ଶିକ୍ଷିତମାନଙ୍କର ହିଁ ବଚନିକା ହୋଇ ରହିବ, ସେହି କଥାଟିକୁ ବୁଝିବାରେ ନିଶ୍ଚୟ କାହାରିକୁ ଆଦୌ କୌଣସି କଷ୍ଟ କରିବାକୁ ପଡ଼ିବନାହିଁ । ଆମ ଶିକ୍ଷିତମାନେ ଇଂରାଜୀରେ ପାଠ ପଢ଼ିଛନ୍ତି, ଇଂରାଜୀ ଭାଷାର ଜଳାକବାଟି ଦେଇ ସେମାନେ ଆମର ଏଠି ବିସ୍ତୃତ ହୋଇ ରହିଥିବା ଜୀବନର ଆକାଶଟିକୁ ଦେଖିବାର ବିଶେଷ ଭାଗ୍ୟଟିକୁ ଅର୍ଜନ କରିଛନ୍ତି । ସଂସ୍କାରବଶ ହୋଇ ସେମାନେ ଆକାଶଟାର ତୁଳନାରେ କ୍ରମଶଃ ଜଳାକବାଟଟିକୁ ହିଁ ପ୍ରଧାନତର ବୋଲି ବିଶ୍ଵାସ କରି ଶିଖିଛନ୍ତି ଏବଂ ପରସ୍ପର ପାଖରେ ସେମାନେ କେଡ଼େ ଉତ୍‌ଫୁଲ୍ଲ ଏବଂ ଗୌରବାନ୍ୱିତ ଭାବରେ ସେହି କଥାଟାର ହିଁ ଘୋଷଣା କରିବାରେ ଲାଗିଛନ୍ତି । ସାହିତ୍ୟର ଆଧୁନିକ ବାଟିକାଗୁଡ଼ିକୁ ସେଇମାନେ ହିଁ ନିର୍ମାଣ କରିଛନ୍ତି । ଏହି ବାଟିକାଗୁଡ଼ିକୁ ଅଳଙ୍କାର ଅର୍ଥାତ୍ ଆଙ୍ଗିକ ଦେଇ ସଜାଇବାରେ ସବୁଯାକ ଶ୍ରେୟ ସେଇମାନଙ୍କର ରହିଛି । ଏହି ମାଟିଟାକୁ ମାଟି ବୋଲି ଚିହ୍ନିବା ଆଗରୁ ହିଁ ସେମାନେ ସିଆଡ଼ୁ ଅର୍ଥାତ୍‍ ଆଉ କୁଆଡ଼ୁ ସାଙ୍ଗରେ ନେଇ ଆସିଥିବା ବେଲୁନ୍‌ଗୁଡ଼ାକ ଦ୍ଵାରା ପ୍ରବୀରମଣ୍ଡନ କରିବାରେ ଲାଗିଛନ୍ତି । ସେମାନେ ଅତି ଶରଧାରେ ଆପଣାକୁ ଆନ୍ତର୍ଜାତିକ ବୋଲି କହୁଛନ୍ତି, ଆଧୁନିକ ସାହିତ୍ୟ-ଚେତନାକୁ ଏକ ଆନ୍ତର୍ଜାତିକ ଚେତନା ବୋଲି କହୁଛନ୍ତି । ମଣିଷକୁ ଛାଡ଼ି, ମାଟିକୁ ଛାଡ଼ି ଯଦି ଆଦୌ କୌଣସି ଚେତନା ପ୍ରକୃତରେ ସମ୍ଭବ ହେଉଥାନ୍ତା, ତେବେ ହୁଏତ ଆମେ ସେମାନଙ୍କର କଥାଗୁଡ଼ାକୁ ସତ ବୋଲି ବୁଝିବାଲାଗି ଗୋଟାଏ ବାଟ ପାଇଯାଆନ୍ତେ । ଯାହା ସତ୍ୟ ତାହାକୁ ଧାର କରି ଅଣା ଯାଏନାହିଁ, ମାଗି କରି ପିନ୍ଧି ହୁଏନାହିଁ-? ତାହାକୁ ଆବିଷ୍କାର କରାଯାଏ, ଉପଲବ୍ଧି କରାଯାଏ-ଆପଣାର ନିଜସ୍ୱ ଦ୍ଵାରଟି ମଧ୍ୟଦେଇ ତାହାକୁ ଆମନ୍ତ୍ରଣ କରି ଆଣିହୁଏ । ଆମ ଭାଷା ଓ ଭୂଇଁକୁ ଛାଡ଼ି ସାହିତ୍ୟ କରୁଥିବା ଆଙ୍ଗିକବାଦୀ ଆଧୁନିକମାନେ ହୁଏତ ଆଦୌ କୌଣସି ସତ୍ୟର ଉପଲବ୍ଧି କରିନାହାନ୍ତି, କୋଉଠିହେଲେ ମନ୍ଦାଟିଏ ତିଆରି କରି ମଞ୍ଜିଟିଏ ପୋତିନାହାନ୍ତି ସେମାନେ ହୁଏତ କାହାକୁ ହେଲେ ଆମନ୍ତ୍ରଣ କରି ଆଣିବାକୁ ମନ କରିନାହାନ୍ତି-ସେମାନେ ହୁଏତ କିଛିହେଲେ ଚିହ୍ନିବାର ମନ କରିନାହାନ୍ତି । ତଥାପି ଆୟୋଜନରେ ବାକି ନାହିଁ, ଗୁଡ଼ାଏ ପ୍ରସାଧନ ଆଣି ବୋଳିଦେଲେ ମୁହଁଟି ସୁନ୍ଦର ଦିଶିବ ବୋଲି ଭ୍ରମ କରିବାର ବି ବାକି ନାହିଁ । ଆମର ଏଠି ଆହୁରି ଥୋକାଏ, ଏପରି ବି ଅଛନ୍ତି ଯେଉଁମାନ କି ଓଡ଼ିଆ ହୋଇଥିଲେ ମଧ୍ୟ ଆଗ ଇଂରାଜୀରେ ଲେଖୁଛନ୍ତି ଅଥବା କେବଳ ଇଂରାଜୀରେ ଲେଖୁଛନ୍ତି । ନିଜର ଭାଷାଟି ଅପେକ୍ଷା ଅନ୍ୟ କୌଣସି ଭାଷାରେ ଆପଣକୁ ଯେ କଦାପି ସ୍ୱାଭାବିକ ଭାବରେ ଅଭିବ୍ୟକ୍ତ କରି ହୁଏନାହିଁ, ସେମାନେ ଏହି ସତ୍ୟଟିକୁ ଜାଣିଥିଲେ ମଧ୍ୟ ତଥାପି ତାହାକୁ ଏଡ଼ି ରହିବାର ଚେଷ୍ଟା କରୁଛନ୍ତି । ଓଡ଼ିଆ ଭାଷାରେ ଲେଖିଲେ ସେମାନଙ୍କୁ ହୁଏତ କେହି ଜାଣିବେ ନାହିଁ ବୋଲି ଏକ ଅନ୍ତର୍ଗତ ଅବସାଦଦ୍ୱାରା ପୀଡ଼ିତ ଏବଂ ପରିଚାଳିତ ହୋଇ ସେମାନ ଏପରି କରୁଛନ୍ତି । ସେମାନଙ୍କର ଅସଲ ମଞ୍ଜିଗୁଡ଼ାକ ଭିତରେ ନିଜର ଭାଷାଟି ପ୍ରତି ଓ ନିଜର ଜଳବାୟୁଟି ପ୍ରତି ଏକ ଅସହିଷ୍ଣୁ ଅବଜ୍ଞାଭାବ ବି ରହିଛି; ସେମାନଙ୍କର ଯାବତୀୟ ଅନ୍ୟ ପ୍ରୀତି ଅର୍ଥାତ୍‍ ଅନ୍ୟ ନାନା ଜ୍ୱର ସତ୍ତ୍ୱେ ଏହି କଥାଟି ଭାରି ଧରାପଡ଼ି ଯାଉଛି । ଓଡ଼ିଆ ସାହିତ୍ୟରେ ଆଙ୍ଗିକ ନାମରେ ଏହି ମିଛ ଶ୍ରଦ୍ଧାଗୁଡ଼ାକ ପୁଣି ସାହିତ୍ୟକୁ କ୍ରମେ ଭାରି ବିକାରଗ୍ରସ୍ତ ଓ ବିକୃତିମୟ କରିଦେବାରେ ଲାଗିଛି ବିକାରଟାକୁ ହିଁ ଫେଶନ କରି ରଖିବ ବୋଲି ବାହାରିଛି । ସମଗ୍ର ସଂସ୍କୃତିଟାକୁ ପ୍ରାୟ ଏକ ଫେଶନରେ ପରିଣତ କରିବାଲାଗି ଚେଷ୍ଟା କରି ତାହା ସେହିଗୁଡ଼ାକୁ ହିଁ ସଂସ୍କୃତିର ଅସଲ ପ୍ରତିଷ୍ଠା ବୋଲି ଚଳାଇ ନେବାକୁ ବସିଛି।

 

ଓଡ଼ିଶା କହିଲେ ଆମେ ପ୍ରାୟ ଯୁଗପତ୍ ଭାବରେ ଉଡ୍ରଦେଶ, ଉତ୍କଳ, କଳିଙ୍ଗ ଓ କୋଶଳ ସବୁକିଛିକୁ ବୁଝିଥାଉ ସେସବୁ ଯୁଗର ରାଷ୍ଟ୍ର ଜାତୀୟ ରାଷ୍ଟ୍ର ନଥିଲା, ଏହି ରାଷ୍ଟ୍ରଗୁଡ଼ିକୁ ପରସ୍ପର ସହିତ ଯୁଦ୍ଧ କରୁଥିଲେ ଓ ଅନ୍ୟ ସମସ୍ତଙ୍କୁ ଜୟ କରିନେଇ ହୁଏତ କୌଣସି ଜଣେ ଚକ୍ରବର୍ତ୍ତୀ ସେମାନଙ୍କ ସମସ୍ତଙ୍କ ଉପରେ ରାଜଚକ୍ରବର୍ତ୍ତୀ ବୋଲାଉଥିଲା-ଆମ ଆପଣା ଉସାହରେ ଆମେ ଅନେକ ସମୟରେ ଏହିସବୁ କଥାକୁ ମଧ୍ୟ ପାସୋରି ପକାଉଥାଉ । ଜାତୀୟତା ହେଉଛି ଆମ ଏଯୁଗର ଭିଆଣ, ଇଉରୋପୀୟମାନେ ଏଦେଶର ସାମ୍ରାଜ୍ୟସ୍ଥାପନ କରିବା ପରେ ସେହି ସାମ୍ରାଜ୍ୟଶାସନ ବିରୁଦ୍ଧରେ ଲଢ଼ିବା ପାଇଁ ଆମେ ଯହୁଁ ଯହୁଁ କ୍ରମଶଃ ଗୋଟିଏ ଶିବିରରେ ଏକତ୍ର ହୋଇ ଆସିଛୁ, ସେହି ଅନୁସାରେ ହିଁ ଆପଣାକୁ ଗୋଟିଏ ଜାତି ବୋଲି ଅନୁଭବ ବି କରିବାକୁ ଆରମ୍ଭ କରିଛୁ । କେତେବେଳେ ଆମେ ସମଗ୍ର ଭାରତବର୍ଷକୁ ଆମ ଜାତୀୟତାର ସନ୍ତକଚିତ୍ର ରୂପେ ଗ୍ରହଣ କରିଛୁ ପୁଣି ଆଉ କେତେବେଳେ ଉତ୍କଳଦେଶକୁ ମଧ୍ୟ ଜାତୀୟତାର ଏକ ଏକକ ରୂପେ ଅନୁଭବ କରିଛୁ । ଆମ ଭିତରୁ ଅଧିକାଂଶ ସୁବିଧା ଅନୁସାରେ ଭାରତୀୟତା ଓ ଉତ୍କଳୀୟତା ଉଭୟକୁ ହିଁ ଜାତୀୟତାର ଦ୍ୟୋତକରୂପେ ବ୍ୟବହାର କରିଛନ୍ତି । ଯାହାକୁ ଆମେ ଆଧୁନିକ ଓଡ଼ିଆମାନଙ୍କର ଅଥବା ଓଡ଼ିଆ ଜାତିର ରାଜ୍ୟ ବୋଲି କହୁଛୁ ତାହା ପ୍ରାୟ ଦୁଇଶହ ବର୍ଷ କାଳ ଏପାଖ ସେପାଖ ହୋଇ ପଡ଼ିଥିଲା । ବ୍ରିଟିଶ୍ ରାଜତ୍ୱର ପ୍ରଥମ ଅମଳରେ ମଧ୍ୟ ତାହା ଏକାଧିକ ଖଣ୍ଡ ହୋଇଏକାଧିକ ରାଜ୍ୟ ସହିତ ଯୋଡ଼ାହୋଇ ରହିଥିଲା । ଖଣ୍ଡଗୁଡ଼ାକୁ ଏକତ୍ର କରାଇ ଯେତେବେଳେ ଗୋଟିଏ ପ୍ରଦେଶରେ ପରିଣତ କରାଗଲା, ସେତେବେଳେ ତାହାରି ସଙ୍ଗେସଙ୍ଗେ ଯେ ଆମେ ଆମ ଅନ୍ତଃମନର ସ୍ତରରେ ପ୍ରକୃତରେ ଏକାଠି ହୋଇଗଲୁ, ସେ କଥା ସାହାସ କରି ଆଦୌ କୁହାଯାଇ ପାରିବ ନାହିଁ । ବହୁବର୍ଷ ଧରି ଏକାଧିକ ରାଜ୍ୟ ସହିତ ଖଣ୍ଡ ଖଣ୍ଡ ହୋଇ ରହିବା ଫଳରେ ଓ ସେହିମାନଙ୍କ ସହିତ ଅଲଗା ଘୋଷରାହେବା ଫଳରେ ହୁଏତ ଏବେ ମଧ୍ୟ ଆମ ଭିତରେ ଆମେ ସମସ୍ତେ ପ୍ରକୃତରେ ଗୋଟିଏ ସମଗ୍ର ବୋଲି ତଥାପି ଏକ ପରିପୂର୍ଣ୍ଣ ପ୍ରତ୍ୟୟ ଆସିନାହିଁ । ଯେଉଁ ବିଶ୍ୱାସ ଓ ସଂକଳ୍ପ ଯେ କୌଣସି ଜାତିକୁ ତା’ର ଅସଲ ପ୍ରତିଷ୍ଠାଟିକୁ ଆଣି ଯୋଗାଇ ଦେଇଥାଏ, ହୁଏତ ଏପର୍ଯ୍ୟନ୍ତ ମଧ୍ୟ ଆମେ ତାହାର ଯଥାର୍ଥ ଭାଜନ ହୋଇ ପାରିନାହୁଁ । ତେଣୁ ଆପଣା ଭିତରେ ମଧ୍ୟ ଆମେ ସତେଅବା ଭାରି ଖଣ୍ଡ ଖଣ୍ଡ ହୋଇ ରହିଯାଇଛୁ, ଭାରି ସ୍ଥାନୀୟ ହୋଇ ରହିଛୁ । ଭାରି ଅଳ୍ପପ୍ରତ୍ୟୟ ହୋଇ ରହିଛୁ, ଭାରି ନିର୍ଭରଶୀଳ ହୋଇ ରହିଛୁ । ଯେଉଁମାନେ ନିର୍ଭରଶୀଳ, ସେମାନେ ଭିତରେ ଭାରି ଭୟାଳୁ ହୋଇ ରହିଥାନ୍ତି । ଯେଉଁମାନେ ନିର୍ଭରଶୀଳ, ସେମାନେ ଆପଣାକୁ ଅନ୍ୟମାନଙ୍କ ସହିତ ଭାରି ତୁଳନା କରିବାରେ ଲାଗିଥାନ୍ତି, ଆପଣା ଭିତରେ ପରସ୍ପରକୁ ଭାରି ଈର୍ଷା କରୁଥାନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ ଆପଣାକୁ ଅନେକ ସମୟରେ ହୁଏତ ଭାରି ହୀନ ବୋଲି ମନେ କରୁଥାନ୍ତି-। ଏହି ହୀନତାଗୁଡ଼ାକୁ ଜୟ କରିବାଲାଗି ସେମାନେ ଅନ୍ୟ ପରି ହେବାକୁ ବା ଅନ୍ତତଃ ଅନ୍ୟପରି ଦିଶିବାକୁ ବି ଚେଷ୍ଟା କରୁଥାନ୍ତି । ଅନୁକରଣଗୁଡ଼ାକୁ ଗୌରବର ସ୍ଥାନ ଦେଇ ରଖିଥାନ୍ତି । ଆଧୁନିକ ଓଡ଼ିଶାର ସଂସ୍କୃତିଗତ ନାନା କ୍ଷେତ୍ରକୁ ଅବଲୋକନ କଲେ ଅନେକ ସମୟରେ ଖାସ୍ ଏହି କଥାଗୁଡ଼ାକ ହିଁ ଆମଭିତରେ ସତେଅବା କଣ୍ଟା ପରି ବାଜି ବାଜି ଯାଉଥିବା ଭଳି ମନେ ହେଉଥାଏ-। ଆମ ନେତୃତ୍ୱଗୁଡ଼ାକର ସତେଯେପରି ମେରୁଦଣ୍ଡ ବୋଲି କହି ପାରିବାଭଳି ଆଦୌ କୌଣସି ମେରୁଦଣ୍ଡ ନଥାଏ, ଆମ ଉଚ୍ଚ ମଣ୍ଡପଗୁଡ଼ାକରେ ସତେଯେପରି କେତେ କ’ଣ ବାହାଦୂରୀ ରହିଥାଏ ସତ, ମାତ୍ର ହୁଏତ ସାହାସ କିଛିହେଲେ ନଥାଏ ବଡ଼ ପାଟିକରି କାନ୍ଦିବାକୁ, ଆମ ସାହିତ୍ୟରେ ଯାହାକୁ ବିଳାପ ବୋଲି କୁହାଯାଏ ସେହିଗୁଡ଼ାକର ପ୍ରଦର୍ଶନକୁ ହିଁ ଆମେ ସାହସର ସମବାଚୀ ବୋଲି ଭ୍ରମ କରିଥାଉ । ଆମର ଯାବତୀୟ ହୀନମନ୍ୟତା ଆମ ଭିତରେ ପ୍ରାୟ ଅନମନୀୟ ହୋଇ ରହିଥିବା ଏକ ଉଗ୍ରମନ୍ୟତାକୁ ଘୋଡ଼ାଇ ରଖିବା ଲାଗି ସତତ ଚେଷ୍ଟା କରିବାରେ ଲାଗିଥାଏ । ଆମର ପ୍ରଦର୍ଶିତ ବିନୟଗୁଡ଼ାକରେ ମଧ୍ୟ ସେଥିଲାଗି ଅନେକ ସମୟରେ ଭାରି ଔଦ୍ଧତ୍ୟ ଭରି ରହିଥାଏ, ଭାରି ପଦର୍ଶନ ଏବଂ ଅତିରଞ୍ଜନ ଭରି ରହିଥାଏ । ଏହିଭଳି ବିନୟଗୁଡ଼ାକୁ ହିଁ ଆମେ ଆମ ଦାଣ୍ଡଜୀବନର ଯଥାର୍ଥ ଭୂଷଣ ରୂପେ ଗ୍ରହଣ କରି ନେଇଥାଉ ।
 

ଆମ ଇତିହାସରୁ ସୂଚନା ମିଳେ ଯେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀଠାରୁ କଳିଙ୍ଗ ରାଜ୍ୟରେ ପିତୃପୂଜାର ପ୍ରଚଳନ ରହି ଆସିଥିଲା । ମଠର ଓ ପରବର୍ତ୍ତୀ କାଳର ମଙ୍ଗମାନେ ମଧ୍ୟ ନିଜକୁ ଅତ୍ୟନ୍ତ ହୃଷ୍ଟ ଭାବରେ ‘ବପପ୍‌ଭଟ୍ଟାରକ ପାଦଭକ୍ତ’ ଓ ‘ବପପ୍ପାଦାନୁଧ୍ୟାତ’ ବୋଲି ପରିଚୟ ଦେଇଛନ୍ତି । ନୃତତ୍ତ୍ୱବିଜ୍ଞାନରେ ପିତୃପୂଜାକୁ ଏକ ଅତିରିକ୍ତ ନିର୍ଭରଶୀଳତାର ଦ୍ୟୋତକ ବୋଲି ସୂଚାଇ ଦିଆ ଯାଇଥାଏ । ନିର୍ଭରଶୀଳ ମଣିଷର ହୁଏତ ଜୀବନଯାକ କଟି ସରିଯାଏ, ଅଥଚ ତା’ର ନାହି କଟାହୋଇ ପାରେନାହିଁ । ନାହି କଟାହେବା ପରେ ଯେଉଁ ସ୍ୱାଧୀନତା ଓ ସ୍ୱାଧୀନ ଦାୟିତ୍ୱଟି ଆସି ପହଞ୍ଚିଯାଏ, ତାହାର ସମ୍ମୁଖୀନ ହେବାଲାଗି ସିଏ ପ୍ରଧାନତଃ ଭୟ ହିଁ କରୁଥାଏ ଓ ତେଣୁ ସ୍ୱାଧୀନ ହେବାର ଦୁର୍ଯୋଗଟିକୁ ଯଥାସମ୍ଭବ ଗଡ଼ାଇ ଗଡ଼ାଇ ଦେବାରେ ଲାଗିଥାଏ । ସତ୍ୟର ଉପଲବ୍ଧି କରିବା ନୁହେଁ, ଆପଣାର ଚେତନାକୁ ସତେଅବା ଏକ ଭୟହୀନ ଏବଂ ବିଶ୍ୱାସମୟ ଚକ୍ଷୁରେ ପରିଣତ କରି ତାହାରିଦ୍ୱାରା ଆକାଶଠାରୁ ପୃଥିବୀ ପର୍ଯ୍ୟନ୍ତ ଯାବତୀୟ ସତ୍ୟଧନର ଅବଲୋକନ କରିପାରିବା ନୁହେଁ, ସେହି ଗଡ଼ାଇ ଦେବାଟା ଅର୍ଥାତ୍‍ ଧରା ନ ଦେବାହିଁ ତା’ ଜୀବନର ସର୍ବମୁଖ୍ୟ ଧନ୍ଦାରେ ପରିଣତ ହୋଇ ରହିଯାଏ । ଆମର ସଂସ୍କୃତି ଭିତରେ, ଅର୍ଥାତ୍‍ ଆମ ନିଜଭିତରେ ସ୍ୱାଧୀନ ଚିନ୍ତା ଅପେକ୍ଷା ନିର୍ଭରଶୀଳତାଗୁଡ଼ାକ ଟିକିଏ ଅଧିକ ମାତ୍ରାରେ ରହିଛି କି, ପର୍ବତ ଆରୋହଣ କରିବା ଅପେକ୍ଷା ନିରାପଦ ହୋଇ ରହିବାର କୌଣସି ଏକ ସାମୟିକ ନିଡ଼ଭିତରେ ପଶି ରହିଯିବାର ସଉକଗୁଡ଼ାକ ଟିକିଏ ଅଧିକ ପରିମାଣରେ ରହିଛି କି, ନିଜର ବାଟଟିକୁ ନିଜେ ବାହାର କରିବା ଅପେକ୍ଷା କୌଣସି ଗୋଟାଏ ମାର୍ଗ ବା ଭେକରେ ଅନୁକରଣ କରି ନିଶ୍ଚଳ ଓ ଶୀତଳ ହୋଇ ବସିଯିବାର ଅଭିପ୍ରାୟଗୁଡ଼ାକ ପ୍ରକୃତରେ ଅଧିକ ପରାକ୍ରମୀ ହୋଇ ରହିଛି କି ? -ଆମେ ଏହି ପ୍ରଶ୍ନଗୁଡ଼ାକୁ ନିଜକୁ ନିଜେ ପଚାରିବା । ଆମ ସାହିତ୍ୟରୁ, ଆମ ବିଦ୍ୟାନଗରଗୁଡ଼ାକରୁ, ଆମ ରାଜଧାନୀର ରାଜନୀତିରୁ ଓ ଆମର ଭକ୍ତି ତଥା ଅନୁରକ୍ତିଗୁଡ଼ାକର କାରବାରଗୁଡ଼ାକରୁ ଆମେ ସେହି ପ୍ରଶ୍ନସବୁର ଉତ୍ତର ପାଇବାର ବି ଚେଷ୍ଟା କରିପାରିବା । ଆମେ ଏଠି କେଡ଼େ ଶୀଘ୍ର ଓ କେଡ଼େ ନିଦକ ହୋଇ ମାନିନେଇ ପାରୁଛୁ, କେଡ଼େ ନିର୍ମମ ହୋଇ ସବୁକିଛି ଦେଖି ପାରୁଛୁ, କେଡ଼େ ଉଦାସ ଭାବରେ କେବଳ ଆପଣାର ସିଦ୍ଧିଘରଗୁଡ଼ିକ ଆଗରେ ପହରା ଦେଇ ଜୀବନ ବିତାଇ ଦେଇ ପାରୁଛୁ, ଆମେ କେତେ ଅଳପରେ ବୋଧ ହୋଇଯାଇ ପାରୁଛୁ ଓ କେଡ଼େ ଦୁର୍ଦ୍ଦମ ଭାବରେ ଅବସରବାଦୀ ବନିପାରୁଛୁ, ଏଗୁଡ଼ାକର ସମୀକ୍ଷା ଆମ ନିଜକୁ ହିଁ କରିବାକୁ ପଡ଼ିବ । ସତେ ଯେପରି ଆମ ନିଜର ଆଦୌ କୌଣସି ଭୂମି ନାହିଁ, ସତେ ଯେପରି କେବଳ ଏ ଭାଣ୍ଡଟାରୁ ଅଜଡ଼ାହୋଇ ସେ ଭାଣ୍ଡଟା ଭିତରେ ପଶିବା ଲାଗି ହିଁ ଆମେ ଆଗରୁ ବରାଦ ହୋଇ ଆସିଛୁ, ଆମର ସଂସ୍କୃତି ବିଷୟରେ ଯେ କୌଣସି କଥା ପକାଇବା ବେଳେ ଆମକୁ ଏଗୁଡ଼ାକର ବି ଅବଶ୍ୟ ସମୀକ୍ଷା କରିବାକୁ ପଡ଼ିବ । ସଂସ୍କୃତି ନାମରେ ଗୁଡ଼ାଏ ଉତ୍ସାହ ପାଳନ କରି ଏବଂ ଅତୀତ ପାଇଁ ଆମେ ଆପଣାକୁ ସେହି ଦାୟିତ୍ୱରୁ କଦାପି ମୁକ୍ତ କରି ପାରିବା ନାହିଁ । ହୁଏତ ଆପଣାକୁ ଆପଣା ପାଖରେ ଅଧିକରୁ ଅଧିକ ହାସ୍ୟାସ୍ପଦ କରିବାରେ ଲାଗିଥିବା, ଆପଣାର କବାଟ କଣରେ ଅଧିକରୁ ଅଧିକ ଚୋର ହୋଇ ରହିଥିବା ।

 

ଆମ ପାଖରେ ଯାହାସବୁ ଅଛି, ସେଗୁଡ଼ାକୁ ଆମର ସଂସ୍କୃତି ବୋଲି କୁହା ଯିବନାହିଁ । ରାବଣ ପାଖରେ କେତେକ’ଣ ରହିଥିଲା, ରାବଣର ଲଙ୍କା ଏକ ସ୍ଵର୍ଣ୍ଣପୁରୀ ହୋଇ ରହିଥିଲା । ତଥାପି ଯାହାକୁ ଅସଲ ସଂସ୍କୃତି ବୋଲି କୁହାଯାଏ, ସେଠି ସେଇଟି ନଥିଲା । ଅନେକ ସମୟରେ ଆମେ ସଂସ୍କୃତିକୁ ଏକ ସମ୍ପତ୍ତି ବୋଲି ଭ୍ରମ କରୁଥିଲେ ମଧ୍ୟ ଓ ଆମର ପାଖରେ ରହିଥିବା ସମ୍ପତ୍ତିଗୁଡ଼ାକରୁ ହିଁ ଆମେ ଅନେକ ସମୟରେ ଆମ ସଂସ୍କୃତିର କଳନା କରିବାଲାଗି ପ୍ରବୃତ୍ତ ହେଉଥିଲେ ମଧ୍ୟ ତଥାପି ସମ୍ପତ୍ତିଗୁଡ଼ାକୁ କେବେହେଲେ ସଂସ୍କୃତି ବୋଲି କୁହାଯିବନାହିଁ । ଆମେ ଯଥାର୍ଥରେ ଯାହା, ତାହାହିଁ ଆମର ସଂସ୍କୃତି । ଆମ ଜୀବନର ଗୁଣାତ୍ମକମାନଗୁଡ଼ାକ ପ୍ରକୃତରେ ଯେଉଁଠାରେ ରହିଛି, ଆମର ସଂସ୍କୃତି ମଧ୍ୟ ଠିକ୍ ସେହିଠାରେ ରହିଛି । ଜୀବନ ବିଷୟରେ, ଅର୍ଥାତ୍ ଆପଣା ବିଷୟରେ ତଥା ପରସ୍ପର ବିଷୟରେ ଆମର ଯଥାର୍ଥ ମୂଲ୍ୟବୋଧଗୁଡ଼ାକ ଯେଉଁ ସ୍ତରରେ ରହିଛି; ଆମର ସଂସ୍କୃତି ମଧ୍ୟ ଠିକ୍ ସେଇଠାରେ ଅଛି । ଆମର ଯାବତୀୟ ପଥ ଓ ପାଥେୟ, ଯାବତୀୟ ଧାବନ ଓ ଅନୁଧାବନ ଆମକୁ ଯେଉଁ ଲକ୍ଷ୍ୟଟିଆଡ଼କୁ ପରିଚାଳିତ ଓ ପ୍ରେରିତ କରି ନେଉଛି, ସେଇଟିର ଅସଲ ସୋପାନରୁ ହିଁ ଆମେ ଆମ ସଂସ୍କୃତିର ସେପାନଟିକୁ ମଧ୍ୟ ନିରୂପଣ କରିପାରିବା । ଆମ ପାଖରେ ଯାହାସବୁ ଅଛି ଏଗୁଡ଼ାକ ହେଉଛି ସାଧନ । ଗୁଡ଼ାଏ ରଙ୍ଗ ଗୁଡ଼ାଏ ତୁଳୀ ଓ ଗୁଡ଼ାଏ କାଗଜ ଆଣି ଆମପାଖରେ ଜମା କରି ଦିଆଗଲେ ଆମେ ତାହାରିଦ୍ୱାରା ହିଁ କଦାପି ଜଣେ କଳାକାର ବନି ଯିବା ନାହିଁ । ଆମ ଭିତରେ ଯଦି କଳାକାରର ଆଖି ରହିଥିବ ଓ ଜଣେ କଳାକାରର ଯଥାର୍ଥ ଅନୁରାଗଟି ରହିଥିବ, ତେବେଯାଇ ଆମେ ରଙ୍ଗ, ତୁଳୀ ଆଉ କାଗଜକୁ ସାମଗ୍ରୀରୂପେ ବ୍ୟବହାର କରି ସୌନ୍ଦର୍ଯ୍ୟର ସୃଷ୍ଟି କରି ପାରିବା । ଆମ ପୃଥିବୀରେ ଯେଉଁଠାରେ ଗୁଡ଼ାଏ ବହି ଜମା ହୋଇଛି, ସେଠାରେ ଯେ ଅଧିକ ସଂଖ୍ୟାରେ ପଣ୍ଡିତମାନେ ଫଳୁଛନ୍ତି ବା ବିଦ୍ୟାର ଅଧିକ ଦ୍ୟୂତି ବଢ଼ୁଛି, ସେକଥା ଆଦୌ ନୁହେଁ । ଯେଉଁଠାରେ ଅଧିକ ସଂଖ୍ୟାରେ ଡାକ୍ତରଖାନା ଅଛି, ସେଠାରେ ଯେ ଲୋକମାନେ ଅଧିକ ନୀରୋଗ ଓ ସୁସ୍ଥ ଅଛନ୍ତି, ସେକଥା ମଧ୍ୟ ସତ ନୁହେଁ । ଯେଉଁଠାରେ ସବୁଠାରୁ ବଡ଼ ଢୋଲ ଓ ବଡ଼ ଘଣ୍ଟାଗୁଡ଼ାକୁ ବଜାଯାଉଛି ଓ ଶହେଟା କଣ୍ଠରେ ଏକାଠି ସ୍ତୋତଗୁଡ଼ାକର ପାରାୟଣ ହେଉଛି ସେହିଠାରେ ଯେ ଦେବୀ ଆଗ ପ୍ରସନ୍ନ ହୋଇ ଯାଉଛନ୍ତି, ସେକଥା ମଧ୍ୟ ଆଦୌ ନୁହେଁ । ଖୋଦ ରାଜା ଯେଉଁ ଦାଣ୍ଡରେ ଛେରାପହଁରା କରୁଛନ୍ତି, ଠାକୁର ଯେ ସେହି ଦାଣ୍ଡରେ ଅବଶ୍ୟ ବିଜେ କରୁଛନ୍ତି, ସେକଥାଟା ଆଦୌ ସତକଥା ନୁହେଁ । ଆମ ପାଖରେ ଯାହାକିଛି ଅଛି, ସେଗୁଡ଼ାକ ଜଣେ ଜଣେ ମଣିଷ ହିସାବରେ ଆମର ଜୀବନକୁ କେତେଦୂର ପ୍ରଶସ୍ତ, କେତେଦୂର ଭାସ୍ୱର ଓ କେତେ ଉତ୍ତୋଳିତ କରି ପାରୁଛନ୍ତି, ତାହାରି ବିବରଣୀଟି ହେଉଛି ଅସଲ ସଂସ୍କୃତିର ବିବରଣୀ । ଆମର ସାହିତ୍ୟ ଆମକୁ କେତେଦୂର ପ୍ରଶସ୍ତ, ଭାସ୍ୱର ଏବଂ ଉତ୍ତୋଳିତ କରିପାରୁଛି ? ଆମର ବିଦ୍ୟାଗୁଡ଼ାକ ଆମକୁ କେତେଦୂର ପ୍ରଶସ୍ତ ଭାସ୍ୱର ଏବଂ ଉତ୍ତୋଳିତ କରି ପାରୁଛନ୍ତି ? ଆମ ପିତୁଳାଗୁଡ଼ାକ ବି ଆମକୁ କେତେଦୂର ନିର୍ଭୟ କରି ପାରୁଛନ୍ତି ? ସୌନ୍ଦର୍ଯ୍ୟଲାଗି ଆମର ଯାବତୀୟ ଅଭିରୁଚି ଆମ ନିଜ ଜୀବନଟିକୁ ମଧ୍ୟ କେତେଦୂର ଏକ ସୁନ୍ଦର ବସ୍ତୁରେ ପରିଣତ କରି ପାରୁଛନ୍ତି ? ଆମର ଜୀବନ କଦାପି ଗୋଟାଏ ଭଣ୍ଡାରଘର ନୁହେଁ ଅଥବା ଗୋଟାଏ ସଂଗ୍ରହାଳୟ ନୁହେଁ । ଜୀବନ ହେଉଛି ଗଭୀରରୁ ଆହୁରି ଗଭୀର ଭାବରେ ଆସ୍ୱାଦନ କରିବାର, ଗ୍ରହଣ ଏବଂ ବିତରଣ କରି ପାରିବାର ଏକ ଆକାଙ୍‌କ୍ଷା, -ଆପଣାକୁ ସମ୍ପୂର୍ଣ୍ଣରୁ ସମ୍ପୂର୍ଣ୍ଣତର କରି ଗଢ଼ି ପାରିବାର ସୃଜି ପାରିବାର ଓ ସମର୍ପି ଦେଇ ପାରିବାର ଆକାଙ୍‌କ୍ଷା । ଜୀବନ ହେଉଛି ଅଧିକରୁ ଅଧିକ ସାର୍ଥକ ଭାବରେ ଅଧିକରୁ ଅଧିକ କ୍ଷେତ୍ରରେ ଏକାତ୍ମକର ଅର୍ଜନ କରିବାର ଏକ ଆକାଙ୍‌କ୍ଷା । ଏହି ଆକାଙ୍‌କ୍ଷାଟି ଜାଗ୍ରତ ହୋଇ ରହିଥିଲେ ଯାଇ ଆମକୁ ପରିବେଷ୍ଟିତ କରି ରହିଥିବା ଏହି ଯାବତୀୟ ସାମଗ୍ରୀ ଆମକୁ ଅସଲ ସଂସ୍କୃତିର ଭାଜନ ହେବା ଦିଗରେ ଅଗ୍ରସର କରାଇ ନେଇଯାଇ ପାରିବ, ଆମକୁ ବାଟ ଦେଖାଇ ନେଇପାରିବ । ଏହିପରି ଏକ ସଂଜ୍ଞାର ଦର୍ପଣ ଉପରେ ଦେଖିଲେ ସଂସ୍କୃତି ହେଉଛି ଏକ ସଂବେଦନଶୀଳତା, ଏହା ହେଉଛି ସହାନୁଭବର ଏକ ସାମଗ୍ରୀ, ସହାନୁଭବର ମଧ୍ୟ ଏକ ସମାଗ୍ରୀ ।

 

ମାତ୍ର, ଯେଉଁଠାରେ ସାମଗ୍ରୀଗୁଡ଼ାକୁ ହିଁ ସତ୍ୟ ବୋଲି ଧରି ନିଆଯାଏ, ଯେଉଁଠି ସମ୍ପତ୍ତିଗୁଡ଼ାକର ମାଲିକ ହୋଇ ଉପଭୋଗ କରିବାକୁ ହିଁ ସଂସ୍କୃତିର ଅଧିକାରୀ ହେବା ବୋଲି ଭ୍ରମ କରାଯାଏ, ଶ୍ରୀ ଅରବିନ୍ଦ ସେହିପରି ଏକ ସ୍ଥିତିକୁ ସଭ୍ୟତା ନ କହି ବର୍ବରତା ବୋଲି କହିଛନ୍ତି, ବର୍ବରମାନେ କୌଣସି ସଂସ୍କୃତି ସୃଷ୍ଟି କରନ୍ତିନାହିଁ, ସେମାନେ ସଂସ୍କୃତିକୁ ଭୋଗ କରନ୍ତି । ସେମାନେ ପଂକ୍ତିମାନଙ୍କରେ ସବା ଆଗରେ ଯାଇ ବସନ୍ତି । ବାଇବେଲ୍‍ର ଗୋଟିଏ ଶବ୍ଦକୁ ବ୍ୟବହାର କରି ଶ୍ରୀ ଅରବିନ୍ଦ ଏମାନଙ୍କୁ Philistine ବା ସଭ୍ୟତାଭୋଜୀ କହିଛନ୍ତି । ଯେକୌଣସି ସଭ୍ୟତା ଓ ଯେକୌଣସି ସଂସ୍କୃତି ଏହି ସଭ୍ୟତାଭୋଜୀ ଉତ୍ସାହୀମାନଙ୍କଦ୍ଵାରା କେବଳ ପ୍ରମାଦଗ୍ରସ୍ତ ହିଁ ହୋଇପଡ଼େ । ସଂସ୍କୃତିର ବିନାଶ ବେଳକୁ ହିଁ ସାଧାରଣତଃ ସଂସ୍କୃତିଭୋଜିମାନଙ୍କର ଉପଦ୍ରବ ପ୍ରବଳ ହୋଇ ଉଠିବାପରି ଅନୁଭୂତ ହୁଏ । ଅଥବା, ଗୋଟାଏ ପୁରୁଣା ଯୁଗର ଅବସାନ ଘଟାଇ ଏକ ନୂତନ ପ୍ରଶସ୍ତରେ ଯୁଗର ଓ ସସ୍କୃତିର ଉଦ୍ୟମ ହେବାକୁ ବସିଲେ ସଂସ୍କୃତିଭୋଜୀମାନେ ହିଁ ସେହି ପରିବର୍ତ୍ତନରେ ସବୁଠାରୁ ଅଧିକ ବାଧା ଦେଇଥାନ୍ତି । ପ୍ରତିଷ୍ଠିତ ଜମିଦାରୀଗୁଡ଼ାକରେ ସେମାନେ ଆଦୌ କୌଣସି ଉଚ୍ଛେଦ ଇଚ୍ଛା କରନ୍ତି ନାହିଁ । ରାତିଗୁଡ଼ାକ ଯାଇ ସକାଳ ହେଉ ବୋଲି ସେମାନେ ଆଦୌ ଇଚ୍ଛା କରନ୍ତି ନାହିଁ । ସେମାନେ କେବଳ ଭୋଗ କରିବାକୁ ଚାହାନ୍ତି, କ୍ଷମତାଗୁଡ଼ାକୁ ଭୋଗ କରିବାକୁ ଚାହାନ୍ତି, କର୍ତ୍ତୃତ୍ୱଗୁଡ଼ାକୁ ଭୋଗ କରିବାକୁ ଚାହାନ୍ତି ସମସ୍ତ କାଳଟାକୁ ହିଁ ଭୋଗ କରିବାକୁ ଚାହାନ୍ତି । ସାହିତ୍ୟ, କଳା ଓ ସୌନ୍ଦର୍ଯ୍ୟ ସବୁକିଛିକୁ ଏମାନେ ଆମ ଜୀବନର ଗୋଟିଏ ଗୋଟିଏ ଉତ୍ତୋଳନକାରୀ ଉପାଦାନ ବୋଲି ଗ୍ରହଣ ନକରି ତୁଚ୍ଛା ଭୋଗ ସାମଗ୍ରୀ ବୋଲି ଗ୍ରହଣ କରି ନେଇଥାନ୍ତି । ଏମାନେ ଧର୍ମଗୁଡ଼ାକୁ ଅଫିମ ପରି ଗୋଳି ପିଇବାରେ ଲାଗିଥାନ୍ତି । ଏମାନେ ରାଜା ହେଲେ ଠାକୁରଙ୍କର ସଂଖ୍ୟା ବଢ଼େ, ମନ୍ଦିରଗୁଡ଼ାକ ଶଙ୍ଖମର୍ମର ପଥର ବସାହୋଇ ଗଢ଼ାହୁଏ, ପୋଖରୀଗୁଡ଼ାକରେ ପାହାଚ ବାନ୍ଧି ଦିଆଯାଏ, ବାର ପର୍ବକୁ ତେର ଭୋଗ ଖଞ୍ଜି ଦିଆଯାଏ ବେଢ଼ାଗୁଡ଼ାକୁ ମଜ୍ଜାଇ ରଖିବାଲାଗି ଭଳିଭଳି ନାଟୁଆ ଡକାହୋଇ ଆସନ୍ତି, ଭଳି ଭଳି ସଭା ଜମେ, ତୋଷାମଦକାରୀଙ୍କର ଗହଳରେ ଦିଗଗୁଡ଼ାକ ସତେ ଅବା ପହଡ଼ ପଡ଼ି ରହିଥିବା ପରି ଲାଗୁଥାଏ । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଏଠି ଯେ ଏହି ସଭ୍ୟତା ଭୋଜୀଙ୍କର ସଂଖ୍ୟା ଅବଶ୍ୟ ବଢ଼ିଛି, ଏକଥା ପ୍ରାୟ କେହି ଅସ୍ୱୀକାର କରିବେନାହିଁ ଏବଂ ଏହି ବୃଦ୍ଧିରେ ଆମ ଉତ୍କଳଖଣ୍ଡରେ ମଧ୍ୟ ସୁନିଶ୍ଚିତ ଭାବରେ ଏକ ଭାଗ ରହିଛି । ଆମ ଓଡ଼ିଶାରେ ବି ନାଟ ବଢ଼ିଛି, ତୋଷାମଦ ବଢ଼ିଛି, କ୍ଷମତା ଓ ଅଫିମଗୁଡ଼ାକର ପ୍ରକୋପ ବଢ଼ିଛି, ପ୍ରତାପୀମାନେ ହାସ୍ୟାସ୍ପଦ ହେବା ପର୍ଯ୍ୟନ୍ତ ବି ଆପଣାକୁ ଅଧିକରୁ ଅଧିକ ପ୍ରତାପଶାଳୀ କରିବାରେ ଆଦୌ କମ୍ ଆଗ୍ରହ ଦେଖାଇ ନାହାନ୍ତି । ସେହି ଆଗ୍ରହ ଚରାଚର ବ୍ୟାପ୍ତ ହେବାଲାଗି ମନ କରିଛି, ତାହା ରାଜନୀତିରୁ ସାହିତ୍ୟକୁ ବ୍ୟାପିଛି, କଚେରୀଘରୁ ଇସ୍କୁଲଘରକୁ ବ୍ୟାପିଛି ଏବଂ ଏହିସବୁ ଦୌରାତ୍ମ୍ୟ ଫଳରେ ସଂସ୍କୃତିର ଅସଲ ଖୁଣ୍ଟଗୁଡ଼ାକ ଅନେକ ସମୟରେ ଧସକି ଗଲାପରି ମନେହୋଇଛି । ତୁଚ୍ଛା ବର୍ବରମାନେ ମୁଣ୍ଡରେ ପଗଡ଼ି ଓ ଅଣ୍ଟାରେ କରଧୁନୀ ବାନ୍ଧି ରଣପା ଚଢ଼ି ସଂସ୍କୃତିର କଥା କହି ବୁଲିଛନ୍ତି । ସଂସ୍କୃତିର ଅସଲ ଆକୁତିଟି ସତେଅବା ହଜିଗଲା ପରି ମନେ ହେଉଛି । ବଛା ବଛା ଯୋଦ୍ଧା ବି ଆଖର ଦରବାରୀ ହେବାକୁ ହିଁ ଏକମାତ୍ର ଗତି ବୋଲି ଆଦରି ନେଇଛନ୍ତି ।

 

ଆପଣାର ଏକ ଗ୍ରନ୍ଥରେ ସ୍ପେନିଶ୍ ଦାର୍ଶନିକ ଓର୍ଟେଗା ଗାସେଟ୍‌ (Ortegey Gasset) ଆଧୁନିକ ଇଉରୋପୀୟ ସଭ୍ୟତା ଓ ସଂସ୍କୃତି କ୍ରମେ ଅଧିକରୁ ଅଧିକ ପରିମାଣରେ ଏହି ସଭ୍ୟତାଭୋଜୀମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇ ପଡ଼ିବାରେ ଲାଗିଛି ବୋଲି କହିଛନ୍ତି । ସଭ୍ୟତାଭୋଜୀମାନଙ୍କୁ ଆପଣାର ଭାଷାରେ ସେ massmen ବୋଲି କହିଛନ୍ତି । ଏମାନଙ୍କୁ ଆମେ ଖାଲି ସ୍ପେନରେ ବା ଇଉରୋପରେ ନୁହେଁ, ଏଠି ଭାରତ ବର୍ଷରେ ଓ ଓଡ଼ିଶାରେ ମଧ୍ୟ ପଲପଲ ହୋଇ ବୁଲୁଥିବାର ଦେଖିବାକୁ ପାଇବା, ସେମାନଙ୍କୁ ଆମେ ଆସନଗୁଡ଼ାକର ବାହାରେ ମଧ୍ୟ ଦେଖିବାକୁ ପାଇବା । ସାହିତ୍ୟ ଭିତରେ ଦେଖିବାକୁ ପାଇବା, ସଂସ୍କୃତି ନାମରେ ବସୁଥିବା ଯାବତୀୟ ପାଲା ଆଉ ମଉଚ୍ଛବରେ ଦେଖିବାକୁ ପାଇବା । ଆଦର୍ଶଗୁଡ଼ାକୁ ନେଇ ଗାଆଣ ବଜାଣ ହେଉଥିବା ସମୟରେ ଆମେ ଏମାନଙ୍କୁ ହୁଏତ ସବାଆଗ ଧାଡ଼ିରେ ଅଥବା ସବାଉଚ୍ଚ ଭାଡ଼ି ଉପରେ ଦେଖିବାକୁ ପାଇବା । ରମ୍ୟତମ ପରିବେଶମାନଙ୍କରେ ରମ୍ୟତମ ପରିପାଟୀରେ ଆମେ ସେମାନଙ୍କୁ ନାନା ରୂପ, ବେଶ ତଥା ଆବେଗ ମଧ୍ୟରେ ଦେଖିବାକୁ ପାଇବା । ପ୍ରଭୁରୂପେ ଦେଖିବାକୁ ପାଇବା, ଭୃତ୍ୟର ପରିଚ୍ଛଦରେ ବି ଦେଖିବାକୁପାଇବା; ଭଗବାନରୂପେ ଦେଖିବାକୁ ପାଇବା, ଭକ୍ତରୂପେ ବି ଦେଖିବାକୁ ପାଇବା । ଏମାନେ ସବୁଠାରେ ଅତ୍ୟନ୍ତ କମ୍‌ ଦିଅନ୍ତି, କିନ୍ତୁ ଯଥାସମ୍ଭବ ଅଧିକ ମାରିନେବାକୁ ଚାହାନ୍ତି; ଆଦୌ କିଛି ବି ନଦେଇ ହୁଏତ ସବୁଯାକ ମାରିନେଇ ପାରିଲେ ଏମାନେ ସ୍ୱଭାବତଃ ସବୁଠାରୁ ଅଧିକ ଆପ୍ୟାୟିତ ଅନୁଭବ କରୁଥାନ୍ତି । ଏମାନେ କେବେହେଲେ କିଛି ସୃଷ୍ଟି କରନ୍ତିନାହିଁ, ଏମାନେ ସୃଷ୍ଟି କରିବାର ଆଦୌ କୌଣସି ପାଠ ପଢ଼ିନଥାନ୍ତି-। ସେମାନେ ଜ୍ଞାନକୁ ଭୋଗ କରନ୍ତି, ବିଜ୍ଞାନକୁ ଭୋଗ କରନ୍ତି, ସବୁଯାକ ଧନକୁ ଭୋଗ କରିବେ ବୋଲି ଟାକି ରହିଥାନ୍ତି; ମାନ, ଯଶ ଓ ଗୌରବ ସବୁକିଛିକୁ ଆଗରୁ ହିଁ ଆତ୍ମସାତ୍ କରି ନେଇଥାନ୍ତି-। ଯାବତୀୟ ଯଜ୍ଞରେ ଏହିମାନେ ହିଁ ବ୍ରାହ୍ମଣ ହୋଇ ବସନ୍ତି, ସବୁଯାକ ଯୁଦ୍ଧରେ ସବାବଡ଼ ଯୋଦ୍ଧା ରୂପେ ପ୍ରଖ୍ୟାତ ହୁଅନ୍ତି । ମାତ୍ର ଯଥାର୍ଥରେ କୌଣସି ଯଜ୍ଞର ଯୋଗ୍ୟ ହୋଇ ପାରନ୍ତିନାହିଁ ଅଥବା କୌଣସି ଯୁଦ୍ଧର ବି ଯୋଗ୍ୟ ହୋଇ ପାରନ୍ତିନାହିଁ । ସଂଗ୍ରାମ ସରିଲେ ସଂଗ୍ରାମର ଲବ୍‌ଧଫଳଗୁଡ଼ାକୁ ଆଗ ଆବୋରି ପକାନ୍ତି । ଆମ ଏଯୁଗର ସାଂସ୍କୃତିକ ଯାବତୀୟ ଶ୍ରୀହୀନତା ଉପରେ ଏହିମାନେ ହିଁ ପ୍ରଶସ୍ତବକ୍ଷ ହୋଇ ବସିଥାନ୍ତି । ଏହିପରି ଏକ ସ୍ଥିତି ବର୍ତ୍ତମାନ ଆମ ଓଡ଼ିଶାରେ ରହିଛି ବୋଲି ଯଦି ଆମେ ପ୍ରକୃତରେ ଅନୁଭବ କରୁଥିବା, ତେବେ ଆମେ ଏହାକୁ ସଂସ୍କୃତି ବୋଲି କହିବା ନା ଆଉକିଛି ବୋଲି କହିବା ? ଏବଂ ସଂସ୍କୃତିର ଏହି ଜୀଅନ୍ତା ଘରଟାକୁ ସଂସ୍କୃତିର ଭଗାରିମାନଙ୍କ ହାତରେ ଛାଡ଼ିଦେଇ କ’ଣ ଆମେ ଟିକେଟ୍ କାଟି ମିଉଜିଅମଗୁଡ଼ାକୁ ଦେଖି ଯିବାଲାଗି ମନ କରିବା ?

 

ଆମର ଏହି ସଂସ୍କୃତିକୁ କିଏ ଏପରି ମଣିଷ ବିମୂଖ କରି ପକାଇଲା ? ଆମର ଆଦର୍ଶଗୁଡ଼ାକୁ ଏପରି ଭୂଇଁଛଡ଼ା କିଏ କଲା, ଆମ ଅନୁରାଗଗୁଡ଼ାକୁ ଏପରି ଜୀବନବିତୃଷ୍ଣ କିଏ କରି ପକାଇଲା ? ଆମ ରାଜନୀତିକୁ ଏପରି ନିର୍ଲଜ୍ଜ କିଏ କଲା, ଆମ ନୀତିଗୁଡ଼ାକୁ କିଏ ଏପରି ନିର୍ମମ କଲା ? ବାହାରୁ କୋଉ ସଇତାନ ଆସି ଏସବୁକୁ ଏପରି କରି ପକାଇଲା ବୋଲି ଯିଏ କହିବ, ଆମ ଭିତରେ ସେଇ ହେଉଛି ବର୍ବର । ଏସବୁ ଯେ ଆମେ ଥାଉଁ ଥାଉଁ ଏପରି ହୋଇଗଲା ଏବଂ ସେହି ପ୍ରକିୟାଟିରେ ଆମ ସମସ୍ତଙ୍କର ନିଶ୍ଚୟ କୌଣସି ନା କୌଣସି ଭାଗ ରହିଛି ବୋଲି ଯିଏ କହିପାରିବ, ଆମଭିତରୁ ପ୍ରକୃତରେ ସେଇ ଆଗାମୀ ସଂସ୍କୃତିର ବାହାକ ହୋଇ ବାହାରି ପାରିବ । ଆମ ସଂସ୍କୃତିର ବର୍ତ୍ତମାନ ସ୍ଥିତି ସଂସ୍କୃତିକାମୀ ଆମ ସମସ୍ତଙ୍କ ଲାଗି ଏକ ଆହ୍ୱାନ-। ସେହି ଆହ୍ୱାନଟି ପାଖରୁ ଆମେ ପଳାଇ ଯିବାନାହିଁ, ଆମେ ବାହୁନିବାକୁ ବି ଯିବାନାହିଁ ଅଥବା ଆଉ କାହାକୁ ଅଭିଶାପ ଦେଇ କୌଣସି ସାନ୍ତ୍ୱନା ପାଇବାକୁ ମଧ୍ୟ ଯିବାନାହିଁ । ଆମେ ଏହି ଆହ୍ୱାନର ସମ୍ମୁଖୀନ ହେବା, ଏହି ଆହ୍ୱାନର ଯୋଗ୍ୟ ହେବା ଏବଂ ଏହି ଆହ୍ୱାନର ଜବାବ ଦେବା । ଆମେ ନିଜେ ସୃଜନଶୀଳ ହୋଇ ଏହି ଆହ୍ୱାନର ଜବାବ ଦେବା । ଆମେ ନିଜେ ନିର୍ଭୟ ହୋଇ ଭୟାଳୁମାନଙ୍କୁ ଅତିକ୍ରମ କରିଯିବା । ଏହି ଆହ୍ୱାନ ହେଉଛି ସଂସ୍କୃତିକାମୀମାନଙ୍କ ପ୍ରତି ସଂସ୍କୃତିଭୋଜୀମାନଙ୍କର ଆହ୍ୱାନ । ସଭ୍ୟତା ପ୍ରତି ବର୍ବରତାର ଆହ୍ୱାନ । ଏହିପରି, ଆହ୍ୱାନ ଇତିହାସରେ କେତେ ଥର ଆସିଛି । ଭାରତବର୍ଷରେ ଆସିଛି, ଭାରତବର୍ଷ ବାହାରେ ମଧ୍ୟ ଆସିଛି । ସେତେବେଳେ ଯେଉଁ ସ୍ତରରେ ସେହି ଆହ୍ୱାନଟିର ଜବାବ ଦିଆଯାଇଛି, ସେହି ଅନୁସାରେ ହିଁ ଯୁଗ ଆଗକୁ ଯାଇଛି ଅଥବା ପରାଭୂତ ହୋଇ ଗାତ ଭିତରେ ଯାଇପଡ଼ିଛି । ଅତୀତ ଦୃଷ୍ଟାନ୍ତଗୁଡ଼ିକର ସେହି ଅଗ୍ନିସ୍ଫୂଲିଙ୍ଗ ମାନ ଆମ ଭିତରେ ପୁନର୍ବାର ଅଗ୍ନିସଞ୍ଚାର କରି ଦେବାଲାଗି ପ୍ରସ୍ତୁତ ହୋଇ ରହିଛନ୍ତି । ଆମର ସମଗ୍ର ବର୍ତ୍ତମାନଟି ଆମର ଭୂମି ହୋଇ ଆମକୁ ଆହ୍ୱାନ ଦେଉଛି । ଆମର ଭବିଷ୍ୟ ଦିଗ୍‍ବଳୟ ମନ୍ଦିରଚୂଡ଼ା ପରି ଆମକୁ ବାଟ ଚାଲିବାର ସଙ୍କେତ ଦେବାରେ ଲାଗିଛି-। ଏସବୁର ଯୋଗ୍ୟ ହେବାକୁ ପଡ଼ିବ । ଆଗକୁ ଯିବାକୁ ହେବ । ତେଣୁ ଚରୈବେତି ଚରୈବେତି-

 

୨୯.୧୨.୧୯୭୬

(୧୯୭୭, ଜାନୁଆରୀରେ ଯାଜପୁର ନୃସିଂହ ଚୌଧୁରୀ କଲେଜରେ ବିରଜା

ବକ୍ତୃତାମାଳାର ତୃତୀୟ ଦିବସରେ ପଠିତ)

Image

 

କବୀରା ଖଡ଼ା ବାଜାରମେଁ

 

ଜୀବନରେ ଯାହାକିଛି ଘଟେ, ସେଥିରୁ ସବୁ କଦାପି ମନେ ରହେ ନାହିଁ । ଗୋଟାଏ ଗୋଟାଏ ମନେ ରହେ । ଆଖି ଆଗରେ ଆପଣାର ଚାରିପାଖରେ ଯାହାକିଛି ଘଟୁଥାଏ, ସେଗୁଡ଼ାକ ସବୁ କେବେହେଲେ ମନେ ରହେନାହିଁ । ଗୋଟାଏ ଗୋଟାଏ ମନେ ରହେ । ମଣିଷର ମଣ୍ଡଣିଗୁଡ଼ାକ ଯେ କେବଳ ମନେ ରହେ ଅଥବା ଖଣ୍ଡିଆଗୁଡ଼ାକ ଯେ କେବଳ ମନେ ରହେ ତାହା କଦାପି ନୁହେଁ । ଗୋଟାଏ ଗୋଟାଏ ମନେ ରହେ, ଗୋଟାଏ ଗୋଟାଏ କୁଆଡ଼େ ପାଶୋର ଯାଏ-। ଏମାନେ ଯେଉଁମାନେ ଏଡ଼େ ଏଡ଼େ ଦାନ୍ତ ବାହାର କରି, ଏତେ ଏତେ ସାଞ୍ଜୁ ପିନ୍ଧି ଓ ଏତେ ଏତେ ଫାନୁଷ ଜଳାଇ ଆମ ଘରଟାକୁ ଆପଣାର ଦାଣ୍ଡ ବୋଲି ମଣି ଶୋଭାଯାତ୍ରାରେ ବାହାରିଥିଲେ, ଆମେ ଆଉମାନଙ୍କୁ ଭୁଲିଯାଇ କେବଳ ସେହିମାନଙ୍କୁ ମନେ ରଖିବୁ ବୋଲି ଆମକୁ କେତେ ରଙ୍ଗରେ କେତେ କେତେ ଭୃତ୍ୟଙ୍କ ଜରିଆରେ କହିବାରେ ଲାଗିଥିଲେ, ସେମାନେ ଯେ ସମସ୍ତେ ମନେ ରହିବେ, ସେ କଥା କଦାପି ନୁହେଁ । ସେମାନେ ତ ଏହାରି ଭିତରେ ଏହି କେତେଟା ଦିନର ଫାଙ୍କ ଭିତରେ କୁଆଡ଼େ କେତେ ସୂତରରେ ଓ କେଡ଼େ ସୁନ୍ଦର ଭାବରେ ଖାପ ଖାଇ ରହିଲେ । ନୂଆ ଖାମିନ୍ଦମାନଙ୍କ ପାଖରେ ସେମାନେ କେଡ଼େ ବାଗରେ ପଇଠ ହୋଇ ରହିଗଲେ । ସେମାନଙ୍କର ଚାକିରି ରହିଲା, ସେମାନଙ୍କର ବୃତ୍ତିଗୁଡ଼ାକ ରହିଲା, ଜାଗିରିଗୁଡ଼ାକ ପୂର୍ବପରି ଜବର ହୋଇ ରହିଲା । ସେମାନେ କେଡ଼େ ନିର୍ବିବେକ ଓ କେଡ଼େ ନିର୍ମଳ ଭାବରେ ନୂଆ ମୁନିବମାନଙ୍କୁ ଆଦରିଯାଇ ପାରିଲେ ।

 

ସେତେବେଳେ ନେତାମାନେ ଥିଲେ, ବର୍ତ୍ତମାନ ବି ନେତାମାନେ ରହିଲେ । ରାଜ୍ୟ ଅପୋଷା ରହିଲା ନାହିଁ କିମ୍ବା ଭଣ୍ଡାରଗୁଡ଼ାକ ଅପଚରା ହୋଇ କଦାପି ରହିଲା ନାହିଁ । ରାଜନୀତି ବଦଳିଗଲା; ଅର୍ଥାତ୍ ଯେଉଁମାନେ ଧରା ନ ପଡ଼ିଥିଲେ ସେମାନେ ଧରା ପଡ଼ିଲେ ଓ ହାଜତ ଭିତରକୁ ଗଲେ ଏବଂ ଯେଉଁମାନେ ହାଜତ ଭିତରେ ଥିଲେ ସେମାନେ ସତେ ଅବା ଧରାବର ହୋଇ ଆସିଲେ । ପୁରୁଣା ତିଥିଗୁଡ଼ାକ ଅନୁସାରେ ନୂଆ ବାହାଘରଗୁଡ଼ାକ ସମାହିତ ଓ ସମ୍ପାଦିତ ହୋଇଗଲା । ଖବରକାଗଜଗୁଡ଼ାକ ସେତେବେଳେ ଆଉ କାହାର ଗାଉଥିଲେ, ବର୍ତ୍ତମାନ ହୁଏତ ଆଉ କାହାର ଗାଇଲେ । ଧାତ୍ରୀମାନେ ହୁଏତ ଆଉ କାହାର ସେବା କରୁଥିଲେ, ବର୍ତ୍ତମାନ ଆଉ କାହାର ସେବା କଲେ । ସବୁ ବଦଳିବ ବୋଲି କଥା ପଡ଼ୁ ପଡ଼ୁ ସତେ ଯେପରି ଆଦୌ କିଛି ବଦଳିଲା ନାହିଁ । କଣା ପୁରୁଣା ବାସନଗୁଡ଼ାକ ପୁଣି ଝଳାହୋଇ ଆସିଗଲେ । ଆମ ଐଶ୍ୱର୍ଯ୍ୟ ଘରେ ଶୋଭା ପାଇଲେ । ଆମ ଇତିହାସ ଘରେ ଶୋଭା ପାଇଲେ । ଆମ କଳଙ୍କ ଘରେ ଶୋଭା ପାଇଲେ । ଇତିହାସ ବୋଲି ମାଟିତଳେ ପୋତା ହୋଇ ରହିଥିବା ଗୁପ୍ତ ଫିସାଦଗୁଡ଼ାକୁ ମାଟିତଳୁ ଖୋଳି ବାହାର କରିବାଲାଗି ବରାଦ ହୋଇଗଲା । ମିଛଗୁଡ଼ାକ ଗୋଟାସୁଦ୍ଧା ଧରାପଡ଼ିଗଲା ପରି ଲାଗିଲା । ଯେଉଁମାନେ ହୋ’ ହୋ’ ହୋଇ ସେଗୁଡ଼ାକୁ ଧରା ପକାଇ ଦେବାକୁ ଆସିଲେ, ସେମାନେ କେଡ଼େ ସତ୍ୟବାଦୀ ପରି ମନେହେଲେ,-ଆମେ ଏତେଦିନ ଅଣନିଃଶ୍ୱାସୀ ହୋଇ ରହିବା ପରେ ଅନ୍ତତଃ ଗୋଟାଏ ନୂଆ ଭ୍ରମ ଦ୍ୱାରା ଆପଣାକୁ ପୁଲକିତ କରାଇ ପାରିଲେ ।

 

ସେତେବେଳେ ପ୍ରକୃତରେ କିଏ କେତେ ପ୍ରକାରର କବରୀ ପିନ୍ଧି ଆମ ଆଗରେ ଆସି ଉଭା ହେବାର ସଦୟତା ପ୍ରକାଶ କରିଥିଲେ । କେତେ ପ୍ରକାର ଦୌରାତ୍ମ୍ୟରେ ଆମକୁ ଗୋଟାସୁଦ୍ଧା ତାଟକା କରି ଦେଉଥିଲେ । ସେହି ଦୌରାତ୍ମ୍ୟ ଗୁଡ଼ାକ ଜାତିର ନାଆଁରେ ଅର୍ଥାତ୍ କ୍ଷମତାର ବୈଧତା ଘୋଷଣା କରି ଏଠାରେ ଆମ ସମସ୍ତଙ୍କ ଲାଗି ଆଇନ୍ ବୋଲି ପରଷା ହୋଇଥିଲା । ସେହି ଘୋଷଣା ଶୁଣି ଆମେ ଭୂଆଷୁଣୀମାନେ ମୁଣ୍ଡ ଉପରେ ଓଢ଼ଣା ଦେଲୁ । କୁଳର ଲାଜକୁ ଅର୍ଥାତ୍ କ୍ଷମତାର ଅଲାଜକୁ ହିଁ ଆପଣାର ଲାଜ, ବୋଲି ଆଦରି ରହିଲୁ । ତା’ ପରେ କାଳର କଣ୍ଟାଗୁଡ଼ାକ ଆମକୁ ଆଉ ଅପମାନ ପରି ଲାଗିଲା ନାହିଁ । କ୍ଷମତାର ପଦ୍ମବନରେ ଯେଉଁମାନେ କୁଞ୍ଜର ପ୍ରାୟ ଶୋଭା ପାଉଥିଲେ, ଆମେ ସେହିମାନଙ୍କର ପରିତର୍ପଣ ଅର୍ଥାତ୍ ତୃପ୍ତିବିଧାନ ସକାଶେ ଆଦେଶ ପ୍ରମାଣେ କେତେବେଳେ ନବଗୁଞ୍ଜର ସାଜିଲୁ କେତେବେଳେ କାଳେ କାମଗୁଞ୍ଜର ସାଜିବୁ ବୋଲି ମଧ୍ୟ ନିଶକୁ ଫୁଲାଇ, ପିଠିଟାକୁ କୁଜା କରି ଫେରଟାକୁ ଧରି ଅପେକ୍ଷା କରି ରହିଲୁ । ଆମେ ଯେଉଁମାନେ ନିଜ ଉପରେ ମୋଟେ ବିଶ୍ୱାସ କରୁନାହୁଁ । ଆପଣାର ଯାବତୀୟ ଅବିଶ୍ୱାସକୁ ଆଳ ଦେଇ ଭଗବାନଙ୍କ ଉପରେ ବିଶ୍ୱାସ ବୋଲି କହିଥାଉ, ଆମେ ସମସ୍ତେ ଅତ୍ୟନ୍ତ ନିଷ୍ଠା ସହକାରେ ଓ ଅତ୍ୟନ୍ତ ନୀରବତା ସହିତ ସେକଥା କଲୁ । ଆମେ ସମସ୍ତେ ଆମର ଧର୍ମ ପାଳନ କରିଥିଲୁ । ରାଜା ତାର ଧର୍ମ ପାଳନ କରୁଥିଲା, ଅର୍ଥାତ୍‌ ଆପଣାର ଖିଆଲ ଅନୁସାରେ ସମୁଦାୟ ଲୋକବସତିଟାକୁ ଦିଲ୍ଲୀରୁ ଦୌଲତାବାଦ ଯାଏ ଘଉଡ଼ାଇ ନେବା ପାଇଁ ଇଚ୍ଛା କରୁଥିଲା ଏବଂ ପ୍ରଜା ହିସାବରେ ଆମେ ସମସ୍ତେ ଆପଣା ଆପଣାର ଧର୍ମ ପାଳନ କରୁଥିଲୁ । ଆମ ଭିତରୁ କେହି ଶିକ୍ଷକ, କେହି ସାହିତ୍ୟିକ, କେହି ରସିକ ଓ ଏପରିକି କେହିକେହି ନାଗରିକ ହୋଇଥିଲେ ମଧ୍ୟ ଆମେ ସମସ୍ତେ ଆଗ ପ୍ରଜା, ତା’ ପରେ ଯାଇ ମଣିଷ । ଧର୍ମଭୀରୁ ମଣିଷମାନେ କୁଆଡ଼େ ଠିକ୍ ଏହିପରି ଆଗ ଭୀରୁ ହୋଇଥାନ୍ତି ଓ ତା’ପରେ ଯାଇ କୌଣସି ପ୍ରକାର ଧର୍ମର ଫାଶକୁ ନେଇ ବେକରେ ଗଳାନ୍ତି । ଅର୍ଥାତ୍, ଭୀରୁ ହେବାକୁ ହିଁ ସେମାନେ ଯାବତୀୟ ଧର୍ମପାଳନର ସମୁଦାୟ ଇତିବୃତ୍ତି ବୋଲି ଗ୍ରହଣ କରି ନେଇଥାନ୍ତି ।

 

ସେହି କାଳଟା ଆସିଲା ଓ ଗଲା । ଆମେ ସମସ୍ତେ ଧଡ଼ପଡ଼ ହୋଇ ଉଠିଲୁ । ଆମେ ସମସ୍ତେ ଚେଇଁ କରି ଶୋଇଥିଲୁ, ତେଣୁ ଉଠିବା ସମୟରେ ବହ୍ୱାଡ଼ମ୍ବର କରି ନିଦରୁ ଉଠିଲୁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲୁ । କେତେ ପ୍ରକାରେ ହଲପ ନେଲୁ, କେତେ ରଡ଼ି କଲୁ । ଭାରତବର୍ଷ ଭଳି ଗୋଟାଏ ଦେଶରେ ଏସବୁ ଘଟିଗଲା ବୋଲି ଆମେ କେତେ ବିସ୍ମୟ ପ୍ରକାଶ କଲୁ ଓ ଅସହାୟ ଜାଣିସିଆଣିଆଙ୍କ ପରି ପରସ୍ପର ଆଡ଼କୁ ଅନାଇବାରେ ଲାଗିଲୁ । ଆତ୍ମପକ୍ଷ-ସମର୍ଥନ କରି ବକ୍ତୃତା ଦେଲୁ । ଅର୍ଥାତ୍ ଆତ୍ମପକ୍ଷକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଲାଗି ପ୍ରାଣପଣ ଚେଷ୍ଟା କଲୁ । ଦେଶକୁ ମାର୍କଦଶା ପଡ଼ିଥିଲାବେଳେ ମୁଁ ଆଦୌ କିଛି କରୁନଥିଲି; ଅନ୍ୟ ଶଇତାନମାନେ ହିଁ ସବୁ କିଛି କରୁଥିଲେ, ମୁଁ କଲେ ମଧ୍ୟ ଆଦୌ କିଛି ହେଲେ ଜାଣି ନଥିଲି ଓ ଅନ୍ୟମାନେ ଜାଣିଶୁଣି ସବୁକିଛି କରୁଥିଲେ,–ଭୀରୁର ତୋଡ଼ ଓ ଭୀରୁର କୋପ ଦେଖାଇ ଆମେ ଏହିପରି କେତେ କ’ଣ କହିବାରେ ଲାଗିଲୁ ଏବଂ ଏହିପରି କରି ଅନ୍ତତଃ ଆପେ ବୁଝିବାଲାଗି ଆପଣାର ପାପଗୁଡ଼ାକୁ ପଖାଳିବାରେ ଲାଗିଗଲୁ । ଅଶୁଦ୍ଧ ଥାନଗୁଡ଼ିକୁ ପୁନର୍ବାର ଶୁଦ୍ଧ କରିଦେଲୁ । ଭାରି ଚମତ୍କାର ରୀତିରେ ଅସିଦ୍ଧ ଘରଗୁଡ଼ାକର ପ୍ରତିଷ୍ଠା ହୋଇଗଲା । ସେତେବେଳେ ଆମର ବିବେକ ଯେଉଁଭଳି ନିର୍ମଳ ଥିଲା, ନିଦ ଭାଙ୍ଗିଯିବାରେ ମଧ୍ୟ ଏହି ବିବେକଟା ଠିକ୍ ସେହିପରି ନିର୍ମଳ ହୋଇଯିବା ପରି ଲାଗିଲା । ଆମେ ସେତେବେଳେ ଯେମିତି ଭଦ୍ରଲୋକ ଥିଲୁ, ଯେତିକି ଯେତିକି ଅନୁଗତ ଥିଲୁ, ଏବେ ମଧ୍ୟ କ୍ରମେ ସେହିଭଳି ଭଦ୍ରଲୋକ ହୋଇପାରିଲୁ । ସେହିଭଳି ଅନୁଗତ ଭାବରେ ନିଜକୁ ନିଜେ ପ୍ରେରଣା ଦେବାକୁ ଲାଗିଲୁ । ଆମେ ଯେ ଏହି ଦେଶରେ ଅମର ହୋଇ ରହିବାର ଅଧିକାର ଲାଭ କରିଛୁ, ସେହି କଥାଟା ଆଉଥରେ ଦଶଦିଗକୁ ପ୍ରମାଣ କରି ଦେଖାଇ ଦେଲୁ । ଆମେ ଅମର ହୋଇ କାଳଜୟୀ ହେଲୁ ।

 

। ଦୁଇ ।

 

କୌଣସି ରାଷ୍ଟ୍ର ଯାହାକିଛି କରେ ପଛକେ, ସିଏ କଦାପି କୌଣସି ଭୁଲ କରେନାହିଁ । ରାଷ୍ଟ୍ର ସମ୍ମାନ ଦିଏ; ଆସନରେ ବସାଏ, ଆସନରୁ ଖସାଏ; ଦୁଷ୍ଟର ଦମନ କରେ, ଶିଷ୍ଟକୁ ସ୍ଵୀକାର କରେ, -ଏଗୁଡ଼ାକ ଯହୁଁ ଯହୁଁ ରାଷ୍ଟ୍ରର ଗୋଟିଏ ଗୋଟିଏ କାର୍ଯ୍ୟ ବୋଲି ସ୍ୱୀକୃତ ହେବାରେ ଲାଗିଛି, ଆମେ ସମସ୍ତେ ତହୁଁ ତହୁଁ ଅଧିକ ପରିମାଣରେ ଓ ଅଧିକ ନିଷ୍ଠାର ସହିତ ରାଷ୍ଟ୍ରଧର୍ମାବଲମ୍ବୀ, ହେବାରେ ଲାଗିଛୁ । ରାଷ୍ଟ୍ରର ପ୍ରକୃତରେ କୌଣସି ଧର୍ମ ନଥାଏ । ଯେକୌଣସି ଯନ୍ତ୍ରର ଯେପରି କୌଣସି ଧର୍ମ ନଥାଏ, ଠିକ୍ ସେହିପରି । ତଥାପି, ଆଧୁନିକ ଯୁଗରେ ଯାବତୀୟ ଧର୍ମ ରାଷ୍ଟ୍ରଦ୍ୱାରା ହିଁ ନିର୍ଦ୍ଧାରିତ ଏବଂ ନିୟନ୍ତ୍ରିତ ହେବାରେ ଲାଗିଥାଏ । ରାଷ୍ଟ୍ରର ପାଦୁକାକୁ ସିଂହାସନ ଉପରେ ବସାଇ ଯେଉଁମାନେ ଯେତେବେଳେ କ୍ଷମତା ଭୋଗ କରିବାଲାଗି ରାଷ୍ଟ୍ର ଭଣ୍ଡାରରେ ଭଣ୍ଡାରୀ ହୋଇ ଆସନ୍ତି, ସେତେବେଳେ ସେହିମାନଙ୍କର ଯାବତୀୟ ଅଧର୍ମ ହିଁ ଧର୍ମନାମରେ ସ୍ଵୀକୃତ ହେବାକୁ ଲାଗେ । କ୍ଷମତାକୁ ଆସି ଭୀରୁମାନେ ବୀର ହୁଅନ୍ତି, ନିର୍ଧୁମ୍‌ ଏକାକୀମାନେ ଦରବାର ମଣ୍ଡାଇ ବସନ୍ତି, ନିର୍ବୋଧ ନିରାଲମ୍ବନମାନେ ଦେଶକୁ ଏତେଟା ବର୍ଷରେ ଗୋଟାସୁଦ୍ଧା ଗଢ଼ିକରି ଥୋଇଦେବେ ବୋଲି ଆପଣାର ନାହାକମାନଙ୍କ ଦ୍ଵାରା କୁହାଇ ହୁଅନ୍ତି । ଅପାତ୍ରମାନେ ପାତ୍ର ହୁଅନ୍ତି,–ନିର୍ଧୁମ କୋରଡ଼ବାସୀମାନେ ଆଦର୍ଶବାଦୀ ହୋଇ ବାହାରନ୍ତି; ଅର୍ଥାତ୍‍ ଆଦର୍ଶର କଥା କହୁଥିବା ଚରାଚର ଗ୍ରାସୀ ହୋଇ ବାହାରନ୍ତି । ଯାବତୀୟ ଅଭିନୟରେ ସେମାନେ ନାୟକ ହୋଇ ବାହାରନ୍ତି:-ନାୟକ ହେବାଲାଗି ଯେତେଯାହା ଲୋଡ଼ା ହୁଏ, ଆପଣାର ପୋଷ୍ୟ ବୟସ୍ୟ ଅର୍ଥାତ୍‍ ଭୃତ୍ୟମାନେ ସେମାନଙ୍କୁ ପୂର୍ଣ୍ଣ ପରିପାଟୀ ସହିତ ତାହା ଯୋଗାଇ ଦିଅନ୍ତି । ବହିପରେ ବହି ଲେଖା ହୁଏ, ନଥିପରେ ନଥି ସାଇତା ହୋଇ ରହେ, ଦୌଗତ୍ମ୍ୟଗୁଡ଼ାକ ଗୌରବ ବୋଲି ଉଦ୍‌ଘୋଷିତ ହୁଏ-। ଲୋକଜୀବନର ପଡ଼ିଆ ଉପରେ ଘୋଡ଼ାମାନେ ଦଉଡ଼ିବାକୁ ଲାଗନ୍ତି । କାଳଟା ପୂରାପୂରି ବାଗକୁ ଆସିଗଲା ପରି ମନେହୁଏ; ଅର୍ଥାତ୍‍ ତାହା ଯେତିକି ପରିମାଣରେ ହାତକୁ ଆସି ଯାଇଥାଏ, ତାହାକୁ ସେତିକି ପରିମାଣରେ ବାଗକୁ ଆସିଯାଇଛି ବୋଲି କୁହାଯାଏ ଏବଂ ପ୍ରଚାରକମାନେ ତୁଚ୍ଛା ବୋଲିଗୁଡ଼ାକୁ ହିଁ ଆମ ଭିତରେ ବିଶ୍ୱାସ ବୋଲି ଆଣି ପୂରାଇ ଦେଉଥାନ୍ତି ।

 

ରାଷ୍ଟ୍ର ପ୍ରଜାପାଳନ କରେ, ଏବଂ ପ୍ରଜାପାଳନକୁ ଅନେକ ସମୟରେ ଶାନ୍ତିରକ୍ଷା ବୋଲି କୁହାଯାଏ । ଅର୍ଥାତ୍, ସ୍ୱୀକୃତ ଅନେକ ଅଶାନ୍ତିକୁ ଯେକୌଣସି ପ୍ରକାରେ ସମର୍ଥିତ ଶାନ୍ତି ବୋଲି ଘୋଷଣା କରି ତାହାର ରକ୍ଷା କରିବାକୁ ହିଁ ରାଷ୍ଟ୍ରର ବିଧାନ ଅନୁସାରେ ଶାନ୍ତିରକ୍ଷା ବୋଲି କୁହାଯାଏ । ଶାନ୍ତିରକ୍ଷା କରିବାର ଏହି ପ୍ରୟୋଜନରୁ ହସ୍ତୀ, ଅଶ୍ୱ, ଲଗାମ ଓ ରଜ୍ଜୁର ଜନ୍ମ ହୁଏ, ପ୍ରହରୀ ଓ ପୋଲିସ୍‍ମାନେ ଜନ୍ମଗ୍ରହଣ କରନ୍ତି । ଶାସନର ବିଭାଗଟିକୁ ସ୍ଵତନ୍ତ୍ର ଭାବରେ ସ୍ୱରାଷ୍ଟ୍ର-ବିଭାଗ ବୋଲି କୁହାଯାଏ । ସ୍ୱରାଷ୍ଟ୍ର-ବିଭାଗ ହେଉଛି ଯେ କୌଣସି ରାଷ୍ଟ୍ରର ଅସଲ କେନ୍ଦ୍ର, ଅସଲ ବଳ, ଅସଲ ଜୀବନ, ଅସଲ ପ୍ରମାଣ-। ଯେଉଁଠାରେ ସ୍ୱରାଷ୍ଟ୍ର-ବିଭାଗ ଯେତେ ଟାଣ, ସେଠାରେ ରାଷ୍ଟ୍ରଟା ମଧ୍ୟ ସେତିକି ଟାଣ । ଜୀବନର ବିଭିନ୍ନ ଆୟତନରେ ରାଷ୍ଟ୍ରସର୍ପର ପ୍ରବେଶ ମଧ୍ୟ ସେତିକି ନିପାତନସିଦ୍ଧ, ସେତିକି ଅଧିକ ପରିମାଣରେ ସ୍ଵୀକୃତ । ରାଷ୍ଟ୍ର ଓ ଦେଶ ମଧ୍ୟରେ ରହିଥିବା ସ୍ୱଗୁଣାତ୍ମକ ଭେଦଟି ମଧ୍ୟ ସମ୍ଭବତଃ ସେତିକି ପରିମାଣରେ ଅସ୍ପଷ୍ଟତାଗ୍ରସ୍ତ ଓ ସେତିକି ପରିମାଣରେ ଉପେକ୍ଷିତ । ଦେଶଶକ୍ତି ଓ ରାଷ୍ଟ୍ରଭକ୍ତିକୁ ସେତେବେଳେ ଯଥାସମ୍ଭବ ଗୋଟିଏ ଭକ୍ତି ରୂପେ ନିଶାଦଳ କରି ବାଟି ଦିଆଯାଏ । ଜନଗଣମନ ଅଧିନାୟକ କହିଲେ ସେତେବେଳେ ଅଧିକରୁ ଅଧିକ ପରିମାଣରେ ଓ ଏପରିକି ଅଧିକରୁ ଅଧିକ ସ୍ଵାଭାବିକ ଭାବରେ ଦେୱାନ୍-ଇ-ଖାସ୍‍ରେ ବସିଥିବା ମହାମତି ମହାମହିମମାନଙ୍କୁ ବୁଝାଇଥାଏ । ଯେଉଁମାନଙ୍କ ହାତରେ ରଜ୍ଜୁ ଥାଏ, ଚାପ ଥାଏ, ବନ୍ଧୁକ ଥାଏ, ଯେଉଁମାନେ ବେତନଭୋଗୀ ଭାବରେ ସଂସାରଟାକୁ ପାଳନ୍ତି, ତେଣୁ ସଂସାରଭୀରୁ ଅନେକ ଜ୍ଞାନୀ ଓ ଅଜ୍ଞାନୀ ଯେଉଁମାନଙ୍କୁ ସଂସାରେ ଇହସଂସାରେ ଏକମାତ୍ର ପାଳନକର୍ତ୍ତା ବୋଲି ମାନି ନେଇଥାନ୍ତି, ଖାସ୍ ସେହିମାନଙ୍କୁ ବୁଝାଏ, କ୍ରମେ ଗୋଟାସୁଦ୍ଧା କେବଳ ସେହିମାନଙ୍କୁ ହିଁ ବୁଝାଏ । ଏହି ଫାନ୍ଦରେ ପଡ଼ି ସେତେବେଳେ କବି ବାଉଳା ହୁଏ, ପଣ୍ଡିତ ବାଉଳା ହୁଅନ୍ତି; ଭାଟ ଓ ଚାରଣମାନେ ଯେତିକି ବାଉଳା ହୁଅନ୍ତି, ସେତିକି ମତ୍ତ ନାଗସାପ ହୋଇ ବାହାରନ୍ତି-। ଚାକିରିଆମାନେ ତ ବାଉଳା ହେଲେ ମଧ୍ୟ ଆପଣାକୁ ସଂପୂର୍ଣ୍ଣ ନିଷ୍ପାପ ବୋଲି ଭାବି ଆପଣାଲାଗି ଏହି କର୍ଦ୍ଦମାକ୍ତ ସମୟଟା ପାଖରୁ ଯଥାସାଧ୍ୟ ଲାଭ ଉଠାଇବାରେ ଲାଗିଥାନ୍ତି । ସମସ୍ତେ ବାଉଳାହୋଇ ରାଜାକୁ ଅର୍ଥାତ୍‍ କ୍ଷମତାକୁ ପ୍ରାୟ ନଗ୍ନ କରି ରାସ୍ତାରେ ବାହାର କରନ୍ତି, ଶୋଭାଯାତ୍ରା କରି ବାହାରନ୍ତି । କାଳର ଜୟଜୟକାର ହୁଏ ଅନନ୍ତ କାଳଲାଗି କେବଳ ଏହି କାଳଟା ହିଁ ଅବଶ୍ୟ ରହିବ ବୋଲି ବାହାଦୂରୀ କରୁଥିବା ଯାବତୀୟ ନଗ୍ନତାର ଜୟଜୟକାର ହୁଏ । ବିବେକୀମାନେ କାଳକୁ ସମଝି ହଠାତ୍ ସ୍ତାବକ ହୋଇ ବାହାରନ୍ତି । ଅନ୍ଧାରଗୁଡ଼ାକୁ ଦୋରସ୍ତ କରି ରଖାଯାଏ । ଏହି ଅନ୍ଧାର ଭିତରେ ଆଖିକୁ ଆଦୌ କିଛି ଦିଶୁନାହିଁ ଅର୍ଥାତ୍‍ ଆଦୌ କିଛି ବାରି ହେଉନାହିଁ ବୋଲି ଧାର୍ମିକ ମତ୍ତଗଜମାନେ ନିର୍ମାଲ୍ୟ ପାଇ ପବିତ୍ର ହୋଇଯାଆନ୍ତି । ତା’ପରେ କେବଳ କର୍ତ୍ତବ୍ୟପାଳନ ବ୍ୟତୀତ ଆଉ କେଉଁଠି ହେଲେ କିଛି ହୁଏନାହିଁ -

 

ରାଷ୍ଟ୍ର ପାଖରେ ଆଇନ୍ ଥାଏ, ତାହାରି ବଳରେ ରାଷ୍ଟ୍ର ସାଧାରଣ ଅନେକ ମଣିଷଙ୍କୁ ଆଚାରର ସୀମା ଓ ଅଡ଼ା ଭିତରେ ରଖିବାର ପ୍ରୟାସ କରୁଥାଏ । କୌଣସି ବ୍ୟକ୍ତି ଅନାଚାର ଭିତରକୁ ପଶିବ ନାହିଁ ବୋଲି ରାଷ୍ଟ୍ର ପ୍ରାୟ ସର୍ବତ୍ର ଆପଣାର ଅଜସ୍ର ଆଇନ ଏବଂ ଆକଟର ନାନା କୋଦଣ୍ଡ ଧରି ଠିଆ ହୋଇ ରହିଥାଏ । ଅନେକେ ଭାବନ୍ତି ଯେ ଏହି ଆଇନଗୁଡ଼ାକ ନ ଥିଲେ ଲୋକ ଗୋଟାସୁଦ୍ଧା ଭ୍ରଷ୍ଟ ହୋଇ ଯାଉଥାନ୍ତା । ଗୋଟାସୁଦ୍ଧା ଅଚଳ ରହି ଯାଉଥାନ୍ତା । ଆଗ ମଣିଷର ଗୋଷ୍ଠୀଜୀବନ ଆସିଲା ଅଥବା ଆଗ ଆଇନଗୁଡ଼ାକ ତିଆରି ହେବା ପରେ ଯାଇ ମଣିଷ ଗୋଷ୍ଠୀ ଭିତରେ ରହି ଶିଖିଲା, ସେହି ବିଷୟରେ ଏବେ ମଧ୍ୟ ବିଚାର ବିଚାର ଭିତରେ ନୀତିଗତ ଏବଂ ଦୃଷ୍ଟିଗତ ହୁଏତ କେତେ ବିବାଦ ରହିଥିବ । ମଣିଷଗୁଡ଼ାକ କୁଆଡ଼େ ସ୍ୱଭାବତଃ ବୋଲ ମାନନ୍ତି ନାହିଁ-। ତେଣୁ ସେମାନଙ୍କୁ ବୋଲ ମନାଇବାକୁ ହୁଏ । ମଣିଷଗୁଡ଼ାକ କୁଆଡ଼େ ଧାତୁଗତ ଭାବରେ ହିଁ ଆଦୌ ଭଲ ନୁହନ୍ତି । ତେଣୁ ଖାଆ ଭୁଞ୍ଜ୍ ଗିଳ୍‌ ପ୍ରଭୃତି ନାନା କୁଟ ଏବଂ କଟୁତାର ପ୍ରୟୋଗ କରି ସେମାନଙ୍କୁ ତଥାପି ଭଲର ଚଉହଦୀ ଭିତରେ ଅଡ଼ା ଘେରାଇ ରଖିବାକୁ ହୁଏ । ରାଜନୀତି ଭିତରେ ଏହିପରି ବିଶ୍ୱାସ କରୁଥିବା ନିଷ୍ଠାପରମାନେ ଇତିହାସରେ କଠୋରତମ ଜାତୀୟତାବାଦୀ ହୋଇ ବାହାରିଛନ୍ତି, ମଣିଷକୁ ବୋଲ ମାନୁଥିବା ମେଣ୍ଢା କରି ରଖିବାରେ ହୁଏତ ଏହିମାନଙ୍କର ହିଁ ସବୁଠାରୁ ଅଧିକ ଅବଦାନ ରହିଛି । ଏମାନେ ରାଷ୍ଟ୍ରକୁ ଗୋଟାସୁଦ୍ଧା ଟେକିନେଇ ମାତାର ଅଥବା ପିତାର ଆସନରେ ବସାଇ ଦେଇଛନ୍ତି । ଜାତିକୁ ବା ଦେଶକୁ ବଡ଼ରୁ ଆହୁରି ବଡ଼ କରିବେ ବୋଲି ରାଷ୍ଟ୍ରକୁ ନାନାବିଧ ଆୟୁଧରେ ଦ୍ଵାଦଶ ବା ଦ୍ୱାବିଂଶଭୂଜ କରି ରଖିବାକୁ ମନ ବଳାଇଛନ୍ତି । ମଣିଷର ନାନା ବିଚିତ୍ର ସାମୂହିକ ଅଭିନୟଗୁଡ଼ାକ ଭିତରେ ରହିଥିବା ମୂଳସ୍ଥ ଅଭିପ୍ରାୟଗୁଡ଼ାକୁ ଖୋଜି ବାହାର କରିବାରେ ପ୍ରୟାସ କରି ମନୋବିଶ୍ଳେଷକ ସୀଗ୍‌ମୁଣ୍ଟ୍‌ ଫ୍ରୟଡ଼ ଏଥିରୁ ଆଉ ଗୋଟିଏ ଭାରି ଆଗ୍ରହୋଦ୍ଦୀପକ ଅର୍ଥ ବାହାର କରିଛନ୍ତି । ସିଏ କହନ୍ତି ଯେ ଅନାଚାରଗୁଡ଼ାକୁ ଦୂର କରିବାର ଅଭିପ୍ରାୟରେ କୌଣସି ରାଷ୍ଟ୍ର ଯେ ବ୍ୟକ୍ତିକୁ ଅନାଚାର କରିବାରୁ କ୍ଷାନ୍ତ ଏବଂ ନିବୃତ୍ତ କରି ରଖିଥାଏ, ସେକଥା ଆଦୌ ନୁହେଁ । ବ୍ୟକ୍ତିକୁ ଅନାଚାରରୁ କ୍ଷାନ୍ତ କରି ରଖିବାକୁ ଚେଷ୍ଟା କରୁଥିବାର ବାହାନାରେ ତ ରାଷ୍ଟ୍ର ରାଜ୍ୟ ଗୋଟାକର ଆଇନ ତିଆରି କରେ, ଶାସ୍ତି ଦିଏ, ଭୟ ଦେଖାଏ, ଶୂଳୀରେ ବସାଏ, ଫାଶ ପକାଇ ବାନ୍ଧି ନେଇଯାଏ, ମୁହଁକୁ ବନ୍ଦ କରି ରଖେ, ଘରଭିତରେ ନଜରବନ୍ଦି ହୋଇ ରହିବାକୁ ବାଧ୍ୟ କରେ ....ମତ ବ୍ୟକ୍ତ କରିବାର ସ୍ୱାଧୀନତାରେ ନାନାପ୍ରକାର ବାଡ଼ ଆଣି ବସାଇବାର ଫିକର କରେ । ପ୍ରଜାମାନଙ୍କୁ ବାଧ୍ୟ କରି ରଖେ, ମାର୍ଗସ୍ଥ କରି ରଖେ । ଷଣ୍ଢା ମୋଡ଼ିଦିଏ, ଦଣ୍ଡଧାରୀର ଭୂମିକାରେ ଅବତୀର୍ଣ୍ଣ ହୁଏ । ରାଷ୍ଟ୍ର କ’ଣ ପାଇଁ ଏ ସବୁ କରେ ? ଫ୍ରୟଡ଼ ନାନା ପ୍ରମାଣ ଦେଖାଇ ଓ ଅବଚେତନ ମଧ୍ୟରୁ ନାନା ମୂଳର ନିରୁପଣ କରି କହିଛନ୍ତି ଯେ ଅଧମ ମଣିଷମାନଙ୍କୁ ଆଚାର ମଧ୍ୟରେ ରଖିବା ଲାଗି କୌଣସି ରାଷ୍ଟ୍ର ପ୍ରାୟ ଏକଥା ମନ କରେନାହିଁ । ଅନାଚାରର ବିଲୁପ୍ତିସାଧନା-ଇଚ୍ଛାରେ କୌଣସି ରାଷ୍ଟ୍ର, ଏସବୁ ଆଡ଼କୁ ଆଦୌ ମନ ବଳାଏ ନାହିଁ । ଅନାଚାରଗୁଡ଼ାକୁ ଆପଣାର ଏକଚାଟିଆ କରି ରଖିବ ବୋଲି ରାଷ୍ଟ୍ର ଏ ସବୁକୁ ଆଗ୍ରହ ଦେଖାଏ । କେବଳ ରାଷ୍ଟ୍ର ହିଁ ବାଡ଼ ଡେଇଁ ପାରିବ, ଦୌରାତ୍ମ୍ୟ କରିପାରିବ, ଦୁରାଗ୍ରହୀ ଓ ଦୁରାଚାରୀ ହୋଇ ପାରିବ, ଯାବତୀୟ ପ୍ରକାରର ଗର୍ହିତତା କରିପାରିବ । ରାଷ୍ଟ୍ର ମଣିଷ ମାରି ପାରିବ, ତଣ୍ଟି କାଟିପାରିବ, ସର୍ବସ୍ୱ ଅପହରଣ କରି ପାରିବ, ଅଶ୍ଲୀଳ ଓ ଆଦିମ ହୋଇ ପାରିବ,–ଯେତେବେଳେ ଇଚ୍ଛା କରିବ କାନ ଧରି ନାକ ଘଷାଇ ପାରିବ, ଶିକ୍ଷା ଦେଇ ଅଶିକ୍ଷିତ କରାଇ ପାରିବ, ଅଭୟ ଦେଇ ଛେଳି କରି ରଖିପାରିବ । ରାଷ୍ଟ୍ର ସବୁ ପ୍ରକାରର ଆଇନ ଭାଙ୍ଗି ପାରିବ–ଯାବତୀୟ ପ୍ରକାରର ସ୍ଵେଚ୍ଛାଚାରକୁ ହସ୍ତମୁଦି ମାହାଲ କରି ରଖିପାରିବ । ଇତିହାସରେ ଯାବତୀୟ ରାଷ୍ଟ୍ର ନାନା ଆବରଣ ଓ ଆଚ୍ଛାଦନ ତଳେ ପ୍ରାୟ ତାହା ହିଁ କରି ଆସିଛନ୍ତି–ଅବ୍ୟାପାରଗୁଡ଼ାକରେ ଏକଚାଟିଆ ବ୍ୟାପାର କରିବାର ପରାକ୍ରମ ଦେଖାଇ ଆସିଛନ୍ତି ଏବଂ ସେଇଥିଲାଗି ଆଇନ୍ ତିଆରି କରିଛନ୍ତି, ଜରୁରୀ ଅବସ୍ଥା ଜାରୀ କରିଛନ୍ତି, ସକଳ ପ୍ରକାର ଉତ୍ପାତକୁ ରାଜକୀୟ ପ୍ରୟୋଜନ ରୂପେ ସ୍ୱୀକୃତ କରାଇ ନେଇଛନ୍ତି, ଆମ ସଂସାରର ଅକାଶଗୁଡ଼ାକୁ ନାନା ଅସମର୍ଥତା ଏବଂ ଅନ୍ୟାୟ ଦ୍ଵାରା ଗୋଟାସୁଦ୍ଧା ରଙ୍ଗା କରି ରଖିଛନ୍ତି । (The Standard Edition of the Complete Psychological Works of Sigmund Freud, Edited by James Strachey ! London, Hogarth Press, 1953-Vol. 14 ପୃଷ୍ଠା- 279) ।

 

ଅର୍ଥାତ୍, ଯଦି ତୁମେ ଯାବତୀୟ ଅନାଚାର କରି ଆଚାରୀ ହୋଇ ରହିବାକୁ ଇଚ୍ଛା କରୁଛ, ତେବେ ରାଷ୍ଟ୍ରଶକ୍ତିର ଅଧିକାରୀ ହୁଅ, ତେବେ ତୁମେ କ୍ଷମତାକୁ ଆସ, ସିଂହାସନରେ ବସ ପ୍ରଚାର ବିଭାଗକୁ ମଣିଭୂଷିତ କରି ରଖ, ଲୋକସମ୍ପର୍କର ରଜ୍ଜୁଗୁଡ଼ାକ ତୁମରି ବୁଦ୍ଧିରେ ବିଷ ଏବଂ ମିଛରେ ପାଗ ହୋଇ ରହୁ । ଆମ ଭିତରୁ ସମ୍ଭବତଃ ସେଇଥି ସକାଶେ ହିଁ ଥୋକେ ମଣିଷ ସ୍ଵୟଂ କିଛି ହୋଇପାରିବା ଆଗରୁ ପ୍ରଥମେ କ୍ଷମତାଲାଗି ଧାଆଁନ୍ତି, କୌଣସି ପ୍ରକାରର ପ୍ରଭାବ ଅଥବା ପ୍ରସବର ଯୋଗ୍ୟ ହେବା ପୂର୍ବରୁ ହିଁ ସେମାନେ କ୍ଷମତାର ମାଂସପିଣ୍ଡୁଳାଟାକୁ ଗୋଟାସୁଦ୍ଧା ଗିଳି ଏକାବେଳେକେ ଶତସନ୍ତାନ ପ୍ରସବ କରିଥିବାର ଖ୍ୟାତି ଅର୍ଜନ କରିବାକୁ ଇଚ୍ଛା କରୁଥାନ୍ତି । ସେମାନେ ପ୍ରକୃତରେ ରାକ୍ଷସ-ପ୍ରସବିନୀ ହୁଅନ୍ତି । କ୍ଷମତାକୁ ଗିଳିଥିବା ସମସ୍ତେ ଇତିହାସରେ କେବଳ ରାକ୍ଷସ ହିଁ ପ୍ରସବ କରିଛନ୍ତି । ରାକ୍ଷସଧର୍ମ ଓ ରାଷ୍ଟ୍ରଧର୍ମକୁ ଏକାଠି ଗୋଟାଏ ଖଲରେ ଖାଲି ସେମାନେ ରାଜଧର୍ମର ଯାବତୀୟ ଅନାଚାର କରି ଆସିଛନ୍ତି, ଏବେ ବି କରୁଛନ୍ତି । କ୍ଷମତା ନ ହେଲେ ରାଜନୀତି ସମ୍ଭବ ନୁହେଁ, କ୍ଷମତା ନ ହେଲେ ଆଦୌ କୌଣସି ପ୍ରକାରର ସଂଗଠନ ବି ସମ୍ଭବ ନୁହେଁ, କୌଣସି ପ୍ରକାରର ନିର୍ମାଣ ସମ୍ଭବ ନୁହେଁ, ସଂବର୍ଦ୍ଧନ ବି ସମ୍ଭବ ନୁହେଁ ବୋଲି ଆମ ସାମ୍ପ୍ରତିକ ରାଜନୀତିକ ପୃଥିବୀରେ ଆମେ ଯେଉଁ ଉଚ୍ଚାଟବାକ୍ୟମାନ ଏବେ ଶୁଣିବାକୁ ପାଉଛ, ଏଗୁଡ଼ାକ ପଛରେ ସବୁ ଅନାଚାର ଏବଂ ଅତିଆଚାରଗୁଡ଼ାକୁ ଏକଚାଟିଆ କରିନେବାର ଏକ ଅତ୍ୟାଗ୍ରହ ପ୍ରକୃତରେ କେଉଁଠି ପ୍ରଚ୍ଛନ୍ନ ହୋଇ ରହିଛି କି ?

 

କ୍ଷମତା କହିଲେ କାଳେ କାଳେ ଗୋଟାଏ ସିଡ଼ିକୁ ବୁଝାଏ, ଗୋଟାଏ ଲମ୍ବା ସିଡ଼ିକୁ ବୁଝାଏ । ଏହି ସିଡ଼ିରେ ଯେଉଁମାନେ ସବା ଉପରେ ବସିଥାନ୍ତି, ସେମାନେ ତଳେ ରହିଥିବା ସାନ ସାନ ସବୁଯାକ କ୍ଷମତାଧାରୀଙ୍କ ବଳରେ ହିଁ ସେଠାରେ ଯାଇ ବସିଥାନ୍ତି । ସେମାନଙ୍କ ଲାଗି କେବେହେଲେ କୌଣସି ଆଇନ୍ ହୋଇ ପାରିବନାହିଁ ବୋଲି ସେମାନେ ଅନୁଗତ ନିମ୍ନାସୀନମାନଙ୍କ ଦ୍ଵାରା ମୂଳରୁ ଆଇନ୍ କରାଇ ନେଇଥାନ୍ତି ଓ ନିମ୍ନାସୀନମାନଙ୍କୁ ସେହି ଆନୁଗତ୍ୟର ପ୍ରତିବଦଳରେ ଆପଣା ଆପଣାର ସ୍ତର ଓ ମଣ୍ଡଳ ଭିତରେ ତୁଚ୍ଛା ସ୍ୱେଚ୍ଛାଚାରୀ ଅଥବା ବାମାଚାରୀ ହେବାର ଅବାଧ ସ୍ୱାଧୀନତା ଦେଇ ରଖିଥାନ୍ତି । ତାହାରି ଭିତରେ ପଶି ଆମେ ସମସ୍ତେ ଅତ୍ୟାଚାର କରୁ ଓ ଅତ୍ୟାଚାରିତ ହେଉ, ଇଜ୍ଜତ୍ ନେଉ ଓ ଇଜତ୍ ହରାଉ । ତୋଷାମଦକାରୀ ସାଜୁ ଏବଂ ଅଧସ୍ତନମାନଙ୍କ ଠାରୁ ତୁଛା ତୋଷାମଦର ଆକାଂକ୍ଷା କରି ତାହାରିଦ୍ୱାରା ହିଁ ବଡ଼ ବଡ଼ ଅହଙ୍କାରୀ ବନି ରହିଥାଉ । ବାହାରେ ଯେତିକି ପ୍ରବଳତା ଦେଖାଉଥାଉ । ଭିତରେ ସେତିକି ନିଷ୍ଫଳ ଓ କ୍ଷୁଦ୍ର ହୋଇ ବସିଥାଉ । ଆପଣାର ଗାଡ଼ଗୁଡ଼ାକୁ ହିଁ ନିରାପଦ ଜୀବନ ଓ ନିରାପଦ ବଣିଜ ବୋଲି ମାନି ନେଇଥାଉ । ଆମେ ଯେତେବେଳେ ରାଜନୀତି କରୁ, ସେତେବେଳେ ଗୋଟାଏ ଦେଶ ଅଥବା ସମୂହର ଭାଗ୍ୟ କହିଲେ କେବଳ ଆମରି ଭାଗ୍ୟ ଓ ତାହାରିଲାଗି ପ୍ରେରିତ ଯାବତୀୟ ଆସ୍ଫାଳନକୁ ହିଁ ବୁଝାଉଥାଏ । ଆମେ ଯେତେବେଳେ ସରକାର ଭିତରେ ଯାଇ ପଶୁ, ଆମେ ସେଠାରେ ଯୋଉ ଡାଳରେ ଯାଇ ବସିଥାଉ ଅଥବା ଯେଉଁ ଖୋପରେ ଯାଇ ପଶିଥାଉ ପଛକେ, ସରକାର କହିଲେ ଆମେ ଗୋଟାସୁଦ୍ଧା ଆପଣାର କାରବାରଗୁଡ଼ାକୁ ହିଁ ବୁଝୁଥାଉ । ସେହି କାରବାର ଆମଦ୍ୱାରା ଆମରି ଲାଗି ଚାଲିଥାଏ, ଅତ୍ୟନ୍ତ ବର୍ବର ଭାବରେ ଭାଙ୍ଗେ, ପଥ ଓଗାଳି ରଖେ, ଅତ୍ୟନ୍ତ ବର୍ବର ଭାବରେ କାଳକ୍ଷେପଣ କରୁଥାଏ ସତ; ମାତ୍ର ନିଜର ତ୍ରିକାଳଟିକୁ ଭାରି ନିପୁଣଭାବରେ ଜଗିକରି ରହିଥାଏ । ଏହି ଗଡ଼ିଆଟା ଯେପରି ସବୁଦିନେ ଏହିପରି ହୋଇ ରହିଥିବ, ଏହି ଜଙ୍ଗଲ ଭିତରକୁ ଯେପରି କସ୍ମିନ୍‌କାଳେ ପାଣ୍ଡବମାନଙ୍କର ପାଦ ପଡ଼ିନାହିଁ, ଏହିପରି ଏକ ଅନମନୀୟ ବିଶ୍ଵାସରେ ଆମେ ସରକାରର ବିପଣି ହିସାବରେ ନିଜର ବିପଣିଗୁଡ଼ିକୁ ହିଁ ଚଳାଇବାରେ ଲାଗିଥାଉ । ଜରୁରୀ ଏବଂ ଅଗରୁରୀ ଉଭୟ ଅବସ୍ଥାରେ ହିଁ ସତେ ଅବା ଜରାକ୍ରାନ୍ତ ହୋଇ ପଡ଼ିଥାଉ, ଶଗଡ଼ ମାଡ଼ିଗଲେ ମଧ୍ୟ ଆମର ଉଦାସୀନ ଅଥବା ଅତିନିଷ୍ଠ ଅହଂକାମିତାଗୁଡ଼ାକୁ ତାହା ତଥାପି ହଲଚଲ କରିପାରେ ନାହିଁ । ଆମର କ୍ଷମତା ଘରେ ତାହା ଯାବତୀୟ ଭବିଷ୍ୟତକୁ କଣ୍ଠରୁଦ୍ଧ କରି ରଖିଥାଏ ।

 

ଗତ ଦୀର୍ଘ ତିରିଶି ବର୍ଷ ହେଲା ଆମେ ସମସ୍ତେ ଏହିପରି ଗୋଟିଏ ଅବସ୍ଥା ଲାଗି କ୍ଷେତ୍ର ପ୍ରସ୍ତୁତ କରି ଆସୁଥିଲୁ । ଆମେ ସମସ୍ତେ ଏଥିରେ ସହଯୋଗ କରି ଆସିଥିଲୁ । ଆଉ ନାୟକତ୍ୱ ଏବଂ ମହାନାୟକତ୍ୱରେ ଆକାଂକ୍ଷାର ପଦ୍ମଗୁଡ଼ାକ କେବଳ ଘୁଞ୍ଚି ଘୁଞ୍ଚି ଯାଉଥିଲା ଏବଂ ଆମେ ଏହି ବିରାଟ ପମ୍ଫାସରଟା ଭିତରେ ବେକରେ ମୋତିମାଳା ପକାଇଥିବା ଉପକଥାର ସେହି ରାକ୍ଷାସଟା ପରି ଆତଯାତ ହେବାରେ ଲାଗିଥିଲୁ । ଏହି ଦେଶ କହିଲେ ଶତକଡ଼ା ଦୁଇ ବା ଅଢ଼େଇ ଜଣକୁ ବୁଝୁଥିଲୁ । ଶାସନ କହିଲେ ଲୋକଜୀବନର ସଂସ୍ଥାନ ଓ ସୁନିୟମନକୁ ନ ବୁଝି ଦିଲ୍ଲୀ ଓ ଭୁବନେଶ୍ୱରର ବଡ଼ ବଡ଼ କୋଠାଘରେ ଅତ୍ୟନ୍ତ ନିର୍ମମ ହୋଇ ଘାଲେଇ ପଡ଼ିଥିବା ଫାଇଲ୍‌ ଓ ଫାଇଲ୍‌ ପତିମାନଙ୍କୁ ବୁଝୁଥିଲୁ । ବଡ଼ମାନଙ୍କୁ ଧରାଧରି କରି ଆପଣାର ତାତ୍କାଳିକ କାର୍ଯ୍ୟଗୁଡ଼ିକୁ ଫତେ କରି ନେଉଥିଲୁ । ଏହିପରି ଅହର୍ନିଶ ଧରା ହେବାକୁ ହିଁ ବଡ଼ମାନେ ଆପଣାର ସର୍ବପ୍ରଧାନ ଉପଲକ୍ଷେ ବୋଲି ମାନି ନେଇଥିଲେ । ଆମ ସ୍କୁଲ ଓ କଲେଜମାନଙ୍କରେ ଆମ ପିଲାଏ ପ୍ରଧାନତଃ ସେଇଥିଲାଗି ହିଁ ମଣ ହୋଇ ଆସୁଥିଲେ । ଭିତରେ ଗୋଟାସୁଦ୍ଧା ଫମ୍ପା ରହି ଉପରେ କିପରି ଡଉଲ ଦିଶିବାକୁ ହୁଏ, ଚଉକୀ ଉପରେ ଯାଇ ବସିଗଲେ କିପରି ଜୀବନରେ ଆଦୌ କିଛି ହୋଇ ନ ଫଳି ଥିବାର ଦୁର୍ଗତି ଓ ଲଜ୍ଜାଗୁଡ଼ାକର ଅପନୋଦନ ହୋଇଯାଏ, ଏହି ବିଦ୍ୟାରେ ଆମେ ସମସ୍ତେ ତାଲିମ ହେଉଥିଲୁ, ତାଲିମ କରାଉଥିଲୁ । ଆମର କାମ ଚଳିବା ଲାଗି ଆମେ ସଂପୂର୍ଣ୍ଣ ଆଉ ଗୋଟାଏ ଭାଷା ଓ ଆଉ ଗୋଟାଏ ବୋଲିରେ କଥାବାର୍ତ୍ତା ଚଳାଇ ଆସିଥିଲୁ ଓ ରାଜକାର୍ଯ୍ୟ ଅର୍ଥାତ୍ ଆପଣାର ହିଁ କାର୍ଯ୍ୟଗୁଡ଼ାକୁ ନିର୍ବାହ କରି ଆସୁଥିଲୁ । ଆମେ ଉତ୍ପୀଡ଼ନ ସହୁଥିଲୁ ଉତ୍ପୀଡ଼ନ କରୁଥିଲୁ, ତେଷାମଦ କରୁଥିଲୁ । ତୋଷାମଦରେ ପ୍ରୀତ ବି ହେଉଥିଲୁ । ଡରୁଥିଲୁ, ଡରାଇ କରି ରଖିଥିଲୁ । କ୍ଷମତା ଭିତରେ ଆତ୍ମପରିଚୟ ଲୋଡ଼ୁଥିଲୁ, ଆସନ ମଧ୍ୟରେ ଆତ୍ମପ୍ରତ୍ୟୟ ବି ଲୋଡ଼ୁଥିଲୁ; ଆମରି ଭିତରୁ ଯିଏ ସବୁଠାରୁ ବଡ଼ ହେଲା, ଦୈବକ୍ରମେ ଅଥବା ଦୈବକୁ ଭୁତାଇ ଯିଏ ସବୁଯାକ କ୍ଷମତାକୁ ଆତ୍ମସାତ୍ କରିପାରିଲା, ସେଇ ଆମ ସମସ୍ତଙ୍କ ଉପରେ ଯେପରି ଇନ୍ଦ୍ର ହୋଇ ବସିପାରିବ, ସେହି ବାଟଟିକୁ ହିଁ ଆମେ ସମସ୍ତେ ପ୍ରସ୍ତୁତ କରି ଆଣୁଥିଲୁ । ଅର୍ଥାତ୍, ଯାହା ଆସିଲା, ତାହା ଆମ ସମସ୍ତଙ୍କର ଅବଚେତନର ଇଚ୍ଛାଟାକୁ ପୂରଣ କରି ହିଁ ଆସିଲା । ଆମ ସମସ୍ତଙ୍କର ସାଦର-ପରିଚାଳିତ ଅସମର୍ଥତାଗୁଡ଼ାକୁ ଏକ ଦୁରାତ୍ମ ଅତିରୂପ ଦେଇ ଆମ ପାଖରେ ଆସି ହାବୁଡ଼ିଗଲା । ଆମେ ସମସ୍ତେ ଯେ ଏଡ଼େ ସହଜରେ ପ୍ରାୟ ଏକାଦିନକେ ଗୋଟିଏ ଗୋଟିଏ ଚମତ୍କାର ଭୃତ୍ୟରେ ପରିଣତ ହୋଇଯାଇ ପାରିଲୁ, ତାହାର ଅନ୍ତ ଓ ନାଡ଼ୀଗୁଡ଼ାକର ଯାବତୀୟ ବହିଃବ୍ୟାଖ୍ୟା ଭିତରେ ଆମକୁ ଏହି ନିଷ୍ଠୁର ସତ୍ୟବାକ୍ୟଟିକୁ ସନ୍ଧାନ କରିଯିବାକୁ ପଡ଼ିବ ।

 

ତେଣୁ, ଯାହା ଅବଶ୍ୟମ୍ଭାବୀ ଥିଲା, ତାହାହିଁ ଆସିଲା । ଗୋଟାଏ ଅର୍ଥରେ କହିଲେ, ଯାହା ସ୍ୱାଭାବିକ ଥିଲା, ତାହାହିଁ ଘଟିଲା । ଆମ ସମସ୍ତଙ୍କ ଉପରୁ ଆଭରଣଗୁଡ଼ାକ ଖସିପଡ଼ିଲା । ଆମର ଯାବତୀୟ କଥା ଓ କୋଥଳି ଉପରୁ ଢାଙ୍କୁଣି ଖୋଲିଗଲା । ଏହି ଦାରୁଣ ଶୀତାର୍ତ୍ତ ଦିନଗୁଡ଼ାକ ଭିତରେ ଆମେ ସଂସ୍କୃତି କଲୁ, ସମ୍ମିଳନୀ କଲୁ, ଗୋଟାଏ ଗୋଟାଏ ହାତୀ ହୋଇ ବଡ଼ମାନଙ୍କୁ ସଭାମଣ୍ଡପ ଯାଏ ପିଠିରେ ବସାଇ ନେଇଗଲୁ । ତଥାପି ସବୁରି ପଛରେ ଆମ ଯାବତୀୟ ନସରପସରର ମୁଖାଗୁଡ଼ାକ ସତେ ଅବା ବିଧି ଅଭିପ୍ରେତ ଭାବରେ ଗୋଟି ଗୋଟି ହୋଇ ଖୋଲିଗଲା । ଆମେ କିଏ, ସେ କଥା ଆମେ ନିଜେ ଜାଣି ନ ପାରିଲେ ମଧ୍ୟ, ଦଶଦିଗ ଜାଣିଲା, ଦେଶବାସୀ ଜାଣିଲେ । ଆମର ସବୁଯାକ ଆସନ ଓ ସବୁଯାକ ପଦବୀ ସତ୍ତ୍ୱେ ଆମେ ଧରାପଡ଼ିଗଲୁ । ଆମେ ଯେ ଏସବୁର ପଛରେ ରହିଛୁ, ଏକ ମିଛ ଭାବପ୍ରବଣତା ସହିତ ଆମେ ଯେ ଭାରି ସୂତରରେ ନିଜକୁ ଏ ସବୁ ସହିତ ଗୁନ୍ଥି କରି ରଖିଛୁ ସେହି କଥା ପବନମାନେ ଜାଣିଲେ, ଯୁଗପୁରୁଷ ମଧ୍ୟ ଜାଣିଲେ । ଗତ ତିରିଶି ବର୍ଷହେଲା ଯେଉଁମାନେ ଏ ଦେଶର ଗୋଡ଼ରେ ପଥର ବାନ୍ଧି ରଖିଛନ୍ତି, ଏହି ଜରୁରୀ ଅବସ୍ଥା ସମୟରେ ସେଇମାନେ ଧରା ପଡ଼ିଗଲେ । ସେମାନଙ୍କର ଗୁରୁମାନେ ଧରାପଡ଼ିଗଲେ । ଗୁରୁମନ୍ତ୍ରଗୁଡ଼ାକ ବି ଧରାପଡ଼ିଗଲା । ଆହୁରି ନିର୍ଭୁଲ କରି କହିଲେ, ସେମାନଙ୍କର ଯେ କୌଣସି କାଳରେ ମଧ୍ୟ କୌଣସି ଗୁରୁ ନଥିଲେ ସେମାନେ ଯେ ହାତରେ ମାଳେ ତାବିଜ ବାନ୍ଧି ରଖିଥିଲେ, ସେଇଟା ଧରାପଡ଼ିଗଲା । ଅବିଚାରଗୁଡ଼ାକ ଧରା ପଡ଼ିଗଲା । ଗୋଟାଏ ପର୍ଯ୍ୟାୟ ନିଷ୍ଫଳ ବୋଲି ଘୋଷିତ ହେଲା । ଗୋଟାଏ ପୁରୁଷ ଧରା ପଡ଼ିଗଲା ।

 

। ତିନି ।

 

୧୯୧୯ ମସିହା ଏପ୍ରିଲ ମାସରେ ଜାଲିଆନାଓ୍ୱାଲାବାଗର ହତ୍ୟାକାଣ୍ଡ ପୂର୍ବରୁ ହିଁ ଇଂରେଜ ସରକାର ଭାରତବର୍ଷର ମୁହଁ ବନ୍ଦ କରିଦେଇଥିଲେ । ଜାଲିଆନାଓ୍ୱାଲାବାଗ୍‌ର ହତ୍ୟାକାଣ୍ଡ ପରେ ମଧ୍ୟ ଭାରତବର୍ଷକୁ ପ୍ରାୟ ଶୁନଶାନ କରି ଦିଆଗଲା । ଅର୍ଥାତ୍, ସେତେବେଳେ ଯାହାସବୁ ଘଟୁଥିଲା, ତାହା ଉପରେ ଆପଣାର ଭୟମୁକ୍ତ ମତ ବ୍ୟକ୍ତ କରିବା ଲାଗି ବାହାରେ ପ୍ରାୟ କେହି ହେଲେ ନ ଥିଲେ । ଏଗୁଡ଼ାକ ସବୁକିଛି ତତ୍କାଳୀନ ଆଇନ୍‌ବଳରେ କରାଯାଇଥିଲା । ଅତ୍ୟନ୍ତ ଆଇନ୍‌ପ୍ରିୟ ଏକ ପ୍ରାଣୀଜାତି ସାମ୍ରାଜ୍ୟସ୍ତରୀୟ ପ୍ରତିନିଧି ଓ କ୍ଷମତାଧାରୀ ହିସାବରେ ସେତେବେଳେ ଭାରତବର୍ଷରେ ଆଇନ ଅନୁସାରେ ହିଁ ଶାନ୍ତିରକ୍ଷା କରୁଥିଲେ ଓ ଗୁଳିଦ୍ୱାରା ମଣିଷ ହତ୍ୟା କରିଥିବା ବୀରମାନଙ୍କୁ ବାହାଦୁରୀ ଦେବାରେ ଲାଗିଥିଲେ । ସେହି ବର୍ଷ ମଇ ମାସ ୩୦ ତାରିଖରେ ଭାରତବର୍ଷର କବି ରବୀନ୍ଦ୍ରନାଥ ତତ୍କାଳୀନ ବଡ଼ଲାଟ ଚେମ୍‌ସ୍‌ଫୋର୍ଡ଼ଙ୍କୁ ଖଣ୍ଡିଏ ଚିଠି ଲେଖି ବ୍ରିଟିଶ୍ କର୍ତ୍ତାମାନଙ୍କ ଦ୍ୱାରା ପ୍ରଦତ୍ତ ତାଙ୍କର ନାଇଟ୍ ଉପାଧିଟିକୁ ଫେରାଇ ଦେଇଥିଲେ । ଦେଶରେ ସମସ୍ତଙ୍କର ମୁହଁକୁ ବନ୍ଦ କରି ଦିଆ ଯାଇଥିବା ବେଳେ କବି ହିଁ ସମଗ୍ର ଦେଶର ପ୍ରତିନିଧି ହୋଇ ସର୍ବପ୍ରଥମେ ମୁହଁ ଖୋଲିଥିଲେ ଓ ତାହାକୁ ହିଁ ଆପଣାର ପରମ କର୍ତ୍ତବ୍ୟ ବୋଲି ମନେ କରିଥିଲେ । ଭୟ ଓ ତ୍ରାସଦ୍ୱାରା ମୂକ ପାଲଟି ଯାଇଥିବା ମୋର କୋଟି କୋଟି ଦେଶବାସୀଙ୍କର ପ୍ରତିନିଧି ହୋଇ ସେହିମାନଙ୍କର ପ୍ରତିବାଦକୁ ପ୍ରକାଶ କରିବାକୁ ହିଁ ମୁଁ ଦେଶପ୍ରତି ମୋର ସର୍ବୋତ୍ତମ କର୍ତ୍ତବ୍ୟ ବୋଲି ମନେ କରୁଛି–ଆପଣାର ପ୍ରତ୍ୟାଖ୍ୟାନ-ପତ୍ରରେ ରବୀନ୍ଦ୍ରନାଥ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ । ସେ ନୀରବତା ଭଙ୍ଗ କରିଥିଲେ, ଶାସକମାନଙ୍କର ଶାନ୍ତିଭଙ୍ଗ କରାଇଥିଲେ-। ଇତିହାସର ମୁହଁକୁ ଅଟକାଇ ରଖିବା ଲାଗି ଦୁଷ୍ଟ ବଳର ଯାବତୀୟ ଜିଦ୍ ସତ୍ତ୍ୱେ ସିଏ ଇତିହାସରେ ସମସ୍ତଙ୍କର ସ୍ୱାକ୍ଷରଟିକୁ ଲେଖି ରଖିଥିଲେ ।

 

ସମସ୍ତଙ୍କର ମୁହଁ ବନ୍ଦ ହୋଇ ରହିଥିଲାବେଳେ କବି ତଥାପି ମୁହଁ ବନ୍ଦ କଲେ ନାହିଁ । ସମସ୍ତେ ତୋଷାମଦକାରୀର ଭୂମିକାରେ ଅବତୀର୍ଣ୍ଣ ହୋଇ ପାରିତୋଷିକ ଲାଭ କଲାବେଳେ କବି ଓ ସାହିତ୍ୟିକ ତୋଷାମଦକୁ ତୋଷାମଦ ବୋଲି କହେ, ଉର୍ଣ୍ଣନାଭମାନେ ଯେତେ ସୁସଜ୍ଜିତ ଓ ସୁଗହଣ ହୋଇ ବସିଥିଲେ ମଧ୍ୟ ସେମାନଙ୍କୁ ସେ ଉର୍ଣ୍ଣନାଭ ବୋଲି କହେ । କୌଣସି ପ୍ରକାର ଶୋଭାଯାତ୍ରାରେ ନ ବାହାରି ମଧ୍ୟ ସେ ଏକଥା କହିପାରେ, କୌଣସି ପ୍ରକାର ପତାକା ଅଥବା ବୋଲି ପାଖରେ ଆପଣାକୁ ବିକି ନ ଦେଇ ମଧ୍ୟ ତଥାପି ସେ ଆପଣାର ରୀତିରେ ଅତ୍ୟନ୍ତ ସ୍ପଷ୍ଟଭାବରେ ତାହା କହିପାରେ । ମୁଁ ତୁମମାନଙ୍କ ସହିତ ନାହିଁ ବୋଲି ବେତ୍ରାଧାରୀମାନଙ୍କୁ ବେଶ୍ ଜଣାଇ ଦେଇପାରେ । ଅନେକ କହନ୍ତି, କବିର ଅସଲ ପରୀକ୍ଷା କୁଆଡ଼େ ସେତିକିବେଳେ ହୁଏ । ମେରୁଦଣ୍ଡଗୁଡ଼ାକର ପରୀକ୍ଷା ହୁଏ; ମେରୁଦଣ୍ଡ ଆଦୌ ଅଛି କି ନାହିଁ ସେହି ଅସଲ ସଂଜ୍ଞା ଅର୍ଥାତ୍ ଅସଲ ସତ୍ୟଟିର ପରୀକ୍ଷା ହୁଏ । କବି ଭାବରେ ବଞ୍ଚିଛି ଅଥବା ଭାବପ୍ରବଣତାରେ ବଞ୍ଚିଛି, ସତ୍ୟ ଲାଗି ବଞ୍ଚିଛି ଅଥବା ସଉକରେ ବଞ୍ଚିଛି, ସିଏ ଆମ ସମସ୍ତଙ୍କର ମଣ୍ଡଳ ଭିତରେ ଆମ ସମସ୍ତଙ୍କର ଆଖି ହୋଇ ରହିଛି, ନା ଅନ୍ଧାରର ସୁଯୋଗଟିଏ ପାଇ ଏହି ଅବକାଶଟି ଭିତରେ ସତେଅବା ଆଉ କ’ଣ ଗୋଟାଏ ହୋଇଯିବ ବୋଲି ମନ କରୁଛି, ସେତେବେଳେ ତାହାରି ପରୀକ୍ଷା ହୋଇଯାଏ । ଯିଏ ସେଥିରେ ଫେଲ୍‍ ହୋଇଯାଏ, ସିଏ ହୁଏତ ସବୁଥିରେ ଫେଲ୍‍ ହୋଇଯାଏ, ତା’ର ସମଗ୍ର ଆଭରଣ ଓ ଫୁଲାସଜ୍ଜା ସତ୍ତ୍ୱେ ସିଏ ଅସଲ ସଭାଗୁଡ଼ାକରେ ପ୍ରକୃତରେ ଭାରି ଅଜାତିଆ ଓ ଲଙ୍ଗଳା ହୋଇ ଦେଖା ଯାଉଥାଏ । ତା’ର ଅସଲ ଇଜ୍ଜତଗୁଡ଼ାକ ସେତିକିବେଳେ ଯାଏ; ଅସଲ ମୁହଁଟି ଧରା ପଡ଼ିଯାଏ । କବିତାର ମୁହଁଗୁଡ଼ାକ ପଛରେ ସିଏ ଆଜିଯାଏ ଆପଣାର ଯେଉଁ ସତ ମୁହଁଟିକୁ ଲୁଚାଇ ଲୁଚାଇ ଆସିଥିଲା, ସେଇଟିର ପରୀକ୍ଷା ହୋଇଯାଏ ।

 

ଗତ କେତେବର୍ଷ ଭିତରେ ଆମର ଏଠି ସାହିତ୍ୟ କେତେ କ’ଣ ପର ଓ ଡେଣା ଲଗେଇ ବଢ଼ିଛି । ସ୍ୱାଧୀନତା ପୂର୍ବରୁ ସାହିତ୍ୟିକମାନେ ଯେତେ ଆଦର ପାଉଥିଲେ, ଏବେ ତା’ଠାରୁ ଅନେକ ଗୁଣ ଅଧିକ ଆଦର ପାଉଛନ୍ତି; ତିରିଶିବର୍ଷ ତଳେ ସେମାନେ ଆନୁଷ୍ଠାନିକ ଭାବରେ ଯେତେ ସ୍ୱୀକୃତି ପାଉଥିଲେ, ବର୍ତ୍ତମାନ ତା’ଠାରୁ ଅନେକ ଗୁଣ ଅଧିକ ସ୍ୱୀକୃତି ପାଉଛନ୍ତି । ବହିଗୁଡ଼ାକର ସଂଖ୍ୟା ବଢ଼ିଛି, ସାହିତ୍ୟର ବିଭାଗଗୁଡ଼ିକ ଅଧଃ ଓ ଉର୍ଦ୍ଧ୍ୱ ଦୁଇଆଡ଼କୁ ବିସ୍ତାରିତ ହୋଇ ଯାଇଛି । ସାହିତ୍ୟରେ ଅଧ୍ୟାପନା ବଢ଼ିଛି, ଆଲୋଚନା ମଧ୍ୟ ବଢ଼ିଛି । ଗୋଟାକ ଜାଗାରେ ଏବେ ଚାରିଗୁଣ ବିଭିନ୍ନ ସମାଜ ମଧ୍ୟ ଗଢ଼ାହୋଇ ପାରିଲାଣି ଏବଂ ସେହି ସମାଜଗୁଡ଼ାକର ଶାଖା ପ୍ରଶାଖା ଧରି ଆମେ ଅନେକ ନକ୍ଷତ୍ର ତାହାରି ମଧ୍ୟରେ ଶୋଭା ବି ପାଇ ଆସୁଛୁ । ଆମ ସାହିତ୍ୟ ପୁରସ୍କୃତ ହେଲାଣି–ଆମର ବାନାଗୁଡ଼ାକ ଆମ ଘରର ମହୁଡ଼ ସେପାଖକୁ ଦେଖା ଗଲାଣି । ପୁରୁଣା ସାହିତ୍ୟିକମାନେ ବୁଢ଼ା ହେବା ସଙ୍ଗେ ସଙ୍ଗେ ନୂଆ ସାହିତ୍ୟିକମାନେ ବି ବୁଢ଼ା ହେଲାଯାଏ ଅବଶ୍ୟ ସାହିତ୍ୟ ଲେଖିବେ ବୋଲି ପଣ କରି ବାହାରୁଛନ୍ତି । ତେଣୁ କୋଉଠି ଆଉ କିଛି ଊଣା ହେବାପରି ମୋଟେ ବୋଧ ହେଉନାହିଁ । ଆମ ସାହିତ୍ୟ ପଡ଼େଶୀ ଯେକୌଣସି ସାହିତ୍ୟର ସମକକ୍ଷ ହୋଇପାରିବ ବୋଲି ଏଠି ଆମ ଘରର ତଥ୍ୟାଭିଜ୍ଞ ମଲ୍ଲମାନେ କହି ସାରିଲେଣି । ଏଗୁଡ଼ାକ ଆଶାର କଥା, ଭାରି ଗୌରବର କଥା । ମାତ୍ର ଆମର ସାହିତ୍ୟ ଯେତିକି ବୃଦ୍ଧି ପାଇଲା, ଆମର ଭିତରଟା ତେଣେ ପ୍ରକୃତରେ ସେହିପରି ଭାବରେ ତିଆରି ହୋଇ ପାରିଲା କି ? ଆମର ଅନୁରକ୍ତିଗୁଡ଼ାକ ଆମ ନିଜ ଆଗରେ ମଧ୍ୟ ଆଗ ଅପେକ୍ଷା ଟିକିଏ ଅଧିକ ସାଫ୍ ହୋଇ ପାରିଲା କି-? କିଏ ଆମକୁ ଏଗୁଡ଼ାକର ଜବାବ ଆଣି ଦେଇ ପାରିବ ? ଯେତେବେଳେ ଆମ ପରୀକ୍ଷାର ସମୟ ଆସି ପହଞ୍ଚିଲା, ସେତେବେଳେ ଆମେ ସାହିତ୍ୟକୁ ସାହିତ୍ୟିକ ବିଶ୍ୱାସକୁ ଅଥବା ଆଉ କାହାକୁ ଭର୍ତ୍ତା କରି ଆଦରି ରହିଥିଲୁ, ହୁଏତ ତାହାରି ଏକ ସମୀକ୍ଷା ଆମକୁ ଆବଶ୍ୟକ ଜବାବଟିକୁ ଆଣି ଯୋଗାଇଦେବ । ଆମ ନିଜ ଭିତରେ ଯଦି ଆଦୌ କୌଣସି ମେରୁଦଣ୍ଡ ଥାଏ, ତେବେ ତାହାହିଁ ଆପଣାର ଅଙ୍ଗେ ନିଭାଇଥିବା କଥାଗୁଡ଼ାକୁ କହି ତାହାର ଜବାବ ଦେଇ ପାରିବ ।

 

ଅସଲ ପରୀକ୍ଷାବେଳେ ଆମେ ସମସ୍ତେ କେଉଁଠାରେ କ’ଣ କରୁଥିଲୁ ? ଅନ୍ୟ ସବୁବର୍ଷ ପରି ଆମେ ଜୟନ୍ତୀମାନ ପାଳନ କରୁଥିଲୁ, ଚମ୍ପୁ ଗାଉଥିଲୁ, ଛାନ୍ଦ ଗାଉଥିଲୁ, ବୋଇତବନ୍ଦାଣ କରୁଥିଲୁ-ନୃତ୍ୟ, ଗୀତ ଏବଂ ଲାସ୍ୟରେ ଆମର ସାହିତ୍ୟାବାସରଗୁଡ଼ାକୁ ମଧୁର କରିବାକୁ ଚେଷ୍ଟା କରୁଥିଲୁ । କେବଳ ସେତିକି ନୁହେଁ, ଆମେ ଜରୁରୀକାଳୀନ ଅବସ୍ଥାରେ ସାହିତ୍ୟକର କର୍ତ୍ତବ୍ୟ ନିର୍ଣ୍ଣୟ କରିବାଲାଗି ବକ୍ତୃତାମୁଖର କେତେକେତେ ସଭାର ଆୟୋଜନ କରୁଥିଲୁ । ଏହି ଜରୁରୀକାଳୀନ ଅବସ୍ଥା ଆସିବା ଦ୍ୱାରା ଆମର ନିଦ୍ରାଭଙ୍ଗ ହେଲା, ମୋହଭଙ୍ଗ ହେଲା ବୋଲି କହି କେଡ଼େ ପୁଲକରେ ମିଛକଥାମାନ କହି କର୍ତ୍ତାମାନଙ୍କର ତୋଷଣ କରୁଥିଲୁ । କାରଣ ଆମର ପ୍ରକୃତରେ କୌଣସି ମୋହଭଙ୍ଗ ହୋଇ ନଥିଲା । ସୁବିଧାବାଦୀର କେବେହେଲେ କୌଣସି ମୋହଭଙ୍ଗ ହୁଏନାହିଁ । ପୁଣି, ଦେବଚକ୍ରର ଆବର୍ତ୍ତନରେ ପଡ଼ି ଯେତେବେଳେ ଡରୁଆମାନେ ସୁବିଧାବାଦୀ ହେବେ ବୋଲି ମନସ୍ଥ କରନ୍ତି, ସେତେବେଳେ ସେମାନେ ଯେକୌଣସି ପ୍ରକାରେ ମୋହଭଙ୍ଗ ଠାରୁ ପ୍ରାୟ ଜାଣିଶୁଣି ଅନେକ ଦୂରରେ ରହିଥାନ୍ତି । ସଭାରେ ଯାହା କହୁଥାନ୍ତି, ତାହାକୁ କେବେହେଲେ ବିଶ୍ୱାସ କରୁନଥାନ୍ତି । ସାହିତ୍ୟରେ ଯେ ଆନ୍ତରିକ ଏକ ବିଶ୍ୱାସ ରହିଥାଏ, ଆପଣାର ସାହିତ୍ୟ ପାଖରେ ସାହିତ୍ୟିକକୁ ଯେ କୌଣସି ପ୍ରକାରେ ଅଙ୍ଗୀକାରବଦ୍ଧ ହେବାକୁ ପଡ଼ିଥାଏ, ସେମାନେ ହୁଏତ ସେ କଥାରେ ମଧ୍ୟ ବିଶ୍ୱାସ କରୁନଥାନ୍ତି ।

 

ଏମାନେ ସମସ୍ତେ ଗୋଟିଗୋଟି କରି ଭୟ କରୁଥିଲେ, ତେଣୁ ମର୍ମତଃ ଅବସରବାଦୀ ହୋଇ ରହିଥିଲେ । ଏମାନେ ଗପ ପରେ ଗପ, କବିତା ପରେ କବିତା ଓ ନାଟକ ପରେ ନାଟକ ଲେଖି ଥୋଇ ଦେଉଥିଲେ, ମାତ୍ର ଭୃତ୍ୟର ପରିଚୟକୁ ହିଁ ଆପଣାର ସର୍ବମୂଳ ପରିଚୟ ବୋଲି ମାନୁଥିଲେ । ଏମାନେ ଏଠାରେ କୋଉଠି ହେଲେ ନଥିଲେ,-ଏଠାରେ ଘଟିଯାଉଥିବା ଘଟଣା ଭିତରେ ନଥିଲେ, ଏହି ଦେଶର ଭାଗ୍ୟ ସହିତ ବା ଏହି ଦେଶଟିର ହାଉଆ ସହିତ ଏମାନଙ୍କର ହୁଏତ ଆଦୌ କୌଣସି ଖିଅ ଲାଗିନଥିଲା । ଏମାନେ ସମସ୍ତେ ଭୃତ୍ୟଗିରି କରୁଥିଲେ ଓ ସେଇଟିକୁ ଆଗ ବଜର ରଖି ତାପରେ ଯାଇ ଆଉ ଯାହା କରୁଥିଲେ । ପ୍ରଭୁମାନଙ୍କୁ ସନ୍ତୁଷ୍ଟ କରି ରଖିବାଲାଗି ସେମାନଙ୍କର ଲେଖାଗୁଡ଼ାକୁ ମହାଭାରତୀୟ ଇଂରାଜୀ ଭାଷାରେ ଅନୁବାଦ କରି ଦେବା ସକାଶେ ପ୍ରାୟ ସ୍ୱେଚ୍ଛାସେବକ ହୋଇ ବାହାରି ପଡ଼ୁଥିଲେ । ପ୍ରଭୁମାନଙ୍କର ଯଶଃ ପ୍ରଚାର କରି ଆପେ ବି ଯଶସ୍ୱୀ ହେବା ସମ୍ଭବ ବୋଲି ନାନା କାରଣରୁ ବିଶ୍ୱାସ କରିବାରେ ଅଭ୍ୟସ୍ତ ହୋଇ ଯାଇଥିଲେ । ଆମର ଏଠାରେ ଅନେକ ପ୍ରକାଶକ ଯାହା କରୁଥିଲେ, ଅନେକ ସାହିତ୍ୟିକ ଓ ସାହିତ୍ୟସେବକ ମଧ୍ୟ ପ୍ରାୟ ସେଇଆ କରୁଥିଲେ । ଜରୁରୀ ପରିସ୍ଥିତି ମଧ୍ୟରେ ହୁଏତ ଅଧିକ ନିର୍ଭୟ ଭାବରେ ସେମାନେ ତାହା କରି ପାରୁଥିଲେ । ସମ୍ଭବତଃ ଯୁଗପତ୍‍ ଭାବରେ ଜରୁରୀ ପରିସ୍ଥିତିକୁ ଡରି ଏବଂ ଅନ୍ଧାର ଭିତରେ ଆପଣାଲାଗି କିଛି ଥାଇତ ନେବାର ଲୋଭରେ ପଡ଼ି ସେମାନେ ତାହା କରୁଥିଲେ-

 

ସେମାନେ ଆଜି ମଧ୍ୟ ଅଛନ୍ତି; ଆଗପରି ସାହିତ୍ୟ କରୁଛନ୍ତି ଓ ଠିକ୍‌ ଆଗପରି ଭୃତ୍ୟପଣ କରୁଛନ୍ତି । କର୍ତ୍ତାମାନଙ୍କୁ ମନାଇ ଆଉ ଗୋଟିଏ ସାଂସ୍କୃତିକ ସମ୍ମିଳନୀ ଓ ବଢ଼ିଆ ପ୍ରଦର୍ଶନୀ କରିବାର ଉତ୍ସାହିତ ମତଲବରେ ଲାଗିଛନ୍ତି । ହଁ ସେମାନେ ପ୍ରାଚୀନ ଓଡ଼ିଆ ସାହିତ୍ୟର ଚର୍ଚ୍ଚା କରୁଛନ୍ତି, କେତେବେଳେ ବ୍ୟଞ୍ଜନାର ଅର୍ଗଳି ଭିତରେ ପଶି ରସର ବର୍ଣ୍ଣନିରୂପଣ କରୁଛନ୍ତି; ଓଡ଼ିଆ ସାହିତ୍ୟର ଆଧୁନିକତମ ଜୀରାରୁ ଶିରା କାଢ଼ି ତାହାକୁ ହିଁ ଆମ ସମସ୍ତଙ୍କ ଲାଗି ଏକ ମହତ୍ତମ ଆବିଷ୍କାର ବୋଲି ଆମକୁ ବୁଝାଇବାରେ ଲାଗିଛନ୍ତି । ସେମାନେ ସେତେବେଳେ ଯେପରି ଡରୁଥିଲେ ନିଜର ନାଡ଼ିଟିକୁ ଯେପରି ଯାବୁଡ଼ି ଧରିଥିଲେ, ଆଜି ବି ଠିକ୍ ସେହିପରି ଡରୁଛନ୍ତି । ଆଜି ମଧ୍ୟ ଅପଣା ବ୍ରହ୍ମଟିର ହିଁ ଆରଧନା କରୁଛନ୍ତି । ଏବେ ମଧ୍ୟ ଅଙ୍ଗୀକାରହୀନ ହୋଇ ରହିଛନ୍ତି, ଉଦାସୀନ ହୋଇ ରହିଛନ୍ତି,-ସବୁଠାରୁ ଆପଣା ବିଷୟରେ ପୂର୍ଣ୍ଣ ସଚେତନ ଅଛି ମଧ୍ୟ ତଥାପି କୋଉଠି ହେଲେ କିଛି ନଥିଲା ପରି ବେଶ୍ ଅଭିନୟ କରୁଛନ୍ତି । ସେମାନଙ୍କର ଯେ କେବେହେଲେ କୌଣସି ବିଚାର ହେବନାହିଁ ସେମାନେ ସେହି କଥାଟିକୁ ଧରି ନେଇଛନ୍ତି ।

 

ସେମାନଙ୍କର ବିଚାର ହେବାରେ ଲାଗିଛି । ସେଦିନ ଯେପରି ହେଉଥିଲା, ଆଜି ମଧ୍ୟ ସେହିପରି ହେବାରେ ଲାଗିଛି । ସେହି ବିଚାର ଅନୁସାରେ ଆମର ସାହିତ୍ୟିକମାନେ ସେଦିନ ଯେପରି ଆମର ସାମାଜିକ ପ୍ରାଣକ୍ଷେତ୍ରରୁ ବାସନ୍ଦ ହୋଇ ରହିଥିଲେ ଆଜି ମଧ୍ୟ ଠିକ୍ ସେହିପରି ବାସନ୍ଦ ହୋଇ ରହିଛନ୍ତି । ସାମନ୍ତ ହୋଇ ବିରାଜୁଥିଲେ ମଧ୍ୟ ତଥାପି ବାସନ୍ଦ ହୋଇ ରହିଛନ୍ତି । ଅବଶ୍ୟ ଏକଥା ସତ ଯେ ସେମାନେ ବାସନ୍ଦ ହୋଇ ରହିବାଟାକୁ ଏକ ଦୁର୍ଗତି ବୋଲି ଯେତେଦୂର ଭାବୁନାହାନ୍ତି, ସାମନ୍ତ ହୋଇ ଶୋଭା ପାଇବାକୁ ତାଠାରୁ ଅନେକ ଅଧିକ ପରିମାଣରେ ଏକ ନିତାନ୍ତ ଆବଶ୍ୟକତା ବୋଲି ଅନୁଭବ କରୁଛନ୍ତି । ସଉକୀମାନେ ସଚରାଚର ଠିକ୍‌ ଏହିପରି କରିଥାନ୍ତି । ରାଜନୀତିରେ ସଉକୀମାନେ ଏହିପରି କରିଥାନ୍ତି । ରାଷ୍ଟ୍ର-ଶାସନ ଭିତରେ ସଉକୀମାନେ ଏପରି କରିଥାନ୍ତି ଓ ସାହିତ୍ୟ ଭିତରେ ମଧ୍ୟ ସଉକୀମାନେ ଠିକ୍‍ ଏହିପରି କରିଥାନ୍ତି । ଆମ ସାହିତ୍ୟିକମାନଙ୍କର ପରମ ସୌଭାଗ୍ୟ ଯେ ଏ ଦେଶରେ ସଉକୀମାନଙ୍କର କାଳଭୋଗଟା ଏ ପର୍ଯ୍ୟନ୍ତ ଶେଷ ନ ହୋଇ ବଳବତ୍ତର ରହିଛି । ହଁ, ଇଚ୍ଛା କରୁଥିଲେ ସାହିତ୍ୟିକ ଏହି ସଉକଗୁଡ଼ାକୁ ପଦାରେ ପକାଇ ଦେଇ ପାରୁଥାନ୍ତା, ସେ ଅନ୍ତର ଭିତରକୁ ନିର୍ଦ୍ଦେଶ ଦେଇ ପାରୁଥାନ୍ତା, -ସାହିତ୍ୟକୁ ନେଇ ଜୀବନ ସହିତ ଗଅଁଠାଇ ପାରୁଥାନ୍ତା । ମାତ୍ର ସିଏ ଯାହା ସହିତ ଆପଣାର ଅନ୍ତରତମ ଅନୁରକ୍ତି ଏବଂ ନିବିଡ଼ତମ ସ୍ୱାର୍ଥଗୁଡ଼ିକରେ ଅକପଟ ଭାବରେ ଗୁନ୍ଥା ହୋଇ ରହିଛି, ତାହାକୁ ସିଏ ପଦାରେ ପକାଇବାକୁ ବା ଯିବ କିପରି ?

 

ସେତେବେଳର ଫାସିଷ୍ଟମାନେ ଦେଶତମାମ ଏକ ଫାସିଷ୍ଟ-ବିରୋଧୀ ଆନ୍ଦୋଳନର ହୁ’ ଲଗାଇ ଦେଇଥିଲେ । ସେକଥା ଆମ ସମସ୍ତଙ୍କର ମନେ ଥିବ । ଆମେ ସାହିତ୍ୟିକମାନେ ବି ଏଥିରେ କମ୍‌ ପ୍ରୀତି ଦେଖାଇ ନ ଥିଲୁ । ଏହି ପ୍ରୀତି ପଛକୁ ସମ୍ଭବତଃ ସବାଆଗ ଭୀତି ହିଁ ରହିଥିଲା, ମାତ୍ର ଏକଥା ମଧ୍ୟ ସତ ଯେ ଅନେକ ସମୟରେ ପ୍ରୀତିର ଅଭିନୟ କରୁ କରୁ ଅତିରିକ୍ତ ଉତ୍ସାହରେ ତାହା ଆମର ଅବଚେତନ ସତପ୍ରୀତିଗୁଡ଼ାକୁ ମଧ୍ୟ ବେଶ୍ ପ୍ରକଟିତ କରି ଦେଉଥିଲା । ଫାସିଷ୍ଟବାଦର ବିରୋଧୀମାନେ କେଉଁଠି ଖୋସାମଦ କରିପାରନ୍ତି, ଆମେ ହିଁ ହୁଏତ ତାହାର ଏକମାତ୍ର ବିରଳ ଦୃଷ୍ଟାନ୍ତ ହୋଇ ରହିଗଲୁ । ଏ ଦେଶର ସାହିତ୍ୟିକ ଯଦି ସତକୁ ସତ ଫାସିଷ୍ଟ ବିରୋଧୀ ହୁଅନ୍ତା, ତେବେ ଆପଣାକୁ ସିଏ କଦାପି କାହାର ଭୃତ୍ୟ ବୋଲି ଭାବନ୍ତା ନାହିଁ । ସିଏ କଦାପି ମୁଖା ପିନ୍ଧନ୍ତା ନାହିଁ । କୌଣସି ପ୍ରକାରର ସାମୟିକ ସୁଆଙ୍ଗରେ ସିଏ କଦାପି ମଦୁଆର ଅଭିନୟ କରି ବାହାରନ୍ତା ନାହିଁ । ସିଏ ମଣିଷର ପକ୍ଷରେ ରହନ୍ତା, ସମାଜ ଭିତରେ ରହନ୍ତା; ସିଏ ଭବିଷ୍ୟମୁହାଁ ହୁଅନ୍ତା, ସୂର୍ଯ୍ୟମୁହାଁ ହୁଅନ୍ତା । ଅନ୍ତତଃ କେତେବେଳେ ହେଲେ ଅବସରବାଦୀ ହୁଅନ୍ତା ନାହିଁ । କର୍ତ୍ତାମାନଙ୍କର ସମ୍ମିଳନୀରେ ଯାଇ ବସିବାକୁ ସେ ଅସ୍ୱୀକାର କରିଦେଇ ପାରନ୍ତା । ଏକ ସାମନ୍ତବାଦୀ ଦୁରାତ୍ମ ସମାଜଶାସନ ଭିତରେ ସିଏ ସାହସୀ ଭାବରେ ଆପଣାକୁ ହୁଏତ ଶୂଦ୍ର ବୋଲି ଘୋଷଣା କରିପାରନ୍ତା । ପ୍ରାୟ ଶହେଟା ବର୍ଷ ତଳେ ଓଡ଼ିଶାରେ ପଞ୍ଚସଖା ଯେପରି ଅକାତର ଭାବରେ ଆପଣାକୁ ଶୂଦ୍ର ବୋଲି ଘୋଷଣା କରିଥିଲେ, ଠିକ୍ ସେମିତି । ମୋଟେ ପ୍ରାୟ ଶହେଟା ବର୍ଷ ତଳେ ଓଡ଼ିଶାର ଏକ ଜାଗରଣବାଦୀ ଭାଗବତ ସମ୍ପ୍ରଦାୟ ଯେମିତି ରାଜାମାନଙ୍କ ଘରେ ଆହାର ଗ୍ରହଣ କରିବାକୁ ମନା କରି ଦେଇଥିଲେ, ଯିଏ ଠିକ୍ ସେହିପରି ବର୍ତ୍ତମାନର ରଜାମାନଙ୍କୁ ସିଧା ଅସ୍ୱୀକାର କରନ୍ତା । ସେମାନଙ୍କର ଜରୁରୀ ଅବସ୍ଥାଗୁଡ଼ାକୁ ଅସ୍ୱୀକାର କରନ୍ତା, ଜରୁରୀ ଅବାଧ୍ୟତାଗୁଡ଼ାକୁ ମଧ୍ୟ ଅସ୍ୱୀକାର କରିପାରନ୍ତା ।

 

ମାତ୍ର ତା’ ହୋଇପାରିଲେ ସିଏ ଆଜି ପରି ଆଉ ଚିନିକଣ୍ଢେଇଟିଏ ହୋଇ କଦାପି ରହି ପାରନ୍ତା ନାହିଁ, ସଂସ୍କୃତିର ବାହାନାରେ ଆଉ କୋରଡ଼ଗୁଡ଼ାକ ଭିତରେ କଦାପି ଲୁଚି ରହନ୍ତା ନାହିଁ-। ଫାସିଷ୍ଟବାଦର ବିରୋଧୀ ବୋଲାଇ ଫାସିଷ୍ଟମାନଙ୍କ ସଭାରେ ବସି ଅରସିକତା ଏବଂ ଅପାତ୍ରତାର ଇତିହାସରେ ରେକର୍ଡ଼ ସୃଷ୍ଟି କରିବାକୁ ତାକୁ ଆଉ କଦାପି ଭଲ ଲାଗନ୍ତା ନାହିଁ । ଡିହ ଉପରେ ନ ରହି ସିଏ ଦାଣ୍ଡ ମଝିକୁ ଆସନ୍ତା । ଭଣ୍ଡାରଗୁଡ଼ାକୁ ଯାବୁଡ଼ି ରହନ୍ତା ନାହିଁ , ସିଏ ବଜାରକୁ ଆସନ୍ତା । ସିଏ ଆମ ସମସ୍ତଙ୍କ ଭିତରକୁ ଆସନ୍ତା । ସମସ୍ତଙ୍କର ବୋଲାଇ ପାରନ୍ତା । ଆମ ସମସ୍ତଙ୍କୁ ଏଠି ଏଇ ମାଟି ଉପରେ ଆମର ନାନା ଚେର ସହିତ ଆବିଷ୍କାର କରି ଓ ସାଉଁଟି ନେଇ ସିଏ ଆକାଶର ତାରାମାନଙ୍କ ସହିତ ଗୁନ୍ଥିଦେଇ ପାରନ୍ତା ।

 

। ଚାରି ।

 

ବାବୁ, ତୁମେ ଆହୁରି ଦଶଗୁଣ ଅଧିକ ବହି ଲେଖ, ଆହୁରି ଦଶଗୁଣ ଅଧିକ ସଉକର ସହିତ ସାହିତ୍ୟ କର; ଆହୁରି ଦଶଗୁଣ ଅଧିକ ଅଧ୍ୟାପନା ଚାଲୁ ଓ ତୁମର ଦରମା ବି ଆହୁରି ଦଶଗୁଣ ଅଧିକ ବଢ଼ୁ ପଛକେ, ତଥାପି ଏ ଦେଶର ସାହିତ୍ୟ କହିବ ଯେ ତୁମେ ଏଥର ପୂରା ଧରା ପଡ଼ିଗଲ । ତୁମେ ଅତ୍ୟନ୍ତ ଦୟନୀୟ ଭାବରେ ଧରା ପଡ଼ିଗଲ । ତୁମେ ଯେ ଅତ୍ୟନ୍ତ ବିକଳ ଭାବରେ କେବଳ ନିଜର ଜୀବନଟିକୁ ବଞ୍ଚୁଛ, ଆପଣାର ଦି’ପୁଞ୍ଜା ଭୋଗେଇକୁ ଛଅପୁଞ୍ଜା କରିବାରେ ଲାଗିଛ, ଏବଂ ସେହି କାରଣରୁ ହିଁ ତୁମେ ଚରମ ଡରୁଛ, ଚରମ ବଞ୍ଚିତ ହେଉଛ ଓ ଚରମ ବଞ୍ଚନା କରୁଛ ସେହି କଥାଟି ବିଲକୁଲୁ ଧରା ପଡ଼ିଗଲା । ତୁମର ଅସଲ ଚେରଗୁଡ଼ାକ ଧରା ପଡ଼ିଲା । ଅସଲ ଅନୁରକ୍ତିଗୁଡ଼ାକ ଧରା ପଡ଼ିଗଲା, ଅସଲ ପ୍ରୀତିଗୁଡ଼ାକ ଧରା ପଡ଼ିଗଲା । ତୁମର ସବୁଯାକ ପ୍ରୀତି ଆପଣା ପ୍ରୀତି; ତୁମର ସବୁଯାକ ପ୍ରେରଣା ହେଉଛି ଆପଣାକୁ ନେଇ ଅତ୍ୟନ୍ତ ହରବର ଓ ହନ୍ତସନ୍ତ ହୋଇ ରହିବାର ପ୍ରେରଣା । ତୁମର ବାବୁ କୌଣସି ଦେଶ ନାହିଁ , ତୁମର ନାମାବଳୀଟା ତଳେ ଅନ୍ତର ବୋଲି ଆଦୌ କିଛିନାହିଁ, ତୁମେ କେବେ ହେଲେ ଆପଣାକୁ କୋଉଥିଲାଗି ବି ଦେଇ ପାରିବ ନାହିଁ । ଆପଣାର ଭୟକୁ ତୁମେ କେବେହେଲେ ଛାଡ଼ି ପାରିବ ନାହିଁ । ସାମନ୍ତମାନଙ୍କର ଏହି ଯୁଗଟା ପରବର୍ତ୍ତୀ କାଳରେ ବୀରର ମୁଖା ପିନ୍ଧିଥିବା ଭୟାଳୁମାନଙ୍କର ଏକ ଯୁଗ ବୋଲି ପରିଗଣିତ ହେବ ଏବଂ ତୁମେ ସେହି ଭୟାଳୁମାନଙ୍କ ଭିତରେ ସବା ଆଗରେ ପତର ପକାଇ ବସିଥିବ । ଭୟାଳୁ ମଣିଷ ହିଁ ଅକାରଣରେ ଦୂରାତ୍ମାହୁଏ; ଅକାରଣରେ ନାନାବିଧ ଅମାନୁଷିକତା ସହିତ ଆପଣାକୁ ବଡ଼ ନିର୍ମମ ଭାବରେ ଲିପ୍ତ କରି ରଖିଥାଏ, ଭାରତବର୍ଷ ସ୍ୱାଧୀନତା ହାସଲ କଲା ପରେ ଯେଉଁମାନେ ସେହି ସ୍ଵାଧୀନତାକୁ ଭୋଗ କରିବାକୁ ହିଁ ଜୀବନର ଅପବ୍ରତ ଆଚରଣ ରୂପେ ଗ୍ରହଣ କଲେ, ସାହିତ୍ୟରେ ଆଗ୍ରହ ରଖି ମଧ୍ୟ ତୁମେ ସେହିମାନଙ୍କ ଖାତାରେ ନାମ ଦରଜ ହୋଇ ରହିଲ । ସାହିତ୍ୟକୁ ନେଇ ଭୋଗୀର ଭୋଗଶୀଳା ଭିତରକୁ ଠେଲି ଦେଲ ଓ ସାହିତ୍ୟ ଭିତରେ ରହିଥିବା ସବୁଯାକ ସୁସ୍ଥତା ଓ ସବୁଯାକ ସାହସକୁ ତୁମେ ହତ୍ୟା ହିଁ କଲ । ସାହିତ୍ୟକୁ ଭୋଗସାମଗ୍ରୀ ରୂପେ ବ୍ୟବହାର କରିବା ଲାଗି ମନ କରିବାକୁ ହିଁ ତୁମେ ଟେକନିକ୍ ଆଡ଼କୁ ଅଧିକ ଧାଇଁଲ, ପଛଆଡ଼କୁ ଅଧିକ ମୁହାଁଇଲ, ଏକ ଗଦ୍ୟମୟ ଯୁଗରେ ଗୀତାଭିନୟୀ ହୋଇ ରହିଲ, କ୍ଷମତାର ଗୁହାରିଆ ହେଲ ଏବଂ ତୁମେ ଯେ କେବଳ ଏତିକି କରିବାକୁ ହିଁ ଯୋଗ୍ୟ ହୋଇ ରହିଥିଲ, ଗତ ଜରୁରୀ ଅବସ୍ଥା ଆମ ସମସ୍ତଙ୍କ ଲାଗି ସେକଥା ପ୍ରମାଣ କରିଦେଇଗଲା ।

 

ବାବୁ, ତୁମେ ଆଗ ଆପଣାକୁ ନ ବୁଝି ଆପଣା କଜିଆ ନ ତୁଟାଇ କାହିଁକି ଏ ସାହିତ୍ୟ ଭିତରକୁ ଆସିଥିଲ? ଆପଣାର ଅସଲ ଦିଅଁମାନଙ୍କୁ ନ ଚିହ୍ନି କାହିଁକି ଏ ଦେଉଳଟା ଭିତରେ ଆସି ପଶିଥିଲ ? ସାହିତ୍ୟକୁ ତୁଚ୍ଛା ଅଫିମ ପରି ବ୍ୟବହାର କରି ତୁମେ କାହିଁକି ଆପଣାକୁ ଏବଂ ଏହି ସାହୀ ଗୋଟାକୁ ବାଉଳା କରି ରଖିଲ ? ତୁମର କ’ଣ ଖାଲି ଚାକିରୀରେ କାମ ଚଳିନଥାନ୍ତା ? ଖାଲି ଅଧ୍ୟାପନାରେ କ’ଣ କାମ ଚଳିନଥାନ୍ତା ? ଖାଲି ସଭାସଦ୍ ବନିଥିଲେ କ’ଣ କାମ ଚଳି ନ ଥାନ୍ତା ? ତୁମେ ଆପଣାର ଅସଲ କଲିଜାଗୁଡ଼ାକୁ ଚିହ୍ନି ପାରିଲ ନାହିଁ କିପରି ? ଆଜିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ହେବ, ବଙ୍ଗଦେଶର କୌଣସି ଏକ ସ୍ଥାନରେ ସେତେବେଳର ସରକାର ଜନତା ଉପରେ ମେସିନ୍‌ଗନ୍ ଚଳାଇଥିଲେ ବୋଲି କବି ରବୀନ୍ଦ୍ରନାଥ ସୁଦୁର ଲାଟିନ୍ ଆମେରିକାରୁ ଆପଣାର ଗୋଟିଏ କବିତାରେ ତାହାର ପ୍ରତିବାଦ ଜଣାଇ ପଠାଇଥିଲେ । କବି ସବୁଠାରେ ଯେଉଁଭଳି ପ୍ରତିବାଦ କରିଥାନ୍ତା, ସିଏ ସେ କିଭଳି ପ୍ରତିବାଦଟିଏ କରି ଆପଣାର ଦୃଢ଼ ଅଙ୍ଗୀକାର ବଦ୍ଧତାର ଘୋଷଣା କରିଥିଲେ । ମେସିନ୍‍ଗନ୍‌ବାଲା ତା’ ମେସିନ୍‌ଗନ୍‍ ଚଳାଇବ, କବି ତାହାରି ଆଗରେ ଠିଆହୋଇ ନିର୍ଭୟ ଚିତ୍ତରେ ଯୂଈ ଫୁଲର ଗୀତ ବୋଲିବ ବୋଲି ସେ ଘୋଷଣା କରିଥିଲେ । ବାବୁ, କେଉଁ ଦୁର୍ଯ୍ୟୋଗରେ ତୁମେ ସାହିତ୍ୟ ଭିତରେ ବଣା ହୋଇ ପଶି ଯାଇଥିଲ କେଜାଣି, ତୁମେ ତ ସବୁଯାକ ଯୂଈ ଫୁଲକୁ ସାଉଁଟି ନିଜ ବେକରେ ମାଳାକରି ଲମ୍ବାଇଲ ଏବଂ ତେଣେ ମେସିନ୍‌ଗନ୍‌ବାଲାଙ୍କର ସ୍ତୁତିଗାନ କରିବାରେ ଲାଗିଲ । ତୁମେ ପ୍ରକୃତରେ ଯାହା, ତାହା ହିଁ ପ୍ରମାଣ କରିଦେଇ ।

 

ସ୍ଵାଧୀନତାର ପରଠାରୁ ଏହି ତିରିଶିଟା ବର୍ଷ ସାହିତ୍ୟର ଯୁଗଟାକୁ ଯଦି ଏକ ଭୀରୁତା ଏବଂ ବିଶ୍ୱାସଘାତକତାର ଯୁଗ ବୋଲି କୁହାଯିବ, ତେବେ ଏହି ଯୁଗ ଏହିଠାରେ ହିଁ ଶେଷ ହୋଇଯାଉ । ପ୍ରଧାନତଃ ଗୋଟାଏ ଦେଶର ଅଭ୍ୟୁଦୟକୁ ଅଟକାଇ ରଖିବାଲାଗି ଆମ ଏ ଦେଶର ରାଜନୀତି ପରି ଦେଶର ସାହିତ୍ୟ ମଧ୍ୟ ପ୍ରାୟ କାରପଟଦାର ପରି କାର୍ଯ୍ୟ କରିଆସିଛି । ସେହି କାର୍ଯ୍ୟଟି ଏଇଠୁ ସରିଯାଉ । ସେହି ନିର୍ଲଜ୍ଜ ଭୂମିକାରେ ଏଇଠୁ ଅବସାନ ଘଟୁ । ଏହି ଦେଶର ଅନେକ ତାରୁଣ୍ୟ ଓ ଅନେକ ବିପ୍ଳବକୁ ପରାହତ କରିଏଠି ଯେତେ ଯିଏ ଗୋଟିଏ ଗୋଟିଏ ନ୍ୟସ୍ତସ୍ଵାର୍ଥ ନିମିତ୍ତ ପରି କାର୍ଯ୍ୟ କରି ଆସିଛନ୍ତି, ସେମାନେ ପ୍ରଧାନତଃ ଆପଣାଲାଗି ହିଁ କ୍ଷମତା ଲୋଡ଼ିବାକୁ ଯାଇ ତାହା କରିଛନ୍ତି । ଅଧିକାଂଶ ସମୟରେ ଏହି ଲୋଡ଼ିବାରେ ସାହିତ୍ୟକୁ ଘଣ୍ଟି ଓ ଘାଗୁଡ଼ି କରି ବ୍ୟବହାର କରାଯାଇଛି । ଓଡ଼ିଶାର ଦୁର୍ଭାଗ୍ୟ ଯେ ଏଠାରେ ଆଗରୁ ସାହିତ୍ୟ ଭିତରେ ଠାଆ ପକାଇଥିବା କେତେକ ଲୋକ ରାଜନୀତି ଭିତରକୁ ଯାଇଛନ୍ତି, ଅର୍ଥାତ୍ ରାଜନୀତିକ କ୍ଷମତା ହାସଲ କରିଛନ୍ତି । ସେମାନେ ଏଠାରେ ପ୍ରାୟ ସବୁଯାକ ପରମ୍ପରାକୁ ମାରା କରିଛନ୍ତି, ଆମର ଯାବତୀୟ ଆକାଂକ୍ଷାକୁ ସେମାନେ ପ୍ରାୟ ଏକପ୍ରକାର କାମୁକତା ଦ୍ୱାରା ବଡ଼ ଦୂଷିତ କରି ରଖିଛନ୍ତି । ସାହିତ୍ୟର କ୍ଷେତ୍ରରେ ଯାହାକିଛି ଅସଲ ଶ୍ରେୟ ହୋଇ ରହିଥାନ୍ତା, ତାହା କାଳକ୍ରମେ ଏବେ ହୁଏତ ଚୂଲୀକୁ ଗଲାଣି କିମ୍ବା ଲଟାରେ ଯାଇ ପଶିଲାଣି । ଯେଉଁମାନେ ଯାବତୀୟ ଧନ୍ଦା ଭିତରେ କ୍ଷମତାକୁ ହିଁ ଲୋଡ଼ୁଥାନ୍ତି, ସେମାନେ ଆପଣାର ଜୀବନରେ ପ୍ରକୃତରେ ଆଦୌ କୌଣସି ପ୍ରକାରର ଶ୍ରେୟଃ ଚାହିଁ ନଥାନ୍ତା । ସେମାନେ ଯାହା ଲୋଡ଼ୁଥାନ୍ତି, ସେଇଥିରେ ହିଁ ଆଉ ସବୁକିଛିକୁ ରଞ୍ଜାଇ ରଖିଥାନ୍ତି । ଆପଣାର ଅନୁରାଗଗୁଡ଼ାକୁ ସେମାନେ ଭାରି ପ୍ରକୁପିତ କରି ରଖିଥାନ୍ତି ଓ ଘରର ଅନେକ ପବିତ୍ରତାକୁ ନଷ୍ଟ କରିବାରେ ଲାଗିଥାନ୍ତି । ଆପଣା ଭିତରେ ଦୁଇଭାଗ ହୋଇ ସେମାନେ ଏକାଧାରରେ ମେଣ୍ଢା ଓ ଭେଣ୍ଡା ଉଭୟ ହୁଅନ୍ତି । ତା’ପରେ, ସେହି କୋପନ ପ୍ରବୃତ୍ତିଗୁଡ଼ାକ ପ୍ରାୟ ସହଜାତ ଏକ ଫେଶନରେ ପରିଣତ ହୋଇଗଲା ପରେ ସାହିତ୍ୟ ଭିତରେ ତଥାକଥିତ ସାହିତ୍ୟିକମାନେ ନିଃସଙ୍କୋଚ ଭାବରେ କ୍ଷମତାକୁ ଆଣି ଭର୍ତ୍ତି କରନ୍ତି । ସାଧନା ଯାଏ, ଜୀବନରେ ମନ୍ତ୍ରର କୌଣସି ଆବଶ୍ୟକତା ରହିଛି ବୋଲି ପାଶୋର ଯାଏ, ଦ୍ଵାରଗୁଡ଼ାକୁ ଖୋଲିଦେବାର କ୍ଷେତ୍ରରେ ସାହିତ୍ୟର ଆଦୌ କୌଣସି କର୍ଭବ୍ୟ ରହିଛି ବୋଲି ସେତେବେଳେ ଆଉ ମୋଟେ ମନେ ପଡ଼େନାହିଁ । ତେଣେ ଅନ୍ତଃଜଗତରେ ମେଣ୍ଢାମାନେ ଭାରି ଅଲିଅଳ ହୋଇ ବଢ଼ନ୍ତି । ହଁ, ମେଣ୍ଢା ହେବାଦ୍ୱାରା ଯଦି ସାହିତ୍ୟର ମହୁଡ଼ଗୁଡ଼ାକୁ ଅକାର କରିହେଲା, ତେବେ ମେଣ୍ଟା ହେବାରେ ଆଦୌ କୌଣସି ଲୋକସାନ ନାହିଁ ବୋଲି ଏମାନେ ଉଲ୍ଲାସର ସହିତ ଆପଣାକୁ ବୁଝାଇବାକୁ ଆରମ୍ଭ କରନ୍ତି । ସାହିତ୍ୟଗୁଡ଼ାକ ଭୃତ୍ୟମାନଙ୍କର ସଂଳାପରେ ପରିଣତ ହୋଇଯାଏ । ସାହିତ୍ୟଦ୍ୱାରା ଯେ କେବେ ବାଟ କଢ଼ାଯାଇ ପାରିବ, ସମ୍ପୂର୍ଣ୍ଣ ପରିବେଶଟା ମଧ୍ୟରୁ ବି ସତେଅବା ଏହି ବିଶ୍ୱାସଟା କ୍ରମଶଃ ମରି ମରି ଯାଉଥାଏ ।

 

ଏ ସବୁର ପୁନରାବୃତ୍ତି ନ ହେଉ । ଯିଏ କ୍ଷମତାକୁ ମନ କରୁଛି, ସିଏ କ୍ଷମତାକୁ ମନ କରୁଥାଉ ପଛକେ, ମାତ୍ର ଯିଏ ସାହିତ୍ୟକୁ ମନ କରୁଛି, କେବଳ ସେଇ ସାହିତ୍ୟ ଭିତରକୁ ଆସୁ । ଆମର ଏଠି ସାହିତ୍ୟ କହିଲେ ସାହସକୁ ବୁଝାଉ, ସହଭୋଜନକୁ ବୁଝାଉ । ଯାତବୀୟ କ୍ଷମତାକୁ ଜବାବ ଦେଇ ପାରିବା ଭଳି ଆମର ସାହିତ୍ୟ ଶକ୍ତିଶାଳୀ ହେଉ । ସାହିତ୍ୟ ଶକ୍ତିର ପ୍ରତୀକ ହେଉ, ଅନ୍ତର୍ଗତ ଅଭିବୃଦ୍ଧିର ପ୍ରତୀକ ହେଉ । ଏକ ନିବିଡ଼ତମ ଏକାତ୍ମକତାର ପ୍ରେରକ ହୋଇ ରହୁ । ଆମ ଭିତରୁ ଭୃତ୍ୟମାନେ ବିଦା ହୋଇ ଯାଆନ୍ତୁ, ଦୁଆରୀମାନେ ବିଦା ହୋଇ ଯାଆନ୍ତୁ, ଭାଣ୍ଡମାନେ ବିଦା ହୋଇ ଯାଆନ୍ତୁ । ତୋଷାମଦ ଲୋଡ଼ୁଥିବା ଓ ତୋଷାମଦ କରୁଥିବା ଉଭୟେ ବିଦା ହୋଇ ଯାଆନ୍ତୁ-। ଏ ବାବୁମାନେ ସାହିତ୍ୟ ଭିତରୁ ଯାଆନ୍ତୁ । ଅନୁସରଣିଆ ଓ ନବରଙ୍ଗିଆମାନେ ବି ଯାଆନ୍ତୁ । ସେମାନେ ସେଠି ଯେତେ ହଜାର କମାନ୍ତୁ ବା ଯେତେ ବଡ଼ ଖବରକାଗଜ ଦ୍ୱାରା ଆପଣାର ଉଲଗ୍ନ ଦେହଟାକୁ ଢାଙ୍କି ଫେଶନ ହୋଇ ବୁଲୁଥାନ୍ତୁ ପଛକେ, ଆମର ଏହି ଘରଟା ଉପରେ ସେମାନଙ୍କର ଆଉ କୌଣସି ଲୋଭଦୃଷ୍ଟି ନ ପଡ଼ୁ ହଁ, ସେମାନେ ଅନୁରାଗୀ ହୋଇ ଆସନ୍ତୁ, ଶିବିରସାଥୀ ହୋଇ ଆସନ୍ତୁ, ସାହିତ୍ୟର ଆଖି ନେଇ ସେମାନେ ଏଥି ଭିତରକୁ ଆସନ୍ତୁ । ମାତ୍ର ମେଣ୍ଢାଲାଙ୍ଗୁଡ଼ାଟାକୁ ନିଶ କରି ବାନ୍ଧି ସେମାନେ ଆପଣାର ସିଂହାସନଟାକୁ ସିଆଡ଼ୁ ହାତରେ ଧରି ଏଠାରେ ବସିବାକୁ ଆସିଲେ, ସେମାନଙ୍କର ଉପଯୁକ୍ତ ମର୍ଯ୍ୟାଦାଟି ବିଷୟରେ ସେମାନଙ୍କୁ ଅବହିତ କରାଇଦେଇ ସେମାନଙ୍କର ଉଚିତ ମଣ୍ଡଳଟି ଆଡ଼କୁ ବାଟ ଦେଖାଇ ଦେବାର ସାହସ ଓ ଶାଳୀନତା ଆମର ସବୁଦିନେ ରହିଥାଉ ।

 

୨୯.୦୮.୧୯୭୭

(‘ସମାବେଶ’ ଦଶହରା, ୧୯୭୭)

Image

 

ପୁରୀରୁ ଯୋରନ୍ଦା

 

ପୁରୀରୁ ଯୋରନ୍ଦା ସିଧା ବସ ଚାଲିଲା । ଏଥିଲାଗି ଅନେକ ଦିନରୁ ଚେଷ୍ଟା କରାହୋଇ ଆସିଥିଲା ବୋଲି ସମ୍ବାଦ ପତ୍ରରେ କୁହା ହୋଇଛି । କିନ୍ତୁ ଏବେ ଯାଇ ସେହି କଥାଟି ସମ୍ଭବ ହେଲା-

 

ପୁରୀରୁ ଯୋରନ୍ଦା ଯୋରନ୍ଦାରୁ ପୁରୀ; ଏହାର ଇତିହାସ ଏକ ଦୀର୍ଘ ଇତିହାସ । ଦୀର୍ଘ କନ୍ଦଳର ଇତିହାସ, ଦୀର୍ଘ ପ୍ରତ୍ୟାଖ୍ୟାନର ଇତିହାସ । ଓଡ଼ିଶାର ଭାବ-ଇତିହାସରେ ଗୋଟାଏ ପାଖରେ ପୁରୀ ଓ ଆଉ ଗୋଟାଏ ପାଖରେ ଯୋରନ୍ଦା । ଦୁଇ ଦୃଷ୍ଟିଭଙ୍ଗୀର ଦୁଇଟି ପ୍ରତୀକ । ପୁରୀ ହେଉଛି ପୁରୁଷୋତ୍ତମର ତୀର୍ଥ, ଯୁଗେ ଯୁଗେ ତାହା ପୁରୁଷୋତ୍ତମମାନଙ୍କର ତୀର୍ଥ । ଧର୍ମର ଧ୍ଵଜା ଉଡ଼ାଇଥିବା ମହାପୁରୁଷମାନଙ୍କର ତୀର୍ଥ । ଅନେକ ଯାନି ଓ ଅନେକ ଯାତ୍ରାର ତୀର୍ଥ-ରଥ ଟଣାଯିବାର ପୀଠ, ଉଚ୍ଚତମ ସ୍ୱର ଉତ୍ତୋଳନ କରି ଭଗବାନଙ୍କର ପ୍ରଶସ୍ତି ଗାଇବାର ପୀଠ । ଓଡ଼ିଶାର କେତେ ଜଣାଣ ଓ କେତେ ମହାତ୍ମ୍ୟ ସେହି ଶ୍ରୀ କ୍ଷେତ୍ରରେ ଲେଖା ହୋଇଛି । ଧର୍ମପ୍ଳାବନର ଲୀଳାକଲ୍ଲୋଳ ଦ୍ୱାରା ଲୋକମନର ରଞ୍ଜନ କରାଯାଇଛି । ଠାକୁରଙ୍କୁ ଦାରୁ କରି ଠାକୁରଙ୍କ ସୁସାମନ୍ତ ଓ ଶ୍ରୀମନ୍ତମାନେ ସମାଜଟାକୁ ଯେମିତି ଚାହିଛନ୍ତି, ଠିକ୍ ସେମିତି କରି ରଖିଛନ୍ତି-। ବାନାଗୁଡ଼ାକ ଫରଫର ହୋଇ ଉଡ଼ିଛି ।

 

ପୁରୀ ହେଉଛି ଗଜପତି ମହାରାଜାଙ୍କର ସଦର ମହକୁମା । କାଳେ କାଳେ ଗଜପତି ମହାରାଜାଙ୍କୁ ହିଁ ଜଗନ୍ନାଥଙ୍କର ସର୍ବପ୍ରଥମ ସେବକ ବୋଲି ଘୋଷଣା କରାଯାଇଛି । ଖାସ ଭକ୍ତମାନେ ମଧ୍ୟ ଏହି କଥାଟିକୁ ଘୋଷଣା କରିଛନ୍ତି । ଅର୍ଥାତ୍ ସ୍ୱୀକାର କରି ଯାଇଛନ୍ତି । ଏପରିକି ଅନେକ ସମୟରେ ଗଜପତିଙ୍କର ଅନୁଗତ ହୋଇ ରହିବାଟାକୁ ହିଁ ଜଗନ୍ନାଥଙ୍କର ଅନୁଗତ ହୋଇ ରହିବା ବୋଲି ବୁଝାଇଛି । ଗଜପତିଙ୍କର ନିମକ ଖାଇବାକୁ ହୁଏତ ସ୍ୱୟଂ ଜଗନ୍ନାଥଙ୍କର ପ୍ରସାଦ ଖାଇବା ବୋଲି ବୁଝାଇଛି । ଏହି ସମ୍ବନ୍ଧ ଭୂମିଟିକୁ ଚହଟାଇ ଚିକଣାଇ ଆମ ଓଡ଼ିଶାରେ ମାଦଳା ମାଦଳା କେତେ ଆଖ୍ୟାନ ଓ ଉପାଖ୍ୟାନକୁ ସତେଅବା ଇତିହାସ ବୋଲି ଗ୍ରହଣ କରି ନିଆଯାଇଛି-। ବଡ଼ଠାକୁର ଓ ଠାକୁର ରାଜାଙ୍କ ଭିତରେ ସତେଅବା ଆଦୌ କୌଣସି ଅନ୍ତର ନାହିଁ ବୋଲି ପ୍ରତ୍ୟୟ ହେବାକୁ ଲାଗିଛି ।

 

ଠାକୁର ରାଜାଙ୍କ ହୁକୁମରେ ଜଗନ୍ନାଥଙ୍କର ସଞ୍ଚା ଖଞ୍ଜି ଦିଆଯାଇଛି ଭୋଗ ଓ ଧୂପଗୁଡ଼ାକର ବରାଦ ହୋଇଛି । ତାଙ୍କରି ହୁକୁମ ଅନୁସାରେ ଠାକୁରଙ୍କ ଲାଗି ଦରକାର ବେଳେ କାଠ ଆସିଛି । ସୁଆର ଖଞ୍ଜା ହୋଇଛନ୍ତି, ସେବକ ଖଞ୍ଜା ହୋଇଛନ୍ତି, ଦଇତାପତି ଓ ଖୁଣ୍ଟିଆମାନେ ବନ୍ଧା ହୋଇ ରହିଛନ୍ତି, ପଣ୍ଡିତ ଓ ଡାହୁକମାନେ ବି ସେବା ଖଟୁଛନ୍ତି । ସବୁକିଛି ଠାକୁରଙ୍କ ପାଇଁ ରହିଛି, ଠାକୁର ରାଜାଙ୍କ ଦ୍ଵାରା ସବୁକିଛି ବରାଦ ହୋଇ ରହିଛି । ପୁରୀର ମଣ୍ଡଳଟା ଉତ୍କଳଖଣ୍ଡର ପବିତ୍ରତମ ମଣ୍ଡଳ ପ୍ରଶସ୍ତି ପାଇଛି ।

 

ପ୍ରାୟ ଶହେ ବର୍ଷ ତଳେ ପୁରୀକ୍ଷେତ୍ରଠାରୁ ଅନେକ ଯୋଜନ ଦୂରରେ ପ୍ରାୟ ଗୋଟା ସୁଦ୍ଧା ଜଙ୍ଗଲ ଭିତରେ ମହିମାପନ୍ଥା ବୋଲି ଯେଉଁ ଅନ୍ୟବାଟଟି ଆପଣାର ଆବିର୍ଭାବ ଘୋଷଣା କରିଥିଲା, ତାହା ଆପଣାର ମୂଳ ଚଳଣି ରୂପେ ରାଜା ମାନି ନଥିଲା, ଜାତି ମାନି ନଥିଲା, ଦିଅଁ ମାନି ନଥିଲା ଅଥବା ଦିଅଁଙ୍କର ଷାଠିଏ ପଉଟି ଭୋଗକୁ ବି ମାନି ନଥିଲା । ମହିମପନ୍ଥୀ ରଜାଘରେ ଖାଇବେ ନାହିଁ । ବ୍ରାହ୍ମଣ ଘରେ ଖାଇବେ ନାହିଁ ଏବଂ କୌଣସି ଦିଅଁ ଦେବତାଙ୍କର ଭୋଗ ବି ଖାଇବେ ନାହିଁ ବୋଲି କଠୋର ନିୟମ ହୋଇଥିଲା । ସେହି ପନ୍ଥାର ସନ୍ନ୍ୟାସୀ ଏବଂ ଅନୁରାଗୀମାନେ କୌଣସି ପ୍ରକାର ମଠ ବୃତ୍ତି କରିବେ ନାହିଁ ବୋଲି ସତର୍କ କରି ଦିଆ ଯାଇଥିଲା । ମଠବୃତ୍ତିରୁ ଧାର୍ମଚାରଣାରେ ଶିଥିଳତା ଆସିବ ବୋଲି ଆଶଙ୍କା କରି ମହିମାପନ୍ଥୀ ସନ୍ନ୍ୟାସୀମାନେ ନିତ୍ୟ-ପରିବ୍ରାଜକ ହୋଇ ରହିବେ ଓ କୌଣସି ଗୋଟିଏ ଗାଆଁରେ ଏକାଧିକ ରାତ୍ରି ଯାପନ କରିବେ ନାହିଁ ବୋଲି ନିୟମ ବାନ୍ଧିଦିଆ ହୋଇଥିଲା ।

 

ସମାଜର ଅବହେଳିତ ବର୍ଗଙ୍କ ମଧ୍ୟରେ ହିଁ ମହିମାଧର୍ମ ଲୋକପ୍ରିୟତା ଅର୍ଜନ ଯେ କଲା, ହିନ୍ଦୁ ସମାଜର ଅଧୟନ କରୁଥିବା ଯେକୌଣସି ଛାତ୍ର ତାହା ଅତ୍ୟନ୍ତ ସହଜରେ ବୁଝିପାରିବ ଏବଂ ଅପର ପକ୍ଷରେ ସେହି ମାର୍ଗ ଶ୍ରୀମନ୍ତ ହିନ୍ଦୁବର୍ଗଗୁଡ଼ିକର ଚକ୍ଷୁଶୁଳ ବି ହୋଇଥିଲା । ସବର୍ଣ୍ଣ ହିନ୍ଦୁମାନେ ବିଦ୍ରୂପ କଲାପରି ମହିମାପନ୍ଥୀମାନଙ୍କୁ ସେମାନଙ୍କର ଭେକରୁ ହିଁ ସେମାନଙ୍କୁ କୁମ୍ଭୀପଟିଆ ବୋଲି କହିବାକୁ ଆରମ୍ଭ କଲେ ଏବଂ ଏହି କୁମ୍ଭୀପଟିଆମାନେ ଥରେ ଯେତେବେଳେ ମେଳି କରିଜଗନ୍ନାଥଙ୍କୁ ନିଜର ଦେବତା କହି ତାଙ୍କୁ ଆକ୍ରମଣ କରିବା ଲାଗି ଅଗ୍ରସର ହୋଇଥିଲେ, ଉପକୂଳ ଅଞ୍ଚଳର ପାରମ୍ପରିକ ହିନ୍ଦୁ ସମାଜ ଠାକୁରରାଜା ଓ ଇଂରେଜମାନଙ୍କ ସାହାଯ୍ୟ ନେଇ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । କୁମ୍ଭୀପଟିଆଙ୍କ ମେଳି ଭାଙ୍ଗିଲା, ଦେଶ ଶାନ୍ତି ହେଲା ।

 

ସେହି ଦିନଠାରୁ ପୁରୀରେ ମୁହଁ ଗୋଟାଏ ଆଡ଼କୁ ହେଲେ ତେଣେ ଯୋରନ୍ଦାର ମୁହଁ ଆଉ ଗୋଟାଏ ଆଡ଼କୁ । ଆରମ୍ଭ କାଳରେ ମହିମା ପନ୍ଥାର କେନ୍ଦ୍ରପୀଠ ଯୋରନ୍ଦାରେ ଯେଉଁ ଏକମାତ୍ର ମନ୍ଦିର ଥିଲା, ତାହାକୁ ଧୁନି ମନ୍ଦିର ବୋଲି ପରିଚିତ କରାଯାଉଥିଲା । ସେଠାରେ ପରମ ସତ୍ତାଙ୍କର ଅଖଣ୍ଡ ମହିମାର ପ୍ରତୀକ ସ୍ଵରୂପ ଏକ ଅଖଣ୍ଡ ଅଗ୍ନି ବା ଧୁନିକୁ ପ୍ରଜ୍ଜ୍ୱଳିତ କରି ରଖା ଯାଇଥିଲା । ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ଏକାଧିକ ଧର୍ମସଂସ୍ଥା ଅଗ୍ନି ବା ଜ୍ୟୋତିକୁ ହିଁ କାଳେ କାଳେ ପରମ ସତ୍ୟ ଓ ପରମ ମହିମାର ପ୍ରତୀକରୂପେ ସ୍ୱୀକାର କରି ଆସିଛନ୍ତି । ସେହି ଅଗ୍ନି କୁଆଡ଼େ ଅନ୍ତରଗ୍ନି ଲାଗି ପ୍ରେରଣା ଦିଏ, ଅନ୍ତରଗ୍ନିକୁ ପ୍ରଜ୍ଜ୍ୱଳିତ କରେ, ଜ୍ୟୋତିର ନାନା ସେତୁ ଦେଇ ଏକକକୁ ସମଗ୍ରଟି ସହିତ ଯୁକ୍ତ କରେ । ଯାହାକୁ ଦୃଷ୍ଟି ଭେଦରେ, ରୁଚି ଭେଦରେ ଓ ଶାସ୍ତ୍ରଭେଦରେ ଶୂନ୍ୟ, ବ୍ରହ୍ମ ଅଥବା ପୂର୍ଣ୍ଣ ବୋଲି କୁହାଯାଇଛି, ଏକାଧାରରେ ଅସ୍ତିନାସ୍ତି ବୋଲି କୁହାଯାଇଛି; ପ୍ରହେଳିକା-ମୟ ଅଥଚ ଅନୁଭୂତି ସିଦ୍ଧ ଭାଷାରେ ‘ଉଭୟଂ’ ଓ ‘ନୋଭୟଂ’ ବୋଲି କୁହାଯାଇଛି, ମହିମା ପନ୍ଥୀମାନେ ଧୁନିମନ୍ଦିରର ଅଗ୍ନିରେ ତାଙ୍କରି ପ୍ରତୀକକୁ ହିଁ ପ୍ରତ୍ୟକ୍ଷ କରୁଥିଲେ-। ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶାର ପଞ୍ଚସଖା ଏକ ସଗୁଣ ସରସ ବ୍ୟଞ୍ଜନା ଦେଇ ସେହି କଳ୍ପନାକୁ ଶୂନ୍ୟ-ପୁରୁଷ ବୋଲି କହି ଆସିଥିଲେ । ପରବର୍ତ୍ତୀ କାଳରେ ମହିମାଧର୍ମ ଓ ମହିମାଧର୍ମର କବି ଭୀମଭୋଇ ଶୂନ୍ୟ ପୁରୁଷର କଳ୍ପନାକୁ ପ୍ରାୟ ଏକ ଭଗବତ୍ କଳ୍ପନା ରୂପେ ପ୍ରତିଷ୍ଠିତ କଲେ ।

 

କାଳକ୍ରମେ ମହିମା ସନ୍ୟାସୀମାନେ ଶୂନ୍ୟ ପୁରୁଷଙ୍କର ସ୍ଥାୟୀ ଅଧିବାସ ଲାଗି ଯୋରନ୍ଦାଠାରେ ଗୋଟିଏ ଶୂନ୍ୟ-ମନ୍ଦିରର ଥାପନା କଲେ । ମନ୍ଦିର ଚାରିପାଖରେ ଉଇ ପାଚେରୀର ବେଢ଼ା ବୁଲିଲା । ସେଠାରେ ଶୂନ୍ୟ ପୁରୁଷ ଓ ମହିମାମୟ ଅଲେଖଙ୍କର ପର୍ବପର୍ବାଣି ଖଞ୍ଜା ହେଲା ତାଙ୍କର ଆପ୍ୟାୟନ ଲାଗି ଛତି ଚାମର ଓ ଘଣ୍ଟାର ବରାଦ ହେଲା । ନିର୍ଗୁଣ ଉପାସନାର ଧାରାରେ ଯାହାଙ୍କୁ ଅନାହତ ବୋଲି କୁହାଯାଇ ଆସିଥିଲା ତାଙ୍କରି ଆଗରେ ପାରମ୍ପରିକ ପୁଲକ ସହକାରେ କୋଳାହଳ କରିବାକୁ ଶରଣାଗତ ଭକ୍ତମାନଙ୍କୁ କ୍ରମେ ଭଲ ଲାଗିଲା-। ହଁ, କ୍ରମେ ବାଳଧୂପ ଅର୍ଥାତ୍ ବାଲ୍ୟଭୋଗର ବି ବ୍ୟବସ୍ଥା ହେଲା । ଭୋଗ ଲାଗି ହେଲା, ଶୂନ୍ୟ-ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ନିବେଦନ କରାଗଲା ମାତ୍ର କୁଳାଗତ ନିୟମ ରକ୍ଷା କରି ମହିମାପନ୍ଥୀମାନେ ତାହା ସ୍ୱୟଂ ସେବନ କଲେ ନାହିଁ,– ତାହାକୁ ଅନାହୂତ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।

 

ଓଡ଼ିଶାର ନାନା ଧର୍ମ ମଧ୍ୟରେ ମହିମାଧର୍ମ ବିଷୟରେ ଏବେ ଅଧିକରୁ ଅଧିକ ଅଧ୍ୟୟନ ହେଲାଣି, ଓଡ଼ିଶାର ଧର୍ମଧାରାରେ ମହିମା ଧର୍ମକୁ ଏକ ଧର୍ମ ବୋଲି କୁହାଗଲାଣି । ମହିମାଧର୍ମର ପ୍ରତିପଦାକ ଲେଖିବା ଦିଗରେ ମଧ୍ୟ ଆଗ୍ରହ ପ୍ରକାଶ ପାଇଲାଣି । ଭାରତୀୟ ବିଦ୍ୟାର ମହାସମୁଦ୍ର ଅଥବା ମହାରଣ୍ୟକୁ ଘାଣ୍ଟି ତା’ ଭିତରେ ରହିଥିବା ଦ୍ରୁମ ଗୁଳ୍ମ ଓ କଣ୍ଟାବଣ ଭିତରେ ମହିମାଧର୍ମ ଲାଗି ବି ଗୋଟିଏ ସୁସଂଗତ ମଣ୍ଡଣିଯୁକ୍ତ ସ୍ଥାନ ଠିକ୍‍ କରି ଦିଆଗଲାଣି । ମହିମାଧର୍ମ ଆମ ସନାତନ ଧର୍ମର ବହୁବିଚିତ୍ର ରୂପସ୍ତୂପ ମଧ୍ୟରୁ ଗୋଟିଏ-ବେଦ, ବେଦାନ୍ତ, ପୁରାଣ, ମହାତ୍ମ୍ୟା ଓ ଧର୍ମଚରିତ୍ରମାନଙ୍କରୁ ଉଦାହରଣ ଥାଳୀ ବାଢ଼ିଦେଇ ତାହା ଦେଖାଇ ଦେବାର ଆଗ୍ରହ ପ୍ରକାଶ କରାଗଲାଣି ।

 

ଭାରତ ବର୍ଷର ପ୍ରାୟ ପ୍ରତ୍ୟେକ ନିର୍ଗୁଣ ସାଧନା ପରି ମହିମାଧର୍ମ ମଧ୍ୟ ବେଦର ପ୍ରାମାଣିକତାକୁ ଅସ୍ୱୀକାର କରିଥିଲା; ଆମ ସମାଜରେ ଯାବତୀୟ ପ୍ରକାରର ସଗୁଣ ଭାବନା ଓ ତାରତମ୍ୟଗତ ଅଧାର୍ମିତାକୁ ଅସ୍ୱୀକାର କରିଥିଲା । ସନାତନ ଧର୍ମ ଓ ସନାତନୀ ସମାଜବିଚାର କହିଲେ ସବୁ କାଳରେ ସାଧାରଣତଃ ଯେଉଁ ରକ୍ଷଣଶୀଳତା ପରିବର୍ତ୍ତନ କୁଣ୍ଠା ଏବଂ କୃପଣତାକୁ ବୁଝାଏ, ମହିମାଧର୍ମ ନ୍ୟାୟତଃ ସେହିଗୁଡ଼ାକ ବିରୁଦ୍ଧରେ ବିଦ୍ରୋହ କରିଥିଲା, ଶତାବ୍ଦୀ ଶତାବ୍ଦୀ ଧରି ସ୍ଵୀକୃତ ହୋଇ ଆସିଥିବା ଏକ ଆନୁଷ୍ଠାନିକତା ବିରୁଦ୍ଧରେ ବିଦ୍ରୋହ କରିଥିଲା । ଅଢ଼େଇ ହଜାର ବର୍ଷ ତଳେ ଏକଦା ବୁଦ୍ଧଦେବ ଯେପରି କରିଥିଲେ ପ୍ରାୟ ସେହିପରି ବୌଦ୍ଧଧର୍ମର ମହାଯାନ ପର୍ଯ୍ୟାୟରେ ବୁଦ୍ଧଦେବଙ୍କୁ ଦେବତା କରି ଦିଆଗଲା ଭକ୍ତ ଓ ପୃଷ୍ଠପୋଷକମାନଙ୍କ ହାତରେ ନୂଆ କରି ଗଢ଼ା ହୋଇ ସିଏ ପଦ୍ମପାଣି ଦେବତା ରୂପେ ପୂଜା ପାଇଲେ । ତା’ପରେ ଅବତାରର ଭାଡ଼ି ଭିତରକୁ ବଡ଼ ଚମତ୍କାର ପ୍ରକାରେ ମଙ୍ଗୁଳା ହୋଇ ଆସିଲେ । ଏଠି ଓଡ଼ିଶାର ତ ଆମେ ପୁରୀ ମନ୍ଦିରର ମୂର୍ତ୍ତିକୁ ଦେଖି ଓ ରଥ ଉପରେ ବାମନକୁ ଦେଖି ବୁଦ୍ଧପ୍ରେରଣାକୁ ଗୋଟାସୁଦ୍ଧା ଭୁଲି ଯିବାପାଇଁ ଚମତ୍କାର ରସଦି ଯୋଗାଡ଼ କରିନେଲୁ । ଆମର ପୀଠଦିଅଁ ଭଗବାନ ଏକଦା ଆମ ସମଗ୍ର ଜୀବନର ଏକ ଆହ୍ୱାନରୂପେ ଉଦୟ ହୋଇଥିବା ବୁଦ୍ଧ ସନ୍ଦେଶକୁ କୁଆଡ଼େ ହଜମ କରିଦେଲା । ଆମରି ବିଚକ୍ଷଣତା ସକାଶେ ତାହା ହେଲା । ଆମ ଭିତରେ ସାଧନାକୁ ଛାଡ଼ି ଯେଉଁ ଉପାଦାନଟି ସହଜକୁ ଲୋଡ଼େ, ମର୍ମକୁ ଛାଡ଼ି ମୂର୍ତ୍ତିକୁ ଲୋଡ଼େ ତାହାରି ଅତି-ଶରଧା ଅର୍ଥାତ୍ ଅତି-ଲାଳସା ବଳରେ ସେକଥା ହୋଇପାରିଲା ।

 

ପ୍ରାୟ ଏହିପରି ଏକ ରୀତିରେ ହିଁ ଯୋରନ୍ଦାରୁ ପୁରୀଯାଏ ପୁଣି ବାଟ ଫିଟି ଆସିବ । ପ୍ରେମଧର୍ମର ସଂକୀର୍ତ୍ତନ ଯାଏ ବାଟ ଫିଟି ଆସିଛି, ମୂଳକୁ ଛାଡ଼ି ଡାଳଗୁଡ଼ାକ ଭିତରକୁ ଭାବୁକତାର ପରଗୁଡ଼ାକୁ ମେଲାଇ ପୁଣି ବାହୁଡ଼ି ଆସିବାର ସ୍ୱାଭାବିକ ଭେଦଟି ଆମକୁ ମିଳି ଯାଇଛି ଏହା ଫଳରେ କାହାର ଜିତାପଟ ହୋଇଛି ବା କାହାର ପରାଭବ ଘଟିଛି, ସେକଥାକୁ କିଏ ଅଙ୍କ କଷି କହି ଦେଇ ପାରିବ ? ଯଦି ଖାଲି ମାର୍ଗଗୁଡ଼ାକ ଥାଆନ୍ତା ଓ ସୁସଜ୍ଜିତ ତୋରଣଗୁଡ଼ାକ ନଥାନ୍ତା ତେବେ ମାର୍ଗଦ୍ୱାରା ଆମରି ଭିତରୁ କେତେଜଣ ଆକୃଷ୍ଟ ହୋଇ ଆସନ୍ତେ ? ଯଦି ଖାଲି ଆଦର୍ଶଗୁଡ଼ାକ ଥାଆନ୍ତା ମାତ୍ର ବାନାଗୁଡ଼ିକ ନଥାନ୍ତା କିମ୍ବା ବୋଲିଗୁଡ଼ାକ ନଥାନ୍ତା ତେବେ ଆମ ଭିତରୁ ପ୍ରକୃତରେ କେତେଜଣ ଏଗୁଡ଼ାକୁ ମନ କରନ୍ତେ ? ଯଦି ଖାଲି ସେବା ରହିଥାନ୍ତା, ଖାଲି ରାଜନୀତି ଥାଆନ୍ତା, ମାତ୍ର ଏହି କ୍ଷମତାଗୁଡ଼ାକ ନଥାନ୍ତା, ତେବେ ଆମେ ସବୁ କାହିଁକି ଏଠି ଏହି ସ୍ୱୟଂବରଣର ସଭାଗୁଡ଼ାକରେ ଆସି ରୁଣ୍ଡ ହେଉଥାନ୍ତୁ ।

 

ଯୋରନ୍ଦାରୁ ପୁରୀ ବସ୍ ଚାଲିଲା, ଭଲ ହେଲା । ଏଥର ଯୋରନ୍ଦାରୁ ଯାତ୍ରୀମାନେ ସିଧା ପୁରୀ ଯାଇପାରିବେ । ପୁରୀରୁ ମନ କରିବା ମାତ୍ରକେ ସିଧା ଯୋରନ୍ଦା ଆସିପାରିବେ । ଏକା ବେଳକେ ଅରୁଆ ହୋଇ ପାରିବେ ଓ ଉଷୁନା ହୋଇ ପାରିବେ । ଏକାବେଳକେ ଗ୍ରାସ କରି ପାରିବେ ଏବଂ ଗ୍ରାସରେ ପଡ଼ିପାରିବେ । କାଳାଚାରର ବିଜୟ ଘୋଷିତ ହେବ । କାଳର ସ୍ୱୀକୃତୀଗୁଡ଼ାକୁ ଏକ ସମଗ୍ର ଆହ୍ୱାନ ଜଣାଇ ମଝିରେ ମଝିରେ ଯେଉଁ ପ୍ରତିବାଦମାନ ଆବିର୍ଭୂତ ହୁଅନ୍ତି ସେମାନଙ୍କୁ କ’ଣ କାଳ ଠିକ୍ ଏହିପରି ଭାବରେ କ୍ରମେ ଭଦରସାତ୍ କରିନିଏ ? ହଁ ଯେଉଁମାନେ ନିଜେ ବାଟ ନଚାଲି ବାଟବୋଇଲେ କୋଉଠି ଆସ୍ଥାନଟିଏ ରୋପି ପ୍ରତିମାଟିଏ ଥାପି ବାନାଟିଏ ଉଡ଼ାଇ ଅନିତ୍ୟ ସଂସାରରେ ଶାନ୍ତିଲାଭ କରିବାକୁ ମନ କରନ୍ତି, ସେମାନେ ସଗୁଣ ଓ ନିର୍ଗୁଣ ଉଭୟକୁ ହୁଏତ ଠିକ୍ ଏହିପରି ଭାବରେ ନିଜଗୁଣରେ ହିଁ ଉକୁଟାଇ ଦେଇଥାନ୍ତି । ସେମାନେ ବାଡ଼ ଘେରାଇ ବସନ୍ତି ରାଜ୍ୟକୁ ରାଜ୍ୟରେ ମିଶାଇ ସାମ୍ରାଜ୍ୟ ବନାନ୍ତି । ମର୍ତ୍ତ୍ୟରେ ମାର୍ତ୍ତଣ୍ଡ ହୁଅନ୍ତି । ପୁରୀକୁ ଯୋରନ୍ଦା ସହିତ ମିଶାଇ ଦେଇ ସେଇମାନେ ହିଁ କୀର୍ତ୍ତିଧ୍ୱଜ ହୁଅନ୍ତି ।

 

(ପ୍ରଗତିବାଦୀ-ଶାରଦୀୟା ସଂଖ୍ୟା, ୧୯୭୭)

Image

 

ସାମ୍ୱାଦିକତା ଓ ସିଦ୍ଧି

 

ମଣିଷ ଯାହା ହାସଲ କରିବାକୁ ଚାହୁଁଥାଏ, ତାହା ସକାଶେ ସିଏ କିଛି ଉଦ୍ୟମ କରେ, କିଛି ସମୟ ଦିଏ, ସେଥିଲାଗି ହୁଏତ କିଛି ଅର୍ଥ ବି ଲଗାଏ । ସିଏ ଯାହା ଚାହୁଁଥିଲା, ଯେତେବେଳେ ସିଏ ତାହା ପାଇଥାଏ, ସେତିକିବେଳେ ତା’ର ସିଦ୍ଧିଲାଭ ହେଲା ବୋଲି କୁହାଯାଏ ଏବଂ ସେତିକିବେଳେ ତା’ର ଉଦ୍ୟମ ସାର୍ଥକ ହୁଏ ସମୟ ସାର୍ଥକ ହୁଏ ଦାୟିତ୍ୱ ଅର୍ଥ ମଧ୍ୟ ସାର୍ଥକ ହୁଏ ।

 

ବେଳେବେଳେ ଏପରି ହୋଇଥାଏ ଯେ, ମଣିଷ ଯାହା ଚାହୁଁଥାଏ, ହୁଏତ ସେ ତାହା ପାଇପାରେ ନାହିଁ । ହୁଏ ତ ଯାହା ଚାହୁଁଥିଲା, ତାହା ପାଉ ପାଉ ଆଉକିଛି ପାଇଯାଏ । ସିଏ ହୁଏତ ସନ୍ତୋଷ ଚାହୁଁଥିଲା ମାତ୍ର ପଇସା ପାଇଯାଏ; ମଣିଷର ବନ୍ଧୁ ହୋଇ ମଣିଷର ସେବା କରିବାକୁ ଚାହୁଁଥିଲା, ମାତ୍ର ତାହା ନ ପାଇ ସିଏ ହୁଏତ ମର୍ଯ୍ୟାଦା ପାଇଯାଏ, ଅର୍ଥାତ୍ ମଣିଷମାନଙ୍କ ଉପରେ ଗୋଟାଏ ପ୍ରକାରର ମାଲିକାନା ପାଇଯାଏ । ହୁଏତ ସିଏ ଉଡ଼ିବାକୁ ମନ କରିଥିଲା, ମାତ୍ର ସୁନା ପଞ୍ଜୁରିଟିଏ ହିଁ ପାଇଯାଏ । ଲୋକାୟାତ୍ତ ଭିତରେ ରହି ସେ ଆପଣାକୁ ସାର୍ଥକ ଭାବରେ କିଛି ନା କିଛି କାର୍ଯ୍ୟରେ ଲଗାଇବ ବୋଲି ମନ କରିଥାଏ, ମାତ୍ର ପଶୁ ପଶୁ କ୍ଷମତା ଭିତରେ ଯାଇ ପଶିଯାଏ-। ତା’ର ହାତ ବାନ୍ଧି ହୋଇଯାଏ, ଗୋଡ଼ ବାନ୍ଧି ହୋଇଯାଏ, ନିଶଗୁଡ଼ାକ ଏଡ଼େ ଏଡ଼େ ହୋଇ ଫୁଲି ଏକ ଆତ୍ମସନ୍ତୋଷର ମୋଟା ଦଉଡ଼ିରେ ତାର ହୃଦୟଗୁଡ଼ାକୁ ଟାଣ କରି ବାନ୍ଧି ପକାଏ-। ସିଏ ଭାରି ଏକୁଟିଆ ହେବାର ଦୁର୍ଦ୍ଦଶାଟିକୁ ଲୁଚାଇବା ସକାଶେ ସିଏ ପ୍ରାୟ ଯୋଜନା କରି ଆହୁରି ଅଧିକ ହତାଶଶାଳୀ ହେବାକୁ ଚେଷ୍ଟା କରେ । ବାହାରେ ଫୁଲେ ଭିତରେ ଚଉକଷ ଫମ୍ପା ହେବାରେ ଲାଗିଥାଏ । ପ୍ରାୟ ଉନ୍ନତ୍ତ ମାତ୍ରାରେ ସଫଳ ହୁଏ, ମାତ୍ର ନାନା ଅସାର୍ଥକତାର ଜ୍ୱର ଭିତରେ ନାରଖାର ହୋଇ ମରିମରି ଯାଉଥାଏ ।

 

ଏଗୁଡ଼ାକ ଅଙ୍ଗେ ନିଭାଇବା କଥା । ଯେଉଁ ମଣିଷ ସାର୍ଥକତା ପାଏ, ସେଇ ସାର୍ଥକତା ଲାଭ କରିବାର ଅନୁଭୂତି ପାଇଥାଏ । ସଫଳ ହେବା ଲୋକ ସଫଳ ହେବାରେ ଲାଗିଥାଏ ଯନ୍ତ୍ର ଭିତରେ ପଡ଼ିଯିବାର ଲୋକ କୌଣସି ନା କୌଣସି ସୂତ୍ରରେ ଆସି ଯନ୍ତ୍ର ଭିତରେ ପଡ଼ିଯାଏ । ଯନ୍ତ୍ର ଭିତରେ ରହି ଆପଣାକୁ ସାବାସ୍ ବୋଲି କହି ଶିଖେ, ବାହାଦୁରୀ ମାରି ଶିଖେ, ଆହୁରି ଅନେକ ବଡ଼ ବଡ଼ ଯନ୍ତ୍ରର ମାଲିକ ହେବାର ଅଭିଳାଷକୁ ବି ପୋଷଣ କରେ; ସଂସାରରେ ସମସ୍ତେ ଠିକ୍ ତାହାରି ପରି ଯନ୍ତ୍ର ଭିତରେ ଆସି ପଡ଼ିଯାଆନ୍ତୁ ବୋଲି ସିଏ ଆପଣାର ଭଗବାନଙ୍କ ପାଖରେ ପ୍ରାର୍ଥନା କରେ, ଏହି ସଂସାରରେ କୋଉଠି ହେଲେ ଗୋଟିଏ ହେଲେ ଫୁଲ ନ ଫୁଟୁ ବୋଲି ନିଜର ଆରାଧିତ ଅପଦେବତାମାନଙ୍କ ପାଖରେ ଯାଇ ବୁଡ଼ାଇ କରିବାରେ ଲାଗିଥାଏ ଏବଂ ଏହିଗୁଡ଼ାକୁ ହିଁ ସିଏ ଅସଲ ସଫଳତା ବୋଲି ଗ୍ରହଣ କରିବାରେ ଅଭ୍ୟସ୍ତ ହେବାକୁ ଆରମ୍ଭ କରେ । ତା’ର ସ୍ଵପ୍ନଗୁଡ଼ାକ ଭଳି ଭଳି କୋଠାଘର ହୋଇ ଫୁଟି ଉଠିବାରେ ଲାଗିଥା’ନ୍ତି, ଶକ୍ତିଗୁଡ଼ାକ ବେତବାଡ଼ି ହୋଇ ଲହଲହ ହେବାର ଦୀକ୍ଷାକୁ ଗ୍ରହଣ କରି ନିଅନ୍ତି । ସେହିମାନଙ୍କର ଜାଳାରେ ଭୁବନ କମ୍ପିବାରେ ଲାଗେ, ଭିତର ଶୂନ୍ୟତାଗୁଡ଼ାକ ବାହାରେ ନାନା ଉତ୍ପୀଡ଼ନର ରୂପ ଧାରଣ କରି କ୍ଷତିପୂରଣ ଆଦାୟ କରିବାରେ ଲାଗିଥାନ୍ତି ଏବଂ, ଏହିମାନଙ୍କର ପ୍ରସାଦରୁ, ଆମ ସଂସାରଟା ଯେପରି ଭାବରେ ଓ ଯେପରି ରୀତିରେ ରାଜା ହୋଇଥାନ୍ତା, ତାହା ଆଉ ସେପରି ହୋଇ ଗଢ଼ାହୋଇ ପାରେନାହିଁ । ମଣିଷର ଜୀବନ ଯେଉଁ ଉଚିତ ଅର୍ଥାତ୍ ଅଭିପ୍ରେତ ମାର୍ଗ ଦେଇ ଗତି କରିଥାନ୍ତା, ଆଉ ସେଭଳି କୌଣସି ମାର୍ଗରେ ଗତି କରି ପାରେନାହିଁ ।

 

ଜଣେ ମଣିଷ ସାମ୍ବାଦିକତା ଆଡ଼କୁ କାହିଁକି ମନ ବଳାଏ ସାମ୍ବାଦିକତା କରି ଜଣେ ବ୍ୟକ୍ତି ନିଜକୁ ପ୍ରକୃତରେ କେଉଁପରି ଏକ ଭୂମିକାରେ ଅବତୀର୍ଣ୍ଣ କରାଇବାକୁ ଇଚ୍ଛା କରୁଥାଏ ? ନିକୋଲାଇ ଲେନିନ୍ ତାଙ୍କ ରୁଷିଆରେ ମନଭିତରେ କ’ଣ ରଖି ଇସ୍କ୍ରା ଓ ଇଜ୍‍ଭେଷ୍ଟିଆ ନାମକ ଦୁଇଟି ପତ୍ରିକା ବାହାର କରିଥିଲେ ? ଏଡ଼େ ବଡ଼ ନେତା, ଜାତିର ଜନକ ଏବଂ ଇତ୍ୟାଦି ଇତ୍ୟାଦି ହୋଇ ସାରିବା ପରେ ମହାତ୍ମା ଗାନ୍ଧୀ ଆଉ କାହିଁକି ତଥାପି “ହରିଜନ” ପତ୍ରିକା ବାହାର କରୁଥିଲେ, ତାହାକୁ ପୁଣି ତିନିଟା ଭିନ୍ନଭିନ୍ନ ଭାଷାରେ ବାହାର କରିବା ସକାଶେ ଏତେ ଉତ୍ସାହ ପ୍ରକାଶ କରିଥିଲେ ? ବଙ୍ଗଳାରେ ଏକଦା ଶ୍ରୀଯୁକ୍ତ ରାମାନନ୍ଦ ଚଟ୍ଟୋପାଧ୍ୟାୟ କାହିଁକି ସାମାଜିକତାର କର୍ଦ୍ଦମାକ୍ତ ଗହନ ଭିତରେ ଆସି ପ୍ରବେଶ କରିଥିଲେ ? ଏବଂ, ଆଉ କେତେବର୍ଷ ପଛକୁ ଫେରିଯାଇ କହିବାକୁ ଗଲେ, ସେହି ବଙ୍ଗଦେଶରେ ଶ୍ରୀଅରବିନ୍ଦ ପ୍ରାୟ ଏକାନ୍ତ ବାସ ମଧ୍ୟରେ ରହି କାହିଁକି ପ୍ରାୟ ଏକହାତିଆ ହୋଇ ‘ବନ୍ଦେ ମାତରମ୍’ ପତ୍ରିକା ବାହାର କରିବା ଲାଗି ମନ ବଳାଇଥିଲେ ? ଏବଂ, ସ୍ୱୟଂ ନିର୍ଭରଶୀଳ ଭାବରେ କିଛି ବାହାର କରିବା ପୂର୍ବରୁ ସେ କାହିଁକି ଆଉ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଲେଖା ଲେଖୁଥିଲେ ?

 

ଏହି ପ୍ରଶ୍ନଗୁଡ଼ାକ ଏବେ ମଧ୍ୟ ପଚରା ଯାଇପାରିବ । ପ୍ରାୟ ଚାଳିଶ ବର୍ଷ ତଳେ ସ୍ୱର୍ଗତ ଭଗବତୀ ପାଣିଗ୍ରାହୀ ପ୍ରାୟ ସେହିପରି ଏକହାତିଆ ହୋଇ କାହିଁକି କୃଷକ’ ପତ୍ରିକା ପାଇଁ ମନ ଦେଲେ ? ଏବଂ, ଓଡ଼ିଶାରେ ବି ଆଉ କେତେଟା ବର୍ଷ ପଛକୁ ଫେରିଯାଇ କହିବାକୁ ଗଲେ, ଉତ୍କଳମଣି ଗୋପବନ୍ଧୁ ଉତ୍କଳର ମଣି ଏବଂ ଉଜ୍ଜ୍ୱଳମଣି ହୋଇସାରିବା ପରେ ଆସି ‘ସମାଜ’ ଓ ‘ସତ୍ୟବାଦୀ’ ଆଡ଼କୁ କାହିଁକି ଆଗ୍ରହ ପ୍ରକାଶ କରିଥିଲେ ? ବର୍ତ୍ତମାନ ଆମ ଚତୁର୍ଦ୍ଦିଗରେ ଚାଲୁଥିବା ସାମ୍ବାଦିକତା କ୍ଷେତ୍ରରେ ଭଗବତୀ ନାହାନ୍ତି କିମ୍ବା ଗୋପବନ୍ଧୁ ବି ନାହାନ୍ତି, ରାମାନନ୍ଦ ନାହାଁନ୍ତି ଅଥବା ଶ୍ରୀଅରବିନ୍ଦ ମଧ୍ୟ ନାହାଁନ୍ତି । ଲେନିନ ଓ ଗାନ୍ଧୀଙ୍କ କଥା କହିବାର ଅର୍ଥ କେବଳ ଧୃଷ୍ଟତା ହିଁ ହେବ । ସାମ୍ବାଦିକତା ଗୋଟାଏ ବ୍ୟବସାୟ ନୁହେଁ ତାହା ଏକ ଉତ୍ସାହ । ଠିକ୍‍ ଯେପରି ରାଜନୀତିକୁ ମଧ୍ୟ ଗୋଟାଏ ଧନ୍ଦା ନ ହୋଇ ଗୋଟିଏ ଧର୍ମ ରୂପେ ଗ୍ରହଣ କରାଯାଇପାରେ, ସେହିପରି ସମ୍ୱାଦିକତାକୁ ମଧ୍ୟ କେତେ ଜଣ ବ୍ୟକ୍ତି ବା ଏପରି କି ଜଣେ ବ୍ୟକ୍ତି ଲାଗି ବି ଏକ ଧର୍ମ ରୂପେ ଗ୍ରହଣ କରାଯାଇପାରେ ତାହାକୁ ସମର୍ପଣର ଏକ ଭୂମି ରୂପେ ବି ବ୍ୟବହାର କରାଯାଇପାରେ । ସାମ୍ବାଦିକତାର ମାଧ୍ୟମରେ ବି ସତ୍ୟର ପ୍ରୟୋଗ କରାଯାଇପାରେ । ସାମ୍ୱାଦିକତାର ମାଧ୍ୟମରେ ବି ସତ୍ୟର ପ୍ରୟୋଗ କରାଯାଇପାରେ ଏବଂ ସାଧାରଣ କ୍ଷେତ୍ରରେ ମଧ୍ୟ ସତ୍ୟଲାଗି ଶକ୍ତିଲାଗି ଏବଂ କୌଣସି ଏକ ବଳିଷ୍ଠତର ସଂସ୍ଥାପନାଲାଗି ଆବଶ୍ୟକ ଆଗ୍ରହ ଏବଂ ଉଦ୍ଦୀପନାର ସୃଷ୍ଟି କରାଯାଇପାରେ ।

 

ଆମ ସମସ୍ତଙ୍କର ଦୁର୍ଭାଗ୍ୟ ଯେ, ଆମର ଦେଶ ସ୍ୱାଧୀନତା ହାସଲ କଲାପରେ ଏଠାରେ ସାମ୍ୱାଦିକତାକୁ ପ୍ରଧାନତଃ କ୍ଷମତା ଲାଗି ହିଁ ଏକ ଚାର ଏବଂ ଏକ ସାଧନ ରୂପେ ବ୍ୟବହାର କରାଯାଉଛି । ଆମ ସାମ୍ବାଦିକତା ଏବେ ପ୍ରଧାନତଃ ଏକ ଅସହିଷ୍ଣୁ ପକ୍ଷାଗ୍ରହିତାର ଜାଲ ଭିତରେ ବନ୍ଧା ହୋଇପଡ଼ିଛି, କାବୁ ହୋଇ ରହିଛି । ବର୍ତ୍ତମାନ ଅଧିକାଂଶ ସମ୍ବାଦପତ୍ର ଆଉ ସାମ୍ବାଦିକମାନଙ୍କ ହାତରେ ନାହାଁନ୍ତି । ସେଗୁଡ଼ିକ ସମ୍ବାଦପତ୍ରର ମାଲିକମାନଙ୍କ ହାତରେ ରହିଛନ୍ତି, ସର୍ବସତ୍ୱାଧିକାରୀମାନଙ୍କ ହାତରେ ରହିଛନ୍ତି । ଏହି ଅଧିକାରୀମାନେ ଅଜସ୍ର ଟଙ୍କା ଲଗାଇ ଖବରକାଗଜଗୁଡ଼ାକୁ କିଣି ନେଇଛନ୍ତି । ଏବଂ ତା’ପରେ ବେତନଜୀବୀ ସାମ୍ବାଦିକମାନଙ୍କର ବିବେକକୁ ମଧ୍ୟ କିଣିନେଇଛନ୍ତି । ଏହିପରି ସାମ୍ବାଦିକମାନଙ୍କୁ ଲଗାଇ ସେମାନେ ଏଠି ସାମ୍ବାଦିକତା କରାଇବାର ବ୍ୟବସାୟ ଭିତରେ ପଶିଛନ୍ତି । ଦେଶ ଓ ମଣିଷ ବିଷୟରେ ଏହି ଅଧିକାରୀମାନଙ୍କର ଆଦୌ କୌଣସି ଭବିଷ୍ୟ ଦୃଷ୍ଟି ନାହିଁ । ଆପଣାର ଲକ୍ଷକୁ ଦଶଲକ୍ଷ କରିବାକୁ ଏବଂ ଆପଣାର କ୍ଷମତାଗୁଡ଼ାକୁ ଯଥାସମ୍ଭବ ସର୍ବବ୍ୟାପୀ କରି ରଖିବାଟାକୁ ଯଦି ଜଣେ ମଣିଷର ସ୍ୱାର୍ଥସିଦ୍ଧି ବୋଲି କୁହାଯାଏ, ତେବେ ଆଶ୍ରିତ ସମ୍ବାଦପତ୍ରଗୁଡ଼ାକ ଏବେ ସେହି ସ୍ଵାର୍ଥଗୁଡ଼ାକୁ ହିଁ ଚରିତାର୍ଥ ଜଗିବାରେ ଭାରି ନିପୁଣତାର ସହିତ ବିନିଯୁକ୍ତ ଏବଂ ବଚନବଦ୍ଧ ହୋଇ ରହିଛନ୍ତି । ଏହି ସମ୍ବାଦପତ୍ରଗୁଡ଼ାକର ମାଧ୍ୟମରେ ଜନମତକୁ ପ୍ରକୃତ ଅର୍ଥରେ ଆଦୌ କୌଣସି ପ୍ରକାରେ ସଚେତନ କରାଯାଉନାହିଁ । ଆମ ଦେଶର କୋଟି କୋଟି ମଣିଷଙ୍କର ନିଦ ଭଙ୍ଗାଇବାରେ, ଭୋକ ବଢ଼ାଇବାରେ, ସେମାନଙ୍କର ଚକ୍ଷୁକୁ ଅଧିକ ପ୍ରସାରିତ କରିବାରେ ଏବଂ ସେମାନଙ୍କୁ ମଧ୍ୟ କୌଣସି ଏକ ଭବିଷ୍ୟ ସମାଜ ବିଷୟରେ ଏକ ବଳିଷ୍ଠ ଓ ସକ୍ରିୟ ବିଶ୍ୱାସ ଆଣି ଦେବାରେ ଏଗୁଡ଼ାକୁ ଆଉ କୌଣସି ପ୍ରକାରେ କାମରେ ଲଗାଯାଇ ପାରୁନାହିଁ । ମଣିଷର ଆଖି କାନଗୁଡ଼ାକୁ ବନ୍ଦ କରି ରଖିବାକୁ ଆମର ରାଜନୀତିଗୁଡ଼ାକୁ ବିସ୍ତୃତ ଓ ବୃହତ୍ତର ଲୋକ ସ୍ଵପ୍ନ ଓ ଲୋକ ଜୀବନଠାରୁ ବିଚ୍ଛିନ୍ନ କରି ନେଇ ସେଗୁଡ଼ାକୁ ଦିଲ୍ଲୀ ଅଥବା ଭୁବନେଶ୍ୱରର କେତେଟା ମଜଲିସରେ ହିଁ ପରିଣତ କରି ରଖିବାକୁ ହିଁ ଏହିସବୁ ସାମ୍ବାଦିକତା ଅଧିକ କାମ ଦେଉଛି । ସମ୍ବାଦପତ୍ରଗୁଡ଼ାକ ଶ୍ରେଷ୍ଠମାନଙ୍କ ହାତରେ ରହିଥିବାରୁ ହିଁ ଏସବୁ ହେଉଛି, ଗତିଗୁଡ଼ାକୁ ଚିକଣକଳା କରି ରଖାଯାଇଛି ।

 

ଏବଂ ଆମ ରାଜନୀତି ଭିତରେ ମଧ୍ୟ ଶ୍ରେଷ୍ଠୀମାନେ ରହିଛନ୍ତି । ଆମ ରାଜନୀତିଗୁଡ଼ାକୁ ଶ୍ରେଷ୍ଠୀମାନେ ଚଳାଇ ଆସିଛନ୍ତି । ଗୋଟାଏ ସ୍ଵାଧୀନ ଦେଶର କୋଟି କୋଟି ମଣିଷଙ୍କୁ କେବଳ କେତେଟା ପଲରେ ହିଁ ପରିଣତ କରି ରଖିବାକୁ ଏହି ଶ୍ରେଷ୍ଠୀମାନେ ମଧ୍ୟ ସାମ୍ବାଦିକତା କରାଇ ଆସିଛନ୍ତି । ବର୍ତ୍ତମାନ ବି କରାଉଛନ୍ତି । କରୁ ନାହାନ୍ତି କରାଉଛନ୍ତି । ସାମ୍ବାଦିକ କୁଳ ପାଇଟି ଖଟୁଛନ୍ତି, ଶ୍ରେଷ୍ଠୀମାନଙ୍କର ଅତିଭଣିତା ଓ ଅତିବିଜ୍ଞାପନରେ ଖବରକାଗଜଗୁଡ଼ାକର ମଣ୍ଡଣି ହେବାରେ ଲାଗିଛି । ଯାହାକିଛି ଦ୍ଵାରା ମଣ୍ଡଣି ହୋଇ ପାରୁଛି, ତାହା ଯଥାର୍ଥରେ ଆଦୌ କିଛି ନ ହୋଇ ଥାଉ ପଛକେ, ଉପସ୍ଥିତ ମୁହୂର୍ତ୍ତରେ ତାହାକୁ ହିଁ ଭାରି ମଉଜିଆ ଭାବରେ ସତ୍ୟ ବୋଲି ମାନି ନିଆଯାଉଛି ଏବଂ ଖବର କାଗଜର ଛାପା କଳେବର ଲାଭ କଲାପରେ ସେଗୁଡ଼ାକ ସତେଅବା ବିଲ୍‌କୁଲ ସତ୍ୟ ହୋଇ ଝଲସି ଉଠିବାରେ ଲାଗିଛି । ମିଛଗୁଡ଼ାକ ନିରାଟ ହୋଇ ଦିଶୁଛନ୍ତି । ଅତିରଞ୍ଜନଗୁଡ଼ାକ ଅସଲି ହୋଇ ଦିଶୁଛି, ଅଫୁଟା ମାଉଁସ ପିଣ୍ଡୁଳାଗୁଡ଼ାକ ଏକାବେଳକେ ଉପବୀତ ପିନ୍ଧି ଦ୍ଵିଜ ହୋଇ ବାହାରି ଆସିବା ପରି ବଡ଼େଇ କରିବାରେ ଲାଗିଛନ୍ତି । ଆମ ସାମୂହିକ ଭାଗ୍ୟର ବିଷ୍ଣୁପ୍ରତିମାଗୁଡ଼ାକ ଫଟା ହାଣ୍ଡି ପରି ଗଡ଼ଗଡ଼ାଇବାରେ ଲାଗିଛନ୍ତି । କ୍ଷମତା ଆସୁଛି, କ୍ଷମତା ଯାଉଛି । ଅଣ୍ଟି ଭର୍ତ୍ତି ହୋଇ ଯାଉଛି ପୁଣି କଣା ହୋଇ ଯାଉଛି । ପୋଷାକଗୁଡ଼ାକ ଗଦାରେ ପଡ଼ି ଯାଉଛନ୍ତି । ତଥାପି ଶ୍ରେଷ୍ଠୀ-ଆଶ୍ରିତ ସାମ୍ବାଦିକତାର ମୁହଁ ଭାଙ୍ଗୁ ନାହିଁ, ଦମ୍ଭ ସରୁ ନାହିଁ; ପୁଷ ପଛକୁ ପୁଣି ଆଉ ମୁଥେ ପୁଷ ଆସିବ ବୋଲି ସିଏ ଆପଣାକୁ ନିରନ୍ତର ପକୃପିତ କରି ରଖିଛି ଓ ସମ୍ବାଦପତ୍ରଗୁଡ଼ାକୁ ଆପଣାର ଠୁଙ୍ଗା ଓ ମୁଣା ପରି ବ୍ୟବହାର କରୁଛି । ରାତିମାନେ ଗହଳ କରି ରହିଛନ୍ତି । ନିଷ୍ପଳତାଗୁଡ଼ାକ ନିଶା ହୋଇ ଗର୍ଜନ କରୁଛନ୍ତି । ଉପରେ ଭେଷ ପରେ ଭେଷ ବଦଳୁଛି ତଥାପି, ଦର୍ପଗୁଡ଼ାଜ ନାଲି ହୋଇ ଦିଶୁଛନ୍ତି ।

 

ଏଗୁଡ଼ାକୁ ଆମେ କେଉଁ ଭଳି ସିଦ୍ଧି, ବୋଲି କହିବା, କାହାର ସିଦ୍ଧି ବୋଲି କହିବା ? ଏଗୁଡ଼ାକ ହେଉଛି, ଅସଲ ମୁହୂର୍ତ୍ତଟିକୁ ପଛକୁ ପଛକୁ ଗଡ଼ାଇ ନେଉଥିବାର ସିଦ୍ଧି, ଯେଉଁ ଦ୍ଵାରଗୁଡ଼ାକ ନିତାନ୍ତ ଫିଟିଯିବା ଦରକାର, ଅତି ନିଷ୍ଠାପର ଏବଂ ଅନମନୀୟ ଭାବରେ ସେହିଗୁଡ଼ିକୁ ବନ୍ଦକରି ରଖିବାର ସିଦ୍ଧି । ମାତ୍ର ଏହି ସିଦ୍ଧିଗୁଡ଼ାକୁ ନେଇ ଆମେ ପ୍ରକୃତରେ କ’ଣ ପାଇଲୁ ? ଏଗୁଡ଼ାକୁ ଆଶ୍ରୟ କରି ଆମେ ପ୍ରକୃତରେ କ’ଣ ହୋଇ ପାରିଲୁ ? ଆମ ଜୀବନର ବିବରଗୁଡ଼ାକରେ ଆଲୋକର ପ୍ରବେଶ ଘଟାଇବାରେ ଏବଂ ବାୟୁ ସ୍ପର୍ଶ କରାଇବାରେ ସେ ସବୁ ଆମକୁ କେତେଦୂର ସାହାଯ୍ୟ କଲେ ? ଆଜି ଏହି ଅପରାହ୍ନରେ ମଧ୍ୟ ଆମେ ଟିକିଏ ନିଶ୍ଚଳ ହୋଇବସି ସେହି ସବୁ ବିଷୟରେ ଚିନ୍ତା କରି ପାରିବା ।

 

ଉତ୍କଳର ଗୌରବ ମଧୁବାବୁ ନିଜେ କେବେ ହେଲେ ସାମ୍ବାଦିକତା କରିନଥିଲେ ସତ, ମାତ୍ର ସମ୍ଭବତଃ ସେହି ମଧୁବାବୁହିଁ ଓଡ଼ିଶାକୁ ଭାରତ ବର୍ଷର ବୃହତ୍ତର ସମ୍ବାଦ ପରିସରକୁ ଆଣିବାରେ ତତ୍କାଳୀନ ସମସ୍ତଙ୍କଠାରୁ ଅଧିକ କାର୍ଯ୍ୟ କରିଥିଲେ । ଆଜିଠାରୁ ଅନେକ ଦଶକ ତଳେ ଉତ୍କଳର ସନ୍ତାନମାନଙ୍କୁ ସେ ଖୋସାମଦକାରୀ ବୋଲି କହିଥିଲେ । ତୋଷାମଦକୁ ସେ ଅନ୍ଧାର ଗୋହିରି ବୋଲି କହିଥିଲେ ଏବଂ ସେହି ଗୋହିରିରେ ସ୍ୱାର୍ଥ ଲୁଚି ବସିଥାଏ ବୋଲି କହିଥିଲେ । ସାମ୍ବାଦିକତା ନାମରେ ଆଜି ଆମେ ଯେଉଁମାନେ ଖୋସାମଦ କରୁଛୁ, -କ୍ଷମତାକୁ ଖୋସାମଦ କରୁଛୁ, ମାଉଁସ ଲାଗିଥିବା ଗୋଡ଼କୁ ଖୋସାମଦ କରୁଛୁ, ଯେଉଁ ଦୌରାତ୍ମ୍ୟଗୁଡ଼ାକର ଚାଟୁକାରିତା କରୁଛୁ, ସେଇ ଆମ୍ଭେମାନେ ବି କ’ଣ ଗୋହିରିଗୁଡ଼ାକ ଭିତରେ ଆମର ସ୍ଵାର୍ଥସିଦ୍ଧିଗୁଡ଼ାକୁ ହିଁ ଢାଙ୍କୁଣୀ ଦେଇ ରଖିଛୁ ? ଏବଂ ସ୍ଵାର୍ଥସିଦ୍ଧିଗୁଡ଼ାକୁ ହିଁ କ’ଣ ଆମେ ସିଦ୍ଧିରେ ଗଣନା କରିବାରେ ଲାଗିଛୁ ? ଶ୍ରେଷ୍ଠୀମାନଙ୍କୁ ବାପୁରେ ଫୁଲାଇ, ସେମାନଙ୍କର ମିଥ୍ୟାଗୁଡ଼ାକୁ ସୁଦୃଶ୍ୟ ସତ୍ୟରୂପେ ଫୁଲାଇ ଆମେ ସବୁ କ’ଣ କେବଳ ନିଜର ନାନା ଗର୍ଭ ଓ ଗର୍ଭର ଭରଣା କରିବାକୁ ଇଚ୍ଛା କରୁଛୁ କି-? ଏବଂ ସେହି ପ୍ରକ୍ରିୟାରେ ଏହି ଦେଶରେ ସାମ୍ବାଦିକତାର ଅସଲ ମୂଳ ଏବଂ ଅସଲ କଷ୍ଟଗୁଡ଼ାକୁ ହିଁ ବିଷଜର୍ଜ୍ଜର କରି ପକାଇଛୁ କି ?

 

ସରକାରମାନଙ୍କର ଯେଉଁଠି ଆପଣାର ଖାସମାହାଲୀ ସମ୍ବାଦପତ୍ର ଓ ପତ୍ରିକାମାନ ରହିଥାଏ ଯାବତୀୟ ସରକାରୀ ପ୍ରସଙ୍ଗକୁ ତୁଚ୍ଛା ସୁଆଙ୍ଗ ମାତ୍ରାରେ ବଢ଼ାଇ ବଖାଣିବାକୁ ହିଁ ସେ ସବୁରେ ସାମ୍ବାଦିକତା ବୋଲି ଧରି ନିଆଯାଇଥାଏ । ମାତ୍ର ସେ ସବୁ ପ୍ରସଙ୍ଗ ହେଉଛି ଭୃତ୍ୟମାନଙ୍କର ହିଁ ପ୍ରସଙ୍ଗ, ସ୍ତୁତି ପାଉଥିବ ଓ ସ୍ତୁତି କରୁଥିବା ଉଭୟବିଧ ଭୃତ୍ୟମାନଙ୍କର ତାହା ଏକ ରସହୀନ ପ୍ରସଙ୍ଗ । ତାହା ସାମ୍ବାଦିକତା ନୁହେଁ । ସେସବୁ ଭିତରେ ଯେଉଁମାନେ ନୀଳବର୍ଣ୍ଣ ହୋଇ ପଶିଥାନ୍ତି, ସେମାନେ ମଧ୍ୟ କଦାପି ସାମ୍ବାଦିକ ନୁହନ୍ତି । ସମ୍ଭବତଃ କୌଣସି ପ୍ରକାର ସୁଆଙ୍ଗକୁହିଁ ସାମ୍ବାଦିକତା ବୋଲି କୁହାଯାଇ ପାରିବ ନାହିଁ ।

 

ଖୋସାମଦକାରୀ ହିସାବରେ, ସଫଳ ଚତୁର ମଣିଷ ହିସାବରେ ଆମେ ସିଦ୍ଧି ପରେ ସିଦ୍ଧି ଲାଭ କରୁଥିଲେ ବି ତଥାପି ତାକୁ ଯେ ସାମ୍ବାଦିକତାର ସିଦ୍ଧି ବୋଲି କୁହାଯିବ, ତାହା ଆଦୌ ନୁହେଁ । ଆମର ବିଗତ ବର୍ଷଗୁଡ଼ାକର ସେହିସବୁ ସିଦ୍ଧି ଭବିଷ୍ୟତ ଲାଗି କେବଳ ନାନା ଅସିଦ୍ଧି ରୂପେହିଁ ପ୍ରକୀର୍ତ୍ତିତ ହୋଇ ରହିଯିବ । ଯେଉଁଭଳି ଏକ କାଳପର୍ଯ୍ୟାୟରେ ସବୁଠାରୁ ଅଧିକ ଉଦ୍ୟମର ଆବଶ୍ୟକତା ଥିଲା ଓ ସବୁଠାରୁ ଅଧିକ ନିର୍ଭିକତାର ଆବଶ୍ୟକତା ଆଣିଲା, ସବୁଠାରୁ ଅଧିକ ସାଧୁତାର ଆବଶ୍ୟକତା ରହିଥିଲା, ସେହି ପର୍ଯ୍ୟାୟରେ ଆମେ ଜାଣି ଶୁଣି ଖୋସାମଦିଆ ହୋଇ ରହିଲୁ ଜାଣିଶୁଣି ଅସାଧୁ ହେଲୁ ବିଭିନ୍ନ ଦର୍ପର ସହିତ ଭୀରୁ ହେଲୁ । ସାମ୍ବାଦିକତାର ଘରକୁ ଗୋଟାସୁଦ୍ଧା ବଣା କରି ରଖିଲୁ ଉଦ୍ୟମରେ, ସାଧୁତାରେ ଏବଂ ନିର୍ଭୀକତାରେ ଯେଉଁ ଅସଲ ସଂସିଦ୍ଧିଟି ନିହିତ ହୋଇ ରହିଛି, ଆମେ ସେଇଟିକୁ ଜାଣିଶୁଣି ପାସୋରି ରହିଲୁ । ପାସୋରି ମୋଟା ହେଲୁ, କୋଠା ତୋଳିଲୁ ଦୁରାତ୍ମା ଓ ଦୁରାଚାରୀ ହେଲୁ ସିନା, ମାତ୍ର ସାମ୍ବାଦିକ ହେବାର ସିଦ୍ଧିଟିକୁ ଲାଭକରି ପାରିଲୁ ନାହିଁ । ଆମେ ଯୁଗର ଅବିଶ୍ୱାସ ଏବଂ ଅମାନୁଷିକତାଗୁଡ଼ାକୁ ସିଂହାସନରେ ବସାଇ ରଖିବାରେ ନିମିତ୍ତ ହେଲୁ । ଆପଣା ହାତରେହିଁ କାଳଘାତୀ ହେଲୁ, ଆତ୍ମଘାତୀ ହେଲୁ । ଆକାଶଗୁଡ଼ାକୁ ବୀଭତ୍ସ କରି ରଖିଲୁ ।

 

୧୫.୧୧.୧୯୭୭

(ଧରିତ୍ରୀ, ଜନ୍ମଦିବସ ବିଶେଷାଙ୍କ ୨୪.୧୧.୧୯୭୭)

Image

 

Unknown

ନିୟମ ସମ୍ବନ୍ଧରେ

 

ନିୟମଗୁଡ଼ାକୁ ଏହି ମଣିଷ ହିଁ ତିଆରି କରିଥିଲା, ଭଗବାନ କଦାପି ତିଆରି କରି ନଥିଲେ । ମଣିଷ ନିୟମ ତିଆରି କଲା ଏବଂ ନିୟମର ଦାସ ହୋଇ ରହିଲା । ନିୟମର ଦାସ ହୋଇ ରହିବାକୁ ହିଁ ସିଏ ସ୍ୱର୍ଗ ବୋଲି ମାନିଲା । ନିୟମଗୁଡ଼ାକୁ ମାନୁଥିବା ମଣିଷ ଲାଗି ସିଏ ସ୍ୱର୍ଗର ବରାଦ କରିଦେଲା ଏବଂ ନିୟମଗୁଡ଼ାକୁ ନ ମାନୁଥିବା ମଣିଷମାନଙ୍କ ଲାଗି ନରକର ବ୍ୟବସ୍ଥା କରି ରଖିଲା । ଭଗବାନ ଶ୍ରଦ୍ଧାରେ ବଶ ହୁଅନ୍ତି ବୋଲି କହିଲା ସିନା, ମାତ୍ର ସେହି ଶ୍ରଦ୍ଧାର ଭାଜନ ହେବାଲାଗି ଏବଂ ତାହାର ଅନୁଶୀଳନ କରିବା ଲାଗି ନିୟମ ପରେ ନିୟମ ଆଣି ବାନ୍ଧିଦେଲା । ଭଗବାନ ଭକ୍ତିରେ ଉପଲବ୍ଧ ହୁଅନ୍ତି ବୋଲି କହିଲା ସିନା, ମାତ୍ର ଭକ୍ତିକୁ ମଧ୍ୟ କେତେକେତେ ନିୟମ ବସାଇ ସରିସରି କରି ବାନ୍ଧିଦେଲା, କେତେ ନିୟମ ଦେଇ ତାକୁ ତଳଉପର କରି ସଜାଇ ଦେଲା–ଭକ୍ତିର ଜାତି ଏବଂ ପ୍ରବୃତ୍ତିଗୁଡ଼ାକୁ ଠିକେ ଠିକେ ବଢ଼ାଇ ପାରିବା ଲାଗି କେତେ ସୂତ୍ର ବାଢ଼ିଦେଲା, କେତେ ଶାସ୍ତ୍ର ଲେଖି ଥୋଇଦେଲା ଏବଂ ଶେଷରେ ସେହି ସୂତ୍ର ଓ ସେହି ଶାସ୍ତ୍ରଗୁଡ଼ାକୁ ହିଁ ସେ ଭଗବାନ ବୋଲି ପୂଜା କରିବାକୁ ଲାଗିଲା ।

 

ଶ୍ରଦ୍ଧାକଲେ ଯେ ଶ୍ରଦ୍ଧାର ଅନୁଶୀଳନ ହୁଏ ଭକ୍ତିକଲେ ଯେ ଭକ୍ତିର ବୀଜ ଅଙ୍କୁରିତ ହୋଇଆସେ, ନିୟମ ଭିତରେ ଭଗବାନଙ୍କୁ ଓ ଭଗବତ ପଥକୁ ସାଧ୍ୟକରି ରଖିବାକୁ ବାହାରୁଥିବା ମଣିଷମାନେ ସେକଥା ଜାଣିବେ କୁଆଡ଼ୁ? ସାହିତ୍ୟର ନିୟମବନ୍ଧଗୁଡ଼ାକୁ ଅନେକେ ସାହିତ୍ୟିକ ସରୋବର ଭିତରକୁ ପାବଚ୍ଛ ପ୍ରାୟ ଜ୍ଞାନକରନ୍ତି, ସଙ୍ଗୀତର ନିୟମଗୁଡ଼ାକୁ ହିଁ ସଙ୍ଗୀତର ଭାବ ଭିତରେ ପ୍ରବେଶ କରିବାର ଅସଲ ରହସ୍ୟ ବୋଲି ଜାଣନ୍ତି । ସେମାନେ ବ୍ୟାକରଣକୁ ହିଁ ଜୀବନ ବୋଲି ଆବୋରି ନିଅନ୍ତି । ଜୀବନର ଅସଲ ଭାଷାଟିକୁ ହରାଇ, ଅସଲ ଖିଅଟିକୁ ହାତଛଡ଼ା କରି ସେମାନେ ଜୀବନ ଠାରୁ ଦୂରେଇ ଯାଆନ୍ତି । ଶ୍ରଦ୍ଧାଠାରୁ ଦୂରଛଡ଼ା ହୋଇ ରହନ୍ତି । ସେମାନେ ମଠ କରନ୍ତି, ଗାଦି ଗଢ଼ନ୍ତି, ସମ୍ପ୍ରଦାୟ ବଢ଼ାନ୍ତି, ଗୁରୁଙ୍କ ନାମରେ ବାଡ଼ ବସାନ୍ତି ଏବଂ ବାଡ଼ ସେପାଖରେ ରହିଥିବା ଆଉ ସମସ୍ତଙ୍କୁ ଘୃଣା କରିବାରେ ଲାଗିଥାନ୍ତି । ତା’ପରେ ପ୍ରେମ ଚୁଲିକୁ ଯାଏ, ପାଶମୁକ୍ତି ବି ଚୁଲିକୁ ଯାଏ ଏବଂ ଭଳିକିଭଳି ଭେକର ସୃଷ୍ଟିହୁଏ, ଚିତା ଓ ପଇତାର ସୃଷ୍ଟିହୁଏ, ଗେରୁଆ ବସ୍ତ୍ରର ସୃଷ୍ଟିହୁଏ, ଭାବରେ ଅବଗାହିବାକୁ ଯିବାର ନାଆଁରେ ଗୁଡ଼ାଏ ଆବୁରୁ ଜାବୁରୁ ମୁଖାର ସୃଷ୍ଟିହୁଏ । ଅସଲ ଦେହଟିକୁ ଓ ଅସଲ ମନଟିକୁ ଘୋଡ଼ାଇ ରଖିବା ଲାଗି ଅନେକ ବର୍ମର ସୃଷ୍ଟି ହୁଏ । ଯେଉଁ ଦେହ ଓ ଯେଉଁ ମନକୁ ଭଗବାନଙ୍କ ଲାଗି ଅର୍ପଣ କରାଯାଇ ପାରିଥାଆନ୍ତା–ଯେଉଁ ଦେହ ଭଗବାନଙ୍କ ଆଳୟ–ବିଜ୍ଞାନରେ ସର୍ବପ୍ରଥମ ଭୂମି ହୋଇପାରିଥାନ୍ତା ଓ ଯେଉଁ ମନ ଭଗବାନଙ୍କ ଲାଗି ଉତ୍ତୋଳିତ ହୋଇଯିବାର କ୍ରମରେ ସର୍ବପ୍ରଥମ ଲିଭର ପରି କାର୍ଯ୍ୟ କରିଥାନ୍ତା । ଆମେ ସେଗୁଡ଼ିକୁ ନାନା ନିୟମ ଭିତରେ ଓ ତଥାକଥିତ ନିଷ୍ଠା ଭିତରେ ଲୁଚାଇ କରି ରଖିଦେଉ ଏବଂ ଏହିସବୁ ଅପଧନ୍ଦା ଭିତରେ ହଳଦି ବରନ ଆସନଟି ଉପରେ ଆମେ ବେଶ ନିଶ୍ଚିନ୍ତ ହୋଇ ବସିଯାଉ । ଧର୍ମର ବିପଣିଟି ଗହଳ ଲଗାଇ ଚାଲିବାରେ ଲାଗିଥାଏ ।

 

ଏହିସବୁ କାରିଗରିରେ ଗାମ୍ଭୀର୍ଯ୍ୟ ଭର୍ତ୍ତିକରିଦେଇ ଅନେକ ସମୟରେ ଏହାକୁ ଶୃଙ୍ଖଳା ବୋଲି କୁହାଯାଇଥାଏ । ଯୋଗ କହିଲେ ଏକଦା ଗୋଟାଏ ମତବାଦ ଅନୁସାରେ ସତେ ଅବା ଗୁନ୍ଥାହୋଇ ରହିଥିବା ତୁଚ୍ଛା ଯମ ଓ ନିୟମଗୁଡ଼ାକୁ ହିଁ ବୁଝାଉଥିଲା । ଯୋଗ କହିଲେ ଯେ ମୂଳତଃ ଯୁକ୍ତ ହୋଇ ରହିବାକୁ ବୁଝାଏ, ସେକଥା ପ୍ରାୟ ପାସୋରି ହୋଇ ରହିଥିଲା । ଦେବତା ଯନ୍ତ୍ରଭିତରେ ଧରାଦିଅନ୍ତି ଓ ପ୍ରତୀକ ଭିତରେ ଅଲବତ୍ ମିଳନ୍ତି ବୋଲି କେଡ଼େ ଦମ୍ଭର ସହିତ ଘୋଷଣା କରାଯାଇଥିଲା । ସେହି ଯନ୍ତ୍ରଗୁଡ଼ାକୁ ଯେପରି ଅଧିକ ପାରଙ୍ଗମତା ସହକାରେ ଆଶ୍ରୟ କରାଯାଇ ପାରିବ, ସେଥିଲାଗି ସଂସାରକୁ ଛାଡ଼ି ଆଉ କୁଆଡ଼େ ପଳାଇ ଯିବା ପାଇଁ ପ୍ରରୋଚନା ଦିଆଯାଉଥିଲା । ଶୃଙ୍ଖଳାକୁ ସତେ ଅବା ଶୃଙ୍ଖଳର ହିଁ ଏକ ଅନ୍ୟ ନାମ ବୋଲି ମାନି ନିଆଯାଉଥିଲା । ଯୁକ୍ତ ହେବା ଅର୍ଥାତ୍‍ ଉନ୍ମୋଚିତ ହୋଇଯିବା, ଯୁକ୍ତ ହେବା ଅର୍ଥାତ୍‍ ଆପଣାକୁ ବାଡ଼ଦେଇ ରଖିଥିବା ବନ୍ଧଗୁଡ଼ାକୁ ଭାଙ୍ଗିଦେବା ଏବଂ ଶୃଙ୍ଖଳରେ ବାନ୍ଧିହୋଇ ରହିଥିବା ମଣିଷ ପୁଣି ଉନ୍ମୋଚିତ ହୋଇ ପାରିବ କିପରି, ଉନ୍ମୋଚିତ ହେବାକୁ ଯିବ ବା କାହିଁକି ? ଆମର ଧର୍ମଗୁଡ଼ାକ ଯୁଗେ ଯୁଗେ ଆମ ଲାଗି ଏହି ଉନ୍ମୋଚନର ହିଁ ବାଟ ବତାଇ ଦେଉଥାନ୍ତା, ଆମକୁ ଉନ୍ମୋଚନର ପ୍ରେରଣା ଦେଉଥାନ୍ତା । ମାତ୍ର ଶୃଙ୍ଖଳଗୁଡ଼ାକର ଭିଆଣ କରୁଥିବା ଏକ ଅସିଦ୍ଧ ମାମଲତକାରିରେ ପରିଣତ ହୋଇ ସେସବୁ ଆମକୁ ବାନ୍ଧିହୋଇ ରହିବାରେ ହିଁ ଅଧିକ ସାହାଯ୍ୟ କଲା, ନିଜେ ମଧ୍ୟ ନାନା ଅପପ୍ରେରଣା ଭିତରେ ବାନ୍ଧିହୋଇ ରହିଲା । ଆପଣାର ଉତ୍ସବଟିକୁ ପାସୋରି ପକାଇଲା । ଆମର ଧର୍ମ ଆମ ଗଣ୍ଠିଗୁଡ଼ାକୁ ଫିଟାଇଦେବା ପରିବର୍ତ୍ତେ ଆମକୁ କେତେଭଳି ଗଣ୍ଠି ଭିତରେ ସାବାଡ଼ ଓ ବାଧ୍ୟକରି ରଖିଲା । ଆମରି ଭିତରେ ରହିଥିବା ଆମର ଅସଲ ସମ୍ପଦଟି ବିଷୟରେ ଆମକୁ ବିସ୍ତୃତ କରି ରଖିଲା । ଅଫିମ ମଣିଷକୁ ଯେପରି ବିସ୍ତୃତ କରି ରଖେ, ପ୍ରାୟ ସେହିପରି ।

 

ମଣିଷର ଅସଲ ସତ୍ୟ ତା’ର ନିଜ ଭିତରେ । ଏହି ସତ୍ୟ ତା’ ବାହାରେ ମଧ୍ୟ ରହିଛି, ବିଶ୍ୱଭରି ରହିଛି ଓ ବିଶ୍ୱାତୀତ ହୋଇ ରହିଛି ସତ, ମାତ୍ର ଆମେ ଆପଣା ତା’ର ପରିଚୟଟିକୁ ଭଲକରିବା ପରେ ଯାଇ ତାକୁ ବିଶ୍ୱମୟ ତଥା ବିଶ୍ୱାତୀତ ବୋଲି ଚିହ୍ନିବାରେ ସମର୍ଥ ହୋଇଯିବା । ସେହି ସତ୍ୟ ଆମ ଭିତରେ ଅଙ୍କୁର ରୂପେ ରହିଛି, ଉନ୍ମୋଚନ ଲାଗି ଅପେକ୍ଷା କରି ରହିଛି । ଆମେ ତାକୁ ନାନା ନିୟମର ଗଣ୍ଠିଦେଇ ବାନ୍ଧି ରଖିବାକୁ ଗଲେ କଦାପି ତାହା ପ୍ରତି ନ୍ୟାୟ ବିଚାର କରି ପାରିବା ନାହିଁ, ଆପଣାର ସେହି ଗଭୀର ଗନ୍ତାଘରଟି ମଧ୍ୟରୁ ଏ ଯାଏ ଅର୍ଥାତ୍‍ ଆମର ଯାବତୀୟ ଆକୃତି ଓ ଆଗ୍ରହକୁ ଏକାଠି କରି ଧରି ରଖିଥିବା ଆମର ଜୀବନଟି ଯାଏ ବାଟ ଫିଟେଇଦେଇ ପାରିଲେ ଯାର ଆମେ ସେହି ଅଙ୍କୁରଟିକୁ ବିକଶିତ କରାଇ ଆଣିପାରିବା । ସେହି ସତ୍ୟଟି ପାଖରେ ଥରେ ଯାଇ ପହଞ୍ଚିପାରିଲେ ଓ ତାହାକୁ ହିଁ ଆପଣାର ଅନ୍ତରତମ ସମ୍ପଦ ରୂପେ ଚିହ୍ନିନେଇ ପାରିଲେ ଯାଇ ଆମେ ସବୁରି ଭିତରେ ମଧ୍ୟ ତାହାରି ସ୍ପର୍ଶ ଅନୁଭବ କରିପାରିବା, ସବୁରି ଭିତରେ ତାହାରି ସଜାତୀୟ ସମ୍ପଦଟିକୁ ଆବିଷ୍କାର କରିପାରିବା । ଏହି ବିଶ୍ୱ ସଂସାର ସହିତ ସଖ୍ୟବାନ୍ଧି ପାରିବା ଓ ଏ ଘରଟିରେ ଭଗବାନଙ୍କ ଲାଗି ଥାନଟିଏ ତିଆରି କରିନେଇ ବି ପାରିବା । ସେତେବେଳେ ବୈରାଗୀ ଅର୍ଥାତ୍‍ ବିରକ୍ତ ଯତି ହୋଇ ବାହାରିବା ଲାଗି ଆଉ କୌଣସି ଆବଶ୍ୟକତା ନ ଥିବ, ଅବକାଶ ମଧ୍ୟ ନ ଥିବ । ଜୀବନର ଯାବତୀୟ ନିୟମ ଫୁଟିବାର ଏକ ସ୍ୱକୀୟ ନିୟମରେ ହିଁ ରୂପାନ୍ତରିତ ହୋଇଯିବ । ଆମର ସକଳ ବିରାଗ ଏକ ବିରକ୍ତି ଗୋଟିଏ ଅନୁରାଗ ମଧ୍ୟକୁ ରୂପାନ୍ତରିତ ହୋଇଆସିବ, ଆମ ଜୀବନଯାତ୍ରା ସତେ ଅବା ଏକ ଅଭିସାର-ଯାତ୍ରାରେ ରୂପାନ୍ତରିତ ହୋଇଯିବ ଏବଂ ଏହି ଜଗତଟା ମଧ୍ୟ ବୃନ୍ଦାବନ ପରି ଅନୁଭୂତ ହେବାକୁ ଲାଗିବ ।

 

ଯିଏ ଶରଣ ଦିଅନ୍ତି ସେ ଆମଠାରୁ କୌଣସି ନିୟମର ପ୍ରତ୍ୟାଶା କରନ୍ତି ନାହିଁ । ଶରଣଦ ନିୟମରେ ବଶ ହୁଅନ୍ତି ନାହିଁ । ନିୟମର ଦାସ ହିଁ ନିୟମରେ ବଶହୁଏ । ନିସୟମକୁ ରତ୍ନବୁଜୁଳା ବୋଲିମାନେ ଏବଂ ନିୟମଗୁଡ଼ାକ ଉପରେ କେତେ କିସମର ପାଟକନା ଗୁଡ଼ାଇ ତାହାକୁ ହିଁ କାମ ଓ କର୍ଷଣୀୟ ବୋଲି ଦେଖାଉଥାଏ । ଶରଣଦ ଭାବରେ ବଶହୁଅନ୍ତି, ଅର୍ଥାତ୍ ସିଏ ଭାବକୁ ନିକଟ ହୋଇ ଆସନ୍ତି, ସିଏ ଶ୍ରଦ୍ଧା ଦ୍ଵାରା ବଶ ହୁଅନ୍ତି ସମର୍ପଣ ଦ୍ଵାରା ବଶ ହୁଅନ୍ତି । ଆମ ଜୀବନଟା ଯେତେବେଳେ ନିୟମର ଫାଶଗୁଡ଼ାକରୁ ମୁକ୍ତ ହୋଇ ଡୋର ଲଗାଇବାର ଅସଲ ରୀତିଗୁଡ଼ିକୁ ଆୟତ୍ତକରି ନେଇ ପାରିବ, ଅର୍ଥାତ୍ ତାହା ଯେତେବେଳେ ଅସଲ ରୀତିଟି ଲାଗି ସାହସ କରି ପାରିବ, ସେତେବେଳେ ତାର ଜୀବନରୁ ନିୟମରୂପୀ ରାଜାମାନେ କୁଆଡ଼େ ବିଦା ହୋଇ ଚାଲିଯିବେ, ଅସଲ ରାଜାଟିକୁ ବାଟ ଛାଡ଼ି ଦେଇ ଯିବେ । ଅସଲ ରାଜାର ରାଜ୍ୟରେ ଫାଶ ପକାଇ ଚଢ଼େଇ ଧରିବା ଲାଗି ଆଦୌ କୌଣସି ନିୟମ ନାହିଁ । ଅସଲ ରାଜା ବ୍ୟାଧବୃତ୍ତି କରନ୍ତି ନାହିଁ । ସିଏ ଶରଣ ଦେଇ ପାରନ୍ତି, ଜନନୀ ହୋଇ ଆମକୁ ନୂତନ ଜନ୍ମ ଦିଅନ୍ତି-ଆମକୁ ସତ୍ୟର ସ୍ପର୍ଶ ଆଣି ଦିଅନ୍ତି ଏବଂ ସତ୍ୟ ସ୍ପର୍ଶରୁ ହିଁ ସତ୍ୟ ବିବେକର ଜନ୍ମ ହୋଇଥାଏ ।

 

(ଧରିତ୍ରୀ, ପଞ୍ଚମ ଜନ୍ମବାର୍ଷିକୀ ବିଶେଷାଙ୍କ ୧୯୭୮)

Image

 

କର୍କଶପଥ କୋରାପୁଟ

 

କୋରାପୁଟ ରାଜ୍ୟଟାଜାକ ଆଦିବାସୀଙ୍କର ରାଜ୍ୟ । ଓଡ଼ିଆଙ୍କର ରାଜ୍ୟ । ଓଡ଼ିଆଙ୍କର ନୁହେଁ କି ତେଲେଙ୍ଗାଙ୍କର ନୁହେଁ । କୋରାପୁଟ ଓଡ଼ିଶାର ନୁହେଁ କି ଆନ୍ଧ୍ରର ନୁହେଁ । କଟକରେ ବସି ଆମେ ଓଡ଼ିଆମାନେ କୋରାପୁଟକୁ ଗୋଟା ସୁଦ୍ଧା ଆମର ବୋଲି ଭାବୁ । ଆମ ଓଡ଼ିଶାର ବୋଲି ଭାବୁ । ଅନେକ ସମୟରେ ଆମ ଜମିଦାରୀ ବୋଲି ଭାବୁ । ଠିକ୍ ସେହିପରି ଆମର ଦୋସରମାନେ ତେଣେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଅଥବା ପାର୍ବତୀପୁରମ୍‌ରେ ବସି କୋରାପୁଟଟା ସେମାନଙ୍କ ହାତରୁ ଖସି ଓଡ଼ିଶା ହାତକୁ ଚାଲିଗଲା ବୋଲି ଏବେ ପଇଁଚାଳିଶି ବର୍ଷ ପରେ ମଧ୍ୟ କମ ଅବଶୋଷ କରୁ ନଥିବେ ।

 

ଓଡ଼ିଶାରେ ଲେଖିପଢ଼ି ଜାଣିବା ମଣିଷ ଶହେରେ ମୋଟେ ପଚିଶ ଜଣ ରହିଥିଲେ ମଧ୍ୟ ଆମେ ଯେଉଁମାନେ ନିଜକୁ ଓଡ଼ିଆ ବୋଲି କହି ଫୁଲେଇ ହେଉ, ଓଡ଼ିଶାକୁ ଓଡ଼ିଆମାନଙ୍କ ଲାଗି ଏକ ସ୍ଵତନ୍ତ୍ର ମାହଲରେ ପରିଣତ କରିଥିବାରୁ ସେ କାଳର କେତେଜଣ ହିରୋମାନଙ୍କ ବେକରେ ମାଳା ପିନ୍ଧାଉ, ଆମେ ସେଇମାନେ ହିଁ କୋରାପୁଟକୁ ସତେବା ଆମର ଗୋଟାଏ ଜମିଦାରୀ ବୋଲି ଜ୍ଞାନ କରୁ । ଖାସ ଆମର ଜମିଦାରୀ ବୋଲି ବିଶ୍ଵାସ କରୁ । ଆମ କୋରାପୁଟକୁ କିଏ କଲେକ୍‍ଟର ହୋଇ ଯାଉ, କିଏ ଇଞ୍ଜିନିୟର ହୋଇଯାଉ, ଏବଂ ଆହୁରି କ’ଣ ନା କ’ଣ ହୋଇଯାଉ-। ଆହୁରି ଦଳେ ସରକାରଙ୍କର କାମ କରୁ କରୁ ସେଠାରେ ଜଗନ୍ନାଥଙ୍କ ଲାଗି ବି କିଛି କାମ କରି ଆସନ୍ତି । ଆଦିବାସୀ ଝିଅଙ୍କ ମୁଣ୍ଡରେ ମାଟି ବୁହାଇ, ସିମେଣ୍ଟ ଓ ଇଟା ବୁହାଇ, ସେମାନେ ସେଠି ପର୍ବତ ଉପରେ ମନ୍ଦିର ତୋଳାନ୍ତି । ହିନ୍ଦୁ ମତରେ ଠାକୁରମାନଙ୍କର ଥାପନା କରାନ୍ତି, ଅବିକଳ ଶ୍ରୀକ୍ଷେତ୍ର ପରି ସେଠାରେ ମଧ୍ୟ ଦିନ ଓ ରାତି, ମାସ ଓ ବରଷ ଯାକର ନୀତିମାନ ଖଞ୍ଜି ଦିଅନ୍ତି । ଆହୁରି ଅନେକ ଓଡ଼ିଆ କୋରାପୁଟରେ ଆଦିବାସୀମାନଙ୍କୁ ହିନ୍ଦୁ କରିବାକୁ ଚେଷ୍ଟାକରନ୍ତି କେବଳ ଖ୍ରୀଷ୍ଟିଆନ ମିଶନାରିମାନେ କାହିଁକି ଆଦିବାସୀମାନଙ୍କୁ ଏକୁଟିଆ ଭୋଗ କରିବେ, ସେମାନଙ୍କୁ କାହିଁକି ନିଜ ଧର୍ମର ଘୁମ ଭିତରେ ନେଇ ପୁରାଇ ରଖିବେ, ଏହିପରି ଏକ ସପତ୍ନୀଶ୍ଳେଷ ଦ୍ୱାରା ବେଶ୍‍ ଉତ୍ତେଜିତ ହୋଇ ଅନେକ ଧର୍ମପ୍ରାଣ ଓ ଧର୍ମୋତ୍ସାହୀ ଉପକୂଳିଆ ଓଡ଼ିଆ ସେଥିରେ ନିଜ ପାଇଁ ବି ଭାଗ ବସାଇବାକୁ ଇଚ୍ଛା କରୁଥାନ୍ତି ।

 

ତଥାପି କହିବାକୁ ହେବ, କୋରାପୁଟ ଆଦିବାସୀଙ୍କର । ସେହି ସେହି ଆଦିବାସୀମାନେ ହିଁ କୋରାପୁଟ ଜିଲ୍ଲାର ଧାତୁଗତ ପ୍ରକୃତି ସହିତ ଅତ୍ୟନ୍ତ ସ୍ୱାଭାବିକ ଭାବରେ ମିଶିକରି ରହିଥିବା ପରି ମନେ ହୁଅନ୍ତି । ଯେଉଁ ଉପକୂଳିଆମାନେ ଏଠାରୁ କୋରାପୁଟକୁ ଯାଆନ୍ତି, ଯେଉଁମାନେ ସେଠାରେ ଚାକିରୀ କରନ୍ତି, ପାଠ ପଢ଼ାନ୍ତି, ନଦୀରେ ବନ୍ଧ ପକାନ୍ତି ବା ଆଉ କୌଣସି ପ୍ରକାରର କାଗଜ କାମ କରିବା ଲାଗି ସେଠାକୁ ଯାଆନ୍ତି, ସେମାନେ ଗଲାବେଳେ ଭାରି ଅମଙ୍ଗ ହୋଇ ସେଠାକୁ ଯାଆନ୍ତି । ନଯିବା ଲାଗି କେତେ ଚେଷ୍ଟା କରନ୍ତି, ତଥାପି ନହୋଇ ପାରିଲେ ବାଧ୍ୟ ହୋଇ କପାଳ ଆଦରି ସେମାନେ କୋରାପୁଟ ଯାଆନ୍ତି ଏବଂ ସେଠାକୁ ଗଲାପରେ ସେଠାରେ ଥିବା ସଂସାରଟାକୁ ସତେ ଅବା ଆପଣାର ଜମିଦାରୀ ବୋଲି ଧରିନିଅନ୍ତି । ସେଠି ସେମାନେ ଧନୀ ଏବଂ ଯଶସ୍ୱୀ ହେବାର ଗୁମରଗୁଡ଼ାକୁ ଆୟତ୍ତ କରି ନିଅନ୍ତି ଏବଂ ସେଠାରେ ବାସ କରୁଥିବା ଆଦିବାସୀମାନଙ୍କୁ ଆପଣାର ନାନା କାର୍ଯ୍ୟରେ ଲଗାନ୍ତି । ସେମାନେ କେବେହେଲେ କୋରାପୁଟକୁ ଆପଣାର ଘର ବୋଲି ମନେ କରନ୍ତି ନାହିଁ । ସେମାନଙ୍କର ଅମଲା ଅନୁରାଗଗୁଡ଼ାକ କେବଳ ନିଜର ଘରଟି ସହିତ ଲାଗି ରହିଥାଏ । ସେମାନେ ସେଠାରେ ବାସ କରୁଥିବା ମଣିଷର ସଂସାରକୁ ନାରଖାର କରିଦେବାକୁ ଯାଆନ୍ତି । ସେଠାରେ ଅନେକ ଘରକୁ ଉଜୁଡ଼ାଇ ସେଠି ଫୁଟୁଥିବା ଓ ଫଳୁଥିବା ଫୁଲ ଓ ଫଳ ଅତ୍ୟନ୍ତ ନିର୍ମମ ଭାବରେ ଦୁହିଁ ଆଣିବାକୁ ହିଁ ଧର୍ମ ବୋଲି ଧରିନିଅନ୍ତି । ସେମାନେ ସେଠାରେ ମୋଟେ ଖାପଖାଇ ପାରନ୍ତି ନାହିଁ । ୟୁରୋପରୁ ଆଫ୍ରିକାକୁ ଯାଇ ଉପନିବେଶ ସ୍ଥାପନ କରିଥିବା ଗୋରା ମହାପୁରୁଷମାନେ ସେଠୁ ଠିକ୍ ଏହିପରି ଭାବରେ ସବୁ ଦୁହିଁ ଆଣିବାକୁ ମନ କରିଥିବେ । ତଥାପି ଆଫ୍ରିକାର ମାଟି, ଆଫ୍ରିକାର ପାଣି ଓ ଆଫ୍ରିକାର ହୃଦୟ ସହିତ ମୋଟେ ଖାପ ଖାଇ ନ ଥିବେ । ସେମାନେ ବି ସେଠାରେ ଆଦିବାସୀମାନଙ୍କର ଛାତି ଉପରେ ଜଗନ୍ନାଥ ମନ୍ଦିର ଅଲବତ ତୋଳାଇଥିବେ । କୃତ୍ୟକୃତ୍ୟ ଅନୁଭବ କରିଥିବେ ।

 

ଆଦିବାସୀମାନଙ୍କ ଲାଗି କୋରାପୁଟରେ ଯେତେ ବିଦ୍ୟାଳୟ ବା ଦୟାର ଆଳୟ ରହିଛି ସେଠାରେ ଆଜ୍ଞାମାନେ ପ୍ରାୟ ସମସ୍ତେ ଓଡ଼ିଆ ସେମାନେ ସମସ୍ତେ ଆମ ଓଡ଼ିଶାକୁ କେତେ ଭଲ ପାଉଥିବେ । ନିଜକୁ ଓଡ଼ିଆ ବୋଲି କହି ସେହି କୋରାପୁଟରେ ମଧ୍ୟ କେତେ ଛାତି ଫୁଲାଇ କଥା କହୁଥିବେ । ସେମାନେ ଆଦିବାସୀମାନଙ୍କୁ ବି ଓଡ଼ିଆ ବଢ଼ିଯିବାର କୌପୀନ ମନ୍ତ୍ର ପଢ଼ାର ଉତ୍କଳମାତାର କେତେ ସେବା କଲେ ବୋଲି ଭାବୁଥିବେ । ସେମାନଙ୍କର କୃପାରୁ ଯେଉଁମାନେ ଲୁଗା ପିନ୍ଧି ଶିଖିଛନ୍ତି, ପର୍ବଦିନମାନଙ୍କରେ ମଦ ଖାଇବା ଛାଡ଼ିଛନ୍ତି ସେମାନେ ଆହୁରି କେତେ ତୀର୍ଥରେ କେତେ ପ୍ରକାର ମଦ ଖାଇ କେତେ ମନ୍ତେ ସତେଥିବା ଗୋଟାଏ ଗୋଟାଏ ଭୀରୁ ଓଡ଼ିଆ ପରି ଦେଖାଯିବାକୁ ଚେଷ୍ଟା ବି କଲେଣି । ଓଡ଼ିଆମାନଙ୍କଠାରୁ ସେମାନେ ରାଜନୀତି କରି ଶିଖିଲେଣି, ଜନତା ଓ କଂଗ୍ରେସ ହୋଇ ଶିଖିଲେଣି, ସାଆନ୍ତମାନଙ୍କର ପାଚନ ଅନୁସାରେ ଭୁବନେଶ୍ୱରରେ କିଣା ବିକା ବି ହେଲେଣି । କିନ୍ତୁ ତେଣେ ସେମାନଙ୍କର ଚେରଗୁଡ଼ାକ ବି ଭାରି ଛିଡ଼ି ଛିଡ଼ି ଗଲାଣି । ସେମାନେ ଅଧିକରୁ ଅଧିକ ପରିମାଣରେ ଓଡ଼ିଆଙ୍କ ପରି ଦିଶିଲେଣି । ଓଡ଼ିଆଙ୍କ ପରି ଚାଲାକ୍ ମଧ୍ୟ ହେଲେଣି । ଅବର୍ଜିଆ ସ୍ଵପ୍ନମାନ ଦେଖିଲେଣି । ଗୋରା ପାଦ୍ରୀଙ୍କ ସାଙ୍ଗରେ ସେମାନେ କଳା ପାଦ୍ରୀ ହୋଇ ବାହାରିବାକୁ ଏବେ ଭାରି ସୁଖ ପାଇଲେଣି । ଭାରି ହାସ୍ୟଷ୍ପଦ ହେଲେଣି ।

 

ଏଥର କୋରାପୁଟରେ ଥିବା ଲକ୍ଷ୍ମୀମନ୍ତମାନଙ୍କଠାରୁ କେତେଥର ଶୁଣିବାକୁ ପାଇଲି ଯେ ଉନ୍ନୟନ ମୂଳକ କାର୍ଯ୍ୟରେ ଆମର ରାଜ୍ୟ ସରକାର ଅନ୍ୟ ସବୁ ଜିଲ୍ଲାରେ ଏକାଠି ମିଶି ଯେତିକି ଖର୍ଚ୍ଚ କରୁଛନ୍ତି; ଏକା କୋରାପୁଟ ଜିଲ୍ଲାରେ ତା’ଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି । କୋଲାବ ନଦୀକୁ କୁଆଡ଼େ ପୋତି ପକାଇ କେଡ଼େ ପରିମଳ ହୋଇ ଏବେ କୋଲାବ ନଗର ବସିଲାଣି । ତେଣେ ଇନ୍ଦ୍ରାବତୀ ବନ୍ଧର ପରିକଳ୍ପନା କରାଗଲଣି ! ନୂଆ ନୂଆ ସଡ଼କ ତିଆରି ହେଉଛି । ପର୍ବତ ଫୁଟାଇ ଲମ୍ବ ସୁଡ଼ଙ୍ଗ ବାଟ ଦେଇ ସିଲେରୁ ନଦୀର ପାଣିକୁ ବାଲିମେଳାର ବିଦ୍ୟୁତପୁରୀ ଯାଏ ଅଣାଯାଇ ସାରିଲାଣି । ସମସ୍ତେ କହୁଛନ୍ତି, ଏଥର ଆଲୁଅ ଜଳିଲେ ରାତିଗୁଡ଼ାକ ଦିନପରି ଦିଶିବ, କେନାଲ ପାଣି ଚାରିଆଡ଼କୁ ମାଡ଼ି ପାରିବ । ଟାଙ୍ଗରା ଭୂଇଁ ଶସ୍ୟଶ୍ୟାମଳା ହୋଇଯିବ ଏମିତି କେତେ କଣ ଗପ ଆଉ କେତେ କ’ଣ କାହାଣୀ । ଏହିସବୁ ନୂଆ ନୂଆ ସେବା କାର୍ଯ୍ୟକୁ ତନଖି ଦେଖିବା ଲାଗି ଏକ ଅତ୍ୟାବଶ୍ୟକ ପୂର୍ବାନୁସଙ୍ଗିକ ରୂପେ କୋରାପୁଟର ବିଭିନ୍ନ ସ୍ଥାନରେ ଯେଉଁସବୁ ଡାକବଙ୍ଗଳା ତିଆରି ହୋଇଛି, ସେଗୁଡ଼ାକ ଭିତରେ ଯାଇ ପଶିଗଲା ମାତ୍ରକେ ବର୍ତ୍ତମାନଟା ଭିତରକୁ ମଧ୍ୟ ମଣିଷର ଆଖି ପାଇବ ନାହିଁ । ତେଣୁ ଭବିଷ୍ୟତର କଥା ଭାବିଲା ବେଳକୁ ଛାତି ଖାଲି ଉଲୁସି ଉଠିଲା ପରି ଲାଗୁଛି ସାମନ୍ତବାଦରୁ ଯେ କେବଳ ଏକ ସାମନ୍ତବାଦର ହିଁ ଜନ୍ମ ହୁଏ; ସେହିପରି ଗୋଟାଏ ଭୟ ବି କଳ୍ପନାଗୁଡ଼ାକ ଭିତରେ କେତେ କେଁ ପୂରାଇ ଦେଇ ଯାଉଛି । ଯେଉଁମାନଙ୍କର ଘର ଭାଙ୍ଗି ସଂସାର ଉଜୁଡ଼ାଇ ଆମେ ତୀକ୍ଷ୍ମବୁଦ୍ଧି ସିଦ୍ଧଜ୍ଞାନୀମାନେ ଏଠି ଆପଣାର ଭୋଗ ପାଇଁ ଇନ୍ଦ୍ରଭୁବନରେ ମଣୋଇ ସଜାଡ଼ି ବସିଲେଣି, ସେହି ଆଦିବାସୀମାନଙ୍କର ଏହିସବୁ ଗମାତ ପ୍ରକୃତରେ କି ଉପକାର ସାଧନା କରିବ ? ଏବେ ମଧ୍ୟ ସେମାନଙ୍କୁ ମଣିଷ ବୋଲି ସ୍ୱୀକାର କରିନଥିବା ନିଜ ଯନ୍ତ୍ରାରୂଢ଼ ସେବାଧିକାରିମାନେ ସେମାନଙ୍କୁ ଏହିସବୁ ସମ୍ପନ୍ନତାମୟ ଆଦୌ କୌଣସି ଭାଗ ଦେବେ ତ ?

 

ଆଦିବାସୀ କେବଳ ସହିସହି ଆସିଛି । ତା’ ବାରିକାନ୍ଥ ବୁଢ଼ା ମହୁଲ ଗଛଟା ପରି ଓ ତା’ ଗାଆଁକୁ ବେଢ଼କରି ଅନ୍ଧାର ପରି ଘେରି ରହିଥିବା ପାହାଡ଼ଗୁଡ଼ାକ ପରି ସିଏ କେବଳ ସହିସହି ଆସିଛି । ତାକୁ ଅନ୍ୟମାନେ ଭୋଗ କରୁଥିବା ସମୟରେ ସିଏ ଯେମିତି ଥିଲା, ବର୍ତ୍ତମାନ ଆମେ ଓଡ଼ିଆମାନେ ସେମାନଙ୍କୁ ଭୋଗ କରୁଥିବା ସମୟରେ ସିଏ ଠିକ୍ ସେହିଭଳି ରହିଛି । ଠିକ୍‌ ସେହିଭଳି ସହୁଛି । ଏବେ ବି ଜଙ୍ଗଲରୁ ପତର ସଂଗ୍ରହ କରୁଛି । କାଠ ଭାଙ୍ଗି ବିଡ଼ାକରି ତାହାକୁ ଜୟପୁରର ଅମଲାବସ୍ତିମାନଙ୍କରେ ବୁଲି ବୁଲି ବିକୁଛି । ଏବେ ମଧ୍ୟ ଚିତ୍ରକୋଣ୍ଡାଠାରୁ ଆନ୍ଧ୍ର ଭିତରକୁ ଉହୁଙ୍କି ଉଠି ଯାଇ ଥିବା ଘାଟିଗୁଡ଼ାକର ଘୋର ଅରଣ୍ୟରେ ସିଏ ମେଳା ମେଳା ହୋଇ ଧନୁଶର ଧରି ତଳେ ନିଆଁ ଲଗାଇ ଉପରୁ ପଶୁମାନଙ୍କୁ ଘଉଡ଼ାଇ ଆଣି ଶିକାରଟାଏ ଲାଛିବାର ଆଶାରେ ସକାଳୁ ଛାଇ ଲେଉଟିବା ବେଳଯାଏ ବଣଭୂଇଁରେ ଅଧଲଙ୍ଗଳା ବେଶରେ ଧାଇଁବାରେ ଲାଗିଛି । ଆମେ ଜାଣିବା ବାଲାମାନେ ସେମାନଙ୍କୁ ଆମର ସମ୍ପତ୍ତି ବୋଲି କହୁଛୁ । ସିଲେରୁ ଜଳଭଣ୍ଡାର ହେବା ଫଳରେ ସେମାନଙ୍କ ଭିତରୁ ପୁଳାଏ ବିଚ୍ଛିନ୍ନହୋଇ ଆମ ହାବୁଡ଼ରୁ ଯାଇ ସେପାଖରେ ତେଲେଙ୍ଗାମାନଙ୍କର ହାବୁଡ଼ରେ ପଡ଼ିଯିବେ ବୋଲି ଭୟ କରି ଆମେ ଆନ୍ଦୋଳନ କରିବୁ ବୋଲି ହୁଙ୍କାର ଦେଉଛୁ । ତଥାପି ଏକ ମଣିଷ ହିସାବରେ ଯେଉଁ ଅସଲ ସମ୍ପତ୍ତିଟି ଆଦିବାସୀ ଭିତରେ ରହିଛି, ନିଜର ସେହି ସମ୍ପତ୍ତିଟିକୁ ଚିହ୍ନିଲେ ମଣିଷ ଯେ ଆଉ କଦାପି ଥୟଧରି ରହି ପାରେନାହିଁ ମଣିଷକୁ ସମ୍ପତ୍ତି ବୋଲି ଭାବୁଥିବା ଆମ ଚତୁର ସଂସ୍କୃତି ଲୋଭୀମାନେ ସେକଥାକୁ ବୁଝିବା କୁଆଡ଼ୁ-?

 

ଏହି ସହିବାର ତ ପୁଣି ଗୋଟାଏ ସୀମା ଥିବ । ଏହି ସହିବା ପଛରେ ବିଧାତାର ଗୋଟାଏ ଉଦ୍ଦେଶ୍ୟ ବି ତ ରହିଥିବ । ସକାଳ ହେବ ଓ ରାତି ପାହିବ ବୋଲି ଜାଣିଥିଲେ ରାତିଟାକୁ ସହି ହୋଇ ଯାଏ । ଆଲୁଅ ଆସିବ ବୋଲି ଏକ ଦୃଢ଼ ବିଶ୍ୱାସକୁ ହୃଦୟରେ ଧରି ହୁଏତ ଅନ୍ଧାରକୁ ବି ସହି ହୋଇଯାଏ । ପଥଗୁଡ଼ାକୁ ପାରିହୋଇ ଯିବାର ଅଭିକ୍ରମରେ ପଥ କଷ୍ଟ ବି ସହି ହୋଇଯାଏ-। କିନ୍ତୁ କୋରାପୁଟର ଆଦିବାସୀ ଏତେ ସବୁକୁ କାହିଁକି ସହୁଛି ? ଆପଣାର ନିଦଗୁଡ଼ାକ ସିଏ ନିଦ ବୋଲି ଆବିଷ୍କାର କରି ପାରୁନାହିଁ କାହିଁକି ? ତା’ ଭିତରର ମଣିଷ ତାର ସାଥିହୋଇ ତାକୁ ଆଖି ଦେଇ ବାହାରିଆସି ପାରୁନାହିଁ କାହିଁକି ? କୋରାପୁଟ କର୍କଶ ପଥ କେଉଁଦିନ ତାକୁ ଆପଣାର ଘର ପରି ଆଦରି ନେଇଥିବା ଆଦିବାସୀକୁ ଅସଲ ନବଜାଗରଣ ପଦଟିର ସନ୍ଧାନ ଦେଇ ପାରିବ ? ତାର ନିଦ କେବେ ଭାଙ୍ଗିବ ? କିନ୍ତୁ ନିଦ ଯେତେବେଳେ ଭାଙ୍ଗିବ, ସେତିକିବେଳେ ଯାଇ ଏହି ସହିବାର ଶେଷ ହେବ । ମାଟି କଅଁଳି ଉଠିବ ଠିକ୍ ସେତିକିବେଳେ । ସେତିକିବେଳେ ପର୍ବତ କଥା କହିବ ଏବଂ ସେହିଦିନ ଯାଇ ଆମେ କୋରାପୁଟକୁ ଆମର ସାଙ୍ଗକରି ପାଇବା ।

 

୧୨.୦୪.୧୯୮୦

(ପ୍ରଗତିବାଦୀ ୦୧.୦୫.୧୯୮୦)

Image

 

ଅତୀତ ଓଡ଼ିଶାର ସାଂସ୍କୃତିକ ବିକାଶ

 

ଆଗେ ଭୂଇଁ ଥିଲା, ମଣିଷ ବି ଥିଲେ । ସେହି ମଣିଷଙ୍କର ଏକ ସଂସ୍କୃତି ରହିଥିଲା ଓ ସେମାନେ କୌଣସି ଏକ ଭାଷାରେ କଥାବାର୍ତ୍ତା ବି କରୁଥିଲେ, ଭାବର ଆଦାନ ପ୍ରଦାନ କରି ପାରୁଥିଲେ । ସେତେବେଳେ ଭୂଇଁଗୁଡ଼ାକର କୌଣସି ନାମକରଣ ହୋଇନଥିଲା । ସଂସ୍କୃତିଗୁଡ଼ାକୁ କୌଣସି ମାର୍କା ଦେଇ ଚିହ୍ନାଇ ଦିଆଯାଇ ନଥିଲା । ମୋ’ ଭୂଇଁ, ମୋ ଭାଷା କିମ୍ବା ମୋ’ ସଂସ୍କୃତି ବୋଲି କହିବାର ବିଶେଷ ସଚେତନତାଟି ସେତେବେଳେ ଜନ୍ମଲାଭ ହିଁ କରି ନଥିଲା ।

 

ଇତିହାସକାରମାନେ କହୁଛନ୍ତି ସବାଆଗ ମୋଗଲମାନେ ଏହି ଭୂଇଁଟିକୁ ଓଡ଼ିଶା ବୋଲି କହିଲେ । ସେମାନଙ୍କର ଅଧିକୃତ ଏହି ଉପକୂଳ ଅଞ୍ଚଳଟାକୁ ହିଁ ସେମାନେ ଆପଣାର ନକ୍‌ସାରେ ଓଡ଼ିଶା ବୋଲି ଚିହ୍ନଟ କରି ଦେଇଥିଲେ । ସେତେବେଳେ ସେମାନେ କଟକ କହିଲେ ଯାହା ବୁଝୁଥିଲେ, ଓଡ଼ିଶା କହିଲେ କୁଆଡ଼େ ତାହା ହିଁ ବୁଝୁଥିଲେ । ଶାସନର ସୁବିଧା ପାଇଁ ସରହଦ କାଟି ଅଲଗା ଚିହ୍ନଟ କରି ଦିଆ ଯାଇଥିବା ଗୋଟାଏ ଇଲାକାକୁ ସେମାନେ ଓଡ଼ିଶା ବୋଲି ଜାଣୁଥିଲେ । ଆମେ ହୁଏତ ସେହି ମୋଗଲମାନଙ୍କ ଠାରୁ ହିଁ ସେହି ନାମଟିକୁ ଆଣିଲୁ । ତା’ପରେ ସେହି ନାମଟି ଆମ ସାମୂହିକ ବିବର୍ତ୍ତନର ଜାତୀୟତା ଯୁଗରେ ଅତୀତର ଏକ ନିର୍ଦ୍ଦିଷ୍ଟ ଭାବପ୍ରବଣତାଯୁକ୍ତ ଆବିଷ୍କାରର ଧୂପ ଏବଂ ମଣୋହି ଭିତରେ ଯନ୍ତା ହୋଇ ଆମ ଆଖିକୁ କେଡ଼େ ଘଟଣ, ମଣ୍ଡନ ଓ ଶୋଭନ ହୋଇ ଦିଶିଲା । ଆମେ ସତେ ଅବା ଆଖି ବୁଝି ପଛକୁ ପଛକୁ ଲମ୍ବି ଯିବାକୁ ଲାଗିଲୁ, ଅବୟବଗୁଡ଼ାକୁ ଆମେ କେତେପ୍ରକାରେ ଫୁଲାଇ କରିଦେଖାଇବାକୁ ଚେଷ୍ଟା କଲୁ, ସେହି ଫୁଲାଇବା ଏବଂ ସେହି ପ୍ରଦର୍ଶନଗୁଡ଼ାକୁ ସଂସ୍କୃତି ବୋଲି କହିଲୁ । ଉପସ୍ଥିତ ଆହ୍ୱାନଗୁଡ଼ିକ ଦ୍ଵାରା ତ୍ରସ୍ତ ହୋଇ ମଣିଷ ବା ତା’ର କୌଣସି ସମୂହ ଯେତେବେଳେ ଭବିଷ୍ୟ ପାଖରୁ, ଦାୟିତ୍ୱ ପାଖରୁ ଅର୍ଥାତ୍ ସୃଜନ ପାଖରୁ ପଳାୟନ କରିବାକୁ ଇଚ୍ଛା କରେ, ସେତେବେଳେ ତାହା ସଚରାଚର ଏହିଭଳି ଏକ ଆଚରଣ ଦେଖାଇଥାଏ ।

 

ପୁଣି ସେହି ପ୍ରଶ୍ନ,–ଅତୀତର ଏହି ଓଡ଼ିଶା ପ୍ରକୃତରେ କେଉଁ ଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିଲା ? ଏହି ଅତୀତଟାକୁ ମଧ୍ୟ ଆମେ ପ୍ରକୃତରେ କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିବାର ଧରିବା ? ଓଡ଼ିଶା କହିଲେ ଆମ ଅନେକଙ୍କର ଅନ୍ଦାଜ ଭିତରେ ସାଧାରଣତଃ ଯେଉଁ ସାମୂହିକ ଏକକଟିକୁ ବୁଝାଏ, ସେଠାରେ ପ୍ରକୃତରେ କେଉଁଠାକୁ ଆସି ଅତୀତ ସରିଛି ଓ ବର୍ତ୍ତମାନର ଖୁଣ୍ଟିଗୁଡ଼ିକ ପଡ଼ିବାକୁ ଆରମ୍ଭ କରିଛି ? କୌଣସି ତଥ୍ୟସର୍ବସ୍ୱ ଇତିହାସ ଲୋଭ ଆମକୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଯୋଗାଇଦେଇ ପାରିବ ନାହିଁ । ଆମେ ନିଜ ଭିତରେ ଆମ ଦୃଷ୍ଟିକୋଣଟିକୁ ଯେଉଁ ସ୍ତରର କରି ରଖବାକୁ ମନ କରିବା ବା ସାହାସ କରିବା, ଆମଲାଗି ଉକ୍ତ ଉତ୍ତରଗୁଡ଼ିକ ବି ତଦନୁସାରେ ଭିନ୍ନଭିନ୍ନ ହେବାକୁ ବାଧ୍ୟ ହେବ ।

 

ପୁଣି ସେହି ମୂଳ ପ୍ରତିପାଦ୍ୟଟି, ଆଗେ ସଂସ୍କୃତି ଥିଲା, ଓଡ଼ିଶା ନଥିଲା । ଭୂଇଁ ଥିଲା, କିନ୍ତୁ ସେହି ଭୂଇଁଟିକୁ ମଣ୍ଡନମମତାର ବାନ୍ଧ ପକାଇ ଅଲଗା କରି ଚିହ୍ନଟ କରିଦେବାକୁ ଧୁରନ୍ଧର ଓ ଚତୁର ପଣ୍ଡିତମାନେ ମୋଟେ ନଥିଲେ । ମାତୃଭୂମି ଏବଂ ମାତୃଭାଷା ପ୍ରଭୃତି ଶବ୍ଦଗୁଡ଼ିକର ସୃଷ୍ଟି ହୋଇ ନଥିଲା । ସେତେବେଳେ ପିଲାଟି ହିଁ ମଣିଷର ସର୍ବାଗ୍ର ଓ ସର୍ବଗୌରବମୟ ପରିଚୟ ହୋଇ ରହିଥିଲା । ଗୋଟାଏ ପଲ ସହିତ ଆଉ ଗୋଟାଏ ପଲର କେତେ ଯୁଦ୍ଧ ବିଗ୍ରହ ଲାଗି ରହିଥିଲା । ଅନେକ ସମୟରେ ଯେତେବେଳେ ସେହି ପଲଗୁଡ଼ାକୁ ଏକ ଭୌଗୋଳିକ ତୀର୍ଯ୍ୟାକ୍‍ତା ଦେଇ ଗୋଟାଏ ଗୋଟାଏ ରାଜ୍ୟବୋଲି କୁହା ଯାଉଥିଲା, ସେତେବେଳେ ପଲ ଭିତରେ, ଜଣେ ଜଣେ ପ୍ରଭୁ ଆପଣାକୁ ରାଜା ବୋଲି ଘୋଷଣା କରୁଥିଲେ,–ସେମାନେ ଯୁଦ୍ଧ କରୁଥିଲେ, ତସ୍କରତା କରୁଥିଲେ, ବେଳେବେଳେ ପଣ୍ଡିତ ଓ ଚାଟୁବୃତ୍ତିକମାନଙ୍କର ପାଳନ କରୁଥିଲେ, ବିଶେଷଣ ଭିତରୁ ମହାବିଶେଷଣମାନ ବାହାରକରି ପାହାଡ଼ର କାନ୍ଥରେ ଆପଣାର କୀର୍ତ୍ତିଗୁଡ଼ାକୁ କେଡ଼େ ଅବୟବମଞ୍ଜୁଳ କରି ଖୋଳାଇ ଦେଇ ଯାଉଥିଲେ ଏବଂ ନିଜର ବୁନିଆଦିଟାକୁ ଏକାବେଳେକେ ସୂର୍ଯ୍ୟବଂଶ ଅଥବା ଚନ୍ଦ୍ରବଂଶ ବୋଲି କହୁଥିଲେ ।

 

ଚକ୍ରବର୍ତ୍ତୀ ଓ ରାଜ ଚକ୍ରବର୍ତ୍ତୀ ହେବା ହିଁ ସେମାନଙ୍କର ସର୍ବପ୍ରଧାନ ସ୍ୱପ୍ନ ଥିଲା । ସେତେବେଳେ ହୁଏତ ଅନେକ କଳିଙ୍ଗ ଥିଲା, ଏକାଧିକ ଉତ୍କଳ ଥିଲା, କୋଶଳ ବି କେତେ ପ୍ରକାର ଥିଲା । ଏଗୁଡ଼ାକର ସୀମା ଅହରହ ବଦଳିବାରେ ଲାଗିଥିଲା । ତେଣୁ ସେତେବେଳର ସାଧାରଣ ଲୋକମାନଙ୍କୁ ହୁଏତ ସେମାନଙ୍କର ଗୋଟାଏ ଜୀବନକାଳରେ ହିଁ ଏକାବେଳକେ ଅନେକ ମାର୍କାର ରାଜକୀୟ ଦୌରାତ୍ମ୍ୟ ସହ୍ୟ କରିବାକୁ ପଡ଼ୁଥିଲା । ତେଣେ ବିଜେତାମାନେ ତମ୍ବାପଟାମାନଙ୍କରେ ଆପଣାକୁ ତ୍ରିକଳିଙ୍ଗାଧିପତି ଓ ବେଳେବେଳେ ସମସ୍ତକଳିଙ୍ଗାଧିପତି ବୋଲି ଖଡ଼ି ମଡ଼ାଇଦେଇ ଆପଣାର ପରଜନ୍ମକୁ ସିଦ୍ଧକରି ରଖିବାରେ ଲାଗିଥିଲେ । ସେମାନଙ୍କର ସର୍ବପ୍ରଥମ ଓ ସର୍ବମୂଳ ଅନୁରକ୍ତି ନିଜ ପ୍ରତି ଅର୍ଥାତ୍ ନିଜର ଥାଟ ବା ବଂଶଟା ପ୍ରତି ରହିଥିଲା । ଧର୍ମ କହିଲେ କୁଳଧର୍ମଗୁଡ଼ାକୁ ବୁଝାଉଥିଲା । ବର୍ତ୍ତମାନ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରାୟ ଦେଢ଼ହଜାର ବର୍ଷତଳେ ରାଜପଣ କରିଥିବା ମାଠର ବଂଶର ସ୍ୱପ୍ରଦତ୍ତ ଉପାଧିଗୁଡ଼ାକରୁ ଆମେ ତାହାର ହୁଏତ କିଞ୍ଚିତ ପରିଚୟ ପାଇ ପାରିବା । ମାଠର ରାଜାମାନେ ଏଡ଼େ ସହଜ ଚାତୁର୍ଯ୍ୟ ସହିତ ଆପଣାକୁ ପିତୃଭକ୍ତ, ବପ୍ପଦାନୁଧ୍ୟାତ ଓ ବପ୍ପଭଟ୍ଟାରକପାଦ ଭକ୍ତ ବୋଲି କହିଛନ୍ତି ଯେ, କେତେକ ଇତିହାସ-ଖୋଜାଳି ସେମାନଙ୍କର ବଂଶର ନାମଟାକୁ ହିଁ ପିତୃଭକ୍ତ ବଂଶ ବୋଲି ଅନୁମାନ କରି ପକାଇଛନ୍ତି । ସେକାଳର ରାଜାମାନଙ୍କର ଯୋଜନା ଭିତରେ ଓଡ଼ିଶା ବୋଲି କିଛି ନଥିଲା । କେବଳ ବିଜିତ ହୋଇ ସାରିଥିବା ଓ ଆହୁରି ବିଜିତ ହେବାକୁ ବାକି ରହିଥିବା ଭୂଇଁଗୁଡ଼ାକ ହିଁ ଥିଲା ଏବଂ ସେହି ଭୂଇଁଗୁଡ଼ାକ ଦଖଲକୁ ଆସିଯିବା ପରେ ସେମାନେ ସେଠାରେ ଉଚ୍ଚ ଉଚ୍ଚ ମନ୍ଦିରମାନ ଖୋଳାଇବାରେ ପ୍ରକୃତରେ ଭାରି ଆନନ୍ଦ ଲାଭ କରୁଥିଲେ ।

 

ସେତେବେଳେ ରାଜାମାନେ ଠାକୁରମାନଙ୍କୁ ମଧ୍ୟ ଆପଣା କାମରେ ଖଟାଉଥିଲେ । ଖିଆଲ ଅନୁସାରେ ଇଷ୍ଟଦେବତାଗୁଡ଼ାଙ୍କୁ ବଦଳ କରିବାରେ ଲାଗିଥିଲେ ଓ ସେହି ଅନୁସାରେ ଆପଣାକୁ ବିଚରା ସେହି ଉପାସିତ ଦେବତାମାନଙ୍କର ଭକ୍ତପ୍ରଦର୍ଶନୀର ସର୍ବପ୍ରଥମ ଧାଡ଼ିରେ ନେଇ ବସାଇ ଦେଉଥିଲେ । କିଏ ଗୋଟିଏ ମହାଦେବ ମନ୍ଦିର ତୋଳାଇ ସେହି ମନ୍ଦିରଗାତ୍ରରେ ହିଁ ଆପଣାକୁ ପରମମାହେଶ୍ଵର ବୋଲି ଖୋଦାଇ ଦେଉଥିଲା । ଆଉ କିଏ କୌଣସି ବିଷ୍ଣୁ ମନ୍ଦିରରେ ନିତ୍ୟପ୍ରଦୀପର ବ୍ୟବସ୍ଥା କରାଇ ସେହି କାର୍ଯ୍ୟଟିକୁ କରିବାଲାଗି ନିଯୁକ୍ତ ସେବାୟତଙ୍କୁ ଖଣ୍ଡେ ଜମି ପଟ୍ଟା କରି ଦେଉଦେଉ ସେଥିରେ ହିଁ ଆପଣାକୁ ଏକାବେଳକେ ପରମ ବୈଷ୍ଣବ ବୋଲି ଚନ୍ଦନଚର୍ଚ୍ଚିତ କରି ଦେଉଥିଲା । ପୁଣି ଆଉକିଏ ବୁଦ୍ଧଦେବଙ୍କୁ ଠାକୁର ବୋଲି ଗ୍ରହଣ କରି ବା କୌଣସି ବୌଦ୍ଧ ବାବାଜୀଙ୍କର ପ୍ରଭାବରେ ପଡ଼ିଯାଇ ଆପଣାକୁ ପରମ ସୌଗତ ବୋଲି ଘୋଷଣା କରି ଦେଉଥିଲା-। କେତେବେଳେ ଆପଣାକୁ ପରମଦେବତା ବୋଲି କହିବାଯାଏ ମଧ୍ୟ ଉତ୍ସାହ ବଢ଼ି ମଢି ଚାଲି ଯାଉଥିଲା । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ଏମାନେ କେହି କିଛିହେଲେ ନଥିଲେ । ଏମାନଙ୍କ ଲାଗି ମହାଦେବ ନଥିଲେ, ବିଷ୍ଣୁ ନଥିଲେ କି ବୁଦ୍ଧ ବି ନଥିଲେ । କେବଳ ନିଜେ ଏହିମାନେ ହିଁ ପ୍ରଭୁ ହୋଇ ରହିଥିଲେ, ସେମାନଙ୍କ ହାତରେ ଗୋଟାଏ ଅକିଞ୍ଚନ ପ୍ରଜାପଲ ରହିଥିଲେ ଏବଂ ରାଜା ଆଦାୟ କରୁଥିବା ପଇସା ଓ ପ୍ରଜାମାନଙ୍କର ମେହେନତ ଦେଇ ମନ୍ଦିରପରେ ମନ୍ଦିର ଗଢ଼ାହେବାରେ ଲାଗିଲା ।

 

ଆପଣାଲାଗି ଏତେ କୀର୍ତ୍ତି ଅର୍ଜନ କରିବା ସକାଶେ ଏହି ଉଦ୍ୟତ-କେଶରୀମାନଙ୍କ ହାତରେ ଏବେ ଅର୍ଥବଳ କୁଆଡ଼ୁ ଆସୁଥିଲା ? ସେସବୁ ରାଜସ୍ୱ ଆକାରରେ ଜନପଦମାନଙ୍କରୁ ଆସୁଥିଲା । ରାଜା ଯାହା ମାଗିବ, ତାହା ତା’ର ପ୍ରାପ୍ୟବୋଲି ଏକ ଧର୍ମବିଶ୍ୱାସ ସେତେବେଳେ ଭାଗ୍ୟ ଭୁଞ୍ଜି ଜୀବନକୁ ପିଉଥିବା ପ୍ରଜାମାନଙ୍କର ରକ୍ତ ଭିତରକୁ ମଧ୍ୟ ଖୁନ୍ଦି ଦିଆ ଯାଇଥିଲା । ରାଜା କପିଳେନ୍ଦ୍ର ଦେବ ପ୍ରଜାମାନଙ୍କୁ ଥଣ୍ଡାକରି ରଖିବାପାଇଁ ଲବଣକର ଉଠାଇଦେଇ ତାହାକୁ ଜଗନ୍ନାଥ ମନ୍ଦିରର ପାହାଚରେ ଲେଖାଇ କରି ରଖିଥିଲେ । ଅର୍ଥାତ୍‍ ଲବଣକର ଆଗରୁ ଥିଲା । ଲବଣ ଉପରେ କର ବସିଥିଲା ଓ ସେହି ବୃହତ୍ ମାହାଲଟିକୁ ବୁଝିବାପାଇଁ ଜଣେ ଲବଣ କରାଧିକାରୀ ମଧ୍ୟ ରହିଥିଲେ । ଜମି ଭୋଗ କରୁଥିବା ଲୋକମାନେ ଏକ ଭୋଗଭାଗ କର ଦେଉଥିଲେ । ଅନ୍ଧାରୁଆ କର ଥିଲା, ହଳଦଣ୍ଡ କର ଥିଲା, ପ୍ରତ୍ୟନ୍ଧାରୁଆ କର ମଧ୍ୟ ଥିଲା । ରାଜ୍ୟର ଆମ୍ବ ଓ ମହୁଲ ଗଛ ଉପରେ ରାଜାଙ୍କର ଅଧିକାର ଥିଲା । ଅର୍ଥାତ୍ ଏସବୁ ବାବଦରୁ କର ଆଦାୟ କରାଯାଉଥିଲା । ପାଟଜୋର, ଜଳଭଣ୍ଡାର; କୂପ; ତଡ଼ାଗ ଓ ବାମ୍ଫିଗୁଡ଼ାକ ଉପରେ ବି ରାଜା ହିଁ ଏକାଧିକାରୀ ହୋଇ ରହିଥିଲେ ଏବଂ ସବା ଉପରକୁ ବା ସବା ଶେଷକୁ ଏକ ଉପରିକର ବି ଥିଲା-। ଯେଉଁ ଅସଲ ଚାଷୀମାନେ ନିଜେ କୌଣସି ଜମିର ମାଲିକ ନଥିଲେ ଓ ଆଉ କାହାର ଜମିକୁ ମାଗି ଆଣି ସେଥିରେ ଚାଷ କରୁଥିଲେ, ସେମାନେ ଭୂରାଜସ୍ୱ ଦେଉ ନଥିବାରୁ ରାଜା ସେମାନଙ୍କ ଠାରୁ ଉପୁରିକର ମାଗଣ କରୁଥିଲେ । ଅର୍ଥାତ୍‍ ଲକ୍ଷ୍ମୀକୋଷକୁ ସଦାପରିପୂର୍ଣ୍ଣ କରି ରଖିବାର ମହାନ ଦାୟିତ୍ୱରୁ ସେ କାହାକୁହେଲେ ବଞ୍ଚିତ କରି ରଖୁନଥିଲେ !! ପରିଣାମତଃ ଦାରିଦ୍ର୍ୟ ହିଁ ଅଧିକାଂଶ ମଣିଷଙ୍କର ଭାଗ୍ୟ ହୋଇ ରହିଥିଲା । ଯୋଉ କାଳରେ ସାଧବମାନେ ବଣିଜ କରି ବିଦେଶ ଯାଉଥିଲେ ଓ ତେଣୁ ସୁନାରୂପା ବୋହି ଘରକୁ ଆଣୁଥିଲେ; ସେତେବେଳେ ଅଧିକାଂଶ ମଣିଷ କଦାପି ଦରିଦ୍ର ନଥିଲେ ବୋଲି ଆଦୌ ଦାବୀ କରି କୁହାଯାଇ ପାରିବ ନାହିଁ । ପ୍ରାଚୀନ ବୌଦ୍ଧ ଜାତକରେ ସେକାଳର କଳିଙ୍ଗକୁ ହିଁ ଏକମାତ୍ର ଏପରି ଏକ ଦୁର୍ଭାଗ୍ୟ ପୂର୍ଣ୍ଣ ରାଜ୍ୟ ବୋଲି, ଉଲ୍ଲେଖ କରାଯାଇଛି, ଯେଉଁଠାରେ କି ବୃଷ୍ଟିପାତର ନିତାନ୍ତ ଅନିଶ୍ଚିତତା ଯୋଗୁଁ ଦୁର୍ଭିକ୍ଷ ଓ ଅନାଟନ ହିଁ ସର୍ବଦା ଲୋକ ଜୀବନର ଏକ ବିପଦ ହୋଇ ରହିଥିଲା । ଏହି ଅନାବୃଷ୍ଟି ସମୟରେ କ୍ଷୁଧା ପୀଡ଼ିତ ମନୁଷ୍ୟମାନେ କୁଆଡ଼େ ରାଜା ଆଉ ମନ୍ତ୍ରୀମାନଙ୍କର ନଅରଫାଟକଗୁଡ଼ାକ ଆଗରେ ଆର୍ତ୍ତନାଦ କରୁଥିଲେ ଓ ବ୍ରାହ୍ମଣମାନେ ବୃଷ୍ଟି କରାଇ ପାରିବା କୌଣସି ଏକ ଅଲୌକିକ ଦୈବ ଶକ୍ତିକୁ ଅପେକ୍ଷା କରି ରହୁଥିଲେ ବୋଲି ଦୁଇଟି ଜାତକ ପୋଥିରେ ବର୍ଣ୍ଣନା କରି କୁହାଯାଇଛି ।

 

ଗୋଟିଏ କଥାରେ କହିଲେ, ସେତେବେଳେ ରାଜା ଥିଲେ, ସେମାନଙ୍କର ଦିଗ୍‍ବିଜୟ ଓ ଦେଉଳତୋଳାଗୁଡ଼ାକ ପ୍ରାୟ ସମାନ ଉତ୍ସାହରେ ଚାଲିଥିଲା, କିନ୍ତୁ ସେତେବେଳ ଯାଏ ମଣିଷ ଲୋଡ଼ାହୋଇ ନଥିଲା । ପ୍ରତ୍ୟେକ ମଣିଷର ସେ ଗୋଟାଏ ମୂଲ୍ୟ ଅଛି, ସକଳ ସଂସ୍କୃତିର ଏହି ସର୍ବପ୍ରଥମ କଥାଟି କୋଉଠିହେଲେ ସ୍ୱୀକାର ପାଇନଥିଲା । ପୁରୀକ୍ଷେତ୍ରକୁ ତୁହାକୁ ତୁହା କେତେ ପଣ୍ଡିତ ଓ ମାର୍ତ୍ତଣ୍ଡ ପରି କେତେକେତେ ପରିବ୍ରାଜକ ଆସୁଥିଲେ । ରାଜାଙ୍କୁ ପ୍ରସନ୍ନ କରାଇ ସେମାନେ ନିଜ ଧର୍ମମତର ରୀତିଗୁଡ଼ାକୁ ବଡ଼ଦେଉଳ ଭିତରେ ପୁରାଇ ଦେଇ ଯାଉଥିଲେ । ଅଜ୍ଞାନ ଭିତରେ ବୁଡ଼ି ରହିଥିବା ସାଧାରଣ ମଣିଷ ତାହାକୁ ହିଁ ପରମମନ୍ତ୍ର ବୋଲି ଗ୍ରହଣ କରୁଥିଲେ-। ଅସଲ ମୂଲ୍ୟଗୁଡ଼ାକ ଯେମିତି ଥିଲା, ସେମିତି ରହିଥିଲା । ସମ୍ପ୍ରଦାୟ ବଢ଼ୁଥିଲା, ବାନା ବଢ଼ୁଥିଲା, ଶ୍ରୀକ୍ଷେତ୍ରର ଶୋଭା ବଢ଼ାଇ ମଠଗୁଡ଼ାକର ସଂଖ୍ୟା ଉଇହୁଙ୍କା ପରି ବଢ଼ୁଥିଲା । ମାତ୍ର ମଣିଷ ପ୍ରତି ରହିଥିବା ମଳିନ ଦୃଷ୍ଟିଟା ଯେମିତି ସେମିତି ରହିଥିଲା । ସବୁ ଲିଖିତ ସଂସ୍କୃତି କେବଳ ସଂସ୍କୃତ ଭାଷାରେ ହେଉଥିଲା ସେହି ପହଣ୍ଡି ଭିତରକୁ ସାଧାରଣ ମଣିଷର ପ୍ରବେଶ ନଥିଲା । ସିଏ ଓଷା, ବ୍ରତ, ପୁରାଣ, ତନ୍ତ୍ର, ଗୁଣିଆ ଓ ହଠାତ୍ ଦୈବକୃପାଲାଭର କେତେ ଭେଳିକିର ଅଫିମ ଭିତରେ ପୂରା ମସ୍ତ ହୋଇ ରହିଥିଲା; ଜାତିଭେଦ ଦ୍ୱାରା ପରିଚାଳିତ ଏକ ଦୁର୍ଦ୍ଦାନ୍ତ ସମାଜବ୍ୟବସ୍ଥା ଭିତରେ ସିଏ ଅନ୍ୟକିଛି ସମ୍ଭାବନାକୁ ଭାବିବାଲାଗି ମଧ୍ୟ ଫୁରସତ ପାଉ ନଥିଲା ।

 

ଏହିପରି ଏକ କଳିଯୁଗର ପ୍ରଥମ ପ୍ରତିବାଦ ଏଠି ସାହିତ୍ୟରେ ହିଁ ହେଲା । ସଂସ୍କୃତ ଭାଷାର ସାଅନ୍ତିଆ ପ୍ରାଚୀରକୁ ଭାଙ୍ଗି ଯେତେବେଳେ ଓଡ଼ିଆରେ ଗ୍ରନ୍ଥ ଲେଖା ହେଲା, ସେତେବେଳେ ହୁଏତ ଅସଲ ସଂସ୍କୃତି ଅର୍ଥାତ୍‍ ଅସଲ ନିଦ୍ରାଭଙ୍ଗ ଦିଗରେ ଏକ ପଦକ୍ଷେପ ନିଆଗଲା । ଆପଣାକୁ ଶୂଦ୍ରମୁନୀ ବୋଲି ଘୋଷଣା କରିବାକୁ ସେ ଯୁଗରେ ସାରଳାଦାସଙ୍କୁ କମ୍ ସାହସ କରିବାକୁ ପଡ଼ିନଥିବ । ସାରଳାଦାସ ତାଙ୍କ ରାମାୟଣ ଓ ମହାଭାରତକୁ କେବଳ ଓଡ଼ିଆରେ ଲେଖିଲେ ନାହିଁ, ସଂସ୍କୃତ କାବ୍ୟର ଦୁର୍ଗକୁ ଭାଙ୍ଗି ସେଠାରୁ ନାୟକମାନଙ୍କୁ ସେମାନଙ୍କର କାହାଣୀଗୁଡ଼ାକ ସହିତ ଏକାବେଳେକେ ଅପହରଣ କରି ଆଣିଲେ ଓ ଯାହାସବୁ ଆଗରୁ ଶିଷ୍ଟ ପରିସରଗୁଡ଼ାକରୁ ବାସନ୍ଦ ହୋଇ ରହିଥିଲା, ଶାସ୍ତ୍ରରେ ସେଗୁଡ଼ାକର ଅବାଧ ପ୍ରବେଶ ଘଟାଇ ସିଏ ସେଗୁଡ଼ାକର ଗୋଡ଼କୁ ଗୋଟାସୁଦ୍ଧା ଭୂଇଁରେ ଲଗାଇଦେଲେ । ଆଗରୁ ଫାନ୍ଦବନ୍ଧାହୋଇ ରହିଥିବା କୂଅଗୁଡ଼ାକର ଜାତିଗଲା; ଅବତାରମାନେ ମଣିଷ ହେଲେ । ରଜାଘର ବାହାରେ ବି ସାହିତ୍ୟ ଲେଖାହେଲା । ସାହିତ୍ୟର ଚର୍ଚ୍ଚାହେଲା । ଏକ ନୂତନ ଚେତନା ଜନ୍ମଲାଭ କଲା । ସମ୍ଭବତଃ ପ୍ରଥମଥର ପାଇଁ ମଣିଷ ଆପଣାର ଭୂମିଗୁଡ଼ାକୁ ଆବିଷ୍କାର କରିବାଲାଗି ସାହସ କଲା ଆପଣାକୁ ଆବିଷ୍କାର କରିବାଲାଗି ବାଟ ଖୋଜିଲା ।

 

ଓଡ଼ିଶାର ସାହିତ୍ୟରେ ସାରଳାଦାସଙ୍କ ପରେ ପଞ୍ଚସଖା-ଯୁଗ । ପଞ୍ଚସଖା ଆସି ମଠ ଭାଙ୍ଗିଲେ-ରାଜାମାନଙ୍କର ଅଶେଷ କଟାଳ ସତ୍ତ୍ୱେ ସେମାନେ ଆପଣାକୁ ଆଗ ମନୁଷ୍ୟ, ପୃଥିବୀର ସେବକ ଏବଂ ସେମାନଙ୍କର ଭାଷାରେ କହିଲେ, ଶୂଦ୍ର ବୋଲି ଘୋଷଣା କଲେ । ସାରଳା ଦାସ ତୁଚ୍ଛା ଆର୍ଯ୍ୟ ବିଚ୍ଛିନ୍ନତାବାଦର ପ୍ରତିବାଦ କରି ତାଙ୍କ ମହାକାବ୍ୟଟିର ମାଧ୍ୟମରେ ଆର୍ଯ୍ୟୋତର ମୂଳୋପାଦାନଗୁଡ଼ିକୁ ଶାସ୍ତ୍ରରେ ସ୍ଥାନ ଦେଇଥିଲେ । ପଞ୍ଚସଖା ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟ ଉପାଦାନକୁ ଏକାଠି ମିଶାଇ ଯେଉଁ ମନୁଷ୍ୟଧର୍ମୀ ସମନ୍ୱୟର ଉଦ୍ବୋଧନ ଦେଲେ, ସେଥିରେ ଅସଲ ସତ୍ୟଟି ଏହି ମଣିଷ ଭିତରେ ରହିଛି ବୋଲି ଘୋଷଣା କରାଗଲା । ପଞ୍ଚସଖା ଜାତି ଧର୍ମ, ସମ୍ପ୍ରଦାୟ ଓ ଭାଷାରେ ଯାବତୀୟ ସୂତ୍ରବନ୍ଧକୁ ଭାଙ୍ଗିଦେଇ ମନୁଷ୍ୟକୁ ହିଁ ସବୁ ଅନୁଶୀଳନର ମୂଳ ବୋଲି କହିବାକୁ ଚେଷ୍ଟା କରିଥିଲେ । ସେମାନେ ବଡ଼ ଦେଉଳକୁ ବି ମଣିଷର ଶରୀର ଭିତରେ ଠାବ କଲେ; ମଣିଷତୋର ସାଧନାର ଆକାଂକ୍ଷାଟିକୁ କେନ୍ଦ୍ରକରି ବ୍ରହ୍ମାଣ୍ଡଭୂଗୋଳ ଲେଖିଲେ, ବିରାଟଗୀତା ଲେଖିଲେ, ବ୍ରହ୍ମାଶାଙ୍କୁଳି ଲେଖିଲେ । ସେତେବେଳେ ସମଗ୍ର ଭାରତ ବର୍ଷରେ ଏକ ବଳିଷ୍ଠ ସନ୍ଥପରମ୍ପରା ମଧ୍ୟଦେଇ ଯେଉଁ ଅନ୍ତଃନିର୍ଦ୍ଦେଶନାଯୁକ୍ତ ଆଧ୍ୟାତ୍ମିକ ଆଲୋଡ଼ନ ଦେଖା ଦେଇଥିଲା ଏବଂ ସଂସ୍କୃତିର ଯାବତୀୟ ଦୃଷ୍ଟିକୁ ଏକ ଜୀବନଧର୍ମୀ ଓ ଜୀବନାନୁରାଗୀ କେନ୍ଦ୍ର ଯୋଗାଇ ଦେବାର ପ୍ରୟାସ କରିଥିଲା । ଏଠି ଓଡ଼ିଶାର ପଞ୍ଚସଖାଙ୍କୁ ଆମେ ତାହାରି ପ୍ରତିନିଧିତ୍ୱ କରୁଥିବା ଏକ ସ୍ଥାନୀୟ ଅଥଚ ବଳିଷ୍ଠ ସୂତ୍ର ବୋଲି ଗ୍ରହଣ କରିପାରିବା ।

 

କିନ୍ତୁ ତାପରେ କ’ଣ ହେଲା ? ଷୋଡ଼ଶ ଶତାବ୍ଦୀ ପରେ ଏହି ଭୂମିରେ ଯେଉଁସବୁ ଯୁଗ ଆସିଲା, ଆମେ ସେଗୁଡ଼ାକୁ ମୋଟେ ଅତୀତର ଯୁଗ ବୋଲି କହିପାରିବା ନାହିଁ । ତା’ପରେ ଓଡ଼ିଶାକୁ ମୋଗଲ ଆସିଲେ । କେତେ ମିଶ୍ରଣ ଓ ଅପମିଶ୍ରଣ ଘଟିଲା । କିନ୍ତୁ ସେସବୁର ଆଲୋଚନା ଅନ୍ୟତ୍ର କରାଯାଇପାରେ ।

 

୧୩.୦୫.୧୯୮୦

(ରେନେସାଁ ସାମୟିକ ସଂକଳନ-୨) ୧୯୮୦

Image

 

ଓଡ଼ିଶା ଧର୍ମସଂସ୍କୃତିର ଧାରା

 

ସଂସ୍କୃତିର ଭୂମି ଉପରେ ବିଚାର କଲେ ଧର୍ମର ଦୁଇଟି ଦିଗ ରହିଛି । ଗୋଟିଏ ତାହାର ଉପଲବ୍ଧି-ଦିଗ, ଆରଟି ଆଚାର ଏବଂ ଆଚରଣର ଦିଗ । ଆଚାରର ଦିଗଟି ହେଉଛି ବାହ୍ୟ ଦିଗ, ଶାସ୍ତ୍ରବିଧିର ଦିଗ, ଭେକବୁଦ୍ଧି ଓ ସମ୍ପ୍ରଦାୟର ଦିଗ । ଆମ ପୃଥବୀର ଇତିହାସରେ ଧର୍ମ ନାମରେ ଲଗାହୋଇ ରହିଥିବା ମାର୍କା ଛାଞ୍ଚ, ମାର୍ଗ ଆଉ ସମ୍ପ୍ରଦାୟଗୁଡ଼ାକର ଦିଗ । ଏଗୁଡ଼ିକୁ ଗୋଟିଏ ଶବ୍ଦରେ ଆମେ ଅଧ୍ୟାସର ଦିଗ ବୋଲି ବେଶ୍ କହିପାରିବା । ଅପର ପକ୍ଷରେ, ଧର୍ମର ଅନ୍ୟ ଦିଗଟି ହେଉଛି ଅଧ୍ୟାତ୍ମର ଦିଗ, ସାଧନାର ଦିଗ, ଆରୋହଣର ଦିଗ । ଉପନିଷଦର ଭାଷାରେ କହିଲେ ଏଇଟି ହେଉଛି ଉତ୍‌କ୍ରାନ୍ତିର ଦିଗ ।

 

ଧର୍ମ ନାମରେ ଆମେ ସାହିତ୍ୟ, ଇତିହାସ ଆଉ ଦର୍ଶନରେ ଯାହା କିଛି ପଢ଼ୁ, ସେଗୁଡ଼ିକ ଧର୍ମର ବାହ୍ୟ ଦିଗ । ଏଇଟିକୁ ହିଁ ଯଥାସମ୍ଭବ ଅଧିକ ବୈଜ୍ଞାନିକ ପଦ୍ଧତିରେ ଅଧ୍ୟୟନ କରିବା ଲାଗି ପଣ୍ଡିତମାନେ ପରାମର୍ଶ ଦେଇଥାନ୍ତି । ପ୍ରଧାନତଃ ଏହି ଦିଗଟିକୁ ନେଇ ହିଁ ଧର୍ମ ବିଷୟରେ ଆମର ପ୍ରାୟ ସବୁଯାକ ବହି ଲେଖାହୁଏ । ତୁଳନାତ୍ମକ ଆଲୋଚନା କରାଯାଏ । ଧାର୍ମିକ ମଣିଷମାନେ ପ୍ରାୟ ଏହାର ପରିଧିଟି ଭିତରେ ଆପଣାକୁ ଆବଦ୍ଧ କରି ରଖି ହିଁ ଗୋଟିଏ ଧର୍ମକୁ ଆଉଗୋଟିଏ ଧର୍ମର ଉପରେ ବା ତଳେ ନେଇ ଥୋଇ ଥାଆନ୍ତି । ସେହିପରି କରି ନିଜକୁ କେଡ଼େ ଗରୀୟାନ୍ ବୋଲି ଅନୁଭବ କରନ୍ତି । ରାଜ୍ୟମାନେ ଏହି ବାହ୍ୟ ଧର୍ମର ପୃଷ୍ଠପୋଷକତା କରି ହିଁ ଦେଉଳ ଗଢ଼ନ୍ତି, ଦିଅଁମାନଙ୍କର ସ୍ଥାପନା କରନ୍ତି, ପ୍ରିୟଦର୍ଶୀ ଅଥବା ଧର୍ମ୍ମାଶୋକ ବୋଲାନ୍ତି । ଏହି ବାହ୍ୟ ଧର୍ମକୁ ନେଇ ଜାତି ଓ ଦେଶମାନେ ଉଗ୍ର ହୁଅନ୍ତି, ଗର୍ବ କରିନ୍ତି ବାଟବଣା ହୁଅନ୍ତି । ଯୁଦ୍ଧ ଲାଗେ । ଅନେକ ସମୟରେ ସେହି ଯୁଦ୍ଧକୁ ଧର୍ମ ଯୁଦ୍ଧ ବୋଲି କୁହାଯାଏ । ଇତିହାସକାରମାନେ ଯଥାର୍ଥରେ କହିଛନ୍ତି ଯେ, ଆମ ପୃଥିବୀରେ ସବୁଠାରୁ ଅଧିକ ସଂଖ୍ୟକ ମଣିଷ ଧର୍ମ ହେତୁ ମରିଛନ୍ତି । ଇତିହାସର ଅଧିକାଂଶ ହତ୍ୟାକାଣ୍ଡ ଏହି ଧର୍ମହେତୁ ହୋଇଛି । ଏହି ଧର୍ମରୁ ଘୃଣା ନିଷ୍ପନ୍ନ ହୋଇଛି ଓ ତା’ପରେ ଘୃଣାକୁ ଗୌରବ ବୋଲି ଧରି ଧର୍ମବୀରମାନେ ମଣିଷ ମାରିବା ପାଇଁ ଯୁଦ୍ଧକ୍ଷେତ୍ରକୁ ବାହାରିଛନ୍ତି । ଠାକୁରମାନଙ୍କର ଆଶୀର୍ବାଦ ନେଇ ସେମାନେ ସେଗୁଡ଼ାକୁ କରିବାକୁ ଯାଇଛନ୍ତି । ଏହି ଧର୍ମ ଅନେକ ସମୟରେ ରାଜାଙ୍କର ଧର୍ମରେ ବି ପରିଣତ ହୋଇଥାଏ । ପ୍ରୟୋଜନଗତ ନାନା କାରଣରୁ ରାଜା କୌଣସି ଏକ ଧର୍ମର ପୃଷ୍ଠପୋଷକତା କରିବାକୁ ଆରମ୍ଭ କରନ୍ତି ଓ ତେଣୁ ରାଜ୍ୟର ସଂସ୍କାରଗତ ନିୟମଟି ଅନୁସାରେ ରାଜ୍ୟଗୋଟାକର ମଣିଷ ସେହି ଧର୍ମର ପଲ ଭିତରକୁ ଆସିଗଲେ ବୋଲି ଘୋଷଣା କରାହୁଏ । ଅନେକ ସମୟରେ ଠାକୁରମାନଙ୍କ ନାମରେ ହିଁ ତାହାର ଘୋଷଣା କରାଯାଏ ।

 

ଧର୍ମର ଅଧ୍ୟାତ୍ମଦିଗଟି ହେଉଛି ବାଟ ଚାଲିବାର ଦିଗ, ନିଜ ଭିତରକୁ ବାଟ ଚାଲିବାର ଦିଗ, ଜୀବନର ଅନୁଭବ ଅର୍ଥାତ୍ ଚେତନା ଓ ଶ୍ରଦ୍ଧାର ସଂଖ୍ୟାକ୍ଷେତ୍ରରେ ସୋପାନକୁ ସୋପାନ ଆରୋହଣ କରି ଆପଣାର ବୋଧକୁ ଓ ଆପଣାର ଦୃଷ୍ଟିକୁ ଅଧିକରୁ ଅଧିକ ପ୍ରସାରିତ କରି ପାରିବାର ଦିଗ । ଅଧ୍ୟାତ୍ମ ହିଁ ଆମ ଧର୍ମ ଜୀବନର ସର୍ବ ପ୍ରଥମ ଅନୁରାଗ ହୋଇରହିଥିଲେ ଅଗ୍ରସର ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଯାବତୀୟ ଭେକ ଯାବତୀୟ ଛାଞ୍ଚ ଓ ବାହ୍ୟାଙ୍ଗ ଆମ ଜୀବନକାୟଟିରୁ ଖସିଯିବାରେ ଲାଗିଯାଏ । ଅଧ୍ୟାତ୍ମ ଆମ ଜୀବନରେ ସତେ ଅବା ଏକ ରସାୟନ ପରି କାର୍ଯ୍ୟକରେ । ଆମକୁ ବଦଳାଇ ଦେବାରେ ଲାଗିଥାଏ । ଭିତରକୁ ବଦଳାଇ ତାହା ଆମ ବାହାରକୁ, ଆମ ସମ୍ବନ୍ଧଗୁଡ଼ାକୁ ଓ ଆମ ସମାଜକୁ ମଧ୍ୟ ବଦଳାଇ ଦେବାକୁ ସାହସ କରେ । ସେତେବେଳେ ଆମେ ଦେଉଳଗୁଡ଼ାକ ଭିତରେ ପ୍ରବେଶ କରି ଦେଉଳ ଗୁଡ଼ାକର ଆହୁରି ଆଗକୁ ଚାଲିଯାଉ । ମୂର୍ତ୍ତିଗୁଡ଼ାକ ଭିତରେ ପଶି ତଥାପି ମୂର୍ତ୍ତି ସହିତ ଆଦୌ ବାନ୍ଧିହୋଇ ରହୁନାହିଁ । ଆମେ ମୂର୍ତ୍ତିଗୁଡ଼ାକୁ ଭେଦି ମର୍ମକୁ ସ୍ପର୍ଶ କରୁ, ସତ୍ୟକୁ ସ୍ପର୍ଶ କରୁ ଏବଂ, ସେହି ସ୍ପର୍ଶ ଆମର ସମଗ୍ର ଜୀବନଟାକୁ ବଦଳାଇ ଦିଏ । ଆମର ଆଖିଗୁଡ଼ାକୁ ବଦଳାଇ ଦିଏ ।

 

ପ୍ରାୟ ଶହେବର୍ଷ ତଳେ ଜଣେ ବିଦେଶୀୟ ପର୍ଯ୍ୟବେକ୍ଷକ ଆମ ଓଡ଼ିଶା ବିଷୟରେ ମତଦେଇ କହିଛନ୍ତି ଯେ ଏକା ଓଡ଼ିଶାରେ ଯେତିକି ମନ୍ଦିର ରହିଛି ଅବଶିଷ୍ଟ ସମୁଦାୟ ଭାରତ ବର୍ଷରେ ମଧ୍ୟ ହୁଏତ ସେତିକି ମନ୍ଦିର ନାହିଁ । ଏଥିରେ ଗୁଡ଼ାଏ ଗର୍ବ ଅନୁଭବ କରିବାଲାଗି ଆଦୌ କୌଣସି କାରଣନାହିଁ । କାରଣ, ମନ୍ଦିରଗୁଡ଼ାକର ସଂଖ୍ୟା ବଢ଼ିଲେ ଯେ ଗୋଟାଏ ସମାଜରେ ଧର୍ମଭାବ ବଢ଼େ, ଅଧ୍ୟାତ୍ମ ବଢ଼େ, ଏଭଳି ବିଶ୍ୱାସ କରିବାକୁ ଇତିହାସରେ ମୋଟେ କୌଣସି ପ୍ରମାଣ ନାହିଁ । ଅନେକ ସମୟରେ ବରଂ ଏହାର ଓଲଟା କଥାଟା ହିଁ ଘଟିଛି । ମନ୍ଦିରଗୁଡ଼ାକର ଦମ୍ଭ ମଣିଷମାନଙ୍କୁ ହୁଏତ ସେହି ମନ୍ଦିରଗୁଡ଼ାକର ଚାରିସୀମା ଭିତରେ ହିଁ ବାନ୍ଧିରଖୁଛି । ଓଡ଼ିଶାର ପଞ୍ଚସଖାଙ୍କ ଭାଷାରେ କହିଲେ ମଣିଷର ଉଦୟ ପଥକୁ ବଣା କରି ରଖିଛି । ମନ୍ଦିର ତିଆରି କରିବାରୁ ଏହି ଆଗ୍ରହଟିରେ କିପରି କେଡ଼େ ସୂତରରେ କେତେ ମୋହ ଆସି ପ୍ରବେଶ କରିଯାଇଥାଏ, ସଂସ୍କୃତ କପିଳ ସଂହିତା ଗ୍ରନ୍ଥରୁ ଆମେ ତାହାର ଗୋଟିଏ ଉଦାହରଣ ପାଇପାରିବା-। ସେହି ଗ୍ରନ୍ଥରେ ଏକାମ୍ରତୀର୍ଥ ଭୁବନେଶ୍ୱରକୁ କୋଟିଲିଙ୍ଗର ସ୍ଥାନ ବୋଲି କୁହାଯାଉଛି ଏବଂ ତାପରେ ଭାରି ପ୍ରେମରେ ଘୋଷଣା କରାଯାଇଛି ଯେ, ସେହି ତୀର୍ଥରେ ଏତେ ଅଧିକ ସଂଖ୍ୟାରେ ଶିବଲିଙ୍ଗମାନ ରହିଛି ଯେ ତୀର୍ଥାଧିପତି ସ୍ୱୟଂ ମହାଦେବ ମଧ୍ୟ ତାହାର ସଂଖ୍ୟା ନିର୍ଣ୍ଣୟ କରି ପାରନ୍ତି ନାହିଁ ।

 

ସାଂସ୍କୃତିକ ଦୃଷ୍ଟିରୁ ଆମେ ସମଗ୍ର ଭାବରେ ଯେଉଁ ଭୂଇଁଟିକୁ ଓଡ଼ିଶା ବୋଲି କହି ଆସୁଛୁ, ସେହି ଭୂଇଁରେ ସର୍ବପ୍ରଥମେ ଆର୍ଯ୍ୟ ନଥିଲେ କି ଦ୍ରାବିଡ଼ ନଥିଲେ, ପ୍ରଜାତିବିଜ୍ଞାନର ଗଣବିଭାଜନ ଅନୁସାରେ ଓଡ଼ିଶାରେ ସର୍ବପ୍ରଥମେ ଯେଉଁ ମଣିଷମାନେ ବାସ କରୁଥିଲେ, ସେମାନଙ୍କୁ ଅଷ୍ଟ୍ରିକ୍‍ ଜାତି ବୋଲି କୁହାଯାଇଛି । ଏବେ ଆମେ ସେମାନଙ୍କୁ ଆଦିବାସୀ ବୋଲି କହୁଛୁ । ରାଜା ଅଶୋକଙ୍କ ସମୟରୁ ଆରମ୍ଭ କରି ଓଡ଼ିଶାର ଗଜପତି ରାଜାମାନଙ୍କ ପର୍ଯ୍ୟନ୍ତ ଅଭିଲେଖମାନଙ୍କରେ ସେମାନଙ୍କୁ ଆଟବିକ ଅର୍ଥାତ୍‍ ଅରଣ୍ୟବାସୀ ବୋଲି କୁହାଯାଇଛି । ସେହି ଅଷ୍ଟ୍ରିକ୍‌ମାନେ ହିଁ ଆମ ଧର୍ମ ଓ ଆମ ସଂସ୍କୃତିର ସବାମୂଳରେ ରହିଛନ୍ତି । ଆମ ଧର୍ମସାଂସ୍କୃତିକ ଜୀବନରେ କେତେ କେତେ ସାମଗ୍ରୀକୁ ଆମେ ସେହିମାନଙ୍କ ଠାରୁ ପାଇଛୁ । ସମୁଦାୟ ଭାରତବର୍ଷରେ ଯାହା ହୋଇଛି, ଓଡ଼ିଶାରେ ମଧ୍ୟ ସମଗ୍ରତଃ ତାହାହିଁ ହୋଇଛି । ଆର୍ଯ୍ୟବ୍ରାହ୍ମଣ୍ୟ ବା ବୌଦ୍ଧ ଜୈନ ପ୍ରଭୃତି ସମ୍ପ୍ରଦାୟର ଧର୍ମକର୍ମ, ଶ୍ରାଦ୍ଧ ବିବାହ, ଜନ୍ମ ଓ ମୃତ୍ୟୁ ସମ୍ବନ୍ଧୀୟ ଅଧିକାଂଶ ବିଶ୍ୱାସ, ବିଧି ତଥା ଅନୁଷ୍ଠାନ ଓ ଆଚାର ନାନା ଦେବଦେବୀଙ୍କର ରୂପ ଓ କଳ୍ପନା, ଆହାର ବିହାର ସମୟ ପ୍ରାୟ ଯାବତୀୟ ସ୍ପୃଶ୍ୟତା ଓ ଅସ୍ପୃଶ୍ୟତାକୁ ଆମେ ଆଦିବାସୀମାନଙ୍କ ଠାରୁ ଆତ୍ମସାତ୍ କରିଛୁ । ବିଶେଷତଃ ହିନ୍ଦୁସମାଜର ଜନ୍ମାନ୍ତରବାଦ, ପରଲୋକ ବିଷୟରେ ଧାରଣା, ପ୍ରେତତତ୍ତ୍ୱ ପିତୃତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧୋପଚାର ସଂକ୍ରାନ୍ତୀୟ ଅନେକ ଅନୁଷ୍ଠାନକୁ ଆମେ ଆଦିବାସୀ ଅଷ୍ଟ୍ରିକ୍ ସଂସ୍କୃତିରୁ ପାଇଛୁ । ଆମେ ଏବେ ମଧ୍ୟ ପାଳନ କରୁଥିବା ପ୍ରାୟ ସବୁଯାକ ବ୍ରତ ଓ ଓଷା ମୂଳତଃ ସେହି ଅଷ୍ଟ୍ରିକ୍ ସମାଜର-। ଆମ ଗାଆଁମାନଙ୍କରେ ଏବେ ମଧ୍ୟ ପୂଜା ପାଉଥିବା ଗ୍ରାମଦେବତା ଓ ଗ୍ରାମଦେବତୀମାନେ ମଧ୍ୟ ସେହି ପ୍ରାକ୍-ଆର୍ଯ୍ୟ କାଳର । ଶୀତଳା, ମନଦୁର୍ଗା, ଷଷ୍ଠି, ନାନାବିଧ କଳ୍ପନାର ଚଣ୍ଡୀ, ନରମୁଣ୍ଡ ମାଳିନୀ, ଶ୍ମଶାନଚାରିଣୀ କାଳୀ ଓ ଶ୍ମଶାନଚାରୀ ଶିବ ଓ ପର୍ଣ୍ଣଶବରୀ ପ୍ରଭୃତି ଦେବଦେବୀମାନେ ପ୍ରକୃତରେ ଆର୍ଯ୍ୟକାଳର ଅନେକ ପୂର୍ବରୁ କଳ୍ପିତ ହୋଇଛନ୍ତି ଓ ସମାଜକୁ ଆସିଛନ୍ତି । ପରବର୍ତ୍ତୀ କାଳରେ ନାନା ଆବଶ୍ୟକତାରେ ପଡ଼ି ସେମାନେ ବ୍ରାହ୍ମଣ୍ୟ ଓ ବୌଦ୍ଧ ଧର୍ମ ଭିତରକୁ ଆସିଛନ୍ତି, ସ୍ୱୀକୃତି ବି ଲାଭ କରିଛନ୍ତି । ରଥଯାତ୍ରା, ସ୍ନାନଯାତ୍ରା, ଦୋଳଯାତ୍ରା ପ୍ରଭୃତି ପର୍ବ ପ୍ରଧାନତଃ ଆଦିବାସୀମାନଙ୍କର । ଭାରତବର୍ଷରେ ନାନା ସ୍ଥାନରେ ହୋଲିପର୍ବକୁ ଶୂଦ୍ରୋତ୍ସବ ବୋଲି କୁହାଯାଏ-। ଆମ ରଜପର୍ବର ସଂସ୍କାରଟି ଆଦିମ ସମାଜଗୋଷ୍ଠୀର ପ୍ରଜନନ ଶକ୍ତିର ପୂଜା ଏବଂ ତାହାର ଧର୍ମଧାରଣାଟି ସହିତ ଜଡ଼ିତ ହୋଇ ରହିଛି-। ଅଧ୍ୟାପକ ଶ୍ରୀ ସୁନୀତି କୁମାର ଚଟ୍ଟୋପାଧ୍ୟାୟ, ଆମର ଧର୍ମ ଶବ୍ଦଟି ହିଁ ସମ୍ଭବତଃ ପ୍ରାଚୀନ କୌଣସି ଅଷ୍ଟ୍ରିକ୍ ଶବ୍ଦର ରୂପାନ୍ତର, ଏବଂ ବୌଦ୍ଧ ତ୍ରୟକଳ୍ପନାର ମଝିରେ ଥିବା ଧର୍ମ ଶବ୍ଦଟି ଓ ଯାହାର ପୂଜା ହୁଏତ ଆଦିବାସୀ ସମାଜଗୋଷ୍ଠୀର ଧର୍ମପୂଜାରୁ ଗୃହୀତ ହୋଇ ଆସିଛି । ଗୋଟିଏ ମତ ଅନୁସାରେ ଲିଙ୍ଗ ହେଉଛି ଏକ ଅଷ୍ଟ୍ରିକ୍ ଶବ୍ଦ ଓ ଆର୍ଯ୍ୟମାନେ ଭାରତର ଆଦିମ ନିବାସୀମାନଙ୍କ ଠାରୁ ହିଁ ଲିଙ୍ଗର ଉପାସନା ତଥା ମୂର୍ତ୍ତିକୁ ଗ୍ରହଣ କରିଛନ୍ତି । ଇନ୍ଦ୍ରଙ୍କର ପୂଜା ମଧ୍ୟ ସେହି ଅଷ୍ଟ୍ରିକ୍‌ ମୂଳରୁ ଆର୍ଯ୍ୟମାନଙ୍କ ସମାଜକୁ ଆସିଛି । ଆମ ଓଡ଼ିଶାର ଇତିହାସରେ ଅତ୍ୟନ୍ତ ପରିଚିତ ହୋଇ ରହି ଆସିଥିବା ତୋଷଳ, ଧୌଳୀ, କଳିଙ୍ଗ ଓ ଉତ୍କଳ ପ୍ରଭୃତି ଶବ୍ଦର ଉତ୍ପତ୍ତି ଏହି ଅଷ୍ଟ୍ରିକ୍‌ ମୂଳରୁ ହୋଇଛି ।

 

ଇତିହାସର ହିସାବ ନିଶ୍ଚୟ କରୁଥିବା ପଣ୍ଡିତମାନେ କହନ୍ତି, ଯେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଶେଷ ବେଳକୁ ଦକ୍ଷିଣ ଓ ପଶ୍ଚିମରୁ ଦ୍ରାବିଡ଼ମାନେ ଓଡ଼ିଶାକୁ ଆସିଥିଲେ । ତା’ପରେ ଗଡ଼ ଏବଂ ମହା କୋଶଳ ଦେଇ ଦୁଇ ଶାଖାରେ ଆର୍ଯ୍ୟମାନେ ମଧ୍ୟ ଏହି ଭୂମିରେ ପ୍ରବେଶ କରିଥିଲେ । ଏହିପରି ତିନୋଟି ଉପାଦାନ ଏକାଠି ମିଶି ଓଡ଼ିଶାର ଭାଷା ବିବର୍ତ୍ତିତ ହୋଇ ଆସିଛି, ଓଡ଼ିଶାର ଧର୍ମ ମଧ୍ୟ ନାନା ପ୍ରକାରେ ଗଠିତ ଏବଂ ପୁନର୍ଗଠିତ ହୋଇ ଆସିଛି । ଏଭଳି ସୂଚନା ମିଳୁଛି ଯେ ଦେବୀଙ୍କ ପୂଜା ସର୍ବପ୍ରଥମେ ଦ୍ରାବିଡ଼ ଜାତିଗୁଡ଼ିକ ମଧ୍ୟରେ ପ୍ରଚଳିତ ଥିଲା । ପାର୍ବତୀ ନାମ ପର୍ବତୀୟ ଜାତିଙ୍କୁ ସୂଚାଇ ଦେଉଛି । କାଳୀ ଶବ୍ଦଟି କୃଷ୍ଣବର୍ଣ୍ଣ ଜାତି ଏବଂ ଉମା ଶବ୍ଦ ଦ୍ରାବିଡ଼ ଅମ୍ମ ଶବ୍ଦଟିର ସୂଚନା ଦେଉଛି । ଓଡ଼ିଶୀ ସଂଗୀତ, ଓଡ଼ିଶୀ ନୃତ୍ୟ, ଏବଂ ସର୍ବୋପରି ଓଡ଼ିଆ ଅକ୍ଷର ଉପରେ ବହୁ ପରିମାଣରେ ଦ୍ରାବିଡ଼ ପ୍ରଭାବ ପଡ଼ିଛି । ଇତିହାସର ସେହି ପ୍ରଥମ କାଳରେ ଓଡ଼ିଶାରେ ଯେଉଁ ସାମାଜିକ ଅଷ୍ଟ୍ରୋଦ୍ରାବିଡ଼ ଭୂମିଟି ଦୃଢ଼ ହୋଇ ତିଆରି ହୋଇଥିଲା, ଆର୍ଯ୍ୟମାନେ ତାହାର ବ୍ୟୂହଟି ଭିତରକୁ ଆଦୌ ଭେଦ କରି ପାରିନଥିଲେ ଓ ଦୂରରେ ଥାଇ ଏହାକୁ ଏକ ପତିତ ଓ ଅଗନ୍ତବ୍ୟ ଭୂମି ବୋଲି କହୁଥିଲେ । କେବଳ ତୀର୍ଥଯାତ୍ରା ବ୍ୟତୀତ ଏହି ଭୂମିଟି ଆସିବା ପ୍ରାୟ ନିଷିଦ୍ଧ ହୋଇ ରହିଥିଲା । ଏହି ଭୂମିକୁ ଆସୁଥିବା ଆର୍ଯ୍ୟବର୍ତ୍ତବାସୀଙ୍କୁ ଘରକୁ ଫେରି ପ୍ରାୟଶ୍ଚିତ୍ତ କରିବାକୁ ପଡ଼ୁଥିଲା ।

 

ଧଉଳି ପାହାଡ଼ରେ ସମ୍ରାଟ ଅଶୋକ ଯେଉଁ ଶିଳାଲିପି ଖୋଦିତ କରାଇଥିଲେ, ତାହା ଓଡ଼ିଶାର ଭାଷାରେ ଲେଖା ହୋଇ ନଥିଲା । ତାହାର ପ୍ରାୟ ତିନି ଶତାବ୍ଦୀ ପରେ ଖାରବେଳ ମଧ୍ୟ ହାତୀଗୁମ୍ଫାରେ ଯେଉଁ ଘୋଷଣାଟିକୁ ଲିପିବଦ୍ଧ କରାଇଥିଲେ, ସେଇଟି ବି ସ୍ଥାନୀୟ ଭାଷାର ନଥିଲା-। ତେଣୁ ସମ୍ଭବତଃ କେବଳ ରାଜଧର୍ମ ହିସାବରେ ହିଁ ତତ୍କାଳୀନ ଓଡ଼ିଶାର ପ୍ରଜାକୁଳ ବୌଦ୍ଧଧର୍ମ ଏବଂ ଜୈନଧର୍ମକୁ ଗ୍ରହଣ କରିଥିଲେ ଏବଂ ସମ୍ଭବତଃ ସେହି କାରଣରୁ ହିଁ ଓଡ଼ିଶାରେ ଜୈନଧର୍ମ ହିନ୍ଦୁବସ୍ତ୍ର ପିନ୍ଧିବାକୁ ଆଦୌ ଅଧିକ ସମୟ ଲାଗି ନଥିଲା ଏବଂ ବଜ୍ରଯାନର ପର୍ଯ୍ୟାୟକୁ ଆସି ହିଁ ବୌଦ୍ଧଧର୍ମ ଉତ୍କଳବାସୀଙ୍କର ଜୀବନକୁ ପ୍ରକୃତରେ ସ୍ପର୍ଶ ଓ ଆନ୍ଦୋଳିତ କରି ପାରିଥିଲା । ହାତୀଗୁମ୍ଫାର ଶିଳାଲେଖାରେ ଖାରବେଳ ନିଜକୁ ଏକା ଧାରରେ ‘ଖେମରାଜା ସ ବଢ଼ରାଜା ସି ଭିଖୁରାଜା ! ଧମ୍ମରାଜା’ ବୋଲି ଘୋଷଣା କରାଇଛନ୍ତି । ସେଇ କ୍ଷମାର ରାଜା ଥିଲେ, ବଡ଼ ରାଜା ଥିଲେ । ଭିକ୍ଷୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭିକ୍ଷୁଥିଲେ ଓ ପୁଣି ଧର୍ମାଚରଣର କ୍ଷେତ୍ରରେ ମଧ୍ୟ ସିଏ ସବାବଡ଼ ଥିଲେ । ଏହିସବୁ କଥାକୁ ଆମେ ଖୁବ୍‌ବେଶୀ ଗୁରୁତ୍ୱ ଦେବାନାହିଁ । ରାଜାମାନେ ସାଧାରଣତଃ ସବୁଠାରୁ ନିଜକୁ ଏହିପରି ଭାବରେ ସବୁପ୍ରକାରେ ସର୍ବଶୀର୍ଷ ସ୍ଥାନରେ ନେଇ ବସାଇବାକୁ ଇଚ୍ଛା କରିଥାନ୍ତି । ତାଙ୍କରି ଆଦେଶରେ ତାଙ୍କରି ପ୍ରଶସ୍ତିମାନ ଲେଖାହୁଏ । ସେଗୁଡ଼ାକ ଆମେ ମୋଟେ ଇତିହାସ ବୋଲି କହିବାନାହିଁ । ଧର୍ମଗତ ବାହ୍ୟ ଅବୟବର କେତଟା ରାଜକୀୟ ରୀତି ବୋଲି ଜାଣିବା ।

 

ଖାରବେଳଙ୍କ ପରେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ଆଖିକୁ ଦେଖାଯିବା ଭଳି ଓଡ଼ିଆ ବୋଲି କୌଣସି ସମଗ୍ର ରାଜ୍ୟ ନଥିଲା । ଭୂମିଟିର ବିଭିନ୍ନ ସ୍ଥାନରେ ସ୍ଥାନୀୟ ରାଜ୍ୟ ଓ ସ୍ଥାନୀୟ ରାଜବଂଶମାନେ ରହିଥଲେ ଓ ଅଧିକାଂଶ ସମୟରେ ପରସ୍ପର ସହିତ ଯୁଦ୍ଧ ଲଢ଼ୁଥିଲେ । ରାଜ୍ୟର ସୀମାଗୁଡ଼ାକ ମୁହୁର୍ମୁହୁ ବଦଳି ଯାଇଥିଲା । ପ୍ରଜାମାନେ ରାଜାମାନଙ୍କର ଜୟ ଓ ପରାଜୟ ଅନୁସାରେ ଏପାଖ ସେପାଖ ହେଉଥିଲେ । ସେମାନଙ୍କର ଧର୍ମ ଜୀବନ ମଧ୍ୟ ସେହି ଅନୁସାରେ ରାଜାମାନଙ୍କ ଦଉଡ଼ିରେ ଟଣା ହୋଇ ଏପାଖ ସେପାଖ ହେଉଥିଲା । ଖାରବେଳଙ୍କ ସମୟରେ ଜୈନ୍ୟଧର୍ମର ପ୍ରଭୂତ ସମୃଦ୍ଧି ଘଟିଥିଲା ବୋଲି ଇତିହାସ ଲେଖକମାନେ କହିଛନ୍ତି । ମାତ୍ର ଖାରବେଳଙ୍କର ମେଘବାହନ ବଂଶର ଶକ୍ତି ହ୍ରାସ ହୋଇ ଆସିବା ପରେ ଜୈନଧର୍ମର ଶକ୍ତିରେ ମଧ୍ୟ ହ୍ରାସ ହେଲା, ବୌଦ୍ଧଧର୍ମ ପ୍ରାଧାନ୍ୟ ଲାଭ କଲା । ତା’ପରେ ଓଡ଼ିଶାର ଇତିହାସରେ ଧର୍ମର ଯେତିକି ଇତିହାସ ମିଳୁଛି ତାହା ହେଉଛି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୋଟିଏ ଗୋଟିଏ ସ୍ଥାନୀୟ ବୁଦ୍‌ବୁଦ ପରି ଆବିର୍ଭୁତ ହୋଇଥିବା ରାଜବଂଶ ଓ ସେହିସବୁ ରାଜବଂଶର ରାଜାମାନେ ଆପଣାର ଧର୍ମ ହିତୈଷିତାର ପ୍ରଶସ୍ତି କରି ଲେଖାଇ ଯାଇଥିବା ଅଭିଲେଖଗୁଡ଼ିକରୁ ମିଳୁଥିବା ଅତିରଞ୍ଜିତ ବା ଅତିକୃତ କେତେକ କାହାଣୀ । ମୁରୁନ୍ଦମାନେ ଜୈନ ଥିଲେ, ତେଣୁ ତାଙ୍କ ପ୍ରଜାମାନେ ବି ଜୈନ ଥିଲେ । ମାଠରମାନେ ସୂପ୍ତଦତ୍ତ ସନନ୍ଦମାନଙ୍କରେ ଆପଣାକୁ ପରମ ଭାଗବତ ଓ ପରମ ଦୈବତ ବୋଲି କହିଛନ୍ତି । ମାଠରମାନେ ଆପଣାକୁ ପିତୃଭକ୍ତ ବୋଲି ମଧ୍ୟ କେତେ ଶବ୍ଦାଡ଼ମ୍ବର ସହିତ ଘୋଷଣା କରିଛନ୍ତି । ଶୈଳୋଦ୍‌ଭବମାନେ ଶିବପୂଜକ ଥିଲେ । ସେମାନେ ଆପଣାକୁ ପରମ ମାହେଶ୍ଵର ବୋଲି କହିଛନ୍ତି । ଭୌମକରମାନଙ୍କ ସମୟରେ ବୌଦ୍ଧ ଧର୍ମ ରାଜଧର୍ମ ରୂପେ ସ୍ୱୀକାର ପାଇଥିଲା । ତେଣୁ ସେମାନେ ଆପଣାର ପ୍ରଶସ୍ତିଲେଖ ଓ ଦାନପତ୍ରଗୁଡ଼ିକରେ ନିଜକୁ ପରମ ସୌଗତ, ପରମ ତଥାଗତ ଓ ପରମୋପାସକ ବୋଲି ପରିଚିତ କରାଇ ଯାଇଛନ୍ତି । ସୋମକୁଳୀମାନେ ଶୈବ ଥିଲେ । ନନ୍ଦ ଓ ଭଞ୍ଜ ଉଭୟ ବଂଶର କେତେକ ବୌଦ୍ଧଥିଲେ, କେତେକ ଶୈବ୍ୟ ଥିଲେ, ପୁଣି କେତେକ ବିଷ୍ଣୁ ଉପାସକ ବି ଥିଲେ । ଖ୍ରୀଷ୍ଟ ପଞ୍ଚମ ଶତାବ୍ଦୀ କୋଶଳର ନନ୍ଦବଂଶୀ ରାଜାମାନେ ଶିବଙ୍କର ଉପାସନା କରୁଥିଲେ । ସରଭପୂରୀୟ ଏବଂ ପଣ୍ଡୁବଂଶୀମାନେ ବିଷ୍ଣୁପୂଜକ ଥିଲେ ।

 

ସକଳୋତ୍କଳ–ଅଧିପତି ଚୋଳଗଙ୍ଗ ଦେବ ପ୍ରଥମେ ଶୈବ ଥିଲେ ଏବଂ କଳିଙ୍କ ରାଜ୍ୟକୁ ଜିଣି ସାରିବା ପରେ ବୈଷ୍ଣବ ହେଲେ । ଶୈବ ଥିବା ସମୟରେ ଆପଣାର ଗୋଟିଏ ଦାନପତ୍ରରେ ସେ ନିଜକୁ ୧୦୮୪ ମସିହାରେ ପରମ ମାହେଶ୍ୱର ବୋଲି ବର୍ଣ୍ଣନା କରିଛନ୍ତି । ତା’ପରେ ୧୧୧୨ ମସିହାରେ ଆପଣାକୁ ଆଉଗୋଟିଏ ଦାନ ପତ୍ରରେ ଏକାଧାରରେ ପରମ ମାହେଶ୍ୱର ଓ ପରମ ବୈଷ୍ଣବ ବୋଲି କୁହାଇଛନ୍ତି; ମାତ୍ର ଛଅବର୍ଷ ପରେ ପ୍ରଦତ୍ତ ଏକ ଅନ୍ୟ ଦାନପତ୍ରରେ ନିଜକୁ କେବଳ ପରମ ବୈଷ୍ଣବ ବୋଲି ବିଦିତ କରାଇଛନ୍ତି । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ରାଜାମାନେ ଧର୍ମର କେବଳ ବାହ୍ୟାଂଶଗୁଡ଼ାକୁ ହିଁ ଗ୍ରହଣ କରିଥାନ୍ତି ଓ ପ୍ରଜାମାନଙ୍କଦ୍ୱାରା ଆପଣାକୁ ସ୍ୱୟଂ ଭଗବାନଙ୍କର ପ୍ରତିନିଧି ବୋଲି ସ୍ୱୀକାର କରାଇ ନେଇଥାନ୍ତି । ତଦ୍ଦ୍ୱାରା ଏକ ଲୋକ ସମୂହର ଧର୍ମଜୀବନରେ ହୁଏତ ଉଲ୍ଲେଖଯୋଗ୍ୟ ଭାବରେ କିଛି ନଘଟିଲେ ମଧ୍ୟ ନିରାପଦ ରହେ, ପ୍ରଜାମାନେ ଶୀତଳ ହୋଇ ରହନ୍ତି, ରାଜାସନ ନିରାପଦ ରହେ । ସମ୍ଭବତଃ ଏହିପରି ଏକ ନ୍ୟାୟଦ୍ୱାରା ଅନୁରୁଦ୍ଧ ହୋଇ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ ଆପଣାକୁ ଭଗବାନ ପୁରୁଷୋତ୍ତମଙ୍କର ଜଣେ ପୁତ୍ରତୁଲ୍ୟ ପ୍ରତିନିଧି ବୋଲି ଘୋଷଣା କରାଇଥିଲେ । ସୂର୍ଯ୍ୟବଂଶର ପ୍ରଥମ ରାଜା କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥ ମହାପ୍ରଭୁଙ୍କର ସେବକ ବୋଲି କହିଥିଲେ । ତାଙ୍କ ଅନ୍ତେ ରାଜା ପୁରୁଷୋତ୍ତମ ଦେବ ବ୍ରାହ୍ମଣମାନଙ୍କୁ ତୁଷ୍ଟ କରି ସେମାନଙ୍କ ତୁଣ୍ଡରେ ଆପଣାକୁ ‘ନାରାୟଣ, ଅଂଶାବତାର’ ବୋଲି କୁହାଇଥିଲେ ।

 

ରାଜାମାନଙ୍କର ସନନ୍ଦ ଓ ପ୍ରଶସ୍ତିପତ୍ରଗୁଡ଼ାକରୁ ଗୋଟାଏ ଜନପଦର ଧର୍ମଧାରାକୁ ନିର୍ଣ୍ଣୟ କରିବା ଅଧିକାଂଶ ସମୟରେ ଆଦୌ ପ୍ରମାଦଶୂନ୍ୟ ହୋଇ ପାରେନାହିଁ ଏବଂ ତଦ୍ଦ୍ୱାରା ଇତିହାସ ନାମରେ ଆମକୁ ଅନେକ ଭ୍ରାନ୍ତ କଥା କୁହାଯାଇଥାଏ । ଏଠାରେ ଆମେ ତାହାର କେବଳ ଗୋଟିଏ ଉଦାହରଣ ଦେବାକୁ ଚେଷ୍ଟା କରିବା । ଭୌମକରମାନଙ୍କ ସମୟକୁ ଓଡ଼ିଶାର ଯେଉଁ ବୌଦ୍ଧଧର୍ମ ପ୍ରସାର ଲାଭ କରିଥିଲା, ତାହା ବୌଦ୍ଧଧର୍ମର ବଜ୍ରଯାନୀ ସଂସ୍କରଣ, ଅର୍ଥାତ୍‍ ମୂଳ ବୌଦ୍ଧ ସନ୍ଦେଶଟିର ଏକ ମୂର୍ତ୍ତିକୃତ ହିନ୍ଦୁ ସଂସ୍କରଣ । ବଜ୍ରଯାନର କେତେକ ପ୍ରଖ୍ୟାତ ପଣ୍ଡିତ ଓ ସୂତ୍ରକାର ଓଡ଼ିଶାରେ ଯେ ଜନ୍ମଗ୍ରହଣ କରିଥିଲେ, ସେଥିରୁ ହୁଏତ ଏପରି ଗୋଟିଏ ଅନୁମାନ କରାଯାଇ ପାରିବ ଯେ, ବୌଦ୍ଧଧର୍ମର ଅସଲ ଚେରଗୁଡ଼ାକ ଓଡ଼ିଶାର ମାଟିରେ ଆଦୌ ଅଧିକ ଦୂରକୁ ଭେଦି ପାରି ନଥିଲା ଏବଂ ତେଣୁ ସର୍ବପ୍ରଥମେ ଓଡ଼ିଶାରେ ହିଁ ବୌଦ୍ଧଧର୍ମର ବଜ୍ରଯାନୀ ଅଧୋଗମନଟି ସମ୍ଭବ ହୋଇ ପାରିଲା । ଆମ ଓଡ଼ିଶାର ଅଧିକାଂଶ ବୌଦ୍ଧ କୀର୍ତ୍ତି ଏହି ସମୟର ଘଟଣା । ତାପରେ ଶୈବମାନଙ୍କର ଉତ୍ପାତରୁ ବୌଦ୍ଧଧର୍ମ କ୍ଷୟପ୍ରାପ୍ତ ହେଲା । ଖ୍ରୀଷ୍ଟ ସପ୍ତମ ଶତାବ୍ଦୀର ଦ୍ୱିତୀୟ ଦଶକରେ କର୍ଣ୍ଣସୁବର୍ଣ୍ଣର ଶୈବ ରାଜା ଶଶାଙ୍କ ଉତ୍କଳ ଅଧିକାର କରିଥିଲେ । ସଂସ୍କୃତ ଏକାମ୍ର ପୁରାଣର କଥା ଅନୁସାରେ ଏହି ଶଶାଙ୍କ ହିଁ ଏକାମ୍ର ତୀର୍ଥରେ ତ୍ରିଭୁବନେଶ୍ଵରଙ୍କର ଥାପନା କରିଥିଲେ। ଏକାମ୍ର ପୁରାଣର ବର୍ଣ୍ଣନାଗୁଡ଼ିକରେ ସମ୍ଭବତଃ ଶିବଙ୍କ ଅପେକ୍ଷା ଅପେକ୍ଷା ରାଜା ଶଶାଙ୍କଙ୍କର ହିଁ ଅଧିକତର ପ୍ରଶସ୍ତି କରାଯାଇଛି । ଶଶାଙ୍କଙ୍କର ଆଦେଶରେ ବୌଦ୍ଧମାନଙ୍କୁ ଉତ୍ପୀଡ଼ନ ସହ୍ୟ କରିବାକୁ ହୋଇଥିଲା । ଶୈବ ସନ୍ନ୍ୟାସୀ ଶଙ୍କରାଚାର୍ଯ୍ୟଙ୍କର ଓଡ଼ିଶା ଆଗମନ ଏବଂ ଧର୍ମ-ଦିଗ୍‌ ବିଜୟ ମଧ୍ୟ ଓଡ଼ିଶାରେ ବୌଦ୍ଧ-ନିପୀଡ଼ନରେ କେତେକ ପରିମାଣରେ ନିଶ୍ଚୟ ସାହାଯ୍ୟ କରିଥିବ । ସେତେବେଳେ ଭାରତର ସମଗ୍ର ପୂର୍ବାଞ୍ଚଳରେ ଏହି ବୌଦ୍ଧଧର୍ଷଣ ଲାଗି ରହିଥିଲା । ବଜ୍ରଯାନୀ ବୌଦ୍ଧାଚାର୍ଯ୍ୟମାନେ ବହୁସଂଖ୍ୟାରେ ଏହି ଜନପଦଗୁଡ଼ିକୁ ଛାଡ଼ି ପଳାଇଥିଲେ । ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟର ଲେଖକମାନଙ୍କୁ ଆମେ ଏହି ପଳାତକମାନଙ୍କ ମଧ୍ୟରେ ହିଁ ଚିହ୍ନଟ କରିପାରିବା । ସେମାନଙ୍କ ମଧ୍ୟରୁ କାହ୍ନୁପାଦ, ଲୁଇପାଦ ଓ ସରହପାଦ ପ୍ରଭୃତି କେତେ ଆଚାର୍ଯ୍ୟ ଓଡ଼ିଶାରେ ଥିଲେ ଏକ ଦୃଢ଼ ଅନୁମାନ କରାଯାଏ । ଓଡ଼ିଶାର ଏକ ଦୁର୍ଦ୍ଦିନରେ ସେମାନେ ହୁଏତ ପ୍ରାଣ ନେଇ ଓଡ଼ିଶାଠାରୁ ବହୁ ଦୂରକୁ ପଳାଇ ଯାଇଥିଲେ । ଓଡ଼ିଶାର ଅସଲ ଧର୍ମକ୍ଷେତ୍ରକୁ ଆମର ଏଠି ଶ୍ରୀକ୍ଷେତ୍ର ବୋଲି କୁହାଯାଇଛି । ଜଗନ୍ନାଥ ହେଉଛନ୍ତି ମୂଳତଃ ଆଦିବାସୀମାନଙ୍କର ଦେବତା । ଆର୍ଯ୍ୟ ବ୍ରାହ୍ମଣ୍ୟ ସଂସ୍କୃତି ତାହାକୁ ଆତ୍ମସାତ କରି ଆଣିଛି । ଏହାକୁ ଆର୍ଯ୍ୟ ଓ ଆର୍ଯ୍ୟେତର ସଂସ୍କୃତି ମଧ୍ୟରେ ଏକ ସମ୍ମିଳନ ବୋଲି କହି ଖୁସି ହେଉଥିବା ପଣ୍ଡିତମାନେ ହୁଏତ ଏକଥାଟିକୁ ଦେଖିବାଲାଗି ମୋଟେ ମନ କରନ୍ତିନାହିଁ ଯେ ଆଜି ମଧ୍ୟ ଜଗନ୍ନାଥ ମନ୍ଦିରରେ ଆଦିବାସୀମାନଙ୍କର ପ୍ରବେଶ କରିବାକୁ ଅଧିକାର ନାହିଁ । ସେହିପରି ପୁରୀ ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତିଗୁଡ଼ିକୁ କେହି ଜୈନ ଓ ପୁଣି ଆଉକେହି ବୌଦ୍ଧ ଅବଶେଷ ବୋଲି କହନ୍ତି । ହିନ୍ଦୁମାନେ ସେମାନଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଏକ ବିବର୍ତ୍ତିତ ପ୍ରତୀକ ରୂପ ବୋଲି ବି ଅନୁମାନ କରିଥାନ୍ତି । ପୁରୀ ଭାରତବର୍ଷର ଚାରିଧାମ ମଧ୍ୟରୁ ଗୋଟିଏ ହୋଇଥିବାରୁ ଏଠାକୁ ଭାରତବର୍ଷର ପ୍ରଧାନ ପ୍ରଧାନ ପ୍ରାୟ ପ୍ରତ୍ୟେକ ଧର୍ମସମ୍ପ୍ରଦାୟର ଗୁରୁମାନେ ଆସିଛନ୍ତି, ଏଠାରେ ମଠ ସ୍ଥାପନ କରିଛନ୍ତି ଓ ବାନା ପୋତିଛନ୍ତି । ରାଜାମାନଙ୍କର ହୃଦ୍‌ବୋଧ କରାଇ ସେମାନେ ମନ୍ଦିରର ଭିତରେ ମଧ୍ୟ ଆପଣା ଆପଣା ମାର୍ଗରେ କେତେ ଉପାସନାବିଧି ଆଣି ପ୍ରବେଶ କରାଇ ଦେଇଛନ୍ତି । ମାତ୍ର ଜଗନ୍ନାଥ ରୂପେ ବର୍ତ୍ତମାନ ମଧ୍ୟ ପ୍ରାୟ ସେହିପରି ହୋଇ ରହିଛନ୍ତି । ଜଗତର ନାଥଙ୍କୁ ରାଜା ଓ ପୁରୋହିତ ମାନେ ମିଶି ମନ୍ନାଥ କରି ରଖିଛନ୍ତି । ଜଗନ୍ନାଥ ଚେତନା ମର୍ମତଃ ଯାହା ହୋଇଥିଲେ ମଧ୍ୟ ଜଗନ୍ନାଥଙ୍କୁ ଗିଳିକରି ରହି ଆସିଥିବା ଅନୁଷ୍ଠାନଟି ଏକ ସାମନ୍ତବାଦୀ ଅନୁଷ୍ଠାନ ହୋଇ ରହି ଆସିଛି । ଜଗନ୍ନାଥ କ୍ଷେତ୍ରକୁ ଅଦ୍ୱୈତ ଆସିଛନ୍ତି, ଦ୍ୱୈତ ଆସିଛନ୍ତି ଓ ବିଶିଷ୍ଟା ଦ୍ୱୈତ ଆସିଛନ୍ତି, ତାନ୍ତ୍ରିକ; ବୌଦ୍ଧ, ଜୈନ ଓ ବୈଷ୍ଣବ ଯାବତୀୟ ଉପାସନା ମଧ୍ୟ ଆସିଛି । ତଥାପି ଏକ ଅନୁଷ୍ଠାନ ହିସାବରେ ଜଗନ୍ନାଥ ଏହି ସବୁକିଛିର ସଂସ୍ପର୍ଶରେ ଆସି ମଧ୍ୟ ଆଦୌ କିଛି ହୋଇନାହାନ୍ତି, କାଳକାଳରୁ କାଳକାଳ ପର୍ଯ୍ୟନ୍ତ ସିଏ ମୂଳତଃ ସାମନ୍ତ ହୋଇ ରହିଛନ୍ତି, ସାମନ୍ତମାନଙ୍କର ସମ୍ପତ୍ତି ହୋଇ ରହିଛନ୍ତି । ଜଗନ୍ନାଥରୂପୀ ଧର୍ମଚେତନାର ତରଳ ଧାରାଟି ସାମନ୍ତବାଦୀ ଆନୁଷ୍ଠାନିକତାର ଚକ୍ରାନ୍ତ ଭିତରେ ପଡ଼ି ସତେଅବା ଗୋଟିଏ ଆବଦ୍ଧ କୂପରେ ହିଁ ପରିଣତ ହୋଇ ରହିଛି । ଥୋକେ ମଣିଷଙ୍କୁ ଭାରି ଭାବପ୍ରବଣ କରିଛି ଆଉ ଥୋକେ ମଣିଷକୁ ଚତୁର କରି ରଖିଛି । ଓଡ଼ିଶାର ସାମଗ୍ରିକ ଜୀବନକୁ ଭାରି ପରିବର୍ତ୍ତନ ଭୀରୁ ଏବଂ ଆଲୋକ କାତର କରି ରଖିଛି । ବାହାର ସହିତ ସମ୍ପର୍କ ରଖୁଥିବା ଝରକାଗୁଡ଼ାକ ଏକାବେଳେକେ ବନ୍ଦ କରି ରଖିଛି । ଜଗନ୍ନାଥ ଚେତନା ନ୍ୟାୟତଃ ଏକ ଚେତନା, ଅର୍ଥାତ୍‍ ଆରୋହଣ ଏବଂ ଉତ୍ତୋଳନର ଏକ ଉପଲବ୍‌ଧିମୂଳ ପ୍ରତୀକ ହୋଇଥିଲେ ମଧ୍ୟ ଅଧା ଧର୍ମକାମିତା ଏବଂ ଅଧା ପୌତ୍ତଳିକତା ମିଶାଇ ଓଡ଼ିଶାରେ କାଳକ୍ରମେ ତାହାକୁ ଏକ କ୍ଷୁପ୍ରାୟତନ ଓ ମୋହାୟତନରେ ପରିଣତ କରିଦିଆ ଯାଇଛି ଏବଂ ଆମର ଏହି ତଥାକଥିତ ଜାତୀୟତା ଯୁଗକୁ ଆସି ଜଗନ୍ନାଥ ଆମ କବଳରେ ପଡ଼ି ସତେଅବା ଗୋଟାସୁଦ୍ଧା ଏକ ସମ୍ପତ୍ତିରେ ହିଁ ପରିଣତ ହୋଇ ଯାଇଛନ୍ତି ।

 

ଜଗନ୍ନାଥଙ୍କୁ ସମ୍ଭାରି ଧରି ଜଗନ୍ନାଥଙ୍କ ମନ୍ଦିରଟି କେବେଠାରୁ ପୁରୀ କ୍ଷେତ୍ରରେ ରହିଲାଣି, ଇତିହାସକାରମାନେ ଏବେ ମଧ୍ୟ ସେହି ବିଷୟରେ ଏକମତ ହୋଇ ପାରିନାହାନ୍ତି । ମାତ୍ର ସେହି ଅଜ୍ଞାତ ଆରମ୍ଭଯୁଗରୁ ମଧ୍ୟ ଜଗନ୍ନାଥ ବିଗ୍ରହଙ୍କୁ ଯେ ଏକାଧିକ ସମୟରେ ଶତ୍ରୁଭୟର ସମ୍ମୁଖୀନ ହୋଇ ଘର ଛାଡ଼ିବାକୁ ପଡ଼ିଛି, ଇତିହାସରୁ ତାହାର ଅନେକ ନଜର ମିଳିଯାଉଛି । ଏକ ଅନୁମାନ ଅନୁସାରେ ଖ୍ରୀଷ୍ଟ ୩୧୮ ମସିହାରେ ପୁରୀମନ୍ଦିରର ପଣ୍ଡାମାନେ ଜଗନ୍ନାଥଙ୍କୁ ନେଇ ଏକଦା ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ସମ୍ଭବତଃ ହୁନ କିମ୍ବା କୁଶାଣ ଆକ୍ରମଣକାରୀମାନଙ୍କର ଭୟରେ ଏପରି କରିବାକୁ ପଡ଼ିଥିଲା ବୋଲି ଅନୁମାନ କରାଯାଏ । ସେତେବେଳେ ଜଗନ୍ନାଥ ପଶ୍ଚିମାଞ୍ଚଳର ଜଙ୍ଗଲ ଭିତରେ କୁଆଡ଼େ ଦେଢ଼ଶହ ବର୍ଷ ରହିଥିଲେ । ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ମତରେ ୮ମ-୯ମ ଶତାବ୍ଦୀରେ ମଧ୍ୟ ଶ୍ରୀକ୍ଷେତ୍ରର ତିନୋଟି ବିଗ୍ରହ ସ୍ଥାନାନ୍ତରିତ ହୋଇ ସୋନପୁର ଅଞ୍ଚଳର ଗୋପାଲିଠାରେ ଲୁକ୍କାୟିତ ହୋଇ ରହିଥିଲେ । ପୁନର୍ବାର, ରାଜା ପ୍ରତାପରୁଦ୍ର ଦେବ ଦାକ୍ଷିଣାତ୍ୟକୁ ଯୁଦ୍ଧ ଲଢ଼ି ଯାଇଥିବା ଅବସରରେ ଗୌଡ଼ର ନବାବ ଓଡ଼ିଶା ଆକ୍ରମଣ କରି ମନ୍ଦିର ଭାଙ୍ଗିବା ସମୟରେ ପଣ୍ଡାମାନେ ରାଜାଙ୍କୁ ଖବର ଦେଇ ମୂର୍ତ୍ତିମାନଙ୍କୁ ଚିଲିକାହ୍ରଦର ଏକ ପର୍ବତଖୋଲରେ ନେଇ ଲୁଚାଇ ରଖିଥିଲେ । ମୋଗଲ ସମ୍ରାଟ ଆଉରଙ୍ଗଦେବ ମଧ୍ୟ ଜଗନ୍ନାଥ ମୂର୍ତ୍ତିକୁ ଧ୍ୱଂସ କରିବାର ଆଦେଶ ଦେଇଥିଲେ ।

 

ଓଡ଼ିଶାରେ ଯେତେବେଳେ ଯିଏ ଶାସକ ହୋଇ ବସିଛନ୍ତି, ଆମ ଜଗନ୍ନାଥ ଅନୁଷ୍ଠାନଟି ମଧ୍ୟ ଆପଣାକୁ ବଞ୍ଚାଇବାକୁ ଯାଇ ଅତ୍ୟନ୍ତ ସମ୍ମତ ଭାବରେ ତାଙ୍କର ଅନୁଗତ ହୋଇ ରହିଛି ! ଜଣେ ଇଂରାଜ ପରିବ୍ରାଜକଙ୍କ ବିବରଣୀରୁ ଜଣାଯାଏ ଯେ ୧୬୩୩ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମୟରେ ଜଣେ ମୋଗଲ ଶାସକ ପ୍ରତିନିଧି ସ୍ୱଂୟ ରଥ ଉପରେ ବିଜେ କରିଥିଲେ । ସେଠାରେ ତାଙ୍କଲାଗି ଉପଯୁକ୍ତ ଥାନଟିଏ କରି ଦିଆହୋଇଥିଲା ଓ ତାଙ୍କ ଦିହରେ ଯେପରି ଖରାଧାସ ନବାଜିବ ସେଥିଲାଗି ତାଙ୍କ ମୁଣ୍ଡ ଉପରେ ଗୋଟିଏ ସ୍ଵତନ୍ତ୍ର ଚାନ୍ଦୁଆ ମଧ୍ୟ ଟଙ୍ଗା ଯାଇଥିଲା । ଯେତେବେଳେ ୧୮୦୩ରେ ଇଂରାଜମାନେ ଓଡ଼ିଶା ଅଧିକାର କଲେ ସେତେବେଳେ ଜଗନ୍ନାଥ ମନ୍ଦିରର ପୁରୋହିତବର୍ଗ ବିଦେଶୀ ବିଜେତାମାନଙ୍କୁ ମଞ୍ଜୁଳ ପଦସଂଯୁକ୍ତ ସଂସ୍କୃତ ଭାଷାରେ ପ୍ରଶସ୍ତି ଶୁଣାଇ ସେମାନଙ୍କର ସ୍ୱାଗତ କରିଥିଲେ । ତହିଁ ଆରବର୍ଷ ୧୮୦୪ ମସିହାରେ ବ୍ରିଟିଶ୍ ଶାସନକାଳୀନ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହେଲାବେଳେ ସେହି ଉପଲକ୍ଷେ ଇଂରାଜ କମିଶନର ହାଇକୋଟ୍ ସାହେବ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଥିଲେ । ସିଏ ନଗରର ଉପକଣ୍ଠରେ ଆସି ପହଞ୍ଚିବା ମାତ୍ରକେ ଶ୍ରୀମନ୍ଦିରର ମୁଖ୍ୟ ପୁରୋହିତମାନେ ତାଙ୍କୁ ଅଭ୍ୟର୍ଥନା ଜଣାଇ ଧାମ ଭିତରକୁ ପାଛୋଟି ଆଣିଥିଲେ । ରଥଯାତ୍ରା ସମୟରେ ମଧ୍ୟ ପଣ୍ଡା ଓ ଯାତ୍ରୀ ଉଭୟେ ଜୟନାଦ ଓ କରତାଳି ଦ୍ଵାରା ବଡ଼ଦାଣ୍ଡରେ ତାଙ୍କର ସ୍ୱାଗତ କଲେ ଏବଂ ଏହିସବୁ ସମ୍ମାନ-ପ୍ରଦର୍ଶନର ଉତ୍ତରରେ ଶାସକବାହାଦୁର ମନ୍ତବ୍ୟ ଦେଇ କହିଥିଲେ ଯେ “ପୁରୋହିତ ତଥା ଯାତ୍ରୀମାନଙ୍କର ଏହି ଆଚରଣରୁ ସେମାନଙ୍କର ସାଧାରଣ ମନୋଭାବଟି ଯାହା ପ୍ରକାଶ ପାଇଛି ତାହା ବ୍ରିଟିଶ ସରକାରଙ୍କ ପାଇଁ ମଧ୍ୟ ନିଶ୍ଚୟ ଅତ୍ୟନ୍ତ ଅନୁକୂଳ ହେବ ।” ପୁଣି ୧୯୫୮ ମସିହାରେ ପ୍ରକାଶିତ ଖ୍ରୀଷ୍ଟିଆନ୍‌ ମିଶନାରୀମାନଙ୍କର ଏକ ପ୍ରତିକାରେ ଉଲ୍ଲେଖ ରହିଛି ଯେ, ୧୮୦୩ରେ ଓଡ଼ିଶା ଅଧିକାର କରିବା ସମୟରେ ସ୍ୱୟଂ ଜଗନ୍ନାଥ ମଧ୍ୟ ଶାସକମାନଙ୍କର ତତ୍ତ୍ୱାବଧାନରେ ରହିବାପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପୂଜକ ବ୍ରାହ୍ମଣମାନଙ୍କୁ ଯଥେଷ୍ଟ ଉତ୍କୋଚ ଦିଆଯାଇ ସମସ୍ତଙ୍କର ହୃଦ୍‌ବୋଧ କରାଇ ପାରିବା ଭଳି ତାହା କରାଯାଇ ପାରିଥିଲା ।

 

ଭାରତବର୍ଷର ଭୂଗୋଳରେ ଓଡ଼ିଶାର ଭୂମିଟି ଉତ୍ତର ଓ ଦକ୍ଷିଣର ଠିକ୍ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ । ତେଣୁ ଅନେକ ସମୟରେ ଭାରତ ବର୍ଷରେ ଧର୍ମ ଓ ସଂସ୍କୃତିର ସଞ୍ଚରଣ ଇତିହାସରେ ଓଡ଼ିଶାକୁ ପ୍ରାୟ ଏକ ସେତୁପରି କାର୍ଯ୍ୟ କରିବାକୁ ହୋଇଛି । ବୃହତ୍ତର ଭାରତୀୟ ଧର୍ମପରମ୍ପରାରେ ଶାକ୍ତ ଶୈବ, ବୈଷ୍ଣବ ଓ ବୌଦ୍ଧ ପ୍ରଭୃତି ଯେତେଗୁଡ଼ିଏ ଧାରା ରହିଛି, ଓଡ଼ିଶାରେ ସେଗୁଡ଼ିକ ମଧ୍ୟରେ କେତେ ଘନିଷ୍ଟ ସମ୍ମିଳନ ଘଟିଛି । ଏହି ସମ୍ମିଳନକୁ ଆମେ ଖୁସି ହୋଇପଡ଼ି ଅନେକ ସମୟରେ ସମନ୍ୱୟ ବୋଲି କହି ପକାଇଥାଉ । ସମନ୍ୱୟ ହେଉଛି, ଦୃଷ୍ଟିସ୍ତରର ଏକ ସମ୍ପଦ-। ଚେତନା ସ୍ତରର ଏକ ସମ୍ପଦ । ନିଜର ଦୃଷ୍ଟି ଏବଂ ଚେତନାର ସ୍ତରରେ ନିତାନ୍ତ ସଂକୀର୍ଣ୍ଣ ଓ ଅଳପ ରହି ମଧ୍ୟ ଆମେ ଯେ ଭାରି ଚମତ୍କାର ଭାବରେ ବିଭିନ୍ନ ମାର୍ଗରେ ବିଭିନ୍ନ ମୂର୍ତ୍ତିର ଉପାସନା ବେଶ୍ କରି ପାରିବା, ସେକଥା କରି ପାରିବା, ସେକଥା ମୋଟେ ଅସମ୍ଭବ ନୁହେଁ ଏବଂ, ଧର୍ମ ସଂସ୍କୃତିର ଆଲୋଚନାରେ ଯଦି ଆମେ ଏହି ବାହ୍ୟ ସମ୍ମିଳନଗୁଡ଼ାକୁ ହିଁ ସମନ୍ୱୟ ବୋଲି କହିବାକୁ ଆରମ୍ଭ କରୁ, ତେବେ ଆମେ ନିଜେ ହିଁ ତାହା ଫଳରେ ହୁଏତ ଅନ୍ଧାର ଭିତରେ ରହିଥିବା । ସେହି ପ୍ରାଚୀନ ଯୁଗରେ ରାଜାମାନେ ବିଭିନ୍ନ ଧର୍ମର ପୃଷ୍ଠପୋଷକତା କରିବା ଅନୁସାରେ ହିନ୍ଦୁ ଓ ବୌଦ୍ଧ ଏବଂ ଶୈବ ଓ ବୈଷ୍ଣବ ମାର୍ଗଗୁଡ଼ିକ ଭିତରେ କେତେ କନ୍ଦଳ ଲାଗୁଥିଲା, ପଣ୍ଡିତମାନେ କେତେ ଭାଗରେ ବିଭକ୍ତ ହୋଇ ଓ କେତେ ପ୍ରକାର ସ୍ୱାର୍ଥଦ୍ଵାରା ପ୍ରେରିତ ହୋଇ ଆପଣା ଆପଣା ଭିତରେ ଲଢ଼େଇ କରୁଥିଲେ; ମାତ୍ର ବୃହତ୍ତର ଲୋକସମାଜ ଏହି ସବୁ ଶାସ୍ତ୍ର, ପାଣ୍ଡିତ୍ୟ, ମାର୍ଗ ଓ ମତଠାରୁ ବହୁ ଦୂରରେ ରହିଥିଲା । ସମାଜର ଅଧିକାଂଶ ମଣିଷ ଅନ୍ଧକାର ଭିତରେ ରହିଥିଲେ । ସେମାନେ ବ୍ରତ, ଓଷା ଏବଂ କାଳ୍ପନିକ ଦେବତାମାନଙ୍କୁ ସନ୍ତୁଷ୍ଟ କରି ସେମାନଙ୍କର କୋପରୁ ଆପଣାକୁ ଯଥାସମ୍ଭବ ବଞ୍ଚାଇ ରଖିବାକୁ ହିଁ ସବୁଠାରୁ ବଡ଼ ଧର୍ମ ବୋଲି ବିଚାର କରୁଥିଲେ । ସେମାନେ ଭାଗ୍ୟରେ ବିଶ୍ୱାସ କରୁଥିଲେ, ତେଣୁ ନିଜକୁ ଛୋଟ ବୋଲି ମାନି ନେଇଥିଲେ । ସାମାଜିକ ସମ୍ବନ୍ଧ କ୍ଷେତ୍ରରେ ମଣିଷର ଭାଗ୍ୟରେ ଯେ ଆଦୌ କେବେ ବି କିଛି ପରିବର୍ତ୍ତନ ସମ୍ଭବ, ସେମାନେ ସେହି କଥାଟିକୁ ହୁଏତ ଅନ୍ଧବିଶ୍ୱାସ ଭିତରେ କଳ୍ପନା କରି ନଥିଲେ । ସେମାନେ ଆପଣାର ସର୍ବତୁଚ୍ଛ ସ୍ତରଟିରେ ପଡ଼ି ରହିବାର ଦୁର୍ଭାଗ୍ୟକୁ ଭଗବାନଙ୍କର ବରାଦ ବୋଲି ମାନି ନେଉଥିଲେ, ଏଣୁ ସମାଜସ୍ଥ ଉଚ୍ଚବର୍ଗମାନଙ୍କ ଲାଗି ପ୍ରଧାନତଃ ଭାରବାହୀ ଆଜ୍ଞାବହ ହୋଇ ରହିଥିଲେ । ଅସଲ ଧର୍ମ ଓ ଅସଲ ସଂସ୍କୃତି ଯେ ମଣିଷର ଭିତରକୁ ବାଟ ଫିଟାଏ, ଆତ୍ମଆବିଷ୍କାର ଓ ସମ୍ମାନ ବୋଧ ଲାଗି ବାଟ ଫିଟାଏ, ଆହୁରି ଆଗକୁ ଯିବାଲାଗି ତାହା ଯେ ଏକ ମାର୍ଗଚାରଣାର ସନ୍ଧାନ ଦିଏ, ସବୁ ମଣିଷଙ୍କ ପାଖରେ ସେହି ସନ୍ଦେଶଟିକୁ ଆଣି ପହଞ୍ଚାଇବା ଲାଗି ସେତେବେଳେ ଧର୍ମଜ୍ଞ ପଣ୍ଡିତମାନଙ୍କର କୌଣସି ବେଳ ନଥିଲା । ସେମାନେ ଉପରେ ଥିଲେ, ଭଲରେ ଥିଲେ; ତେଣୁ ଧର୍ମ ଓ ସଂସ୍କୃତିର ଗୋଡ଼ରେ ପଥର ବାନ୍ଧି ରଖିଥିଲେ ।

 

ମହାଭାରତକୁ ଉପଲକ୍ଷ୍ୟ ରୂପେ ବ୍ୟବହାର କରି କବି ସାରଳାଦାସ ଓଡ଼ିଆ ମହାଭାରତ ରୂପୀ ତାଙ୍କର ଯେଉଁ ବୃହତ୍ ଉପନ୍ୟାସଟିକୁ ଲେଖିଲେ ସେଥିରେ ସେ ଓଡ଼ିଶାରେ ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ସାହିତ୍ୟ, ଧର୍ମ ଓ ସଂସ୍କୃତିକୁ ରାଜଧାନୀଗୁଡ଼ାକର ବାହାରକୁ ନେଇ ଆସିଲେ-। ଶ୍ରୀକ୍ଷେତ୍ରଠାରୁ ବହୁ ଦୂରରେ ସିଏ ଏକଥା କରିଥିଲେ । ଆପଣାକୁ ଶୂଦ୍ରମୁନି ବୋଲି ଘୋଷଣା କଲେ ଓ ସେତେବେଳେ ଶୂଦାଚାର ଓ ଶୂଦ୍ରବେଭାର ବୋଲି ନିନ୍ଦିତ ହୋଇରହିଥିବା ଯାବତୀୟ ଚଳଣି ଏବଂ ଉପାଖ୍ୟାନକୁ ସିଏ ପବିତ୍ର ମହାଭାରତ ଭିତରକୁ ନେଇ ଆସିଲେ । ଉପରେ ଅଧିକାଂଶ ମଣିଷଙ୍କଠାରୁ ଅନେକ ଦୂରରେ ରହିଥିବା ଶାସ୍ତ୍ରବ୍ୟୁହ ଓ ଧର୍ମବ୍ୟୁହଗୁଡ଼ାକର ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ । ସାରଳା ଦାସଙ୍କ ପୂର୍ବରୁ ଏତେ ସମଗ୍ର ଭାବରେ ହୁଏତ କେବେହେଲେ ଏପରି ଏକ ପ୍ରତିବାଦ ହୋଇନଥିଲା । ସାରଳାଦାସ କାହାକୁ ବାଦ୍ ଦେଲେନାହିଁ । ଯାବତୀୟ ପାଣ୍ଡିତ୍ୟ ଏବଂ ମାର୍ଗମାଳିନ୍ୟ ଉପରେ ସାହିତ୍ୟର ଓ ଜୀବନର ଅର୍ଥାତ୍‌ ମଣିଷର ବିଜୟ ଘୋଷଣା କଲେ । ତାଙ୍କର ସମକାଳୀନ ରାଜା କପିଳେନ୍ଦ୍ର ଦେବଙ୍କର ଯାବତୀୟ ଦିଗ୍‌ବିଜୟ ଅପେକ୍ଷା ସମ୍ଭବତଃ ଏହାହିଁ ଓଡ଼ିଶାର ଉଦୟ-ଇତିହାସରେ ଏକ ଅଧିକ ବୃହତ୍ ଘଟଣା ହୋଇ ରହିଲା ।

 

ସାରଳାଦାସଙ୍କ ପରେ ପଞ୍ଚସଖା । ପଞ୍ଚସଖା ରାମାୟଣ, ହରିବଂଶ, ଭାଗବତ ଓ ଭଗବଦ୍‌ଗୀତାକୁ ଓଡ଼ିଆରେ ଲେଖିଲେ । କେବଳ ସଂସ୍କୃତରୁ ଅନୁବାଦ କଲେନାହିଁ, ଓଡ଼ିଆରେ ଲେଖିଲେ । ଏପରି କରି ବୃହତ୍ତର ଭାରତୀୟ ସଂସ୍କୃତିର ଶରୀର ପରି ହୋଇରହି ଆସିଥିବା ଶାସ୍ତ୍ରଗୁଡ଼ିକର ଗନ୍ତାଘରକୁ ସେମାନେ ସମସ୍ତଙ୍କ ଲାଗି ଖୋଲିଦେଲେ । ଧର୍ମ ଓ ସଂସ୍କୃତି ସରଳ ହେବାକୁ ଆରମ୍ଭ କଲା । ଧର୍ମର ସଂଜ୍ଞା ବଦଳିଲା, ଶାସ୍ତ୍ରର ସଂଜ୍ଞା ବଦଳିଲା । ପଞ୍ଚସଖା ପଣ୍ଡିତ ନଥିଲେ । ସେମାନେ ସାଧକ ଥିଲେ । ସେତେବେଳର ପ୍ରଚଳିତ କୌଣସି ସାଧନା ମନକୁ ସେମାନେ ଆପଣାର ପାଞ୍ଜିଭିତରୁ ବାଦ୍ ଦେଇ ନଥିଲେ । ବୋଧହୁଏ ସେହି କାରଣରୁ ହିଁ ପ୍ରାୟ ଏକ ଚକ୍ଷୁ ବିଶିଷ୍ଟ ସମୀକ୍ଷକମାନେ ସେମାନଙ୍କୁ ଗୋଟାସୁଦ୍ଧା ବୌଦ୍ଧ ବୋଲି କହିଛନ୍ତି, ଗୋଟାସୁଦ୍ଧା କାୟାସାଧକ ଅଥବା ଗୋଟାସୁଦ୍ଧା ବୈଷ୍ଣବ ବୋଲି କହିଛନ୍ତି । ପଞ୍ଚସଖା କାୟାସାଧକ ଥିଲେ, ବୌଦ୍ଧ ଥିଲେ ଓ ବୈଷ୍ଣବ ଥିଲେ, ତଥାପି ଏଗୁଡ଼ାକ ଭିତରୁ କିଛି ନଥିଲେ । ସେମାନେ ସାଧକ ଥିଲେ, ପଥିକ ଥିଲେ, ତେଣୁ ମାର୍କାଗୁଡ଼ାକର ମୋହ ଭିତରୁ ସର୍ବଦା ଉର୍ଦ୍ଧ୍ୱରେ ଥିଲେ । ସେମାନେ ତୁଚ୍ଛା ମାର୍କାଗୁଡ଼ାକର ନିନ୍ଦା କରିଥିଲେ । ତୁଚ୍ଛା ଭେକଗୁଡ଼ାକର ନିନ୍ଦା କରିଥିଲେ । ଯେଉଁ ସାଧକ ଆପଣା ଭିତରକୁ ଅସଲ ପଥଟିକୁ ପାଇ ଯାଇଥାଏ, ସିଏ କଦାପି କୌଣସି ମାର୍ଗକୁ ଅସ୍ୱୀକାର କରେନାହିଁ ଏବଂ ତଥାପି କୌଣସି ମାର୍ଗରେ ବାନ୍ଧିହୋଇ ଯାଏନାହିଁ । ସିଏ ମାର୍ଗଗୁଡ଼ାକୁ ଦେଇ ଆପଣା ସାଧନାର ଉତ୍ତରୋତ୍ତର ପଥରେ ସୋପାନ ପରେ ସୋପାନ ଅତିକ୍ରମ କରି ଯାଉଥାଏ । ପଞ୍ଚସଖାଙ୍କ ଧର୍ମସାଧନାରେ ଆମେ ଠିକ୍ ଏହି ପ୍ରବୃତ୍ତିଟିକୁ ଲକ୍ଷ୍ୟ କରି ପାରିବା । ଏକ ସର୍ବସ୍ୱୀକାରୀ ଅନ୍ତଃନିଷ୍ଠା ଲକ୍ଷ୍ୟ କରି ପାରିବା । ଆପଣାର ଅସଲ ନିଷ୍ଠା ଓ ଅସଲ ଅଭିକ୍ରମଟିକୁ ପ୍ରଜ୍ଜ୍ୱଳିତ କରି ରଖି ପାରିଲେ ଆଉ କଦାପି ମାର୍ଗ ନେଇ ଦ୍ୱନ୍ଦରେ ପଡ଼ିବାକୁ ହୁଏନାହିଁ । ପଞ୍ଚସଖା ସାହିତ୍ୟରେ ତନ୍ତ୍ର ଅଛି, ଯୋଗ ଅଛି, ବେଦାନ୍ତ ଅଛି, ବୌଦ୍ଧ ଓ ବୈଷ୍ଣବ ଉପାସନା ମଧ୍ୟ ରହିଛି । ମାତ୍ର ସବୁଠାରେ ଅନ୍ତଃନିଷ୍ଠାକୁ ହିଁ ମୂଳ କରି ସ୍ୱୀକାର କରାଯାଇଛି । ଆମର ଯାବତୀୟ ଧର୍ମଚାରଣା ଆମକୁ ଆପଣା ଭିତରେ ଅଧିକରୁ ଅଧିକ ପ୍ରବେଶ କରିବାର ହିଁ ପ୍ରେରଣା ଦେବ, ସେହି ଅନ୍ତରାନୁସନ୍ଧାନ ଆମକୁ ଯଥାର୍ଥ ଅନ୍ତରାବିଷ୍କାର ଆଡ଼କୁ ବାଟ ଦେଖାଇ ନେଇଯିବ । ସେଠି ମାର୍ଗଗୁଡ଼ାକ ମୋଟେ ନ ଥିବେ, ଦେବତାମାନେ ବି ଅଧା ବାଟରେ ରହିଯିବେ, ଜଗନ୍ନାଥ ପାର ହୋଇଯିବେ । କେବଳ ଏକ ସହଜ ଉପଲବ୍‌ଧିର ଜ୍ୟୋତିର୍ମୟତା ଓ ସତ ସାନ୍ନିଧ୍ୟର ପୂର୍ଣ୍ଣଚେତନା ହିଁ ରହିଥିବା ।

 

ପଞ୍ଚସଖା ଓଡ଼ିଶାରେ ହୁଏତ ପ୍ରଥମ ଥର ପାଇଁ ହିଁ ଆମ ଲାଗି ଧର୍ମ ଓ ସଂସ୍କୃତିର ଏକ ବିଶେଷ ବ୍ୟାଖ୍ୟା ଆଣି ଦେଇଥିଲେ । ଆଗରୁ ଧର୍ମ କହିଲେ ସଂସାର ବାହାରର ଏକ ଧନ୍ଦାକୁ ବୁଝାଉଥିଲା । ସମାଜ ମନୁସଂହିତା ଅନୁସାରେ ଚାଲୁଥିଲା ଦୃଶାରେ ଚାଲୁଥିଲା, ନାନା ପ୍ରକାରର ଅବଜ୍ଞା ମୂଳକ ଭେଦବିଚାର ଏବଂ ଦୂରତାବୋଧ ଉପରେ ପ୍ରତିଷ୍ଠିତ ହୋଇ ରହିଥିଲା । ଆମର ଏହି ଐହିକ ଓ ସାମାଜିକ ଜୀବନ ଲାଗି ଯେ ଏକ ଧର୍ମ ଜୀବନର ଆଦୌ କୌଣସି ଆବେଦନ ରହିଛି ପଞ୍ଚସଖା ପ୍ରଥମ ଥର ପାଇଁ ଓଡ଼ିଶାରେ ଆମ କାନକୁ ସେହି କଥାଟିକୁ ଆଣିଲେ । ପଞ୍ଚସଖା ଜାତି ମାନୁ ନଥିଲେ । ଯେଉଁ ସମାଜରେ ବ୍ରାହ୍ମଣ ଓ ରାଜା ଏକତ୍ର ମିଶି ମଣିଷକୁ ନାନା ଦୌରାତ୍ମ୍ୟର ଅନ୍ଧକାର ଭିତରେ ବୁଡ଼ାଇ ରଖିଥିଲେ, ପଞ୍ଚସଖା ସେହି ସମାଜ ଉପରେ ଠିଆ ହୋଇ ଆପଣାକୁ ଶୁଦ୍ର ବୋଲି ଘୋଷଣା କରିଥିଲେ । ଶୂଦ୍ରଭାବକୁ ହିଁ ଭଗବତ୍ ସାଧନାର ଶ୍ରେଷ୍ଠ ଭାବ ବୋଲି ଘୋଷଣା କରିଥିଲେ । ତତ୍କାଳୀନ ସ୍ଥାଣୁତାର ସ୍ଵତଃସିଦ୍ଧଗୁଡ଼ାକ ଉପରେ ପଞ୍ଚସଖାଙ୍କର ସେହି ଘୋଷଣା ଆଦୌ କମ୍ ଆନ୍ଦୋଳନ ସୃଷ୍ଟି କରି ନଥିବ । ସେତେବେଳେ ପୁରୀ ଦାଣ୍ଡରେ ଓ ରାଜଦରବାରରେ ଚୈତନ୍ୟଲୀଳାର ଯୁଗ । ଚୈତନ୍ୟ ଅନ୍ତତଃ ଓଡ଼ିଶାରେ ପ୍ରତିଷ୍ଠିତ ସମାଜରେ କୌଣସି ଅପ୍ରୀତିକରତା ସୃଷ୍ଟି କରିବାକୁ ମୋଟେ ମନ କରି ନ ଥିଲେ । ତାଙ୍କ ଭକ୍ତଗଣଙ୍କ ମଧ୍ୟରେ ଜାତିର ବାରଣ ରହିଥିଲା । ସେମାନେ ସେହି ଅନୁସାରେ ପୁରୀରେ ଅଲଗା ଅଲଗା ସ୍ଥାନରେ ରହୁଥିଲେ । କାଳେ ପଣ୍ଡାମାନେ ଅପ୍ରସନ୍ନ ହେବେ, ସେଥିଲାଗି ଶ୍ରୀଚୈତନ୍ୟଙ୍କ ସମର୍ଥନ ସହିତ ତାଙ୍କର କେତେକ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ଦିଆଯାଉ ନଥିଲା । ମାତ୍ର ଅନ୍ୟ ପକ୍ଷରେ ପଞ୍ଚସଖା ଧର୍ମର ବୃହତ୍ତର ସମାଜ ପ୍ରତି ଏକ ବିପୁଳ ଉଦ୍‌ବେଳନକାରୀ ଆବେଦନ ରହିଥିଲା । ସେଥିଲାଗି ସେମାନେ ରାଜା ଏବଂ ବ୍ରାହ୍ମଣମାନଙ୍କର ବିରାଗଭାଜନ ବି ହୋଇଥିଲେ ।

 

ପଞ୍ଚସଖାଙ୍କ ପରେ ପଞ୍ଚସଖା-ଧର୍ମସାଧନାର ଜୀବନ ଦୃଷ୍ଟିଟି କ୍ରମେ ଦୁର୍ବଳ ହୋଇ ଆସିଲା । ପଞ୍ଚସଖାଙ୍କର ଶିଷ୍ୟମାନେ ଓଡ଼ିଶା ଉପକୂଳାଞ୍ଚଳର ବିଭିନ୍ନ ସ୍ଥାନରେ ଗାଦି ସ୍ଥାପନା କରି ରହିଲେ । ଗୌଡ଼ୀୟ ବୈଷ୍ଣବଧର୍ମ କ୍ରମେ ଅଧିକରୁ ଅଧିକ ରାଜସମର୍ଥନ ଲାଭକଲା । ରାଜନୀତିକ କ୍ଷେତ୍ରରେ ଓଡ଼ିଶା ମୁସଲମାନ ଶାସନର ଅଧୀନକୁ ଆସିଲା । ଓଡ଼ିଶାର ସାନ ରାଜାମାନେ ଆପଣାର ସାନସାନ ଥାନଗୁଡ଼ିକରେ ଆପଣାକୁ ଛତ୍ରପତି ବା ଗଜପତି ବୋଲାଇବାକୁ ଆରମ୍ଭ କଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଗୌଡ଼ୀୟ ବୈଷ୍ଣବ ଧର୍ମର ପୃଷ୍ଠପୋଷକ ହୋଇ ରହିଲେ । ବୈଷ୍ଣବଧର୍ମ ସାମନ୍ତାଶ୍ରୟରେ ରହିଲା ଓ ସେହି ଧର୍ମକୁ ସମ୍ଭାର କରି ଲେଖା ହୋଇଥିବା ସାହିତ୍ୟ ମଧ୍ୟ ପ୍ରାୟ ତିନି ଶତାବ୍ଦୀ ପର୍ଯ୍ୟନ୍ତ ସାମନ୍ତାଶ୍ରିତ ହୋଇ ରହିଲା । ଏହାର ଧକ୍‌କା ପଞ୍ଚସଖା ଧର୍ମପରମ୍ପରା ଉପରେ ଅବଶ୍ୟ ବାଜିଥିବ । କିନ୍ତୁ ପଞ୍ଚସଖାଙ୍କ ପରେ ପ୍ରଧାନତଃ ବଳିଷ୍ଠ ନେତୃତ୍ୱର ଅଭାବରୁ ହିଁ ପଞ୍ଚସଖା-ପରମ୍ପରା କ୍ରମେ ଅନ୍ତରାଳକୁ ଚାଲିଗଲା । ଅନେକ ସମୟରେ ରାଜାମାନଙ୍କର କଟାଳରୁ ରକ୍ଷା ପାଇବାକୁ ମଧ୍ୟ ସେମାନଙ୍କୁ ରାଜକୀୟ ବ୍ୟାସାୟତନଗୁଡ଼ାକର ବାହାରେ ବହୁଦୂରରେ ଅରଣ୍ୟ ଓ ପର୍ବତ ଆଦରି ରହିବାକୁ ପଡ଼ିଲା । ସହଜ ଲୋକବିଶ୍ୱାସର ଫାନ୍ଦରେ ପଡ଼ି କ୍ରମେ ଗାଦୀମାନଙ୍କର ବି ପୂଜା ହେଲା । ଓଡ଼ିଆ ସନ୍ଥଧାରାର ବିଶିଷ୍ଟ ଆବେଦନଟି ଏହି ପୂଜାଟିର ଗୋଳିଆଘଣ୍ଟା ଭିତରେ ଲୁପ୍ତପ୍ରାୟ ହୋଇ ରହିଗଲା । ଗାଦୀକୁ ଆଶ୍ରାକରି ପରମ୍ପରାଟିକୁ ତଥାପି ବଞ୍ଚାଇରଖିବାକୁ ଚେଷ୍ଟା କରୁଥିବା ସନ୍ଥମାନେ ଭବିଷ୍ୟତରେ ଆଉ ଏକ ଉପଯୁକ୍ତ ମୁହୂର୍ତ୍ତ ଆସି ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ ।

 

ଗୌଡ଼ୀୟ ବୈଷ୍ଣବମାନେ ମଠ ସ୍ଥାପନ କଲେ । ରାଧାକୃଷ୍ଣଙ୍କର ପ୍ରେମଲୀଳା ସେତେବେଳେ ଓଡ଼ିଆ କାବ୍ୟର ନୂତନ ଉପଜୀବ୍ୟ ହୋଇଉଠିଲା, ଏହି କାବ୍ୟକାରମାନେ ହୁଏତ ସ୍ୱୟଂ ସାମନ୍ତ ଥିଲେ ଅଥବା ସାମନ୍ତମାନଙ୍କୁ ଆଶ୍ରୟ କରି ରହିଥିଲେ । ସେହି ଆଶ୍ରିତତାର କାନି ଧରି ସାହିତ୍ୟ ଭିତରକୁ ରୀତି ପଶିଲା । ଠାକୁରମାନଙ୍କର ପ୍ରେମଲୀଳାକୁ ବର୍ଣ୍ଣନା କରିବାର ଛଳରେ ରାଜ୍ୟେଶ୍ୱରମାନଙ୍କର କାମହର୍ଷଣ କରାଗଲା । ପ୍ରେମଭକ୍ତି କାମଭକ୍ତିରେ ପରିଣତ ହେଲା ଏବଂ ସେହି ସୂତ୍ରରେ ତୁଚ୍ଛା କାମାତୁରତାଗୁଡ଼ାକ ପ୍ରେମରୂପେ ପ୍ରତିଭାସିତ ହେବାକୁ ଲାଗିଲା ଏବଂ ଧର୍ମସାଧନାକୁ ବାଉଳା କଲା । ଅନେକ ଦୃଷ୍ଟିରୁ ତାହା ଆମ ସାମାଜିକ ଜୀବନର ମେରୁଦଣ୍ଡକୁ ମଧ୍ୟ ଭାଙ୍ଗି ପକାଇଲା । ସାଧନା ଗଭୀର ହେଲେ ଆଡ଼ମ୍ବର କମିଯାଏ, କୋଳାହଳ କମିଯାଏ, କାରିଗରୀଗୁଡ଼ାକ ବି କମିଯାଏ । ଓଡ଼ିଶାରେ ପ୍ରାୟ ତିନିଶହ ବର୍ଷ ସକାଶେ ଆମର ତଥା କଥିତ ଧର୍ମ ଓ ସାହିତ୍ୟର ସାଧନାରେ ଖାସ୍ ଏହିଗୁଡ଼ାକ ହିଁ ଭାରି ଆବୁରୁ ଜାବୁରୁ ହୋଇ ବଢ଼ିଲା, ଆମଧର୍ମର ଧାରଣଶକ୍ତି ଏବଂ ସଂଜୀବନଶକ୍ତିଗୁଡ଼ିକୁ ତାହା ଅଲୋଡ଼ା କରି ରଖିଲା । ଏପରିକି ସେତେବେଳେ ଠାକୁରଙ୍କୁ ଅବଲମ୍ବନ କରି ଯେଉଁ ଭଜନ ଓ ଜଣାଣମାନ ବି ଲେଖାଗଲା, ସେଥିରେ ମଧ୍ୟ ଆମେ ପ୍ରଧାନତଃ ଏକ ପ୍ରଦର୍ଶନପ୍ରିୟତା ଓ ଭାବଦରିଦ୍ରତା ରହିଥିବାର ଦେଖିବାକୁ ପାଇଥାଉ-। ସତେଅବା ଏକ ସମଗ୍ର ଅବକ୍ଷୟର ଅଂଶରୂପେ ସେତେବେଳେ ଓଡ଼ିଶାର ଧର୍ମ ଓ ସାହିତ୍ୟ ଆମକୁ ଏକ ସାମର୍ଥ୍ୟ ହୀନତାର କୂପ ଭିତରେ ବୁଡ଼ାଇ ରଖିଥିଲା । ମଣିଷର ଅସଲ ଅଭ୍ୟନ୍ତର ଅର୍ଥାତ୍‍ ଶକ୍ତିର ଅସଲ ଉତ୍ସଗୁଡ଼ିକୁ ପଡ଼ିଥିବା ବାଟଗୁଡ଼ାକ ସେତେବେଳେ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିଲା ।

 

ଉନବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ବ୍ରିଟିଶ୍ ଶାସନର ଅଧୀନକୁ ଆସିବା ପର୍ଯ୍ୟନ୍ତ ଓଡ଼ିଶାର ସାଂସ୍କୃତିକ ପରିଧିଗୁଡ଼ାକ ସତେଅବା ଗୋଟାଏ ଗୋଟାଏ କୂଅ ଭିତରେ ଆବଦ୍ଧ ହୋଇ ରହିଥିଲା । ସାହିତ୍ୟରେ ଯେତେବେଳେ ରାଧା, କୃଷ୍ଣ, ରାମ ଓ ସୀତାଙ୍କୁ ନେଇ ବିଚିତ୍ର ବିଧିମଞ୍ଜୁଳତା ଖଟାଇ ପ୍ରାୟ ଏକ କାମବିଳାସର ଅତ୍ୟାଡ଼ମ୍ବର ଚାଲିଥିଲା, ସେତେବେଳେ ଓଡ଼ିଶାର ବୃହତ୍ତର ଲୋକକ୍ଷେତ୍ରରେ ମଣିଷମାନଙ୍କ ଉପରେ କେବଳ ସ୍ଥାନୀୟ ତଥା ବହିରାଗତ ଶାସକମାନଙ୍କର ଉତ୍ପୀଡ଼ନ ହିଁ ଲାଗିରହିଥିଲା । ମୁସଲମାନ, ମୋଗଲ ଓ ମରହଟ୍ଟାଙ୍କର ଅତ୍ୟାଚାରରେ ପ୍ରାୟ ସକଳ ବିଶ୍ୱାସ ହରାଇ ବସିଥିବା ଓଡ଼ିଶାବାସୀ ଇଂରେଜ ଶାସନକୁ ସତେଅବା ଭଗବତ୍‌ପ୍ରେରିତ ପରି ଗ୍ରହଣ କରିଥିଲେ । ଇଂରେଜ ଶାସନ ସହିତ ମିଶନାରୀମାନେ ଆସିଲେ ପାଶ୍ଚାତ୍ୟ ଧର୍ମ ଓ ପାଶ୍ଚାତ୍ୟ ମେଦିନୀ ଧାରଣାଗୁଡ଼ାକର ହାଉଆ ଆସି କ୍ରମେ ଆମ କାନ୍ଥଗୁଡ଼ାକରେ ବାଜିବାକୁ ଆରମ୍ଭ କଲା । ଓଡ଼ିଶାର ଉତ୍ତରରେ ବଙ୍ଗଦେଶରେ ସେହି ହାଉଆ ବାଜି ହିନ୍ଦୁ ଧର୍ମୀୟ ନେତୃତ୍ୱରେ ବ୍ରାହ୍ମଧର୍ମର ଉତ୍ପତ୍ତି ହୋଇଥିଲା । ଓଡ଼ିଶାରେ ବ୍ରହ୍ମଧର୍ମର ସେହି ନୂଆ ତରଙ୍ଗଟି ମଧ୍ୟ ପ୍ରାୟ ସମକାଳୀନ ଭାବରେ ଆସି ଅନୁଭୂତ ହୋଇଥିଲା । ଏହି ଆହ୍ୱାନଗୁଡ଼ିକରୁ ଏକ ନୂତନ ଉଦ୍ଭବ ସମ୍ଭବ ହେଲା । ଓଡ଼ିଶାରେ ମହିମାଧର୍ମର ମୂଲ୍ୟାୟନ କଲାବେଳେ ଆମକୁ ଏହି ପରିପ୍ରେକ୍ଷୀଟିକୁ ଅବଶ୍ୟ ମନେ ରଖିବାକୁ ହେବ ଏବଂ ମନେ ରଖିବାକୁ ହେବ ଯେ ଏଠି ପଣ୍ଡିତମାନେ ଓ ପଦସ୍ଥମାନେ ସେହି ଆହ୍ୱାନର ଜବାବ ଦେଇ ନଥିଲେ, ପୁରୀ ମନ୍ଦିର ମଧ୍ୟ ତାହା କରିପାରି ନଥିଲା । ପଞ୍ଚସଖାଙ୍କ ପରେ ଓଡ଼ିଶା ଧର୍ମସଂସ୍କୃତିର ଯେଉଁ ଧାରାଟି ଅନ୍ତରାଳକୁ ଅପସରି ଯାଇ ପ୍ରାୟ ଅପେକ୍ଷା କରି ରହିଥିଲା, ଅସଲ ଜବାବଟି ତାହାରିଠାରୁ ଆସିଲା-। ଅରଣ୍ୟ ଓ ପର୍ବତ ମଧ୍ୟରୁ ଆସିଲା ।

 

ମହିମାଧର୍ମ ରାଜା ମାନୁନଥିଲା, ବ୍ରାହ୍ମଣ ମାନୁନଥିଲା, ଦେବାଦେବୀ ବି ମାନୁନଥିଲା । ମହିମାଧର୍ମ ଜାତି ମାନୁନଥିଲା । ଓଡ଼ିଶା ଧର୍ମଐତିହ୍ୟର ପ୍ରଧାନତମ ସାମନ୍ତ ଜଗନ୍ନାଥଙ୍କୁ ମଧ୍ୟ ମାନୁନଥିଲା । କହିବା ବାହୁଲ୍ୟ, ହିନ୍ଦୁ ସମାଜର ନିମ୍ନତମ ଶ୍ରେଣୀଗୁଡ଼ିକୁ ତାହା ସବୁଠାରୁ ଅଧିକ ପରିମାଣରେ ଆକୃଷ୍ଟ କରିଥିଲା । ଜାତିଭେଦ ଏବଂ ଉଚ୍ଚନୀଚ-ବିଚାରର ହିନ୍ଦୁ ସମାଜ ଯେଉଁ ମଣିଷମାନଙ୍କୁ ମଣିଷର ସମ୍ମାନ ଦେଇନଥିଲା, ସେହିମାନେ ହିଁ ସର୍ବାଧିକ ସଂଖ୍ୟାରେ ମହିମାଧର୍ମର ଗୋଷ୍ଠୀ ଭିତରକୁ ଆସିଲେ । ବଙ୍ଗଦେଶର ବ୍ରାହ୍ମଧର୍ମ ପ୍ରଧାନତଃ ଉଚ୍ଚବର୍ଗଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା । ହୁଏତ ପ୍ରଧାନତଃ ବୁଦ୍ଧିଦ୍ୱାରା ପ୍ରେରିତ ହେଉଥିବାରୁ ତାହା ଅଚିରେ କେତେ କେତେ ଶାଖାରେ ବିଭକ୍ତ ହୋଇଯାଇଥିଲା । ମହିମାଧର୍ମ ମଣିଷର ହୃଦୟକୁ ହିଁ ସର୍ବାଙ୍ଗରେ ସ୍ଥାପନ କରି ରଖିଥିଲା । ଅନ୍ତର୍ଗତ ଅନୁଭବକୁ ଅସଲ ବୋଲି ଘୋଷଣା କରିଥିଲା । ଅନୁଭବକୁ ମୂଳ କରି ଦେବାଦେବୀଙ୍କର ଯାବତୀୟ କଳ୍ପନାକୁ କାଟି ପକାଇଥିଲା । ମହିମାଧର୍ମର କବି ଭୀମଭୋଇ ପୃଥିବୀର ଧର୍ମସଂସ୍କୃତିକୁ ଓଡ଼ିଶାର ସର୍ବଶ୍ରେଷ୍ଠ ଅବଦାନ । ଯଦି ମହିମାଧର୍ମ ଆପଣାର ଅସଲ ଗୌରବ ରୂପେ ଧରି ରଖି ବାଟ ଚାଲି ପାରିଥାନ୍ତି, ତେବେ ଓଡ଼ିଶାର ସମଗ୍ର ସଂସ୍କୃତିଟି ମଧ୍ୟରେ ଆବଶ୍ୟକ ଉଦ୍‌ବେଳନ ଓ ଉଜ୍ଜୀବନଗୁଡ଼ିକୁ ସୃଷ୍ଟି କରି ଆଣିବାରେ ତାହା ଏକ ବଳିଷ୍ଠ ନିମିତ୍ତରୂପେ କାର୍ଯ୍ୟ କରି ପାରିଥାନ୍ତା । ମାତ୍ର କାଳକ୍ରମେ ମହିମାଧର୍ମ ସତେଅବା ଆପଣାର ଅସଲ ସୂତ୍ରଟିକୁ ହରାଇ ବସିବାକୁ ଆରମ୍ଭ କଲା । ମହିମାଧର୍ମ ଆପଣାକୁ ସନାତନ ହିନ୍ଦୁଧର୍ମର ନିକଟବର୍ତ୍ତୀ ବୋଲି ବୁଝାଇ କହିବା ଲାଗି ଚେଷ୍ଟା କଲା । ମହିମାଧର୍ମର ପଣ୍ଡିତମାନେ ବେଦ ଉପନିଷଦ ଏବଂ ପୁରାଣରୁ ଉଦ୍ଧୃତିମାନ ଦେଇ ଏହି ଧର୍ମଟି ଯେ ଭାରତୀୟ ପାରମ୍ପାରିକ ଆୟତନଟିରୁ ମୋଟେ ବାହାରେ ନୁହେଁ, ସେହି କଥାଟିକୁ ପ୍ରତିପାଦିତ କରିବାକୁ ଚେଷ୍ଟା କଲେ । ଏହାଦ୍ୱାରା ସେମାନ ମହିମାଧର୍ମର ଅସଲ ପ୍ରଭା ଓ ଅସଲ ଶାଣିତତାଗୁଡ଼ିକୁ ସତେଅବା ଗୌଣ ହୋଇଯିବାରେ ହିଁ ଅଧିକ ସାହାଯ୍ୟ କଲେ । ଯେଉଁ ଧର୍ମ ଏକଦା ପ୍ରଧାନତଃ ଏକ ପ୍ରତିବାଦ ଓ ଏକ ଆହ୍ୱାନରୂପେ ଆବିର୍ଭୂତ ହୋଇଥିଲା, ସେହି ଧର୍ମ କ୍ରମେ ପୁରୁଣା ପଙ୍କଗୁଡ଼ାକରେ ଅଧିକରୁ ଅଧିକ ମିଶି ଯିବାପରି ମନେହେଲା । ହିନ୍ଦୁଧର୍ମ ବୃହତ୍ତର ଭାରତରେ ଏକଦା ବୁଦ୍ଧଦେବଙ୍କୁ ଶୀତଳ କରି ଆଣି ଏକ ଅନ୍ୟତମ ଅବତାର ରୂପେ ବସାଇ ଦେଇଥିବା ପରି ମହିମାଧର୍ମ ମଧ୍ୟ ଓଡ଼ିଶାରେ ସନାତନ ଧର୍ମ ଭୀରୁତାର ଅର୍ଗଳି ଭିତରେ ପଶି ନିକର ବୈଶିଷ୍ଟ୍ୟକୁ ହରାଇ ବସିଲା ।

ଆଧୁନିକ ସଂକ୍ରମଣର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇ ଆମର ଧର୍ମଧାରା ସତେଅବା ଆପଣାର ଗଣ୍ଡିଗୁଡ଼ାକୁ ଆହୁରି ଅଧିକ ସଂକୁଚିତ କରି ଆଣିଲା । ଆମର ଧର୍ମ ଭିତରେ ଯେ ପ୍ରକୃତରେ କେତେ କମ୍ ପୁରୋଦୃଷ୍ଟି ରହିଥିଲା, ଆଧୁନିକ ଜଗତ ସମକ୍ଷରେ ମୁହାଁମୁହିଁ ହୋଇ ଠିଆ ହେବାକୁ ବାଧ୍ୟ ହୋଇ ଆମେ ସବାଆଗ ସେହି କଥାଟିର ପରିଚୟ ପାଇଲୁ । ଆମର ପାରମ୍ପରିକ ଧର୍ମଭାବନା ଓ ଧର୍ମପ୍ରବଣତାଗୁଡ଼ାକ ଆବହମାନ କାଳରୁ ସତେଅବା କେବଳ ଯେ ଆମ ଜୀବନର ମାତ୍ର ଗୋଟିଏ ଅଂଶର କଣବଧୂ ହୋଇ ରହିଥିଲା ଓ ଆମ ଜୀବନର ସମଗ୍ରତାଗୁଡ଼ିକୁ ଛୁଇଁବାଲାଗି ପ୍ରାୟ କେବେହେଲେ ସାହସ କରି ନଥିଲା, ପାଶ୍ଚାତ୍ୟ ଶାସନ, ପାଶ୍ଚାତ୍ୟ ବିଚାର ଓ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଆମେ ସବାଆଗ ତାହାରି ପ୍ରମାଣ ପାଇଲୁ । ଭାରତୀୟ ଧର୍ମୀୟତାର ବିଭିନ୍ନ ଶାଖା ଓ ସମ୍ପ୍ରଦାୟ ଯୁଗେଯୁଗେ କିପରି ଯାବତୀୟ ଶସ୍ତାଡ଼ମ୍ବର ଏବଂ ବାହ୍ୟିକତା ସତ୍ତ୍ୱେ ମଣିଷର ଅବହେଳା କରି ଆସିଥିଲେ, ମଣିଷ ବାସ କରୁଥିବା ଆମ ସମାଜଟିର ପାରମ୍ପରିକ ଅମାନୁଷିକତାଗୁଡ଼ାକୁ ସ୍ପର୍ଶ କରିବାକୁ ହିଁ ସାହସ କରି ନଥିଲେ, ସେଗୁଡ଼ିକ କିପରି ଆମଠାରୁ ଧର୍ମଗତ ଅସଲ ମର୍ମ ଓ ତାର ଆହ୍ୱାନଗୁଡ଼ାକୁ ଭୁଲାଇରଖି ଆମ ଭିତରେ କେବଳ ନାନା ପୌତ୍ତଳିକତାର ହିଁ କେତେଟା କ୍ରୀଡ଼ନକକୁ ଆଣି ଧରାଇ ଦେଇଥିଲେ, ପାଶ୍ଚାତ୍ୟ ସଂକ୍ରମଣର ସାମନାକୁ ଆସି ଆମକୁ ସେହି କଥାଟା ହିଁ ଭାରି ଜଳଜଳ ହୋଇ ଦିଶିଗଲା । ଧର୍ମର ଯାବତୀୟ ଖୋଳ ପଛରେ ଅଧ୍ୟାତ୍ମ ବୋଲି ଯେ ଏକ ଅନ୍ୟ ସମ୍ପଦ ରହିଛି ଓ ପ୍ରାୟ ଏକ ଧର୍ମକାମୁକତାର ଅତିଚର୍ଯ୍ୟା ଭିତରେ ଗଡ଼ି ଆମେ ସେଇଟିକୁ କାଳକ୍ରମେ ପାସୋରି ଦେଇ ଏକ ସମୂହ ହିସାବରେ ଆପଣାକୁ ଯେ ଭାରି ନିର୍ମମ, ଭୟାଳୁ ଓ ସ୍ୱାର୍ଥକାମୀ କରି ରଖି ଆସିଛୁ, ଯେତେ ଅପ୍ରିୟ ହେଲେ ମଧ୍ୟ ଆମେ ତାହାରି ଆବିଷ୍କାର କରିବାକୁ ଆରମ୍ଭ କଲୁ । ଏହି ପ୍ରତିକ୍ରିୟା ଥୋକେ ମଣିଷକୁ ଆହୁରି ରକ୍ଷଣଶୀଳ ଆହୁରି ଭବିଷ୍ୟକାତର ଏବଂ ଆହୁରି ଅଧିକ ପ୍ରତ୍ୟାହୃତ ହୋଇ ରହିବାପାଇଁ ବାଧ୍ୟ କଲା । ଆମ ଭିତରୁ ଅନେକ ପଣ୍ଡିତ ଇଉରୋପୀୟ ଗବେଷକମାନଙ୍କ ଠାରୁ ଉତ୍ସାହ ପାଇ ଆମ ଭାରତବର୍ଷରେ ସବୁ ଥିଲା ବୋଲି କହି ଆକାଶ କମ୍ପାଇଲେ । ମାତ୍ର ତଥାପି ଆଉ କେତେକ ବ୍ୟକ୍ତି ଥିଲେ, ଯେଉଁମାନେ ମଣିଷକୁ ଓ ତା’ର ସମଗ୍ର ଅଭ୍ୟୁଦୟକୁ ମୂଳରେ ରଖି ଧର୍ମଜୀବନ ମଧ୍ୟରେ ଏକ ନୂତନ ଉଦ୍‌ବେଳନ ଆଣିଲେ । ଓଡ଼ିଶାରେ ଆମେ ଏହି ପଂକ୍ତିରେ ଗୋପବନ୍ଧୁ ଦାସଙ୍କୁ ସବାଆଗ ସ୍ମରଣ କରିବା । ଆପଣାର ମୂଳଦୁଆ ଉପରେ ସୁଦୃଢ଼ ଥାଇ ତଥାପି କିପରି ଅକାତର ଭାବରେ ସକଳ ଆଲୋକ ଓ ସକଳ ପବନରୁ ଜୀବନବାଚୀ ଯାବତୀୟ ଉପାଦାନଗୁଡ଼ିକୁ ଗ୍ରହଣ କରିବା ସମ୍ଭବ, ଗୋପବନ୍ଧୁ ଆମକୁ ତାହାରି ଦ୍ୟୋତନା ଦେଇଥିଲେ । ସେହି ଦ୍ୟୋତନା ଦ୍ୱାରା ସିଏ ଓଡ଼ିଶାରେ ଜାତୀୟ ଆକାଂକ୍ଷାକୁ ସମୃଦ୍ଧ କରିଥିଲେ, ଆମର ଯାବତୀୟ ଭବିଷ୍ୟକାଂକ୍ଷାକୁ ମଧ୍ୟ ଉଦ୍‌ବୁଦ୍ଧ କରିଥିଲେ । ଗୋପବନ୍ଧୁଙ୍କର ସାହିତ୍ୟ, ଗୋପବନ୍ଧୁଙ୍କର ସମାଜଭାବନା, ରାଜନୀତି, ଜନ୍ମଭୂମିପ୍ରୀତି ଏବଂ ଶିକ୍ଷାବିଷୟକ ଯୋଜନା, ସବୁକିଛି ଏହି ନୂତନଚକ୍ଷୁ ବିଶିଷ୍ଟ ସ୍ୱୀକାରାତ୍ମକ ଅଧ୍ୟାତ୍ମଦୃଷ୍ଟି ଦ୍ୱାରା ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରେରିତ ହୋଇ ରହିଥିଲା । ଓଡ଼ିଶାର ଧର୍ମସଂସ୍କୃତି ଭିତରେ ଯାହାକିଛିର ଏକ ଚିରନ୍ତନ ମୂଲ୍ୟ ଏବଂ ପ୍ରାସଙ୍ଗିକତା ରହିଛି, ଗୋପବନ୍ଧୁଙ୍କର ଜୀବନ ଓ ବାଣୀ ମଧ୍ୟଦେଇ ତାହା ଓଡ଼ିଶାରେ ସମସ୍ତଙ୍କୁ ଓ ତତ୍କାଳୀନ ସମଗ୍ର ଯୁଗଟିକୁ ସ୍ପର୍ଶ କରିଥିଲା ।

ଗୋପବନ୍ଧୁ ସଂସାରରୁ ବିଦାୟ ନେଇ ଯିବାର କୋଡ଼ିଏ ବର୍ଷ ପରେ ଭାରତବର୍ଷ ସ୍ୱାଧୀନତା ଲାଭ କଲା । ସ୍ୱାଧୀନତାର ସର୍ବପ୍ରଥମ ଯୁଗ ଯଥାର୍ଥ ନେତୃତ୍ୱ ପାଇଥିଲେ ଏକ ଆତ୍ମସମୀକ୍ଷା ଏବଂ ଆତ୍ମନିର୍ମାଣର ଯୁଗ ହୋଇ ପାରିଥାନ୍ତା । କିନ୍ତୁ ନାନା କାରଣରୁ ତାହା ପ୍ରଧାନତଃ ଏକ ଭାବପ୍ରବଣତାର ଯୁଗ ହୋଇ ଆମକୁ ଗ୍ରାସ କଲା ଆମକୁ ଆମ ଜୀବନଗତ ଯାବତୀୟ ସଂବେଦନାର କ୍ଷେତ୍ରରେ କ୍ରମେ ଅଧିକରୁ ଅଧିକ ସ୍ଥୂଳକରି ଗଢ଼ିବାରେ ଚକ୍ରାନ୍ତ ବି କଲା-। ଏଗୁଡ଼ାକ ଆମ ସମସ୍ତଙ୍କୁ ଭାରି ଭଲ ଲାଗିଲା, ଆମ ନେତୃତ୍ୱଗୁଡ଼ାକ ବି ଏଥିରେ ଭାରି ଦୁଷ୍ଟ ହୋଇ ରହିଲେ ଏବଂ ସବୁ ମିଶି ଏକ ଅବକ୍ଷୟ-ଯୁଗକୁ ଫୁଲଚନ୍ଦନ ଦେଇ ଆମ ଭିତରକୁ ଡାକି ନେଇଆସିଲେ । ସ୍ଵାଧୀନ ଭାରତରେ ସମ୍ପତ୍ତି ବଢ଼ିଲା, ତଥାପି ଅଧିକରୁ ଅଧିକ ଲୋକ କାଙ୍ଗାଳ ହେଲେ; ସ୍ୱାଧୀନ ଭାରତରେ ଶିକ୍ଷାର ଉଚ୍ଚ ଆଳୟଗୁଡ଼ାକ ବଢ଼ିଲା, ତଥାପି ଅଶିକ୍ଷାଗୁଡ଼ାକ ହିଁ ଅଧିକରୁ ଅଧିକ ମଣିଷଙ୍କୁ ଗ୍ରାସ କରି ରହିଲା; ସଭ୍ୟତା ବଢ଼ିଲା ମାତ୍ର ଅଧିକରୁ ଅଧିକ ମଣିଷ ବର୍ବର ହେଲେ । ଠିକ୍ ସେହିପରି ସ୍ୱାଧୀନ ଭାରତବର୍ଷରେ ଧର୍ମର ଘରଗୁଡ଼ାକ ଅଧିକ ଜକଜକ ଦିଶିଲା, ଧର୍ମର କଥାଗୁଡ଼ାକ ସମସ୍ତେ କେଡ଼େ ଉଚ୍ଚ ସ୍ୱରରେ କହି ବୁଲିଲେ; ଶାଖା ବଢ଼ିଲା ସମ୍ପ୍ରଦାୟ ବଢ଼ିଲା; ଗୁରୁମାନେ ସୁଲଭତର ହେଲେ, ଭେକରେ ନୂତନ ସଂସ୍କରଣମାନ ସୃଷ୍ଟି ହେଲା । ଧର୍ମାସକ୍ତିଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ଧର୍ମଭାବ କମିଲା; ଅବଜ୍ଞାଗୁଡ଼ାକ ହିଁ ବଢ଼ିଲା । ହୃଦୟଗୁଡ଼ାକ ବାହାରୁ ଯେତେ ସୁନାରେ ଆଉ ରୂପାରେ ଛପର ହୋଇ ରହିଥିବା ପରି ଦେଖା ଯାଉଥିଲେ ମଧ୍ୟ ଭିତରେ ଶୁଷକ ହୋଇ ମରିଯିବାକୁ ଲାଗିଲେ । ଅସଲ ଧର୍ମ ମଣିଷକୁ ଓ ସମାଜକୁ ଅବକ୍ଷୟରୁ ରକ୍ଷା କରେ; ଯାବତୀୟ ଆହ୍ୱାନର ସମ୍ମୁଖୀନ ହେବାଲାଗି ମଣିଷକୁ ଅଧିକ ବଳ ଦିଏ । ମଣିଷର ଜୀବନଚେରଗୁଡ଼ାକୁ ତାହା ଅଧିକ ଦୃଢ଼ କରେ । ମାତ୍ର ସ୍ଵାଧୀନତା ପରେ ଧର୍ମନାମରେ ସାଇତା ହୋଇ ରହିଥିବା ଆମର ପୁରୁଣା ଗୁହାଳଗୁଡ଼ାକର ସମ୍ପତ୍ତି ସେକଥା ମୋଟେ କରି ପାରିଲାନାହିଁ । ଧର୍ମାଧ୍ୟକ୍ଷମାନେ ମଣିଷ ଆଡ଼କୁ ନୁହେଁ କର୍ତ୍ତୁତ୍ୱଗୁଡ଼ାକ ଆଡ଼କୁ ଅର୍ଥାତ୍ ଶାସକମାନଙ୍କ ଆଡ଼କୁ ଅଧିକ ଆଉଜି ଆସିଲେ; ସେହିମାନଙ୍କର ଅନୁଗ୍ରହ ଭିକ୍ଷା କଲେ । ଅସମର୍ଥ ହୋଇ ରହିଲେ; ଆତ୍ମାଘାତୀ ହେଲେ ।

ଭାରତବର୍ଷର ଧର୍ମ ସଂସ୍କୃତି ଯୁଗେଯୁଗେ ପୃଥିବୀର ଅନୁସନ୍ଧିସ୍ଥମାନଙ୍କୁ ଭାରତବର୍ଷ ଆଡ଼କୁ ଭାରି ଆକୃଷ୍ଟ କରିଛି ସତ, ମାତ୍ର ଆପଣାର ଜୀବନଘାଟିକୁ ସୁସ୍ଥ ଏବଂ ବଳିଷ୍ଠ କରି ଗଢ଼ିବାରେ ସେହି ଧର୍ମ ଓ ସେହି ସଂସ୍କୃତି ମୋଟେ ଯଥାର୍ଥ ଭାବରେ କାମରେ ଲାଗି ପାରିନାହିଁ-। ଧର୍ମ ଓ ସଂସ୍କୃତି ଯେକୌଣସି ସମାଜରେ ମଣିଷକୁ ଯେଉଁ ପାରସ୍ପରିକତାର ଯୋଗ୍ୟ କରି ପାରୁଥାନ୍ତା, ଭାରତବର୍ଷରେ ସେହି ପାରସ୍ପରିକତା ସମ୍ଭବ ହୋଇ ପାରି ନାହିଁ, ଏଠି ଧର୍ମ ଉଚ୍ଚରେ ଥିବା ମଣିଷକୁ ଉଗ୍ର କରିଛି ଓ ତଳେ ଥିବା ମଣିଷକୁ ଅସହାୟ କରି ରଖିଛି-। ଦୁହିଁଙ୍କୁ ଧର୍ମ ବଡ଼ ଭୀତ ଓ ଶକ୍ତିହୀନ କରି ରଖିଛି । ଭାରତୀୟ ଧର୍ମଧାରା ଉପର ସ୍ତରରେ ରହିଥିବା ମଣିଷମାନଙ୍କୁ କରୁଣାର କଥା ରହିଛି, ନମ୍ର ହେବାର କଥା କହିଛି, ମାତ୍ର ତଳେ ରହିଥିବା ମଣିଷକୁ ଶକ୍ତିମାନ ଓ ସଚେତନ ହେବାର କଥା କହିନାହିଁ । ଭାରତୀୟ ସମାଜର ଅସୁସ୍ଥ ଗଢ଼ଣଟା ଅଧିକାଂଶ ସମୟରେ ଧର୍ମସଂସ୍କୃତିର ଉଜ୍ଜୀବନକାରୀ ଆବେଦନଗୁଡ଼ିକୁ ସବାତଳ ମଣିଷସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବାକୁ ହୁଏତ ବାଟ ବି ଛାଡ଼ିଦେବାକୁ ରାଜି ହୋଇନାହିଁ । ତେଣୁ ଧର୍ମର ଶାସ୍ତ୍ରଗୁଡ଼ାକରେ ଅଧ୍ୟାତ୍ମ ବିଷୟରେ କେବେକେବେ କଥା କୁହାଯାଇଥିଲେ ମଧ୍ୟ ସେହି ଅଧ୍ୟାତ୍ମ ମଣିଷର ହୃଦୟଯାଏ ମୋଟେ ଆସି ପାରିନାହିଁ, ଭାରତୀୟ ଧର୍ମ ସଂସ୍କାରଟାକୁ ପ୍ରାୟ ଦୁଇ ଖଣ୍ଡରେ ବିଭକ୍ତ କରି ରଖିଛି । ଉପରେ ଅଧ୍ୟର୍ମକଥାରେ ରାମରାଜ୍ୟଗୁଡ଼ାକ ସତେଅବା ନିତି ଫଳି ଆସିବା ପରି ମନେ ହେଉଛି, ମାତ୍ର ବିସ୍ତୃତ ସମ୍ପର୍କଗତ ଜୀବନଗୁଡ଼ାକ ଭାରି ଧର୍ମଛଡ଼ା ହୋଇ ରହିଛି । ଉପରେ ଦରିଦ୍ରକୁ ଦୟା କରିଯିବାର ସଦାବର୍ତ୍ତ ବସିଛି, ମାତ୍ର ବାସ୍ତବ ଜୀବନରେ ମଣିଷକୁ ସାଂଘାତିକ ଭାବରେ ନିର୍ମମ, ନିର୍ଦ୍ଦୟ ଏବଂ ରାକ୍ଷସପ୍ରାୟ କରି ରଖିଛି । ମଣିଷର ଅସଲ ଅନୁରାଗଗୁଡ଼ିକୁ ସଚଳ କରି ରଖିବାଭଳି ଓ ମଣିଷ ଭିତରେ ଥିବା ନାନାବିଧ ଜଡ଼ତାରେ ନିଆଁ ଲଗାଇ ଦେଲାପରି କେତେକେତେ ସତ୍ୟକୁ ମହାପୁରୁଷମାନେ ଏଠି କେଡ଼େ ଆନ୍ତରିକତା ସହିତ ପ୍ରଚାର କରି ଯାଇଛନ୍ତି; ମାତ୍ର ମହାପୁରୁଷମାନଙ୍କ ଅନ୍ତେ ସେଗୁଡ଼ାକ କେଡ଼େ ସହଜରେ ସତେଅବା ଗୋଟାଏ ଗୋଟାଏ ପଥର ମୂର୍ତ୍ତିରେ ପରିଣତ ହୋଇ ରହିଯାଇଛି ।

ଗତ ଶତାବ୍ଦୀର ମଧ୍ୟଭାଗରେ କେରଳର ଶ୍ରୀ ନାରାୟଣ ଗୁରୁ ଯେଉଁ ନୂତନ ଧର୍ମବାଣୀର ପ୍ରଚାର କରିଥିଲେ, ସେଥିରେ ତଳେ ରହିଥିବା ମଣିଷରୁ ଯାବତୀୟ ଜଡ଼ତାକୁ ପରିତ୍ୟାଗ କରି ଠିକ୍ ଜଣେ ମଣିଷପରି ହିଁ ଶକ୍ତିମାନ ହେବା ଲାଗି ଅଧିକ ଉଦ୍‌ବୋଧନ ଦିଆ ଯାଉଥିଲା । ସବଳ ଓ ଭାଗ୍ୟବନ୍ତମାନେ ଅଧିକ ହୃଦୟବାନ୍ ଓ ଦୟାଳୁ ହେଲେ ନୁହେଁ, ଦୁର୍ବଳ ଓ ଦୁର୍ଭାଗ୍ୟମାନେ ହିଁ ଆପଣାର ଅସଲ ବଳଗୁଡ଼ିକୁ ଅନୁଭବ କରି, ଆପଣାକୁ ଭଗବତ୍‌ସନ୍ତାନ ରୂପେ ଆବିଷ୍କାର କରି ଆପଣାର ଭାଗ୍ୟକୁ ଆପେ ଗଢ଼ିବାରେ ଯଥାର୍ଥରୂପେ ଶ୍ରଦ୍ଧାବାନ୍ ହୋଇପାରିଲେ ଯାଇ ଯେ ଭଗବାନଙ୍କ ଆଖିରେ ପ୍ରକୃତରେ ସୁନ୍ଦର ଦିଶି ପାରୁଥିବା ଗୋଟିଏ ସମାଜ ଗଢ଼ାଯାଇ ପାରିବ, ନାରାୟଣ ଗୁରୁ ସେତେବେଳେ ଏହି ନୂତନ ସନ୍ଦେଶଦ୍ୱାର କେରଳର ପତିତ ମାନଙ୍କୁ ମଣିଷ ବୋଲି ଅନୁଭବ ଓ ମଣିଷ ହେବାର ପଥ ଦେଖାଇ ଦେଇଥିଲେ । ତାହାର ଫଳ ଯେ ଅବଶ୍ୟ ଫଳିଲା, ଆମକୁ ବର୍ତ୍ତମାନ କେରଳର ତାହାର ଏକାଧିକ ପ୍ରମାଣ ମିଳିଯିବ ।

ଓଡ଼ିଶାର ଧର୍ମସଂସ୍କୃତିରେ ବର୍ତ୍ତମାନ ସେହିଭଳି ଏକ ନେତୃତ୍ୱର ସର୍ବାଧିକ ଆବଶ୍ୟକତା ରହିଛି । ଆମ ଜଗନ୍ନାଥଙ୍କୁ ଆମେ ଅଭ୍ୟସ୍ତ ଭାବରେ ପତିତପାବନ ବୋଲି କହି ଆସିଥିଲେ ମଧ୍ୟ ଆମ ଫିସାଦରୁ ସିଏ ଏବେ ମଧ୍ୟ ସାମନ୍ତ ହୋଇ ବସିଛନ୍ତି, ତାଙ୍କ ଲୀଳାର ସବୁ ନକ୍‌ସା ସାମନ୍ତମାନଙ୍କୁ ହିଁ ସବୁଠାରୁ ଅଧିକ ସୁହାଉଛି । ଓଡ଼ିଶାରେ ଅଧର୍ମ ରାଜା ହୋଇଛି ଅମଣିଷମାନେ ଅଡ଼ା ଧରି ବସିଛନ୍ତି । ଧର୍ମସଂସ୍କୃତିର ଇତିହାସ ସଭାର ବଡ଼ମାନଙ୍କ ପାଇଁ ଚିତ୍ତବିନୋଦନର ଏକ ସାମଗ୍ରୀ ହୋଇ ରହିଛି । ଆମ ଜାତୀୟତା ଭାବପ୍ରବଣ ବୋଲିଗୁଡ଼ାକ ଆମ ଅନେକଙ୍କ ଲାଗି ଯେମିତି ଏକ ଚିତ୍ତବିନୋଦନର ସାମଗ୍ରୀ ହୋଇରହିଛି ଓ ଆମକୁ ଘଡ଼ିକପାଇଁ କେତେ ଆନନ୍ଦ ଦେଉଛି, ପ୍ରାୟ ସେହିପରି ଧର୍ମ, ସଂସ୍କୃତି, ଆଧ୍ୟାତ୍ମ ଏବଂ ଭଗବଦ୍‌ଭାବନା, ଏଗୁଡ଼ାକ ଆଦୌ ବିନୋଦନ-ସାମଗ୍ରୀ ନୁହେଁ । ଉଚିତ ଆନ୍ତରିକତା ସହିତ ଏଗୁଡ଼ିକୁ ମନ କଲେ ଓ ଏଗୁଡ଼ିକ ମଧ୍ୟରେ ପ୍ରବେଶ କରି ପାରିଲେ ଆମ ଭିତରେ ରହିଥିବା କେତେ ଦୁଷ୍ଟ ସଂସ୍କାରର କାନ୍ଥ ଭାଙ୍ଗିଯିବ, ଆତ୍ମୀୟତାର ଭୂମିରେ ଆମେ କେତେ କୁଆଡ଼େ ଆଗକୁ ଚାଲିଯାଇ ପାରିବା । କେତେକେତେ ସ୍ଵପ୍ନର ଯୋଗ୍ୟ ହେବା, କେତେ ଭବିଷ୍ୟତ ନିର୍ମାଣରେ ନିମିତ୍ତ ବି ହୋଇ ପାରିବା । ଧର୍ମସଂସ୍କୃତି ଯୁଗେ ଯୁଗେ ମଣିଷ ସମ୍ମୁଖରେ ମୂଳତଃ ଏହି ଆହ୍ୱାନଟିକୁ ଉତ୍ତୋଳିତ କରି ଧରି ହିଁ ମଣିଷ ଆଗରେ ଉପସ୍ଥିତ ହୋଇଛି । ଓଡ଼ିଶାରେ ମଧ୍ୟ ତାହାର ସେହି ଆହ୍ୱାନଟି ସବୁବେଳେ ରହିଛି । ଆମର ଏହି ଯୁଗରେ ମଧ୍ୟ ରହିଛି । ଆମେ ଆହୁରି ଅଧିକ ଆନ୍ତରିକତା ଓ ଆତ୍ମୀୟତା ସହିତ ତାହାର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଶିଖିବା ।

Image